ପାଶ୍ଙ୍କର କବିତା 'ଶହୀଦ ଭଗତ ସିଂ'
ଓଡ଼ିଆ ଅନୁବାଦକ - ଜ୍ୟୋତି ନନ୍ଦ
![]() |
ଭଗତ ସିଂ (୧୯୦୭-୧୯୩୧) ଙ୍କର ଏକ ତୈଳଚିତ୍ର ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍ |
ଶହୀଦ ଭଗତ ସିଂ
ପଞ୍ଜାବର ପ୍ରଥମ ଚିନ୍ତକ,
ସାମାଜିକ ସଂରଚନା ସମ୍ପର୍କରେ ଯିଏ
ବୈଜ୍ଞାନିକର ଆଖିରେ ରଖିଛି
ନିଜର ବିଚାର ।
ପ୍ରଥମ ବୌଦ୍ଧିକ ସେ, ଦେଖିଅଛି
ସାମାଜିକ ବିଷମତାର, ପୀଡ଼ାର,
କେତେ ଗହୀରରେ ରହିଥାଏ ଚେର ।
ପ୍ରଥମ ଦେଶଭକ୍ତ,
ମନ ଭିତରେ ଯାହାର ରହିଥିଲା,
ସମାଜର ଯେତେ ଯେତେ ସୁଧାର ହେବ,
ସେ ସବୁର ଏକ ନିଶ୍ଚିତ ଦୃଷ୍ଟିକୋଣ ।
ମହାନ ପଞ୍ଜାବୀପୁତ୍ର ସେ
ନିଜ ଭାବନା ଆଉ ବୁଦ୍ଧିର ମେଳକ
ମାନ୍ୟତାର କୁହୁଡ଼ିରେ ଆଶ୍ରା
ଲୋଡ଼ିନାହିଁ ଜମା ।
ଏମିତି ପଞ୍ଜାବୀ ସେ
ଦେଶଭକ୍ତିର ପ୍ରଦର୍ଶନକାରୀ ପ୍ରପଞ୍ଚରୁ
ସେ ମୁକ୍ତ ହୋଇଗଲା ।
ପଞ୍ଜାବର ବିଚାରଧାରାକୁ ତାହାର ଦାନ,
ସାଣ୍ଡର୍ସର ହତ୍ୟା
ଆସେମ୍ବ୍ଲିରେ ବୋମାମାଡ଼,
ଫାଶି ଦଉଡ଼ିରେ ଝୁଲି ପଡ଼ିବାଠୁ
କାହିଁ କେତେ ବେଶି ।
ଭଗତ ସିଂ ପ୍ରଥମ ଥର
ପଞ୍ଜାବକୁ
ବଣୁଆ, ପହେଲବାନୀ ଆଉ ଅଶିକ୍ଷାରୁ
ବୁଦ୍ଧିବାଦର ରାସ୍ତା ଦେଖେଇଲା ।
ଯେଉଁ ଦିନ ଫାଶି ଦିଆ ହେବ,
କୋଠରୀରେ ତାହାର
ବହିଟିଏ ଲେନିନର ଥିଲା ।
ଗୋଟିଏ ପୃଷ୍ଠାରେ ରହିଥିଲା ସଯତ୍ନ ଭାଙ୍ଗ ।
ପଞ୍ଜାବର ଭାଷାକୁ
ତାହାର ସେଇ ଶେଷଦିନର
ପୃଷ୍ଠାର ଭାଙ୍ଗଠୁ, ଆଗକୁ ଯିବାକୁ ହେବ,
ଚାଲିବାକୁ ହେବ ଆଗକୁ ।