Friday, September 14, 2018

ଲାଓଜ଼ିଙ୍କର ଦାଓ ଜେ ଜିଙ୍ଗ୍ - ୮

ଅନୁବାଦ - ଜ୍ୟୋତି ନନ୍ଦ

ଚିତ୍ର - ସାକ୍ରାମେଣ୍ଟୋ ନଦୀରେ ସୂର୍ଯ୍ୟାସ୍ତ (୧୮୬୯ ମସିହାରେ ଅଙ୍କିତ)
ଟିତ୍ରକର - ଫର୍ଚ୍ୟୁନାଟୋ ଆରିଓଲା (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)
ଭଲ ଅଛି ଜଳ ମଧ୍ୟେ
ସାର୍ବଭୌମ ଭଲ ଯେମିତି ଜଳ
ଜଳ ଭଳି ସେ ସମସ୍ତଙ୍କ ପ୍ରୟୋଜନରେ ଅଛି
ମଣିଷ ଘୃଣା କରେ ଯେଉଁ ଜଳ, ନୀଚଭୂଇଁର ଜଳ,
ଦାଓ ଯେମିତି ଭୂମିନିମ୍ନ ଜଳ ।

ବାସ କର ସ୍ଥଳର ନିକଟ;
ଚିନ୍ତାକର ସରଳତା ସହ;
ସଙ୍ଘାତରେ ରହି ଥାଅ ସତ ଯେତେଟା ସମ୍ଭବ
ଶାସନ କରୁଥାଅ ନିୟନ୍ତ୍ରଣ ବିନା
ଯେଉଁଥିରେ ଆନନ୍ଦ ମିଳେ କରି ଯାଅ ସଙ୍କୋଚବିହୀନ ।

ପରିବାର ଜୀବନରେ ଉପସ୍ଥିତ ଥାଅ ସବୁବେଳେ;
ଯେତେବେଳେ ଥିବ ତମେ ଯଥେଷ୍ଟ ସରଳ,
ତୁଳନା କରୁ ନ ଥିବ କାହା ସହ କେବେ ଭୁଲରେ;
ହେବ ନାହିଁ କେବେ କାହା ପ୍ରତିଦ୍ୱନ୍ଦୀ;
ଦେଖିବ ସମସ୍ତେ ତମକୁ ଭଲପାଉଛନ୍ତି ସବୁଠୁ ଅଧିକ।

ବି. ଦ୍ର.: ପ୍ରସିଦ୍ଧ ଦାର୍ଶନୀକ ଲାଓଜ଼ି ଙ୍କର ଜନ୍ମ ଖ୍ରୀ.ପୂ. ଷଷ୍ଠରୁ ପଞ୍ଚମ ଶତାବ୍ଦୀ ମଧ୍ୟରେ ଚୀନ ଦେଶରେ । ତାଙ୍କର ଏକମାତ୍ର ପୁସ୍ତକ ଉପଲବ୍ଧ, ଯାହାର ନାଆଁ ହେଉଛି "ଦାଓ ଦେ ଜିଙ୍ଗ୍"। ଏଥିରେ ଏକାଅଶିଟି ଅନୁଚ୍ଛେଦ ରହିଛି, ଯାହାର କିଛି ଅଂଶର ଅନୁସୃଜନ ଆପଣମାନଙ୍କ ନିକଟରେ ଏବେ । ଲାଓଜ଼ି ଙ୍କୁ ଅନୁବାଦ କରିବାରେ ଏକ ବିହ୍ୱଳତା ଓ ଅତ୍ୟୁତ୍ସାହ ଯୋଗୁ ଯେଉଁ ତୃଟି ତାହାକୁ ମାର୍ଜନା କରିବେ । ତାଓ ଏକ ଧାର୍ମିକ ମତବାଦ ନୁହଁ । ଏହା ଏକ ରହସ୍ୟବାଦୀ ମତବାଦ । ସେ ସମୟରେ ଜଣେ "ଦାଓ ଈଶ୍ୱରଙ୍କ ଠାରୁ ପ୍ରବୀଣ" ବୋଲି କହିପାରିବାର ଧୃଷ୍ଟତା କରି ପାରିବାରେ ତାହାର ସାମର୍ଥ୍ୟ ରହିଛି ବୋଲି ବିଚାରଟିକୁ ଆପଣମାନଙ୍କ ଆଗରେ ରଖୁଛି । ବିଶ୍ୱ-ପ୍ରତିବିଶ୍ୱ, ପ୍ରକାଶ୍ୟ-ଅପ୍ରକାଶ୍ୟ, ସତ୍ୟ-ମିଥ୍ୟା ଓ ସତ୍ତା-ଅସତ୍ତାର ଅବବୋଧକୁ ଅନୁସୃଜନ କଲା ବେଳେ ମୋତେ ବାରମ୍ବାର ଲାଗିଛି ଲାଓଜ଼ି ଯେମିତି ଆମ ସମୟର ଜଣେ ଚିନ୍ତକ । ଯେମିତି ସେ ଉତ୍ତର-ଆଧୁନିକ ଆଉ ଉତ୍ତର-ସତ୍ୟର କଥା ନିଜ ବାଟରେ କହୁଛନ୍ତି ।କହିବାରେ ଟିକିଏ ବୋଲି ଆବିଳତା ନାହିଁ । ଆମ ପୃଥିବୀ ସତରେ ଖୁବ୍ ସୁନ୍ଦର । ଏହି ଭଳି ଗୁରୁମାନେ ପୃଥିବୀର ସମସ୍ତ ସୁନ୍ଦରପଣକୁ ଆମର ସୂର୍ଯ୍ୟ ସମେତ ସବୁ ଗ୍ରହ-ନକ୍ଷତ୍ର, ଯାବତୀୟ ପାର୍ଥିବ ବିଭାବ ସହ ଠିକ୍ ଭାବରେ ଦେଖିଯିବା ପାଇଁ ଆମକୁ ଆଖିଟିମାନ ଦେଇ ଯାଇଛନ୍ତି । ପୃଥିବୀରେ ଜନ୍ମିବାର ଏଇଟି ଏକମାତ୍ର ସୌଭାଗ୍ୟ । ଲାଓଜ଼ି ଶବ୍ଦଟିର ମାଣ୍ଡାରିନ ଭାଷାରେ ଅର୍ଥ ହେଉଛି 'ବୃଦ୍ଧ-ତରୁଣ' । ସେଥିରେ ଅନେକେ ଖୁସି ହେବେ ।

No comments:

Post a Comment