ଶ୍ୟାମାମଣୀ ଦେବୀଙ୍କ ସହ ସାକ୍ଷାତକାର - ୧
![]() |
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ |
ସେଣ୍ଟର୍ ଫର୍ ହ୍ୟୁମାନ୍ ସାଇନ୍ସେସ୍ ଭୁବନେଶ୍ପର (ସଂକ୍ଷେପରେ
ସେଣ୍ଟର୍) –ଆପଣ ଆମକୁ ସମୟ ଦେଉଛନ୍ତି ଓ
ସୁଯୋଗ ଦେଉଛନ୍ତି ଆପଣଙ୍କ ସହିତ କଥାବାର୍ତ୍ତା କରିବା ପାଇଁ, ଆମେ ସେଥିପାଇଁ କେତେଦୂର କୃତଜ୍ଞ
ଆମେ ତାହା ଆପଣଙ୍କୁ କହି ପାରିବୁ ନାହିଁ । ଆମର
ସୌଭାଗ୍ୟ ଆମ ସମସ୍ତଙ୍କୁ ଆପଣଙ୍କ ସହିତ କିଛି ସମୟ ବିତେଇବାର ସୁଯୋଗ ମିଳୁଛି । ମୋ ମୁଣ୍ଡରେ
ଗୋଟିଏ ଭାବନା ଏଇ କିଛି ଦିନ ତଳେ ଆସିଲା । ଆମେ ଯେତେବେଳେ ଆମର ଅତୀତ ବିଷୟରେ କଥା ହେଉ, ଆମେ ଯାହା
ଖାଉଥିଲୁ ପିଉଥିଲୁ, କିମ୍ବା ଆମକୁ କଅଣ ଦିଶୁଥିଲା – ଏଡ଼େ ବଡ଼ ବଡ଼ କୋଠା ନ ଥିଲା, ବା ଲୋକବାକ
ରାସ୍ତାଘାଟରେ କଅମ ଦୁଶୁଥିଲେ – ଏପରି ଅନେକ କଥାର ଆମେ ଆଲୋଚନା କରୁ କିମ୍ବା ତାହା ଆମର ମନରେ
ଥାଏ । କିନ୍ତୁ ଆମେ କଅଣ ଶୁଣୁଥିଲୁ ଆମେ ସେ ବିଷୟରେ ବିଶେଷ ଆଲୋଚନା କରୁନା କିମ୍ବା ତାହା ଆମର
ହେଜରେ ମଧ୍ୟ ନଥାଏ । ତେଣୁ ମୋର ଗୋଟିଏ ପ୍ରଶ୍ନ ଆପଣଙ୍କ ପାଇଁ, ଆପଣ ଯେତେବେଳେ ପିଲା ଥିଲେ,
ଆପଣ ନିଜର ଚାରିପଟେ କଅଣ ଶୁଣୁଥିଲେ । ଚାରିପଟର କଥାବାର୍ତ୍ତା, ଗୀତ, ଆଲୋଚନା – ଚୁମ୍ବକରେ କହିଲେ
କିପରି ଶ୍ରାବ୍ୟଜଗତ ଥିଲା ଆପଣଙ୍କର ପିଲାବେଳେ ?
ଶ୍ରୀମତି ଶ୍ୟାମାମଣୀ ଦେବୀ – ମୋ ଛୁଆ ବେଳେ ତ କିଛି ନ ଥିଲା । ମାନେ ଆଜି ଆପଣମାନେ ଯେମିତି
ବିଭନ୍ନ ମିଡିଆ ମାଧ୍ୟମରେ ବିଭିନ୍ନ କଥା ଦେଖିବାକୁ ପାଉଛନ୍ତି, ଶୁଣିବାକୁ ପାଉଛନ୍ତି, ଆମ ବେଳେ
ତ ରେଡ଼ିଓ ବି ନ ଥିଲା । ତେଣୁ କୌଣସି ପ୍ରକାରର କିଛି ଶୁଣିବା ବା ଦେଖିବା ତ ସ୍ୱପ୍ନ । ସେ ସବୁ
ଜିନିଷ ନ ଥିଲା । କିନ୍ତୁ ଗାଁର ଯେଉଁ ପରମ୍ପରା, ଗାଁର ପାରମ୍ପରିକ ଚଳଣି ଭିତରେ ଯାହା ସବୁ
ଚଳୁଥିଲା, ସେଗୁଡ଼଼ିକ ଭିତରେ ମୁଁ ସଙ୍ଗୀତକୁ ଭଲ ପାଇ ବସିଥିଲି । ଆମ ଘରେ ପ୍ରତ୍ୟେକ ଦିନ
କୀର୍ତ୍ତନ ହୁଏ । କାରଣ ମୋର ବାପା ସ୍ୱର୍ଗତ ରାଜେନ୍ଦ୍ରମୋହନ ପଟ୍ଟନାୟକ, ସିଏ ରାଧାରମଣ
ଦେବଙ୍କର ଭକ୍ତ ଥିଲେ । ମୋର ଭାଇ ଭଉଣୀ ପାଞ୍ଚ ଜଣ ମରିଗଲା ପରେ, ଗୋଟେ ପରେ ଗୋଟେ ଭାଇ ଭଉଣୀ
ଚାରି ବର୍ଷ ପାଞ୍ଚ ବର୍ଷ ହୋଇ ଚାଲିଗଲା ପରେ, ତା’ ପରେ ବାପାଙ୍କର କଅଣ ଗୋଟେ ଚିନ୍ତା ପଶିଲା, ସେ ଦିକ୍ଷିତ ହେଲେ
। ତେଣୁ
ଆମ ଘରେ କୀର୍ତ୍ତନ ହୁଏ, ଚବିଶି ପ୍ରହରୀ ହୁଏ, ଅଷ୍ଟ ପ୍ରହରୀ ହୁଏ । ସେ ଗୋଟେ ମୋର ମାଧ୍ୟମ
। ଯେଉଁ କୀର୍ତ୍ତନ ଘରେ ହୁଏ ସେଇଟାକୁ ମୁଁ ଶୁଣେ । ଆଉ ଗୋଟିଏ ଜିନିଷ ହେଉଛି ଗାଁରେ ସେତେବେଳେ
ଆପଣ ଦେଖିବେ ଦାସକାଠିଆ ହେଉଥିଲା, ପାଲା ହେଉଥିଲା, ସନ୍ଧ୍ୟାବେଳେ ଭାଗବତ ଟୁଙ୍ଗୀରେ ଖଞ୍ଜଣି ଗୀତ
ହେଉଥିଲା । ସେଇସବୁକୁ ଶୁଣିକରି ପାରମ୍ପରିକ ସଙ୍ଗୀତକୁ ମୁଁ ମୋର ଛୋଟଦିନରୁ ଭଲ ପାଇ ବସିଛି ।
କାରଣ ଘରେ ଆମର
ଯେମିତି କୀର୍ତ୍ତନ ହୁଏ – ‘ ଗଉର୍ ରାଧେ ଶ୍ୟାମ୍ / ଜପୋ, ହରେ କୃଷ୍ଣ ହରେ ରାମ୍’ । [ ଗାଇକରି ଶୁଣାନ୍ତି ] । ବୋଉ ବି ଗାଉଥି୍ଲେ । ବାପା ବି
ଗାଉଥିଲେ । ତେଣୁ ମୁଁ ବି ସେତେବେଳେ ତାଙ୍କ ସହ ନିଶ୍ଚୟ ଗାଉଥିବି । ବା ଶୁଣୁଥିବି । ଏମିତି
କିଛି ଗୋଟେ ଥିବ । ତେଣୁ ସତ କହିବାକୁ ଗଲେ ଆମ ପରିବାରରେ ଗୋଟେ ସାଙ୍ଗିତିକ ପରିବେଶ । ତିନି
ପ୍ରହର କୀର୍ତ୍ତନ ହେବ । ସକାଳେ ଗୋଟେ କୀର୍ତ୍ତନ ହେବ । ଦି ପହରେ ହବ । ରାତିରେ ହବ । ସନ୍ଧ୍ୟାବେଳେ
ଆଳତି ହବ । ଗୋଟେ ଆଧ୍ୟାତ୍ମିକ ପରିବେଶ । ଗୋଟେ ସାଙ୍ଗିତିକ ପରିବେଶ । ଦିଇଟା ଭିତରେ ଛୋଟବେଳଠୁ
ମୋର ପିଲାବେଳଟା ବଢ଼ିଆସିଲା । ଆଉ ତା’ପରେ
ଗୀତ ଯାହା ଶିଖିଲି – ସତ କହିବାକୁ ଗଲେ ସିଧାସଳଖ ଭାବରେ ପ୍ରଥମରୁ ମୁଁ କାହାଠାରୁ ଗୀତ ଶିଖିନି
। ଏମିତି କହିବାକୁ ଗଲେ ବାପା ମୋର ମୂଳ ଗୁରୁ । କିନ୍ତୁ ମୁଁ ଶିଖିଲା ଭଳିଆ ପ୍ରଥମରୁ
ପିଲାବେଳଠୁଁ କାହାପାଖରେ ଶିଖିନି ।
କୀର୍ତ୍ତନ ଶୁଣେ, ମୋତେ ଭଲ ଲାଗେ । ତା ପରେ ପାଲା ଯଦି ହୁଏ, ବୋଧେହୁଏ ଗାଁରେ ଶ୍ରୋତା
ମାନଙ୍କ ଭିତରେ ମୁଁ ପ୍ରଥମ ଛୁଆ ଯିଏ କି ଯାଇକିରି ଖଣ୍ଡେ ଚଟେଇ ପାରିକରି ପିଣ୍ଡାରେ ବସି ପଡ଼େ,
ପାଲା ଦେଖିବି ବୋଲି । ପାଲା ଦେଖିବାରେ ମୋର ଆଗ୍ରହ ନଥାଏ । ପାଲାବାଲା କଅଣ ପିନ୍ଧିଛନ୍ତି, କଅଣ
ଲଗେଇଛନ୍ତି, କଅଣ ହାସ୍ୟ କରୁଛନ୍ତି ସେଥିରେ ମୋର କିଛି ଆଗ୍ରହ ନଥାଏ । ମୁଁ ଦେଖେ ସେମାନେ କଅଣ
ଗାଉଛନ୍ତି । ଖୁବ୍ ଛୋଟ ଦିନୁ, ପାଞ୍ଚ, ଛଅ, ସାତ ବର୍ଷ ବୟସରୁ ରାତିସାରା ବସିକରି ପାଲା ଦେଖେ ।
ପାଲା ଭିତରୁ ମୁଁ ପ୍ରଥମେ ସଙ୍ଗୀତକୁ ଅନୁଭବ କରିଛି । ଯେମିତି ‘ବିଭୁଷଣ ପୁଷ୍ପେ ଯା କାନ୍ତି ଜାଣ’ ଆପଣ କୁହନ୍ତୁ । ‘ବୈଦେହୀଶ ବିଳାସ ଆପଣ’ କୁହନ୍ତୁ । ‘ବିତଳକୁ ଆଲିଙ୍ଗନ’ କୁହନ୍ତୁ । ଚମ୍ପୁ – ‘କ୍ଷମାନୁକମ୍ପାଧର’ । ଏସବୁ ମୁଁ ପାଲା ଗାୟକଙ୍କଠାରୁ ପ୍ରଥମ
ଶୁଣିଛି । ସେମାନେ ହିଁ ବୋଧେହୁଏ ସଙ୍ଗୀତରେ ମୋର
ପ୍ରଥମ ଗୁରୁ । ପୂଜ୍ୟ ପାଲାଗାୟକ ମାନେ ।
ତା’ପରେ ସେଇଠି ଶିଖିଲା ପରେ
ମୋର ବହୁତ ଆଗ୍ରହ ହେଇଥିଲା ଯେ ଆମ ଘରେ ଗୋଟେ ବଡ଼ ହାର୍ମୋନିଅମ୍ ଥିଲା । ସେ ହାର୍ମୋମିଅମ୍ ଟା ପାରିସ୍ ରିଡ୍ସ୍ ର ଥିଲା । ଭଲ ହାର୍ମୋନିଆମ୍ ଟେ ।
ବାପା ସେଇଟାକୁ ମୋତେ ଛୁଇଁବାକୁ ଦିଅନ୍ତିନି । କାହାକୁ ବି ଛୁଇଁବାକୁ ଦିଅନ୍ତିନି । କାଳେ କିଏ ରିଡ୍ସ୍ କଅଣ ଖରାପ କରିବ । ସେତେବେଳେ
ଯାହାବି ଦରକାର ହେବ କଟକ ଆସିବାକୁ ପଡ଼ିବ । ସେତେବେଳେ ଆମ ଘରଠୁ, ଆମ ଗାଁରୁ ସେମିତି କୌଣସି କିଛି
କମୁନିକେଶନ୍ ନ ଥିଲା । ଆଇଦର୍ ଡ଼ଙ୍ଗାରେ ଆସିବୁ ନଏନେ ପୁଣି ସେପଟେ ଶଗଡ଼ଗାଡ଼ିରେ ଯାଇକିରି
ବହୁତ ପ୍ରବ୍ଲେମ୍ । ବାପା ତ ଦିଅନ୍ତିନି । ମୁଁ କଅଣ କରିଛି ଦିନେ – ବାପା
ମୋତେ ଗୋଟେ ଗୀତ ଶିଖେଇଥିଲେ – ‘ନିରତେ
ଡାକି ଡାକି / ନ
ଶୁଣ ଚକା ଆଖି’ – [
ଗାଇକି ଶୁଣାନ୍ତି ] ଏ
ଗୋଟେ ଗୀତ ଶିଖେଇଥିଲେ । ମୁଁ ସେ ମଉକା ଦେଖି କରି, କୋଠା ଉପରକୁ ଯାଇକିରି, ଉପରେ ହାର୍ମୋନିଆଟା
ଖୋଲା ଥିଲା – ମୋର ହାତ ପାଉନି - ହାମୁଡ଼େଇ
ପଡ଼ିକରି ସେଇଟା - ନି କୋଉଠି ଲାଗୁଛି ରେ କୋଉଠି ଲାଗୁଛି - ଏମିତି ଅକ୍ଷରକୁ ଗୋଟେ ଗୋଟେ ସୁର
ଭିତରେ ମିଶେଇ ମିଶେଇ ମିଶେଇ ମିଶେଇ ମୁଁ ଲାଇନ୍ ଟା ବଜେଇ ଦେଇଚି । ଅଜାଣତରେ ମୁଁ ବଜେଇ ଦେଇଚି
। ମୁଁ ଯେ କିଛି ଶିଖିନି, ଜାଣିନି । ଏଭଳିଆ ଅବସ୍ଥାରେ ମୋର କାଇଁ ଇଚ୍ଛା ହେଲା ହାର୍ମୋନିଆ
ବଜେଇବା ପାଇଁ । ତ ମୁଁ ବଜେଇ ଦେଲି । ବାପା ତଳେ ଥିଲେ । ବାପା ବ୍ୟସ୍ତ ହେଇକି, କଅଣ
ହାର୍ମୋନିଆଟା କିଏ ବଜଉଛି ବୋଲି ଉପରକୁ ଯାଇଁକି, ଦେଖିଲାବେଳକୁ ମୁଁ ଏମିତି ହାମୁଡେଇପଡ଼ି
ହାର୍ମୋନିଅମ୍ ରେ ସେ ଗୀତଟାକୁ ବଜଉଚି । ତା ପରେ ସେଇଦିନରୁ ବାପାଙ୍କର ଗୋଟେ ମନରେ ଆସିଲା ବୋଧେ
ଏ ଛୁଆଟାର ଆଗ୍ରହ ଅଛି, ଏ ଗାଇବ । ତେବେ ସେଇ ଛୋଟଦିନରୁ ମୁଁ ବାପାଙ୍କଠାରୁ ସଙ୍ଗୀତ ପ୍ରତି ଆଉ
କୌଣସି ଆପତ୍ତି ପାଇନାହିଁ ବା ଅଭିଯୋଗ ପାଇନି । ବା
ମତେ କେବେ ବିରକ୍ତ ବି ହେଇ ନାହାନ୍ତି । ବରଂ ପ୍ରେରଣା ଦେଇଛନ୍ତି ।
ସେତେବେଳେ ତ ଗୋଟେ ଆଳୁମିତିଆ ଯେଉଁ ପମ୍ପ୍ ଏମିତିଆ ହେଇକରି ଗ୍ରାମଫୋନ୍ ଥାଏ । ସେଥିରେ
ଡି.ଭି. ପଲୁଶକର୍ ଙ୍କର, ଲତାଜୀଙ୍କର ରେକଡ଼୍, କେ.ଏଲ୍. ସେହଗଲ୍ ଙ୍କର, ସେ କାଳର ସବୁ ଏମିତି
ବିଭିନ୍ନ ପ୍ରକାରର ରେକଡ୍ – ରାଜ୍ କୁମାରୀଜୀଙ୍କର ଆଦି ସବୁ ରେକଡ୍ ଥାଏ । ବାପା ସକାଳୁ ଉଠି
ବଜାନ୍ତି । ମୁଁ ତା ପାଖରେ ଆଣ୍ଠୋଇକି ବସିକରି ଭାବୁଥାଏ । ଏଇ ଗୋଟିଏ ଲାଖ, ଏଇଟା କଳା ରଙ୍ଗଟା
। ୟା ଭିତରୁ ଏମିତି ଗୀତ ବାହାରୁଛି । ବିଭିନ୍ନ ପ୍ରକାରର ମନ ଭିତରର ଗୋଟେ ଭାବନା । ସେତେବେଳେ ବି, ସେଇ ବୟସରେ ବି, ମୋର ଗୋଟେ ଚିନ୍ତା
ହେଇଥିଲା, ମନ ଭିତରେ ଯେ ମୁଁ ବି ଏମିତି କେମିତି ଗୋଟେ ଗାଆନ୍ତି କି । ମୋର ଏମିତି କେମିତି
ଗୋଟେ ରେକଡ୍ ହୁଅନ୍ତା କି । ମୋ ରେକଡ୍ ଟାକୁ ଏମିତି କିଏ ବଜାନ୍ତା କି । ମୋ ମନ ଭିତରେ ସେବେଠୁ
ଏମିତି ଗୋଟେ ଆଗ୍ରହ ଥିଲା । ତାପରେ ସେତେବେଳେ
ସେଇ ଗୀତ ଭିତରେ ମୁଁ ବହୁତ ଥର ଶୁଣିଲି - ‘ଆଜ
ଗମତ ମନ ମୋରା ଝୁମକେ’ ।
ଏ ଗୀତଟା ମୁଁ ବାରମ୍ବାର ଶୁଣିଛି । ସେଇ ଭିତରେ ଶାସ୍ତ୍ରୀୟ ସଙ୍ଗୀତ ପ୍ରତି ବି ମୁଁ ବୋଧେ
ଆକର୍ଷିତ ହେଇଚି । ଧୀରେ ଧୀରେ ଧୀରେ ଧୀରେ ସ୍କୁଲ୍ କୁ ଗଲା ବେଳକୁ – ସ୍କୁଲ୍ ରେ ଯଦି ଆହେ
ଦୟାମୟ ବିଶ୍ୱବିହାରୀ ଯଦି ହେଲା ତା’ହେଲେ
ମୁଁ ଲିଡ୍ କଲି । ଅନ୍ୟମାନେ ପାଳି ଧରିଲେ । ଏମିତି ଧୀରେ ଧୀରେ ଧୀରେ ଧୀରେ ତାପରେ ସ୍କୁଲ୍ କୁ
କିଏ ଯଦି ଆସନ୍ତି ଇନ୍ସପେକ୍ଟର୍ କି ଆଉ କିଏ ଯଦି ଆସନ୍ତି ତେବେ ତାଙ୍କମାନଙ୍କ ଆଗରେ ଗୀତ
ଗାଇବାକୁ ପଡେ । ମୁଁ ତାଙ୍କ ଆଗରେ ଗୀତ ଗାଏ । ତା ପରେ ସ୍ଟେପ୍ ବାଏ ସ୍ଟେପ୍ , ଟିକେ ଟିକେ
ଟିକେ ଟିକେ – ମୋର ମାନେ ଯେମିତି, ଅଧା ଅଧା ପାହାଚ ହେଉ ପଛେ ମୁଁ ଉଠିବାକୁ ଚେଷ୍ଟା କଲି ।
No comments:
Post a Comment