ମଧ୍ୟଭର୍ଣ୍ଣାକୁଲାର
ସ୍କୁଲରେ ଶ୍ରୀଧର ବାବୁ
 |
କାକଟପୁରରେ ସନ୍ଧ୍ୟା (ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍) |
ନିଜ
ବାପା ପଢ଼ାଉଥିବା ଗାଁ ସ୍କୁଲରେ
ପ୍ରାଥମିକ ଶିକ୍ଷା ଶେଷ ହୋଇ ଆସିଲା
ବେଳକୁ ଶ୍ରୀଧର ବାବୁ ବୃତ୍ତି
ପରୀକ୍ଷା ପାଇଁ ବସିଲେ । ପରୀକ୍ଷା
ଦେଇଥିବା ପନ୍ଦରକୋଡ଼ିଏ ଜଣଙ୍କ
ଭିତରୁ ତିନି ଚାରି ଜଣଙ୍କୁ ଅବଶ୍ୟ
ବୃତ୍ତି ମିଳିଲା;
ସେମାନଙ୍କ
ଭିତରୁ ସେ ଥିଲେ ଅନ୍ୟତମ । ଉଚ୍ଚତର
ଶିକ୍ଷା ପାଇଁ ସବୁଠାରୁ ନିକଟସ୍ଥ
ଶିକ୍ଷାନୁଷ୍ଠାନ ହେଲା କାକଟପୁର
ମଧ୍ୟଭର୍ଣ୍ଣାକୁଲାର ବିଦ୍ୟାଳୟ
। ବିଂଶ ଶତାବ୍ଦୀର ଆରମ୍ଭ ବେଳକୁ
ଉତ୍ତର-ପ୍ରାଥମିକ
ସ୍ତରରେ ଓଡ଼ିଶାରେ ଗୋଟିଏ ଦୁଇଥାକିଆ
ଶିକ୍ଷା ବ୍ୟବସ୍ଥା କାମ କରୁଥିଲା
। ପ୍ରାଥମିକ ଶିକ୍ଷା ପରେ ପିଲାଟିଏ
ଆଗକୁ ପଢ଼ିବା ପାଇଁ ଦୁଇଟି ପ୍ରକାରର
ବ୍ୟବସ୍ଥା ଥିଲା । ପ୍ରଥମଟି ହେଲା
ମଧ୍ୟଇଂରାଜୀ ବିଦ୍ୟାଳୟ ଯେଉଁଥିରେ
ଓଡ଼ିଆ ଭାଷାସାହିତ୍ୟ ବିଷୟଟି
ଛଡ଼ା ବାକି ସବୁ ପାଠ୍ୟକ୍ରମ
ଇଂରାଜୀରେ ହିଁ ପଢ଼ା ହେଉଥିଲା
। ଦ୍ୱିତୀୟଟି ହେଲା ମଧ୍ୟଭର୍ଣ୍ଣାକୁଲାର
ବିଦ୍ୟାଳୟ ଯେଉଁଠି କେବଳ ଇଂରାଜୀ
ଭାଷାସାହିତ୍ୟ ଛଡ଼ା ଅନ୍ୟ
ବିଷୟଗୁଡ଼ିକ ଓଡ଼ିଆ ଭାଷାରେ
ପିଲାଏ ଅଧ୍ୟୟନ କରୁଥିଲେ । ଏହି
ବିଦ୍ୟାଳୟଗୁଡ଼ିକରେ ଷଷ୍ଠ ଶ୍ରେଣୀ
ହିଁ ଥିଲା ଉଚ୍ଚତମ ଶ୍ରେଣୀ । ଏଇ
ଦୁଇ ପ୍ରକାରର ବ୍ୟବସ୍ଥାରେ କେବଳ
ଇଂରାଜୀ ଛଡ଼ା ପାଠ ଉଭୟରେ ସମାନ
ଥିଲେ ହେଁ,
ମଧ୍ୟଇଂରାଜୀ
ସ୍କୁଲର ପିଲାମାନଙ୍କର କିନ୍ତୁ
ବେଶି ସୁବିଧା ହେଉଥିଲା । ଏହାର
କାରଣ ହେଲା,
ହାଇସ୍କୁଲ
ସ୍ତରରେ ସବୁ ପାଠ ଇଂରାଜୀ ଭାଷାରେ
ହିଁ ପଢ଼ା ହେଉଥିଲା ଓ ସ୍କୁଲ
ଶିକ୍ଷାର ଶେଷରେ ହେଉଥିବା ସେ
ବେଳର ଏଣ୍ଟ୍ରାନ୍ସ୍ ପରୀକ୍ଷା
(ଯାହା
ଏବେର ଦଶମ ବୋର୍ଡ଼୍ ସହ ତୁଳନୀୟ)
ର
ମାଧ୍ୟମ ବି ଇଂରାଜୀ ହିଁ ଥିଲା ।
ସେବେ
ପ୍ରାଥମିକ ଶ୍ରେଣୀ ପରେ ସ୍କୁଲରେ
ପ୍ରାୟତଃ ପୁଅ ପିଲାଏ ହିଁ ପଢ଼ୁଥିଲେ
। କିଛି ପ୍ରବାସୀ ବଙ୍ଗାଳୀ ଓ
ଖ୍ରୀଷ୍ଟିଆନ ପରିବାରଙ୍କୁ
ଛାଡ଼ିଦେଲେ,
ଓଡିଶାର
ମଫସଲ ଓ ସହର ମାନଙ୍କରେ ସ୍ଥାନୀୟ
ଓଡ଼ିଆ ସମାଜର ଭଦ୍ରଘରର ଝିଅମାନେ
ଉଚ୍ଚତର ଶ୍ରେଣୀରେ ସ୍କୁଲକୁ ପାଠ
ପଢ଼ି ଯିବା ପ୍ରଚଳିତ ନଥିଲା ।
ଶ୍ରୀଧର ବାବୁଙ୍କ ଇସ୍କୁଲୁରେ
କେବଳ ଦୁଇ ଜଣ ଛାତ୍ରୀ ଅଧ୍ୟୟନରତ
ଥିଲେ । ଉଭୟ ଥିଲେ କାକଟପୁର ନିବାସୀ
ବେଶ୍ୟାକନ୍ୟା । କାକଟପୁର ଛୋଟିଆ
ବଜାରଟିଏ ହେଲେ ହେଁ,
ମଙ୍ଗଳା
ମନ୍ଦିରରେ ସେବା ପାଇଁ କେତେ ଜଣ
ବେଶ୍ୟା ନିଯୁକ୍ତ ଥିଲେ ଓ ଜମିବାଡ଼ି
ଭୋଗଦଖଲ କରୁଥିଲେ । ତାଙ୍କର କାମ
ଥିଲା,
ମନ୍ଦିରର
ମଣ୍ଡପରେ ନାଚ ଓ ଗୀତ ପରିବେଷଣ
କରିବା ।
କାକଟପୁରରେ
ଘର ପାଖରେ ମଧ୍ୟଓଡ଼ିଆ ସ୍କୁଲଟି
ଥିବାରୁ ଗରୀବ ବାପା ଶ୍ରୀଧରଙ୍କୁ
ସେଇଠି ହିଁ ପଢ଼ିବା ପାଇଁ କହିଲେ
। ବୃତ୍ତିପ୍ରାପ୍ତ ଛାତ୍ର ହୋଇ
ଥିବାରୁ ଇସ୍କୁଲୁରେ ଦରମା ସିନା
ଛାଡ଼ । ହେଲେ ସରକାର ଦେଉ ଥିବା
ମାସିକ ଦୁଇ ଟଙ୍କାରେ ବାହାରେ
ରହି ସବୁ ଖର୍ଚ୍ଚ ତୁଲାଇବା ମହା
ମୁସ୍କିଲ । ଯଦି ଜଣେ ସ୍କୁଲର
ବୋର୍ଡ଼ିଂର ରହିବ ତାହା ହେଲେ
ମାସକୁ ଦୁଇ ଟଙ୍କା ସହ ପନ୍ଦର ସେର
ଲେଖାଏଁ ଚାଉଳ ମଧ୍ୟ ଦେବାକୁ ପଡ଼ିବ
। ଏତେକ ବ୍ୟବସ୍ଥା କରିବା ଶ୍ରୀଧରଙ୍କ
ପରିବାର ପାଇଁ ଅସମ୍ଭବ ଥିଲା ।
ପୁଣି ସ୍କୁଲ୍ର ବୋର୍ଡ଼ିଂ ଘର
ନ ଥିଲା । ଖାଲି ରୋଷେଇ ନିମନ୍ତେ
ଅଲଗା ବଖୁରିଟିଏ ଯାହା ଥିଲା ।
ପିଲାଏ ରାତିରେ ବିଦ୍ୟାଳୟର
କୋଠରୀରେ ହିଁ ଚଟେଇ ପାରି ଶୋଉ
ଥିଲେ । ଦିନ ବେଳେ ଛାତ୍ରମାନଙ୍କର
ଲୁଗାପଟା କ୍ଲାସ୍ର ବେଞ୍ଚ ତଳେ
ରହୁଥିଲା ।
ଏସବୁ
ଜିନିଷକୁ ନଜର ରଖି ତାଙ୍କ ବାପା
ଭିନ୍ନ ଏକ କାମଚଳା ବ୍ୟବସ୍ଥା
କଲେ । ମଙ୍ଗଳା ମନ୍ଦିରରେ ଥିଲେ
ତାଙ୍କର ଜନୈକ ଚିହ୍ନାଜଣା ଦେଉଳ
ସେବାକାରୀ । ତାଙ୍କର ମା’ଙ୍କ
ଛଡ଼ା ପରିବାରରେ ଖାଲି ବିଧବା
ଭାଉଜ ଓ ପୁତୁରାଟିଏ । ବାପା ଏହି
ପରିବାରକୁ ପୁଅର ଭରଣପୋଷଣ ପାଇଁ
ମାସକୁମାସ କିଛି ଚାଉଳ ଓ ପଇସା
ଦେଉଥା’ନ୍ତି । ସେବାକାରୀଙ୍କ
ଘରେ ଯାହା ସାଧାରଣ ଭାବରେ ରୋଷେଇ
ହୁଏ,
ଶ୍ରୀଧର
ସେୟା ହିଁ ଖାଆନ୍ତି । ହେଲେ କିଛି
ବିଶେଷ ଭଲ ଖାଇବା ତିଆରି ହେଲେ
ତାହା ତାଙ୍କୁ ଆଉ ନ ମିଳେ ।
ଶ୍ରୀଧର
ବାବୁ କାକଟପୁର ମଧ୍ୟଭର୍ଣ୍ଣାକୁଲାର
ବିଦ୍ୟାଳୟରେ ପାଠ ପଢ଼ିଲା ବେଳେ
ପ୍ରଥମେ କେବଳ ଦୁଇ ଜଣ ଶିକ୍ଷକ
ସେଠାରେ ଅଧ୍ୟାପନା କରୁଥିଲେ ।
ହେଡ଼୍ ପଣ୍ଡିତଙ୍କ ଦରମା ଥିଲା
ମାତ୍ର ମାସିକ ତେର ଟଙ୍କା ।
ଇସ୍କୁଲୁଟି ଚାଲେ ଦାଣ୍ଡି ଭଳି
ବଡ଼ ହଲ୍ଟିଏରେ । ସେଇଠି ଚାରୋଟି
ଯାକ ଶ୍ରେଣୀର ପାଠ ପଢ଼ା ଚାଲେ ।
ଭୀଷଣ ଅବ୍ୟବସ୍ଥା । ଏମିତି ଦିନାକେତେ
ପରେ ସମୁଦାୟ ପାଞ୍ଚ ଜଣ ଶିକ୍ଷକ
ବିଦ୍ୟାଳୟଟିରେ ନିଯୁକ୍ତ ହେଲେ
। ହେଡ଼୍ ପଣ୍ଡିତଙ୍କ ଦରମା ବଢ଼ି
ମାସିକ ତିରିଶ ଟଙ୍କା ହେଲା । ଜଣେ
ଭର୍ଣ୍ଣାକୁଲାର୍ ମାଷ୍ଟରସିପ୍
ପରୀକ୍ଷା ପାସ୍ କରା ସେକେଣ୍ଡ୍
ପଣ୍ଡିତ ରହିଲେ,
ତାଙ୍କ
ଦରମା ପଚିଶ ଟଙ୍କା । ବାକି ତିନି
ଜଣ ହେଲେ ମଧ୍ୟଭର୍ଣ୍ଣାକୁଲାର
ପାସ୍ କରି ବେସିକ୍ ଟ୍ରେନିଂ
ପାଇଥିବା ଶିକ୍ଷକ । ଶ୍ରୀଧରଙ୍କ
ବେଳେ ହେଡ଼୍ ପଣ୍ଡିତ ଥିଲେ
ଦିବ୍ୟସିଂହ ମହାନ୍ତି । ତାଙ୍କ
ଘର ବିଦ୍ୟାଳୟଠାରୁ ଦେଢ଼ କିଲୋମିଟର
ଦୂର,
ଶ୍ରୀରାମପୁର
ଗାଁରେ । ସେ ବୋର୍ଡ଼ିଂରେ ନ ରହି
ପ୍ରାୟତଃ ଘରୁ ଯା’ଆସ କରୁଥିଲେ
। ଦ୍ୱିତୀୟ ପଣ୍ଡିତ ଥିଲେ ପୁରୀର
ଏକ ଶାସନୀ ବ୍ରାହ୍ମଣ ଗାଁର
କାବ୍ୟତୀର୍ଥ ଗଦାଧର ମହାପାତ୍ର
।
ଶ୍ରୀଧର
ଥିଲେ ଜଣେ ଭଲ ଛାତ୍ର । ହେଲେ
ପ୍ରାୟତଃ କୁଟାଣ ଖାଇବାକୁ ପଡ଼େ
ତାଙ୍କୁ । କାରଣ ହେଲା ପଢ଼ା ହେଲା
ବେଳେ ଘୁମେଇବା । ସବୁଦିନ ସେ ପଖାଳ
ଖାଇ ନହେଲେ ବାସି ତୋରାଣି ପିଇ
ସ୍କୁଲ ଯାଆନ୍ତି,
ଆଉ
ଶ୍ରେଣୀରେ ଢୁଳାନ୍ତି । ହେଡ଼
ପଣ୍ଡିତ ଲୁଚି କରି ଥାଆନ୍ତି ।
ଢୁଳାଇବାର ଦେଖିଲେ ଆସି ପିଠିରେ
ବେତରେ ଭଲକରି କସି ଦିଅନ୍ତି ।
ହେଲେ ଏଇ ବେତମାଡ଼ ତ ଏକ ସାଧାରଣ
ଦଣ୍ଡ !
ଷଷ୍ଠ
ଶ୍ରେଣୀକୁ ଆସିଲା ବେଳକୁ
ହେଡ଼ପଣ୍ଡିତଙ୍କ ପ୍ରକୋପ ବଢ଼ିଯାଏ
। କିଛି ପିଲାଙ୍କୁ କାନ୍ଥକୁ ପିଠି
କରି,
ପାଦକୁ
ଭୂମିରେ ଥୋଇ,
କାନ
ଧରି ଶୂନ୍ୟରେ ବସିବାକୁ ହୁଏ –
ଏହି ସୁନ୍ଦର ଦଣ୍ଡଟିର ନାମ
‘ଚଉକିବସା’ । ପାଞ୍ଚ ମିନିଟ
ବସିଥିବେ କି ନାହିଁ ପିଲାଙ୍କୁ
କଷ୍ଟ ହୋଇ ତାଙ୍କ ଆଖିରୁ ଲୋତକ
ଆଉ ନାକରୁ ସିଙ୍ଗାଣି ବହିବାକୁ
ଆରମ୍ଭ କରେ ।
ଏହି
ପରି ନାନାଦି ଅମାନୁଷିକ ଦଣ୍ଡ
ଯୋଗୁଁ ଗୋଟିକ ପରେ ଗୋଟିଏ ପିଲା
ପାଠ ଛାଡ଼ି,
ଷଷ୍ଠ
ଶ୍ରେଣୀର ଆରମ୍ଭରେ ବାକି ରହିଥିଲେ
ମାତ୍ର ଚାରୋଟି ଛାତ୍ର । ଅଧା
କ୍ଲାସ୍ରେ ଆଉ ଦିଓଟି ଛାଡ଼ି
ପଳାଇଲେ । ବାକି ରହିଲେ ଯୋଡ଼ିଏ
– ତାଙ୍କ ମଧ୍ୟରୁ ଶ୍ରୀଧର ଜଣେ ।
ସେ ମଧ୍ୟ ବୃତ୍ତି ପରୀକ୍ଷା ଅଢ଼େଇ
ମାସ ଖଣ୍ଡେ ଥାଏ,
ସ୍କୁଲ
ଛାଡ଼ି ଘରକୁ ଚାଲିଗଲେ ପଢ଼ାପଢ଼ି
କରିବା ପାଇଁ । ହେଲେ ଦୁଇ ତିନି
ହପ୍ତା ପରେ ସାକ୍ଷାତ ହେଡ଼ପଣ୍ଡିତ
ଯାଇଁ ପହଞ୍ଚିଲେ ତାଙ୍କ ଘରେ ।
ମାଡ଼ ନ ହେବାର ପ୍ରତିଶୃତି ସହିତ
ବୋର୍ଡ଼ିଂରେ ରହିବାର ସୁବିଧା
ସହ ଶ୍ରୀଧର ସ୍କୁଲକୁ ଫେରି ଆସିଲେ
।
ବୋର୍ଡ଼ିଂ
ଯେଉଁ ସ୍କୁଲ ଘରେ ଚାଲୁଥିଲା,
ସେଠି
ଶିକ୍ଷକମାନେ ବି ରହୁଥିଲେ ।
ସେମାନେ ରାତିରେ ବେଞ୍ଚତକ ଯୋଡ଼ି
ଦେଉଥିଲେ । ତାହା ହିଁ ଖଟର କାମ
ତୁଲାଉଥିଲା । ରନ୍ଧାରନ୍ଧି କରିବା
ପାଇଁ କୌଣସି ପୂଜାରୀ ନ ଥିଲେ ।
ଛୁଆଁଛୁତି ବାରଣର ସେ ଅନ୍ଧଯୁଗରେ
ବ୍ରାହ୍ମଣ ପିଲାଏ ରୋଷେଇ କରୁଥିଲେ
। ଅଣ-ବ୍ରାହ୍ମଣ
ଛାତ୍ରମାନେ ନାନାଦି ଅନ୍ୟ କାମ,
ଯଥା,
ପରିବା
କାଟିବା,
ମସଲା
ବାଟିବା,
ଶିକ୍ଷକଙ୍କ
ଅଇଁଠା ବାସନକୁସନ ମାଜିବା,
ପାଣି
ଯୋଗାଇବା ଇତ୍ୟାଦିରେ ନିୟୋଜିତ
ହେଉଥିଲେ । ଏହି ପରି ଶିକ୍ଷକମାନଙ୍କ
ସେବା କରି ଶ୍ରୀଧରଙ୍କର କାକଟପୁର
ମଧ୍ୟଭର୍ଣ୍ଣାକୁଲାର ସ୍କୁଲରେ
ପାଠ ପଢ଼ା ସରିଲା । ୧୯୧୫ ମସିହାର
ଡିସେମ୍ବର ମାସରେ ପୁରୀ ଜିଲ୍ଲା
ସ୍କୁଲରେ ବୃତ୍ତି ପରୀକ୍ଷା
ଅନୁଷ୍ଠିତ ହେଲା । ଏବେ ସେଇ କୋଠାରେ
ସାମନ୍ତ ଚନ୍ଦ୍ରଶେଖର କଲେଜ ଚାଲିଛି
। ହେଡ଼ ପଣ୍ଡିତ ଓ ବାପାଙ୍କ ସହ
ମିଶି ବୃତ୍ତି ପରୀକ୍ଷା ଦେବା
ପାଇଁ ଶ୍ରୀଧର ପୁରୀ ଗଲେ । ତିନି
ଜଣ ଗୋଟିଏ ବସାରେ ଭଡ଼ା ନେଇ ରହିଲେ
ଓ ନାନାଦି ବିଭ୍ରାନ୍ତି ମଧ୍ୟରେ
ସେ ପରୀକ୍ଷା ଦେଇ କୃତକାର୍ଯ୍ୟ
ହେଲେ । ଶେଷକୁ ଯେଉଁଠି ବୃତ୍ତି
ପରୀକ୍ଷା ଦେଇଥିଲେ,
ସେଇ
ପୁରୀ ଜିଲ୍ଲା ସ୍କୁଲରେ ହାଇସ୍କୁଲ
ପାଠ ପଢ଼ି ଛାତ୍ର ଜୀବନ ଜାରି
ରଖିଲେ ।
ବି.
ଦ୍ର.
- ଏହି
ଲେଖାଟିର ଉପାଦାନ ଶ୍ରୀଧର ଦାସଙ୍କର
ଆତ୍ମଜୀବନୀ ‘ସୁଅ
ମୁହଁର ପତର’ର କଟକସ୍ଥ ‘ମିତା
ବୁକ୍ସ୍’ ୨୦୧୪ ମସିହାରେ ପ୍ରକାଶ
କରିଥିବା ଚତୁର୍ଥ ସଂସ୍କରଣରୁ
ନିଆ ଯ।ଇଛି । ବହିଟି ପ୍ରଥମେ ୧୯୮୨
ମସିହାରେ ଛପା ଯାଇଥିଲା । ଏହି ଲେଖାଟି ୨୦୧୯ ମସିହାରେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ର ୧୩ତମ ଖଣ୍ଡରେ ଆଗରୁ ପ୍ରକାଶିତ ହୋଇ ସାରିଛି ।