Tuesday, April 23, 2019

ଜାତୀୟତାବାଦ, ଦେଶପ୍ରେମ ଓ 'ଅତୀତରୁ ପୋଷ୍ଟକାର୍ଡ଼୍'


୧୮୧୩ ମସିହାରେ ଅଙ୍କିତ ବଙ୍ଗ-ବିହାର-ଓଡି଼ଶାର ମାନଚିତ୍ର (ୱିକିମିଡିଆ କମନ୍ସ୍)

ରବି ଠାକୁର ଠାଏଁ ଜାତୀୟତାବାଦକୁ ଏକ ଅପଦେବତା ବୋଲି ବର୍ଣ୍ଣନା କରିଛନ୍ତି । ଏହା ସେ କୌଣସି ଛିନ୍ନମୂଳ ଆନ୍ତର୍ଜାତୀୟତାର ଆଦର୍ଶଗତ ଦାୟବଦ୍ଧତାରେ କରି ନାହାନ୍ତି । ତାଙ୍କ ପାଇଁ ଏହା ଏକ ବସ୍ତୁନିଷ୍ଠ ବର୍ଣ୍ଣନା ମାତ୍ର । ଯେଉଁ ରାଷ୍ଟ୍ରଭିତ୍ତିକ ଜାତୀୟତାବାଦକୁ ଆମ ଚାରିପଟେ ଏବେ ଦେଖୁଛେଁ, ତାହାର ବୟସ ଦଶ ପୁରୁଷରୁ ବେଶୀ ନୁହଁ । ନିଜର ଜନମ ମାଟିକୁ ଭଲ ପାଇବା, ହେଜିବା, ଝୁରିବା, ଏକ ସାଧାରଣ ମାନବୀୟ ଆବେଗ । କେବଳ ମଣିଷ କାହିଁକି ? ପଶୁଙ୍କ ଠାରେ ମଧ୍ୟ ଆମେ ଏହା ଦେଖୁଁ । ଅଲିଭ୍ ରିଡ଼ଲେ କଇଁଛ ମଧ୍ୟ ନିଜର ଜନ୍ମ ଜେଗାକୁ ବୟଃପ୍ରାପ୍ତି ପରେ ଫେରି ଆସେ । ଦେଶପ୍ରେମ ଏକ ସ୍ୱାଭାବିକ, ପ୍ରାକୃତିକ ଆବେଗ । ଜାତୀୟତାବାଦ ଆଧୁନିକ ରାଷ୍ଟ୍ରବ୍ୟବସ୍ଥାକୃତ, ଅପରକୁ ଘୃଣା କରିବାକୁ ଶିଖାଉଥିବା, ନରମୁଣ୍ଡଭକ୍ଷୀ ଏକ ଅପଦେବତା ବିଶେଷ ।

ଏହି ଅପଦେବତାର ପୁରାଣ ଭାବରେ ଆମେ ବର୍ତ୍ତମାନର ଇତିହାସ ବା ହିଷ୍ଟ୍ରୀ କହିଲେ ଯେଉଁ ମାନବ ବିଜ୍ଞାନ ଚର୍ଚ୍ଚାର ବିଷୟକୁ ବୁଝୁ, ତାହାକୁ ନେଇ ପାରିବା । ଅର୍ଥାତ୍, ଇତିହାସ କହିଲେ ଜାତୀୟରାଷ୍ଟ୍ର ନାମକ ଏକ ଅପଦେବତାର ପୁରାଣ ମାତ୍ର । ଅନେକ ସମୟରେ ତତ୍ତ୍ୱବିଦ୍‌ମାନେ ଆଲୋଚନା କରନ୍ତି ଯେ, ଏହି ପୁରାଣ ଚର୍ଚ୍ଚାରୁ ବାହାରି ଅତୀତ ବିଷୟରେ ବିଜ୍ଞାନସମ୍ମତ ଆଲୋଚନାର ଏକ ସମ୍ଭାବ୍ୟ ଉପାୟ ଭାବରେ କ୍ଷୁଦ୍ରତର ଜନଗୋଷ୍ଠୀ କିମ୍ବା ସାମାଜିକ ବିଭାବ ଉପରେ କାମ କରିବା । ଉଦାହରଣସ୍ୱରୂପ - 'ଦୁଇଟି ବିଶ୍ୱଯୁଦ୍ଧ ମଧ୍ୟରେ ଭାରତର ସାଂସ୍କୃତିକ ଇତିହାସ', 'ଉନବିଂଶ ଶତାବ୍ଦୀର ଓଡ଼ିଶାର ପ୍ରଶାସନିକ ଇତିହାସ', ବା, 'ପୁରୀର ଶାସନୀ ବ୍ରାହ୍ମଣମାନଙ୍କର ବିଂଶ ଶତାବ୍ଦୀରେ ବୈବାହିକ ପରମ୍ପରାରେ ବିବର୍ତ୍ତନ' ଇତ୍ୟାଦି ।

ମାତ୍ର ଏଥିରେ ଅନେକ ସମସ୍ୟା ରହିଛି । ଅତୀତ ଚର୍ଚ୍ଚାରୁ ଜାତୀୟତାବାଦର ଭୂତ ଝଡ଼ାଇବାର ଅର୍ଥ କେବଳ ନୂତନ ବିଷୟବସ୍ତୁ ବା ଜନଗୋଷ୍ଠୀର ନିର୍ବାଚନ ସର୍ବସ୍ୱତା ହୋଇ ନ ପାରେ । ଏଥି ପାଇଁ ସର୍ବନିମ୍ନ ଅଧିକ ତିନୋଟି ଆବଶ୍ୟକତା ରହିଛି । ପ୍ରଥମ, ଯେଉଁ ଦସ୍ତାବେଜଗୁଡ଼ିକ ଉପରେ ଭିତ୍ତି କରି ପ୍ରାୟତଃ ଇତିହାସ ରଚନା କରାଯାଏ, ଏ ପର୍ଯ୍ୟନ୍ତ ସେଗୁଡ଼ିକ ରାଷ୍ଟ୍ରଶକ୍ତି ଦ୍ୱାରା ତିଆରି । ତେଣୁ କରି ଏକ ବିଜ୍ଞାନସମ୍ମତ ଓ ନବୀନ ଇତିହାସ ସାଧାରଣ ଲୋକେ ତିଆରି କରିଥିବା ଦସ୍ତାବେଜ - ଯଥା ପତ୍ରପତ୍ରିକା, ଆତ୍ମଜୀବନୀ, ଚିଠିପତ୍ର ଆଦିକୁ ବ୍ୟବହାର କରିବ । ଦ୍ୱିତୀୟତଃ, ଏହା ରାଷ୍ଟ୍ର ସ୍ୱୀକାର କରୁଥିବା କୌଣସି ପୂର୍ଣ୍ଣାଙ୍ଗ ଏକକର ବିବରଣୀ ନ ଦେଇ, ଆମର ବିବିଧତାରେ ଭରା ସାମାଜିକ ଜୀବନର ଭଗ୍ନାଂଶଗୁଡ଼ିକର ଶବ୍ଦାୟନ ଓ ଚିତ୍ରାୟନ କରିବ । ତୃତୀୟରେ, ଯେଉଁ ଭାଷାରୁ ଉପାଦାନ ସଙ୍ଗ୍ରହ କରାଯିବ, ସେହି ଭାଷାର ବୌଦ୍ଧିକ ଦିଗ୍‌ବଳୟକୁ ସମ୍ପ୍ରସାରିତ କରାଯିବା ପାଇଁ, ଅତୀତ ଚର୍ଚ୍ଚା ସେହି ଭାଷାରେ ଯାହା ହେଲେ ବି ସଙ୍ଘଟିତ ହେବ ।

"ସମଦୃଷ୍ଟି" ପତ୍ରିକାଙ୍କ ସୌଜନ୍ୟରୁ 'ଅତୀତରୁ ପୋଷ୍ଟକ୍ରାର୍ଡ଼୍' ସିରିଜ‌୍‌ରେ ଚଉବନଟି ଚିଠି ଏ ପର୍ଯ୍ୟନ୍ତ ଆପଣ ପାଇଲେଣି । ସିରିଜ୍‌ଟି ଓଡ଼ିଆ ଭାଷାରେ ଲିଖିତ ଆତ୍ମଜୀବନୀରୁ ଉପାଦାନ ସଙ୍ଗ୍ରହ କରି ସେହି ଭାଷାରେ ହିଁ ଓଡ଼ିଶା ନାମକ ଦେଶଟିର, ଭୂଖଣ଼୍ଡର, ଜନଜୀବନର ଅତୀତର ନାନାଦି ଭଗ୍ନାଂଶକୁ ଆପଣଙ୍କ ଆଗରେ ପରିବେଶିତ କରିଛି । ଲେଖକ ଐତିହାସିକ ନୁହନ୍ତି । ସେ ମାନବ ବିଜ୍ଞାନର ଏକ ଅଧମ ଛାତ୍ର ମାତ୍ର । 'ଅତୀତରୁ ପୋଷ୍ଟକାର୍ଡ଼୍' ଏହି ଛାତ୍ରଙ୍କର ଏକ ପରୀକ୍ଷଣ ବୋଲି ଧରି ନେଇ, ସୁଧୀବୃନ୍ଦ ଏହାର ଭୁଲଭଟ୍‌କାକୁ କ୍ଷମା କରିବେ ବୋଲି ଆଶା । 

ବି.ଦ୍ର. - ଏହି ଲେଖାଟି ପ୍ରଥମେ "ସମଦୃଷ୍ଟି" ପତ୍ରିକାର ୧୩ତମ ଖଣ୍ଡର ୧୮ତମ ସଙ୍ଖ୍ୟା (୧୬-୩୧ ମାର୍ଚ୍ଚ ୨୦୧୯) ରେ ପ୍ରକାଶିତ ହୋଇଥିଲା । 

No comments:

Post a Comment