Wednesday, August 29, 2018

ଛଅ ଦୁଗୁଣେ ବାଆର


କଟକ ସ୍ଥିତ ଗୋରା କବର (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)

ଛଅ ଦୁଗୁଣେ ବାଆର, ମିଡିଲିଆ ଚୋର’ । ଶିକ୍ଷାବିତ ସର୍ବେଶ୍ୱର ଦାଶ ନିଜ ଗାଆଁ ବାଟ ଦେଇ ସମ୍ବଲପୁରରୁ ଆସି କଟକରେ ଟ୍ରେନିଙ୍ଗ ବିଦ୍ୟାଳୟ ସଂଲଗ୍ନ ମିଡିଲ୍ ସ୍କୁଲରେ ଯେବେ ତୃତୀୟ ଶ୍ରେଣୀରେ ନାମ ଲେଖାଇଲେ, ସେତେବେଳେ ତାଙ୍କୁ ଏହିପରି ଟାହୁଲି ଗୀତ ଅନ୍ୟ ସ୍କୁଲର ପିଲାଙ୍କଠାରୁ ଶୁଣିବାକୁ ପଡ଼ୁଥିଲା । ଏଥିକୁ ଅନ୍ୟ ଇସ୍କୁଲ ପିଲାଙ୍କୁ ମିଡିଲିଆ କଥା ଲେଉଟାନ୍ତି - ‘କଲେଜିଏଟ୍, ପାନ ବିଡ଼ି ସିଗାରେଟ୍’, ‘ମିଶନ୍ ଫେସନ୍’ । ଅବଶ୍ୟ ମିଡିଲ ସ୍କୁଲରେ ତୃତୀୟ ଶ୍ରେଣୀରୁ ଉଠି ପର ବର୍ଷ ସେଇ କଲେଜିଏଟେରେ ହିଁ ସର୍ବେଶ୍ୱର ବାବୁ ଚତୁର୍ଥ ଶ୍ରେଣୀରେ ନାମ ଲେଖେଇଲେ । ୧୯୩୧ ମସିହା ହବ ବୋଧେ । ସେ କଲେଜିଏଟ ସ୍କୁଲରେ ଯୋଗ ଦେଲା ବେଳକୁ ବିଜୁ ପଟ୍ଟନାୟକ ସେହି ସ୍କୁଲରେ ପଢ଼ୁ ଥାଆନ୍ତି ୧୦ କି ୧୧ କିଲାସରେ; ଫୁଲ ପ୍ୟାଣ୍ଟ ପିନ୍ଧି ବିଦ୍ୟାଳୟକୁ ଆସନ୍ତି, ଆଉ ଖେଳରେ ସବୁ ପୁରସ୍କାର ତକ ଉପରେ ସେ ନିଜ ନାଁ ଯେପରି ଲେଖାଇ ନେଇ ଥାଆନ୍ତି ।

କଟକରେ ସର୍ବେଶ୍ୱରଙ୍କ ପରିବାର ରହୁଥିଲେ ସାହେବଜାଦା ବଜାରରେ । ନିମଚଉଡ଼ିରୁ ଟ୍ରେନିଂ କଲେଜ ଯାଇଥିବା ରାସ୍ତା ଉପରେ ଘର, ଯାହାର ଏବର ନାମ ଭାଷାକୋଷ ସରଣୀ । ସ୍କୁଲରେ ସର୍ବେଶ୍ୱର ପିଲାବେଳରୁ ହିଁ ପ୍ରଥମ ହୁଅନ୍ତି । ତେଣୁ ମାଡ଼ଗାଳିର ତାଡ଼ନା ନ ଥାଏ । ତାହା ଛଡ଼ା ସେ ଚତୁର୍ଥ, ପଞ୍ଚମ, ଷଷ୍ଠ ଶ୍ରେଣୀରେ ମନିଟର ବି ହେଲେ । ତିନି ଥର ଲାଗଲାଗ । ଏହା ଥିଲା କଲେଜିଏଟ ବିଦ୍ୟାଳୟର ଇତିହାସରେ ଏକ ବ୍ୟତିକ୍ରମ । ସ୍କୁଲର ବାର୍ଷିକ ପୁରସ୍କାର ହିସାବରେ ବହି ହିଁ ମିଳୁଥିଲା । ସେଥିରୁ ସର୍ବେଶ୍ୱରଙ୍କୁ ମିଳିଥିବା ଗୋଟିଏ ପ୍ରାଇଜ ପୁସ୍ତକ ଥିଲା ରାମକୃଷ୍ଣ ନନ୍ଦଙ୍କ ଲିଖିତ ତୁଳସୀ ଦାସଙ୍କ ଜୀବନା ଓ ସ୍ତବକମାଳା । ପାଠ ପଢ଼ା ଛଡ଼ା ପିଲାବେଳୁ ହିଁ ଘରେ ଥିବା ‘ପିଲାଙ୍କ ମହାଭାରତ’ ଓ ‘ପିଲାଙ୍କ ରାମାୟଣ’ ଆଉ ‘’ନାବିକ ସିନ୍ଦବାଦ୍‌ର କାହାଣୀ’, ‘ଗଲିଭର୍‌ଙ୍କ କାହାଣୀ’, ‘ବାଲିରାଜା’ ଇତ୍ୟାଦି ବହି ତାଙ୍କର ପଢ଼ା ସରିଥାଏ ।

କଲେଜିଏଟେରେ ପାଠପଢ଼ା ଆରମ୍ଭ ହେବା ପରେ ବେଳେବେଳେ ସର୍ବେଶ୍ୱର ନିଜ ଭାଇନାଙ୍କ ସହିତ ଖେଳଛୁଟିରେ ନିଜ ଡେପୁଟି ମାଜିଷ୍ଟ୍ରେଟ ପିତା ଗୋପୀନାଥ ଦାଶଙ୍କ କଚେରିରେ ଥିବା ମିଶଲକୁ ଯାଆନ୍ତି । ଖାଇବା ଛୁଟି ସମୟରେ ବାପାଙ୍କ ସହ ବସି ଦୁଇ ଭାଇ ଜଳଖିଆ ଖାଆନ୍ତି । ଚାରି ପଇସାରେ ମିଳେ ପତର ଦନା ଭରତି ହେଲା ଭଳିଆ ଗୋଟେ ରସଗୋଲା । ଦୁଇ ଭାଇ ଜଳଖିଆ ଖାଆନ୍ତି ଆଉ ଈସ୍କୁଲୁ ଫେରନ୍ତି । ସମାଜର ସମ୍ପାଦକ ପଣ୍ଡିତ ଲିଙ୍ଗରାଜ ମିଶ୍ର ଥିଲେ ଗୋପୀନାଥ ମିଶ୍ରଙ୍କର କଟକରେ ପଡ଼ୋଶୀ । ସେତେବେଳେ ସେ ଲୋକ ସେବକ ମଣ୍ଡଳର ସଭ୍ୟ ମଧ୍ୟ ଥାଆନ୍ତି । ଲିଙ୍ଗରାଜ ବାବୁଙ୍କ ଦ୍ୱାରା ଲିଖିତ ଜୀବନୀ ଓ ଅନ୍ୟାନ୍ୟ ବହି ପଢ଼ି, ସର୍ବେଶ୍ୱର ଫରାସୀ, ଇତାଲୀୟ, ଓ ୠଷୀୟ ବିପ୍ଳବ ବିଷୟରେ ଜାଣିଲେ । ଏହା ଛଡ଼ା ‘ସମାଜ’ ପାଇଁ ଆସୁଥିବା ସମୀକ୍ଷା ପାଇଁ ବହିଗୁଡ଼ିକ ବି ଲିଙ୍ଗରାଜ ସର୍ବେଶ୍ୱରଙ୍କୁ ଧରାଇ ଦିଅନ୍ତି ପଢ଼ିବା ଲାଗି ।

ସେବେ ଚତୁର୍ଥ ଶ୍ରେଣୀରେ ‘ସାହିତ୍ୟ କୁସୁମ’ ବହିଟି ପଢ଼ା ହେଉଥିଲା । ପାଠ୍ୟପୁସ୍ତକଟିର ସମ୍ପାଦନା କରିଥିଲେ ମଧୁ ରାଓ । ଷଷ୍ଠ ଶ୍ରେଣୀରେ ପଢ଼ା ହୁଏ ତାଙ୍କରି ‘ସାହିତ୍ୟ ପ୍ରସଙ୍ଗ” । ପାଠରେ ଥାଏ ‘ପଦ୍ମ’, ‘ନିର୍ଜନ ଦ୍ୱୀପରେ ନିର୍ବାସିତର ବିଳାପ’, ‘ରେ ଆତ୍ମନ୍ ନିଦ୍ରା ପରିହରି’, ‘ତୁଳସୀ ସ୍ତବକ’, ‘ନଦୀ ପ୍ରତି’, ‘ସୀତା ବନବାସ’ ଇତ୍ୟାଦି କବିତା । ସେହି ଷଷ୍ଠ ଶ୍ରେଣୀରେ ୧୭୫୫ ମସିହାର ପର୍ତ୍ତୁଗାଲର ଲିସବନ ସହରକୁ ଧ୍ୱଂସ କରିଦେଇଥିବା ଭୂମିକମ୍ପ ବିଷୟରେ ପାଠ ପଢ଼ା ହେଉଥିବା ସମୟରେ ବିହାର ଭୂମିକମ୍ପ ଘଟେ ୧୯୩୪ ମସିହାରେ । ଏକ ବିଚିତ୍ର ସଞ୍ଜୋଗ । କଲେଜିଏଟ ସ୍କୁଲରେ ସର୍ବେଶ୍ୱର ୧୯୩୦ ଦଶକରେ ପଢ଼ିଲା ବେଳେ କଟକରେ ପ୍ରବଳ ମେଲେରିଆ ବ୍ୟାପୁଥିଲା । ସେ ନିଜେ ବି ଅନେକ ଥର ରୋଗ ଭୋଗିଥିବେ । ସେବେ ‘ଜାରମଲୀନ’ ଓଷଦର ମେଲେରିଆ ଚିକିତ୍ସା ପାଇଁ ନାଁ ଡାକ ଥିଲା । ରାସ୍ତାଘାଟରେ ମଡ଼ା ହୋଇଥାଏ, ‘ଜାରମଲୀନ ଜ୍ୱରର ଯମ’ ।

ଏଇ ସ୍କୁଲ ପାଠପଢ଼ା ସମୟରେ କଟକରେ ଜୋରଦାର ସତ୍ୟାଗ୍ରହ ଆନ୍ଦୋଳନ ଚାଲିଥିଲା । ଏହା ସର୍ବେଶ୍ୱରଙ୍କ ଉପରେ ଗଭୀର ପ୍ରଭାବ ପକାଇଥିଲା । ଘର ପାଖରେ ଥିବା ଗୋପାଳ ପ୍ରହରାଜଙ୍କର ଘର ଆଗ ବିସ୍ତୀର୍ଣ୍ଣ ପ୍ରାନ୍ତରେର ଦେଖା ହେଉଥିଲା କାଳୀ ପଟ୍ଟନାୟକଙ୍କ ରାସଦଳର ରାହାସ, ଉତ୍କଳଭୀମ ପଦ୍ମଚରଣହ୍କର ଶାରୀରିକ ଶକ୍ତିର ପ୍ରଦର୍ଶନ । ବେଳେବେଳେ କଲିକତିଆ କି ବମ୍ବେଇଆ କମ୍ପାନୀ ଆସି ନୀରବ ସିନେମା ବି ପ୍ରଦର୍ଶିତ କରନ୍ତି । ପରିବାର ସହିତ ଦେଖିଥିବା ‘ବେଗର୍ ମିଟ୍‌ସ୍ ବେଗର୍’ ଫିଲ୍ମଟି ସର୍ବେଶ୍ୱର ବାବୁଙ୍କର ଅନେକ ବର୍ଷ ପର୍ଯ୍ୟନ୍ତ ମନେ ଥିଲା । ବରଷକେ ଦୁଇ ତିନି ଥର ସରକସ ବାଲେ ବି ଆସନ୍ତି । ଦୁର୍ଗାପୂଜା, ତାଜିଆ ଶୋଭାଯାତ୍ରାରେ ହିନ୍ଦୁ ମୁସଲମାନ ମିଳିମିଶି ଭାଗ ନିଅନ୍ତି । ୧୯୩୧ରୁ ୧୯୩୫ ମସିହା ପର୍ଯ୍ୟନ୍ତ ଗୋପୀନାଥ ଦାଶଙ୍କ ପରିବାର କଟକରେ ଥିଲେ । ଏହା ପରେ ତାଙ୍କର ବଦଳି ହେଲା ପୁରୀକୁ । ପୁରୀରେ ସର୍ବେଶ୍ୱର ବାବୁ ପୁରୀ ଜିଲ୍ଲା ସ୍କୁଲରେ ସପ୍ତମ ଶ୍ରେଣୀରେ ନାମ ଲେଖାଇଲେ । ହେଲେ ତାଙ୍କର ହାଇ ସ୍କୁଲ ପାଠ ପଢ଼ା ଆଉ ଗୋଟିଏ କାହାଣୀ ।

ବି.ଦ୍ର. - ଏହି ଲେଖାଟି ସର୍ବେଶ୍ୱର ଦାଶଙ୍କର ଆତ୍ମଜୀବନୀ ‘ମୋ କାହାଣୀ’ରୁ ସଙ୍ଗୃହିତ । ଏହି ବହିଟି ୨୦୦୯ ମସିହାରେ ଭୁବନେଶ୍ୱରସ୍ଥ ସଂସ୍ଥା ‘ଶିକ୍ଷାସନ୍ଧାନ’ ଛପାଇଥିଲେ ।

No comments:

Post a Comment