Sunday, September 02, 2018

ପୋଟଳ ସିଝା

ସରୋଜିନୀ ଚୌଧୁରୀ


ପୋଟଳ ଲତା (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)


ଉପକରଣ - ପୋଟଳ ଅଧ ସେର, ଘିଅ ବଡ଼ ପଳେ, ଅଦା ଅଧ ଗିରେ, ପିଆଜ ଚାରିଟା, ଲୁଣ ଅଧ ତୋଳେ, ଗୋଲମରିଚ ଚାରି କି ପାଞ୍ଚ ପୁଞ୍ଜା । 

ପ୍ରଣାଳୀ -  ପୋଟଳର ଚୋପା ଛଡ଼ାଇ ଡାଲିରେ କି ଝୋଳ ତରକାରି ସଙ୍ଗରେ ସିଝାଅ । ଅଦା ଏବଂ ପିଆଜର ଚୋପା ଛଡ଼ାଇ ବିରି ବା କୋଳଥ ଆକାରରେ, ଅର୍ଥାତ ଖୁବ୍ ଛୋଟ କରି, କାଟ । ଅଦାକୁ ଧୋଇ ନେବ । ପିଆଜ ଧୋଇବାର ଦରକାର ନାହିଁ । ଗୋଲମରିଚ ଚୁରି ରଖ । ସିଦ୍ଧ ପୋଟଳକୁ ବାହାର କରି ଚକଟ । ମଞ୍ଜି ଯଦି ଶକ୍ତ ହୋଇ ଯାଇ ଥିବ ତେବେ ତାହାକୁ ସ୍ୱତନ୍ତ୍ର କରି ରଖ (ଅବଶ୍ୟ ରୁଚି ଅନୁଯାୟୀ) । ଚକଟା ପୋଟଳରେ ଘିଅ ପିଆଜ ଆଦି ମିଶାଇ ଖାଇବାକୁ ଦେବ ।

ଗୁଣାଗୁଣ - ପୋଟଳ କଟୁ-ତିକ୍ତ-ମଧୁର ରସ, ଉଷ୍ଣବୀର୍ଯ୍ୟ, ଲଘୁପାକ, ଅଗ୍ନିବର୍ଦ୍ଧକ, ସ୍ୱିଗ୍ଧ, ସାରକ, ପାଚକ, ରୁଚିକର, ଶୁକ୍ରବର୍ଦ୍ଧକ ଏବଂ କଫ, ପିତ୍ତ, କଣ୍ଡୁ, କୁଷ୍ଠ, ଜ୍ୱର, ଦାହ, କାଶ, କୃମି, ରକ୍ତ ଓ ତ୍ରିଦୋଷ ପକ୍ଷରେ ଉପକାରକ ।

ବି.ଦ୍ର. - ପୋଟଳ ସିଝା ତିଆରିବାର ଏହି ପ୍ରଣାଳୀଟି ସରୋଜିନୀ ଚୌଧୁରୀ (୧୮୮୩-୧୯୫୭)ଙ୍କ ବହି 'ଗୃହିଣୀ ସର୍ବସ୍ୱ'ର ଲାର୍କ ବୁକ୍ସ୍ (ଭୁବନେଶ୍ୱର) ୨୦୦୯ ମସିହାରେ ଛାପିଥିବା ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି ।  ଏଠାରେ ଦିଆଯାଇଥିବା ପ୍ରଣାଳୀରେ ସରୋଜିନୀ ଚୌଧୁରୀ ଇଙ୍ଗିତ କରିଥିବା ଚିନିର ପରିମାଣଠାରୁ କମ୍ ବ୍ୟବହାର କରାଯାଇଛି । ବହିଟିର ପ୍ରଥମ ସଂସ୍କରଣ ୧୯୨୮ ମସିହାରେ ଛପାଯାଇଥିଲା । ସରୋଜିନୀ ଦେବୀ ଜଣେ ସ୍ୱାଧୀନତା ସଙ୍ଗ୍ରାମୀ ଭାବରେ ଜଣାଶୁଣା । ସେ ଫକୀରମୋହନ ସେନାପତିଙ୍କର ସର୍ବକନିଷ୍ଠ କନ୍ୟା ତଥା ଶିଳ୍ପୀ ବିପିନବିହାରୀ ଚୌଧୁରୀଙ୍କର ମାତା । 

No comments:

Post a Comment