Wednesday, October 31, 2018

ପାର୍ବତୀ ନାୟାରଙ୍କର କବିତା, "ମା' ଘୋଡାମାନଙ୍କୁ ଘରକୁ ପଠାଇ ଦେଇଚି ମୁଁ"

ଅନୁୂବାଦକ - ସମୀର ରଞ୍ଜନ


କଥୁଆ ସହରର ଦୃଶ୍ୟ (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)

ମା'
ଘୋଡ଼ାମାନେ ଘରେ ପହଞ୍ଚି ଯାଇ ଥିବେ;
ସେମାନଙ୍କୁ ପଠାଇ ଦେଇଚି ମୁଁ,ସେମାନେ ଆମ ଘର ପାଇ ଗଲେ ନା ମା' ?
କିନ୍ତୁ ମୁଁ ନିଜେ ଘରେ ପହଞ୍ଚି ପାରିଲିନି ।

ତୁ ମତେ ସବୁବେଳେ କହୁ ଥିଲୁନା,
ହେ ଆଶିଫା ଏତେ ଯୋରରେ ଦଉଡ଼ନା ।
ତୁ ମତେ ହରିଣୀ ଭଳି ଭାବୁ ଥିଲୁନା ମା' ।

ହେଲେ ସେତେବେଳେ ମୋ' ପାଦ ଅଚଳ ହୋଇ ଯାଇ ଥିଲା ।
ତଥାପି ମୁଁ ଘୋଡ଼ାମାନଙ୍କୁ ପଠାଇ ଦେଇଚି ମା' ।
ମା' ସେମାନେ ସବୁ ଅଜବ ଦିଶୁ ଥିଲେ:
ନା ପଶୁ ନା ମଣିଷ ପରି ମଣିଷ;
ସେମାନଙ୍କ ପାଖରେ ହୃଦୟ ନଥିଲା,
କିନ୍ତୁ ସେମାନଙ୍କର ଶିଙ୍ଗ କିମ୍ବା ଡେଣା ବି ନ ଥିଲା ।

ସେମାନଙ୍କ ପାଖରେ ହତ୍ୟାକାରୀ ନଖ ବି ନ ଥିଲା;
ହେଲେ ସେମାନେ ମୋ ଉପରେ ବହୁତ ଅତ୍ୟାଚାର କଲେ ।
ମୋ ଆଖପାଖର ଫୁଲ, ପତ୍ର ଆଉ ପ୍ରଜାପତିମାନେ,
ଯେଉଁମାନଙ୍କୁ ମୁଁ ମୋର ବାନ୍ଧବୀ ବୋଲି ଭାବୁ ଥିଲି,
ସେମାନେ ସମସ୍ତେ ଚୁପ ବସି ଥିଲେ ମା';
ବୋଧହୁଏ ସେମାନଙ୍କ ହାତରେ କିଛି ନ ଥିଲା ।

ମୁଁ ଘୋଡ଼ାଙ୍କୁ ଘରକୁ ପଠାଇ ଦେଇଚି ।
ହଁ ବାପା ମତେ ଖୋଜି ଖୋଜି ଆସି ଥିଲେ ମା;
ତାଙ୍କୁ କହି ଦବୁ ତାଙ୍କ ଡାକ ମୁଁ ଶୁଣି ପାରି ଥିଲି ।
କିନ୍ତୁ, ମୁଁ ଅର୍ଦ୍ଧ ମୂର୍ଛାରେ ଥିଲି ।
ବାପା ମୋ ନାଁ ଧରି ଡାକୁ ଥିଲେ;
କିନ୍ତୁ ମୋ ଭିତରେ ଏତେ ଶକ୍ତି ନ ଥିଲା ।
ମୁଁ ବାରମ୍ବାର ତାଙ୍କୁ ମୋ ନାଁ ଧରି ଡାକିବାର ଶୁଣୁ ଥିଲି,
ହେଲେ ମୁଁ ଚିର ଦିନ ପାଇଁ ଶୋଇ ଗଲି ମା ।
ଏବେ ମୁଁ ଶାନ୍ତିରେ ଅଛି

ତୁ ମୋ ପାଇଁ ଚିନ୍ତା କରିବୁନି;
ଏବେ ସ୍ୱର୍ଗରେ ମତେ କିଛି ବି କଷ୍ଟ ନାହିଁ ।
ଝରୁଥିବା ରକ୍ତ ଶୁଖି ଗଲାଣି,
ଏବେ ମତେ ମୋର କ୍ଷତମାନଙ୍କୁ ଭରି ନବାକୁ ହେବ ।
ସେଇ ଫୁଲ ପତ୍ର ପ୍ରଜାପତିମାନେ,
ସେତେବେଳେ ଯେଉଁମାନେ ଚୁପ ଥିଲେ,
ସେମାନେ ସବୁ ଏଠି ଆସି ପହଞ୍ଚି ଯାଇଛନ୍ତି,
ସେଇ ସବୁଜ ମଖମଲୀ ଘାସର ଗାଲିଚାକୁ ସାଥିରେ ନେଇ,
ଯେଉଠି ସବୁବେଳେ ମୁଁ ଖେଳୁ ଥିଲି ।

କିନ୍ତୁ...ସେମାନେ...ସେଇ ଲୋକମାନେ ଏବେବି ସେଇଠି ଅଛନ୍ତି ମା' ।
ମା'
ମତେ ଭାରି ଡର ଲାଗୁଚି,
ସେଇ କଥା ଭାବି ।

ତାଙ୍କ କଥାରେ କେବେବି ତୁ ବିଶ୍ୱାସ କରିବୁନି ।
ଆଉ ଗୋଟାଏ ଶେଷ କଥା,
ମୁଁ କେବେବି ଭୁଲିବିନି ତତେ କହିବାକୁ,
ସେଠି ଗୋଟେ ମନ୍ଦିର ବି ଅଛି ମା',
ଯେଉଁଠି ଜଣେ ଦେବୀ ବସିଛନ୍ତି ।

ହଁ ସେଇଠି ସବୁ ଘଟି ଗଲା ମା',
ତାଙ୍କରି ଆଖି ସାମ୍ନାରେ ।
ସେ ଦେବୀଙ୍କୁ ଧନ୍ୟବାଦ ଦେବୁ ମା',
ସେ ଘୋଡାଙ୍କୁ ଘରକୁ ପଠାଇବାରେ ସାହାଯ୍ୟ କରିଛନ୍ତି ।।
(ଜାମ୍ମୁକାଶ୍ମୀରର କଠୁଆ ଜିଲ୍ଲା ଅନ୍ତର୍ଗତ ଦେଵୀ ସ୍ଥାନ ମନ୍ଦିରେ ଦୀର୍ଘ
ଆଠ ଦିନ ଧରି ଗୋଟି ୮ ବର୍ଷର ନିଷ୍ପାପ ବାଳିକାକୁ ନିଶା ଦେଇ ଗଣ ବଳାତ୍କାର କରିବା ପରେ ହତ୍ୟା କରି ଫିଂଗି ଦିଆ ଗଲା। ସାରା ଦେଶରେ ଜନତା କ୍ଷୁବ୍ଧ ।ଏଇ ଘଟଣାରେ ବ୍ୟଥିତ ହୋଇ ବିଖ୍ୟାତ କବୀ ପାର୍ବତୀ ନାୟାର ଲେଖିଥିବା ଇଂରେଜୀ କବିତା "ଆଇ ସେଣ୍ଟ୍ ହର୍ସେସ୍ ହାଉସ୍ ମଦର୍" ସେଇ କୁନି ଝିଅଟିକୁ ସମର୍ପଣ କରି ଥିଲେ । ଯାହାକୁ ହଜାର ଲୋକେ ଇଣ୍ଟନେଟ୍‌ରୁ ପଢ଼ି ଲୁହ ନ ଗଡ଼ାଇ ରହି ପାରି ନାହାଁନ୍ତି । )

No comments:

Post a Comment