ଗାନ୍ଧୀ ଆଶ୍ରମ ପ୍ରାର୍ଥନା, 'ଜୀବନର ଯଜ୍ଞେ ଯହିଁ ହୀନ ଅକିଞ୍ଚନ'
କବି - ବୈକୁଣ୍ଠନାଥ ପଟ୍ଟନାୟକ
ମହାତ୍ମା ଗାନ୍ଧୀ ଓ ସହକର୍ମୀମାନେ ବାସ କରୁଥିବା ଦକ୍ଷିଣ ଆଫ୍ରିକାକ ଟଲଷ୍ଟୟ ଫାର୍ମ୍ ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍ |
ଜୀବନର ଯଜ୍ଞେ ଯହି ହୀନ ଅକିଞ୍ଚନ
ଲଭନ୍ତି ଆହୁତି ତହିଁ ପାରିଛ ଆସନ ।
ହେ ଦରିଦ୍ର ସଖା ନିଖିଳର ରାଜେଶ୍ୱର
କରିବାକୁ ଏ ଜୀବନ ସୁନ୍ଦର ଅମର ।
ବରି ନେଇଅଛ ଆପେ ଦୈନ୍ୟ ନିର୍ଯ୍ୟାତନ
ସହସ୍ର ଲାଞ୍ଛନା ଭୋଗ କ୍ଷତ ଅନଶନ ।
କରିଅଛ ଶୁଭ୍ର ଦେହ ଶୋଣିତ ଆପ୍ଳୁତ
ମାନବ ଗରଳ ବସି କରୁଛ ଅମୃତ ।
ଅଶ୍ରୁ ଅନ୍ତରାଳୁ ତହିଁ ଫୁଟାଉଛ ହାସ
ନିରାଶା ଅନ୍ଧାରୁ ତବ ଆଲୋକ ପ୍ରକାଶ ।
ପ୍ରଭଞ୍ଜନ ଝଞ୍ଜାମେଳେ ହସ ତୁମେ ଶାନ୍ତି
ମୃତ ଜୀବନର ଭସ୍ମେ ଅରବିନ୍ଦ କାନ୍ତି ।
ଦରିଦ୍ରପୁରେ ଗାଉଛ ନିଖିଳର ବ୍ୟଥା
ଭ୍ରାନ୍ତି ଏ ମାନବ ଲାଗି ଏଡ଼ିକି ମମତା ।
ହେ ମୂକ ପାଷାଣ ପ୍ରଭୁ, ଚିର ଅବିଚଳ
ହେ ଲାଞ୍ଛିତ ନିଷ୍ପେଷିତ ହେ ଶିବ ମଙ୍ଗଳ ।
ନତଶିରେ ଶ୍ରୀପୟରେ ମାଗେ ଏହି ଭିକ୍ଷା
ଦିଅ ଦୀନବେଶେ ମୋତେ ଦରିଦ୍ରର ଦୀକ୍ଷା ।
No comments:
Post a Comment