Tuesday, July 21, 2020

'ଜହ୍ନମାମୁଁ'ର ଛବି

ରମାକାନ୍ତ ସାମନ୍ତରାୟ


୧୯୪୭ ମସିହାରେ ପ୍ରକାଶିତ ତେଲଗୁ ଭାଷାର ଜହ୍ନମାମୁଁର ଏକ ପ୍ରଚ୍ଛଦ
(ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)

"ଜହ୍ନମାମୁଁ" ନାମରେ ପ୍ରଥମ ଓଡ଼ିଆ ଶିଶୁ କିଶୋର ପତ୍ରିକା ବାଳକୃଷ୍ଣ କର ୧୯୩୨ ମସିହାରେ ପ୍ରକାଶ କରିଥିଲେ । କଟକର ଚାନ୍ଦିନୀଚୌକ ଠାରେ ସାରସ୍ୱତ ପ୍ରେସ୍ ପ୍ରତିଷ୍ଠା ହୋଇଥିଲା, ଯେଉଁଠୁ ତାଙ୍କ ସମ୍ପାଦନାରେ "ସହକାର" ମାସିକ ପତ୍ରିକା ମଧ୍ୟ ପ୍ରକାଶ ପାଉଥିଲା । "ଜହ୍ନମାମୁଁ" ପତ୍ରିକା ସେତେବେଳେ ବେଶ୍ ଲୋକପ୍ରିୟତା ଅର୍ଜନ କରିଥିଲା । ଆଜି ବାଳକୃଷ୍ଣ କରଙ୍କ "ଜହ୍ନମାମୁଁ" କଥା ଅନେକଙ୍କର ମନେନଥିବ । କିନ୍ତୁ "ଜହ୍ନମାମୁଁ " କହିଲେ ଅଧିକାଂଶଙ୍କର ମନେପଡ଼ିଯିବ ଏକଦା ମାନ୍ଦ୍ରାଜ ସହରରୁ ପ୍ରକାଶ ପାଉଥିବା ଶିଶୁ କିଶୋର ପତ୍ରିକା "ଜହ୍ନମାମୁଁ" । ଏବେ "ଜହ୍ନମାମୁଁ" ଆଉ ପ୍ରକାଶ ପାଉନି । କିନ୍ତୁ ଆଜି ବି ଅନେକ ଅଶୀତପର ବୃଦ୍ଧ ତାଙ୍କ ଶୈଶବ ଓ ତାରୁଣ୍ୟକୁ "ଜହ୍ନମାମୁଁ"ର ଛବି ଓ ଗପମାନଙ୍କ ଦୁନିଆରୁ ଅଲଗା କରି ପାରିବେନି ।
ମୋ ପିଲାଦିନ ଅର୍ଥାତ ସତୁରି ଦଶକର ଶେଷ ପର୍ଯ୍ୟୟ ବେଳକୁ "ଜହ୍ନମାମୁଁ" ଓଡ଼ିଶାର ନିପଟ ଗାଁରେ ପହଞ୍ଚି ସାରିଥିଲା । ୧୯୮୬ ମସିହାରେ ମୁଁ ଯେତେବେଳେ ପ୍ରଥମକରି କଲେଜ ଗଲି ସେତେବେଳେ ପ୍ରଥମ ଥର "ଜହ୍ନମାମୁଁ" କିଣିଲି ।
ନୂଆ "ଜହ୍ନମାମୁଁ" କିଣିବାକୁ ଦୁଇ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା । ମୋତେ ପ୍ରତିଦିନ ଘରୁ ଖର୍ଚ୍ଚ ପାଇଁ ଦୁଇ ଟଙ୍କା ମିଳୁଥିଲା, ଟଙ୍କେ ବାଟ ଖର୍ଚ୍ଚ ଓ ଟଙ୍କେ ଖାଇବା ପାଇଁ । ତେଣୁ "ଜହ୍ନମାମୁଁ" କିଣିବା ପାଇଁ ମୋତେ ପୁରା ଦୁଇଦିନ ଖାଇବା ବନ୍ଦ କରିବାକୁ ହେଉଥିଲା । ସେଥିରେ ପୁଣି ଅରଖ ନୂଆ "ଜହ୍ନମାମୁଁ"ରେ କୋଉ ଗୋଟେ ସାଙ୍ଗର ନାମ ଲେଖୁଥିଲି । କାରଣ ଘରେ ଆରାମରେ ବୁଝେଇଦେଇ ପାରୁଥିଲି ଯେ ସଚିତ୍ର ପ୍ରିୟ ପତ୍ରିକାଟି ମୁଁ କିଣିନି, ବରଂ ଜଣେ ବନ୍ଧୁଙ୍କ ଠାରୁ ଧାର୍ ସୂତ୍ରରେ ଆଣିଛି । 
ମୁଁ ପଢ଼ି ସାରିଲା ପରେ ଗାଁ'ର ଅନ୍ୟ ସାଙ୍ଗମାନେ ମୋ ପାଖରୁ ଧାର୍ ନେଉଥିଲେ ଓ ପ୍ରାୟ ମାସେ ପରେ ସେଇଟି ବାର ହାତ ବାଜି ଦରଛିଣ୍ଡା ଅବସ୍ଥାରେ ଶେଷକୁ ମୋ ପାଖକୁ ଫେରୁଥିଲା । "ଜହ୍ନମାମୁଁ" ବାସି ହେଉନଥିଲା । ମାସ ପରେ ମାସ, ବର୍ଷ ପରେ ବର୍ଷ ଗୋଟେ ଗୋଟେ ସଙ୍ଖ୍ୟା ପଢ଼ାଯାଉଥିଲା। "ଜହ୍ନମାମୁଁ" ମୁଖ୍ୟତଃ ଏକ କିଶୋର ପତ୍ରିକା ହୋଇଥିଲେ ମଧ୍ୟ ଏହାର ପାଠକ ତାଲିକାରେ କିନ୍ତୁ ଯୁବକ-ଯୁବତୀ, ମଧ୍ୟ ବୟସ୍କ ଓ ବୁଢା-ବୁଢ଼ୀ ବି ରହିଥିଲେ ।
ଅନେକ ସାରା ବର୍ଷର ବାର ଖଣ୍ଡ ପତ୍ରିକାକୁ ଯୋଡି ଏକାଠି କରି ସୁଦୃଶ୍ୟ ବନ୍ଧେଇ କରି ବି ରଖୁଥିଲେ । ସେଇଥିପାଇଁ ବୋଧେ ୨୦୧୩ ରୁ "ଜହ୍ନମାମୁଁ" ର ପ୍ରକାଶନ ବନ୍ଦ ହୋଇ ଯାଇଥିଲେ ମଧ୍ୟ ଏବେବି ରାସ୍ତା କଡ଼ର ପୁରୁଣା ବହି ଓ ପତ୍ରିକା ବିକୁଥିବା ଦୋକାନରେ "ଜହ୍ନମାମୁଁ" ମିଳୁଛି । ଗୋଟେ ପତ୍ରିକା ବନ୍ଦ ହୋଇଯିବାର ଅନେକ ବର୍ଷ ପରେ ବି ତା'ର ପାଠକ ଏବେବି ଅଛନ୍ତି ଓ ସେମାନେ ପୁରୁଣା ଦୋକାନରୁ ପତ୍ରିକା କିଣି କିମ୍ବା ଅନ୍ୟଠାରୁ ମାଗିଯାଚି ତା'କୁ ଏବେବି ପଢ଼ୁଛନ୍ତି। ୟେ କ'ଣ କମି କଥା କି ?
"ଜହ୍ନମାମୁଁ" ପ୍ରଥମ କରି ତେଲୁଗୁ ଚଳଚ୍ଚିତ୍ର ପ୍ରଯୋଜକ ବି. ନାଗି ରେଡ୍ଡି ଓ ତାଙ୍କର ଜଣେ ଘନିଷ୍ଠ ବନ୍ଧୁ ତଥା ଚଳଚ୍ଚିତ୍ର ଲେଖକ, ପ୍ରଯୋଜକ ଓ ନିର୍ଦ୍ଦେଶକ ଅଲୁରୀ ଚକ୍ରପାଣି ଙ୍କ ଦ୍ୱାରା ଜୁଲାଇ ୧୯୪୭ ମସିହାରେ ପ୍ରକାଶ ପାଇଥିଲା । ପ୍ରଥମ କରି ତେଲୁଗୁ ଓ ତାମିଲ ଭାଷାରେ ପ୍ରକାଶ ପାଇଥିବା ଏହି ଶିଶୁ ଓ କିଶୋର ପତ୍ରିକାର ନାଁ ଥିଲା "ଆମ୍ବୁଲିମାମା"। ଭାରତ ସ୍ୱାଧୀନତାର ଗୋଟିଏ ମାସ ଆଗରୁ ଏହି ପତ୍ରିକାକୁ ପ୍ରକାଶ କରିବା ପଛରେ ନାଗି ରେଡ୍ଡି ଓ ଚକ୍ରପାଣିଙ୍କର ମହତ୍ ଉଦ୍ଦେଶ୍ଯ ଥିଲା; ଭାରତର ମହାନ ଗଳ୍ପ କଥନର ପରମ୍ପରା ସାଙ୍ଗରେ ଭାରତୀୟ ପୁରାଣ , ସଂସ୍କୃତି ଏବଂ ଚିରନ୍ତନ ମାନବିକ ଆଦର୍ଶ ସହ ଶିଶୁ ଓ କିଶୋର ମାନଙ୍କୁ ପରିଚିତ କରାଇବା । 
"ଜହ୍ନମାମୁଁ" ପ୍ରଥମେ ୧୯୪୭ରେ ତେଲଗୁ ଓ ତାମିଲ ଭାଷାରେ ପ୍ରକାଶ ପାଇଲା। ପରେ ଜୁଲାଇ ୧୯୪୯ ରେ କନ୍ନଡ଼, ଅଗଷ୍ଟ ୧୯୪୯ରେ ହିନ୍ଦୀ, ଏପ୍ରିଲ ୧୯୫୨ରେ ମରାଠୀ ଓ ମାଲାୟାଲମ୍, ୧୯୫୪ରେ ଗୁଜରାଟୀ, ୧୯୫୫ରେ ଇଂରାଜୀ, ଓଡ଼ିଆ ଓ ସିନ୍ଧି ଭାଷାରେ ୧୯୫୬ରେ, ୧୯୭୨ ମସିହାରେ ବଙ୍ଗଳା ଭାଷାରେ, ପଞ୍ଜାବୀରେ ୧୯୭୫ରେ, ୧୯୭୬ ରେ ଅହମିଆରେ, ସିଂହଳୀ ଭାଷାରେ ୧୯୭୮ରେ, ୧୯୮୪ ରେ ସଂସ୍କୃତ ଭାଷାରେ ଓ ସାନ୍ତାଳୀ ଭାଷାରେ ୨୦୦୪ ମସିହାରେ ପ୍ରକାଶ ପାଇଥିଲା ।
ପତ୍ରିକାରେ ସଂସ୍ଥାପକ ଚକ୍ରପାଣି ଓ ସଞ୍ଚାଳକ ଭାବରେ ନାଗି ରେଡ୍ଡିଙ୍କ ନାମ ଛାପା ଯାଉଥିଲା । ପତ୍ରିକାର ସମ୍ପାଦକ ଥିଲେ କେ. କୁଟୁମ୍ବ ରାଓ। କୁଟୁମ୍ବ ରାଓ ସଂସ୍ଥାପକ ଚକ୍ରପାଣିଙ୍କର ଜଣେ ଅନ୍ତରଙ୍ଗ ବନ୍ଧୁ ଥିଲେ ଓ ଜଣେ ବିଦ୍ୱାନ ସାହିତ୍ୟିକ ମଧ୍ୟ ଥିଲେ । ସେ ଦୀର୍ଘ ଅଠେଇଶ ବର୍ଷ ଧରି ୧୯୮୦ ପର୍ଯ୍ୟନ୍ତ "ଜହ୍ନମାମୁଁ"ର ସମ୍ପାଦନା କରିଥିଲେ । ପତ୍ରିକାରେ ପ୍ରକାଶିତ ପୁରାଣ ଗପ ସବୁ କୁଟୁମ୍ବ ରାଓ ନିଜେ ଲେଖୁଥିଲେ ଓ ତେଲୁଗୁ ଭାଷାର ଯୁବ ଲେଖକ ମାନଙ୍କୁ ନୂଆ ନୂଆ ଗପ ଲେଖିବାକୁ ପ୍ରୋତ୍ସାହିତ କରୁଥିଲେ । ଧାରାବାହିକ ଭାବରେ ଲେଖାଯାଉଥିବା ରୋମାଞ୍ଚ କିଶୋର ଉପନ୍ୟାସ ଓ ଲୋକକଥା ଆଧାରିତ ଗଳ୍ପ ଆଦି ଲେଖୁଥିଲେ ଦସାରି ସୁବ୍ରମଣ୍ୟମ୍ ।
ଓଡ଼ିଆ "ଜହ୍ନମାମୁଁ" ୧୯୫୬ ରେ ଜନ୍ମ ନେଲା । ପ୍ରଥମ ଓଡ଼ିଆ "ଜହ୍ନମାମୁଁ" ର ପୃଷ୍ଠା ସଙ୍ଖ୍ୟା ୬୪ ଅଛି । ସମ୍ପାଦକୀୟ ପୃଷ୍ଠାରେ ସମ୍ପାଦକ ଭାବରେ ଚକ୍ରପାଣିଙ୍କ ନାମ ଛପା ଯାଇଛି । ଯାହା ଜଣା ପଡ଼ୁଛି ଜାନୁଆରୀ ୧୯୫୬ ରେ ହିଁ ପ୍ରଥମ ସଙ୍ଖ୍ୟା ବଜାରକୁ ଆସିଛି। ପ୍ରଥମ ସମ୍ପାଦକୀୟରେ ଲେଖା ହେଇଚି "ମାନ୍ଦ୍ରାଜ ଚାନ୍ଦମାମା ପ୍ରତିଷ୍ଠାନରୁ ପ୍ରକାଶିତ "ଜହ୍ନମାମୁଁ" ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଦେଶ ଓଡ଼ିଶା ପକ୍ଷରେ ଏକ ସମୟୋଚିତ ପ୍ରକାଶନ। ନିଖିଳ ପ୍ରାକୃତିକ ଉତ୍କଳର କୁମାର-କୁମାରୀ ଓ ମହିଳାମାନଙ୍କ ହସ୍ତରେ ୧୯୫୬ ଜାନୁଆରୀର "ଜହ୍ନମାମୁଁ "ହେଉଛି ପ୍ରଥମ ସାଦର ଉପହାର । "ଜହ୍ନମାମୁଁ" ଓଡ଼ିଆ ଭାଷୀ ବାଳକ-ବାଳିକା ଓ ମା-ଭଉଣୀଙ୍କୁ ଆନନ୍ଦ ଓ ଆଲୋକ ଦେଇ ପାରିବ ବୋଲି ଆମର ଅତୁଟ ବିଶ୍ୱାସ। ତୀର୍ଥ ମାଳିନୀ ପବିତ୍ର ଓଡ଼ିଶାର ମା' ଓ ଛୁଆ ମାନଙ୍କ ଆନନ୍ଦ ବର୍ଦ୍ଧନ କରିପାରିଲେ "ଜହ୍ନମାମୁଁ" ନିଜକୁ ସାର୍ଥକ ମନେ କରିବ । "ଜହ୍ନମାମୁଁ" ଉତ୍କଳ ଜନନୀଙ୍କୁ ଅଭିବାଦନ କରୁଛି ଏବଂ ଓଡ଼ିଶାର ଆଦରର ସଙ୍ଖାଳି ସବୁ ପୁଅ ଝିଅଙ୍କୁ ସ୍ନେହାଶିଷ ଦେଉଛି ।" 
"ଜହ୍ନମାମୁଁ"ର ପ୍ରଥମ ସଙ୍ଖ୍ୟା ର ପ୍ରଛଦ ଆଙ୍କିଛନ୍ତି ଚିତ୍ରଶିଳ୍ପୀ ଶଙ୍କର । ଚାରି ରଙ୍ଗରେ ଛପା ପ୍ରଚ୍ଛଦର ବିଷୟ ବସ୍ତୁ ରହିଛି, ରାଜା ଇନ୍ଦ୍ରଦ୍ୟୁମ୍ନ ମର୍ତ୍ତ୍ୟକୁ ଆସି ପୁରୀର ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀରେ ଥିବା ପ୍ରାଚୀନ କଚ୍ଛପମାନଙ୍କୁ ନିଜ ବିଷୟରେ ପ୍ରଶ୍ନ କରୁଥିବାର ଦୃଶ୍ୟ । ବେତାଳ କଥା ଗପରେ ପରେ ବିଖ୍ୟାତ ହୋଇଥିବା ଶଙ୍କରଙ୍କ ଛବିଟି ନାହିଁ । ଯେଉଁ ଚିତ୍ରଟି ଅଛି ତାକୁ ଆଙ୍କିଛନ୍ତି ଚିତ୍ରଶିଳ୍ପୀ ଟି. ଭି. ରାଘବନ୍ ଓରଫ ଚିତ୍ର। ଓଡ଼ିଆ "ଜହ୍ନମାମୁଁ"ର ପ୍ରଥମ ସଙ୍ଖ୍ୟାର ଗଳ୍ପମାନଙ୍କରେ ମୁଖ୍ୟତଃ ରେଖାଙ୍କିତ ଦୁଇ ରଙ୍ଗର ଅଳଙ୍କରଣ ସବୁ ରହିଛି।
ଓଡ଼ିଆ "ଜହ୍ନମାମୁଁ"ର ପ୍ରଥମ ଦାୟିତ୍ୱ ନେଇଥିଲେ ସେତେବେଳର ଦୈନିକ ଆଶାର ସହ-ସମ୍ପାଦକ ଓ ସାହିତ୍ୟିକ ମହେନ୍ଦ୍ର ପଟ୍ଟନାୟକ । ସ୍ୱର୍ଗତ ପଟ୍ଟନାୟକ ତାଙ୍କର ଏକ ବ୍ୟକ୍ତିଗତ ନୋଟ୍‌ରେ ଉଲ୍ଲେଖ କରିଛନ୍ତି ଯେ; ସେ ୧୯୫୫ ମସିହା ଜୁଲାଇ ମାସରେ ମାନ୍ଦ୍ରାଜ ନଗରୀରେ ନିଖିଳ ଉତ୍କଳ ଭାରତ ସାମ୍ବାଦିକ ସମ୍ମିଳନୀର ଏକ ଅଧିବେଶନରେ ଉତ୍କଳ ସାମ୍ବାଦିକ ସଙ୍ଘର ଜନୈକ ପ୍ରତିନିଧି ଭାବରେ ଯୋଗ ଦେଇଥିଲେ । ସେତିକି ବେଳେ ତାଙ୍କର "ଚାନ୍ଦମାମା ପ୍ରକାଶନ ସଂସ୍ଥା" ସାଙ୍ଗରେ ଯୋଗାଯୋଗ ହୋଇଥିଲା ଓ ସେ ଓଡ଼ିଆ "ଜହ୍ନମାମୁଁ" ର ଦାୟିତ୍ୱ ନେଇଥିଲେ । ହୁଏତ ଏହି ସମୟରେ ଓଡ଼ିଆ ଭାଷାରେ ପ୍ରକାଶିତ ହେବାକୁ ଥିବା ପତ୍ରିକାଟିର ନାମ ମହେନ୍ଦ୍ର ପଟ୍ଟନାୟକ "ଜହ୍ନମାମୁଁ " ବୋଲି ରଖିଥିଲେ । 
ଶୁଣା କଥା ଅନୁସାରେ ଏହି ଦୌଡ଼ରେ ଅନ୍ୟଜଣେ ବ୍ୟକ୍ତି ମଧ୍ୟ ଥିଲେ । ସେ ହେଉଛନ୍ତି ପୂର୍ବତନ ସାଂସଦ ଓ ଗାଳ୍ପିକ ବ୍ରହ୍ମାନନ୍ଦ ପଣ୍ଡା । ସେ ଯାହା ହେଉ, ମହେନ୍ଦ୍ର ପଟ୍ଟନାୟକ ଅନେକ ଦିନ ଧରି ଦାୟିତ୍ୱରେ ରହିଥିଲେ । ସେ ହିଁ ଗଳ୍ପଗୁଡ଼ିକୁ ହିନ୍ଦୀରୁ ଓଡ଼ିଆକୁ ଅନୁବାଦ କରୁଥିଲେ ଓ ପ୍ରୁଫ୍ ସଂଶୋଧନ କରୁଥିଲେ । ପ୍ରଥମ ସଙ୍ଖ୍ୟାରେ ସନ୍ନିବେଶିତ କିଛି କବିତା, ଗଳ୍ପ ଆଦି ନିଶ୍ଚୟ ଓଡ଼ିଆ ସଞ୍ଜୋଜକ ମହେନ୍ଦ୍ର ପଟ୍ଟନାୟକଙ୍କ ରଚନା । ସେ ମଧ୍ୟ ତାଙ୍କର "ଜହ୍ନମାମୁଁ" ସହ ପ୍ରଥମ ଅନୁଭୂତିକୁ ନେଇ "ଚାନ୍ଦମାମା" ନାମରେ ଏକ କବିତା ରଚନା କରିଥିଲେ ।
ମୋ ଜାଣିବାରେ ବିଶିଷ୍ଟ ସାହିତ୍ୟିକ ମନୋଜ ଦାସ ୧୯୬୩ ରେ ପଣ୍ଡିଚେରୀ ଶ୍ରୀଅରବିନ୍ଦ ଆଶ୍ରମ ଚାଲିଗଲା ପରେ ଚାନ୍ଦମାମା ପ୍ରକାଶନ ସଂସ୍ଥା ସହ ସମ୍ପୃକ୍ତ ହୋଇଥିଲେ ଓ ବିଭିନ୍ନ ଛଦ୍ମନାମରେ ମନୋଜ ବାବୁ ଓ ତାଙ୍କ ପତ୍ନୀ ପ୍ରତିଜ୍ଞା ଦେବୀ "ଜହ୍ନମାମୁଁ" ପାଇଁ ଅନେକ ଗଳ୍ପ ମଧ୍ୟ ରଚନା କରିଥିଲେ । ପ୍ରତିଜ୍ଞା ଦେବୀ ସବ୍ୟସାଚୀ ଓ ଫାଲ୍ଗୁନୀ ଆଦି ନାମ ବ୍ୟବହାର କରୁଥିଲେ। ୧୯୮୫ ରୁ ୧୯୮୯ ପର୍ଯ୍ୟନ୍ତ ସେଇ ଏକ ପ୍ରକାଶନୀ ସଂସ୍ଥା ଦ୍ୱାରା ପ୍ରକାଶିତ ସମ୍ଭ୍ରାନ୍ତ ପତ୍ରିକା "ହେରିଟେଜ୍"ର ସମ୍ପାଦକ ମଧ୍ୟ ଥିଲେ ମନୋଜ ଦାସ । ମନୋଜ ଦାସଙ୍କର ‘କନକ ଉପତ୍ୟକାର କାହାଣୀ’ ନାମରେ ଏକ ଧାରାବାହିକି ମଧ୍ୟ "ଜହ୍ନମାମୁଁ" ରେ ପ୍ରକାଶିତ ହୋଇଥିଲା । ଶେଷ ଆଡ଼କୁ ଓଡ଼ିଆ କବି ସୁନୀଲ ପୃଷ୍ଟି "ଜହ୍ନମାମୁଁ"ର ଗଳ୍ପ ଗୁଡ଼ିକୁ ହିନ୍ଦୀ ଓ ଇଂରାଜୀରୁ ଓଡ଼ିଆକୁ ଅନୁବାଦ କରୁଥିଲେ । ଅବଶ୍ଯ ପତ୍ରିକା ବନ୍ଦ ହେଲାବେଳକୁ ପ୍ରଣତି ପରିଡ଼ା ଏଇ ଅନୁବାଦ କାମ କରୁଥିଲେ।
"ଜହ୍ନମାମୁଁ"ର ମୁଖ୍ୟ ଆକର୍ଷଣ ଥିଲା ତାର ଚିତ୍ର । "ଜହ୍ନମାମୁଁ"ର ସବୁ ଗପ ସାଙ୍ଗରେ ଚିତ୍ର ନିଶ୍ଚୟ ରହୁଥିଲା । ପ୍ରଥମରୁ ପତ୍ରିକାର ପ୍ରଚ୍ଛଦ ରଙ୍ଗୀନ ଓ ଭିତର ଅଳଙ୍କରଣ କଳା ଧଳା କିମ୍ବା ଦୁଇ ରଙ୍ଗର ଥିଲା । ସବୁ ଚିତ୍ର ତଳେ ଚିତ୍ରଶିଳ୍ପୀଙ୍କ ସନ୍ତକ ରହୁଥିଲା । ପିଲାଦିନେ ମୁଁ "ଜହ୍ନମାମୁଁ"ର ସବୁ ଚିତ୍ରଶିଳ୍ପୀଙ୍କ ନାଁ ମନେରଖିଥିଲି । ମୋ ପରି ଅନେକ "ଜହ୍ନମାମୁଁ"ର ଗପ ସାଙ୍ଗରେ ତା'ର ଚିତ୍ର ସବୁକୁ ଭଲପାଉଥିଲେ । ମୋ ପରି ମୋର ଅନେକ ବନ୍ଧୁ ଚିତ୍ରଶିଳ୍ପୀ ସେମାନଙ୍କ ପିଲାଦିନେ ଏଇ "ଜହ୍ନମାମୁଁ"ର ଚିତ୍ର ଦେଖି ଓ ତା'କୁ ଆଙ୍କି ଚିତ୍ରକଳାର ପ୍ରାରମ୍ଭିକ ଖଡ଼ି ଛୁଆଁ କରିଛନ୍ତି । "ଜହ୍ନମାମୁଁ" ସାଙ୍ଗରେ ପ୍ରଥମରୁ ସବୁଠାରୁ ଅଧିକ ସମୟ ସମ୍ପୃକ୍ତ ଥିବା ଚିତ୍ରଶିଳ୍ପୀ ହେଉଛନ୍ତି ଶଙ୍କର । ପୁରା ନାମ କେ. ଚନ୍ଦ୍ରଶେଖରନ୍ ଶିବଶଙ୍କରାନ୍ । "ଜହ୍ନମାମୁଁ" ରେ କେବେବି ସରୁନଥିବା ବେତାଳ କଥା ସିରିଜ୍‌ର ସେଇ ଚିତ୍ର କାହାର ବା ମନେ ନଥିବ ? ରାଜା ବିକ୍ରମାର୍କ, କାନ୍ଧରେ ବେତାଳ ସବାର ଥିବା ଶବ । ହାତରେ ନଗ୍ନ ତରବାରୀ । ଗପର ଆରମ୍ଭ ସବୁବେଳେ ସେଇ ଗୋଟିଏ କଥାରୁ ହେଉଥିବ......
“ନିଶା ଗରଜୁ ଥାଏ । ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ମଧ୍ୟେ ମଧ୍ୟେ ବର୍ଷା ମଧ୍ୟ ପିଟୁଥାଏ । ବଜ୍ରଧ୍ୱନି ଓ ଶ୍ଵାନଶ୍ଵାପଦଙ୍କ ରଡ଼ି । ମଝିରେ ଶୁଭୁଥାଏ ଅଶରୀରିମାନଙ୍କ ଅଟ୍ଟହାସ୍ୟ । ଘନ ଘନ ବିଜୁଳି ଆଲୁଅରେ ଦିଶି ଯାଉଥାଏ ଭୟାବହ ମୁହଁଟିମାନ । କିନ୍ତୁ ରାଜା ବିକ୍ରମାର୍କ ତିଳେ ମଧ୍ୟ ବିଚଳିତ ବୋଧ ନକରି, ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଶବଟିକୁ ଉତାରି ଆଣିଲେ । ତେବେ ତା'କୁ କାନ୍ଧରେ ପକାଇ ଶୂନ୍‌ଶାନ ଶ୍ମଶାନ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବ ସ୍ଥିତ ବେତାଳ କହିଲା " ରାଜା ......... ”
ଶଙ୍କର ଏଇ ଛବିଟିକୁ ୧୯୬୦ ମସିହାରେ ଆଙ୍କିଥିଲେ, ଯାହାକି ପରବର୍ତ୍ତୀ ସବୁ ଭାଷାରେ ପ୍ରକାଶିତ ପ୍ରତିଟି ସଙ୍ଖ୍ୟାରେ ନିୟମିତ ପ୍ରକାଶିତ ହୋଇଛି । ଶଙ୍କରଙ୍କର ଜନ୍ମ ତାମିଲନାଡ଼ୁର ଇରୋଡ଼ ଠାରେ ୧୯ ଜୁଲାଇ ୧୯୨୪ ମସିହାରେ ହୋଇଥିଲା । ଶଙ୍କରଙ୍କର ବାପା ଜଣେ ସ୍କୁଲ ମାଷ୍ଟର ଥିଲେ ଓ ଶଙ୍କରଙ୍କୁ ମିଶାଇ ତାଙ୍କର ଚାରି ପୁଅ ଥିଲେ । ଶଙ୍କର ପିଲାଟି ଦିନରୁ ଚିତ୍ର କରିବାକୁ ଖୁବ୍ ଭଲ ପାଉଥିଲେ । ସ୍କୁଲ୍ ରେ ପଢୁଥିବା ବେଳେ ତାଙ୍କ ଚିତ୍ର ଶିକ୍ଷକ ତାଙ୍କ ରବିବାରିଆ କଳା ସ୍କୁଲରେ ଅନ୍ୟ ପିଲାମାନଙ୍କ ଚିତ୍ରର ଅଙ୍କନ ଠିକ୍ କରିଦେବାକୁ ଶଙ୍କରଙ୍କୁ କହୁଥିଲେ ଓ ପ୍ରତିବଦଳରେ ତାଙ୍କୁ ପେନସିଲ୍, ରବର୍, କାଗଜ ଓ ରଙ୍ଗ ଆଦି ଦେଉଥିଲେ । 

ଶଙ୍କରଙ୍କର ଚିତ୍ର ପ୍ରତି ନିଷ୍ଠା ଓ ଆଗ୍ରହ ଦେଖି ସେଇ ଚିତ୍ର ଶିକ୍ଷକ ଶଙ୍କରଙ୍କୁ ବି.ଏ. କି ଏମ୍.ଏ. ନକରି ଚିତ୍ର ବିଦ୍ୟାଳୟରେ ଚିତ୍ର ପଢ଼ିବାକୁ ଉପଦେଶ ଦେଇଥିଲେ । ଯୋଗସୂତ୍ରକୁ ସେଇ ବିଦ୍ୟାଳୟରେ ଏକଦା ନାଗି ରେ଼୍ଡ୍ଡି ବି ପାଠ ପଢ଼ୁଥିଲେ । ୧୯୪୧ରେ ଶଙ୍କର ତାଙ୍କ ମାଟ୍ରିକ ପରୀକ୍ଷା ପରେ ମାନ୍ଦ୍ରାଜ ସରକାରୀ କଳା ବିଦ୍ୟାଳୟରେ ଯୋଗ ଦେଇଥିଲେ । ସେତେବେଳେ ସେଠି ପ୍ରିନ୍ସପାଲ୍ ଥା'ନ୍ତି ବିଖ୍ୟାତ ସ୍ଥପତି ଦେବୀପ୍ରସାଦ ରାୟଚୌଧୁରୀ । 

କଳା ବିଦ୍ୟାଳୟରୁ ବାହାରିଲା ପରେ ଶଙ୍କର ପ୍ରଥମେ "କଲାଈମଗଲ" ନାମକ ପତ୍ରିକାରେ ଯୋଗ ଦେଇଥିଲେ ଓ ସେଠି ପ୍ରାୟ ପାଞ୍ଚ ବର୍ଷ କାମ କଲାପରେ "ଜହ୍ନମାମୁଁ" କୁ ଆସିଥିଲେ । "କଲାଈମଗଲ"ରେ ତାଙ୍କୁ ୮୫ ଟଙ୍କା ଦରମା ମିଳୁଥିଲା, ଯାହାକି ୧୯୫୨ ବେଳକୁ ବଢ଼ି ବଢ଼ି ୧୫୦ ରେ ପହଞ୍ଚିଥିଲା । ଠିକ୍ ସେତିକି ବେଳକୁ ନାଗି ରେଡ୍ଡି ତାଙ୍କୁ "ଜହ୍ନମାମୁଁ" କୁ ଡାକି ନେଇଥିଲେ ଓ ମାସକୁ ୩୫୦ ଟଙ୍କା ଦରମା ଦେଲେ । ଅବଶ୍ୟ କାଗଜ ପତ୍ରରେ ସେ ୩୦୦ ଟଙ୍କା ଦରମା ନେଉଥିଲେ, କାରଣ ତାଙ୍କ ଆଗରୁ "ଜହ୍ନମାମୁଁ"ରେ ଚାକିରୀ କରୁଥିବା ମୁଖ୍ୟ ଚିତ୍ରଶିଳ୍ପୀ ଟି.ଭି. ରାଘବନ୍ ଙ୍କୁ ୩୫୦ ଟଙ୍କା ଦରମା ମିଳୁଥିଲା । 

"ଜହ୍ନମାମୁଁ" ରେ ପ୍ରଥମରୁ ଛବି ଆଙ୍କୁଥିବା ଚିତ୍ରଶିଳ୍ପୀମାନେ ହେଲେ ଏମ୍ .ଟି.ଭି. ଆଚାର୍ଯ୍ୟା, ଟି. ଭି. ରାଘବନ୍ (ଯିଏ ତାଙ୍କ ଚିତ୍ରରେ 'ଚିତ୍ର' ବୋଲି ଦସ୍ତଖତ କରୁଥିଲେ), କେଶବ ରାଓ, ଏମ. ଗୋଖେଲ୍, କେ. ସି. ଶିବଶଙ୍କରନ୍ ଇତ୍ୟାଦି। ପରେ ଶକ୍ତି ଦାସ ,ଏମ୍. କେ. ବାସା ( 'ରାଜୀ' ନାମରେ ଦସ୍ତଖତ କରୁଥିଲେ), ଗାନ୍ଧୀ ଆୟା , ଆକା. ଗାନ୍ଧୀ , ପି. ମହେଶ ( 'ମହେ' ଦସ୍ତଖତ କରୁଥିଲେ) ଆଦି ଚିତ୍ରଶିଳ୍ପୀ ଯୋଗ ଦେଇଥିଲେ । ଭଡ୍ଡଡ଼ି ପାପୟା "ଜହ୍ନମାମୁଁ"ର ରଙ୍ଗୀନ ପ୍ରଚ୍ଛଦ ଆଙ୍କୁଥିଲେ ଓ ଭାପା ନାମରେ ଦସ୍ତଖତ କରୁଥିଲେ । 

ଭାରତ ସ୍ୱାଧୀନ ହେବାର ଗୋଟିଏ ମାସ ଆଗରୁ ପ୍ରକାଶ ପାଇଥିବା "ଜହ୍ନମାମୁଁ" ପରେ ୧୩ଟି ଭାଷାରେ ପ୍ରକାଶ ପାଉଥିଲା । ପ୍ରଥମରୁ ଏହାର ପରିଚାଳକ ଓ ସଂସ୍ଥାପକ ଭାରତର ଅଗଣିତ ଶିଶୁ ଓ କିଶୋରଙ୍କୁ ଯେଉଁ ନୈତିକତା ଶିକ୍ଷା ଦେବା ପାଇଁ ମନସ୍ଥ କରିଥିଲେ ତାହା ଶେଷ ପର୍ଯ୍ୟନ୍ତ କିନ୍ତୁ ଅବ୍ୟାହତ ଥିଲା ।

"ଜହ୍ନମାମୁଁ" ର ଗପ ଓ ଚିତ୍ରର ପରିବେଶ ଓ ଚରିତ୍ର ମାନେ ଆମ ପୁରୁଣା ଭାରତର ଥିଲେ । ଯେଉଁଠି ରାଜା ଥିଲେ, ମନ୍ତ୍ରୀ, ସେନାପତି, କଟୁଆଳ, କଟୁଆଳ, ରାଜକୁମାର ଓ ରାଜକୁମାରୀ ଥିଲେ । ଧନୀ ଥିଲେ, ଗରିବ ବି ଥିଲେ । ଜମିଦାର ଥିଲେ, ବଣ ଜଙ୍ଗଲରେ ମୁନିଋଷି ଥିଲେ, ଭୂତ-ପିଶାଚ ଥିଲେ, ଚୋର ଓ ଡାକୁ ଥିଲେ । ଘୋଡା ଗାଡି ଓ ଶଗଡ଼ ଗାଡ଼ିରେ ଲୋକମାନେ ଯିବା ଆସିବା କରୁଥିଲେ । ସେଠି ତଥାପି କାଗଜ ନୋଟ୍‌ର ପ୍ରଚଳନ ଆରମ୍ଭ ହୋଇନଥିଲା । ମୁଦ୍ରାର ଆଦାନ ପ୍ରଦାନ ଥଳିରେ ହେଉଥିଲା । 
ଗପରେ ପ୍ରତ୍ୟକ୍ଷ ଦେବା ଦେବୀ ଥିଲେ । ଅଲୌକିକତା ବଞ୍ଚିକି ରହିଥିଲା । ଭଲ କର୍ମ ପାଇଁ ଭଲ ଫଳ ଓ ମନ୍ଦ କର୍ମ ପାଇଁ ମନ୍ଦ ଫଳ ମିଳୁଥିଲା । ଭୂତ ମାନଙ୍କର ପାଦ ନଥିଲା ଓ ସେମାନେ ପ୍ରାୟତଃ ସୁଧାର ଥିଲେ ଓ ମଣିଷଙ୍କୁ ହଇରାଣ କମ୍, ସାହାଯ୍ୟ ଅଧିକ କରୁଥିଲେ । "ଜହ୍ନମାମୁଁ"ର ଗପରେ ଓ ଚିତ୍ରରେ ବିଜୁଳି ବତୀ ଆସିନଥିଲା । ଲୋକମାନେ ଦୀପ, ନହେଲେ ଅଧିକ ହେଲେ, ଲଣ୍ଠନ ବ୍ୟବହାର କରୁଥିଲେ । ଘର ଭିତରେ ଆସବାବପତ୍ର କମ୍ ରହୁଥିଲା ଓ ଗାଁଗୁଡ଼ିକ ବେଶ ପରିଷ୍କାର ପରିଚ୍ଛନ୍ନ ଥିଲା । 
ସ୍ତ୍ରୀ ଲୋକମାନେ ଶାଢ଼ୀ ପିନ୍ଧୁଥିଲେ ଓ ସାନ ସାନ ଝିଅ ମାନେ ଦୁଇପାଖକୁ ବେଣୀ ପକାଇ ରିବନ ବାନ୍ଧୁଥିଲେ ଏବଂ ଲାଙ୍ଗାୱାଣୀ ପିନ୍ଧୁଥିଲେ । ପୁରୁଷମାନେ ଧୋତି କାମିଜ ପିନ୍ଧୁଥିଲେ । ରାଜା ଜମିଦାରମାନେ ମୋଟା ଓ ଚମତ୍କାର ମୋଡ଼ା ନିଶ ରଖୁଥିଲେ । ପିଲାମାନେ ଗୁରୁକୁଳରେ ତାଳପତ୍ର ଓ ଲେଖନୀ କିମ୍ବା ଭୁଜପତ୍ର ଧରି ପାଠ ପଢୁଥିଲେ । ଠେଙ୍ଗା, ଖଣ୍ଡା ଓ ଛୁରୀର ବ୍ୟବହାର ଚାଲିଥିଲା। ଆଧୁନିକ ମାରଣାସ୍ତ୍ର ଦୁରନ୍ତ ଥିଲା । 
ଗାଁ ଓ ସହର ମଧ୍ୟରେ ଜଙ୍ଗଲ ନିଶ୍ଚୟ ରହୁଥିଲା ଓ ସେଥିରେ ରାକ୍ଷସ, ପିଶାଚ, ବ୍ରହ୍ମରାକ୍ଷସ, ଭୂତ, ପ୍ରେତ, ଡାକୁ, ଚୋର ଓ ଦେବତା ମାନେ ରହୁଥିଲେ । ମୋଟା ମୋଟି "ଜହ୍ନମାମୁଁ" ର ଦୁନିଆଁ ଅଲଗା ଥିଲା । ଭାରତ ତା' ବାଟରେ ଆଗକୁ ବଢ଼ୁଥିଲା କିନ୍ତୁ "ଜହ୍ନମାମୁଁ" ର ଦୁନିଆ ତା'ର ନିଜସ୍ୱ ବାଗରେ ଧୀରେ ସୁସ୍ଥେ ବାଟ ଚାଲୁଥିଲା । ସମସ୍ତ ଆଧୁନିକତା ଓ ନଗର ଜୀବନର ବାସ୍ତବତା ଭିତରେ "ଜହ୍ନମାମୁଁ"ର ପାଠକ ମାନେ "ଜହ୍ନମାମୁଁ"ର ଗପ ଓ ଚିତ୍ରର ଦୁନିଆକୁ ଭଲ ପାଉଥିଲେ । ପିଲାଏ ବିଶ୍ୱାସ କରୁଥିଲେ ଏମିତିକା ପରିବେଶ ଏଇ ଆଖ ପାଖରେ ହୁଏତ କୋଉଠି ଅଛି, ଘରୁ ଗୋଡ଼ କାଢ଼ିଲେ ଚାରି ଖୋଜରେ ପହଞ୍ଚି ଯାଇ ହେବ ।
୨୦୧୩ ରେ "ଜହ୍ନମାମୁଁ" ପ୍ରକାଶନ ହଠାତ୍ ବନ୍ଦ ହୋଇଯାଇଥିଲା । ୨୦୦୭ ରେ ପତ୍ରିକାର ମାଲିକାନା ମୁମ୍ବାଇର ଗୋଟେ ସଫ୍ଟୱୟାର୍ କମ୍ପାନୀ ଜିଓଡେସିକ୍ କିଣି ନେଇଥିଲା, ଷାଠିଏ ବର୍ଷର ପତ୍ରିକାକୁ ଡ଼ିଜିଟାଇଜ୍ କରିବା ପାଇଁ । କିନ୍ତୁ ଋଣ ପରିଶୋଧ ଆଦି ଅଡ଼ୁଆ ଯୋଗୁଁ କମ୍ପାନୀ ଅସୁବିଧାରେ ପଡିଲା ପରେ ଏଇ ଯୋଜନା ଏବେ ଅନ୍ଧାରକୁ ଠେଲି ହୋଇ ଯାଇଛି । ବ୍ୟକ୍ତିଗତ ସ୍ତରରେ କେହି କେହି ଏଇ କାମଟି କରୁଛନ୍ତି । ଆଜି କାଲି ଅଳ୍ପ କିଛି ପୁରୁଣା ଓଡ଼ିଆ "ଜହ୍ନମାମୁଁ"ର ପି.ଡି.ଏଫ୍. ମଧ୍ୟ ଇଣ୍ଟରନେଟ୍‌ରେ ଉପଲବ୍ଧ ଅଛି ।

2 comments:

  1. ଜହ୍ନ ମାମୁଁ ପତ୍ରିକାର ଥିଲା ନିଜସ୍ଵ ଏକ ଐନ୍ଦ୍ରଜାଲିକ୍ ଦୁନିଆ ଯାହା କେତେ ପିଢ଼ିର ଶିଶୁ ମାନଙ୍କୁ ସମ୍ପୂର୍ଣ୍ଣ ଆଚ୍ଛନ୍ନ କରି ରଖିଥିଲା ଆଉ ତଥାକଥିତ ବାସ୍ତବ ଆଧୁନିକତାର ଆସୁରିକ ଆହ୍ୱାନକୁ ପରାସ୍ତ କରିବାରେ ସଫଳ ହେଇ ପାରୁଥିଲା।

    ReplyDelete