ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ
ପ୍ରଥମ ଅଧ୍ୟାୟ
ପ୍ରଥମ ବଲ୍ଲୀ: ମନ୍ତ୍ର ୬
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ |
ଯାହା ହେଉ କ୍ରୋଧେ ପିତା କହିଲେ ଯେ କଥା ।
ପାଳିବି ତା, ନ କରିବି କେବେ ହେଁ ଅନ୍ୟଥା ।"
କ୍ଷଣେ ଅନ୍ତେ ପିତାଙ୍କର କ୍ରୋଧ ଉପସମେ ।
'କି କହିଲି' ବୋଲି ବ୍ୟଥା ପାଇଲେ ମରମେ ।।
ତହୁଁ ନଚିକେତା ସ୍ନିଗ୍ଧ କୋମଳ ବଚନେ ।
କହନ୍ତି, "ହେ ପିତା, କିଁପା ଦୁଃଖ କର ମନେ ?
ଆମ୍ଭ ପିତୃ ପିତାମହ ପୂର୍ବ ଆଚରଣ
ଯେ ବିଧାନେ ଚଳୁଛନ୍ତି ଏବେ ସାଧୁଗଣ ।।
ଶୁଦ୍ଧ ବୁଦ୍ଧ ଚିତ୍ତେ ତାହା କର ହେ ବିଚାର ।
କରନାହିଁ କେବେ ନିଜ ଉକ୍ତି ପ୍ରତ୍ୟାହାର ।
ବ୍ରୀହି ଯବ ଶସ୍ୟ ସମ ମରଇ ମାନବ ।
ଶସ୍ୟ ସମ ହୁଏ ପୁଣି ତାହାର ଉଦ୍ଭବ ।।
ଜମନ-ମରଣ-ବଶ ଅନୁକ୍ଷଣ ଲୋକ
ପେଷ ମୋତେ ଯମପୁରେ କରନାହିଁ ଶୋକ ।।"
ପିତୃସତ୍ୟ ରକ୍ଷା ଲାଗି ସେ ଯୋଗ୍ୟ ତନୟ
ଆଜ୍ଞାଶିରେ ବହି ବେଗେ ଗଲେ ଯମାଳୟ ।
ନଚିକେତା ପ୍ରବେଶିଲେ ଯେବେ ଯମପୁରେ
ଥିଲେ ଯମ ପରବାଶେ କାହିଁ ବହୁ ଦୂରେ ।
ବାହୁଡ଼ନ୍ତେ ତିନିଦିନ ଅନ୍ତେ ନିଜ ବାସେ
ଭୃତ୍ୟଗଣ ଜଣାଇଲେ ଶମନ ସକାଶେ ।। (ନ.ଭ. ୧।୧।୨)
No comments:
Post a Comment