Friday, December 07, 2018

 ଛୋଟ ଛେଳି ମାଂସର ସୁରୁଆ

ସରୋଜିନୀ ଚୌଧୁରୀ


ଚିତ୍ର - 'ଷ୍ଟଡ଼ି ଅଫ୍ ଏ କିଡ଼୍' (୧୭୯୬ ମସିହାରେ ଅଙ୍କିତ)
ଚିତ୍ରକର - ଜେମ୍ସ୍ ୱାର୍ଡ଼୍ (୧୭୬୯ - ୧୮୫୯)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ 

ଉପକରଣ - ନରମ ଚର୍ବିହୀନ ମାଂସ ପାଏ, ଜଳ ଦେଢ଼ ସେର, ଲୁଣ ତୋଳେ, ପସନ୍ଦ ଅନୁଯାୟୀ ହଳଦି ବଟା ଟିକେ, ତେଜ ପତ୍ର ଦୁଇ ତିନି ଖଣ୍ଡ, ଧଣିଆ ପତ୍ର ତିନି ଚାରି ଡାଳ, ଆଦେଶ ଥିଲେ ଗୋଲମରିଚ ଗୁଣ୍ଡା 'ଛଙ୍କା' ଟିକିଏ ।

ପ୍ରଣାଳୀ - ମାଂସ ଖୁବ୍ ଛୋଟ ଛୋଟ କରି କାଟ ଅଥବା ଟିକିଏ ଛେଚି ନିଅ; ତେଜ ପତ୍ର ଓ ଧଣିଆ ପତ୍ର ମଧ୍ୟ ଧୋଇ ନିଅ । ଗୋଟିଏ ମାଟିର ହାଣ୍ଡିରେ ମାଂସ, ତେଜ ପତ୍ର, ଧଣିଆ ପତ୍ର, ପସନ୍ଦ ଅନୁଯାୟୀ ହଳଦୀ ବଟା ଓ ସମସ୍ତ ପାଣି ଦେଇ ହାଣ୍ଡି ମୁହଁ ଢାଙ୍କ । କିଛି ଅଟା ବା ମଇଦା ଗୋଳାଇ ଢାଙ୍କୁଣିର ଯୋଡ଼ ମୁହଁ ଲେପି ଦିଅ । ଚୁଲ୍ଲିରେ ଚଢ଼ାଅ ।

ଖୁବ ନରମ ଆଞ୍ଚରେ ଧୀରେ ଧୀରେ ସିଝି ସିଝି ଦୁଇ ତିନି ଘଣ୍ଟା ଗଲେ ଓହ୍ଲାଇ ରଖ । ଅଳ୍ପ ଥଣ୍ଡା ହେଲେ ମାଂସଟାକୁ ବେଶ୍ କରି ଚକଟି ଚକଟି ଚିପୁଡ଼ି ପକାଇ ଲୁଣ ମିଶାଅ । 

ବି.ଦ୍ର. - ଛୋଟ ଛେଳି ମାଂସର ସୁରୁଆ ତିଆରିବାର ଏହି ପ୍ରଣାଳୀଟି ସରୋଜିନୀ ଚୌଧୁରୀ (୧୮୮୩-୧୯୫୭)ଙ୍କ ବହି 'ଗୃହିଣୀ ସର୍ବସ୍ୱ'ର ଲାର୍କ ବୁକ୍ସ୍ (ଭୁବନେଶ୍ୱର) ୨୦୦୯ ମସିହାରେ ଛାପିଥିବା ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି ।  ଏଠାରେ ଦିଆ ଯାଇ ଥିବା ପ୍ରଣାଳୀରେ ସରୋଜିନୀ ଚୌଧୁରୀ ଇଙ୍ଗିତ କରିଥିବା ଚିନିର ପରିମାଣଠାରୁ କମ୍ ବ୍ୟବହାର କରାଯାଇଛି । ବହିଟିର ପ୍ରଥମ ସଂସ୍କରଣ ୧୯୨୮ ମସିହାରେ ଛପାଯାଇଥିଲା । ସରୋଜିନୀ ଦେବୀ ଜଣେ ସ୍ୱାଧୀନତା ସଙ୍ଗ୍ରାମୀ ଭାବରେ ଜଣାଶୁଣା । ସେ ଫକୀରମୋହନ ସେନାପତିଙ୍କର ସର୍ବକନିଷ୍ଠ କନ୍ୟା ତଥା ଶିଳ୍ପୀ ବିପିନବିହାରୀ ଚୌଧୁରୀଙ୍କର ମାତା । 

No comments:

Post a Comment