ରାମଚନ୍ଦ୍ରଙ୍କ ବିଦ୍ୟାଳୟରେ ନାମ ଲେଖା
![]() |
ବେତ୍ରାଘାତ ଖାଉଥିବା ପିଲାଙ୍କର ଏକ ବ୍ୟଙ୍ଗଚିତ୍ର (୧୮୮ ମସିହାର ଚିତ୍ର) ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍ |
ରାମଚନ୍ଦ୍ରଙ୍କ
ଚାଟଶାଳୀ ପାଠ ସରିଲା ପରେ ପରିବାରରେ
ବାପା ଓ କକେଇ ମାନଙ୍କର ନାନା
ତନାଘନା ପରେ ଠିକ୍ ହେଲା କଟକର
ପୁରୁଣା ଶିକ୍ଷାନୁଷ୍ଠାନ
ପ୍ରାକ୍ଟିସିଂ ମଡେଲ୍ ଇଂଲିସ୍
ସ୍କୁଲରେ ତାଙ୍କର ନାଁ ଲେଖା ହେବ
। ବିଦ୍ୟାଳୟଟି ଏପରି ଏକ ଗୁରୁତ୍ୱପୂର୍ଣ୍ଣ
କାର୍ଯ୍ୟ ପାଇଁ ମନୋନୀତ ହେବା
ପଛରେ ନାନାଦି କାରଣ ଥିଲା । ପ୍ରଥମ,
ପ୍ରସ୍ତାବିତ
ଚାଟଙ୍କର ଜେଜେ,
ଇସ୍କୁଲୁଟିର
ପ୍ରଧାନଶିକ୍ଷକ ଓ ଇଂରାଜୀ
ଅଧ୍ୟାପକଙ୍କୁ ଛାଡ଼ି ଦେଲେ ବାକି
ସମସ୍ତଙ୍କୁ ଭଲ ଭାବେ ଜାଣିଥିଲେ
। କାରଣ ସେ ଥିଲେ ସେ ସଭିଙ୍କର ବଇଦ
। ଦ୍ୱିତୀୟ କାରଣ,
ଜଣେ
ବଡ଼ ଭାଇ ଓ କକେଇ ସେଇ ବିଦ୍ୟାଳୟରେ
ଆଗରୁ ଛାତ୍ର ଭାବରେ ଥିବାରୁ ଏଇ
ନୂଆ ପିଲାଟି ଉପରେ ସେମାନେ ଆଖି
ରଖି ପାରିବାର ମଧ୍ୟ ସମ୍ଭାବନା
ରହିଲା ।
ଇସ୍କୁଲୁ
ଯିବା ପାଇଁ ପ୍ରସ୍ତୁତି ଆରମ୍ଭ
ହେଲା । ପ୍ରଥମେ ପରିବର୍ତ୍ତନ
ଲୋଡ଼ା ହେଲା ଭେକର । ଘରୁଆ ଚାଟଶୀଳୀରେ
ପଢ଼ିଲା ବେଳେ,
ରାମ
ବାବୁଙ୍କ ହାତରେ,
ବାହୁରେ,
ଗୋଡ଼ରେ
ଖଡ଼ୁ,
କାନରେ
ଗୋଖରା,
ବେକରେ
ଗୋପ ଓ ଅଣ୍ଟାରେ ରୂପାର ଅଣ୍ଟାସୂତା
ଥିଲା । ଏଗୁଡ଼ିକ ଯେ ନୂଆ ଇସ୍କୁଲୁରେ
ଛୁଆଙ୍କୁ ବିଦ୍ରୁପର ଶରବ୍ୟ କରାଇବ,
ସେ
ବିଷୟରେ ବୁଢ଼ା ବାପାଙ୍କର ଆଦୌ
କିଛି ଧାରଣା ନ ଥିଲା । କାରଣ ସେ
କେବେ ସ୍କୁଲରେ ପାଠ ପଢ଼ି ନ ଥିଲେ
। ହେଲେ ବାପା ଓ କକେଇ ମାନେ ଇଂରେଜୀ
ବିଦ୍ୟାଳୟରେ କିଛି ପାଠ ପଢ଼ି
ଥିବାରୁ ନିଶ୍ଚିତ ଥିଲେ ଯେ,
ପିଲାଏ
ଏପରି କପଡ଼ା ପିନ୍ଧି ଇସ୍କୁଲୁ
ଗଲେ ତାଙ୍କ ସହପାଠୀମାନେ
ଥଟ୍ଟାଟାହୁଲିରେ ପୋତି ପକାଇବେ
। ଏଣୁ ପ୍ରଥମେ ରାମଙ୍କର ଶରୀରକୁ
ଅଳଙ୍କାରରହିତ କରାଗଲା । ତାହା
ପରେ ପାଳି ପଡ଼ିଲା ଲୁଗାପଟାର ।
ଆଗରୁ ଘରେ ରାମ ପରିବାରର ଅନ୍ୟ
ଛୋଟ ଛୁଆଙ୍କ ପରି ଆଣ୍ଠୁ ଲୁଚୁ ନ
ଥିବା ରଙ୍ଗୀନ କସ୍ତା କନା ପିନ୍ଧି
ବୁଲୁଥିଲେ । ସେମିତି ଅର୍ଦ୍ଧଲଙ୍ଗୁଳି
ହୋଇ ତ ଆଉ ସ୍କୁଲ ଯାଇ ହେବ ନାହିଁ
। ଏଣୁ ଆଣ୍ଠୁ ତଳକୁ ପଡ଼ୁଥିବା
ଲୁଗାପଟା ପିନ୍ଧାଇ ଚାଲିଚଳନରେ
ରାମଙ୍କୁ ଅଭ୍ୟସ୍ତ କରାଗଲା । ନ
ହେଲେ ଛୁଆଟି ବିଚରା ଖେଳିଲା ବେଳେ
କି ଚାଲିଲା ବେଳେ ଛନ୍ଦିରି ମନ୍ଦିରି
ହୋଇ ହିନସ୍ତା ହୋଇ ଥାଆନ୍ତେ ଯେ
।
ଇଏତ
ଗଲା ଭେକ କଥା । ତାହା ପରେ ଆସିଲା
ଇସ୍କୁଲୁ ଯିବା ପାଇଁ ଅନ୍ୟ
ପ୍ରସ୍ତୁତି । ଜଣେ ଇଂରାଜୀ ଜାଣିଥିବା
ଅବଧାନ ନିଯୁକ୍ତ ହେଲେ । ସେ ଆସି
ଇସ୍କୁଲୁର ଆବହାୱା ବିଷୟରେ
ଚାଟଙ୍କୁ ସୂଚନା ଦେଲେ;
କେମିତି
ନାଁ ଡାକିଲା ବେଳେ ଠିଆ ହୋଇ
‘ପ୍ରେଜେଣ୍ଟ୍ ସାର୍’ ବୋଲି
କହିବାକୁ ପଡ଼ିବ,
ତାହା
ଘୋଷାଇ ଦିଆଗଲା;
ଆଗରେ
ମାଷ୍ଟ୍ରଙ୍କୁ ଦେଖିଲେ ମୁଣ୍ଡ
ନୁଆଁଇ ନମସ୍କାର କରିବା ବିଧି;
ଶୋଷ
ଲାଗିଲେ କି ପରିସ୍ରା ମାଡ଼ିଲେ
ସାର୍ଙ୍କୁ କହି ବାହାରକୁ ଯିବାକୁ
ପଡ଼ିବ;
ଇତ୍ୟାଦି
। ବିଦ୍ୟାଳୟର ଏଇ ସଂସ୍କୃତି ଆୟତ୍ତ
କରିବା ପାଇଁ ଚାଟଙ୍କୁ ବହୁତ
ପରିଶ୍ରମ କରିବାକୁ ପଡ଼ିଲା ।
ଜଣେ କର୍ମାଣିଆ ପଣ୍ଡିତ ଆଉ ଜଣେ
ଜଉତିଷଙ୍କୁ ଡାକି ଶୁଭ ଦିନ ମଧ୍ୟ
ଠିକ୍ କରାଗଲା ।
ନିର୍ଦ୍ଧାରିତ
ଦିନରେ ରାମ ଓ ତାଙ୍କ ବଡ଼ କକେଇଙ୍କ
ପୁଅ ହୁରୁଷି ଭାଇନା ଜମାଣିଆ ଖାଇବା
ପିଇବା ସାରି ସ୍କୁଲରେ ନାଁ ଲେଖାଇବା
ପାଇଁ ବାହାରିଲେ । ସାଥିରେ ନିଜେ
ବଡ଼ କକେଇ,
ଦଦେଇଙ୍କ
ପୁଅ ରମାନ୍ନା,
କାହ୍ନୁ
କକେଇ,
ଇଂରେଜିଆ
ଅବଧାନ ଓ ମଧୁ ପିଇସା ଆଦି ଥିବାରୁ
ନାଁ ଲେଖା ଦଳଟି ଗୋଟିଏ ଶୋଭାଯାତ୍ରାର
ରୂପ ନେଲା । ପ୍ରାକ୍ଟିସିଂ ମଡେଲ୍
ଇଂଲିସ୍ ସ୍କୁଲ ଆଡ଼କୁ ଶୁଭ
ମୁହୁର୍ତ୍ତରେ ବାହାରିଲା ବେଳକୁ
ରମାଙ୍କ ବୋଉ ଚାଟ ଦୁହିଁଙ୍କ ଉପରେ
ଅନୁକୁଳ ପାଇଁ ପାଦୁକପାଣି କିଛି
ସିଞ୍ଚନ କରିଦେଲେ । ଶୋଭାଯାତ୍ରାଟି
ବାମ୍ଫି ସାହି ରାସ୍ତାରେ ତେଲେଙ୍ଗା
ବଜାର ଓ ନୃସିଂହନାଥ ମଠ ଦେଇ ସିଧା
ଇସ୍କୁଲୁ ହତାରେ ପହଞ୍ଚିଲା ।
ସ୍କୁଲର ଚିହ୍ନା ମାଷ୍ଟ୍ରମାନେ
ପିଲା ଦୁହିଁଙ୍କର ବହୁତ ଆଦର କଲେ
। ସୁରୁଖୁରୁରେ ଦୁହିଁଙ୍କର ସେ
ସମୟର ଷଷ୍ଠ ଶ୍ରେଣୀରେ ନାଁ ଲେଖା
ହୋଇଗଲା । ଆରମ୍ଭ ହୋଇଗଲା ଇଂରାଜୀ
ବିଦ୍ୟାଳୟରେ ଇସ୍କୁଲୁ ଜୀବନ ।
ବି.ଦ୍ର.
- ଏହି ଆଲେଖ୍ୟଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ପ୍ରକାଶିତ ହୋଇଥିଲା । ଲେଖାଟିର
ଉପାଦାନ
ରାମଚନ୍ଦ୍ର
ମିଶ୍ର
(ଫତୁରାନନ୍ଦ)
ଙ୍କର
ଆତ୍ମଜୀବନୀ
‘ମୋ
ଫୁଟା
ଡଙ୍ଗାର
କାହାଣୀ’ର
୨୦୦୮
ମସିହାରେ
କଟକର
ସୁଧାଂଶୁ
ପ୍ରଧାନଙ୍କ
ଦ୍ୱାରା
ପ୍ରକାଶିତ
ତୃତୀୟ
ସଂସ୍କରଣରୁ
ସଙ୍ଗୃହିତ
।
ବହିଟିର
ପ୍ରଥମ
ସଂସ୍କରଣ
‘ଇଷ୍ଟର୍ଣ୍ଣ
ମିଡିଆ’
ପ୍ରକାଶନ
ସଂସ୍ଥାଙ୍କ
ଦ୍ୱାରା
୧୯୮୯
ମସିହାରେ
ଛପା
ଯାଇଥିଲା
।
No comments:
Post a Comment