ବିଶ୍ୱନାଥ କରଙ୍କ ସଙ୍କଳିତ ବ୍ରହ୍ମ ସଙ୍ଗୀତ - 'ପାହିଲାଣି ରାତି ପ୍ରେମାନନ୍ଦେ ମାତି'
(ଲଳିତ ବିଭାସ - ଏକତାଳି)
![]() |
ଚିତ୍ର - 'ମର୍ଣ୍ଣିଙ୍ଗ୍' (୧୯୦୦ ମସିହାରେ ଅଙ୍କିତ) ଚିତ୍ରକର - ଆମାଲ୍ଦସ୍ ନିଏଲ୍ସନ୍ (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍) |
ପାହିଲାଣି ରାତି ପ୍ରେମାନନ୍ଦେ ମାତି
ଗାଅ ରେ ପ୍ରଭାତୀ ସୁମଙ୍ଗଳ ଗୀତ,
ଉଠ ନର ନାରୀ ସ୍ମରି ହିତକାରୀ
ପାପତାପହରୀ ପ୍ରାଣେଶ ଚରିତ ।
ଧୀରେ ଧୀରେ ଜ୍ୟୋତି ଲଭି ବସୁମତୀ
ପୂଜେ ବିଶ୍ୱପତି ପ୍ରେମ-ଭକ୍ତିଭରେ,
ସୁରଭି ସମୀରେ ଢାଳି ଧୀରେ ଧୀରେ
ବିମଳ ଶିଶିରେ ବନ୍ଦେ ଶ୍ରୀପୟରେ ।
ନାନାବିଧ ଛନ୍ଦେ ଧରଣୀ ଆନନ୍ଦେ
ଭକ୍ତିଭରେ ବନ୍ଦେ ବିହଙ୍ଗ-କଣ୍ଠରେ,
ଏ ପବିତ୍ର କାଳେ ନବ ପୁଷ୍ପମାଳେ
ଆନନ୍ଦରେ ଢାଳେ ବିଭୁ ଚରଣରେ ।
ନବୀନ ଆଶାରେ ସରବେ ସଂସାରେ
ବିଭୁ ପ୍ରଶଂସାରେ ରସ ନର ନାରୀ,
ଏ ଶୁଭ ପ୍ରଭାତେ ଯୋଡ଼ି ବେନି ହାତେ
ଡାକି ପ୍ରାଣନାଥେ ଲଭ ଶାନ୍ତି-କାରି ।
No comments:
Post a Comment