Thursday, June 16, 2016

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ପ୍ରଥମ ଅଧ୍ୟାୟ 


ପ୍ରଥମ ବଲ୍ଲୀ : ଶ୍ଲୋକ ୨୧ -୨୨


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ଶ୍ଲୋକ ୨୧



କହେ ଯମ, "ପଚାରିଲେ ଯେ ତତ୍ତ୍ୱ ଆପଣ 
ସଂଶୟ-ଜଡ଼ିତ ତହିଁ ପୂର୍ବେ ଦେବଗଣ ।

ଆତ୍ମଧର୍ମ ତତ୍ତ୍ୱ ଏହୁ ସୂକ୍ଷ୍ମ ସୁଗହନ
ବୁଝିବେ ସହଜେ କାହିଁ ଜନସାଧାରଣ ?

ଏ ବର ନିମନ୍ତେ ଆଉ କଟାଳ ନ କର 
ଛାଡ଼ ଏହା ନଚିକେତା, ମାଗ ଅନ୍ୟ ବର ।"  (ନ.ଉ. ୧।୧।୬)

ଶ୍ଲୋକ ୨୨

ବୋଲେ ନଚିକେତା ଯାହା କହିଲ ଆପଣ 
ଏ ତତ୍ତ୍ୱେ ସଂଶୟ ପୂର୍ବେ କଲେ ଦେବଗଣ ।

ଇତର ଜନର ଏହା ନୁହଇ ସୁଗମ 
ସତ୍ୟ, ମାତ୍ର ତୁମ୍ଭ ପରି କାହିଁ ଅନ୍ୟତମ ।

ଏ ତତ୍ତ୍ୱର ଉପଯୁକ୍ତ ବକ୍ତା ଦଣ୍ଡଧର 
ଏହା ବିନୁ ନାହିଁ ମୋର ଲୋଡ଼ା ଅନ୍ୟ ବର ।" (ନ.ଉ. ୧।୧।୬)

No comments:

Post a Comment