Tuesday, September 04, 2018


ତିରିଶ ଦଶକର ପୁରୀରେ ପଢ଼ାପଢ଼ି


୧୯୨୮ ମସିହାର ପୁରୀର ବଡ଼ଦାଣ୍ଡର ଚିତ୍ର (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)


୧୯୩୫ ମସିହାରେ ସର୍ବେଶ୍ୱର ଦାଶଙ୍କର ଡେପୁଟି ବାପାଙ୍କର ପୁରୀ ବଦଳି ହେଲା । ସେ ପୁରୀର ଟ୍ରେଜେରି ଅଫିସର ଭାବରେ ଜଏନ କଲେ । ସେତେବେଳେ ଜାନୁଆରୀ ମାସରୁ ଶିକ୍ଷାବର୍ଷ ଆରମ୍ଭ ହେଉଥାଏ । ସର୍ବେଶ୍ୱର ପୁରୀ ଜିଲ୍ଲା ସ୍କୁଲରେ ସପ୍ତମ ଶ୍ରେଣୀରେ ଯୋଗ ଦେଲେ । ତାହା ସହ ରାମକୃଷ୍ଣ ପାଠାଗାରର ସଦସ୍ୟ ମଧ୍ୟ ବନିଲେ । ପିଲାବେଳଠୁଁ ସେ ଇଂରାଜୀରେ ଆଗ୍ରହୀ ଥିଲେ । ଅଷ୍ଟମରୁ ଏକାଦଶ ପର୍ଯ୍ୟନ୍ତ ଇଂରାଜୀ ମାଧ୍ୟମରେ ଶିକ୍ଷା ଲାଭ କରିଥିଲେ ।

ସପ୍ତମ ଶ୍ରେଣୀରେ ତାଙ୍କର ପାଖ-ସିଟ୍ ବସା ସାଙ୍ଗ ଥିଲେ, ରବୀନ୍ଦ୍ର କୁମାର ମିତ୍ର । ତାଙ୍କଠାରୁ ବଙ୍ଗଳା ଲେଖିପଢ଼ି ଶିଖିଲେ ଓ ବହୁତ ବଙ୍ଗଳା ବହି, ଯଥା, ‘ଯଖେର ଧନ’, ‘ଆବାର ଯଖେର ଧନ’ ପରି ରୋମାଞ୍ଚକର ପୁସ୍ତକ ତଥା ‘ମୌଚାକ’ ଆଦି ବଙ୍ଗଳା ପତ୍ରିକା ପଢ଼ା ଆରମ୍ଭ ହେଲା । ପୁରୀରେ ଦାଶଙ୍କ ନନା ‘ବ୍ରହ୍ମବିଦ୍ୟା’ ପତ୍ରିକାଟି ମଗାଉ ଥାଆନ୍ତି । ତାହା ମଧ୍ୟ ନିୟମିତ ପଢ଼ା ହୁଏ । ଅଷ୍ଟମ ଶ୍ରେଣୀର ଆରମ୍ଭରେ ଏହି ପତ୍ରିକାର ସମ୍ପାଦକ କୁଳଦାପ୍ରସାଦ ମଲ୍ଲିକ ପୁରୀ ଆସି ଜିଲ୍ଲା ସ୍କୁଲ ହଲରେ କୁହୁକ ଲଣ୍ଠନ ସହିତ ‘ଯୁଗେ ଯୁଗେ ଭାରତ’ ଶୀର୍ଷକରେ ଗୋଟିଏ ବତ୍କୃତା ଦେଲେ । ଏହି ହଲଟି ବର୍ତ୍ତମାନ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର କଲେଜ ହଲ ନାମରେ ନାମିତ । କୁହୁକ ଲଣ୍ଠନ (ମାଜିକ୍ ଲାଣ୍ଟର୍ନ) ବୋଇଲେ, ସେହି ଯନ୍ତ୍ରଟି ଭିତରେ ଚିତ୍ରଟିଏ ରଖି ଭିତର ଦୀପଟି ଜାଳିବାକୁ ପଡ଼େ । ତାହା ପରେ ଆଗରେ ରଖା ହୋଇଥିବା ପରଦାଟି ଉପରେ ସେହି ଚିତ୍ରଟି ବଡ଼ ଆକାରରେ ଦେଖାଯାଏ ।

ଯୁଗେ ଯୁଗେ ଭାରତ’ ବତ୍କୃତାଟିରେ ମଲ୍ଲିକ ବାବୁ ଭାରତୀୟ ସନ୍ଥ ପରମ୍ପରା ବିଷୟରେ ବିଷଦ ଆଲୋଚନା କଲେ । ଏହା ସର୍ବେଶ୍ୱରଙ୍କ ଉପରେ ପ୍ରଭାବ ପକାଇଲା । ଏହା ପରେ ସେ ରାମକୃଷ୍ଣ ମିଶନ ପ୍ରତି ଆକର୍ଷଣ ଅନୁଭବ କରି ତାହାର ପୁରୀରେ ଥିବା ଗ୍ରନ୍ଥାଗାରର ସଦସ୍ୟ ବନିଲେ । ସେଠି ଥିବା ଧର୍ମ ଓ ଆଧ୍ୟାତ୍ମିକତା ବିଷୟର ବହିମାନ, ଯଥା ରାମକୃଷ୍ଣ ଓ ବିବେକାନନ୍ଦଙ୍କ ଜୀବନୀ ଇତ୍ୟାଦି ପଢ଼ିବାକୁ ଲାଗିଲେ । ଏହା ସହ ଲାଇବ୍ରେରିକୁ ଆସୁଥିବା ‘ମଡର୍ଣ୍ଣ ରିଭ୍ୟୁ’ ଆଉ ‘ଇଣ୍ଡିଆନ ରିଭ୍ୟୁ’ ପରି ପତ୍ରିକା ମଧ୍ୟ ପଢ଼ିବା ଆରମ୍ଭ ହେଲା ।

ଘରେ ବେଦ, ଉପନିଷଦ, ଗୀତା ଓ ଭାଗବତ ଇତ୍ୟାଦି ଥାଏ । ମୂଳ ଉପନିଷଦ ସହିତ ସଂସ୍କୃତ ଓ ବଙ୍ଗଳା ଟୀକା ଓ ଅନୁବାଦ ମଧ୍ୟ ଥାଏ । କିଛି ବୁଝା ପଡ଼େ । କିଛି ପଡ଼େନି । ହେଲେ ପଢ଼ା ଜାରି ରହେ । ଘରେ ଅନେକ ସମୟରେ ଓଡ଼ିଆ ଭାଗବତର ପାରାୟଣ ଶୁଣିବାକୁ ମିଳେ । ସର୍ବେଶ୍ୱର ବାବୁଙ୍କ ନନା ତ ଘରକୁ ‘ଷ୍ଟେଟ୍ସ୍‌ମ୍ୟାନ୍’ ଖବରକାଗଜ ମଗାଉଥିଲେ । ୧୯୩୬ ମସିହାର ଡିସେମ୍ବର ମାସରୁ ତାହା ମଧ୍ୟ ପଢ଼ିବାକୁ ଛାତ୍ର ସର୍ବେଶ୍ୱର ଆରମ୍ଭ କଲେ । ଏହା ଛଡ଼ା ଘରେ ଥିବା ‘ବୋଉ’, ‘ଗୋବର ଗୋଟେଇ’ ଓ ‘ମଲା ଜହ୍ନ’ ପରି ଓଡ଼ିଆ ଉପନ୍ୟାସ ତଥା କେତେକ ସଂସ୍କୃତ ନାଟକ ଯଥା ‘ବିକ୍ରମୋର୍ବଶୀୟମ’ର ଓଡ଼ିଆ ଅନୁବାଦ, ରାଧାନାଥ ଓ ମଧୁସୂଦନ ଗ୍ରନ୍ଥାବଳୀ ତଥା ଗଙ୍ଗାଧର ମେହେରଙ୍କର ଲେଖା ମଧ୍ୟ ସେ ପଢ଼ିଲେ ।

ଘର ପାଖରେ ରହୁଥାଆନ୍ତି ପୁରୀ ଜିଲ୍ଲା ସ୍କୁଲର ଯୁବ ଇଂରାଜୀ ଶିକ୍ଷକ ପିତାମ୍ବର କର । ଇଂରାଜୀ ସାହିତ୍ୟ ପଠନ ଓ ଓଡ଼ିଆ ସାହିତ୍ୟରେ ତାଙ୍କର ଗଭୀର ଆଗ୍ରହ ଥିଲା । ତାଙ୍କଠାରୁ ଆଣି ଐତିହାସିକ ନାଟକ ଲେଖୁଥିବା ବଙ୍ଗାଳୀ ନାଟ୍ୟକାର ଦ୍ୱିଜେନ୍ଦ୍ର ଲାଲ ରାୟଙ୍କର ଗ୍ରନ୍ଥାବଳୀ, ଗିରିଷ ଘୋଷଙ୍କର ନାଟକମାନ ପଢ଼ିଲେ । ଏହା ସହ ନାନୀ ପଦ୍ମାବତୀ ଦେବୀଙ୍କ ଠାରୁ ଆଣି ବଙ୍କିମଚନ୍ଦ୍ର ଗ୍ରନ୍ଥାବଳୀ, ନିରୂପମା ଦେବୀ ଓ ଅନୁରୂପା ଦେବୀଙ୍କ ଲେଖା, ଇଶ୍ୱରଚନ୍ଦ୍ରଙ୍କ ଜୀବନୀ ତଥା ଶରତଚନ୍ଦ୍ରଙ୍କ ଉପନ୍ୟାସମାଳା ବି ପଢ଼ା ହେଲା ।

ଏସବୁ ମାନବିକ ମୂଲ୍ୟବୋଧର ସୂକ୍ଷ୍ମ ଚେତନା ତାଙ୍କ ଭିତରେ ସୃଷ୍ଟି କଲା । ନବମ କି ଦଶମ ଶ୍ରେଣୀରେ ପଢ଼ା ଆରମ୍ଭ ହେଲା ରବି ଠାକୁରଙ୍କର କବିତା, ଯାହା ତାଙ୍କର କିଶୋର ପ୍ରାଣରେ ସୃଷ୍ଟି କଲା ଭାବର ପ୍ଲାବନ । ‘ଗୀତାଞ୍ଜଳି’ ଗୋଟିଏ ସନ୍ଧ୍ୟାରେ ସାରିଦେଲେ । ଠାକୁରଙ୍କ ପ୍ରଭାବରେ ଆରମ୍ଭ କଲେ ବଙ୍ଗାଳି ଭାଷାରେ କବିତା ଲେଖା । ନାନୀଙ୍କ ଘରେ ବଙ୍ଗାଳୀ ବହି ଛଡ଼ା ଅନେକ ଓଡ଼ିଆ ବହି, ଯଥା କାଳିନ୍ଦୀ ପାଣିଗ୍ରାହୀଙ୍କର ‘ମୁକ୍ତାଗଡ଼ର କ୍ଷୁଧା’, ‘ଅମର ଚିତା’ ଆଦି ମଧ୍ୟ ଥିଲା । ସେଗୁଡ଼ିକ ବି ପଢ଼ା ହେଲା । ସେତେବେଳେ ମାୟାଧର ମାନସିଂହଙ୍କର ‘ଧୂପ’ ଚହଳ ସୃଷ୍ଟି କରିଥାଏ । ହେଲେ ରକ୍ଷଣଶୀଳମାନେ ବହିଟି ଉପରେ ନାକ ଟେକୁଥାଆନ୍ତି । ଏଣୁ ବହିଟି ପଢ଼ା ହେଲା ଘରର ଛାତ ଉପରେ, ଲୁଚିଲୁଚି । ଏମିତି ପଢ଼ିପଢ଼ି ଯେଉଁ ୠଚିଟି ତିଆରି ହେଲା, ତାହା ପରେ ନିର୍ମାଣ କଲା ବିଦଗ୍ଧ ସାହିତ୍ୟ ଶିକ୍ଷକ ସର୍ବେଶ୍ୱର ଦାଶଙ୍କୁ ।

ବି.ଦ୍ର. - ଏହି ଲେଖାଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ପ୍ରକାଶିତ ହୋଇଥିଲା । ପ୍ରବନ୍ଧଟି ସର୍ବେଶ୍ୱର ଦାଶଙ୍କର ଆତ୍ମଜୀବନୀ ‘ମୋ କାହାଣୀ’ରୁ ସଙ୍ଗୃହିତ । ଏହି ବହିଟି ୨୦୦୯ ମସିହାରେ ଭୁବନେଶ୍ୱରସ୍ଥ ସଂସ୍ଥା ‘ଶିକ୍ଷାସନ୍ଧାନ’ ଛପାଇଥିଲେ ।

No comments:

Post a Comment