Tuesday, April 17, 2018

ଡଗର ପତ୍ରିକାର ପ୍ରଥମ ସଙ୍ଖ୍ୟାରେ ପ୍ରକାଶିତ ଏକ ଅଭିନନ୍ଦନିକା - 'ଆଶୀର୍ବାଣୀ'


କବିଶେଖର ଚିନ୍ତାମଣି ମହାନ୍ତି


ସ୍ୱତନ୍ତ୍ର ଓଡ଼ିଶା ଗଠନ ସମୟରେ ବ୍ରିଟିଶ ଇଣ୍ଡିଆର ମାନଚିତ୍ର 

ସ୍ୱାଗତ ନବୀନବନ୍ଧୁ ହେ ଶିଶୁ ଡଗର,
ଅର୍ପ ନବୋତ୍କଳ କର୍ଣ୍ଣେ ମଙ୍ଗଳ ମନ୍ତର ।

ରାଜାଙ୍କ ହୁଅ ଦୂତ, ପ୍ରଜାଙ୍କର ମିତ୍ର,
ଦେଖାଅ ଉନ୍ନତ ନବ ସାହିତ୍ୟର ଚିତ୍ର ।

ହୁଅ ତୁମେ ଦୀର୍ଘଜୀବୀ, ସିଦ୍ଧ ମନୋରଥ,
ପୁଷ୍ପାସ୍ତୁତ ହେଉ ତବ ପୁଣ୍ୟ ଗତିପଥ ।

ଲଭ ଶିଶୁ ସମାଦର ପ୍ରାସାଦେ କୁଟୀରେ,
ବିଶ୍ୱବାଣୀ ଆଶୀର୍ବାଦ ବର୍ଷୁ ତବ ଶିରେ । 

ବି.ଦ୍ର. - ଏହି ଅଭିନନ୍ଦନିକାଟି 'ଡଗର' ପତ୍ରିକାର ପ୍ରଥମ ବର୍ଷର ପ୍ରଥମ ସଙ୍ଖ୍ୟା (ଜ୍ୟେଷ୍ଠ ୧୩୪୪ ସାଲ ବା ୧୯୩୭ ମସିହାରେ ପ୍ରକାଶିତ ହୋଇଥିଲା । ପତ୍ରିକାର ଏହି ପ୍ରତିଟି ସୃଜନିକା ସଂସ୍ଥାର ସୌଜନ୍ୟରୁ ମିଳିଥିବାରୁ କୃତଜ୍ଞତା ଜ୍ଞାପନ କରୁଅଛୁ ।

Sunday, April 15, 2018

ପ୍ରାଦେଶିକତା 

(କୁଙ୍କୁମ ପୃଷ୍ଠାରୁ ଏକ ସମ୍ପାଦକଙ୍କୁ ଚିଠି)

ମଧୁସୂଦନ ପଟ୍ଟନାୟକ (କଲିକତା)


ଭାରତର ହାଇଦ୍ରାବାଦ ରାଜ୍ୟ ଦଖଲ ପରେ ସମର୍ପଳ ପର୍ବ (ୱିକିମିଡିଆ କମନ୍ସ୍) 

କିଛିଦିନ ପୂର୍ବରୁ ଅର୍ଥାତ୍ ହାଇଦ୍ରାବାଦର ଦଖଲର ଠିକ୍ ପରେପରେ ଭାରତର ବିଭିନ୍ନ ସ୍ଥାନରୁ ଶୁଭେଚ୍ଛା ସମ୍ବାଦପତ୍ରମାନଙ୍କରେ ପ୍ରକାଶିତ ହୋଇଥିଲା । 

ପଶ୍ଚିମବଙ୍ଗର ପ୍ରଧାନମନ୍ତ୍ରୀ ଡାକ୍ତର ବି. ସି. ରାୟ କହିଥିଲେ ଯେ ସେ ଖୁବ ଗର୍ବ ଅନୁଭବ କରୁଚନ୍ତି କାରଣ ହାଇଦ୍ରାବାଦ ଅଭିଯାନର ସଫଳତା ଭିତରେ ବଙ୍ଗାଳୀ ମେଜର୍ ଜେନେରାଲ୍ ଚୌଧୁରୀ, ମେଜର୍ ଜେନେରାଲ୍ ରୁଦ୍ର ଓ ଏଆର ଭାଇସମାର୍ସାଲ ମୁଖାର୍ଜି ନିହିତ ଅଛନ୍ତି । 

ଜଣେ କଙ୍ଗ୍ରେସ ପ୍ରଧାନମନ୍ତ୍ରୀଙ୍କର ଏପରି ଶସ୍ତା, ପ୍ରାଦେଶିକ ଅଭିମତରେ ମୁଁ ଦୁଃଖ ପ୍ରକାଶ କରୁଛି । ଆମର ସୈନ୍ୟ ବିଭାଗ କୌଣସି ଗୋଟିଏ ପ୍ରଦେଶର ନୁହେଁ, ସମୁଦାୟ ଭାରତର ।    

ବି.ଦ୍ର. - ସୃଜନିକା ଅନୁଷ୍ଠାନ ଦ୍ୱାରା ଡିଜିଟାଲକରଣ ହୋଇଥିବା ହାତଲେଖା ପତ୍ରିକା 'କୁଙ୍କୁମ'ର ପ୍ରଥମ ବର୍ଷର ଦ୍ୱିତୀୟ ସଙ୍ଖ୍ୟା (ନଭେମ୍ବର ୧୯୪୮)ରୁ ଆହୃତ । ପତ୍ରିକାଟି ବମ୍ବେରୁ ପ୍ରକାଶିତ ହେଉଥିଲା । ସମ୍ପାଦକ ଥିଲେ ଦେବ ମହାପାତ୍ର । ପରିଚାଳନା ସମ୍ପାଦକ ଥିଲେ ଧୀରେନ୍ ଦାଶ ।

Friday, April 13, 2018

ଦୁଃଖକଥାର ନାଁ ଆସିଫା

ଜ୍ୟୋତି ନନ୍ଦ


ଶିଶୁମାନଙ୍କର ଧର୍ଷଣ ବିରୋଧରେ ଦକ୍ଷିଣ ଆଫ୍ରିକାର ଏକ ପୋଷ୍ଟର (ୱିକିମିଡିଆ କମନ୍ସ୍)

ଏହି ତଥ୍ୟଟି ବିଶିଷ୍ଟ ସାମ୍ବାଦିକ ଶ୍ରୀଯୁକ୍ତ ରାହୁଲ ପଣ୍ଡିତ ଙ୍କ ଏକ ଲେଖାରୁ ଗୃହୀତ।ତେଣୁ ଏଇ ଲେଖାଟିରେ ମୋର ମୌଳିକତା ନାହିଁ ।
ଶ୍ରୀଯୁକ୍ତ ପଣ୍ଡିତ ଙ୍କ ଏଇ ଲେଖାଟିର ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ମନେ ହେଲା ତେଣୁ ଅନୁସରଣ କରିବାକୁ ଆଗ୍ରହ ପ୍ରକାଶ କରୁଛି ।

ଏଇ କିଛିଦିନ ହେଲା ଆଠ ବର୍ଷ ବୟସର ଜାମ୍ମୁରେ ରହୁଥିବା ଝିଅ ଆସିଫା ବାନୁ ବୋଲି ଝିଅଟିକୁ କିଛି ନରରାକ୍ଷସ ପ୍ରାୟ ସାତ ଦିନ କାଳ ଗୋଟିଏ ମନ୍ଦିରରେ ଅବରୁଦ୍ଧ ରଖି ବଳାତ୍କାର କଲେ ଓ ଶେଷରେ ତାହାକୁ ତଣ୍ଟି ଚିପି ହତ୍ୟା କରିଥିଲେ । ଆସିଫା ହେଉଛି ଗୁଜର-ବାକରୱାଲା ବୋଲି ଗୋଟିଏ ମୁସଲମାନ ଯାଯାବର ସମ୍ପ୍ରଦାୟର ଝିଅ । ସେହି ଯାଯାବର ସମ୍ପ୍ରଦାୟ ସାଧାରଣତଃ ଘୋଡା ଆଉ ଛେଳି ପାଳନ କରି ନିଜର ଜୀବିକା ନିର୍ବାହ କରିଥାନ୍ତି । ପଶୁପାଳନ ନିମନ୍ତେ ଚାରଣଭୂମୀ ଆଉ ଜଙ୍ଗଲର ଅଧିକାର କାରଣରୁ ଏଇ ଯାଯାବର ମୁସଲମାନ ସମ୍ପ୍ରଦାୟକୁ ଜାମ୍ମୁ ଭଳି ଏକ ହିନ୍ଦୁ ବହୁଳ ଅଞ୍ଚଳରେ ପ୍ରାୟ ବିରୋଧ କରାଯାଉଥିଲା ଏବଂ ଏହି ବିରୋଧଟିକୁ ହିନ୍ଦୁ-ମୁସଲମାନ ବିଦ୍ୱେଷରେ ପରିଣତ କରାଯାଇ ଗୋଟିଏ ଦଳର ରାଜନୈତିକ ସ୍ୱାର୍ଥ ସାଧନରେ ବ୍ୟବହାର କରାଯାଉଥିଲା ।

ମହମଦ ୟୁସୁଫ୍ ପୂଜୱାଲା ବୋଲି ସେହି ଯାଯାବର ଗୁଜର-ବାକରୱାଲା ସମ୍ପ୍ରଦାୟର ଜଣେ ସଦସ୍ୟଙ୍କର ଆଗରୁ ଦୁଇଟି ଝିଅ ଦୁର୍ଘଟଣାରେ ପ୍ରାଣତ୍ୟାଗ କରିଥିବାରୁ, ସେ ନିଜର ଜଣେ ଆତ୍ମୀୟଙ୍କ ଝିଅ ଆସିଫାକୁ ପାଳିତା ଝିଅ କରିନେଇଥିଲେ । ଆସିଫା ସେଇ ପରିବାରର ଆଖିର ମଣି ଥିଲା । ଷାଠିଏ ବର୍ଷ ବୟସର ଅବସରପ୍ରାପ୍ତ ଅଫିସର ଜଣେ ନିଜର ପୁଅ ସହ ଆଉ ଚାରି ଜଣଙ୍କ ସହାୟତାରେ ଆସିଫାକୁ ଅପହରଣ କରି ଗୋଟିଏ ମନ୍ଦିରରେ ଅବରୁଦ୍ଧ କରି ରଖିଥିଲା । ସେଇ ମନ୍ଦିରରେ ସେହି ନରରାକ୍ଷସ ସହ ଆଉ ସମସ୍ତେ ସାତ ଦିନ ଧରି ନିୟମିତ ସେଇ କୋମଳମତି, ନିଷ୍ପାପ ବାଳିକାଟିକୁ ଗଣଧର୍ଷଣ କରି ଚାଲିଲେ । ସେ ଯେମିତି ଚିତ୍କାର କରିପାରିବ ନାହିଁ, ସେଇଥି ପାଇଁ ତାହାକୁ ନିଶାଗ୍ରସ୍ତ କରି ରଖୁଥିଲେ । ଗତ ଜାନୁଆରୀ ମାସର ଦଶରୁ ସତର ତାରିଖ ଭିତରେ ଏଇ ପୈଶାଚିକ କାଣ୍ଡ ଚାଲିଥିଲା । ଶେଷରେ ସେମାନେ ଆସିଫାକୁ ତଣ୍ଟି ଚିପି ହତ୍ୟା କରିଦେଲେ ।

ଏଇ ଘଟଣା ପଛରେ ଯେଉଁ ନାରକୀୟ ବର୍ବରତା ରହିଛି, ତାହାର ଉଦ୍ଦେଶ୍ୟ ହେଉଛି ଏହି ପ୍ରକାରର ସନ୍ତ୍ରାସ ଦେଖାଇ ଏଇ ଯାଯାବର ଦଳକୁ ଜାମ୍ମୁରୁ ବିତାଡ଼ିତ କରିବା ।

ଜାମ୍ମୁରେ ଏଇ ଘଟଣାଟି କୌଣସି ସମ୍ବାଦପତ୍ରରେ ବାହାରିଲା ନାହିଁ । ଏହା ଏକ ସାମାନ୍ୟ ଜମି ବିବାଦ ବୋଲି କହି ଚାପି ଦିଆଗଲା ।ଆସିଫାର ଧର୍ଷିତା ଶରୀର ସହ ଯେତେବେଳେ ତାହାର ହତଭାଗ୍ୟ ପିତା ନିଜର କିଣା ଏକ ଜମିରେ କବରଦେବା ପାଇଁ ପହଞ୍ଚିଥିଲେ, ହଠାତ୍ ଦଳେ ହିନ୍ଦୁ ଦକ୍ଷିଣପନ୍ଥୀ ସେଠାରେ ତାହାର ବିରୋଧ କଲେ । ଫଳରେ ଆସିଫାର ବାପା ଓ ତାହାର ଆତ୍ମୀୟ ମାନେ ଶବ ସହ ପ୍ରାୟ ସାତ କିଲୋମିଟର ଚାଲି ଚାଲି ଶେଷରେ ତାହାକୁ ସୁପର୍ଦ୍ଦ-ଏ-ଖାକ୍ କରିଥିଲେ । ମାନବର ଇତିହାସରେ ଏହା ଏକ ବିରଳ ବର୍ବରତମ ଘଟଣା । ତଥାପି ଜାମ୍ମୁରେ କୌଣସି ପ୍ରତିକ୍ରିୟା ନାହିଁ । ଘଟଣାଟି କାଶ୍ମୀରରୁ ପ୍ରସାରିତ ହୋଇ ଆମ ପାଖରେ ପହଞ୍ଚିଲା ।

ଆଉ ଘଟଣାଟି ଦେଶବ୍ୟାପୀ କିଛି ଗୈରୀକପନ୍ଥୀଙ୍କୁ ବାଦ ଦେଇ ସମସ୍ତଙ୍କୁ ଆଲୋଡ଼ିତ କରୁଛି ।

ଗୁଜର-ବାକରୱାଲା ବୋଲି ସେହି ଯାଯାବର ସମ୍ପ୍ରଦାୟଟି ଅହିଂସକ ଓ ଭାରତବାଦୀ ବୋଲି ଖ୍ୟାତ ।

୧୯୬୫ ର କଥା ।

ମହମ୍ମଦ ଦିନ୍ ଜିଗର୍ ବୋଲି ଗୁଜର-ବାକରୱାଲା ସମ୍ପ୍ରଦାୟର ଜଣେ ସମ୍ମାନିତ ସଦସ୍ୟଙ୍କୁ ଦଳେ ଅଚିହ୍ନା ଲୋକ କାଶ୍ମିରୀ ପୋଷାକ ଯୋଗାଇ ଦେବାକୁ କହିଥିଲେ । ଜିଗର ତାଙ୍କୁ ପ୍ରତିଶୃତି ଦେବାର ବାହାନା କରି କଥାଟିକୁ ଜାମ୍ମୁ ପୁଲିସକୁ ଆଗରେ କହିଲେ । ଫଳରେ ଜାମ୍ମୁ ପୁଲିସ ଚଢ଼ାଉ କରି ସେହି ପାକିସ୍ଥାନ ଅନୁପ୍ରବେଶକାରୀ ଦଳକୁ ଧରି ସମ୍ଭାବିତ ସନ୍ତ୍ରାସକୁ ପଣ୍ଡ କରିଦେଇଥିଲା । ଏଇ କଥାରେ ଖୁସି ହୋଇ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ଜିଗରଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ବ୍ୟକ୍ତିଗତ ନିମନ୍ତ୍ରଣ ପାଇ ମହମ୍ମଦ ଦିନ୍ ଜିଗର୍ ତା'ଙ୍କୁ ସାକ୍ଷାତ କରିଥିଲେ । ସେହି ସାକ୍ଷାତକାର ବେଳେ ଜିଗରଙ୍କର କ'ଣ ଆବଶ୍ୟକ ବୋଲି ପଚରା ଯିବାରୁ, ସେ ଦୁଇଟି କଥାର ଉଲ୍ଲେଖ କରିଥିଲେ । ପ୍ରଥମଟି ହେଉଛି ଗୋଟିଏ ଫିଲିପ୍ସ ଟ୍ରାଞ୍ଜିଷ୍ଟର ଆଉ ଦ୍ୱିତୀୟ କଥାଟି ଟିକିଏ ଜଟିଳ । ବିବାହ ପାଇଁ ନିଜର ପ୍ରେମିକାଙ୍କର ପିତାଙ୍କଠାରୁ ସମ୍ମତି । ପଦ୍ମଶ୍ରୀ ପାଇବା ଦିନ ଜିଗରଙ୍କୁ ଗୋଟିଏ ଫିଲିପ୍ସ ଟ୍ରାଞ୍ଜିଷ୍ଟର ମିଳିଥିଲା ଆଉ କିଛି ଉଚ୍ଚପଦସ୍ଥ ଅଫିସର ଯାଇ ଜିଗରଙ୍କ ପ୍ରେମିକାଙ୍କର ବାପାଙ୍କୁ ବିବାହ ପାଇଁ ରାଜି କରାଇଥିଲେ । ପରେ ପ୍ରେମିକା ସହ ବିବାହ ହୋଇଥିଲା ଜିଗରଙ୍କର ।

ସବୁ କାହାଣୀରେ ରୂପକଥାର ସମାପ୍ତି ନଥାଏ ।

୧୯୯୦ ରେ ପାକିସ୍ଥାନୀ ସନ୍ତ୍ରାସବାଦୀମାନେ ଜିଗରଙ୍କୁ ହତ୍ୟାକରିଥିଲେ ।

ଆଜି ଯଦି ୨୦୧୮ରେ ମହମ୍ମଦ ଦିନ୍ ଜିଗର ବଞ୍ଚିଥାଆନ୍ତେ, ତେବେ ଆସିଫା ବାନୁର ନିର୍ମମ ଘଟଣା ପରେ ନିଶ୍ଚୟ ଅବଶୋଷ ପ୍ରକାଶ କରିଥାନ୍ତେ । ୧୯୬୫ରେ ସେ ଭୁଲ୍‌ଟି କରିଛନ୍ତି ବୋଲି ହୁଏତ ଭାବିଥାନ୍ତେ ଘଡିଏ ।

ଏହି ଘଟଣାଟି ଯଦି ଆପଣମାନଙ୍କୁ ଟିକିଏ ବିଚଳିତ କରେ, ତାହାହେଲେ, ଆପଣମାନଙ୍କର ବିଚଳିତ ହେବାରେ ହୁଏତ ସୁରକ୍ଷିତ ହୋଇ ରହିପାରନ୍ତି ଭବିଷ୍ୟତର ଅସୁମାରି ଆସିଫା ବାନୁ ମାନେ ।

ନିଷ୍ପାପର ଜାତି ନାହିଁ । ରାକ୍ଷସର ଧର୍ମ ନାହିଁ ।

Wednesday, April 11, 2018

ସାପ୍ତାହିକ ସମ୍ବାଦ (ଉତ୍କଳ ଦୀପିକା ପୃଷ୍ଠାରୁ)


ପେଣ୍ଟନଭିଲ ଜଇଲର ଚିତ୍ର (ୱିକିମିଡିଆ କମନ୍ସ୍)

ଏ ସପ୍ତାହ ମଧ୍ୟରେ କଟକ ସହରରେ ଗୋଟିୟେ ଦୁର୍ଘଟଣା ହୋଇଅଛି । ଲୁଣିଆସାହୀ ନିବାସୀ ରଘୁରାଜ ନାମକ ଏ ବ୍ୟକ୍ତିର ନାତିକୁ କେହି ଦୁରତ୍ମା ହତ୍ୟାକରି ପାଣସାହୀ ପୋଖରୀରେ ପକାଇ ଦେଇଥିଲା । ପିଲାର ବୟସ ଅନ୍ଦାଜ ବ୮ର୍ଷ । ଲାସ ତଦାରଖରେ ଦେଖାଗଲା ଯେ ତାହା ବେକ ମୁଣ୍ଡରେ ଅସ୍ତ୍ରର ଚିହ୍ନମାନ ଅଛି । ଓ ତାହାର ହାତରେଥିବା ଟ୧।ଅଣା ମୂଲ୍ୟର ଖଡ଼ୁ ବାହାର କରିନେଇ ଅଛି । ମକଦ୍ଦମା ପୁଲିସ ଦ୍ୱାରା ଅନୁସନ୍ଧାନ ହେଉଅଛି ମାତ୍ର ଆସାମିର କିଛିମାତ୍ର ସନ୍ଧାନ ପାୟାଯାଇ ନାହିଁ । ହଏ ! ଟ୧। ପାଇଁ ନରହତ୍ୟା ! ଏଥିରୁ ଆଉ ଅଧିକ ଦୁଷ୍କର୍ମ କି ଅଛି । ଅଥବା ଦୁର୍ଭିକ୍ଷ ଇତର ମନ୍ୟୁଷଙ୍କୁ କି ପର୍ଯ୍ୟନ୍ତ କାତର କରିଅଛି । ଏ ଭୟାନକ ଘଟଣା ସେଥିର ପରିଚୟ ମାତ୍ର ଦେଉଅଛି ।

ସମ୍ପାଦକୀୟ ଟୀକା - ଏହି ଅପରାଧ ଖବରଟି 'ଉତ୍କଳ ଦୀପିକା' ୧୮୬୬ ମସିହାର ସେପ୍ଟେମ୍ବର ଆଠ ତାରିଖରେ ପ୍ରକାଶିତ ସଙ୍ଖ୍ୟାରେ ଛପାଯାଇଥିଲା । ଉତ୍କଳ ଦୀପିକାର ଏହି ପ୍ରତିଟି ପାଇଁ ଆମେ ସୃଜନିକା ସଂସ୍ଥା ନିକଟରେ କୃତଜ୍ଞ ।

Monday, April 09, 2018

ଟେଡି ବିଅର ଓ ଚାରି ଫେବୃଆରୀ

ଜ୍ୟୋତି ନନ୍ଦ


୧୯୦୨ ମସିହାରେ ୱାଶିଙ୍ଗଟନ ପୋଷ୍ଟ କାଗଜରେ ପ୍ରକାଶିତ ଏକ କାର୍ଟୁନ
ଏହି ବ୍ୟଙ୍ଗଚିତ୍ରଟି ହିଁ ଟେଡ଼ି ବେଅର୍ ଧାରଣାକୁ ଜନ୍ମ ଦିଏ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ 


ଆଗ ଟେଡି ବେଅର୍ ପରେ ଚାରି ଫେବ୍ରୁଆରୀ ।

ଚାରି ଫେବୃଆରୀଟି ଭାରି ଗୁରୁତ୍ୱପୂର୍ଣ୍ଣ । ଆଉ ସେହି ଚାରି ଫେବୃଆରୀ ଦିନ ଟେଡି ବେଅରର କଥା ଉଠେଇଲେ କଥାକାର । ଜନ୍ମଦିନର ବିଳମ୍ବିତ ଶୁଭେଚ୍ଛା ଜଣାଉଛି କଥାକାରଙ୍କୁ ।

ଏଇ ପ୍ରସ୍ତାବନାଟି ସେହି କଥାକାରଙ୍କ ଦ୍ୱାରା ଅନୁପ୍ରେରିତ ହୋଇ ଲେଖିବାର ପ୍ରୟାସ କରାଯାଇଛି । ତେଣୁ କଥାକାରଙ୍କ ନିକଟରେ କୃତଜ୍ଞତା ସ୍ୱୀକାର କରୁଛି । ଆପଣ ଜାଣନ୍ତି ଗତ ଚାରି ଫେବୃଆରୀରେ ସେହି କଥାକାରଙ୍କ ଜନ୍ମ ଦିନ ଥିଲା । କଥାକାର ଜଣକ ହେଉଛନ୍ତି ଓଡିଶାର ସମ୍ମାନିତ କଥାକାର ଶ୍ରୀଯୁକ୍ତ ପ୍ରକାଶ ମହାପାତ୍ର । ଶ୍ରୀଯୁକ୍ତ ମହାପାତ୍ରଙ୍କ ବ୍ୟକ୍ତିଗତ ସାନ୍ନିଧ୍ୟ ପାଇବାର ସୁଯୋଗ ଅଧୀନର ରହିଛି ।

ନିଜ ଜନ୍ମଦିନରେ ଶ୍ରୀଯୁକ୍ତ ମହାପାତ୍ର ଗୋଟିଏ ଟେଡି ବେଅରକୁ ଶୁଭ ଜନ୍ମଦିନ ବୋଲି ଶୁଭେଚ୍ଛା ଜଣେଇଛନ୍ତି । ଏମିତିରେ ସେ କେଉଁଠି ନିଜ ଜନ୍ମଦିନ ବୋଲି କହୁନାହାଁନ୍ତି । ବାରମ୍ବାର ଆଉ ଗୋଟିଏ ଲୋକ ଯିଏ ବର୍ଣ୍ଣନା କରୁଥିବା ଲୋକଟି ସହ ଦର୍ପଣରେ ପୃଥିବୀ ସହ ସକାଳରେ ଉଠେ ଅବା ବସେ ତାହାର ଜନ୍ମଦିନର କଥା କହୁଛନ୍ତି । ସେଇ ଦର୍ପଣ ଭିତରର ମଣିଷଟି ଯିଏ ଦର୍ପଣ ଆରପଟ ମଣିଷର ପାର୍ଥିବ ଆଉ ଅପାର୍ଥିବ ସୁଖଦୁଃଖକୁ ନିଜଭିତରେ ଭୂଷାମାଲ୍ ପରି ସଞ୍ଚିତ କରି ଟେଡି ବେଅରଟିଏ ପାଲଟି ଯାଏ ।

ସେଇ ଭଳି ଏକ ଟେଡି ବେଅର ସହ ଦର୍ପଣ ବାହାରର ସବୁ ଲୋକମାନେ ସବୁଠାରୁ ବେଶି ସ୍ୱଚ୍ଛନ୍ଦ । ଆମେ ମନ ଇଚ୍ଛା ବ୍ୟବହାର ତାହା ସହ କରିପାରିବାର ସାମର୍ଥ୍ୟ ରଖିଥାଉ । ଯେତେ ପ୍ରକାରର ସମ୍ପୃକ୍ତି ବା ଯେତେ ପ୍ରକାରର ଅସମ୍ପୃକ୍ତି ହୋଇ ପାରିବ, ସେଇ ଭଳି ସମ୍ପର୍କ ସ୍ଥାପନରେ ଆମେ ସେଇଠି ନିର୍ବିରୋଧ ସ୍ୱୈରାଚାରୀ ଓ ସନ୍ତୁଷ୍ଟ ।

ଯେତେ ଯାହା ହେଲେ ବି ସେଇ ଗୋଟିଏ ହଳ ଆଖିରେ କିଛି ପ୍ରତିକ୍ରିୟା ଲେଉଟି ଆସିବ ନାହିଁ, କାରଣ ସେଇ ଆଖିମାନ ବୋତାମର, ଆଉ ସେଇ ବୋତାମ ଆଖି ପିନ୍ଧିଥାଏ ଆମ ପ୍ରିୟ ଟେଡି ବେଅରଟି ।

ଆମେ ଆମ ସାମ୍ନାର ଆଖିମାନଙ୍କୁ ବୋତାମର ଆଖି ପିନ୍ଧାଇବାକୁ ଭିତରେ ଭିତରେ ଇଚ୍ଛାଟିଏ ପୋଷିଥାଉ । ସେଇଥି ପାଇଁ କିଏ ନାରାଜ ହୋଇପାରନ୍ତି । ଆମ ପାଇଁ ବୋତାମର ଆଖିମାନ ଢେର୍ ଢେର୍ ପସନ୍ଦ ।

ସେ ଯାହା ହେଉ ପ୍ରକାଶ ବାବୁଙ୍କ ଭଳି ଯେତେ ଯେତେ ସୃଜନଶୀଳ ସତ୍ତା ରହିଛନ୍ତି ସମସ୍ତେ ନିଜକୁ ଦୁଇ ଭାଗରେ ବାଣ୍ଟି ଦେଇ ଥାଆନ୍ତି ।ଜଣେ କାମଟିଏ କରୁଥାଏ ଆଉ ଜଣେ ସେଇ କାମଟିକୁ ଦ୍ରଷ୍ଟାପଣରେ ଦେଖୁଥାଏ । ଆମର ସେଇ ପ୍ରତୀକ ବୃକ୍ଷର ପକ୍ଷୀ ଦୁଇଟି ଭଳିକା । ଆମ କାହାଣୀରେ ଆମେ ଏଇଭଳି ଦୁଇଟି ଭାଗବଣ୍ଟରା କ'ଣ ଦେଖୁନେ ? କାହାଣୀରେ ଜଣେ ଘଟଣାଟିକୁ ବର୍ଣ୍ଣି ଯାଉଛି ଠିକେ ଠିକେ ଆଉ ଆରପଟେ ପ୍ରକାଶ ବାବୁଙ୍କ ଟେଡି ବେଅର ପରି ଘଟଣାଟି ଆପେ ଆପେ ତାହା ଭିତରେ ଯେତେ ସବୁ ଘଟଣାଜାତୀୟ ପଦାର୍ଥ ରହିଛି ସେଇ ସବୁକୁ ସାଉଁଟି ନିଜ ଭିତରେ ଭର୍ତ୍ତି କରି ଚାଲିଛି । ସୃଜନଶିଳତାର ଏଇ ଦ୍ୱିଭାଗକରଣ ପ୍ରକ୍ରିୟାକୁ ଅନେକେ ନିଜର କଥ୍ୟ ହିସାବରେ ବ୍ୟବହାର କରୁଛନ୍ତି । ମନକୁ ଏବେ ଦୁଇ ତିନୋଟି ଉଦାହାରଣ ଆସୁଛି ।



'ୱିନି-ଦି-ପୁହ୍' ବହିର ୧୯୨୬ ମସିହାର ତୃତୀୟ ସଂସ୍କରଣରେ ପ୍ରକାଶିତ ଚିତ୍ର
କଳାକାର - ଇ. ଏଚ୍. ଶେପାର୍ଡ଼ (୧୮୭୯ - ୧୯୭୬)

ପ୍ରସିଦ୍ଧ କଥାକାର ମୋପାଁସାଙ୍କର ଶେଷ ଆଡର ଗୋଟିଏ ଗପନାଆଁ ଟି "ଦି ହର୍ଲା। ସେତେବେଳକୁ ମୋପାଁସାଙ୍କ ପାଗଳାମୀ ବେଶ୍ ବଢିଯାଇଥାଏ । ସେଇ କାହାଣୀରେ ଚରିତ୍ରଟି ଯାହା ଯାହା କରିଯାଉଥାଏ ତାହା ଆଉ ଅନ୍ୟ କିଏ ଜଣେ କରିଛି ବୋଲି ତାହାର ସନ୍ଦେହ ହେଉଛି ଆଉ ସେଇ "ଆଉ କିଏ ଜଣ"କୁ ସେ ଖୋଜିଚାଲିଛି । ଇଟାଲୋ କାଲଭିନୋଙ୍କ ତିନୋଟି ଉପନ୍ୟାସିକାର ସଙ୍କଳନ 'ଦି ଆନସେଷ୍ଟର୍'ରେ ଚରିତ୍ରଟିକୁ ଗୋଟିଏ ଦ୍ୱନ୍ଦ୍ୱଯୁଦ୍ଧରେ ଜଣେ ସମାନ ଦୁଇ ଫାଳ କରି ଦେଇଛି, ଆଉ ସେଇ ପ୍ରତ୍ୟେକ ଫାଳର ଅନ୍ୟ ଫାଳଟି ସହ ଯୋଡି ହୋଇ ଏକ ହେବାର ନିବିଡ ପ୍ରଚେଷ୍ଟାଟି ସେହି ଉପନ୍ୟାସିକାର କଥ୍ୟ । ଆପଣଙ୍କ ସ୍ମରଣରେ ଥିବ 'ଡକ୍ଟର ଜେକିଲ୍ ଆଉ ମିଷ୍ଟର ହାଇଡ୍'ରବର୍ଟ ଲୁଇ ଷ୍ଟିଭେନସନ୍‌ଙ୍କ କିଶୋରତୋଷ ଉପନ୍ୟାସ 'ଡକ୍ଟର ଜେକିଲ୍ ଆଉ ମିଷ୍ଟର ହାଇଡ୍' । ଏଥିରେ ଗୋଟିଏ ବ୍ୟକ୍ତିସତ୍ତାରୁ ପରସ୍ପରର ବିରୁଦ୍ଧ ଦୁଇଟି ବ୍ୟକ୍ତିସତ୍ତାର ନିର୍ମାଣ କରାଯାଇଛି । ଡକ୍ଟର ଜେକିଲ୍‌ଟି ସତ୍ ଚରିତ୍ରର ଆଉ ମିଷ୍ଟର ହାଇଡ୍‌ଟି 
କୁ-ପ୍ରବୃତ୍ତିବିଶିଷ୍ଟ ।  ଲୋକେ ସେମାନଙ୍କୁ ପୃଥକ ଦୁଇ ଜଣ ବ୍ୟକ୍ତି ବୋଲି ଭାବି ଆସୁଥିବା ବେଳେ ଅସଲରେ ଜାଣିପାରିଲେ ଯେ, ସେମାନେ ଜଣକର ଦୁଇଟି ରୂପ । ଠିକ୍ ସେମିତି ଆମର ଲୋକକଥାର ଦସ୍ୟୁ ରବିନ ହୁଡ୍‌କୁ ନିଆଯାଉ । ସେ ଧନୀକ ପାଇଁ ଦସ୍ୟୁ ସାଜିଲା ବେଳେ ଦରିଦ୍ର ପାଇଁ ତାହାର ଦେବସୁଲଭ ରୂପ ।

ସୃଜନଶୀଳ ଲୋକେ ନିଜକୁ ଦୁଇ ଭାଗରେ ବଣ୍ଟରା କରନ୍ତି ଆଉ ସୃଜନଶୀଳର ତପସ୍ୟାଟି ଅଧିକ ସଘନ ହେଲେ ସେମାନେ ସେଇ ପ୍ରସିଦ୍ଧ ଆମେରିକୀୟ କବି ୱାଲ୍‌ଟ ହ୍ୱିଟମ୍ୟାନ ପରି କହିଥାନ୍ତିମୁଁ ନିଜକୁ ବିରୋଧ କରେ କି ହୁଏତମୁଁ ନିଜକୁ ବିରୋଧ କରିଥାଏ, କାରଣ ମୁଁ ବିଶାଳମୁଁ ବହୁଧା । ସୃଜନଶୀଳତାର ଭାଗବଣ୍ଟରା ଏମିତି ଯୁଗେ ଯୁଗେ ଚାଲିଛି ।

ଏବେ ଆମକୁ ଫେରିବାକୁ ହେବ 'ୱିନିଦି ପୁହ୍' ବୋଲି ଗୋଟିଏ ଖ୍ୟାତନାମା ଟେଡି ବେଅର ପାଖକୁ । ୱିନିଦି ପୁହ ହେଉଛି ବିଶ୍ୱର ସର୍ବପ୍ରଥମ ଟେଡି ବେଅର ଯିଏ ଗୋଟିଏ ବିଶେଷଣବାଚକ ପଦାର୍ଥରୁ ବିଶେଷ୍ୟ ବାଚକ ପଦାର୍ଥରେ ପରିଣତ ହୋଇଥିଲା । ଅର୍ଥାତ ସେ ପୃଥିବୀର ପ୍ରଥମ ନାମଧାରୀ ଟେଡି ବେଅର । ଆଲାନ ଆଲେକଜାଣ୍ଡାର ମିଲ୍‌ନେ ବୋଲି ଜଣେ ଆମେରିକୀୟ କଥାକାର ୧୯୨୬ ମସିହାରେ ନିଜର ପୁଅ ଖେଳୁଥିବା ଟେଡି ବେଅରକୁ ଦେଇଥିବା ନାଆଁକୁ ଅମର କରିଦେଲେ ନିଜ କାହାଣୀରେ । ତାହା ପରଠାରୁ ୱିନିଦି ପୁହ ବୋଲି ଟେଡି ବେଅରଟି ପ୍ରସିଦ୍ଧ ହୋଇଗଲା ତାହାର ନାୟକତ୍ୱରେ । ଏଇ ଟେଡି ବେଅରଟିର ନାଆଁ ଅସଲରେ ଦୁଇଟି ନାଆଁର ମିଶ୍ରଣ । ଲଣ୍ଡନ ଚିଡିଆଖାନାରେ ଭାଲୁଟିଏ ୱିନି ନାଆଁରେ ଥିଲା ଆଉ ସେଠାରେ ପୁହ୍ ବୋଲି ଥିଲା ହଂସଟିଏ । ତେଣୁ ଏଇ ପ୍ରଥମ ଟେଡି ବେଅର ଅର୍ଥାତ୍ ୱିନିଦି ପୁହ୍ ନାଆଁ ଦୃଷ୍ଟିରୁ ଭାଲୁ ଆଉ ହଂସର ମିଶ୍ରଣ । ଗୋଟିଏ କଥାକାରକୁ ଏମିତି ଏକ ପ୍ରତୀକରେ ଦେଖିବା ଭାରି ତାତ୍ପର୍ଯ୍ୟପୂର୍ଣ୍ଣ ।

ୱିନିଦି ପୁହ ସେଇ ବିଶିଷ୍ଟ ଟେଡି ବେଅରଟି ସରଳଚତୁରତାହୀନ କବିଟିଏ । ଏମିତି ଗୋଟିଏ ଚରିତ୍ର ଯେ କୌଣସି କଥାକାର ଗଣ୍ଠିଧନର ହୋଇପାରିବାର ଆକର୍ଷଣ ରଖିଥାଏ । ତାହାର ସୃଷ୍ଟିକର୍ତ୍ତା ଆଲାନ୍ ଆଲେକଜାଣ୍ଡାର ମିଲ୍‌ନେଙ୍କର ଦେହାନ୍ତ ୧୯୫୬ ମସିହା ଜାନୁଆରୀ ୩୧ ତାରିଖରେ ହୋଇଥିଲା । କଥାକାର ପ୍ରକାଶ ମହାପାତ୍ରଙ୍କ ଜନ୍ମଦିନଟିକୁ ଯଦି ଆଉ କିଛି ଦିନ ଆଗେଇ ଦିଆଯାଇପାରିଥାନ୍ତା ତେବେ କଥାକାରଙ୍କ ଟେଡି ବେଅର ସମ୍ପର୍କରେ ଆଉ ଏକ ମାତ୍ରା ଯୋଡାଯାଇ ପାରିଥାଆନ୍ତା । ସେମିତି କରାଯାଇ ପାରିବ, କିନ୍ତୁ ତାହା ଈଶ୍ୱରଙ୍କ କ୍ଷମତାର ସାଙ୍ଘାତିକ ଅପବ୍ୟବହାର ହୋଇଯିବ ।

ସରଳ ଆଉ ଚତୁରତାହୀନ କବିଟିଏ ବ୍ୟତୀତ ଟେଡି ବେଅର ନିଜ ସହ ଆହୁରି ଅଧିକ କିଛି ପ୍ରତୀକ ଧରି ରଖିଛି । ସେହି ପ୍ରତୀକଗୁଡିକ ଯେ କୌଣସି କବିକୁ ଲୋଭାସକ୍ତ କରିପାରେ । ଟେଡି ବେଅରଟି ନିଜ ସହ ରଖିଛି ଦେଶ ଦେଶ ଭିତରେ ସୀମାକୁ ଅସ୍ୱୀକାର ଓ ଅସମାହିତ କରିବାର ସମ୍ଭାବନାକୌଣସି ଶିକାର ଉଦ୍ଦେଶ୍ୟରେ ମଞ୍ଚା ତଳେ ବନ୍ଧା ହୋଇ ରହିଥିବା ବଳିର ମଞ୍ଜଥରା କାରୁଣ୍ୟସବୁ କିଛିକୁ ବ୍ୟଙ୍ଗରେ ସହି ନେବାର ଉଦାରତା ।

ଆମେରିକାର ରାଷ୍ଟ୍ରପତି ଥିଓଡର୍ ରୁଜଭେଲଟ୍‌ଙ୍କ ଡାକ ନାଁ ଟେଡିସେଇଠୁ ହେଲା ଟେଡି ବେଅର । ଲୁଇଜିଆନା ଆଉ ମିଶିଶିପି ଭିତରେ ସୀମା ସମାଧାନ ପାଇଁ ୧୯୦୨ରେ ରୁଜଭେଲଟ୍ ମିଶିଶିପି ଯାଇଥିଲେ । ସୀମା ସମାଧାନରେ ବ୍ୟର୍ଥ ହୋଇ ନିଜକୁ ସେ ଗୋଟିଏ ଶିକାର କାର୍ଯ୍ୟକ୍ରମରେ ସାମିଲ କରିଥିଲେ । ମହାମହିମ ରାଷ୍ଟ୍ରପତିଙ୍କ ମନୋରଞ୍ଜନ ପାଇଁ ମଞ୍ଚା ତଳେ ବନ୍ଧା ହୋଇ ରହିଥିଲା ଗୋଟିଏ ଭାଲୁ ଛୁଆ । ବନ୍ଧୁକ ହାତରେ ରୁଜଭେଲଟ୍ ମଞ୍ଚା ଆରୋହଣ କଲେ ଆଉ ବନ୍ଧୁକରେ ନିଶାଣ ଦେଖିଲେ କିନ୍ତୁ ଗୁଳି ଚଳାଇଲେ ନାହିଁ । ଓହ୍ଲାଇ ଆସିଲେ ତଳକୁ । ଏଇ ଘଟଣାଟିର ଏକ ବ୍ୟଙ୍ଗଚିତ୍ର ପ୍ରକାଶ ପାଇଥିଲା ସମ୍ବାଦପତ୍ରରେ, ଯାହା ଆମେରିକାରେ ବିଶେଷ ଜନପ୍ରିୟତା ଲାଭ କରିଥିଲା । "ମିଶିଶିପିର ସରହଦ ଟଣାବୋଲି ଏଇ ବ୍ୟଙ୍ଗଚିତ୍ରରେ ରୁଜଭେଲଟ୍ ହାତରେ ବନ୍ଧୁକ ଧରି ପ୍ରସନ୍ନ ଚିତ୍ତରେ ଛିଡା ହୋଇଛନ୍ତି, ଆଉ ତାଙ୍କ ପଛରେ ମୁଁହପୋତି ଛିଡ଼ା ହୋଇଛି ଗୋଟିଏ ଭାଲୁ ଛୁଆ । ଏଇ ଜନପ୍ରିୟ ବ୍ୟଙ୍ଗଚିତ୍ରଟି ପ୍ରେରଣା ଯୋଗାଇଥିଲା ଜଣେ ଖେଳଣା ନିର୍ମାତାଙ୍କୁ । ରୁଷିଆର ଅପ୍ରବାସୀ ସେଇ ଖେଳଣା ବ୍ୟବସାୟୀ ମରିସ୍ ମାଇକଟୋମ୍ ତୁଳା ଭର୍ତ୍ତି କରି ଭାଲୁଟିଏ ତିଆରି କଲେ, ଯାହାର ନାଆଁ ଦେଲେ ସେ ଟେଡି ବେଅର ।

ତାହା ପରଠାରୁ ଟେଡି ବେଅରର ବିଶ୍ୱବିଜୟ ଆରମ୍ଭ ହେଲା ।



ପୁହ୍ ଆର୍.ଏ.ସି. ରେକର୍ଡ଼ (ୱିକିମିଡିଆ କମନ୍ସ୍)
କଳାକାର - ଷ୍ଟିଫେନ ସ୍ଲେସିଙ୍ଗର

ତାରିଖ ଦୃଷ୍ଟିରୁ ଫେବୃଆରୀ ଚାରିର ଗୋଟିଏ ବିଶେଷ ଗୁରୁତ୍ୱ ରହିଛି । ତାହା ପୃଥିବୀର ସେଇ ନିର୍ଦ୍ଦିଷ୍ଟ ତାରିଖଟିରେ ଆବହମାନ କାଳରୁ ଘଟିଆସିଥିବା ଅସୁମାରୀ ଘଟଣା ଭିତରୁ ଉଲ୍ଲେଖ କରିଲା ଭଳି ଘଟଣାଟିଏ ।

୧୮୦୩ ମସିହାର କଥା ।

ମହିଳା ଜଣକର ନାଆଁ ହେଉଛି ଜୁଆନା ଆଗୁଇଲାର୍ । ସେ ଗୁଏଟେମାଲା ସହରର ନିବାସିନୀ । ତାଙ୍କ ନାଆଁରେ ଗୋଟିଏ ଅଭିଯୋଗ ଆସିଲା ଦି ହୋଲି ଇନକ୍ୟୁଜିସନ୍ ନିକଟକୁ । ଦି ହୋଲି ଇନକ୍ୟୁଜିସନ୍ ହେଉଛି ରୋମାନ୍ କାଥୋଲିକ ସଂସ୍ଥା ଦ୍ୱାରା ପ୍ରତିଷ୍ଠିତ ଧର୍ମାଧୀକାରୀଙ୍କ ମଣ୍ଡଳୀ ଯେଉଁମାନେ ସମସ୍ତ ଧାର୍ମିକ ବିଚ୍ୟୁତିକୁ ଦୃଢ ହସ୍ତରେ ଦମନ କରିଥାନ୍ତି ।

ଦି ହୋଲି ଇନକ୍ୟୁଜିସନ୍ ନିଜ ପାଖକୁ ଆସିଥିବା ଅଭିଯୋଗଟିର ସତ୍ୟାସତ୍ୟ ସମ୍ପର୍କରେ ବିଶେଷଜ୍ଞଙ୍କ ଦ୍ୱାରା ଜୁଆନାଙ୍କର ପରୀକ୍ଷା କଲେ । ଏବଂ ତାଙ୍କୁ ଦଣ୍ଡିତ କଲେ । ଯଦିଓ ଦଣ୍ଡର ପରିମାଣ ସେମିତି କିଛି କଠୋର ନଥିଲା । ମାତ୍ର ଛଅ ମାସର ଜେଲ ଦଣ୍ଡକୁ ସେମିତି କଠୋର କୁହାଯାଇ ପାରିବ ନାହିଁ ।

ସ୍ୱାଭାବିକତାର ବିଚ୍ୟୁତି ପାଇଁ ଫେବୃଆରୀ ଚାରି ତାରିଖ ୧୮୦୩ ସାଲରେ ଜୁଆନା ଆଗୁଇଲାର୍‌ଙ୍କୁ ଦଣ୍ଡବିଧାନ କରାଯାଇଥିଲା ।ପୃଥିବୀରେ ଯେତେଯେତେ ଅସ୍ୱାଭାବିକ ଦଣ୍ଡବିଧାନ ହୋଇଛି ସେଥିରୁ ଅଧିକାଂଶ ଧର୍ମାଧୀକାରୀ ମାନଙ୍କ ଦ୍ୱାରା ସଙ୍ଘଟିତ ।

ଜୁଆନାଙ୍କ ବିରୁଦ୍ଧରେ ଯେଉଁ ଅଭିଯୋଗଟି ଆସିଥିଲା, ତାହା ଏକ ତୃଟି ପାଇଁ; ଯେଉଁ ତୃଟିଟି ପାଇଁ ଯଦି କେବେ କାହାକୁ ଦାୟୀ କରାଯାଇପାରିବ ତେବେ ସେ ହେବେ ସ୍ୱୟଂ ଈଶ୍ୱର । ଜଣେ ନିଜର ଶାରୀରିକ ତୃଟି ପାଇଁ ଦାୟୀ ହେବାର ଏହା ଏକ ବିରଳ ଉଦାହାରଣ । ଜୁଆନାଙ୍କ ଯେଉଁ ଶାରୀରିକ ତୃଟିଟି ପାଇଁ ତାଙ୍କୁ ଦଣ୍ଡିତ କରାଯାଇଥିଲା, ତାହା ଆଜି ଯଦି ଘଟିଥାଆନ୍ତା, ତେବେ ଯେଉଁ ସ୍ଥିତିଟି ସମଗ୍ର ପୃଥିବୀରେ ଘଟିଯାଆନ୍ତା, ତାହାକୁ ଆମେ କିଛି ପରିମାଣରେ ଅନୁମାନ କରିପାରିବା ।
 
ତାହା ନାରୀତ୍ୱର ଚରମତମ ଅପମାନ ।

ଜୁଆନାଙ୍କ ବିରୁଦ୍ଧରେ ଯେଉଁ ଶାରୀରିକ ତୃଟିର ଅଭିଯୋଗଟି ଆସିଥିଲା, ତାହା ହେଉଛି ଜୁଆନାଙ୍କର ସ୍ତ୍ରୀ ପ୍ରଜଜନ ଅଙ୍ଗଟି ଆବଶ୍ୟକତା ଠାରୁ ଯଥେଷ୍ଟ ବଡ । ତେଣୁ ସ୍ୱାଭାବିକ ଶରୀରକ୍ରୀୟାଟି ଅସ୍ୱାଭାବିକ ହେବାର ଶରୀର ବହନ କରୁଥିବା କାରଣରୁ ସେ ଦୋଷୀ । ଏଇ ଅଭିଯୋଗର କାରକମାନଙ୍କୁ ବୁଝିଯିବା ଆପଣଙ୍କ ଅନୁମାନ ନିର୍ଭର ।

ଶେଷରେ ଟେଡି ବେଅର ସହ ଫେବୃଆରୀ ଚାରିରେ ସାମୟିକ ପୂର୍ଣ୍ଣଚ୍ଛେଦ ପକାଇବା ପୂର୍ବରୁ, କଥାକାର ପ୍ରକାଶ ମହାପାତ୍ରଙ୍କ ସହ ଆଉ ଜଣକୁ ଜନ୍ମଦିନର ବିଳମ୍ବିତ ଶୁଭେଚ୍ଛା ଜଣାଉଛି । ଆମର ପୋଷାକପ୍ରିୟ ପ୍ରଧାନମନ୍ତ୍ରୀଙ୍କ ଶ୍ରୀମୁଖ କଥିତ 'ହାର୍ଡ ୱାର୍କ' ନୁହଁ 'ହାର୍ଭାଡ'ର ପାଞ୍ଚ ଜଣ ଛାତ୍ର ମିଶି ଏହାକୁ ଜନ୍ମ ଦେଇଥିଲେ ଫେବୃଆରୀ ଚାରି, ୨୦୦୪ ମସିହାରେ ।

ସେ ହେଉଛି ଫେସବୁକ୍ । ତାହାରି ଯୋଗୁ ଆମେ ଏଇଲେ ଏଇଠେ ଏକାଠି

ସମ୍ପାଦକୀୟ ଟୀକା - ଏହି ଲେଖାଟି ପ୍ରଥମେ ଫେବୃଆରୀ ୨୦୧୮ ମସିହାରେ ଜ୍ୟୋତି ନନ୍ଦଙ୍କର ଫେସବୁକ କାନ୍ଥରେ ପ୍ରକାଶିତ ହୋଇଥିଲା ।

Saturday, April 07, 2018

ପାଲି ଧମ୍ମପଦ (୭୫) ର ଓଡ଼ିଆ  ପଦ୍ୟାନୁବାଦ

୧୬ ବାଳବଗ୍ଗୋ (ବାଳ ବର୍ଗ)



ୠଷ ଦେଶର ଦକ୍ଷିଣ ସାଇବେରିଆର ବୈକାଳ ସାଗରରେ ସ୍ଥିତ ଓଗଏ ଦ୍ୱୀପରେ ସ୍ଥିତ ବୋଦ୍ଧ ସ୍ତୁପ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ 

ପଥ ଯାହା ଅଛି ଜାଣ ଲାଭର କାରଣ
ନିର୍ବାଣ-ସରଣୀ ଅଟେ ତାହାଠାରୁ ଭିନ୍ନ 
ବୁଦ୍ଧଙ୍କ ଶ୍ରାବକ କରି ଏହି ପରି ଜ୍ଞାନ
ସତ୍କାରକୁ ନ କରିବ ସେ ଅଭିନନ୍ଦନ
ବିବେକ ଏକାନ୍ତଚର୍ଯ୍ୟା କରିବ ବର୍ଦ୍ଧନ । ୧୬।

ଅଞ୍ଞାହି ଲାଭୂପନିସା ଅଞ୍ଞ ନିବ୍ବାନଗାମିନୀ
ଏବମେତଂ ଅଭିଞ୍ଞାୟ ଭିକ୍ଖୁ ବୁଦ୍ଧସ୍ସ ସାବକୋ ।
ସକ୍କାରଂ ନାଭିନନ୍ଦେୟ୍ୟ ବିବେକମନୁବ୍ରୂହୟେ  ।୧୬।

ଅନ୍ୟା ହି ଲାଭୋପନିଷଦ୍ ଅନ୍ୟା ନିର୍ବାଣଗାମିନୀ ।
ଏବମେତତ୍ ଅଭିଜ୍ଞାୟ ଭିକ୍ଷୁଃ ବୁଦ୍ଧସ୍ୟ ଶ୍ରାବକଃ ।
ସତ୍କାରଂ ନାଭିନନ୍ଦେତ୍ ବିବେକମନୁବୃଂହୟେତ୍ ।୧୬। 

Thursday, April 05, 2018

ଲାଉ ଚଟଣି

ସରୋଜିନୀ ଚୌଧୁରୀ


ଲାଉଫୁଲ (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)


ସାମଗ୍ରୀ - ଲାଉ ଫାଳେ, ଲୁଣ ଚାମଚେ, ଲେମ୍ବୁ ବଡ଼ ଦେଖି ଗୋଟାଏ, ନଡ଼ିଆ ଫାଳେ, ଚିନି ଚାମଚେ, ପୋସ୍ତଦାନା ଛୋଟ ଏକ ଚାମଚ, ଗୋଲମରିଚ ସୁକି ଓଜନ, ପାଚିଲା ଲଙ୍କାମରିଚ ଗୋଟାଏ । 

ପ୍ରଣାଳୀ - ଲାଉ କୋରି ଧୋଇ ଖଣ୍ଡିଏ କନାରେ ପୁଟୁଳି କରି ବାନ୍ଧି ଭାତରେ ପକାଅ । ନଡ଼ିଆ କୋରି ପୋସ୍ତର ବାଲି ବାହାର କରି ଧୋଇ ଛାଣି ଶୁଖିଲା ତାୱାରେ ପକାଇ ଭାଜି ନିଅ, ଗୋଲମରିଚଗୁଣ୍ଡା କର ଏବଂ ମରିଚଟି ଲମ୍ବ ଲମ୍ବ କରି କାଟ ।

ଲାଉ କୋରା ସିଝିଗଲେ ବାହାର କରି କିଛିକ୍ଷଣ ଥଣ୍ଡା ହେବାକୁ ଦିଅ; ଟିକେ ଚିପୁଡ଼ି ନିଅ । ଲୁଣ, ଲେମ୍ବୁ ରସ, ନଡ଼ିଆ କୋରା, ଚିନି, ପୋସ୍ତଭଜା, ଗୋଲମରିଚ ଗୁଣ୍ଡି ଓ କଟାମରିଚ ସମସ୍ତ ଏକ ସଙ୍ଗରେ ମିଶାଇ ଘାଣ୍ଟିଘୁଣ୍ଟି ରଖ ।

ବି.ଦ୍ର. - ଲାଉ ଚଟଣି ତିଆରିବାର ଏହି ପ୍ରଣାଳୀଟି ସରୋଜିନୀ ଚୌଧୁରୀ (୧୮୮୩-୧୯୫୭)ଙ୍କ ବହି 'ଗୃହିଣୀ ସର୍ବସ୍ୱ'ର ଲାର୍କ ବୁକ୍ସ୍ (ଭୁବନେଶ୍ୱର) ୨୦୦୯ ମସିହାରେ ଛାପିଥିବା ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି ।  ଏଠାରେ ଦିଆଯାଇଥିବା ପ୍ରଣାଳୀରେ ସରୋଜିନୀ ଚୌଧୁରୀ ଇଙ୍ଗିତ କରିଥିବା ଚିନିର ପରିମାଣଠାରୁ କମ୍ ବ୍ୟବହାର କରାଯାଇଛି । ବହିଟିର ପ୍ରଥମ ସଂସ୍କରଣ ୧୯୨୮ ମସିହାରେ ଛପାଯାଇଥିଲା । ସରୋଜିନୀ ଦେବୀ ଜଣେ ସ୍ୱାଧୀନତା ସଙ୍ଗ୍ରାମୀ ଭାବରେ ଜଣାଶୁଣା । ସେ ଫକୀରମୋହନ ସେନାପତିଙ୍କର ସର୍ବକନିଷ୍ଠ କନ୍ୟା ତଥା ଶିଳ୍ପୀ ବିପିନବିହାରୀ ଚୌଧୁରୀଙ୍କର ମାତା ।