Monday, April 01, 2019

ମଧ୍ୟଭର୍ଣ୍ଣାକୁଲାର ସ୍କୁଲରେ ଶ୍ରୀଧର ବାବୁ


କାକଟପୁରରେ ସନ୍ଧ୍ୟା (ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍)

ନିଜ ବାପା ପଢ଼ାଉଥିବା ଗାଁ ସ୍କୁଲରେ ପ୍ରାଥମିକ ଶିକ୍ଷା ଶେଷ ହୋଇ ଆସିଲା ବେଳକୁ ଶ୍ରୀଧର ବାବୁ ବୃତ୍ତି ପରୀକ୍ଷା ପାଇଁ ବସିଲେ । ପରୀକ୍ଷା ଦେଇଥିବା ପନ୍ଦରକୋଡ଼ିଏ ଜଣଙ୍କ ଭିତରୁ ତିନି ଚାରି ଜଣଙ୍କୁ ଅବଶ୍ୟ ବୃତ୍ତି ମିଳିଲା; ସେମାନଙ୍କ ଭିତରୁ ସେ ଥିଲେ ଅନ୍ୟତମ । ଉଚ୍ଚତର ଶିକ୍ଷା ପାଇଁ ସବୁଠାରୁ ନିକଟସ୍ଥ ଶିକ୍ଷାନୁଷ୍ଠାନ ହେଲା କାକଟପୁର ମଧ୍ୟଭର୍ଣ୍ଣାକୁଲାର ବିଦ୍ୟାଳୟ । ବିଂଶ ଶତାବ୍ଦୀର ଆରମ୍ଭ ବେଳକୁ ଉତ୍ତର-ପ୍ରାଥମିକ ସ୍ତରରେ ଓଡ଼ିଶାରେ ଗୋଟିଏ ଦୁଇଥାକିଆ ଶିକ୍ଷା ବ୍ୟବସ୍ଥା କାମ କରୁଥିଲା । ପ୍ରାଥମିକ ଶିକ୍ଷା ପରେ ପିଲାଟିଏ ଆଗକୁ ପଢ଼ିବା ପାଇଁ ଦୁଇଟି ପ୍ରକାରର ବ୍ୟବସ୍ଥା ଥିଲା । ପ୍ରଥମଟି ହେଲା ମଧ୍ୟଇଂରାଜୀ ବିଦ୍ୟାଳୟ ଯେଉଁଥିରେ ଓଡ଼ିଆ ଭାଷାସାହିତ୍ୟ ବିଷୟଟି ଛଡ଼ା ବାକି ସବୁ ପାଠ୍ୟକ୍ରମ ଇଂରାଜୀରେ ହିଁ ପଢ଼ା ହେଉଥିଲା । ଦ୍ୱିତୀୟଟି ହେଲା ମଧ୍ୟଭର୍ଣ୍ଣାକୁଲାର ବିଦ୍ୟାଳୟ ଯେଉଁଠି କେବଳ ଇଂରାଜୀ ଭାଷାସାହିତ୍ୟ ଛଡ଼ା ଅନ୍ୟ ବିଷୟଗୁଡ଼ିକ ଓଡ଼ିଆ ଭାଷାରେ ପିଲାଏ ଅଧ୍ୟୟନ କରୁଥିଲେ । ଏହି ବିଦ୍ୟାଳୟଗୁଡ଼ିକରେ ଷଷ୍ଠ ଶ୍ରେଣୀ ହିଁ ଥିଲା ଉଚ୍ଚତମ ଶ୍ରେଣୀ । ଏଇ ଦୁଇ ପ୍ରକାରର ବ୍ୟବସ୍ଥାରେ କେବଳ ଇଂରାଜୀ ଛଡ଼ା ପାଠ ଉଭୟରେ ସମାନ ଥିଲେ ହେଁ, ମଧ୍ୟଇଂରାଜୀ ସ୍କୁଲର ପିଲାମାନଙ୍କର କିନ୍ତୁ ବେଶି ସୁବିଧା ହେଉଥିଲା । ଏହାର କାରଣ ହେଲା, ହାଇସ୍କୁଲ ସ୍ତରରେ ସବୁ ପାଠ ଇଂରାଜୀ ଭାଷାରେ ହିଁ ପଢ଼ା ହେଉଥିଲା ଓ ସ୍କୁଲ ଶିକ୍ଷାର ଶେଷରେ ହେଉଥିବା ସେ ବେଳର ଏଣ୍ଟ୍ରାନ୍ସ୍ ପରୀକ୍ଷା (ଯାହା ଏବେର ଦଶମ ବୋର୍ଡ଼୍ ସହ ତୁଳନୀୟ) ର ମାଧ୍ୟମ ବି ଇଂରାଜୀ ହିଁ ଥିଲା ।

ସେବେ ପ୍ରାଥମିକ ଶ୍ରେଣୀ ପରେ ସ୍କୁଲରେ ପ୍ରାୟତଃ ପୁଅ ପିଲାଏ ହିଁ ପଢ଼ୁଥିଲେ । କିଛି ପ୍ରବାସୀ ବଙ୍ଗାଳୀ ଓ ଖ୍ରୀଷ୍ଟିଆନ ପରିବାରଙ୍କୁ ଛାଡ଼ିଦେଲେ, ଓଡିଶାର ମଫସଲ ଓ ସହର ମାନଙ୍କରେ ସ୍ଥାନୀୟ ଓଡ଼ିଆ ସମାଜର ଭଦ୍ରଘରର ଝିଅମାନେ ଉଚ୍ଚତର ଶ୍ରେଣୀରେ ସ୍କୁଲକୁ ପାଠ ପଢ଼ି ଯିବା ପ୍ରଚଳିତ ନଥିଲା । ଶ୍ରୀଧର ବାବୁଙ୍କ ଇସ୍କୁଲୁରେ କେବଳ ଦୁଇ ଜଣ ଛାତ୍ରୀ ଅଧ୍ୟୟନରତ ଥିଲେ । ଉଭୟ ଥିଲେ କାକଟପୁର ନିବାସୀ ବେଶ୍ୟାକନ୍ୟା । କାକଟପୁର ଛୋଟିଆ ବଜାରଟିଏ ହେଲେ ହେଁ, ମଙ୍ଗଳା ମନ୍ଦିରରେ ସେବା ପାଇଁ କେତେ ଜଣ ବେଶ୍ୟା ନିଯୁକ୍ତ ଥିଲେ ଓ ଜମିବାଡ଼ି ଭୋଗଦଖଲ କରୁଥିଲେ । ତାଙ୍କର କାମ ଥିଲା, ମନ୍ଦିରର ମଣ୍ଡପରେ ନାଚ ଓ ଗୀତ ପରିବେଷଣ କରିବା ।

କାକଟପୁରରେ ଘର ପାଖରେ ମଧ୍ୟଓଡ଼ିଆ ସ୍କୁଲଟି ଥିବାରୁ ଗରୀବ ବାପା ଶ୍ରୀଧରଙ୍କୁ ସେଇଠି ହିଁ ପଢ଼ିବା ପାଇଁ କହିଲେ । ବୃତ୍ତିପ୍ରାପ୍ତ ଛାତ୍ର ହୋଇ ଥିବାରୁ ଇସ୍କୁଲୁରେ ଦରମା ସିନା ଛାଡ଼ । ହେଲେ ସରକାର ଦେଉ ଥିବା ମାସିକ ଦୁଇ ଟଙ୍କାରେ ବାହାରେ ରହି ସବୁ ଖର୍ଚ୍ଚ ତୁଲାଇବା ମହା ମୁସ୍କିଲ । ଯଦି ଜଣେ ସ୍କୁଲର ବୋର୍ଡ଼ିଂର ରହିବ ତାହା ହେଲେ ମାସକୁ ଦୁଇ ଟଙ୍କା ସହ ପନ୍ଦର ସେର ଲେଖାଏଁ ଚାଉଳ ମଧ୍ୟ ଦେବାକୁ ପଡ଼ିବ । ଏତେକ ବ୍ୟବସ୍ଥା କରିବା ଶ୍ରୀଧରଙ୍କ ପରିବାର ପାଇଁ ଅସମ୍ଭବ ଥିଲା । ପୁଣି ସ୍କୁଲ୍‌ର ବୋର୍ଡ଼ିଂ ଘର ନ ଥିଲା । ଖାଲି ରୋଷେଇ ନିମନ୍ତେ ଅଲଗା ବଖୁରିଟିଏ ଯାହା ଥିଲା । ପିଲାଏ ରାତିରେ ବିଦ୍ୟାଳୟର କୋଠରୀରେ ହିଁ ଚଟେଇ ପାରି ଶୋଉ ଥିଲେ । ଦିନ ବେଳେ ଛାତ୍ରମାନଙ୍କର ଲୁଗାପଟା କ୍ଲାସ୍‌ର ବେଞ୍ଚ ତଳେ ରହୁଥିଲା ।

ଏସବୁ ଜିନିଷକୁ ନଜର ରଖି ତାଙ୍କ ବାପା ଭିନ୍ନ ଏକ କାମଚଳା ବ୍ୟବସ୍ଥା କଲେ । ମଙ୍ଗଳା ମନ୍ଦିରରେ ଥିଲେ ତାଙ୍କର ଜନୈକ ଚିହ୍ନାଜଣା ଦେଉଳ ସେବାକାରୀ । ତାଙ୍କର ମା’ଙ୍କ ଛଡ଼ା ପରିବାରରେ ଖାଲି ବିଧବା ଭାଉଜ ଓ ପୁତୁରାଟିଏ । ବାପା ଏହି ପରିବାରକୁ ପୁଅର ଭରଣପୋଷଣ ପାଇଁ ମାସକୁମାସ କିଛି ଚାଉଳ ଓ ପଇସା ଦେଉଥା’ନ୍ତି । ସେବାକାରୀଙ୍କ ଘରେ ଯାହା ସାଧାରଣ ଭାବରେ ରୋଷେଇ ହୁଏ, ଶ୍ରୀଧର ସେୟା ହିଁ ଖାଆନ୍ତି । ହେଲେ କିଛି ବିଶେଷ ଭଲ ଖାଇବା ତିଆରି ହେଲେ ତାହା ତାଙ୍କୁ ଆଉ ନ ମିଳେ ।

ଶ୍ରୀଧର ବାବୁ କାକଟପୁର ମଧ୍ୟଭର୍ଣ୍ଣାକୁଲାର ବିଦ୍ୟାଳୟରେ ପାଠ ପଢ଼ିଲା ବେଳେ ପ୍ରଥମେ କେବଳ ଦୁଇ ଜଣ ଶିକ୍ଷକ ସେଠାରେ ଅଧ୍ୟାପନା କରୁଥିଲେ । ହେଡ଼୍ ପଣ୍ଡିତଙ୍କ ଦରମା ଥିଲା ମାତ୍ର ମାସିକ ତେର ଟଙ୍କା । ଇସ୍କୁଲୁଟି ଚାଲେ ଦାଣ୍ଡି ଭଳି ବଡ଼ ହଲ୍‌ଟିଏରେ । ସେଇଠି ଚାରୋଟି ଯାକ ଶ୍ରେଣୀର ପାଠ ପଢ଼ା ଚାଲେ । ଭୀଷଣ ଅବ୍ୟବସ୍ଥା । ଏମିତି ଦିନାକେତେ ପରେ ସମୁଦାୟ ପାଞ୍ଚ ଜଣ ଶିକ୍ଷକ ବିଦ୍ୟାଳୟଟିରେ ନିଯୁକ୍ତ ହେଲେ । ହେଡ଼୍ ପଣ୍ଡିତଙ୍କ ଦରମା ବଢ଼ି ମାସିକ ତିରିଶ ଟଙ୍କା ହେଲା । ଜଣେ ଭର୍ଣ୍ଣାକୁଲାର୍ ମାଷ୍ଟରସିପ୍ ପରୀକ୍ଷା ପାସ୍ କରା ସେକେଣ୍ଡ୍ ପଣ୍ଡିତ ରହିଲେ, ତାଙ୍କ ଦରମା ପଚିଶ ଟଙ୍କା । ବାକି ତିନି ଜଣ ହେଲେ ମଧ୍ୟଭର୍ଣ୍ଣାକୁଲାର ପାସ୍ କରି ବେସିକ୍ ଟ୍ରେନିଂ ପାଇଥିବା ଶିକ୍ଷକ । ଶ୍ରୀଧରଙ୍କ ବେଳେ ହେଡ଼୍ ପଣ୍ଡିତ ଥିଲେ ଦିବ୍ୟସିଂହ ମହାନ୍ତି । ତାଙ୍କ ଘର ବିଦ୍ୟାଳୟଠାରୁ ଦେଢ଼ କିଲୋମିଟର ଦୂର, ଶ୍ରୀରାମପୁର ଗାଁରେ । ସେ ବୋର୍ଡ଼ିଂରେ ନ ରହି ପ୍ରାୟତଃ ଘରୁ ଯା’ଆସ କରୁଥିଲେ । ଦ୍ୱିତୀୟ ପଣ୍ଡିତ ଥିଲେ ପୁରୀର ଏକ ଶାସନୀ ବ୍ରାହ୍ମଣ ଗାଁର କାବ୍ୟତୀର୍ଥ ଗଦାଧର ମହାପାତ୍ର ।

ଶ୍ରୀଧର ଥିଲେ ଜଣେ ଭଲ ଛାତ୍ର । ହେଲେ ପ୍ରାୟତଃ କୁଟାଣ ଖାଇବାକୁ ପଡ଼େ ତାଙ୍କୁ । କାରଣ ହେଲା ପଢ଼ା ହେଲା ବେଳେ ଘୁମେଇବା । ସବୁଦିନ ସେ ପଖାଳ ଖାଇ ନହେଲେ ବାସି ତୋରାଣି ପିଇ ସ୍କୁଲ ଯାଆନ୍ତି, ଆଉ ଶ୍ରେଣୀରେ ଢୁଳାନ୍ତି । ହେଡ଼ ପଣ୍ଡିତ ଲୁଚି କରି ଥାଆନ୍ତି । ଢୁଳାଇବାର ଦେଖିଲେ ଆସି ପିଠିରେ ବେତରେ ଭଲକରି କସି ଦିଅନ୍ତି । ହେଲେ ଏଇ ବେତମାଡ଼ ତ ଏକ ସାଧାରଣ ଦଣ୍ଡ ! ଷଷ୍ଠ ଶ୍ରେଣୀକୁ ଆସିଲା ବେଳକୁ ହେଡ଼ପଣ୍ଡିତଙ୍କ ପ୍ରକୋପ ବଢ଼ିଯାଏ । କିଛି ପିଲାଙ୍କୁ କାନ୍ଥକୁ ପିଠି କରି, ପାଦକୁ ଭୂମିରେ ଥୋଇ, କାନ ଧରି ଶୂନ୍ୟରେ ବସିବାକୁ ହୁଏ – ଏହି ସୁନ୍ଦର ଦଣ୍ଡଟିର ନାମ ‘ଚଉକିବସା’ । ପାଞ୍ଚ ମିନିଟ ବସିଥିବେ କି ନାହିଁ ପିଲାଙ୍କୁ କଷ୍ଟ ହୋଇ ତାଙ୍କ ଆଖିରୁ ଲୋତକ ଆଉ ନାକରୁ ସିଙ୍ଗାଣି ବହିବାକୁ ଆରମ୍ଭ କରେ ।

ଏହି ପରି ନାନାଦି ଅମାନୁଷିକ ଦଣ୍ଡ ଯୋଗୁଁ ଗୋଟିକ ପରେ ଗୋଟିଏ ପିଲା ପାଠ ଛାଡ଼ି, ଷଷ୍ଠ ଶ୍ରେଣୀର ଆରମ୍ଭରେ ବାକି ରହିଥିଲେ ମାତ୍ର ଚାରୋଟି ଛାତ୍ର । ଅଧା କ୍ଲାସ୍‌ରେ ଆଉ ଦିଓଟି ଛାଡ଼ି ପଳାଇଲେ । ବାକି ରହିଲେ ଯୋଡ଼ିଏ – ତାଙ୍କ ମଧ୍ୟରୁ ଶ୍ରୀଧର ଜଣେ । ସେ ମଧ୍ୟ ବୃତ୍ତି ପରୀକ୍ଷା ଅଢ଼େଇ ମାସ ଖଣ୍ଡେ ଥାଏ, ସ୍କୁଲ ଛାଡ଼ି ଘରକୁ ଚାଲିଗଲେ ପଢ଼ାପଢ଼ି କରିବା ପାଇଁ । ହେଲେ ଦୁଇ ତିନି ହପ୍ତା ପରେ ସାକ୍ଷାତ ହେଡ଼ପଣ୍ଡିତ ଯାଇଁ ପହଞ୍ଚିଲେ ତାଙ୍କ ଘରେ । ମାଡ଼ ନ ହେବାର ପ୍ରତିଶୃତି ସହିତ ବୋର୍ଡ଼ିଂରେ ରହିବାର ସୁବିଧା ସହ ଶ୍ରୀଧର ସ୍କୁଲକୁ ଫେରି ଆସିଲେ ।

ବୋର୍ଡ଼ିଂ ଯେଉଁ ସ୍କୁଲ ଘରେ ଚାଲୁଥିଲା, ସେଠି ଶିକ୍ଷକମାନେ ବି ରହୁଥିଲେ । ସେମାନେ ରାତିରେ ବେଞ୍ଚତକ ଯୋଡ଼ି ଦେଉଥିଲେ । ତାହା ହିଁ ଖଟର କାମ ତୁଲାଉଥିଲା । ରନ୍ଧାରନ୍ଧି କରିବା ପାଇଁ କୌଣସି ପୂଜାରୀ ନ ଥିଲେ । ଛୁଆଁଛୁତି ବାରଣର ସେ ଅନ୍ଧଯୁଗରେ ବ୍ରାହ୍ମଣ ପିଲାଏ ରୋଷେଇ କରୁଥିଲେ । ଅଣ-ବ୍ରାହ୍ମଣ ଛାତ୍ରମାନେ ନାନାଦି ଅନ୍ୟ କାମ, ଯଥା, ପରିବା କାଟିବା, ମସଲା ବାଟିବା, ଶିକ୍ଷକଙ୍କ ଅଇଁଠା ବାସନକୁସନ ମାଜିବା, ପାଣି ଯୋଗାଇବା ଇତ୍ୟାଦିରେ ନିୟୋଜିତ ହେଉଥିଲେ । ଏହି ପରି ଶିକ୍ଷକମାନଙ୍କ ସେବା କରି ଶ୍ରୀଧରଙ୍କର କାକଟପୁର ମଧ୍ୟଭର୍ଣ୍ଣାକୁଲାର ସ୍କୁଲରେ ପାଠ ପଢ଼ା ସରିଲା । ୧୯୧୫ ମସିହାର ଡିସେମ୍ବର ମାସରେ ପୁରୀ ଜିଲ୍ଲା ସ୍କୁଲରେ ବୃତ୍ତି ପରୀକ୍ଷା ଅନୁଷ୍ଠିତ ହେଲା । ଏବେ ସେଇ କୋଠାରେ ସାମନ୍ତ ଚନ୍ଦ୍ରଶେଖର କଲେଜ ଚାଲିଛି । ହେଡ଼ ପଣ୍ଡିତ ଓ ବାପାଙ୍କ ସହ ମିଶି ବୃତ୍ତି ପରୀକ୍ଷା ଦେବା ପାଇଁ ଶ୍ରୀଧର ପୁରୀ ଗଲେ । ତିନି ଜଣ ଗୋଟିଏ ବସାରେ ଭଡ଼ା ନେଇ ରହିଲେ ଓ ନାନାଦି ବିଭ୍ରାନ୍ତି ମଧ୍ୟରେ ସେ ପରୀକ୍ଷା ଦେଇ କୃତକାର୍ଯ୍ୟ ହେଲେ । ଶେଷକୁ ଯେଉଁଠି ବୃତ୍ତି ପରୀକ୍ଷା ଦେଇଥିଲେ, ସେଇ ପୁରୀ ଜିଲ୍ଲା ସ୍କୁଲରେ ହାଇସ୍କୁଲ ପାଠ ପଢ଼ି ଛାତ୍ର ଜୀବନ ଜାରି ରଖିଲେ ।

ବି. ଦ୍ର. - ଏହି ଲେଖାଟିର ଉପାଦାନ ଶ୍ରୀଧର ଦାସଙ୍କର ଆତ୍ମଜୀବନୀ ‘ସୁଅ ମୁହଁର ପତର’ର କଟକସ୍ଥ ‘ମିତା ବୁକ୍ସ୍’ ୨୦୧୪ ମସିହାରେ ପ୍ରକାଶ କରିଥିବା ଚତୁର୍ଥ ସଂସ୍କରଣରୁ ନିଆ ଯ।ଇଛି । ବହିଟି ପ୍ରଥମେ ୧୯୮୨ ମସିହାରେ ଛପା ଯାଇଥିଲା । ଏହି ଲେଖାଟି ୨୦୧୯ ମସିହାରେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ର ୧୩ତମ ଖଣ୍ଡରେ ଆଗରୁ ପ୍ରକାଶିତ ହୋଇ ସାରିଛି । 

No comments:

Post a Comment