କଟକ
ମଡ଼େଲେ ଇସ୍କୁଲୁରେ ମିଡିଲି ଶାଠ
କଟକସ୍ଥ ଗୋରାକବରର ଚିତ୍ର (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍) |
ରାମ
ଆଉ ତାଙ୍କ ଭାଇଙ୍କର କଟକର ପ୍ରସିଦ୍ଧ
ଓ ପ୍ରାଚୀନ ଶିକ୍ଷକ ଟ୍ରେନିଙ୍ଗି
ଅନୁଷ୍ଠାନର ମଡେଲେ ଇସ୍କୁଲୁରେ
ମିଡ଼ିଲି ପାଠ ପଢ଼ିବା ପାଇଁ ଷଷ୍ଠ
ଶ୍ରେଣୀରେ ନାମ ଲେଖା ହେବା ପରେ,
ତାଙ୍କ
ସହପାଠୀମାନେ ତାଙ୍କୁ ଚୁଟି
ଟାଣିଟାଣି ଅନେକ ଦିନ ଯାଏଁ ସ୍ୱାଗତ
କରନ୍ତି । ଜଣଙ୍କର ଚୁଟି ଟଣା ଗଲେ
ଉଭୟ ଭାଇଙ୍କର କାନ୍ଦ ଆରମ୍ଭ ହୁଏ
। ଆଉ କିଲାସର ପିଲାଙ୍କ ଭିତରେ
ଉଠେ ହାସ୍ୟରୋଳ । ତାହା ପରେ ସେଇଠେଇଁ
ଉପରେ ଶ୍ରେଣୀରେ ପାଠ ପଢ଼ୁ ଥିବା
ପରିବାରର ରମାନ୍ନା ଆଉ କାହ୍ନୁ
କକେଇ ଙ୍କ ଦେଇ କଥାଟା ଯେତେବେଳେ
ପ୍ରବଳପ୍ରତାପୀ ଡ୍ରିଲ୍ମାଷ୍ଟର
କମଳବାବୁଙ୍କ କାନକୁ ଯାଏ,
ଦୋଷୀ
ପିଲାଙ୍କ ପିଠିରେ କିଛି ଉତ୍ତମମଧ୍ୟମ
ବୃଷ୍ଟି ହୁଏ । ପିଲାଏ ଏହି
ପ୍ରକ୍ରିୟାରେ ଟିକେ ସାବାଡ଼
ହୋଇଗଲା ପରେ,
ନବାଗତ
ଛାତ୍ରମାନଙ୍କୁ ଆଉ ବେଶି ହଇରାଣ
ହେବାକୁ ପଡ଼େନି । ପୂର୍ବର
ଅତ୍ୟାଚାରୀମାନେ ବନ୍ଧୁ ପାଲଟି
ଯାଆନ୍ତି ।
ଯଦିଓ
ଭାଇ ଯୋଡ଼ାକ ଦି’ ସପ୍ତାହରେ
ସ୍କୁଲରେ ମଣ ହେଇ ଗଲେ,
ତଥାପି
ଲାଜ ଓ ଡର ପୂରା ଛାଡ଼ିବା ପାଇଁ
ଛଅ ମାସ ଖଣ୍ଡେ ଲାଗିଗଲା । ଘରୁ
ଇସ୍କୁଲୁକୁ ବାହାରିବା ବେଳକୁ
ଦି’ ଭାଇ,
ରାମାନ୍ନା
ଓ କାହ୍ନୁ କକେଇ ଥାଆନ୍ତି । କିଛି
ବାଟ ପରେ ଏଇ ପିଲାଙ୍କ ନିଜ ପଡ଼ାର
ଦୋ’ଟି ପିଲା ଓ ପାଖର ବାମ୍ଫି
ସାହିର ଗଣ୍ଡାଏ ଇସ୍କୁଲିଆ ଛୁଆ
ଆସି ତାଙ୍କ ସହ ମିଶନ୍ତି । ଏହି
ପରି ଦଶ ଜଣିଆ ଗୋଟିଏ ଟାଣୁଆ ଦଳ
ମିଶି ଟ୍ରେନିଙ୍ଗି ମଡ଼େଲେ
ଇସ୍କୁଲୁକୁ ମିଶିକି ଯାଏ ଓ ଫେରେ।
ନାଆଁ କରା ବଇଦ ପରିବାରର ଛୁଆ ହୋଇ
ଥିବାରୁ,
ଏହି
ପିଲାମାନଙ୍କୁ ଅନ୍ୟମାନେ ଡରି
ଖାତିର କଲେ ହେଁ,
ବେଳେବେଳେ
ଏମାନେ ନିଜନିଜ ଭିତରେ ଟିକେ
ମାଡ଼ଗୋଳ ଲାଗନ୍ତି । ହେଲେ ବାହାରର
କିଏ ପିଲା ଏମାନଙ୍କୁ ଟାହୁଲି
କଲେ,
ମଇଁଷି
ଶିଙ୍ଘ ଯୁଝିଲା ବେଳକୁ ଗୋଟା
ହେଇଯାଏ ।
ସ୍କୁଲରେ
ସାରମାନଙ୍କ ହାତରେ ଥାଏ ବେତ;
ତାହାର
ପ୍ରୟୋଗ ମଧ୍ୟ ରୀତିମତ ହେଉଥାଏ
। ମଡ଼େଲେ ଇସ୍କୁଲୁର ପ୍ରଧାନଶିକ୍ଷକ
ସେବେ ଥାଆନ୍ତି ହାରାଧନ ବୋଷ
ମହୋଦୟ;
ହେଡମାଷ୍ଟ୍ରରି
ଛଡ଼ା,
ଶେଷ
ଦୁଇଟି ଶ୍ରେଣୀରେ ସେ ଇଂରାଜୀ
ପଢ଼ାନ୍ତି । ଭଦ୍ରବ୍ୟକ୍ତି ଜଣକ
ଛାତ୍ରବତ୍ସଳ;
ବରଷା
ଓ ଘଡ଼ଘଡ଼ିକୁ ପ୍ରବଳ ଡର । ହେଲେ
ବିଦ୍ୟାଳୟଟିର ବାରଣ୍ଡାରେ
ବୁଲୁଥିବା ବେଳେ ହାତରେ ସବୁବେଳେ
ବେତଟିଏ ଥାଏ;
ବେତ୍ରଦଣ୍ଡ
ଉଠେ ବହୁତ ଦୂର,
ହେଲେ
ସିନେମାର ଅଭିନୟ ଛାଟ ପରି,
ପିଠିରେ
ଆସି ବାଜେ ବହୁତ ଧିରେ । ପ୍ରାୟତଃ
ପିଲାଏ ସେଇ ଛୁଆଁରେ ମରିଗଲା ପରି
ଚିତ୍କାର ଛାଡ଼ନ୍ତି;
ସେଇଥିରେ
ପ୍ରଧାନଶିକ୍ଷକଙ୍କ ବେତ୍ରାଘାତ
ବନ୍ଦ ହୁଏ ।
ହେଲେ
ଅଙ୍କ,
ପଟା
ପାଉତି ଓ ସାହିତ୍ୟ ପଢ଼ାଉ ଥିବା
ଆର୍ତ୍ତତ୍ରାଣ ଶତପଥୀ,
ତମସୁକ
(ୠଣପତ୍ର)
କହିଲା
ବେଳେ ବେଳ ଯଦି ତମେ ଧାଡ଼ିଟିଏ
ଛାଡ଼ିଗଲ,
ତାହା
ହେଲେ କଥାଟି ସରିଗଲା;
ବେତମାଡ଼ରେ
ତେମେଆପଣେଙ୍କର ପିଠିର ନୋଳା
ଫାଟିବା ଥଏ । ଭାଷ୍କର ପଣ୍ଡିତେ
ନିଜର ବିଷୟ ପଢ଼ାଇବା ଛଡ଼ା ଅନ୍ୟ
ଶିକ୍ଷକମାନେ ଛୁଟିରେ ରହିଲେ
ତାଙ୍କର ଅଙ୍କ,
ସାହିତ୍ୟ,
ଭୂଗୋଳ
ଆଦି ସବୁ ବିଷୟ ପଢ଼ାନ୍ତି । ବେତ
ଧରନ୍ତି ନାହିଁ;
ତାଙ୍କର
ପ୍ରିୟ ଦଣ୍ଡ ହେଲା ନାକଦଳା ।
ପିଲାଙ୍କ ପାଇଁ ଏହା ଯେତିକି
ଯନ୍ତ୍ରଣାଦାୟକ,
ସେତିକିଟା
ବିରକ୍ତିକର । ଥରେ ଗୋଟିଏ ଖେଚଡ଼,
ସର୍ଦ୍ଦ
ହେଇଥିବା ପିଲାର ନାସିକା ମର୍ଦ୍ଦନ
କଲା ବେଳକୁ ସେ ବୋଧହୁଏ ଜାଣିଶୁଣି
ଭଡ଼କାଏ ସିଙ୍ଗାଣି ଛାଡ଼ିଦେଲା
। ସେଇ ଦିନଠୁଁ ଭାଷ୍କର ବାବୁଙ୍କର
ନାକଦଳା ବନ୍ଦ । .
ବି.ଦ୍ର.
- ଏହି ଆଲେଖ୍ୟଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ଛପାଯାଇଥିଲା । ଲେଖାଟିର
ଉପାଦାନ
ରାମଚନ୍ଦ୍ର
ମିଶ୍ର
(ଫତୁରାନନ୍ଦ)
ଙ୍କର
ଆତ୍ମଜୀବନୀ
‘ମୋ
ଫୁଟା
ଡଙ୍ଗାର
କାହାଣୀ’ର
୨୦୦୮
ମସିହାରେ
କଟକର
ସୁଧାଂଶୁ
ପ୍ରଧାନଙ୍କ
ଦ୍ୱାରା
ପ୍ରକାଶିତ
ତୃତୀୟ
ସଂସ୍କରଣରୁ
ସଙ୍ଗୃହିତ
।
ବହିଟିର
ପ୍ରଥମ
ସଂସ୍କରଣ
‘ଇଷ୍ଟର୍ଣ୍ଣ
ମିଡିଆ’
ପ୍ରକାଶନ
ସଂସ୍ଥାଙ୍କ
ଦ୍ୱାରା
୧୯୮୯
ମସିହାରେ ପ୍ରକାଶିତ ।
No comments:
Post a Comment