Saturday, October 20, 2018

 ରୁଦ୍ର ମହମ୍ମଦ ସହିଦୁଲ୍ଲାଙ୍କର ବଙ୍ଗଳା କବିତା - 'ବତାସରେ ଶବର ଗନ୍ଧ'

ଓଡ଼ିଆ ଅନୁବାଦ -ସମୀର ରଞ୍ଜନ


୨୦୧୧ ମସିହାରେ ଉତ୍ତୋଳିତ ରୁଦ୍ରଙ୍କର ଏକ ଆଲୋକଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଆଜି ବି ବାରି ହେଉଚି ବତାସରେ ଶବର ଗନ୍ଧ;
ଆଜି ବି ଦେଖୁଚି ମାଟି ଉପରେ ମୃତ୍ୟୁର ନଗ୍ନ ନୃତ୍ୟ;
ଧର୍ଷିତାର କାତର ଚିତ୍କାର ଆଜି ବି ଶୁଭୁଚି ତନ୍ଦ୍ରା ଭିତରେ ।

ଏ ଦେଶ କଣ ଭୁଲି ଗଲାଣି ସେଇ ଦୁଃସ୍ବପ୍ନର ରାତି,
ସେଇ ରକ୍ତାଭ ସମୟ ?
ବତାସରେ ପହଁରି ବୁଲୁଚି ଶବର ଗନ୍ଧ,
ମାଟିରେ ଲାଗିଛି ରକ୍ତର ଦାଗ ।

ଏଇ ରକ୍ତ ରଞ୍ଜିତ ମାଟିର ଲଲାଟକୁ ଛୁଇଁ

ଦିନେ ଯେଉଁମାନେ ଆଶା ବାନ୍ଧିଥିଲେ,
ଜୀର୍ଣ୍ଣ ଜୀବନର ପାଗଳାମୀରେ
ସେମାନେ ଖୋଜି ନେଲେ ନିଷିଦ୍ଧ ଅନ୍ଧାର ।

ଆଜି ସେମାନେ ଆଲୋକହୀନ ପିଞ୍ଜରାର ପ୍ରେମରେ
ଜଗି ରହିଛନ୍ତି ରାତ୍ରିର ଗୁମ୍ଫାରେ,
ଯେମିତି କି ନଷ୍ଟ ଜନ୍ମର ଲଜ୍ୟାରେ
ଜଡ଼ସଡ଼ କୁମାରୀ ମା;
ସ୍ୱାଧୀନତା ଏଇ ଜନ୍ମ କଣ ନଷ୍ଟ ହେବ ?
ଏଇ କଣ ତେବେପିତାହୀନ ଜନନୀର ଲଜ୍ୟାର ଫସଲ ।


ଜାତିର ପତାକାକୁ ଆଜି ପଞ୍ଜାରେ ମାଡ଼ି ବସିଚି ବୃଦ୍ଧ ଜରଦ୍‌ଗବ ।
ବତାସରେ ଶବର ଗନ୍ଧ ତଥାପି ବି ।


ନିଅନ୍ ଆଲୁଅରେ ନର୍ତ୍ତକୀ ଦେହରେ
ଉଠୁଚି ମାଂସର ତୋଫାନ;
ମାଟିରେ ପଡ଼ିଚି ରକ୍ତର ଦାଗ ।
ଚାଉଳ ଗୋଦାମରେ ପୁଣି ବି ଜମା ହେଉଚି
ଅନାହାରୀ ମଣିଷର ହାଡ଼ ।

ଏ ଆଖିକି ନିଦ ଆସୁନି,
ତନ୍ଦ୍ରାରେ ଶୁଣୁଚି ଧର୍ଷିତାର କରୁଣ ଚିତ୍କାର;
ନଦୀରେ ପହଁରି ବୁଲୁଚି ମଣିଷମାନଙ୍କର ପଚା ଶବ;
କୁକୁର ଖାଉ ଥିବା ବାଳିକାର ମୁଣ୍ଡହୀନ ବିଭତ୍ସ ଶରୀର 
ପହଁରି ବୁଲୁଚି ଆଖି ଭିତରେ ।

ମୁଁ ଶୋଇ ପାରୁନି ନା ବିଲକୁଲ ଶୋଇ ପାରୁନି ମୁଁ;
ରକ୍ତର କଫନରେ ବନ୍ଧା,
କୁକୁର ଶାଗୁଣା ଖାଉଥିବା ମଲା ଦେହ ସେ ମୋ ଭାଇର,
ସେ ମୋ ମା'ମୋ'ର ପ୍ରିୟତମ ବାପାଙ୍କର ।

ସ୍ୱାଧୀନତା ମୋର ସ୍ୱଜନ,
ପ୍ରିୟ ମଣିଷଙ୍କ ରକ୍ତରେ କିଣା ଯାଇ ଥିବା ଅମୂଲ୍ୟ ଫସଲ;
ଧର୍ଷିତା ଭଉଣୀର ଶାଢ଼ୀ ହିଁ
ମୋର ରକ୍ତାକ୍ତ ଜାତୀୟ ପତାକା ।

No comments:

Post a Comment