Saturday, March 02, 2019

ନୀଳକଣ୍ଠଙ୍କ ଚାଟଶାଳୀ ପାଠ

ପଣ୍ଡିତ ନୀଳକଣ୍ଠ ଦାସ (ୱିକିମିଡିଆ କମନ୍ସ୍)

ପଣ୍ଡିତ ନୀଳକଣ୍ଠ ଦାସ  (୫ ଅଗଷ୍ଟ ୧୮୮୪ – ୬ ନଭେମ୍ବର ୧୯୬୭) ଙ୍କ ଜନ୍ମ ମାତାଙ୍କର ଅଷ୍ଟମ ଗର୍ଭରେ, ଗହ୍ମାପୂନେଇ ପୂର୍ବ ଦିନ । ତାଙ୍କର ପୈତୃକ ଗ୍ରାମ ହେଲା ପୁରୀ ଜିଲ୍ଲାର ଶ୍ରୀରାମଚନ୍ଦ୍ରପୁର । ସେ ପ୍ରଥମେ ବିଧିବଦ୍ଧ ଭାବରେ ପଢ଼ା ଆରମ୍ଭ କରନ୍ତି ସେଇ ଗାଁରେ, ଏକ ଚାଟଶାଳୀରେ । ଛଅ ବରଷ ପୁରିବାରୁ ପଢ଼ା ଆରମ୍ଭ କରି, ସେଇଠାରେ ସେ ସାଢ଼େ ସାତ ବର୍ଷ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ । ସେହି ଚାହାଳିରେ ହିଁ ସେ ସେତେବେଳର ‘ଖ’ ଓ ‘କ’ ପରୀକ୍ଷା ଓ ଦ୍ୱିତୀୟ ପରୀକ୍ଷା (ବୋଇଲେ, ଏବେର ନିମ୍ନ ପ୍ରାଥମିକ ପରୀକ୍ଷା) ପାସ କରିଥିଲେ ।  

ସେବେ ଚାହାଳିରେ ଅକ୍ଷର ପରିଚୟ, ଫଳା, ବନା, ପଣିକିଆ, କଡ଼ାଗଣ୍ଡା, ପାହି ପଣିକିଆ, ଗୁଣ୍ଠ, ବିଶ୍ୱା, ଫେଡ଼ା ମିଶା ହରି ଗୁଣ, ଓଡ଼ାଙ୍କ ଆଦି ପଢ଼ା ହେଉଥିଲା । କୌଣସି ବିଷୟରେ ପଢ଼ା ଆରମ୍ଭ ହେଲା ବେଳକୁ ନାହାକ ପିଲାଙ୍କୁ ସନ୍ଥ ଦିଅନ୍ତି । ସେଥିକୁ ପିଲାଟି ଘରୁ ଚାଉଳ, ଦୁବ, ବରକୋଳି ପତ୍ର, ହଳଦୀଗୁଣ୍ଡ ଓ ଅନ୍ୟ ପୂଜା ସାମଗ୍ରୀ ଧରି ଆସେ । ସରସ୍ୱତୀଙ୍କର ପୂଜା ହୁଏ । ଚାଉଳତକ ନାହାକଙ୍କର । ଯଦି ଚାଟଟି ସଙ୍ଗତିସମ୍ପନ୍ନ ପରିବାରର, ତାହା ହେଲେ, ଚାଉଳ ଓ ପୂଜା ସାମଗ୍ରୀ ସହିତ କିଛି ପଇସା ଦକ୍ଷିଣା ଭାବରେ  ନାହାକଙ୍କୁ ମିଳେ । ଏହା ଛଡ଼ା ସେ ଚାଟଟିଏ  ‘ଖ’, ‘ କ’ ତଥା ଦ୍ୱିତୀୟ ପରୀକ୍ଷା ପାସ କଲେ, ଯଥା କ୍ରମେ ଦୁଇ ଟଙ୍କା, ତିନି ଟଙ୍କା ଓ ପାଞ୍ଚ ଟଙ୍କା ଚାଟ ପିଛା ସରକାର ବାହାଦୁରଙ୍କ ଠାରୁ ସେବେ ପାଉଥିଲେ ।

ବ୍ରାହ୍ମଣ ଗାଁଟିରେ ନାହାକ ଜଣଙ୍କ ଥିଲେ କରଣ ଜାତିର । ସେ ଦରମା ପାଉଥିଲେ ପିଲା ପିଛା ମାସକୁ ପୁରୁଣା ପଇସା ଚାରିଅଣା । ତାଙ୍କର ଖିଆପିଆର ବ୍ୟବସ୍ଥା ଚାଟମାନଙ୍କ ଘରେ ହେଉ ଥିଲା । ଯେହେତୁ ଛାତ୍ରମାନେ ଥିଲେ ବ୍ରାହ୍ଣଣ, ସେମାନଙ୍କ ଘରେ ନାହାକଙ୍କର ଖାଇବାରେ ଜାତିଗତ ବାରଣ ଦୃଷ୍ଟିରୁ କିଛି ଅସୁବିଧା ନ ଥିଲା । ନାହାକଙ୍କ ପାଇଁ ଚାଟଙ୍କ ଘରେ ଅଲଗା ବାସନ ମଧ୍ୟ ରହୁଥିଲା । ସେ ସମୟର ଚଳଣୀ ଅନୁସାରେ ତାଙ୍କୁ ଖାଇ ସାରି ନିଜର ବାସନ ମାଜି ଦେଇ ଆସିବାକୁ ପଡ଼ୁଥିଲା ।

କୁକୁଡ଼ାଡକାରୁ ଚାଟମାନେ ଉଠି ଚାହାଳିରେ ଢୁକନ୍ତି । ସେବେ ଜାମାପଟାର ବେଶି ଚଳଣି ନ ଥିଲା । ପ୍ରାୟତଃ ପିଲାଏ ଖଣ୍ଡିଏ ଲେଖାଏଁ କଉପିନି ମାରି ଚାହାଳି ଯାଆନ୍ତି । ସବୁ ଚାଟଶାଳୀ ପରି ନୀଳକଣ୍ଠଙ୍କ ଚାହାଳିରେ ମଧ୍ୟ ଛାତ୍ରମାନଙ୍କୁ ସମୟାନୁବର୍ତ୍ତୀ କରିବା ପାଇଁ ନିୟମଟିଏ ପ୍ରଚଳିତ ଥାଏ । ଯିଏ ପ୍ରଥମେ ପହଞ୍ଚିବ ସାହାର ହାତରେ ନାହାକ ବେତଟିକୁ ଖାଲି ଛୁଆଇଁ ଦିଅନ୍ତି । ତାହା ହେଲା ‘ଶୂନ’ । ତାହା ପରେ ଯାହୁଁଯାହୁଁ ପିଲା ଡେରିରେ ଆସନ୍ତି, ତାଙ୍କ ହାତରେ ବେତର ପ୍ରକୋପ ସେହି ଅନୁପାତରେ ବଢ଼ି ବଢ଼ି ଯାଏ ।  ଚାହାଳି ଦୁଇ ଓଳି ଚାଲେ । ଉପର ଓଳି ଛାତ୍ରମାନେ ଖାଇ କରି ଆସିଲା ବେଳକୁ ମଧ୍ୟ ଏହି ପରି ଉପସ୍ଥାନ ନିଆ ଯାଏ । ଉପସ୍ଥାନ ନେଇ ସାରି ପିଲାମାନେ ପାଠ ଆରମ୍ଭ କଲେ, ନାହାକ ମହାଶୟ ଚାଲିଯାଆନ୍ତି ପୋଖରିପାଣି ଓ ଅନ୍ୟାନ୍ୟ ନିତ୍ୟକର୍ମ ସମାପାନ କରିବା ନିମନ୍ତେ ।

ନିତ୍ୟକର୍ମ ପାଇଁ ଗଲା ବେଳକୁ ନାହାକେ ପଛରେ ଜଗାଇ ଦେଇ ଯାଆନ୍ତି, ଜଣେ ବଡ଼ ଚାଟକୁ, ଯାହାକୁ ଏବର ହିସାବରେ ଆମେ ମନିଟର ବୋଲି କହିବା । ହେଲେ ବଡ଼ଚାଟମାନେ ଯେ କେବଳ ଅନ୍ୟ ଛାତ୍ରମାନଙ୍କୁ ନିୟନ୍ତ୍ରଣ କରୁଥିଲେ ତାହା ନୁହେଁ । ସେମାନେ ପାଠ ମଧ୍ୟ ଆଦାୟ କରିବାର କ୍ଷମତା ଓ ଦକ୍ଷତା ରଖୁଥିଲେ । ବଡ଼ଚାଟ ଜଣକ ଥିଲା ସବୁଠାରୁ ବେଶି ପାଠ ଜାଣିଥିବା ପିଲା । ଯେଉଁ ଦିନ ନାହାକ କୌଣସି କାରଣରୁ ଚାହାଳିରେ ନ ଥାଆନ୍ତି, ସେ ଦିନ ବଡ଼ ଚାଟ ହିଁ ଚାହାଳି ପରିଚାଳନା କରେ । ସେ ଶୃଙ୍ଖଳା ରକ୍ଷା କରେ, ନୂଆ ପାଠ ଦିଏ ତଥା ପୁରୁଣା ପାଠ ମଧ୍ୟ ଆଦାୟ କରେ । ବଡ଼ ଚାଟ ତଳକୁ ଦକ୍ଷତା ଅନୁସାରେ ଛାତ୍ରମାନେ ନିଜଠୁ କମ ବୟସର ଓ ଦକ୍ଷତାର ଚାଟମାନଙ୍କ ପାଇଁ ଶିକ୍ଷକଙ୍କର ଭୂମିକା ଅବଲୀଳା କ୍ରମେ ତୁଲାଇ ଯାଆନ୍ତି ।  

ମୌଖିକ ଆବୃତ୍ତି ଥିଲା ଚାହାଳି ପଢ଼ାର ମୂଳ ପଦ୍ଧତି । ସକାଳ ଓଳିଯାକ ପିଲାଏ ମାଟିରେ ଗୋବର ଲିପା ଚଟାଣ ଉପରେ ଖଡ଼ି ଧରି ଅକ୍ଷର ମଡ଼ା ଠାରୁ ଆରମ୍ଭ କରି ପଣିକିଆ ଇତ୍ୟାଦି ବଡ଼ ପାଟିରେ ଘୋଷି ଘୋଷି ଲେଖନ୍ତି । ନାହାକ ନିତ୍ୟକର୍ମ ମେଣ୍ଟାଇବା ପାଇଁ ବଡ଼ଚାଟକୁ ଜଗାଇ ଦେଇ ଯିବା ପରେ, ବଡ଼ ଚାଟ ଜଣକ ଖାଲି ନାହାକଙ୍କ ଆସିବା ବାଟକୁ ଛେକି ରହେ । ଅନ୍ୟ ପିଲାମାନେ ପାଠ କଅଣ ପଢ଼ିବେ, ପ୍ରାୟତଃ ଖେଳକୁଦ ଓ ନାନାଦି କଉତୁକରେ ମାତି ରହନ୍ତି । ନାହାକଙ୍କ ଆସିବା ଖବର ବଡ଼ ଚାଟ ଦେଲେ, ସମସ୍ତ ଚାଟମାନେ ଯେଝା ଯାଗାକୁ ଯାଇ ପୁଣି ପାଠ ଗାଇ ବସନ୍ତି । ହେଲେ ନାହାକ ଆସି ବେତ ଧରି ସମସ୍ତଙ୍କୁ ପୁଣି ଗୋଟିଏ ଛେକ ପିଚାରେ ସେକି ଦେଇ ଯାଆନ୍ତି ।

ସନ୍ଧ୍ୟାବେଳେ ମଧ୍ୟ ଚାଟମାନେ ଚାହାଳିରେ ପଢ଼ାପଢ଼ି କରୁଥିଲେ । ଛାତ୍ର ପିଛା ସପ୍ତାହକ ପାଇଁ ତେଲ ନିମନ୍ତେ ପଇସାଟିଏ ଦିଆ ହୁଏ ।  ସେତିକି ବେଳେ ନୂଆ କରି କିରାସିନି ତେଲ ଆସିଲା ।  ନାହାକ ହିଁ କାଳିଆ ପାତ୍ରଟିରେ କିରାସିନି ଆଣି ଥୋଇଲେ । ବୋତଲଟିର ଠିପି ଥାଏ ଗୋଟିଏ ପତ୍ର କାହାଳି । ପୁରୁଣା ତେଲ ତୁଳନାରେ କିରାସିନି ଥିଲା ଯଥେଷ୍ଟ ଶସ୍ତା । ଏଣୁ ପୁରୀ ଜିଲ୍ଲାରେ ପଢ଼ାପଢ଼ି ପାଇଁ ଆଲୁଅ ନିମନ୍ତେ କିରାସିନିର ପ୍ରବେଶ ଘଟିଲା ଉନବିଂଶ ଶତାବ୍ଦୀର ଶେଷ ଦଶକରେ । ହେଲେ ସେ ତେଲ ଦେବଭୋଗ୍ୟ ହେଲା ନାହିଁ । 

ବି.ଦ୍ର. - ଏହି ଲେଖାଟିର ଉପାଦାନ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଦ୍ୱାରା ଲିଖିତ, ତଥା କେନ୍ଦ୍ର ସାହିତ୍ୟ ଏକାଡେମୀଙ୍କ ଦ୍ୱାରା ପୁରସ୍କୃତ, ଆତ୍ମକଥା, ‘ଆତ୍ମଜୀବନୀ ଅଗଷ୍ଟ ୨୦୦୩ ମସିହାରେ ପ୍ରକାଶିତ ତୃତୀୟ ସଂସ୍କରଣରୁ ସଙ୍ଗୃହିତ ବହିଟି କଟକସ୍ଥ ପ୍ରକାଶନ ସଂସ୍ଥା କଟକ ଷ୍ଟୁଡ଼େଣ୍ଟସ୍ ଷ୍ଟୋର ଛପାଇଛନ୍ତି ବହିଟିର ପ୍ରଥମ ସଂସ୍କରଣ କେବେ ପ୍ରକାଶିତ ହୋଇଥିଲା, ସେହି ତଥ୍ୟ ପ୍ରକାଶକ ଦେଇ ନାହାନ୍ତି

No comments:

Post a Comment