Sunday, October 28, 2018

"ଆତ୍ମ ହନ୍ତାର ଗୀତ " - ଜଣେ ଶୋଷିତ ଚିନ ଶ୍ରମିକର ଆତ୍ମକଥା

କବି - ଜୁ ଲିଝି

ଅନୁବାଦକ - ସମୀର ରଞ୍ଜନ


ଦ୍ୱାଦଶ ଶତାବ୍ଦୀର ସଙ୍ଗ୍ ବଂଶର ଚୀନ ଦେଶର ସମ୍ରାଟ ଗାଓଜଙ୍ଗ୍‌ଙ୍କର ଏକ କବିତା
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ 

ମୁଁ ଲୁହାର ଚାନ୍ଦ ଗିଳିଚି
ସେମାନେ ତାକୁ ବନିଶିର କଣ୍ଟା ବୋଲି କହନ୍ତି ।
ବେକାରୀର ଦସ୍ତାବେଜ୍‌ରୁ
ମୁଁ ଏଇ ଐଦିଗିକ ମଇଳାକୁ ଗିଳିଚି
ସମୟ ଆଗରୁ ମୋ ଯୁବ ଜୀବନକୁ
ମେସିନ ଉପରେ ହାମୁଡ଼େଇ
ନିଶ୍ୱାସ ବନ୍ଦ କରି ନେଉଚି ।

ମୁଁ ଗିଳିଚି ଭୀଡ଼ କୋଳାହଳ
ଆଉ ମୋର ଅପାରଗପଣ
ମୁଁ ଗିଳି ସାରିଚି, ପାଦ ଚଲା ରାସ୍ତା, ପୋଲ
ଆଉ କଳଙ୍କି ଲାଗି ଯାଇଥିବା ଜୀବନ ।
ହେଲେ ଏବେ ଆଉ କିଛି ବି ଗିଳି ପାରିବିନି
ଯାହା ବି ଗିଳି ସାରିଚି, 
ସେସବୁ ଏବେ ବାନ୍ତି ହୋଇ ବାହାରି ଆସୁଚି ।
ଆଉ ମୋ ପିତୃ ପୁରୁଷଙ୍କ ଭୂଇଁ ଉପରେ ମାଡ଼ି ଯାଉଚି
ଏକ ଅପମାନଜନକ କବିତା ହୋଇ।

ଆଜିର ଏଇ ଓଭର୍‌ଟାଇମ୍ ରାତିରେ
ଗୋଟାଏ ପେଚ ଭୂଇଁ ଉପରେ ଖସି ପଡ଼ି
ଭୂଇଁଟାକୁ ଆଲୋକିତ କରୁଚି ।
ହେଲେ ପୂର୍ବ ଥର ଭଳି ଏହା କାହାର ଧ୍ୟାନ ଆକର୍ଷିତ କରିବନି
ସେତେବେଳେ ଏମିତି ଏକ ରାତିରେ
ଭୂଇଁ ଉପରେ ଟଳି ପଡିଥିଲା ମଣିଷ ଜଣେ ।

ସାକ୍ଷାତ ଲୈ।ହଦାନବ ପରି ଦିଶୁଥିବା ସଚିବାଳୟ ସାମ୍ନାରେ ମୁଁ ଠିଆ ହୋଇ ରହିଚି
ଠିଆ ହୋଇ ରହିଚି
ମୋର ଦୁଇ ହାତ ପବନରେ ଉଡ଼ୁଚି
କେତେ ଦିନ ଆଉ କେତେ ରାତି
ମୁଁ ଏମିତି ଠିଆ ହୋଇ ରହି ଥିବି
ନିଜ ସାଥିରେ ନିଜେ ଲଢ଼ି ଲଢ଼ି ?

ମୁଁ ଆଉ ଥରେ ସମୁଦ୍ର ଦେଖିବାକୁ ଚାହୁଁଚି
ହଁ ଆଉ ଥରେ ସମୁଦ୍ର ଦେଖିବାକୁ ଚାହୁଁଚି ମୁଁ
ସରି ଆସୁ ଥିବା ଅଧା ଜୀବନ ଆଉ
ଲୁହର ପାରାବାରକୁ ପରଖି ନେବାକୁ ଚାହୁଁଚି
ମୋର ଭାଙ୍ଗି ଯାଇଥିବା ଆତ୍ମାକୁ ଆଉ ଥରେ
ଯୋଡ଼ିବାକୁ ଚାହୁଁଚି ।

ଆକାଶକୁ ଛୁଇଁ ତାର ମୁଲାୟମ ନୀଳାଭକୁ
ଅନୁଭବ କରିବାକୁ ଚାହୁଁଚି
କିନ୍ତୁ ଏମିତି କିଛି ବି ମୁଁ କରି ପାରିବିନି ।
ଏଥି ପାଇଁ ଚାଲି ଯାଉଚି ଦୁନିଆରୁ;
କୋଣସି ଲୋକ ଯିଏ ମୋ ବିଷୟରେ ଶୁଣିବେ,
ମୋ ଯିବା ପରେ ସେମାନଙ୍କର
ଆଶ୍ଚଯ୍ୟ ହେବାର କିଛି ନାହିଁ ।
ଦୁଃଖ କରିବାର ଆବଶ୍ୟକତା ବି ନାହିଁ
ଯେବେ ଏ ମାଟିକୁ ଆସି ଥିଲି
ଠିକ୍ ଥିଲି ମୁଁ
ଆଉ ଗଲା ବେଳେ ବି ଠିକ୍ ଅଛି ।

ମେସିନ ନୂଆବୋହୁ ସାଜି ଇଶାରା କଲାଣି;
ସିଲ୍ ହୋଇ ରହିଥିବା କାରଖାନାରେ
ଭରି ରହିଚି ରୋଗଗ୍ରସ୍ତ ଲୁହ,
ଟଙ୍କା ଲୁଚି ରହିଚି ପରଦା ଆଢ଼ୁଆଳରେ,
ଠିକ୍ ଯେମିତି ଯୁଆନ ଶ୍ରମିକ ନିଜ ପ୍ରେମିକାକୁ କବର ଦିଏ
ନିଜ ହୃଦୟଗର୍ଭରେ ।

ଅଭିବ୍ୟକ୍ତିର ସମୟ ଆଉ ଭାବାବେଗ
ସବୁ ଧୂଳିରେ ରୂପାନ୍ତରିତ ହୁଏ:
ସେମାନଙ୍କ ପେଟ ସବୁ ଲୁହାରେ ତିଆରି;
ସଲ୍‌ଫୁରିକ,ନାଇଟ୍ରିକ ଏସିଡ଼ ପରି ଗାଢ଼ ଏସିଡ଼ିରେ ଭରା ।

ଏହା ପୂର୍ବରୁ ସେମାନଙ୍କୁ ଲୁହ ଗଡ଼େଇବାର ସୁଯୋଗ ମିଳୁ,
ଏ ଉଦ୍ୟୋଗ ସେମାନଙ୍କୁ ଗିଳି ପକାଏ ।
ସମୟ ଗଡ଼ି ଯାଏ:
ସେମାନଙ୍କ ମୁଣ୍ଡ ସବୁ ଧୂଆଁରେ ହଜି ଯାଏ;
ଉତ୍ପାଦ ସେମାନଙ୍କ ବୟସ ଖାଇ ଯାଏ;
ଯନ୍ତ୍ରଣା ଦିନ ରାତି ଓଭର୍ଟାଇମ୍ କରାଏ ।

ସମୟ ପୂର୍ବରୁ ଛାଞ୍ଚରୁ ବାହାରିଲା ପରି,
ଦେହରୁ ଚମଡ଼ା ଅଲଗା ହୋଇ ଯାଏ,
ଆଉ ଆଲୁମିନିୟମର ଏକ ଆସ୍ତରଣ
ଚଢାଇ ଦିଆ ଯାଏ ।
ଏତେ ସବୁ ପରେ ବି ଏକ ଅବଶୋଷ ରହି ଯାଏ;
ଆଉ ବାକି ଜୀବନ
ରୋଗମାନଙ୍କର ବଳି ଚଢ଼ି ଯାଏ ।
ଏ ସବୁଙ୍କ ମଝିରେ, ମୁଁ ଜଗୁଆଳୀ କରୁଥାଏ ନିଜ ଯୈ।ବନର ମଶାଣିରେ।

(ଜୁ ଲିଝି ଚିନର ଜଣେ ମୂଲିଆ ଏବଂ କବି ମଧ୍ୟ । ସେ ଦୁନିଆର ସବୁଠୁ ବଡ ଇଲେକ୍ଟ୍ରୋନିକ୍ସ ସରଞ୍ଜାମ ନିର୍ମାଣକାରୀ ସଂସ୍ଥା, ଚିନର ଫାଙ୍କସକାନ କମ୍ପାନିରେ କାର୍ଯ୍ୟରତ ଥିବାବେଳ ଚରମ ଶୋଷଣରେ ଅତିଷ୍ଟ ହୋଇ ବିଦ୍ରୋହ କରନ୍ତି । ହେଲେ ଶୋଷକ ଫାକ୍ସକାନ କମ୍ପାନିର ନିଦ୍ରା ଭଙ୍ଗ ହୁଏ ନାହିଁ ।ଫଳରେ ସେ ଅତିଷ୍ଟ ହୋଇ ମାନସିକ ଭାବରେ ଦୁର୍ବଳ ହୋଇ ପଡ଼ନ୍ତି ଏବଂ ୨୦୧୪ ମସିହା ସେପ୍ଟେମ୍ବର ୩୦ ତାରିଖରେ ସେଇ କାରଖାନାର ଛାତରୁ ଡେଇଁ ମାତ୍ର ୨୪ ବର୍ଷ ବୟସରେ ଆତ୍ମହତ୍ୟା କରନ୍ତି । ମୃତ୍ୟୃ ପୂର୍ବରୁ ଲେଖି ଥିବା ଅନେକ କବିତା ତାଙ୍କ ବନ୍ଧୁମାନଙ୍କ ସୈ।ଜନ୍ୟରୁ ଗଣମାଧ୍ୟମ ନଜରକୁ ଆସେ । ଚିନଠାରୁ ଲଣ୍ଡନ ପର୍ଯ୍ୟନ୍ତ ତାଙ୍କ କବିତା ପ୍ରସରି ଯାଏ । ଶ୍ରମିକ ଦିବସ ଉପଲକ୍ଷେ ଲିଝିଙ୍କର ଏଇ ଚର୍ଚ୍ଚିତ କବିତାଟିର ସୀମରନଙ୍କର ଇଂରାଜୀ ରୂପାନ୍ତରରୁ ଓଡ଼ିଆ ଅନୁବାଦ କରିବାର ପ୍ରୟାସ କରିଛି । 

No comments:

Post a Comment