Monday, December 03, 2018


ପୁରୀ ଜିଲ୍ଲା ସ୍କୁଲ ୧୯୩୫-୧୯୪୦


ପୁରୀସ୍ଥ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ଟିତ୍ର (ୱିକିମିଡିଆ କମନ୍ସ୍)
ଏହି କୋଠାଟିର ପ୍ରାଚୀନତମ ଅଂଶଟିରେ ପୁରୀ ଜିଲ୍ଲା ସ୍କୁଲ ସ୍ଥାନିତ ଥିଲା


ଭବିଷ୍ୟତର ଖ୍ୟାତାନାମା, ଛାତ୍ରବତ୍ସଳ ଇଂରାଜୀ ପ୍ରାଧ୍ୟାପକ ସର୍ବେଶ୍ୱର ଦାଶଙ୍କ ବାପାଙ୍କର ପୁରୀ ସହରକୁ ବଦଳି ହୁଏ ୧୯୩୫ ମସିହାରେ । ଟ୍ରେଜେରି ଅଫିସର ଭାବରେ । ବାଳକ ସର୍ବେଶ୍ୱରଙ୍କର ପ୍ରାଥମିକ ଶିକ୍ଷା ସେତେବେଳକୁ ସରିଥାଏ । ସେ ନିଜର ଭାଇମାନଙ୍କ ସହ ନାମ ଲେଖାନ୍ତି ପୁରୀ ଜିଲ୍ଲା ସ୍କୁଲରେ । ଏବର ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର କୋଠାରେ ସେତେବେଳେ ଜିଲ୍ଲା ସ୍କୁଲ ଚାଲୁଥାଏ । ତାଙ୍କର ସେତେବେଳେ ସପ୍ତମ ଶ୍ରେଣୀ । ସେବେ ଜିଲ୍ଲା ସ୍କୁଲରେ ପ୍ରଧାନଶିକ୍ଷକ ଥିଲେ ଶ୍ରୀ ଜଗନ୍ନାଥ ତ୍ରିପାଠୀ । ତାଙ୍କର ଥିଓସଫିରେ ଆଗ୍ରହ ଥିଲା । ସେ ଥିଲେ ସର୍ବେଶ୍ୱରଙ୍କ ବାପାଙ୍କର ବନ୍ଧୁ । ବେଳେବେଳେ ଘରକୁ ଆସନ୍ତି । ଘରେ ଆଧ୍ୟାତ୍ମ ଆଲୋଚନାର ଆସର ବସେ ।

ସେତେବେଳେ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଓଡ଼ିଆ ମାଧ୍ୟମରେ ଶିକ୍ଷାର ବ୍ୟବସ୍ଥା ଥାଏ । ଅଷ୍ଟମ ଶ୍ରେଣୀ ପରଠାରୁ କେବଳ ଓଡ଼ିଆ ଛଡ଼ା ବାକି ସବୁ ବିଷୟର ପରୀକ୍ଷା ଇଂରାଜୀରେ ଦେଇ ହୁଏ । ସ୍କୁଲରେ ଥାଏ ଦୁଇଟି ସେକ୍ସନ । ‘ଏ’ ସେକ୍ସନ ପିଲା ଇଂରାଜୀରେ ମାଟ୍ରିକ ପରୀକ୍ଷା ଦିଅନ୍ତି । ଓଡ଼ିଆରେ ପରୀକ୍ଷା ଦେବାକୁ ଇଚ୍ଛୁକ ପିଲାଏ ‘ବି’ ସେକ୍ସନରେ ଭର୍ତ୍ତି ହୁଅନ୍ତି । ପ୍ରାୟତଃ ଛାତ୍ର ଥିଲେ ‘ଏ’ ସେକ୍ସନରେ । ଇଂରାଜୀ ପଢ଼ାରେ ସର୍ବେଶ୍ୱରଙ୍କର ଆବାଲ୍ୟ ବିଶେଷ ଆଗ୍ରହ ଥିବାରୁ ସେ ନାମ ଲେଖାନ୍ତି ‘ଏ’ ସେକ୍ସନରେ । ଓଡ଼ିଶା ସେତେବେଳକୁ ସ୍ୱତନ୍ତ୍ର ପ୍ରଦେଶ ହୋଇଯାଇ ଥିଲେ ମଧ୍ୟ, ମାଟ୍ରିକ ପରୀକ୍ଷା ଆଦିର ଭାର ଥାଏ ପାଟନା ବିଶ୍ୱବିଦ୍ୟାଳୟ ଉପରେ । କାରଣ ସେ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟମାନେ ମାଟ୍ରିକ ପରୀକ୍ଷାର ଆୟୋଜନ କରୁ ଥାଆନ୍ତି । ଆଉ ଓଡ଼ିଶାରେ ସେ ପର୍ଯ୍ୟନ୍ତ କୌଣସି ବିଶ୍ୱବିଦ୍ୟାଳୟ ଖୋଲି ନ ଥାଏ ।

ଜିଲ୍ଲା ସ୍କୁଲରେ ସର୍ବେଶ୍ୱର ଛାତ୍ର ଥିଲା ବେଳେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ହୁଏ । ଏହି ପରିପ୍ରେକ୍ଷୀରେ ରାଜ୍ୟପାଳ ଜନ ହବାକଙ୍କର ପ୍ରଥମ ଦରବାର ଆୟୋଜିତ ହୁଏ ପୁରା ଜିଲ୍ଲା ସ୍କୁଲ ହଲ୍‌ରେ । ସାଙ୍ଗମାନଙ୍କ ସହ ସେ ଯାଇ ହଲଟିର ଏହି ଉପଲକ୍ଷେ ଅଦ୍ଭୁତପୂର୍ବ ସାଜସଜ୍ଜା ଦେଖି ଆସନ୍ତି । ପାଖାପାଖି ସେଇ ସମୟରେ ନିର୍ବାଚନୀ ପ୍ରଚାର ପାଇଁ ନେହେରୁ ପୁରୀ ଆସିଥାଆନ୍ତି । ପରିଧାନ, ଖଦଡ଼ ପଞ୍ଜାବୀ ଉପରେ ଗୋଟିଏ ‘ଜହର ଜ୍ୟାକେଟ’ । ତଳେ ଖଦଡ଼ ପାଇଜାମା; ଆଣ୍ଠୁ ପାଖରୁ ପାଦ ଯାଏଁ ଚିପା । ପାଦରେ ଥାଏ କାବୁଲି ଚପଲ । ଦୂରରେ ଠିଆ ହୋଇଥିବାରୁ ତାଙ୍କ ଭାଷଣ ସର୍ବେଶ୍ୱରଙ୍କୁ ଶୁଣାଗଲା ନାହିଁ । ହେଲେ ସାନ୍ନିଧ୍ୟର ପ୍ରଭାବ ନିଶ୍ଚୟ ପଡ଼ିଲା । ସେହିପରି ନବମ କି ଦଶମ ଶ୍ରେଣୀରେ ପଢ଼ିଲା ବେଳକୁ ପୁରୀକୁ ଆସିଥିବା କଙ୍ଗ୍ରେସ ନେତ୍ରୀ ସରୋଜିନୀ ନାଇଡ଼ୁଙ୍କର ଭାଷଣ ଶୁଣିଲେ । ତାଙ୍କର ମାନପତ୍ରଟି ମଧ୍ୟ ସଭାରେ ପଢ଼ିଲେ ।

୧୯୩୭ ମସିହାର ଜାନୁଆରୀ ମାସର ନିର୍ବାଚନ ପରେ କଙ୍ଗ୍ରେସ ଓଡ଼ିଶାରେ କ୍ଷମତା ଗ୍ରହଣ କରିବାରେ ଦୋଦୋପାଞ୍ଚ ହେବାରୁ କିଛି ଦିନ ପାଇଁ ଗୋଟିଏ ରୀତିମତ ରାଜନୈତିକ ନାଟକ ଚାଲିଲା । ଏହା ବାଳକ ସର୍ବେଶ୍ୱରଙ୍କ ଉପରେ ପ୍ରଭାବ ପକାଇଲା । ସେ ନୂଆ ସମ୍ବିଧାନ ବିଷୟକ ଇଂରାଜୀ ବହିଠିଏ ପଢ଼ିଲେ । ତାହା ସହ ସେ ଇଂରାଜୀ ସମ୍ବାଦପତ୍ର ତଥା ଓଡ଼ିଆ ‘ସମାଜ’ ପୃଷ୍ଠାରୁ ରାଜନୈତିକ ଗତିବିଧିଗୁଡ଼ିକୁ ସଚେତନତାର ସହ ଲକ୍ଷ୍ୟ କରିବାକୁ ଲାଗିଲେ । ୧୯୩୮ ମସିହାରେ ପୁରୀର ଡେଲାଙ୍ଗ ପାଖର ବେରବୋଇ ଗ୍ରାମରେ ଗାନ୍ଧୀ ସେବା ସଙ୍ଘର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହେଲା । ସେଥିରେ ଯୋଗ ଦେଇ ସର୍ବେଶ୍ୱରଙ୍କର ରାଜନୈତିକ ଚେତନା ଶାଣିତ ହେଲା । ଏହା ଛଡ଼ା ଗାନ୍ଧୀଜିଙ୍କର ଦର୍ଶନର ସୌଭାଗ୍ୟ ମଧ୍ୟ ମିଳିଲା । ଗାନ୍ଧୀଙ୍କ ଆଦର୍ଶ ତଥା ସମାଜବାଦୀ ବିଚାର ପ୍ରତି ସର୍ବେଶ୍ୱରଙ୍କର ଶ୍ରଦ୍ଧା ବଢ଼ୁଥାଏ । ଇଆଡ଼େ ରାମକୃଷ୍ଣ, ବିବେକାନନ୍ଦ ତଥା ଶିବାନନ୍ଦଙ୍କର ଆଧ୍ୟାତ୍ମିକ ଆହ୍ନାନଗୁଡ଼ିକ ପ୍ରତି ବି ଉନ୍ମୁଖତା ପ୍ରସ୍ଫୁଟିତ ହେଉଥାଏ ।

୧୯୩୫ର ନୂଆ ସମ୍ବିଧାନ ଅନୁସାରେ ଶାସନ ଆରମ୍ଭ ହେବା ପରେ ସ୍କୁଲଗୁଡ଼ିକରେ ହିନ୍ଦୀଶିକ୍ଷାର ପ୍ରଚଳନ ଆରମ୍ଭ ହେଲା । ହେଲେ ଏହି ବିଷୟରେ ପରୀକ୍ଷା ଆଦି ବାଧ୍ୟତାମୂଳକ ନ ଥିଲା । ନିରକ୍ଷରତା ଦୂରେଇବା ପାଇଁ ଏକ ଆନ୍ଦୋଳନ ସରକାରୀ ଭାବରେ ଆୟୋଜିତ ହେଲା । ବିଦ୍ୟାଳୟର ଛାତ୍ରମାନଙ୍କୁ ଏଥିରେ ନିୟୋଜିତ କରାଗଲା । ସ୍କୁଲରେ ସେ ସମୟରେ ହେଉଥାଏ ସାପ୍ତାହିକ ଆଲୋଚନା ସଭା । ତାହା ଛଡ଼ା ଗୋଟିଏ ସାପ୍ତାହିକ ସାହିତ୍ୟ ସଭାର ମଧ୍ୟ ଆୟୋଜନ ହୁଏ, ଯେଉଁଥିରେ ଛାତ୍ରମାନେ ନିଜର ଗଳ୍ପ, ପ୍ରବନ୍ଧ ତଥା କବିତା ଇତ୍ୟାଦି ପଢ଼ନ୍ତି ।

ଏହି ସମୟରେ ପୁରୀ ଜିଲ୍ଲା ସ୍କୁଲରେ କ୍ଷିତୀଶ ଚନ୍ଦ୍ର ଦେ ଇଂରାଜୀ ଓ ଭୂଗୋଳ ପଢ଼ାଉଥିଲେ । ଡଡଲି ଷ୍ଟାମ୍ପଙ୍କର ‘ଦି ୱର୍ଲ୍ଡ’ ଥିଲା ଭୂଗୋଳ ପାଠ୍ୟ ପୁସ୍ତକ । ଏଥିରେ କିଛି କିଛି ପ୍ରମାଦ ବି ଥିଲା । ଯେପରିକି ଲେଖାଥିଲା ଯେ, ଓଡ଼ିଶା, ଓଡ଼ିଶା-ବିହାର ପ୍ରଦେଶର ଏକ ଜିଲ୍ଲା । ହେଲେ କ୍ଷିତୀଶ ବାବୁ ପିଲାଙ୍କୁ ଭୂଗୋଳରେ ଆଗ୍ରହୀ କରିବା ପାଇଁ ‘ନ୍ୟାଶନାଲ ଜିଓଗ୍ରାଫିକ’ ପତ୍ରିକା ଆଣି ତାଙ୍କୁ କ୍ଲାସରେ ଦିଅନ୍ତି, ଯେପରି ଭୂଗୋଳ ପାଠରେ ଆଗ୍ରହ ଜନ୍ମିବ । ସେବେ ଧର୍ମ ଶିକ୍ଷା ପାଇଁ ପିରିଅଡ଼ଟିଏ ବି ଥାଏ । ତାକୁ ନିଅନ୍ତି ସ୍ଲୁଲର ପଣ୍ଡିତେ । ଇତିହାସ ପଢ଼ାଉ ଥାଆନ୍ତି ପ୍ରଥମ ଓଡ଼ିଆ ଉପନ୍ୟାସକାର ଉମେଶ ସରକାରଙ୍କର ପୁଅ ଅପୂର୍ବ ସରକାର । ସେ ଇଂଲଣ୍ଡର ଇତିହାସ ପଢ଼ାନ୍ତି । ଘରେ ସର୍ବେଶ୍ୱର ଏହି କ୍ଲାସ ପାଇଁ ପଢ଼ନ୍ତି ଥମାସ ଫ୍ରେଡ଼ିରିକ ଟାଉଟଙ୍କର ‘ବ୍ରିଟିଶ ହିଷ୍ଟ୍ରି’ । ଭାରତ ଇତିହାସ ପାଇଁ ପାଠ୍ୟପୁସ୍ତକ ଥାଏ, ସୁରେନ୍ଦ୍ରନାଥ ସେନ ଏବଂ ହେମଚନ୍ଦ୍ର ରାୟଚୌଧୁରୀଙ୍କ ଦ୍ୱାରା ରଚିତ ‘ଗ୍ରାଉଣ୍ଡୱର୍କ ଅଫ ଇଣ୍ଡିଆନ ହିଷ୍ଟ୍ରି’ । ସେହି ସମୟରେ କିଛି ଦିନ ପାଇଁ ବିଶିଷ୍ଟ ଐତିହାସିକ କେଦାରନାଥ ମହାପାତ୍ର ପୁରୀ ଜିଲ୍ଲା ସ୍କୁଲର ଶିକ୍ଷକ ହୋଇ ଆସିଲେ ।

ସର୍ବେଶ୍ୱର ବାବୁଙ୍କ ବାପା ପିଲାମାନଙ୍କ ଶିକ୍ଷା ପ୍ରତି ତୀକ୍ଷ୍ଣ ଦୃଷ୍ଟି ରଖିଥାଆନ୍ତି । ସେ ନିଜେ ସଂସ୍କୃତ ଶିକ୍ଷାର ଦାୟିତ୍ୱ ନେଇ ଥାଆନ୍ତି । ଶୋଇଲା ପୂର୍ବରୁ ରାତିରେ ପିଲାମାନଙ୍କୁ ମୌଖିକ ଭାବରେ ପାଞ୍ଚୋଟି ପାଞ୍ଚୋଟି ଲେଖାଏଁ ଓଡ଼ିଆ ବାକ୍ୟକୁ ସଂସ୍କୃତ ଓ ଇଂରାଜୀକୁ ଅନୁବାଦ କରିବାକୁ ପଡ଼େ । ଘରେ ଟିଉସନ ମାଷ୍ଟର ଖଞ୍ଜା ଥାଆନ୍ତି । ଏକାଦଶ ଶ୍ରେଣୀ ଶେଷରେ ସେବେ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହେଉଥାଏ । ସର୍ବେଶ୍ୱର ବାବୁ ୧୯୩୯ ମସିହାର ଜୁନ ମାସ, ଅର୍ଥାତ୍, ଏକାଦଶ ଶ୍ରେଣୀର ଷାଣ୍ମାସିକ ପରୀକ୍ଷା ବେଳକୁ ପୂରା ମାଟ୍ରିକ ପରୀକ୍ଷାର ପାଠ ପଢ଼ି ସାରି ଥାଆନ୍ତି । ଦିନକୁ ତେର ଚଉଦ ଘଣ୍ଟା ପଢ଼ାପଢ଼ି କରି ଟେଷ୍ଟ ପରୀକ୍ଷା ଫଳ ବେଶ୍ ଭଲ ହେଲା । ସେ ପ୍ରଥମ ହେଲେ । ୧୯୪୦ ମସିହାର ଫେବ୍ରୁଆରୀ ମାସରେ ପରୀକ୍ଷା ହୋଇ ଦୁଇ ମାସ ପରେ ଅପ୍ରେଲରେ ଫଳ ବାହାରିଲା । ସର୍ବେଶ୍ୱର ଓଡ଼ିଶାରେ ପ୍ରଥମ ଶ୍ରେଣୀରେ ପ୍ରଥମ ହେଲେ ଓ ମାସିକ କୋଡ଼ିଏ ଟଙ୍କିଆ ଡିଭିଜନାଲ ବୃତ୍ତି ପାଇଁ ଯୋଗ୍ୟ ବିବେଚିତ ହେଲେ । ତାହା ପରେ ତାଙ୍କର କଲେଜ ପଢ଼ା ଆରମ୍ଭ ହୁଏ । ସେ ଆଉ ଏକ ଜୀବନ ।

ବି.ଦ୍ର. - ଏହି ଲେଖାଟି ସର୍ବେଶ୍ୱର ଦାଶଙ୍କର ଆତ୍ମଜୀବନୀ ‘ମୋ କାହାଣୀ’ରୁ ସଙ୍ଗୃହିତ । ଏହି ବହିଟି ୨୦୦୯ ମସିହାରେ ଭୁବନେଶ୍ୱରସ୍ଥ ସଂସ୍ଥା ‘ଶିକ୍ଷାସନ୍ଧାନ’ ଛପାଇଥିଲେ ।

No comments:

Post a Comment