ଛଅ
ଦୁଗୁଣେ ବାଆର
 |
କଟକ ସ୍ଥିତ ଗୋରା କବର (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍) |
‘ଛଅ
ଦୁଗୁଣେ ବାଆର,
ମିଡିଲିଆ
ଚୋର’ ।
ଶିକ୍ଷାବିତ ସର୍ବେଶ୍ୱର ଦାଶ ନିଜ
ଗାଆଁ ବାଟ ଦେଇ ସମ୍ବଲପୁରରୁ ଆସି
କଟକରେ ଟ୍ରେନିଙ୍ଗ ବିଦ୍ୟାଳୟ
ସଂଲଗ୍ନ ମିଡିଲ୍ ସ୍କୁଲରେ ଯେବେ
ତୃତୀୟ ଶ୍ରେଣୀରେ ନାମ ଲେଖାଇଲେ,
ସେତେବେଳେ
ତାଙ୍କୁ ଏହିପରି ଟାହୁଲି ଗୀତ
ଅନ୍ୟ ସ୍କୁଲର ପିଲାଙ୍କଠାରୁ
ଶୁଣିବାକୁ ପଡ଼ୁଥିଲା । ଏଥିକୁ
ଅନ୍ୟ ଇସ୍କୁଲ ପିଲାଙ୍କୁ ମିଡିଲିଆ
କଥା ଲେଉଟାନ୍ତି -
‘କଲେଜିଏଟ୍,
ପାନ
ବିଡ଼ି ସିଗାରେଟ୍’,
‘ମିଶନ୍
ଫେସନ୍’ । ଅବଶ୍ୟ ମିଡିଲ ସ୍କୁଲରେ
ତୃତୀୟ ଶ୍ରେଣୀରୁ ଉଠି ପର ବର୍ଷ
ସେଇ କଲେଜିଏଟେରେ ହିଁ ସର୍ବେଶ୍ୱର
ବାବୁ ଚତୁର୍ଥ ଶ୍ରେଣୀରେ ନାମ
ଲେଖେଇଲେ । ୧୯୩୧ ମସିହା ହବ ବୋଧେ
। ସେ କଲେଜିଏଟ ସ୍କୁଲରେ ଯୋଗ ଦେଲା
ବେଳକୁ ବିଜୁ ପଟ୍ଟନାୟକ ସେହି
ସ୍କୁଲରେ ପଢ଼ୁ ଥାଆନ୍ତି ୧୦ କି
୧୧ କିଲାସରେ;
ଫୁଲ
ପ୍ୟାଣ୍ଟ ପିନ୍ଧି ବିଦ୍ୟାଳୟକୁ
ଆସନ୍ତି,
ଆଉ
ଖେଳରେ ସବୁ ପୁରସ୍କାର ତକ ଉପରେ
ସେ ନିଜ ନାଁ ଯେପରି ଲେଖାଇ ନେଇ
ଥାଆନ୍ତି ।
କଟକରେ
ସର୍ବେଶ୍ୱରଙ୍କ ପରିବାର ରହୁଥିଲେ
ସାହେବଜାଦା ବଜାରରେ । ନିମଚଉଡ଼ିରୁ
ଟ୍ରେନିଂ କଲେଜ ଯାଇଥିବା ରାସ୍ତା
ଉପରେ ଘର,
ଯାହାର
ଏବର ନାମ ଭାଷାକୋଷ ସରଣୀ । ସ୍କୁଲରେ
ସର୍ବେଶ୍ୱର ପିଲାବେଳରୁ ହିଁ
ପ୍ରଥମ ହୁଅନ୍ତି । ତେଣୁ ମାଡ଼ଗାଳିର
ତାଡ଼ନା ନ ଥାଏ । ତାହା ଛଡ଼ା ସେ
ଚତୁର୍ଥ,
ପଞ୍ଚମ,
ଷଷ୍ଠ
ଶ୍ରେଣୀରେ ମନିଟର ବି ହେଲେ । ତିନି
ଥର ଲାଗଲାଗ । ଏହା ଥିଲା କଲେଜିଏଟ
ବିଦ୍ୟାଳୟର ଇତିହାସରେ ଏକ ବ୍ୟତିକ୍ରମ
। ସ୍କୁଲର ବାର୍ଷିକ ପୁରସ୍କାର
ହିସାବରେ ବହି ହିଁ ମିଳୁଥିଲା ।
ସେଥିରୁ ସର୍ବେଶ୍ୱରଙ୍କୁ ମିଳିଥିବା
ଗୋଟିଏ ପ୍ରାଇଜ ପୁସ୍ତକ ଥିଲା
ରାମକୃଷ୍ଣ ନନ୍ଦଙ୍କ ଲିଖିତ ତୁଳସୀ
ଦାସଙ୍କ ଜୀବନା ଓ ସ୍ତବକମାଳା ।
ପାଠ ପଢ଼ା ଛଡ଼ା ପିଲାବେଳୁ ହିଁ
ଘରେ ଥିବା ‘ପିଲାଙ୍କ ମହାଭାରତ’
ଓ ‘ପିଲାଙ୍କ ରାମାୟଣ’ ଆଉ ‘’ନାବିକ
ସିନ୍ଦବାଦ୍ର କାହାଣୀ’,
‘ଗଲିଭର୍ଙ୍କ
କାହାଣୀ’,
‘ବାଲିରାଜା’
ଇତ୍ୟାଦି ବହି ତାଙ୍କର ପଢ଼ା
ସରିଥାଏ ।
କଲେଜିଏଟେରେ
ପାଠପଢ଼ା ଆରମ୍ଭ ହେବା ପରେ ବେଳେବେଳେ
ସର୍ବେଶ୍ୱର ନିଜ ଭାଇନାଙ୍କ ସହିତ
ଖେଳଛୁଟିରେ ନିଜ ଡେପୁଟି ମାଜିଷ୍ଟ୍ରେଟ
ପିତା ଗୋପୀନାଥ ଦାଶଙ୍କ କଚେରିରେ
ଥିବା ମିଶଲକୁ ଯାଆନ୍ତି । ଖାଇବା
ଛୁଟି ସମୟରେ ବାପାଙ୍କ ସହ ବସି
ଦୁଇ ଭାଇ ଜଳଖିଆ ଖାଆନ୍ତି । ଚାରି
ପଇସାରେ ମିଳେ ପତର ଦନା ଭରତି ହେଲା
ଭଳିଆ ଗୋଟେ ରସଗୋଲା । ଦୁଇ ଭାଇ
ଜଳଖିଆ ଖାଆନ୍ତି ଆଉ ଈସ୍କୁଲୁ
ଫେରନ୍ତି । ସମାଜର ସମ୍ପାଦକ
ପଣ୍ଡିତ ଲିଙ୍ଗରାଜ ମିଶ୍ର ଥିଲେ
ଗୋପୀନାଥ ମିଶ୍ରଙ୍କର କଟକରେ
ପଡ଼ୋଶୀ । ସେତେବେଳେ ସେ ଲୋକ ସେବକ
ମଣ୍ଡଳର ସଭ୍ୟ ମଧ୍ୟ ଥାଆନ୍ତି ।
ଲିଙ୍ଗରାଜ ବାବୁଙ୍କ ଦ୍ୱାରା
ଲିଖିତ ଜୀବନୀ ଓ ଅନ୍ୟାନ୍ୟ ବହି
ପଢ଼ି,
ସର୍ବେଶ୍ୱର
ଫରାସୀ,
ଇତାଲୀୟ,
ଓ
ୠଷୀୟ ବିପ୍ଳବ ବିଷୟରେ ଜାଣିଲେ
। ଏହା ଛଡ଼ା ‘ସମାଜ’ ପାଇଁ ଆସୁଥିବା
ସମୀକ୍ଷା ପାଇଁ ବହିଗୁଡ଼ିକ ବି
ଲିଙ୍ଗରାଜ ସର୍ବେଶ୍ୱରଙ୍କୁ ଧରାଇ
ଦିଅନ୍ତି ପଢ଼ିବା ଲାଗି ।
ସେବେ
ଚତୁର୍ଥ ଶ୍ରେଣୀରେ ‘ସାହିତ୍ୟ
କୁସୁମ’ ବହିଟି ପଢ଼ା ହେଉଥିଲା
। ପାଠ୍ୟପୁସ୍ତକଟିର ସମ୍ପାଦନା
କରିଥିଲେ ମଧୁ ରାଓ । ଷଷ୍ଠ ଶ୍ରେଣୀରେ
ପଢ଼ା ହୁଏ ତାଙ୍କରି ‘ସାହିତ୍ୟ
ପ୍ରସଙ୍ଗ” । ପାଠରେ ଥାଏ ‘ପଦ୍ମ’,
‘ନିର୍ଜନ
ଦ୍ୱୀପରେ ନିର୍ବାସିତର ବିଳାପ’,
‘ରେ
ଆତ୍ମନ୍ ନିଦ୍ରା ପରିହରି’,
‘ତୁଳସୀ
ସ୍ତବକ’,
‘ନଦୀ
ପ୍ରତି’,
‘ସୀତା
ବନବାସ’ ଇତ୍ୟାଦି କବିତା । ସେହି
ଷଷ୍ଠ ଶ୍ରେଣୀରେ ୧୭୫୫ ମସିହାର
ପର୍ତ୍ତୁଗାଲର ଲିସବନ ସହରକୁ
ଧ୍ୱଂସ କରିଦେଇଥିବା ଭୂମିକମ୍ପ
ବିଷୟରେ ପାଠ ପଢ଼ା ହେଉଥିବା ସମୟରେ
ବିହାର ଭୂମିକମ୍ପ ଘଟେ ୧୯୩୪
ମସିହାରେ । ଏକ ବିଚିତ୍ର ସଞ୍ଜୋଗ
। କଲେଜିଏଟ ସ୍କୁଲରେ ସର୍ବେଶ୍ୱର
୧୯୩୦ ଦଶକରେ ପଢ଼ିଲା ବେଳେ କଟକରେ
ପ୍ରବଳ ମେଲେରିଆ ବ୍ୟାପୁଥିଲା
। ସେ ନିଜେ ବି ଅନେକ ଥର ରୋଗ ଭୋଗିଥିବେ
। ସେବେ ‘ଜାରମଲୀନ’ ଓଷଦର ମେଲେରିଆ
ଚିକିତ୍ସା ପାଇଁ ନାଁ ଡାକ ଥିଲା
। ରାସ୍ତାଘାଟରେ ମଡ଼ା ହୋଇଥାଏ,
‘ଜାରମଲୀନ
ଜ୍ୱରର ଯମ’ ।
ଏଇ
ସ୍କୁଲ ପାଠପଢ଼ା ସମୟରେ କଟକରେ
ଜୋରଦାର ସତ୍ୟାଗ୍ରହ ଆନ୍ଦୋଳନ
ଚାଲିଥିଲା । ଏହା ସର୍ବେଶ୍ୱରଙ୍କ
ଉପରେ ଗଭୀର ପ୍ରଭାବ ପକାଇଥିଲା
। ଘର ପାଖରେ ଥିବା ଗୋପାଳ ପ୍ରହରାଜଙ୍କର
ଘର ଆଗ ବିସ୍ତୀର୍ଣ୍ଣ ପ୍ରାନ୍ତରେର
ଦେଖା ହେଉଥିଲା କାଳୀ ପଟ୍ଟନାୟକଙ୍କ
ରାସଦଳର ରାହାସ,
ଉତ୍କଳଭୀମ
ପଦ୍ମଚରଣହ୍କର ଶାରୀରିକ ଶକ୍ତିର
ପ୍ରଦର୍ଶନ । ବେଳେବେଳେ କଲିକତିଆ
କି ବମ୍ବେଇଆ କମ୍ପାନୀ ଆସି ନୀରବ
ସିନେମା ବି ପ୍ରଦର୍ଶିତ କରନ୍ତି
। ପରିବାର ସହିତ ଦେଖିଥିବା ‘ବେଗର୍
ମିଟ୍ସ୍ ବେଗର୍’ ଫିଲ୍ମଟି
ସର୍ବେଶ୍ୱର ବାବୁଙ୍କର ଅନେକ
ବର୍ଷ ପର୍ଯ୍ୟନ୍ତ ମନେ ଥିଲା ।
ବରଷକେ ଦୁଇ ତିନି ଥର ସରକସ ବାଲେ
ବି ଆସନ୍ତି । ଦୁର୍ଗାପୂଜା,
ତାଜିଆ
ଶୋଭାଯାତ୍ରାରେ ହିନ୍ଦୁ ମୁସଲମାନ
ମିଳିମିଶି ଭାଗ ନିଅନ୍ତି । ୧୯୩୧ରୁ
୧୯୩୫ ମସିହା ପର୍ଯ୍ୟନ୍ତ ଗୋପୀନାଥ
ଦାଶଙ୍କ ପରିବାର କଟକରେ ଥିଲେ ।
ଏହା ପରେ ତାଙ୍କର ବଦଳି ହେଲା
ପୁରୀକୁ । ପୁରୀରେ ସର୍ବେଶ୍ୱର
ବାବୁ ପୁରୀ ଜିଲ୍ଲା ସ୍କୁଲରେ
ସପ୍ତମ ଶ୍ରେଣୀରେ ନାମ ଲେଖାଇଲେ
। ହେଲେ ତାଙ୍କର ହାଇ ସ୍କୁଲ ପାଠ
ପଢ଼ା ଆଉ ଗୋଟିଏ କାହାଣୀ ।
ବି.ଦ୍ର.
- ଏହି
ଲେଖାଟି ସର୍ବେଶ୍ୱର ଦାଶଙ୍କର
ଆତ୍ମଜୀବନୀ ‘ମୋ କାହାଣୀ’ରୁ
ସଙ୍ଗୃହିତ । ଏହି ବହିଟି ୨୦୦୯
ମସିହାରେ ଭୁବନେଶ୍ୱରସ୍ଥ ସଂସ୍ଥା
‘ଶିକ୍ଷାସନ୍ଧାନ’ ଛପାଇଥିଲେ ।