Sunday, December 03, 2017

ନପଢିବା ପାଇଁ ପଢା କଥା


ଜ୍ୟୋତି ନନ୍ଦ


କିଣ୍ଡିଲ ଇ-ରିଡରର ପରଦା
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍



ନ ପଢିବା ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା । ଯାହା ନାହିଁ ତାହାକୁ ଖୋଜି ଖୋଜି, ଯାହା ଅଛି ବା ରହିବାର କଥା ତାହାକୁ, ବେଳେ ବେଳେ ପ୍ରମାଣ ଆକାରରେ ଉପସ୍ଥାପନ କରାଯାଇଥାଏ । ଯେମିତ ଆମର ଈଶ୍ୱରଙ୍କ ଅସ୍ତିତ୍ୱର କଥା ।

ସେ ଯାହାହେଉ, ଆମର ବହି ନ ପଢିବାର ମାନସିକତାଟି ଅସଲରେ ଆସିଲା କେଉଁଠୁ ? ସେଇ ବିଷୟରେ ଟିକିଏ ବିଚାର କରାଯାଉ ।ଆପଣ ରାସ୍ତାରେ ଯାଉଛନ୍ତି । ରାସ୍ତାକଡ ଝଙ୍କା ବରଗଛ ତଳେ ମାଦାରିଟିଏ ତାହାର ଚେଲାଚାମୁଣ୍ଡାଙ୍କୁ ଜାଦୁବିଦ୍ୟା ଦେଖାଇବାର ଆୟୋଜନ କରୁଛି । ତାହାର ପ୍ରକୃତ ଜାଦୁ ଅପେକ୍ଷା ସେ କେତେ ଆଶ୍ଚର୍ଯ୍ୟଜନକ କଣ୍ଠରେ ମେହେରବାନ୍ ଆଉ କଦରଦାନ୍ କହି ତାହା ଚାରିପଟେ ସଶକ୍ତ ଭୀଡଟିଏ ଯୋଗାଡ କରିପାରିବ, ସେହି ଆୟୋଜନରେ ତାହାର ସବୁତକ ଫିକର । 

ଆପଣ ହୀନଯାନ ଅର୍ଥାତ୍ ସାଇକେଲ୍ ଚଳାଇ ନିଜ ଅବସର ସମୟର ବ୍ୟାୟାମକୁ ସେତେ ଉପଭୋଗ କରୁନାହାଁନ୍ତି । ଆମର ପୃଥିବୀରେ ଯେତେ ଯେତେ ଦୃତଗାମୀ ମହାଜନପନ୍ଥିମାନେ ଅଛନ୍ତି, ସେମାନଙ୍କର କଥା ଅଲଗା । ହେଲେ ଆପଣ ଆଗରୁ ନିଜ ପୁରୁଣା ସାଇକେଲ୍‌ରୁ ଓହ୍ଲାଇବାର ବାହାନାଟିଏ ବାରମ୍ବାର ଖୋଜୁଥିଲା ବେଳେ ଏଇ ବରଗଛ ତଳର ମାଦାରିର କଣ୍ଠ ବା ମାଦାରୀର ସ୍ତନ୍ୟବତି ସ୍ତ୍ରୀର ଶାରୀରିକ ସୌଷ୍ଠବର ଉପଲବ୍ଧ ଆକର୍ଷଣକୁ ଏଡାଇଗଲେ । ଆପଣ ଆପଣଙ୍କ ହୀନଯାନରେ ଦୃଢ ରହିଲେ । ଓହ୍ଲାଇଲେ ନାହିଁ । ଏଇ ପ୍ରକାରର ଅନାଗ୍ରହରୁ ଆପଣଙ୍କ ଭିତରେ ଯେଉଁ ମାନସିକତା ତିଆରି ହୋଇଗଲା, ତାହା କହିବାକୁ ଗଲେ କିଛି ନ ପଢିବାର ବୀଜସୂତ୍ର । ସଂକ୍ଷେପରେ କହିଲେ, ସର୍ବସାଧାରଣ ଅଭିନିବିଷ୍ଟ କରୁଥିବା ବିଷୟ ପ୍ରତି ଅନାକର୍ଷଣରୁ ନ ପଢିବାର ପ୍ରବୃତ୍ତିଟି ସଚରାଚର ଆସିଥାଏ ।

ସର୍ବସାଧାରଣ ଆଉ ବ୍ୟକ୍ତିବିଶେଷର ପ୍ରବୃତ୍ତିଗତ ଏଇ ପାର୍ଥକ୍ୟଟି ପଛରେ ଆମର ରାଜନୈତିକ ଓ ଧାର୍ମିକ ପରିଚର୍ଚ୍ଚା କାମ କରିଥାଏ ।ରାଜନୀତି ଆଉ ଧର୍ମର ସୂତ୍ରଧର ମାନେ କୋଳାହଳକୁ ନିଜର ସ୍ଥିତାବସ୍ଥାର ଏକମାତ୍ର ଏକକ ବୋଲି ବିଚାର କରି, ସର୍ବଦା ସବୁକିଛିକୁ କୋଳାହଳମୟ କରିବାରେ ଲାଗିଥାନ୍ତି, ଆଉ ଅନ୍ୟପକ୍ଷରେ ବ୍ୟକ୍ତି ନିଜର ମନନ ପାଇଁ ମାନସିକ ନିର୍ଜନତା ଆବଶ୍ୟକ କରୁଥାଏ । ତେଣୁ ବ୍ୟକ୍ତି ବିଶେଷର କୋଳାହଳ ପ୍ରତି ଅନାକର୍ଷଣ ବଢୁଥାଏ । 

ଏହା ବ୍ୟତୀତ ଆମର ସାମାଜିକ ଜୀବନରେ ଆଜିର ସୂଚନାକ୍ରାନ୍ତି ଏକ ପ୍ରକାର ଅନାକର୍ଷଣ ସୃଷ୍ଟି କରୁଛି ଆମ ଭିତରେ । ମୁଁ କୌଣସି ରାଜନୀତିର କଥା କହିବାକୁ ଚାହୁଁ ନାହିଁ । କିଛି ଦିନ ତଳେ ବରଗଡର ଚାଷୀ ବୃନ୍ଦାବନ ସାହୁଙ୍କର ଆତ୍ମହତ୍ୟା ପ୍ରସଙ୍ଗଟି ଟିଭିରୁ ଦେଖୁଥିଲି । ଗୋଟିଏ ସତେଜ ଜୁଆନ୍ ଚାଷୀ ନିଜର କ୍ଷୋଭ ଆଉ ଯନ୍ତ୍ରଣାକୁ ପରିଷ୍କାର ବ୍ୟକ୍ତ କରି ତାହା ପରଦିନ ଲାଶ୍ ହୋଇଯିବାର ଦୃଶ୍ୟକୁ ଆପଣମାନେ ପ୍ରତ୍ୟକ୍ଷ କରିଥିବେ । ପୃଥିବୀରେ ଏମିତି କରୁଣତମ ଦୃଶ୍ୟ ଆଉ ନ ଥିବ । କିନ୍ତୁ ଯେତେବେଳେ ଆମର ଅତ୍ୟୁତ୍ସାହୀ ଗଣମାଧ୍ୟମମାନେ ତାହାକୁ ବାରମ୍ବାର ଦେଖାଇଚାଲିଲେ, ଆମକୁ ଲାଗିଲା ଯେମିତି ଏହା କୌଣସି ଏକ ବିୟୋଗାତ୍ମକ ସିନେମାର ଦୃଶ୍ୟବାସ୍ତବତାରେ ତାହାର କିଛି ସ୍ଥିତି ନାହିଁ । ଆମେ ସାଧାରଣ ମଣିଷ ଆଉ ଆମ ଭିତରେ ଯେଉଁ ମାନବିକ କରୁଣା ଆଉ ସମ୍ବେଦନାଟି ଥିଲା, ତାହାକୁ ବିନଷ୍ଟ କରିବାର ଏଇ ପ୍ରୟାସଟିକୁ ମୁଁ କଦାପି ଗ୍ରହଣ କରିବି ନାହିଁ ।

ଆମର ସାମାଜିକ ଜୀବନରେ ଏହା ଏକ ପ୍ରକାର କରୁଣାସମୂହ ପ୍ରତି କ୍ଳାନ୍ତି ସୃଷ୍ଟି କରୁଛି । ତେଣୁ ଆମର ସାମାଜିକ ଦୁର୍ଦ୍ଦିନରୁ ଆମେ ମୁହଁ ଫେରାଇ ନେଉଛୁ । ଯାହା ଦେଖିଛି ସେଇଠୁ ମନେ କରେ ଯେ ସ୍ଵର୍ଗତ ବୃନ୍ଦାବନ ସାହୁଙ୍କର ଗୋଟିଏ ଆଳୁଦୋଷ ଥିଲା । କଥା କଥାକେ ସେ କହୁଥିଲେ, ”ବୁଝିଲକି ନାହିଁ”। ବୃନ୍ଦାବନ ବାବୁ ଏବେ ଆପଣ ହୁଏତ ପରଲୋକରେ ବୁଝିପାରୁଥିବେ ଯେ, ଆମେମାନେ କେହି କିଛି ବୁଝୁନା, ଆଉ ବୁଝିବାର ଆଗ୍ରହ କ୍ରମଶଃ ହରାଇ ବସୁଛୁ ।

ଏଇମିତି ଆମର ନ ପଢିବାର ରୂପରେଖ ।

ବହି ପଢିବାକୁ ନେଇ ବିଶିଷ୍ଟ ଲେଖକ ବୋର୍ହେସ୍‌ଙ୍କ କଥାକୁ ଉଦ୍ଧାର କରିବି । ବୋର୍ହେସ୍ କହିଛନ୍ତିବହି ପଢିବା କାରଣରୁ ତାଙ୍କର ଦୁଇଟି ଭୟ ସୃଷ୍ଟି ହୋଇଛି । ପ୍ରଥମ ଭୟଟି ହେଉଛି ଗୋଲକଧନ୍ଦା । ପଢାପଢି ପରେ ଯଦି ଏହି ଗୋଲକଧନ୍ଦା ଭିତରୁ ହଠାତ୍ କେଉଁଠୁ ବାହାରି ପଡିବ ଗୋଟିଏ ବିକଟାଳ ଦାନବ ଯାହା ତାହାଙ୍କୁ ଗ୍ରାସ କରିଦେଇପାରେ । ବୋର୍ହେସ୍‌ଙ୍କ ଦ୍ୱିତୀୟ ଭୟଟି ଆହୁରି ଭୟଙ୍କର । ଭୟଟି ଦର୍ପଣକୁ ନେଇ । ପଢାପଢି ପରେ ହଠାତ୍ ସକାଳୁ ଦର୍ପଣରେ ନିଜ ମୁହଁକୁ ଦେଖିଲାବେଳେ ଯଦି ସେ ଦେଖନ୍ତି ଯେ, ସେଇ ମୁଣ୍ଡଟି ଆଉ କାହାର, ବା ମୁଣ୍ଡର ଜାଗାଟି ପୂରାପୁରି ଫାଙ୍କାତେବେ ସେଇ ଭୟଟିକୁ ସେ କେମିତି ଗ୍ରହଣ କରିବେ ?

କାହିଁକି ଆମେ ଗୋଲକଧନ୍ଦା ଭିତରକୁ ପଶିବା ରାକ୍ଷସକୁ ଭେଟିବା ପାଇଁ ଅବା ନିଜ ଦର୍ପଣରେ ଆଉ କାହାର ମୁଁହ ଦେଖିବା ତାହା ଠାରୁ ନିରାପଦ କିଛି ନ ପଢି ମାଦାରିର କୋଳାହଳର ଆୟୋଜନରେ ଭାଗନେବା ।

ଆର୍ଥର୍ ସୋପେନହାଉଆର୍ ବହି ନ ପଢିବାକୁ ଏମିତି ବ୍ୟାଖ୍ୟା କରିଛନ୍ତି । ତାଙ୍କ ଅନୁସାରେ ଖରାପ ବହି ନ ପଢିବା ହିଁ ଭଲ ବହି ପଢିବାର ପ୍ରଥମ ସର୍ତ୍ତ ।

ଭଲ ବହି ଆଉ ଖରାପ ବହିର ବିଚାର ଆପଣମାନଙ୍କର ନିଜର । ମୋର ସେଥିରେ କିଛି କହିବାର ନାହିଁ । ଯଦି ଅତି ବେଶିରେ ଆପଣମାନେ ମୋତେ ଗୋଟିଏ ଭୂମିକା ଦେବାକୁ ପସନ୍ଦ କରନ୍ତି, ତେବେ କୌଣସି ସିନେମାସୁଟିଂରେ ମୋର ଭାଗ ନେବାକୁ ଭାରି ଇଚ୍ଛା । ଭୂମିକାଟି ଭାବୁଛି ସେତେ କଷ୍ଟକର ହେବନାହିଁଗୋଟିଏ ଦର୍ପଣ-ଧାରକର ଭୂମିକା । ଆପଣମାନଙ୍କ ଭଳି ହିରୋହିରୋଇନ୍‌ମାନେ ଘଡିକୁଘଡି ଆସି ନିଜ ମୁହଁକୁ ସଜାଡି ନେଇ ଚାଲିବେ ମହାକାଳର କ୍ୟାମେରା ସାମ୍ନାକୁ ସୁନ୍ଦର ଅଭିନୟ ପାଇଁ ।

ଅବଶ୍ୟ ଦର୍ପଣରେ ଆପଣମାନେ କାହା ମୁହଁ ଦେଖିବେ ତାହା ଆପଣମାନଙ୍କର ବିଚାର ।

ବହିମାନେ ସବୁବେଳେ ନିଜ ପାଇଁ ଗୋଟିଏ ଗୋଟିଏ ଭାଷାକୁ ଖୋଜୁଥାନ୍ତି ଅତି ଆଗ୍ରହରେ । ବହୁ ସମୟରେ ସେମାନେ ଯେଉଁ ଭାଷାକୁ ପାଇଥାଆନ୍ତି, ତାହା ବହୁ ପୁରୁଣା କାଳର ପିଲାଟିର ଭାଷା ପରି ।

ବହିମାନେ ଆକୁଳର ସହ ଯେଉଁ ଭାଷାକୁ ଖୋଜୁଛନ୍ତି, ଆପଣମାନେ ସେଇ ଭଳି ବୟସ୍କ ହୁଅନ୍ତୁ ।

No comments:

Post a Comment