Sunday, October 07, 2018

ଲାଓଜ଼ିଙ୍କର ଦାଓ ଜେ ଜିଙ୍ଗ୍ - ୧୫

ଅନୁବାଦ - ଜ୍ୟୋତି ନନ୍ଦ


ଦାଓ ପରମ୍ପରାରେ ବ୍ୟବହୃତ ଥାଇଲାଣ୍ଡ ଅଞ୍ଚଳର ମୁକୁଟ (ୱିକିମିଡିଆ କମନ୍ସ୍) 

ଗଡଖାଇ ପାର ହେବା କଥା ।
ପ୍ରାଚୀନ ଗୁରୁଙ୍କର ଦିବ୍ୟଦୃଷ୍ଟି ଥିଲା ଥିଲା ଗଭୀର ଧ୍ୟାନ;
ସେ ଜାଣିଥିଲେ ପ୍ରଜ୍ଞାର ସୀମା ।
ଆମେତ କେବଳ ଜାଣୁ ତାଙ୍କ ଜୀବନର ପୋଷାକୀ ମହିମା ।

ସେମାନେ ଥିଲେ ସତର୍କ;
ଯେମିତି ପାର ହେଉଛନ୍ତି ଗଡଖାଇ,
ଭାବୁଥିଲେ ରହିଛନ୍ତି,
ଶତୃ ଇଲାକାରେ ।

ସେମାନେ ଜାଣନ୍ତି ସୌଜନ୍ୟର ରୀତି,
ଥିଲେ ବରଫଖଣ୍ଡର ଭଳି ରୂପାନ୍ତରଶୀଳ ।
ଜାଣିଛନ୍ତି କେଉଁ ପରି ବିଚ୍ଛିନ୍ନ ହେବ ଯେମିତି କାଠର ଟୁକୁଡ଼ା,
ଉପତ୍ୟକା ଭଳି ପ୍ରସାରିତ
ଥିଲେ ସେମାନେ ସ୍ୱଚ୍ଛ ଜଳ ଭଳି ।

ତମର କେତେ ଧୈର୍ଯ୍ୟ ଜାଣ ?
କାଦୁଅକୁ ଶକ୍ତ ହେବାର ଆବଶ୍ୟକୀୟ ସମୟ
ଦେଇ ପାରିବ ?
ମନରେ ତାଙ୍କର ନାହିଁ ପୂର୍ଣ୍ଣତାର ପାଇଁ ହାହାକାର
ଚାହିଁ ଦେଖ ସର୍ବକାର୍ଯ୍ୟେ ଗୁରୁଦେବ ସର୍ବଦା ହାଜିର୍ ।

ବି. ଦ୍ର.: ପ୍ରସିଦ୍ଧ ଦାର୍ଶନୀକ ଲାଓଜ଼ି ଙ୍କର ଜନ୍ମ ଖ୍ରୀ.ପୂ. ଷଷ୍ଠରୁ ପଞ୍ଚମ ଶତାବ୍ଦୀ ମଧ୍ୟରେ ଚୀନ ଦେଶରେ । ତାଙ୍କର ଏକମାତ୍ର ପୁସ୍ତକ ଉପଲବ୍ଧ, ଯାହାର ନାଆଁ ହେଉଛି "ଦାଓ ଦେ ଜିଙ୍ଗ୍"। ଏଥିରେ ଏକାଅଶିଟି ଅନୁଚ୍ଛେଦ ରହିଛି, ଯାହାର କିଛି ଅଂଶର ଅନୁସୃଜନ ଆପଣମାନଙ୍କ ନିକଟରେ ଏବେ । ଲାଓଜ଼ି ଙ୍କୁ ଅନୁବାଦ କରିବାରେ ଏକ ବିହ୍ୱଳତା ଓ ଅତ୍ୟୁତ୍ସାହ ଯୋଗୁ ଯେଉଁ ତୃଟି ତାହାକୁ ମାର୍ଜନା କରିବେ । ତାଓ ଏକ ଧାର୍ମିକ ମତବାଦ ନୁହଁ । ଏହା ଏକ ରହସ୍ୟବାଦୀ ମତବାଦ । ସେ ସମୟରେ ଜଣେ "ଦାଓ ଈଶ୍ୱରଙ୍କ ଠାରୁ ପ୍ରବୀଣ" ବୋଲି କହିପାରିବାର ଧୃଷ୍ଟତା କରି ପାରିବାରେ ତାହାର ସାମର୍ଥ୍ୟ ରହିଛି ବୋଲି ବିଚାରଟିକୁ ଆପଣମାନଙ୍କ ଆଗରେ ରଖୁଛି । ବିଶ୍ୱ-ପ୍ରତିବିଶ୍ୱ, ପ୍ରକାଶ୍ୟ-ଅପ୍ରକାଶ୍ୟ, ସତ୍ୟ-ମିଥ୍ୟା ଓ ସତ୍ତା-ଅସତ୍ତାର ଅବବୋଧକୁ ଅନୁସୃଜନ କଲା ବେଳେ ମୋତେ ବାରମ୍ବାର ଲାଗିଛି ଲାଓଜ଼ି ଯେମିତି ଆମ ସମୟର ଜଣେ ଚିନ୍ତକ । ଯେମିତି ସେ ଉତ୍ତର-ଆଧୁନିକ ଆଉ ଉତ୍ତର-ସତ୍ୟର କଥା ନିଜ ବାଟରେ କହୁଛନ୍ତି ।କହିବାରେ ଟିକିଏ ବୋଲି ଆବିଳତା ନାହିଁ । ଆମ ପୃଥିବୀ ସତରେ ଖୁବ୍ ସୁନ୍ଦର । ଏହି ଭଳି ଗୁରୁମାନେ ପୃଥିବୀର ସମସ୍ତ ସୁନ୍ଦରପଣକୁ ଆମର ସୂର୍ଯ୍ୟ ସମେତ ସବୁ ଗ୍ରହ-ନକ୍ଷତ୍ର, ଯାବତୀୟ ପାର୍ଥିବ ବିଭାବ ସହ ଠିକ୍ ଭାବରେ ଦେଖିଯିବା ପାଇଁ ଆମକୁ ଆଖିଟିମାନ ଦେଇ ଯାଇଛନ୍ତି । ପୃଥିବୀରେ ଜନ୍ମିବାର ଏଇଟି ଏକମାତ୍ର ସୌଭାଗ୍ୟ । ଲାଓଜ଼ି ଶବ୍ଦଟିର ମାଣ୍ଡାରିନ ଭାଷାରେ ଅର୍ଥ ହେଉଛି 'ବୃଦ୍ଧ-ତରୁଣ' । ସେଥିରେ ଅନେକେ ଖୁସି ହେବେ ।

No comments:

Post a Comment