Sunday, August 19, 2018

ଲାଓଜ଼ିଙ୍କର ଦାଓ ଜେ ଜିଙ୍ଗ୍ - ୨

ଅନୁବାଦ - ଜ୍ୟୋତି ନନ୍ଦ


ଲାଓଜ଼ି (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)

ଯେତେବେଳେ ସରିଯାଏ କାମ
ଯେତେବେଳେ ସରିଯାଏ କାମ
ଗୁରୁ ତାହାକୁ ଭୁଲି ଯାଆନ୍ତି ।
ଲୋକମାନେ ଯେତେବେଳେ କେଉଁଠି କେଉଁଠି
ସୌନ୍ଦର୍ଯ୍ୟ ଦେଖନ୍ତି;
ଆଉ କିଛି ମନେହୁଏ ତାଙ୍କର ଖୁବ୍ ଅସୁନ୍ଦର ।

ଲୋକେ ଯେତେବେଳେ କାହାକୁ କାହାକୁ ଭଲ କହନ୍ତି
ରହିବା ଆଉ ନ ରହିବା ଜଣେ ତିଆରି କରେ ଆରକୁ
ଜଟିଳତା ଆଉ ସହଜତା ଜଣେ ଆରଜଣକୁ ସମର୍ଥନ କରେ
ହସ୍ର ଆଉ ଦୀର୍ଘ ଚିହ୍ନାଏ ଜଣେ ଆରଜଣକୁ ।

ଉଚ୍ଚ ଆଉ ନୀଚ୍ଚ ପରସ୍ପର ଉପରେ ନିର୍ଭର କରନ୍ତି;
ଆଗ ଆଉ ପଛ ଅନୁସରଣ କରୁଥା'ନ୍ତି ଜଣେ ଆରଜଣକୁ ।
ଗୁରୁ ତାଙ୍କର ନିର୍ଦ୍ଧାରିତ କାମ କରୁ ଥାଆନ୍ତି, କିଛି ନ କରି;
ଦୀକ୍ଷା ଦେଉ ଥାଆନ୍ତି ସେ, ପଦେ କଥା ନାହିଁ,
ଯେତେବେଳେ କିଛି ଜାଗ୍ରତ ହୁଏ ସେ ଜଗାଇଦିଅନ୍ତି;
ଯେତେବେଳେ କିଛି ଅବଲୁପ୍ତ ହେବାକୁ ବସେ, ସେ ପୋଛି ଦିଅନ୍ତି;
ଯାହା ଅଛି, ତାହାକୁ ବିସର୍ଜି ଦେବାକୁ ତାଙ୍କର ନାହିଁ କିଛି ଦ୍ୱିଧା ।

ପ୍ରତ୍ୟାଶା ନାହିଁ ,କାମ ଖାଲି ତାଙ୍କର
ଯେତେବେଳେ କାମଶେଷର ଘଣ୍ଟା ବାଜେ
ସେ ଭୁଲିଯାଇଥାନ୍ତି କାମ;
ଏଥି ପାଇଁ ବଞ୍ଚିଥାଏ ତାଙ୍କ ଅବଦାନ ଓ
ସ୍ୱୟଂ ଗୁରୁ ନିଜେ ଚିରକାଳ ।

ଅନ୍ୟ କିଛି ନିଶ୍ଚେ ମନ୍ଦ ମନେ ହେବ ।


ବି. ଦ୍ର.: ପ୍ରସିଦ୍ଧ ଦାର୍ଶନୀକ ଲାଓଜ଼ି ଙ୍କର ଜନ୍ମ ଖ୍ରୀ.ପୂ. ଷଷ୍ଠରୁ ପଞ୍ଚମ ଶତାବ୍ଦୀ ମଧ୍ୟରେ ଚୀନ ଦେଶରେ । ତାଙ୍କର ଏକମାତ୍ର ପୁସ୍ତକ ଉପଲବ୍ଧ, ଯାହାର ନାଆଁ ହେଉଛି "ଦାଓ ଦେ ଜିଙ୍ଗ୍"। ଏଥିରେ ଏକାଅଶିଟି ଅନୁଚ୍ଛେଦ ରହିଛି, ଯାହାର କିଛି ଅଂଶର ଅନୁସୃଜନ ଆପଣମାନଙ୍କ ନିକଟରେ ଏବେ । ଲାଓଜ଼ି ଙ୍କୁ ଅନୁବାଦ କରିବାରେ ଏକ ବିହ୍ୱଳତା ଓ ଅତ୍ୟୁତ୍ସାହ ଯୋଗୁ ଯେଉଁ ତୃଟି ତାହାକୁ ମାର୍ଜନା କରିବେ । ତାଓ ଏକ ଧାର୍ମିକ ମତବାଦ ନୁହଁ । ଏହା ଏକ ରହସ୍ୟବାଦୀ ମତବାଦ । ସେ ସମୟରେ ଜଣେ "ଦାଓ ଈଶ୍ୱରଙ୍କ ଠାରୁ ପ୍ରବୀଣ" ବୋଲି କହିପାରିବାର ଧୃଷ୍ଟତା କରି ପାରିବାରେ ତାହାର ସାମର୍ଥ୍ୟ ରହିଛି ବୋଲି ବିଚାରଟିକୁ ଆପଣମାନଙ୍କ ଆଗରେ ରଖୁଛି । ବିଶ୍ୱ-ପ୍ରତିବିଶ୍ୱ, ପ୍ରକାଶ୍ୟ-ଅପ୍ରକାଶ୍ୟ, ସତ୍ୟ-ମିଥ୍ୟା ଓ ସତ୍ତା-ଅସତ୍ତାର ଅବବୋଧକୁ ଅନୁସୃଜନ କଲା ବେଳେ ମୋତେ ବାରମ୍ବାର ଲାଗିଛି ଲାଓଜ଼ି ଯେମିତି ଆମ ସମୟର ଜଣେ ଚିନ୍ତକ । ଯେମିତି ସେ ଉତ୍ତର-ଆଧୁନିକ ଆଉ ଉତ୍ତର-ସତ୍ୟର କଥା ନିଜ ବାଟରେ କହୁଛନ୍ତି ।କହିବାରେ ଟିକିଏ ବୋଲି ଆବିଳତା ନାହିଁ । ଆମ ପୃଥିବୀ ସତରେ ଖୁବ୍ ସୁନ୍ଦର । ଏହି ଭଳି ଗୁରୁମାନେ ପୃଥିବୀର ସମସ୍ତ ସୁନ୍ଦରପଣକୁ ଆମର ସୂର୍ଯ୍ୟ ସମେତ ସବୁ ଗ୍ରହ-ନକ୍ଷତ୍ର, ଯାବତୀୟ ପାର୍ଥିବ ବିଭାବ ସହ ଠିକ୍ ଭାବରେ ଦେଖିଯିବା ପାଇଁ ଆମକୁ ଆଖିଟିମାନ ଦେଇ ଯାଇଛନ୍ତି । ପୃଥିବୀରେ ଜନ୍ମିବାର ଏଇଟି ଏକମାତ୍ର ସୌଭାଗ୍ୟ । ଲାଓଜ଼ି ଶବ୍ଦଟିର ମାଣ୍ଡାରିନ ଭାଷାରେ ଅର୍ଥ ହେଉଛି 'ବୃଦ୍ଧ-ତରୁଣ' । ସେଥିରେ ଅନେକେ ଖୁସି ହେବେ ।

No comments:

Post a Comment