କଖାରୁ ଚଟଣୀ
ସରୋଜିନୀ ଚୌଧୁରୀ
![]() |
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ |
ଉପକରଣ - କଖାରୁ ଭଲ ମିଠା ରକମ ଦେଖି ଖଣ୍ଡେ, ଲୁଣ ଅନ୍ଦାଜ ମୁତାବକ, ପିଆଜ ଦୁଇଟା କିମ୍ବା ତିନିଟା, କଞ୍ଚାମରିଚ ଦୁଇଟା ଓ ତେଲ ପଳେ ।
ପ୍ରଣାଳୀ - କଖାରୁ ଖଣ୍ଡରୁ ଚୋପା ଛଡ଼ାଅ । ଅନ୍ତି ଭଲ କରି କାଢ଼ି ପକାଅ ଏବଂ ଧୋଇଧାଇ ଭାତରେ ପକାଅ । ଭାତରେ ନ ପକାଇ ଡାଲିରେ ପକାଇଲେ ସ୍ୱାଦୁ ଅପେକ୍ଷାକୃତ ଭଲ ହୁଏ । ଭାତଠାରୁ ଡାଲିରୁ କାଢ଼ିବାକୁ ମଧ୍ୟ ସୁବିଧାଜନକ । ଭାତରୁ କାଢ଼ିଲାବେଳେ ଯଦି ଭାଙ୍ଗିଯାଏ ତେବେ ଭାତରେ ତାର ଗୁଣ୍ଡ ବା ଖଣ୍ଡ କୋରାକୋରା ମାନ ବାହାରିବାରୁ ବିରକ୍ତିକର ହୁଏ ।
ସିଝା କଖାରୁ ଭଲ କରି ଚକଟି ତେଲ, ଲୁଣ, ପିଆଜ ସରୁ ସରୁ କାଟି ଓ ଗୋଟାଏ ଲଙ୍କାମରିଚ ଟିକିଟିକି କରି କାଟିଦେଇ ଏକାଠି ସବୁ ମିଶାଇବ । ଗୋଳା ଗୋଳା କରି ରଖ, ବାକିଥିବା ଲଙ୍କାମରିଚଟିକୁ ଚେକି ଚେକି କାଟି ମଞ୍ଜି ଯେତେ ଥିବ ଝାଡ଼ି ପକାଇ ଗୋଳାର ଉପରେ ବସାଇ ଦିଅ ।
ଗୁଣାଗୁଣ - କଖାରୁ ମଧୁରରସ, ଉଷ୍ଣବୀର୍ଯ୍ୟ, ଗୁରୁପାକ, ଅଗ୍ନିମାନ୍ଦ୍ୟକାରକ, ପିତ୍ତବର୍ଦ୍ଧକ, ବାୟୁକୋପକ ଓ ଶ୍ଲେଷ୍ମ ନାଶକ ।
ବି.ଦ୍ର. - କଖାରୁ ଚଟଣୀ ତିଆରିବାର ଏହି ପ୍ରଣାଳୀଟି ସରୋଜିନୀ ଚୌଧୁରୀ (୧୮୮୩-୧୯୫୭)ଙ୍କ ବହି 'ଗୃହିଣୀ ସର୍ବସ୍ୱ'ର ଲାର୍କ ବୁକ୍ସ୍ (ଭୁବନେଶ୍ୱର) ୨୦୦୯ ମସିହାରେ ଛାପିଥିବା ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି । ବହିଟିର ପ୍ରଥମ ସଂସ୍କରଣ ୧୯୨୮ ମସିହାରେ ଛପାଯାଇଥିଲା । ସରୋଜିନୀ ଦେବୀ ଜଣେ ସ୍ୱାଧୀନତା ସଙ୍ଗ୍ରାମୀ ଭାବରେ ଜଣାଶୁଣା । ସେ ଫକୀରମୋହନ ସେନାପତିଙ୍କର ସର୍ବକନିଷ୍ଠ କନ୍ୟା ତଥା ଶିଳ୍ପୀ ବିପିନବିହାରୀ ଚୌଧୁରୀଙ୍କର ମାତା ।
No comments:
Post a Comment