ଜସିନ୍ତା କେରେକେଟାଙ୍କର କବିତା - 'ବ୍ୟଥା'
ଅନୁବାଦ - ସମୀର ରଞ୍ଜନ
![]() |
ଗ୍ୱାଲିଅର ସ୍ଥିତ ତାନସେନଙ୍କର ତେନ୍ତୁଳି ଗଛ (ୱିକିମିଡିଆ କମନ୍ସ୍) |
ଆମ ଅଗଣାରେ
ମୁଁ ବସି ଥାଏ
ପୁଲିସ
ଆସି ଉଠାଇ ନେଲା ମତେ ।
ମୁଁ ଲକ୍ଷେ
ନେହୁରା ହେଲି- କହିଲି
ମୁଁ
ସିଏ ନୁହଁ,
ଯାହାକୁ
ତୁମେ ଖୋଜୁଚ,
ଯାହା
ତୁମେ ଭାବୁଚ ।
ହେଲେ ସେମାନେ
କିଛି ବି ଶୁଣିଲେନି
ଆଉ
ମତେ ମାଓବାଦୀ ସଜେଇ ଦେଲେ ।
ଏବେ ମୁଁ
ମନେ ପକାଉଚି
ମୋର
ସେଇ ଯୁବା ବେଳର କଥା;
କେମିତି
ସଢିଚି ଭୋକରେ,
କେମିତି
ଗଡ଼ିଚି ଓଦା ଓଦା ମାଟିରେ
ଆଉ
ମରି ମରି ବଞ୍ଚି ରହିଚି ।
ମତେ ହାତ
ତନ୍ତରେ ଲୁଗା ବୁଣିବାର
ଦେଖିଛନ୍ତି
ବି ପୁଲିସବାବୁମାନେ ମୋ ଗାଁରେ,
ଯାହାଙ୍କର
ଆଦେଶରେ ମୁଁ ଗାମୁଛା ବନଉ ଥିଲି
।
ହଁ ପୁଣି
ମନେ ପଡିଲା-
ସେଇ
ଟେବୁ ଥାନା କଥା;
କେମିତି
ମତେ ପିଟି ପିଟି ନିଆ ଗଲା ମୋର
ଦସ୍ତଖତ,
ଆଉ
ନ୍ୟାୟାଳୟରେ ମତେ ଠିଆ କରେଇ
ଦିଆଗଲା
ମାଓବାଦୀ
କରି ।
ନିଜ ଜୀବନର
ପୁଞ୍ଜି, ସତ୍ୟ
ଆଉ ସରଳତା ପରେ
ଆଜି
ମୁଁ ଦେଖୁଚି,
ନିଜ
ଛାତିରେ ପୁଲିସ ଲାଠିର
ସେଇ
କଳା କଳା ଦାଗମାନଙ୍କୁ
ଆଉ
ମୋ ଆଖିରେ ଆକାଶର ନିଆଁକୁ ।
ବାରମ୍ବାର
ଭାବୁଚି,
କେମିତି
ମୋ ମୁଣ୍ଡରେ ମାଓବାଦୀର ଶିରିପା
ବାନ୍ଧି
ସେମାନେ
ଲୁଟି ନେଇ ଯିବେ
ମୋ
ଆଖି ଆଗରେ ମୋର ସମ୍ମାନ:
ଯେମିତି
ମୁଁ ଛାଡିଦେଇ ଚାଲି ଯିବି ସୁଦୂର
କେଉଁ
ଏକ ଜଙ୍ଗଲକୁ;
ଛାଡିଦେଇ
ମୋର ପ୍ରିୟ ଖେତ, ଖଳା,
ଘର, ବାରି
।
ଯେମିତିକି
ସେମାନେ ଅତି ସହଜରେ
ଲୁଟି
ନେଇ ଯିବେ ମୋର ଅସ୍ତିତ୍ଵ,
ମୋର
ପିତୃସତ୍ତା, ଆଉ,
ମୋର
ପୂର୍ବପୁରୁଷଙ୍କ ଗଚ୍ଛିତ ସମ୍ପତ୍ତି
।
ଅନୁବାଦକୀୟ
ଟୀକା - ଝାରଖଣ୍ଡର
ଜଣେ ତେନ୍ତୁଳି ବିକି ଜୀବନ ଜୀଉଁଥିବା
ଝିଅ ଜସିନ୍ତା କେରକେଟାଙ୍କ
ଚର୍ଚ୍ଚିତ କବିତା "ଦର୍ଦ୍ଦ"ର
ଏହା ମୋର ଓଡ଼ିଆ ଅନୁସୃଜନ । ଗାଁରୁ
ବାହାରି ତାଙ୍କ କବିତାର ମହକ କେବଳ
ଦେଶରେ ନୁହେଁ, ସେ
ବିଦେଶରେ ମଧ୍ୟ ପହଞ୍ଚାଇ ପାରିଛନ୍ତି
। ଅନେକ ବିଦେଶୀ ଭାଷାରେ ତାଙ୍କର
କବିତା ଅନୁଦିତ । ଜସିନ୍ତାଙ୍କୁ ହୃଦୟରୁ
ଧନ୍ୟବାଦ ।
No comments:
Post a Comment