Saturday, September 08, 2018

ମହାତ୍ମା ଗାନ୍ଧୀଙ୍କର ଆଶ୍ରମ ଭଜନାବଳୀ - 'ନମୋ ନିରଞ୍ଜନ'

କବି - ଗୋପବନ୍ଧୁ ଦାସ


ଚିତ୍ର - 'ମୋନ୍‌ଫେଲ୍ଡ୍'
ଚିତ୍ରକର - କାର୍ଲ ହାଗ୍‌ମାଇଷ୍ଟର (୧୮୪୮-୧୯୩୩)

ନମୋ ନିରଞ୍ଜନ ନିଖିଳ ନିଦାନ
ବ୍ୟାପ୍ତ ସର୍ବ ଚରାଚରେ ।
ପ୍ରଭୁ ଦୟାମୟ ମଙ୍ଗଳ ଆଳୟ 
ଜୟ ଜଗଦୀଶ ହରେ ।୧।

ନମୋ ନିରାକାର ସର୍ବ ବିଶ୍ୱାଧାର
ବ୍ୟକ୍ତ ବାହ୍ୟ ଅଭ୍ୟନ୍ତରେ ।
ପ୍ରଭୁ ବିଶ୍ୱପତି ଅଗତିର ଗତି
ଜୟ ଜଗଦୀଶ ହରେ ।୨।

ଧରି ତୁମ୍ଭ ବଳ ବହଇ ଅନିଳ
ଅନ୍ତରୀକ୍ଷେ ନିରନ୍ତରେ
ଆଦେଶେ ଉଦଧି ନ ଲଙ୍ଘେ ଅବଧି
ଜୟ ଜଗଦୀଶ ହରେ ।୩।

ତବ ଦିବ୍ୟ ଜ୍ୟୋତି ପରକାଶେ ନିତି
ଗ୍ରହ ତାରା ନୀଳାମ୍ବରେ
ତବ ପୁଣ୍ୟ ହାସେ କୁସୁମ ବିକଶେ
ଜୟ ଦଗଦିଶ ହରେ ।୪।

ପ୍ରକାଶି କରୁଣା ଯେ ପୁଣ୍ୟ ପ୍ରେରଣା
ଦେଇଅଛ ମୋ ଅନ୍ତରେ ।
କର ତାହା ସିଦ୍ଧି କରୁଣାବାରିଧି
ଜୟ ଜଗଦୀଶ ହରେ ।୫।

No comments:

Post a Comment