ଗଙ୍ଗାଧର ବଳଙ୍କ ହାଇସ୍କୁଲ ଶିକ୍ଷା
ଶୈଲେନ ରାଉତରାୟ
![]() |
କେନ୍ଦୁଝରର ଗୁଣ୍ଡିଚାଘାଗି ଜଳପ୍ରପାତ (ୱିକିମିଡିଆ କମନ୍ସ୍) |
ଓଡ଼ିଆ ଭାଷା ସାହିତ୍ୟର ଅଧ୍ୟାପକ ଗଙ୍ଗାଧର ବଳଙ୍କର ହାଇସ୍କୁଲ ପାଠ ପଢ଼ା ଆରମ୍ଭ ହୁଏ କେନ୍ଦୁଝରର ଗିବ୍ସନ୍ ହାଇସ୍କୁଲରେ, ୧୯୪୨ ମସିହାର ଜାନୁଆରୀ ମାସରେ । ଏବେ ଅବଶ୍ୟ ଏହି ଉଚ୍ଚ ବିଦ୍ୟାଳୟଟି ଗଡ଼ର ଭୁତପୂର୍ବ ରାଜା ଧନୁର୍ଜୟ ନାରାୟଣ ଭଞ୍ଜଙ୍କ ନାମାନୁସାରେ ନାମିତ । ହାଇସ୍କୁଲଟି ସାନ୍ତରାପୁର ଶାସନର ଦକ୍ଷିଣକୁ ବଡ଼ଦାଣ୍ଡ ସହ ଯୋଡ଼ୁଥିବା ମୂଖ୍ୟ ରାସ୍ତାର ପାଖରେ । ସ୍କୁଲର ପଶ୍ଚିମ ଦିଗରେ ଗଡ଼ର ଡାକ୍ତରଖାନା ଓ ତହିଁର ଚିକିତ୍ସକମାନଙ୍କର ଆବାସଗୁଡ଼ିକ ।
ସ୍କୁଲଟି ଗୋଟିଏ ବଡ଼ ଖୋଲାମେଲା ଜେଗାରେ ତିଆରି ହୋଇଥିଲା । ସ୍କୁଲ
ପରିସର ଭିତରେ ଥିଲା ଗୋଟିଏ ସୁନ୍ଦର ଫୁଲ ବଗିଚା । ଉଦ୍ୟାମ ମଧ୍ୟରେ ଭ୍ରମଣ କରିବା ପାଇଁ
ସିମେଣ୍ଟର ରାସ୍ତାଟିଏ ବି ନିର୍ମିତ ଥିଲା । ସ୍କୁଲ ପରିସରକୁ ପରିଷ୍କାର ପରିଚ୍ଛନ ରଖିବା ପାଇଁ
ବିଶେଷ ଧ୍ୟାନ ଦିଆଯାଉଥିଲା । ବିଦ୍ୟାଳୟଟିରେ ଦୁଇଟି ଛାତ୍ରାବାସ ଥିଲା, ଯାହା
ସେବେ ‘ନ୍ୟୁ ହଷ୍ଟେଲ’ ଓ ‘ଓଲ୍ଡ଼୍ ହଷ୍ଟେଲ୍ ଭାବରେ’ ପରିଚିତ ଥାଆନ୍ତି । ଗଙ୍ଗାଧର ଆସି ନ୍ୟୁ ହଷ୍ଟେଲରେ ରହିଲେ ।
ସେତେବେଳେ ସମୁଦାୟ କେନ୍ଦୁଝର ଗଡ଼ରେ ଗୋଟିଏ ବୋଲି ହାଇସ୍କୁଲ ଭାବରେ ବିଦ୍ୟାଳୟଟିର ନାଁଡାକ ଥାଏ । ଆନନ୍ଦପୁରରେ ଥାଏ ଗୋଟିଏ ମଧ୍ୟ-ଇଂରାଜୀ ବିଦ୍ୟାଳୟ । ତାହା ସହ ଦେଓଗାଁ ଓ ଚମ୍ପୁଆଠାରେ ଥାଏ ଦୋଟି
ମଧ୍ୟ-ଭର୍ଣ୍ଣାକୁଲାର ଇସ୍କୁଲ । ଏହା ଛଡ଼ା କେନ୍ଦୁଝର ରାଜ୍ୟ ସାରା ସେବେ
ଥାଏ ହାତଗଣତି କେତୋଟି ନିମ୍ନ-ପ୍ରାଥମିକ ଓ ଉଚ୍ଚ-ପ୍ରାଥମିକ ସ୍କୁଲଟିମାନ ।
ଯେଉଁ ଛାତ୍ରମାନେ ମଧ୍ୟ-ଭର୍ଣ୍ଣକୁଲାର
ସ୍କୁଲରୁ ସପ୍ତମ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହୋଇ ଆସୁଥିଲେ, ସେମାନେ ସିଧାସଳଖ
ଅଷ୍ଟମ ଶ୍ରେଣୀରେ ଯୋଗ ଦେଇପାରୁ ନଥିଲେ । ସେମାନଙ୍କୁ ଆବଶ୍ୟକୀୟ ଇଂରାଜୀ ଶିଖିବା ପାଇଁ ଆଉ ଥରେ
ସପ୍ତମ ଶ୍ରେଣୀରେ ବରଷେ କଟାଇବାକୁ ପଡ଼ୁଥିଲା । ଇଂରାଜୀରେ ଦକ୍ଷତା ଦେଖାଇଲେ ଯାଇ ସେମାନେ
ଅଷ୍ଟମ ଶ୍ରେଣୀକୁ ଉଠୁଥିଲେ । କାରଣ ସେବେ ହାଇସ୍କୁଲରେ କେବଳ ସଂସ୍କୃତ ଭଳି ଭାଷାକୁ ଛାଡ଼ି
ଦେଲେ ଗଣିତ, ଇତିହାସ ଆଦି ବାକି ସବୁ ବିଷୟ ଇଂରାଜୀରେ ପଢ଼ା ହେଉଥିଲା । ଅଷ୍ଟମ ଓ
ନବମ ଶ୍ରେଣୀରେ ସଂସ୍କୃତ ପଢ଼ା ହେଉଥିଲା । ପ୍ରାୟ ପ୍ରତିବର୍ଷ ପୁରସ୍କାର ବିତରଣୀ ସଭା
ଅନୁଷ୍ଠିତ ହେଉଥିଲା ।
ବିଦ୍ୟାଳୟରେ ନାମ ଲେଖାଇବାର କିଛି ସପ୍ତାହ ଭିତରେ ତ୍ରୈମାସିକ ପରୀକ୍ଷାରେ ପ୍ରଥମ ହେବାରୁ
ସ୍କୁଲ କର୍ତ୍ତୃପକ୍ଷ ତାଙ୍କର ଦରମା ଛାଡ଼ କରିଦେଲେ । ମାସିକିଆ ତିନି ଟଙ୍କାର ବୃତ୍ତିର ମଧ୍ୟ
ତାଙ୍କ ପାଇଁ ବ୍ୟବସ୍ଥା ହେଲା । ଗଙ୍ଗାଧର ନିଜ ଶ୍ରେଣୀରେ ପ୍ରଥମ ହେଉଥିବାରୁ ଓ ଜଣେ ଶୃଙ୍ଖଳିତ
ଚାଟ ଭାବରେ ନାଁ କରିଥିବାରୁ ସ୍କୁଲର ବାର୍ଷିକ ପୁରସ୍କାର ବିତରଣୀ ସଭାଗୁଡ଼ିକରେ ନାନା
ପୁରସ୍କାର ଲାଭ କରୁଥିଲେ । ତାଙ୍କୁ ଏଥି ପାଇଁ ଭଲଭଲ ବହିସବୁ ପୁରସ୍କାର ଆକାରରେ ମିଳୁଥିଲା ।
ଦଶମ ଶ୍ରେଣୀରେ ପଢ଼ୁଥିବା ସମୟରେ ଚନ୍ଦ୍ରଶେଖର ମହାପାତ୍ରଙ୍କର ‘ସାମନ୍ତ ଚନ୍ଦ୍ରଶେଖର’ ଓ ‘ଛାତ୍ର ସହଚର’ ବହି ଦିଓଟି ଗଙ୍ଗାଧରଙ୍କ
ଉପରେ ବହୁତ ଭଲ ପ୍ରଭାବ ପକାଇଲା ବୋଲି ସେ ନିଜ ଆତ୍ମଜୀବନୀରେ କୁହନ୍ତି ।
ଜଣେ ଭଲ ଛାତ୍ର ଭାବରେ ତାଙ୍କୁ ଦଶମ ପରଠାରୁ ନିଜ ତଳ ଶ୍ରେଣୀର
ଛାତ୍ରମାନଙ୍କୁ ପଢ଼ାଇବାର ସୁଯୋଗ ମିଳିଲା । ସେବେ ଟିଉସନର ପ୍ରଚଳନ ସେତେ ବେଶି ନ ଥିଲା ।
ବିଦ୍ୟାଳୟର ଶିକ୍ଷକମାନେ ଗୃହଶିକ୍ଷକ ଭାବରେ କାମ କରିବାକୁ ଅସମ୍ମାନଜନକ ବୋଲି ମଣୁଥିଲେ ।
ପିଲାମାନେ ପାଠପଢ଼ାରେ କିଛି ଅସୁବିଧା ନେଇ ଶିକ୍ଷକମାନଙ୍କ ପାଖରେ ପହଞ୍ଚିଲେ ସେମାନେ ସ୍ନେହଭରେ
ସେସବୁ ଦିଗରେ ସାହାଯ୍ୟ କରୁଥିଲେ । ସେଥି ପାଇଁ କିଛି ପାଉଣା ଦେବାକୁ ହେଉ ନଥିଲା । କେହି କେହି
ଗରୀବ ପିଲା କଦବା କ୍ୱଚିତ ଚିଉସନ କରୁଥିଲେ ।
ଏକାଦଶ ଶ୍ରେଣୀରେ ପଢ଼ିଲା ବେଳେ ଗଙ୍ଗାଧରଙ୍କର ଅଜା ଚାଲିଗଲେ
। ତାହାର କିଛି ବର୍ଷ ପୂର୍ବରୁ ଆଇ ମଧ୍ୟ ଆରପାରିକୁ ଚାଲିଯାଇଥିଲେ । ମାମୁଁ ଘରେ ରହି
ପାଠପଢ଼ୁଥିବା ମାତୃହୀନ ଗଙ୍ଗାଧରଙ୍କର ପାଇଁ ଅଜାଙ୍କର ବିୟୋଗ ଥିଲା ଏକ ବଡ଼ ଧକ୍କା । ହେଲେ
ଆଗକୁ ପଢ଼ିବାକୁ ହେଲେ ମେଟ୍ରିକ ପରୀକ୍ଷାର ଘାଟି ଯେ ଟପିବାକୁ ପଡ଼ିବ, ସେ କଥା ଭାବି ସେ ନିଜ ଛାତିକୁ ପଥର କରି
କଠିନ ପରିଶ୍ରମ କରିବାକୁ ଲାଗିଲେ ।
ସେତେବେଳକୁ ଉତ୍କଳ ବିଶ୍ୱବିଦ୍ୟାଳୟ ଆରମ୍ଭ ହୋଇ ଓଡ଼ିଆ
ଭାଷାଭାଷୀ ଅଞ୍ଚଳର ହାଇସ୍କୁଲମାନ ତାହା ସହିତ ଅନୁବନ୍ଧିତ ହୋଇ ସାରି ଥାଆନ୍ତି । ଯଦିଓ ଓଡ଼ିଆ
ମାଧ୍ୟମରେ ପରୀକ୍ଷା ଦେବାକୁ ଥିଲା, ଗଙ୍ଗାଧର କିନ୍ତୁ ଇଂରାଜୀ ଭାଷାରେ ଲିଖିତ
ହଲ୍ ଆଣ୍ଡ୍ ନାଇଟ୍ସ୍, କେ.ପି ବସୁ ଓ ଜେ.ସି. ଚକ୍ରବର୍ତ୍ତୀ ଆଦିଙ୍କର ଗଣିତ ବହି ତଥା
ଡଡଲି ଷ୍ଟାମ୍ପ୍ଙ୍କର ଭୂଗୋଳ ବହି ଆଦି ପଢ଼ି ମେଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଲେ ।
୧୯୪୫
ସାଲର ମାର୍ଚ୍ଚ ମାସରେ ପରୀକ୍ଷା ହେଲା । କଟକ ଟ୍ରେନିଂ ମହାବିଦ୍ୟାଳୟର ମହେଶଚନ୍ଦ୍ର ପ୍ରଧାନ
ପରୀକ୍ଷା କେନ୍ଦ୍ରର ତତ୍ତ୍ୱାବଧାରକ ହୋଇ ଆସିଥିଲେ ସେହି ବରଷ । କିଛି ମାସ ପରେ ସମାଜ ଖବରକାଗଜର
ପୃଷ୍ଠାରେ ଫଳ ବାହାରିଲା । ଗଙ୍ଗାଧର ହୋଇଥିଲେ କେନ୍ଦୁଝର ରାଜ୍ୟରେ ପ୍ରଥମ ଶ୍ରେଣୀରେ ପ୍ରଥମ
।
ବି.ଦ୍ର.- ଏହି ଲେଖାଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ପ୍ରକାଶିତ ହୋଇଅଛି । ଆଲେଖ୍ୟଟି ପାଇଁ ଆବଶ୍ୟକୀୟ ଉପାଦାନ ଗଙ୍ଗାଧର ବଳଙ୍କ ଆତ୍ମଜୀବନୀ ‘ଶିକ୍ଷାବିତ୍ର ଆତ୍ମଲିପି’ରୁ ସଙ୍ଗୃହିତ । ବହିଟିର ପ୍ରଥମ ସଂସ୍କରଣ ୨୦୧୦ ମସିହାର ଫେବୃଆରୀ ମାସରେ କଟକସ୍ଥ ପ୍ରକାଶକ ବିଜୟିନୀ ପବ୍ଲିକେଶନ ଛାପିଥିଲେ ।
ବି.ଦ୍ର.- ଏହି ଲେଖାଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ପ୍ରକାଶିତ ହୋଇଅଛି । ଆଲେଖ୍ୟଟି ପାଇଁ ଆବଶ୍ୟକୀୟ ଉପାଦାନ ଗଙ୍ଗାଧର ବଳଙ୍କ ଆତ୍ମଜୀବନୀ ‘ଶିକ୍ଷାବିତ୍ର ଆତ୍ମଲିପି’ରୁ ସଙ୍ଗୃହିତ । ବହିଟିର ପ୍ରଥମ ସଂସ୍କରଣ ୨୦୧୦ ମସିହାର ଫେବୃଆରୀ ମାସରେ କଟକସ୍ଥ ପ୍ରକାଶକ ବିଜୟିନୀ ପବ୍ଲିକେଶନ ଛାପିଥିଲେ ।