ଶ୍ରୀଧର ବାବୁଙ୍କ ହାଇସ୍କୁଲ ଶିକ୍ଷା
![]() |
ସାମନ୍ତ ଚନ୍ଦ୍ରଶେଖର କଲେଜର କୋଠା, ଯେଉଁଠି ପୁରୀ ଜିଲ୍ଲା ସ୍କୁଲ ଅନେକ ଦିନ ଯାଏଁ ଥିଲା ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍ |
କାକଟପୁରର
ମଧ୍ୟ-ଭର୍ଣ୍ଣାକୁଲାର
ସ୍କୁଲ୍ରୁ ପାଠ ପଢ଼ା ସରିଲା
ପରେପରେ ଶ୍ରୀଧର ବାବୁଙ୍କୁ ଆଗ
ପରି ବୃତ୍ତିଟିଏ ମିଳିଲା । ବୃତ୍ତିଟି
ମାସକୁ ମାତ୍ର ଚାରି ଟଙ୍କା । ତାହା
ପୁଣି ମିଳିବ ଚାରି ବର୍ଷ ପାଇଁ
କେବଳ,
ଯଦିଓ
ହାଇସ୍କୁଲ ପାଠ ଛଅ ବରଷର । ହେଲେ
ସ୍କଲାର୍ସିପ୍ ଷ୍ଟୁଡେଣ୍ଟ ହୋଇ
ଥିବାରୁ ବିହାର-ଓଡ଼ିଶା
ଶିକ୍ଷା ପରିଷଦର ବିଧାନ ଅନୁସାରେ
ବିନା ବେତନରେ ପଢ଼ିବାର ସୁବିଧା
ଥିଲା । ଏଣୁ ଆଉ ବେଶି ଆଗକୁ ନ ଭାବି,
ଶ୍ରୀଧର
ବାବୁଙ୍କ ବାପା ନିଷ୍ପତ୍ତି ନେଲେ
ଯେ,
ପିଲାଟି
ଆଗକୁ ପଢ଼ୁ;
ଅଗତ୍ୟା
ତାଙ୍କୁ ପୁରୀ ଯିବାକୁ ପଡ଼ିଲା
ହାଇସ୍କୁଲରେ ନାମ ଲେଖାଇବା ପାଇଁ
। ସେତେବେଳେ ଅବିଭକ୍ତ ପୁରୀ
ଜିଲ୍ଲାରେ ମାତ୍ର ତିନୋଟି ହାଇସ୍କୁଲ
ଥାଏ;
ସତ୍ୟବାଦୀ
ବନବିଦ୍ୟାଳୟ,
ଖୋର୍ଦ୍ଧା
ହାଇସ୍କୁଲ ଓ ସର୍ବ ପୁରାତନ,
ପୁରୀ
ଜିଲ୍ଲା ସ୍କୁଲ । ଉଚ୍ଚ ବିଦ୍ୟାଳୟରେ
ପ୍ରବେଶ କଲା ବେଳକୁ,
ପୁରୀ
ଜିଲ୍ଲା ସ୍କୁଲ କଲିକତା ବିଶ୍ୱବିଦ୍ୟାଳୟ
ସହିତ ଅନୁବନ୍ଧିତ ଥିଲା । ହେଲେ,
ପରେ
ବିହାର-ଓଡ଼ିଶା
ପ୍ରାନ୍ତରେ ପାଟନାଠାରେ
ବିଶ୍ୱବିଦ୍ୟାଳୟଟିଏ ହେବାରୁ,
ଓଡି଼ଶାର
ଅନ୍ୟ ଉଚ୍ଚ ବିଦ୍ୟାଳୟଗୁଡ଼ିକ
ପରି ପୁରୀ ଜିଲ୍ଲା ସ୍କୁଲ ମଧ୍ୟ
ପାଟନା ବିଶ୍ୱବିଦ୍ୟାଳୟ ସହିତ
ଅନୁବନ୍ଧିତ ହେଲା । ସେତେବେଳେ
ଜିଲ୍ଲା ସ୍କୁଲରେ ସମୁଦାୟ ଛାତ୍ର
ସଙ୍ଖ୍ୟା ତିନି ଶହ ଭିତରେ । ହେଲେ
ଶିକ୍ଷକ ଥାଆନ୍ତି ପନ୍ଦରରୁ କୋଡ଼ିଏ
ଜଣ,
ସେଥି
ମଧ୍ୟରୁ ବହୁଳାଂଶ ବଙ୍ଗାଳୀ ।
କିଛି ଓଡ଼ିଆ ଶିକ୍ଷକ ଅବଶ୍ୟ
ଥାଆନ୍ତି । କିନ୍ତୁ ତାଙ୍କର
ସଙ୍ଖ୍ୟା ସେତେ ବେଶି ନୁହେଁ ।
ଓଡ଼ିଆ ଶିକ୍ଷକମାନଙ୍କ ମଧ୍ୟରେ
ଉଲ୍ଲେଖଯୋଗ୍ୟ ଥିଲେ ଚନ୍ଦ୍ରମୋହନ
ମହାରଣା,
ସଦାଶିବ
ମିଶ୍ର,
ଜଗନ୍ନାଥ
ରଥ,
ଦାଶରଥୀ
ପାଣିଗ୍ରାହୀ ଆଦି । ସେତେବେଳେ
ଜିଲ୍ଲା ସ୍କୁଲ ଗୋଟିଏ ଭିନ୍ନ
କୋଠାରେ ଥିଲା । ପରେ ତାହାକୁ
ପୁରୀର ସଂସ୍କୃତ କଲେଜ ଅଧିକାର
କଲା ।
ଯେହେତୁ ଶ୍ରୀଧର ଗୋଟିଏ ମଧ୍ୟ-ଭର୍ଣ୍ଣାକୁଲାର ବିଦ୍ୟାଳୟରେ ପାଠ ପଢ଼ି ଆସି ଥିଲେ ଆଉ ହାଇସ୍କୁଲରେ ପାଠପଢ଼ାର ମାଧ୍ୟମ ଥିଲା ଇଂରାଜୀ, ସେହି ଭାଷାରେ ଦକ୍ଷତା ହିଁ ମାପକ ଥିଲା ସେ କେଉଁ ଶ୍ରେଣୀରେ ନାମ ଲେଖାଇବେ । ସେତେବେଳେ ପୁରୀ ଜିଲ୍ଲା ସ୍କୁଲରେ ପ୍ରଧାନ ଶିକ୍ଷକ ଥିଲେ, ଦାଶରଥି ପାଣିଗ୍ରାହୀ । ସେ ଶ୍ରୀଧରଙ୍କର ଇଂରାଜୀ ଜ୍ଞାନ ପରୀକ୍ଷା କଲେ, ‘ଦି ଫର୍ଷ୍ଟ୍ ବୁକ୍ ଅଫ୍ ରିଡିଂ’ରୁ କିଛି ପୃଷ୍ଠା ପଢ଼ି ପାରିବାକୁ ନେଇ; ପ୍ରାର୍ଥୀଙ୍କର ଭାଷାଜ୍ଞାନ ସେତେ ଭଲ ବୋଲି ପ୍ରତିଭାତ ହେଲା ନାହିଁ । ଏଣୁ ପଞ୍ଚମ ଶ୍ରେଣୀରେ ଦାଖିଲା ମିଳିଲା; ହେଲେ ତାହା ସହିତ ପ୍ରଧାନଶିକ୍ଷକ ଏହା ବି ପ୍ରତିଶୃତି ଦେଲେ ଯେ, ବର୍ଷପୁରାଣି ପରୀକ୍ଷାରେ ଇଂରାଜୀରେ ଭଲ କଲେ. ଡବଲ୍ ପ୍ରମୋଶନ୍ ହେବ । ତାହା ହେଲା ମଧ୍ୟ । ହେଲେ ମଧ୍ୟ-ଭର୍ଣ୍ଣାକୁଲାର ସ୍କୁଲରୁ ଆସି ଥିବାରୁ ବିଚରା ଶ୍ରୀଧରଙ୍କର ଦୁଇ ବର୍ଷ ଯାହା ହେଲେ ବି ନଷ୍ଟ ହେଲା । ଏଣୁ ପଞ୍ଚମ ପରେ ସିଧା ସପ୍ତମ ଓ ତାହା ପରେ ଅଷ୍ଟମ ଓ ନବମ ଶ୍ରେଣୀ ଶେଷ ହେଲା ବେଳକୁ ଚାରିବରଷିଆ ବୃତ୍ତି ସରି ଗଲା । ଏଣୁ ଦରିଦ୍ର ପରିବାରରୁ ଆସିଥିବା ଛାତ୍ରଜଣଙ୍କ ଆଉ ଆଗକୁ ପଢ଼ିବାର କିଛି ବାଟ ନ ପାଇ, କଟକ ଶିକ୍ଷକ ଟ୍ରେନିଂ ସ୍କୁଲ୍ରେ ନାଁ ଲେଖାଇବା ପାଇଁ ଉଦ୍ୟମ ଆରମ୍ଭ କଲେ । ହେଲେ ଏକ କାକତାଳୀୟ ବ୍ୟାପାର ଶ୍ରୀଧର ବାବୁଙ୍କୁ ଆଗକୁ ପଢ଼ିବାରେ ବହୁତ ସାହାଯ୍ୟ କଲା । ବିହାର-ଓଡ଼ିଶା ସରକାର ମଧ୍ୟ-ଭର୍ଣ୍ଣାକୁଲାର ବୃତ୍ତିର ଅବଧି ବଢ଼ାଇ ପାଞ୍ଚ ବରଷ କରି ଦେଲେ । ଏଣୁ ତାଙ୍କର ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିବାର ବାଟ ଖୋଲି ଗଲା ।
ଶହେ ବର୍ଷ ତଳର ଓଡ଼ିଶାର ସେହି ପରିବେଶରେ ଟଙ୍କାର ଅଭାବ ତ ଥିଲା । ହେଲେ ସେହି ଅନୁପାତରେ ଦରଦାମ ମଧ୍ୟ କମ୍ ଥିଲା । ପୁରୀ ଜିଲ୍ଲା ସ୍କୁଲରେ ପଢ଼ିବା ବେଳେ ଶ୍ରୀଧର ବୋର୍ଡିଂରେ ରହୁଥିଲେ । ଭଡ଼ା ଥିଲା ମାସିକିଆ ଦୁଇ ଟଙ୍କା । ଏହା ବାଦ୍ ଖାଇବା ଖର୍ଚ୍ଚ ପାଇଁ ମାସ ପିଛା ଚାରିରୁ ପାଞ୍ଚ ଟଙ୍କା ଖରଚ ହେଉ ଥିଲା । ସେତେବେଳେ ତାଙ୍କର ଘନିଷ୍ଟ ବନ୍ଧୁ ଥିଲେ ଏମାରମଠର ସେବେକାର ସାନମହାରାଜ, ବା ମହନ୍ତ ଗାଦିର ଉତ୍ତରାଧିକାରୀ, ଶ୍ରୀ ରାମକୃଷ୍ଣ ରାମାନୁଜ ଦାସ । ତାଙ୍କର ଜଳଖିଆ ପାଇଁ ନିୟମିତ ଜଗନ୍ନାଥ ପ୍ରସାଦ ଆସୁଥିଲା । ସେଥିରୁ କିଛି ଶ୍ରୀଧରଙ୍କୁ ନିୟମିତ ମିଳୁଥିଲା । ନବମ ଶ୍ରେଣୀରେ ପଢ଼ିଲା ବେଳକୁ ସେ ବୋର୍ଡ଼ିଂର ମନିଟର ହେଲେ । ତାହା ଫଳରେ ଆଉ ଭଡ଼ା ଦେବାକୁ ପଡ଼ିଲା ନାହିଁ । ହେଲେ ଏକାଦଶ ଶ୍ରେଣୀ ବେଳକୁ ବୃତ୍ତି ଆଉ ନ ଥିଲା । ସେତେବେଳେ ମାଟ୍ରିକ ପରୀକ୍ଷା ଏଗାର କିଲାସ ପରେ ହିଁ ହେଉ ଥିଲା । ଶିକ୍ଷା ବିଭାଗର ନିୟମ ଅନୁସାରେ ଭୂତପୂର୍ବ ବୃତ୍ତିଧାରୀ ଛାତ୍ର ଭାବରେ ତାଙ୍କୁ ଆଉ ଏଗାର କ୍ଲାସ ପାଇଁ ଫିସ୍ ଦେବାକୁ ପଡ଼ୁ ନ ଥିଲା । ହେଲେ ଖାଇବା, ପିନ୍ଧିବା ଓ ଖାତା ବହି ଖରଚ ତ ଅଛି । ଅଗତ୍ୟା ମାଟ୍ରିକ ପରୀକ୍ଷା ପୂର୍ବ ବର୍ଷଟି ତାଙ୍କୁ ଟିକେ କଣ୍ଟିକାଣ୍ଟି ଚଳିବାକୁ ପଡ଼ିଲା ।
ମଧ୍ୟଭର୍ଣ୍ଣାକୁଲାର ବିଦ୍ୟାଳୟରୁ ପଢ଼ି ଆସି ଥିବାରୁ, ହାଇସ୍କୁଲ ସମୟରେ ଶ୍ରୀଧରଙ୍କର ବହୁଳାଂଶ ସମୟ ସେହି ଭାଷାକୁ ଅକ୍ତିଆର କରିବାରେ ଯାଉ ଥିଲା । ତଥାପି ବର୍ଷଟିଏକୁ ଛାଡ଼ି ଦେଲେ, ବାକି ସବୁଥିରେ ସେ ପ୍ରଥମ ସ୍ଥାନ ହିଁ ଅଧିକାର କରିଥିଲେ । ୧୯୨୧-୨୨ରେ ଏଗାର କିଲାସରେ ଥିଲେ ବାଇଶ ଜଣ ଛାତ୍ର । ଅନେକ ଶ୍ରେଣୀରେ ପୂରା ସଙ୍ଖ୍ୟାରେ ଛାତ୍ର ନ ଥିଲେ । ପୁରୀ ଜିଲ୍ଲା ସ୍କୁଲରେ ଶ୍ରୀଧରଙ୍କର ଛାତ୍ରଜୀବନର ସମୟସୀମା ଥିଲା ଛଅ ବରଷ – ୧୯୧୬ରୁ ୧୯୨୨ । ଓଡ଼ିଶାର ସାମାଜିକ ଓ ରାଜନୈତିକ ଇତିହାସରେ ଏହି କାଳଖଣ୍ଡଟି ଘଟଣାବହୁଳ ଥିଲା, କାରଣ ଏହା ହିଁ ଥିଲା ଓଡ଼ିଶାର ଭୂମିରେ ଜାତୀୟ ରାଜନୀତିର ଆଦ୍ୟ ଉନ୍ମେଷର ସମୟ । ୧୯୨୧ ମସିହାର ଦୋଳ ଛୁଟିରେ ମହାତ୍ମାଗାନ୍ଧୀ ଓଡ଼ିଶା ଗସ୍ତରେ ଆସନ୍ତି । ସାକ୍ଷୀଗୋପାଳରେ ସଭା ହୁଏ । ଯଦିଓ ମହାତ୍ମା ହିନ୍ଦୀରେ କହିଲେ, ହେଲେ ତାଙ୍କର ବକ୍ତବ୍ୟ ବୁଝିବାରେ କିଶୋର ଶ୍ରୀଧରଙ୍କର କିଛି ବିଶେଷ ଅସୁବିଧା ହୋଇ ନ ଥିଲା । ପରେ ଅବଶ୍ୟ ଗୋପବନ୍ଧୁ ଭାଷଣଟିକୁ ପ୍ରାଞ୍ଜଳ ଭାବରେ ଥାଟପଟାଳି ମାରୁଥିବା ଜନସମାଜକୁ ଓଡ଼ିଆରେ ଅନୁବାଦ କରି ବୁଝାଇ ଦେଇ ଥିଲେ । ଏହି ସମୟରେ ଶ୍ରୀଧର ଗୋପବନ୍ଧୁ ଦାସ, ଆଚାର୍ଯ୍ୟ ହରିହର, ପଦ୍ମଚରଣ ପଟ୍ଟନାୟକ, ଜଗବନ୍ଧୁ ସିଂହ, ଲକ୍ଷ୍ମୀନାରାୟଣ ସାହୁ, ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ଲିଙ୍ଗରାଜ ମିଶ୍ର ତଥା ମଧୁସୂଦନ ଦାସ ଇତ୍ୟାଦିଙ୍କର ସଂସ୍ପର୍ଶରେ ଆସିବାର ସୁଯୋଗ ପାଇଥିଲେ ।
୧୯୨୨ ମସିହାରେ ଶ୍ରୀଧର ଉଭୟ ମାଟ୍ରିକ ଓ ସ୍କୁଲ ଲିଭିଂ ପରୀକ୍ଷା ଦିଅନ୍ତି, ଯଥା କ୍ରମେ ଜାନୁଆରି ଓ ଫେବୃଆରି ମାସରେ । ପରୀକ୍ଷା ଦୁଇଟିର ଫଳ ପ୍ରକାଶିତ ହୁଏ ଅପ୍ରେଲ ମାସରେ । ସ୍କୁଲ ଲିଭିଂ ପରୀକ୍ଷାରେ ସେ ବିହାର-ଓଡ଼ିଶାରେ ଦ୍ୱିତୀୟ ସ୍ଥାନ ଅଧିକାର କରନ୍ତି ତଥା ମାଟ୍ରିକୁଲେଶନ ପରୀକ୍ଷାରେ ଓଡ଼ିଶାରେ ପ୍ରଥମ ହୁଅନ୍ତି । ସେବେ ପୂରା ବିହାର-ଓଡ଼ିଶା ପାଇଁ ଥାଏ କେବଳ ଗୋଟିଏ କୋଡ଼ିଏ ଟଙ୍କିଆ ବୃତ୍ତି । ଶ୍ରୀଧର ଓ ତାଙ୍କର ବନ୍ଧୁ ଶ୍ରୀକୃଷ୍ଣ ମହାନ୍ତି ଯୋଡ଼ିଏ ପନ୍ଦର ଟଙ୍କିଆ ବୃତ୍ତି ପାଆନ୍ତି । ସେତେବେଳ ପର୍ଯ୍ୟନ୍ତ କଲେଜରେ ପାଠ ପଢ଼ିବେ କି ନାହିଁ, ତତ୍ ସମ୍ବନ୍ଧରେ ସେ କିଛି ମନ ସ୍ଥିର କରି ନ ଥାଆନ୍ତି । ହେଲେ ମାଟ୍ରିକ ପାଠ ସରିଗଲା, ଆଉ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଥିବାର ପ୍ରମାଣପତ୍ରଟି ହାତକୁ ଆସି ଗଲା, ତାହା ଥିଲା ସେଇ ଦରିଦ୍ର ପରିବାରଟି ପାଇଁ ଏକ ବିରାଟ ଉପଲବ୍ଧି ।
ବି.
ଦ୍ର.
- ଏହି
ଲେଖାଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ଛପା ଯାଇଥିଲା । ପ୍ରବନ୍ଧଟିର ଉପାଦାନ ଶ୍ରୀଧର ଦାସଙ୍କର
ଆତ୍ମଜୀବନୀ ‘ସୁଅ
ମୁହଁର ପତର’ର କଟକସ୍ଥ ‘ମିତା
ବୁକ୍ସ୍’ ୨୦୧୪ ମସିହାରେ ପ୍ରକାଶ
କରିଥିବା ଚତୁର୍ଥ ସଂସ୍କରଣରୁ
ନିଆ ଯ।ଇଛି । ବହିଟି ପ୍ରଥମେ ୧୯୮୨
ମସିହାରେ ପ୍ରକାଶିତ ।
No comments:
Post a Comment