Thursday, July 25, 2019

ଉଚିତ ବିଚାରବୋଧ: ଭିନ୍ନମତ ପ୍ରତି ସମ୍ମାନ

ଦେବ ରଞ୍ଜନ


ଅକିଲ ବିଲଗ୍ରାମିଙ୍କର ୨୦୧୨ ମସିହାରେ ଉତ୍ତୋଳିତ ଆଲୋକଚିତ୍ର (ୱିକିମିଡିଆ କମନ୍ସ୍)


ଗଲା ଜୁଲାଇ ୧୫ ତାରିଖରେ ପ୍ରକାଶିତ ହରପ୍ରସାଦ ଦାସଙ୍କ ଦ୍ଵାରା ଲିଖିତ ‘ଭ୍ରଷ୍ଟ ବୌଦ୍ଧିକତା” ସମ୍ପର୍କରେ କିଛି ପ୍ରତିକ୍ରିୟା ରହିଛି ଯାହା ଏଠାରେ ଉଲ୍ଲେଖ କରୁଛି । 'ଫ୍ରଣ୍ଟଲାଇନ'ରେ ପ୍ରକାଶିତ ଅକିଲ ବିଲଗ୍ରାମିଙ୍କ ସାକ୍ଷାତକାରଟି (ଜୁନ ୨୧ ଓ ଜୁଲାଇ ୫ ତାରିଖର) ପଢ଼ିବା ପାଇଁ ଓ ତାଙ୍କର ଅନ୍ୟ ସମସ୍ତ ସାକ୍ଷାତକାର (୨୦୧୮ ମସିହାରେ ପ୍ରକାଶିତ) ପଢ଼ିବା ଲାଗି ପ୍ରେରଣା ଦେଇଥିବା ହେତୁ ଲେଖକଙ୍କୁ ଅଶେଷ ଧନ୍ୟବାଦ ଲେଖକ ପ୍ରମୁଖ ଭାବରେ ଇଟାଲୀ ଓ ଜର୍ମାନୀର ଫାସିବାଦ ସହିତ ଭାରତର ଆରଏସଏସକୁ ତୁଳନା କରିବା ପ୍ରସଙ୍ଗରେ ବିଳଗ୍ରାମିଙ୍କ ସାତଟି କାରଣ ସହିତ ନିଜର ଅସହମତି ପ୍ରକାଶ କରିଛନ୍ତି । କିନ୍ତୁ ଦୁଃଖର କଥା ଯେ ବିଲଗ୍ରାମି ନିଜେ ସେହି ସାକ୍ଷାତକାରରେ କେଉଁଠି କହୁନାହାନ୍ତି ଯେ ଜର୍ମାନୀର ଫାସିବାଦ ସହିତ ଆରଏସଏସର ସାମଞ୍ଜସ୍ୟ ରହିଛି ବରଂ ସେ ନିଜେ କହୁଛନ୍ତି, ‘ମୁଁ ଏହାକୁ କଦାପି ଫାସିବାଦ କହୁ ନ ଥିବା ହେତୁ ଖୁସି ଏହାକୁ ମୁଁ ପ୍ରାୟତଃ ଏକଛତ୍ରବାଦୀ ପ୍ରଭୁତ୍ଵର ବ୍ୟାଧି ବୋଲି କହିଥାଏ ।' 

ଏହି ଉଭୟ ଚିନ୍ତାଧାରା ମଧ୍ୟରେ ଫରକ କ’ଣ ଅଛି ତାହା ଆଲୋଚନାକୁ ଆସିବା ପୂର୍ବରୁ ଲେଖକ କାହିଁକି ସମସ୍ତ ଆରଏସଏସ ବିରୋଧୀ ଚିନ୍ତାଧାରାକୁ ଭ୍ରଷ୍ଟ ବୌଦ୍ଧିକତା ସହିତ ତୁଳନା କରିଛନ୍ତି ? ସାକ୍ଷାତକାରକୁ ନିଜ ଅର୍ଥରେ ବଦଳାଇଦେଇ ‘ପ୍ରଫେସରଙ୍କ ଠାରୁ କୃତଘ୍ନ ସୁବିଧାଭୋଗି’ ପର୍ଯ୍ୟନ୍ତ ସମସ୍ତଙ୍କୁ ନିଜ ମତ ରଖିବାର ଅଧିକାରକୁ ‘ଭାରତ ବିରୋଧୀ ଅପପ୍ରଚାରରେ ମାତିଛନ୍ତି’ ବୋଲି ଉଲ୍ଲେଖ କରିଛନ୍ତି ? ଏହା କଣ ଗଣତନ୍ତ୍ରରେ ମତ ରଖିବାର ଅଧିକାର ପ୍ରସଙ୍ଗ ନୁହେଁ ? ବର୍ଟ୍ରାଣ୍ଡ ରସେଲଙ୍କ ଏକ ଉକ୍ତି ଅଛି ଯେ, 'ପୃଥିବୀର ଏକ ବଡ ସମସ୍ୟା ହେଲା ଯେ ଏଠାରେ ବୋକା ଓ ଧର୍ମାନ୍ଧମାନେ ନିଶ୍ଚିତ ଥିଲା ଭଳି ଯୁକ୍ତି କରିଥା’ନ୍ତି ଯେତେବେଳେ କି ଜ୍ଞାନୀ ମଣିଷମାନେ ସର୍ବଦା ଦ୍ଵନ୍ଦ ମଧ୍ୟରେ ରହିଥାନ୍ତି ।' ବୋଧହୁଏ ଅକିଲ ବିଲଗ୍ରାମି ଜଣେ ବିଦ୍ଵାନ ବ୍ୟକ୍ତି ହୋଇଥିବା ହେତୁ ବର୍ତ୍ତମାନର ଆରଏସଏସର ଫାସିବାଦି ଚରିତ୍ର ସମ୍ପର୍କରେ କୌଣସି ନିଶ୍ଚିତ ବିନ୍ଦୁରେ ପହଞ୍ଚିପାରି ନାହାନ୍ତି ହେଲେ ବିଲଗ୍ରାମିଙ୍କ ଦ୍ଵାରା ଉତ୍ଥାପିତ ସେହି ସାତଟି କାରଣ ଓ ତତସମ୍ବନ୍ଧିତ ଲେଖକଙ୍କ ସମାଲୋଚନାକୁ ଏଠାରେ ଆଲୋଚନା କରୁଛି

ଏଠି ପରା ମୋଦୀଙ୍କ ଦଳ ଓ ଶାସନରେ ମୁସଲମାନ ସାମିଲ’ : ଲୋକସଭାର ସମୁଦାୟ ୫୪୨ ଆସନର ନିର୍ବାଚନରେ ବିଜେପିର ସର୍ବାଧିକ ୩୦୩ ଜଣ ସାଂସଦ ୨୦୧୯ ମସିହାର ଲୋକସଭା ନିର୍ବାଚନରେ ନିର୍ବାଚିତ ହେଲେ ଆଜି ନିର୍ବାଚିତ ସମସ୍ତ ସାଂସଦଙ୍କ ମଧ୍ୟରେ ୯୦ % ହିନ୍ଦୁ ଧର୍ମାବଲମ୍ବୀ ଅଛନ୍ତି ଓ କେବଳ ବିଜେପିକୁ ଦେଖିଲେ ସେଥିରେ ୩୦୩ ଜଣ ସାଂସଦଙ୍କ ମଧ୍ୟରୁ ଜଣଙ୍କୁ ଛାଡ଼ି ଦେଲେ ସମସ୍ତେ ଅର୍ଥାତ ୯୯.୬ % ହିନ୍ଦୁ ଧର୍ମାବଲମ୍ବୀ ଅଟନ୍ତି ବର୍ତ୍ତମାନ ନିର୍ବାଚିତ ସମସ୍ତ ବିଜେପିର ଲୋକସଭା ସାଂସଦଙ୍କ ମଧ୍ୟରେ ମାତ୍ର ୧୪% ମହିଳା, ୮୮% କୋଟିପତି ଓ ୩୯ % ଫଉଜଦାରି ମକଦ୍ଦମା ରହିଥିବା ସଦସ୍ୟ ଅଛନ୍ତି, ଯେଉଁମାନେ 'ନୂଆ ଭାରତ' ନିର୍ମାଣରେ ପ୍ରୟାସରତ ଗଲା ୨୦୧୪ ନିର୍ବାଚନରେ, ବିଜେପିର ୨୮୨ ଜଣ ଏମପିଙ୍କ ମଧ୍ୟରୁ ୧୦୦% ହିନ୍ଦୁ ଥିଲେ, ଜଣେ ବି ହେଲେ ମୁସଲମାନ ନ ଥିଲେ । ୨୦୧୭ ମସିହାରେ ଉତ୍ତର ପ୍ରଦେଶର ବିଜେପି ସରକାରରେ ୩୧୨ ଜଣ ବିଧାନସଭା ସଦସ୍ୟଙ୍କ ମଧ୍ୟରୁ ଜଣେ ହେଲେ ମୁସଲମାନ ନାହାନ୍ତି । ଏହି ରାଜ୍ୟରେ ୧୯.୩% ମୁସଲମାନ ଥାଇ ମଧ୍ୟ ବିଜେପିର ୩୮୪ ପ୍ରାର୍ଥୀଙ୍କ ମଧ୍ୟରୁ ଜଣେ ହେଲେ ମୁସଲମାନ ନ ଥିଲେ । କେମିତି ତେବେ ମୋଦୀଙ୍କ ଦଳରେ ମୁସଲମାନ ସାମିଲ ? ସେହି ହେତୁ ତ ଲୋକସଭାରେ ଶପଥ ଗ୍ରହଣ ସମୟରେ ‘ଜୟ ଶ୍ରୀରାମ’, ‘ରାଧେ ରାଧେ’ ଓ ଏହାର ପ୍ରତିକ୍ରିୟାରେ ‘ଆଲ୍ଲା ହୋ ଆକବର’ ଶୁଣାଗଲା !
ଆରଏସଏସ ପ୍ରଚାରକଙ୍କ ସର୍ବସ୍ଵ ସମର୍ପଣ’ : ୧୯୪୬ ନୂଆଖାଲି ଦଙ୍ଗା ସମୟର କଥା । ଗାନ୍ଧୀଙ୍କ ବ୍ୟକ୍ତିଗତ ସଚିବ ପ୍ୟାରେଲଲ ନିଜର ପୁସ୍ତକରେ ଲେଖିଛନ୍ତି ଯେ ଗାନ୍ଧୀଙ୍କ ଜଣେ ଅନୁଗାମୀ ଆରଏସଏସ କର୍ମୀଙ୍କ ନିଷ୍ଠା, ସାହସ, ଶ୍ରୁଙ୍ଖଳା ଓ କାର୍ଯ୍ୟଦକ୍ଷତାକୁ ପ୍ରଶଂସାକରି କହିଲେ ଯେ, ସେମାନେ ବିଭାଜନ ସମୟରେ ପଞ୍ଜାବର ୱାଗହ ଶିବିରରେ ଉଲ୍ଲେଖନୀୟ କାମ କରିଛନ୍ତି ତୁରନ୍ତ ଗାନ୍ଧୀ ଉତ୍ତର ଦେଇଛନ୍ତି, ‘ଭୁଲି ଯାଅନି ଯେ ହିଟଲରଙ୍କ ନାଜି ବାହିନୀ ଓ ମୁସୋଲିନିଙ୍କ ଫାସିବାଦୀ ଶକ୍ତି ପାଖରେ ସେହି ସମାନ କଥା ରହିଥିଲା ।' ଏହାପରେ ପ୍ୟାରେଲଲ ଲେଖୁଛନ୍ତି, ଆରଏସଏସକୁ ଗାନ୍ଧୀ ‘ସମସ୍ତ ପ୍ରଭୁତ୍ଵ ଜାହିର କରୁଥିବା ଏକ ସାମ୍ପ୍ରଦାୟିକ ସଙ୍ଗଠନ’ ଭାବରେ ଦେଖିଛନ୍ତି । ଯେଉଁଠି ସମର୍ପଣ ଭାବନାର ଉଦ୍ଦେଶ୍ୟ ସମାଜର ଅହିତ, ତାହା କେମିତି ପ୍ରଶଂସାଯୋଗ୍ୟ ?
ସଙ୍ଖ୍ୟାଲଘୁ ଓ ଦଳିତଙ୍କ ଉପରେ ଅତ୍ୟାଚାର’କୁ ଖଣ୍ଡନ : ଗଲା ଦଶ ବର୍ଷ ମଧ୍ୟରେ ୨୯୭ଟି ଭିଡହିଂସା ଅଥବା ଲିଞ୍ଚିଂ ଘଟଣା ଦେଶରେ ହୋଇଛି ଯେଉଁଥିରେ ୯୮ ଜଣ ମୃତ୍ୟୁ ବରଣ କରିଛନ୍ତି, ୭୨୨ ଜାଣ ଆଘାତ ପାଇଛନ୍ତି ଓ ଏଥିରେ ୫୮% ମୁସଲମାନ ଅଛନ୍ତି ଏଥିରୁ ୬୬% ଘଟଣା ବିଜେପି ଶାସିତ ରାଜ୍ୟରେ ହୋଇଛି ଓ ୧୬% କଂଗ୍ରେସ ରାଜ୍ୟରେ ହୋଇଛି ଏମାନଙ୍କୁ ଗିରଫ କରିବା ରାଜ୍ୟର ଆଇନ ଶ୍ରୁଙ୍ଖଳା ବିଷୟ । କିନ୍ତୁ ଗାଈର ସୁରକ୍ଷା ଓ ମୁସଲମାନ ବିରୋଧୀ ଘୃଣାପୂର୍ଣ୍ଣ ମନ୍ତବ୍ୟ ଯାହା ଲାଗି ଏଭଳି ଘଟଣା ହେଉଛି (ଓ ଆଇପିସିରେ ହିଂସା ପାଇଁ ଉସୁକାଇବା ଏକ ଅପରାଧ ମଧ୍ୟ) କୌଣସି ରାଜନେତା ନା ବିଜେପି ନା କଙ୍ଗ୍ରେସ ଶାସିତ ରାଜ୍ୟରେ ଗିରଫ ହେଉଛନ୍ତି । ନିଜେ ପ୍ରଧାନମନ୍ତ୍ରୀ ମଧ୍ୟ ନୀରବ ରହୁଛନ୍ତି
ବିଜେପିର ‘ପାଞ୍ଚ ବିଲିୟନ ଅର୍ଥନୀତିରେ ପହଞ୍ଚିବାର ଆସ୍ପର୍ଦ୍ଧା (ଏହା ସେହି ସାତଟି କାରଣ ମଧ୍ୟରେ ନାହିଁ କିନ୍ତୁ ଲେଖାରେ ଉଲ୍ଲେଖ ରହିଛି ): ପ୍ରଥମେ ନେହେରୁଙ୍କ ମିଶ୍ର ଅର୍ଥନୀତି ଓ ପଞ୍ଚବାର୍ଷିୟ ଯୋଜନା ମଧ୍ୟରେ ଅଧିକରୁ ଅଧିକ ଶିଳ୍ପାଞ୍ଚଳ, ଡ୍ୟାମ, ବନ୍ଧର ନିର୍ମାଣ କରାଗଲା, ଯାହା ଦ୍ଵାରା ଦେଶର ଉତ୍ପାଦନ ଅତିମାତ୍ରାରେ ବଢ଼ାଇହେବ ଓ ଅଧିକ ଶ୍ରମିକଙ୍କୁ ନିଯୁକ୍ତି ମିଳିବ ସେତେବେଳେ ସ୍ଲୋଗାନ ଥିଲା ‘ସାରେ ଯାହାଁ ସେ ଆଛା ହିନ୍ଦୁସ୍ତାନ ହାମାରା’ ଓ ଏଥିରେ ଉନ୍ନତି ହେଲା ପୂର୍ବର ରାଜା, ଜମିଦାର ଓ ପୁଞ୍ଜିପତି ବର୍ଗ କିନ୍ତୁ ବଳି ପଡିଲେ ଅଧିକରୁ ଅଧିକ ଆଦିବାସୀ, ଦଳିତ ଓ ଚାଷୀ ବର୍ଗ ତଥ୍ୟ କୁହେ ଯେ ଭାରତ ସ୍ଵାଧୀନ ହେବା ସମୟରେ ୭୫% ଉତ୍ପାଦନ ଘରୋଇ ଉଦ୍ୟୋଗଙ୍କ (ବମ୍ବେ କ୍ଲବର ସଦସ୍ୟ) ଦ୍ଵାରା ହେଉଥିଲା କଙ୍ଗ୍ରେସ ପାର୍ଟିର ପରବର୍ତ୍ତୀ ପିଢ଼ି ନରସିଂହରାଓ–ମନମୋହନ ସିଂହଙ୍କ ଦ୍ଵାରା ନବେ ଦଶକର ଯେଉଁ ଆର୍ଥିକ ସଂସ୍କାର ଆସିଲା ସେଥିରେ ଉତ୍ପାଦନକୁ ବହୁଗୁଣିତ କରିବା ଲକ୍ଷ୍ୟରେ ବହୁ ସରକାରୀ ଉଦ୍ୟୋଗକୁ ଦେଶୀ ଓ ବିଦେଶୀ ପୁଞ୍ଜିପତିଙ୍କୁ ବିକ୍ରିକରାଗଲା ଓ ବହୁ କ୍ଷେତ୍ରକୁ ଉନ୍ମୁକ୍ତ କରିଦିଆଗଲା
ଆଜି ବି ସେହି ଦ୍ଵିତୀୟ ପିଢ଼ିର ଆରମ୍ଭ ହୋଇଥିବା ପ୍ରକ୍ରିୟାଟି ଦ୍ରୁତ ଗତିରେ ପାଞ୍ଚ ବିଲିୟନ ଅର୍ଥନୀତିରେ ପହଞ୍ଚିବାର ଲକ୍ଷ୍ୟରେ ଚାଲିଛି ମାନ ପ୍ରକ୍ରିୟାରେ ଅର୍ଥାତ ଉତ୍ପାଦନ ବଢ଼ାଇବା ଉଦ୍ଦେଶ୍ୟରେ ବିଏସଏନଏଲ, ଏନଟିପିସି, ଏୟାର ଇଣ୍ଡିଆ, ଭାରତ ଏରୋନଟିକ୍ସ, ରେଳ ବିଭାଗର କିଛି ସରକାରୀ ଅଂଶଧନ ଇତ୍ୟାଦି ବାକି ଯାହା ଥିଲା, ସେସବୁରୁ ସରକାର ନିଜ ଅଂଶଧନକୁ ଘରୋଇ କମ୍ପାନୀଙ୍କୁ ବିକ୍ରି କରିବାରେ ଲାଗିଛନ୍ତି ଓ ବୀମା ତଥା ପ୍ରତିରକ୍ଷା କ୍ଷେତ୍ରରେ ବିଦେଶୀ ପୁଞ୍ଜି ବିନିଯୋଗ ଲାଗି ଅନୁମତି ଦେଇଛନ୍ତି ବିଜେପି ପାଖରେ ସ୍ପଷ୍ଟ ବହୁମତ ରହିଥିଲା ଏକ ନୂତନ ଦିଗରେ ଅର୍ଥନୀତିକୁ ପରିଚାଳିତ କରିବାର କିନ୍ତୁ ଗଲା ପାଞ୍ଚ ବର୍ଷ ମଧ୍ୟରେ ବର୍ଷକୁ ୧୫,୦୦୦ ହାରରେ ଚାଷୀ ଆତ୍ମହତ୍ୟା କରୁଛନ୍ତି, ପୁଷ୍ଟିହୀନତା ହେତୁ ଭାରତ ଏବେ ବି ଶୀର୍ଷରେ, ବେକାରି ସମସ୍ୟା ଗଲା ଦୁଇ ବର୍ଷରେ ଦ୍ଵିଗୁଣିତ ହୋଇଛି, ୫୧% ପ୍ରଜନନକ୍ଷମ ମହିଳା ରକ୍ତହୀନତାରେ ଶିକାର ହେଉଛନ୍ତି ଓ ଜାତିସଙ୍ଘର ବର୍ତ୍ତମାନ ରିପୋର୍ଟ ଅନୁସାରେ ଭାରତରେ ପ୍ରତି ଦୁଇ ଜଣ ଆଦିବାସୀରେ ଜଣେ ଓ ପ୍ରତି ତିନି ଜଣରେ ଜଣେ ଦଳିତ ଓ ମୁସଲମାନ ଗରିବ ଏନଏସଏସଓ ତଥ୍ୟ ଅନୁସାରେ ୨୦୧୧-୧୨ ଓ ୨୦୧୭-୧୮ ମଧ୍ୟରେ ଦୁଇ କୋଟି ଲୋକ ନିଜ ଚାକିରି ହରାଇସାରିଲେଣି, ଯାହାର କାରଣ ଅଟୋମେସନ (ଉଦାହରଣ: ମାରୁତି ସୁଜୁକିର ପ୍ରତି ଚାରି ଜଣ ଶ୍ରମିକରେ ଜଣେ ରୋବୋର୍ଟ ଏହିପରି ୫୦୦୦ ରୋବୋର୍ଟ ନିଯୁକ୍ତ ହୋଇଛନ୍ତି )ଏକ ଲକ୍ଷ ଆଦିବାସୀଙ୍କୁ ସେମାନଙ୍କ ଜଙ୍ଗଲ ଜମିରୁ ବେଦଖଲ କରିଦିଆଗଲା ଏହା କ’ଣ ‘ସାମୁହିକ ସଫଳତାର ମହାଦୃଶ୍ୟ’ ? ସରକାରଙ୍କ ନୀତିକୁ ସମାଲୋଚନା କରିବାକୁ ଲେଖକ ଅଶ୍ଵସ୍ତି ଅନୁଭବ କରୁଛନ୍ତି ଓ ତାହାକୁ ‘ଭାରତ ବିରୋଧୀ ଅପପ୍ରଚାର କହୁଛନ୍ତି’ ଲେଖାଟିରେ ସେ ସମାଲୋଚକକୁ ଧମକ ମଧ୍ୟ ଦେଉଛନ୍ତି, “ତାଙ୍କୁ ତାଙ୍କରି କ୍ଷେତ୍ରରେ ହିଁ ମାଡ଼ ଦେବାକୁ ହେବ!’
ଲେଖକ ଯେତେବେଳେ ଅକିଲ ବିଲଗ୍ରାମିଙ୍କ ସାକ୍ଷାତକରକୁ ଓଡିଆ ପାଠକ ନିକଟରେ ପରିଚିତ କରାଇବାକୁ ଭାବିଲେ, ସେତେବେଳ ସେ ଆଜିର ପୁଞ୍ଜିବାଦ ଓ ଜାତୀୟତା ପ୍ରସଙ୍ଗ, ସାମାଜିକ ଗଣତନ୍ତ୍ର ପ୍ରସଙ୍ଗ, ଏହାର ପୂର୍ବ ସାକ୍ଷାତକାରରେ ପପୁଲିଜ୍ମ ପ୍ରସଙ୍ଗ ଓ ୨୦୧୮ ମସିହାରେ ଦେଇଥିବା ଏକ ସାକ୍ଷାତକରରେ ସେ ଗାନ୍ଧୀ ଓ ମାର୍କ୍ସଙ୍କ ମଧ୍ୟରେ ସାମଞ୍ଜସ୍ୟ ଦ୍ରଶାଇଥିବା ପ୍ରସଙ୍ଗକୁ ବିଶ୍ଳେଷଣ କରିପାରିଥା’ନ୍ତେ ମାତ୍ର ସେ ଯେଉଁଭଳି ଅକିଲ ବିଲଗ୍ରାମିଙ୍କୁ ସମାଲୋଚନା କରିଛନ୍ତି ଓ ଭ୍ରଷ୍ଟ ବୌଦ୍ଧିକତାର ଆକ୍ଷେପ କରିଛନ୍ତି, ତାହା ହିଁ ଲେଖକଙ୍କ ଅସହିଷ୍ଣୁତା । ମୁଁ ସଚେତନ ଯେ, ସେ ଜଣେ ବରିଷ୍ଠ ଲେଖକ ଓ ଓଡିଆ ଭାଷାର ଆଗ ଧାଡିର କବିସେ ମୂର୍ତ୍ତିଦେବୀ ପୁରସ୍କାର, କେନ୍ଦ୍ର ସାହିତ୍ୟ ପୁରସ୍କାର ସମେତ ଅନେକ ପୁରସ୍କାର ପାଇଛନ୍ତି ଓ ଅନେକ ଯୁବ ସାହିତ୍ୟିକ, ପ୍ରକାଶକ ଇତ୍ୟାଦିଙ୍କୁ ନେଇ ନିଜର ସଙ୍ଗୋଷ୍ଠୀ ତିଆରିଛନ୍ତି ଏହା ସହିତ ଉପରୋକ୍ତ ପ୍ରତିକ୍ରିୟା ରଖିବା ଭିତରେ ଲେଖକଙ୍କ ଭ୍ରଷ୍ଟ ବୌଦ୍ଧିକତାର ଯେ ମୁଁ ମଧ୍ୟ ଏକ ଅଂଶ ତାହା ଖୁସିର ସହିତ ପ୍ରକାଶ କରୁଛି
ଲେଖକୀୟ ଟୀକା: ଦୈନିକ 'ସମ୍ବାଦ’ ଖବରକାଗଜରେ ଗଲା ୧୫ ଜୁଲାଇ, ୨୦୧୯ ତାରିଖରେ ‘ଭ୍ରଷ୍ଟ ବୌଦ୍ଧିକତା’ ଲେଖାଟି ପ୍ରକାଶ ପାଇଲା ପରେ ଏହାର ପ୍ରତିକ୍ରିୟାରେ ମୁଁ ଏହି ଲେଖାଟି ଲେଖି ‘ସମ୍ବାଦ’କୁ ପଠାଇଥିଲି । ‘ସମ୍ବାଦ’ କର୍ତ୍ତୃପକ୍ଷ ଏହାକୁ ସାମାନ୍ୟ ସମ୍ପାଦନା କରି ଗଲା ୨୨ ଜୁଲାଇ, ୨୦୧୯ ତାରିଖରେ ଲେଖାଟିକୁ ସମ୍ପାଦକୀୟ ପୃଷ୍ଠାରେ ପ୍ରକାଶ କରିଛନ୍ତି, ସେଥିପାଇଁ ତାଙ୍କୁ ଧନ୍ୟବାଦ । ଲେଖକଙ୍କର ଇମେଲ ଠିକଣା ହେଲା, debasar11@yahoo.co.in

No comments:

Post a Comment