Thursday, September 20, 2018

ଲାଓଜ଼ିଙ୍କର ଦାଓ ଜେ ଜିଙ୍ଗ୍ - ୧୦

ଅନୁବାଦ - ଜ୍ୟୋତି ନନ୍ଦ


ଚିତ୍ର - 'ଫିଲୋସଫର୍ ଇନ୍ ମେଡ଼ିଟେସନ୍' (୧୬୩୨ ମସିହାରେ ଅଙ୍କିତ)
ଚିତ୍ରକର - ରେମ୍ବ୍ରାଁ (୧୬୦୬-୧୬୬୯)

୧୦
ବଡ଼ ଗୁଣ
ତମେ କ'ଣ ରଖି ପାରିବ ମନକୁ ସଦାସର୍ବଦା ରଞ୍ଜିତ;
ସର୍ବଦା ଏକନିଷ୍ଟ ସଦା ସ୍ଥିର ?

ଧାରଣ କରି ପାରିବ ଦେହଟିଏ ଶିଶୁର ଯିଏ,
ଏଇ ମାତ୍ର ଦେଖିଲା ଆଲୁଅ;
ପରିଚ୍ଛନ୍ନ ରଖିପାର କ'ଣ ତମ ମନୋଦୃଷ୍ଟି,
ନ ଦେଖି କିଛି ଯାହା ଆଲୋକିତ ଥିଲା ପୂର୍ବେ ?

ଭଲପାଇ ପାରିବ କି ମଣିଷକୁ
ତମର ଇଚ୍ଛାର ବୋଝ ନ ବଢ଼ା ମୁଣ୍ଡ ଉପରକୁ ତା'ର ?
ଦେବ କି ସୁଯୋଗ, ପୂର୍ଣ୍ଣ ହେବ ଜଟିଳତା ସବୁ ?

ପ୍ରତ୍ୟାଶାବିହୀନ କାର୍ଯ୍ୟ;
ନିୟନ୍ତ୍ରଣବିହୀନ ନେତୃତ୍ୱ;
ଅଧିକାରବିହୀନ ଅର୍ଜନ;
ଏ ସବୁ ତ ସବୁଠାରୁ ବଡ଼ ଗୁଣ।

ବି. ଦ୍ର.: ପ୍ରସିଦ୍ଧ ଦାର୍ଶନୀକ ଲାଓଜ଼ି ଙ୍କର ଜନ୍ମ ଖ୍ରୀ.ପୂ. ଷଷ୍ଠରୁ ପଞ୍ଚମ ଶତାବ୍ଦୀ ମଧ୍ୟରେ ଚୀନ ଦେଶରେ । ତାଙ୍କର ଏକମାତ୍ର ପୁସ୍ତକ ଉପଲବ୍ଧ, ଯାହାର ନାଆଁ ହେଉଛି "ଦାଓ ଦେ ଜିଙ୍ଗ୍"। ଏଥିରେ ଏକାଅଶିଟି ଅନୁଚ୍ଛେଦ ରହିଛି, ଯାହାର କିଛି ଅଂଶର ଅନୁସୃଜନ ଆପଣମାନଙ୍କ ନିକଟରେ ଏବେ । ଲାଓଜ଼ି ଙ୍କୁ ଅନୁବାଦ କରିବାରେ ଏକ ବିହ୍ୱଳତା ଓ ଅତ୍ୟୁତ୍ସାହ ଯୋଗୁ ଯେଉଁ ତୃଟି ତାହାକୁ ମାର୍ଜନା କରିବେ । ତାଓ ଏକ ଧାର୍ମିକ ମତବାଦ ନୁହଁ । ଏହା ଏକ ରହସ୍ୟବାଦୀ ମତବାଦ । ସେ ସମୟରେ ଜଣେ "ଦାଓ ଈଶ୍ୱରଙ୍କ ଠାରୁ ପ୍ରବୀଣ" ବୋଲି କହିପାରିବାର ଧୃଷ୍ଟତା କରି ପାରିବାରେ ତାହାର ସାମର୍ଥ୍ୟ ରହିଛି ବୋଲି ବିଚାରଟିକୁ ଆପଣମାନଙ୍କ ଆଗରେ ରଖୁଛି । ବିଶ୍ୱ-ପ୍ରତିବିଶ୍ୱ, ପ୍ରକାଶ୍ୟ-ଅପ୍ରକାଶ୍ୟ, ସତ୍ୟ-ମିଥ୍ୟା ଓ ସତ୍ତା-ଅସତ୍ତାର ଅବବୋଧକୁ ଅନୁସୃଜନ କଲା ବେଳେ ମୋତେ ବାରମ୍ବାର ଲାଗିଛି ଲାଓଜ଼ି ଯେମିତି ଆମ ସମୟର ଜଣେ ଚିନ୍ତକ । ଯେମିତି ସେ ଉତ୍ତର-ଆଧୁନିକ ଆଉ ଉତ୍ତର-ସତ୍ୟର କଥା ନିଜ ବାଟରେ କହୁଛନ୍ତି ।କହିବାରେ ଟିକିଏ ବୋଲି ଆବିଳତା ନାହିଁ । ଆମ ପୃଥିବୀ ସତରେ ଖୁବ୍ ସୁନ୍ଦର । ଏହି ଭଳି ଗୁରୁମାନେ ପୃଥିବୀର ସମସ୍ତ ସୁନ୍ଦରପଣକୁ ଆମର ସୂର୍ଯ୍ୟ ସମେତ ସବୁ ଗ୍ରହ-ନକ୍ଷତ୍ର, ଯାବତୀୟ ପାର୍ଥିବ ବିଭାବ ସହ ଠିକ୍ ଭାବରେ ଦେଖିଯିବା ପାଇଁ ଆମକୁ ଆଖିଟିମାନ ଦେଇ ଯାଇଛନ୍ତି । ପୃଥିବୀରେ ଜନ୍ମିବାର ଏଇଟି ଏକମାତ୍ର ସୌଭାଗ୍ୟ । ଲାଓଜ଼ି ଶବ୍ଦଟିର ମାଣ୍ଡାରିନ ଭାଷାରେ ଅର୍ଥ ହେଉଛି 'ବୃଦ୍ଧ-ତରୁଣ' । ସେଥିରେ ଅନେକେ ଖୁସି ହେବେ ।

No comments:

Post a Comment