Wednesday, October 03, 2018

ଲାଓଜ଼ିଙ୍କର ଦାଓ ଜେ ଜିଙ୍ଗ୍ - ୧୩

ଅନୁବାଦ - ଜ୍ୟୋତି ନନ୍ଦ


ଜାପାନରେ ୧୭୭୦ରେ ଛପା 'ଦାଓ ଦେ ଜିଙ୍ଗ୍'ର ସଂସ୍କରଣର ମଲାଟ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ 

ଭାରସାମ୍ୟ:
ସାଫଲ୍ୟ, ବ୍ୟର୍ଥତା ଭଳି ହିଁ ଭୟାବହ;
ଆଶା ବି ଭୟ ଭଳି ।

କ'ଣ ତେବେ ଏହାର ଅର୍ଥ,
"ସଫଳତା ବ୍ୟର୍ଥତା ଭଳି ହିଁ ଭୟାବହ" ?

ଯେତେ ଯାଏଁ ଉନ୍ନତି ନାହିଁ, ସେ ଯାଏଁ ନାହିଁ ଅବନତି ।
ଯେତେ ବେଳେ କିଏ ଛିଡ଼ା ହୁଏ ପାଦରେ ଭାରା ଦେଇ,
ଭାରସାମ୍ୟ ସେ ବୁଝି ପାରେ ।

"ଆଶା ଭୟ ଭଳି" କ'ଣ ଏହି କଥାଟିର ଅର୍ଥ ?
ଆଶା ଆଉ ଭୟ, ଜଣେ ଆରକର ଭୁତ;
ଯାହାର ଉତ୍ପତ୍ତି ଚେତନାରୁ,
ଯେତେବେଳେ ଜଣେ ନିଜକୁ ଦେଖେନି,
ସେତେବେଳେ କ'ଣ ଥାଏ ଡର ଭୟ ?

ପୃଥିବୀକୁ ଦେଖ ସତ୍ତାର ଭିତରେ,
ଭଲ ପାଅ ଯାହା ଅଛି ଯେମିତି,
ଭଲ ପାଅ ପୃଥିବୀକୁ ନିଜସ୍ୱ ରୀତିରେ,
ତାହା ହେଲେ ବନ୍ଧୁ ତମେ ସଭିଙ୍କର ହେବ ।

ବି. ଦ୍ର.: ପ୍ରସିଦ୍ଧ ଦାର୍ଶନୀକ ଲାଓଜ଼ି ଙ୍କର ଜନ୍ମ ଖ୍ରୀ.ପୂ. ଷଷ୍ଠରୁ ପଞ୍ଚମ ଶତାବ୍ଦୀ ମଧ୍ୟରେ ଚୀନ ଦେଶରେ । ତାଙ୍କର ଏକମାତ୍ର ପୁସ୍ତକ ଉପଲବ୍ଧ, ଯାହାର ନାଆଁ ହେଉଛି "ଦାଓ ଦେ ଜିଙ୍ଗ୍"। ଏଥିରେ ଏକାଅଶିଟି ଅନୁଚ୍ଛେଦ ରହିଛି, ଯାହାର କିଛି ଅଂଶର ଅନୁସୃଜନ ଆପଣମାନଙ୍କ ନିକଟରେ ଏବେ । ଲାଓଜ଼ି ଙ୍କୁ ଅନୁବାଦ କରିବାରେ ଏକ ବିହ୍ୱଳତା ଓ ଅତ୍ୟୁତ୍ସାହ ଯୋଗୁ ଯେଉଁ ତୃଟି ତାହାକୁ ମାର୍ଜନା କରିବେ । ତାଓ ଏକ ଧାର୍ମିକ ମତବାଦ ନୁହଁ । ଏହା ଏକ ରହସ୍ୟବାଦୀ ମତବାଦ । ସେ ସମୟରେ ଜଣେ "ଦାଓ ଈଶ୍ୱରଙ୍କ ଠାରୁ ପ୍ରବୀଣ" ବୋଲି କହିପାରିବାର ଧୃଷ୍ଟତା କରି ପାରିବାରେ ତାହାର ସାମର୍ଥ୍ୟ ରହିଛି ବୋଲି ବିଚାରଟିକୁ ଆପଣମାନଙ୍କ ଆଗରେ ରଖୁଛି । ବିଶ୍ୱ-ପ୍ରତିବିଶ୍ୱ, ପ୍ରକାଶ୍ୟ-ଅପ୍ରକାଶ୍ୟ, ସତ୍ୟ-ମିଥ୍ୟା ଓ ସତ୍ତା-ଅସତ୍ତାର ଅବବୋଧକୁ ଅନୁସୃଜନ କଲା ବେଳେ ମୋତେ ବାରମ୍ବାର ଲାଗିଛି ଲାଓଜ଼ି ଯେମିତି ଆମ ସମୟର ଜଣେ ଚିନ୍ତକ । ଯେମିତି ସେ ଉତ୍ତର-ଆଧୁନିକ ଆଉ ଉତ୍ତର-ସତ୍ୟର କଥା ନିଜ ବାଟରେ କହୁଛନ୍ତି ।କହିବାରେ ଟିକିଏ ବୋଲି ଆବିଳତା ନାହିଁ । ଆମ ପୃଥିବୀ ସତରେ ଖୁବ୍ ସୁନ୍ଦର । ଏହି ଭଳି ଗୁରୁମାନେ ପୃଥିବୀର ସମସ୍ତ ସୁନ୍ଦରପଣକୁ ଆମର ସୂର୍ଯ୍ୟ ସମେତ ସବୁ ଗ୍ରହ-ନକ୍ଷତ୍ର, ଯାବତୀୟ ପାର୍ଥିବ ବିଭାବ ସହ ଠିକ୍ ଭାବରେ ଦେଖିଯିବା ପାଇଁ ଆମକୁ ଆଖିଟିମାନ ଦେଇ ଯାଇଛନ୍ତି । ପୃଥିବୀରେ ଜନ୍ମିବାର ଏଇଟି ଏକମାତ୍ର ସୌଭାଗ୍ୟ । ଲାଓଜ଼ି ଶବ୍ଦଟିର ମାଣ୍ଡାରିନ ଭାଷାରେ ଅର୍ଥ ହେଉଛି 'ବୃଦ୍ଧ-ତରୁଣ' । ସେଥିରେ ଅନେକେ ଖୁସି ହେବେ ।

No comments:

Post a Comment