Thursday, September 06, 2018

ଲାଓଜ଼ିଙ୍କର ଦାଓ ଜେ ଜିଙ୍ଗ୍ - ୫

ଅନୁବାଦ - ଜ୍ୟୋତି ନନ୍ଦ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଅଟକି ରୁହ କେନ୍ଦ୍ରବିନ୍ଦୁରେ
ଦାଓ ଜନ୍ମ ଦିଏ ଭଲ ଆଉ ମନ୍ଦ
ଦାଓ ଏକ ଉପତ୍ୟକା
ତେବେ ଶୁଣ, କେନ୍ଦ୍ରକୁ ଆସିଛ ଯଦି, 
ଯାହା ନିଏ ନାହିଁ ପକ୍ଷ କାହାର
ଗୁରୁର ନାହିଁ କିଛି ପକ୍ଷ ଏମିତିରେ
ସେ ସନ୍ଥ ଆଉ ପାପୀକୁ ଏକାଠି ସ୍ୱାଗତ କରୁଥାନ୍ତି ।

ଦାଓ ଏକ ଶୂନ୍ୟତା
ଏକ ବିରଳ ଶୂନ୍ୟତା
ଯେତେ ବେଶି ଆଞ୍ଜୁଳାରେ ନେବ ସେତେ ବେଶି ବଢ଼େ
ବାଚାଳ ଯେତେ ବେଶି ହେବ
ସେତେ କମ୍ ପାଇବ ତାହାକୁ ।
ମୃଦୁବାକ୍ ହୋଇଯାଅ ତମେ ।

ବି. ଦ୍ର.: ପ୍ରସିଦ୍ଧ ଦାର୍ଶନୀକ ଲାଓଜ଼ି ଙ୍କର ଜନ୍ମ ଖ୍ରୀ.ପୂ. ଷଷ୍ଠରୁ ପଞ୍ଚମ ଶତାବ୍ଦୀ ମଧ୍ୟରେ ଚୀନ ଦେଶରେ । ତାଙ୍କର ଏକମାତ୍ର ପୁସ୍ତକ ଉପଲବ୍ଧ, ଯାହାର ନାଆଁ ହେଉଛି "ଦାଓ ଦେ ଜିଙ୍ଗ୍"। ଏଥିରେ ଏକାଅଶିଟି ଅନୁଚ୍ଛେଦ ରହିଛି, ଯାହାର କିଛି ଅଂଶର ଅନୁସୃଜନ ଆପଣମାନଙ୍କ ନିକଟରେ ଏବେ । ଲାଓଜ଼ି ଙ୍କୁ ଅନୁବାଦ କରିବାରେ ଏକ ବିହ୍ୱଳତା ଓ ଅତ୍ୟୁତ୍ସାହ ଯୋଗୁ ଯେଉଁ ତୃଟି ତାହାକୁ ମାର୍ଜନା କରିବେ । ତାଓ ଏକ ଧାର୍ମିକ ମତବାଦ ନୁହଁ । ଏହା ଏକ ରହସ୍ୟବାଦୀ ମତବାଦ । ସେ ସମୟରେ ଜଣେ "ଦାଓ ଈଶ୍ୱରଙ୍କ ଠାରୁ ପ୍ରବୀଣ" ବୋଲି କହିପାରିବାର ଧୃଷ୍ଟତା କରି ପାରିବାରେ ତାହାର ସାମର୍ଥ୍ୟ ରହିଛି ବୋଲି ବିଚାରଟିକୁ ଆପଣମାନଙ୍କ ଆଗରେ ରଖୁଛି । ବିଶ୍ୱ-ପ୍ରତିବିଶ୍ୱ, ପ୍ରକାଶ୍ୟ-ଅପ୍ରକାଶ୍ୟ, ସତ୍ୟ-ମିଥ୍ୟା ଓ ସତ୍ତା-ଅସତ୍ତାର ଅବବୋଧକୁ ଅନୁସୃଜନ କଲା ବେଳେ ମୋତେ ବାରମ୍ବାର ଲାଗିଛି ଲାଓଜ଼ି ଯେମିତି ଆମ ସମୟର ଜଣେ ଚିନ୍ତକ । ଯେମିତି ସେ ଉତ୍ତର-ଆଧୁନିକ ଆଉ ଉତ୍ତର-ସତ୍ୟର କଥା ନିଜ ବାଟରେ କହୁଛନ୍ତି ।କହିବାରେ ଟିକିଏ ବୋଲି ଆବିଳତା ନାହିଁ । ଆମ ପୃଥିବୀ ସତରେ ଖୁବ୍ ସୁନ୍ଦର । ଏହି ଭଳି ଗୁରୁମାନେ ପୃଥିବୀର ସମସ୍ତ ସୁନ୍ଦରପଣକୁ ଆମର ସୂର୍ଯ୍ୟ ସମେତ ସବୁ ଗ୍ରହ-ନକ୍ଷତ୍ର, ଯାବତୀୟ ପାର୍ଥିବ ବିଭାବ ସହ ଠିକ୍ ଭାବରେ ଦେଖିଯିବା ପାଇଁ ଆମକୁ ଆଖିଟିମାନ ଦେଇ ଯାଇଛନ୍ତି । ପୃଥିବୀରେ ଜନ୍ମିବାର ଏଇଟି ଏକମାତ୍ର ସୌଭାଗ୍ୟ । ଲାଓଜ଼ି ଶବ୍ଦଟିର ମାଣ୍ଡାରିନ ଭାଷାରେ ଅର୍ଥ ହେଉଛି 'ବୃଦ୍ଧ-ତରୁଣ' । ସେଥିରେ ଅନେକେ ଖୁସି ହେବେ ।

No comments:

Post a Comment