Wednesday, June 13, 2018

ବନଫୁଲଙ୍କର 'ନିମଗଛ' 

ଅନୁବାଦ - ଜ୍ୟୋତି ନନ୍ଦ


ବନଫୁଲ
(ୱିକିନାଓ)

କିଏ ଛାଲ ଖଣ୍ଡେ ଛେଲି ଗରମପାଣିରେ ସିଝେଇ ବସିଲାଣି ।
ପାଛିଆଏ ପତ୍ରମାନଙ୍କୁ ଛିଣ୍ଡେଇ ସାରି ଶିଳରେ ବାଟୁଛି କିଏ ।
କିଏ ବା ଭାଜୁଛି ଗରମ ତେଲରେ ବସି ଚୁଲିମୁଣ୍ଡରେ ।
ଯାଦୁ, କାଛୁ, କୁଣ୍ଡିଆ ର ସବୁ ଜାଗା ଅଜାଗାରେ ବୋଳାଯିବ  ।
ଚର୍ମରୋଗର ଅବ୍ୟର୍ଥ ମହୌଷଧ ।

କଅଁଳ ପତ୍ରକୁ ଅନେକେ ଖାଆନ୍ତି ।
ଏମିତି କଞ୍ଚା କଞ୍ଚା,
ଅବା ସୋରିଷ ତେଲରେ ଚକା ଚକା ବାଇଗଣ ଭଜା ସହ ।
ଯକୃତକୁ ଭାରି ପଦାର୍ଥ ସିଏ ।

ଏପରିକି କଅଁଳି ଡାଳ ପତ୍ରକୁ ଭାଙ୍ଗି ଚୋବାନ୍ତି କେତେକ, ଦାନ୍ତମାନ ବଜ୍ର ହେବ ।
କବିରାଜ ମାନେ ପଞ୍ଚମୁଖ ପ୍ରଶଂସାରେ ।
ଘର ପାଖରେ ଚାରାଟିଏ ଦେଖିଲେ ବିଜ୍ଞ ଜନେ ଭାରି ଖୁସି ହୁଅନ୍ତି,
କହନ୍ତି, ଥାଉ, କାଟନି, ନିମଗଛର ହାଉଆ ଦେହକୁ ହିତ ।

କାଟନ୍ତିନି କେହି, ଯତ୍ନ ବି ନିଅନ୍ତିନି।
ଆବର୍ଜନା ଜମି ଆସୁଥାଏ ଚାରିପାଶ ।
ନାଲି ପାଟକନା ବାନ୍ଧିଦିଏ କିଏ, ସେ ବି ଆଉ ଏକ ଆବର୍ଜନା ।

ହଠାତ୍ ଦିନେ ଜଣେ ନୂଆ କୁଣିଆ ଆସିଲେ ।
ମୁଗ୍ଧ ଦୃଷ୍ଟିରେ ଚାହିଁ ରହିଲେ ନିମଗଛକୁ ।
ଛାଲ ଛେଲିଲେ ନାହିଁ,
ପତ୍ର ଛିଣ୍ଡେଇଲେ ନାହିଁ,
ଡାଳ ବି ଭାଙ୍ଗିଲେ ନାହିଁ ।

ମୁଗ୍ଧ ଦୃଷ୍ଟିରେ ଚାହିଁ ରହିଥିଲେ ଖାଲି, କିଛି ଘଡ଼ି ।
କହି ଉଠିଲେ, ବାଃ କି ସୁନ୍ଦର ପତ୍ର,
ହାଲୋଳ କଲା ଭଳିକା ରୂପ ଦେଖ,
ପେନ୍ଥା ପେନ୍ଥା ଫୁଲ କି ଅପୂର୍ବ,
ଯେମିତି ପଞ୍ଝାଏ ତାରା ଓହ୍ଲାଇ ଆସିଛନ୍ତି ସବୁଜ ପାରାବାରକୁ ଅବିକା ।
ବାଃ ।

କିଛି କ୍ଷଣ ବିହ୍ୱଳ ହୋଇ ଚାଲିଗଲେ କୁଣିଆ ।
କବିରାଜ ନୁହଁନ୍ତି, କବି ସିଏ।
ନିମଗଛଟିର ମନ ବଳିଛି,
କୁଣିଆ ସାଙ୍ଗରେ ଚାଲିଯାଆନ୍ତା କି !

ପାରିଲାନି ।
ମାଟିର ଢେର୍ ଗହୀରକୁ କାହିଁ କେତେ ଦୂର,
 ମାଡ଼ି ଯାଇଛି ତାହାର ଅମାନିଆ ଚେରଯାକ ।
ଘର ପଛରେ ଆବର୍ଜନାସ୍ତୁପ ସବୁକୁ ସାଥିକରି ଛିଡ଼ା ହୋଇ ରହିଲା ସେ ।
ଆଉ ଏପଟେ,  ଘର ଭିତରେ,
ଯାବତୀୟ ଗୃହକର୍ମନିପୁଣା ଲକ୍ଷ୍ମୀବନ୍ତ ବୋହୁଟିର ଦଶା ସମାନ ।

ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍
(ଡାକ୍ତର ବଲାଇଚାନ୍ଦ ମୁଖୋପାଧ୍ୟାୟ (୧୮୯୯-୧୯୭୯) ଓରଫ ବନଫୁଲ ପ୍ରତିବେଶୀ ବଙ୍ଗଳା କଥା ସାହିତ୍ୟର ଜଣେ ସମ୍ମାନାସ୍ପଦ ଜନପ୍ରିୟ ଉଚ୍ଚାରଣ । ତାଙ୍କର ଅନେକ କାହାଣୀ ବଙ୍ଗଳାରେ ଚଳଚ୍ଚିତ୍ରାୟିତ ହୋଇ ଦର୍ଶକ ମାନଙ୍କର ଅମାପ ଲୋକପ୍ରିୟତା ଲାଭ କରିଅଛି, ଯାହା ଏବେ ବି ଅର୍ଜନ କରିବାକୁ ସମର୍ଥ । ହଁ, ଯଦି କେବେ କେଉଁଠି ପଦ୍ମଭୂଷଣକୁ ଲେଖକର ମାନଦଣ୍ଡ ବୋଲି ବିଚାର କରାଯାଉଥାଏ, ତେବେ ସେମାନଙ୍କ ପାଇଁ ଏହି ତଥ୍ୟଟି ଗୁରୁତ୍ୱପୂର୍ଣ୍ଣ ହେବ ଯେ, ବନଫୁଲ ବି ଜଣେ "ପଦ୍ମଭୂଷଣ" ।)

No comments:

Post a Comment