ମାର୍ଟିନ ଲୁଥର କିଙ୍ଗ, ଜୁନିଅର୍ ଙ୍କ ପ୍ରସିଦ୍ଧ ଅଭିଭାଷଣ 'ମୋର ଏକ ସ୍ୱପ୍ନ ଅଛି'
ଅନୁବାଦକ - ଶ୍ରୀମନ୍ତ ମହାନ୍ତି
 |
ଏକ ପ୍ରେସ୍ କନ୍ଫରେନ୍ସ୍ରେ ମାର୍ଟିନ ଲୁଥର କିଙ୍ଗ (୧୯୬୪ ମସିହା)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ |
ଆଜି ମୁଁ ଆପଣଙ୍କ ସହ ମିଶି ଅତ୍ୟନ୍ତ ଖୁସି । ଆଜିର ଦିନ ଆମ
ଜାତିର ଇତିହାସରେ ମୁକ୍ତି ପାଇଁ ମହାନ ଆବେଗ ପ୍ରକାଶର ଦିନ ଭାବେ ଲେଖାଯିବ ।
ଶହେ ବର୍ଷ ତଳେ, ଜଣେ ମହାନ୍ ଆମେରିକୀୟ, ଯାହାଙ୍କର ପ୍ରତୀକାତ୍ମକ ଛାୟା ତଳେ ଆମେ ଆଜି ରୁଣ୍ଢ ହୋଇଛେ, ମୁକ୍ତିର
ଘୋଷଣାପତ୍ରରେ ସନ୍ତକ କରିଥିଲେ । ସେହି ମହାନ୍ ଘୋଷଣା, ଅନ୍ୟାୟର
ନିଆଁରେ ଜଳି ପୋଡ଼ି ମରୁଥିବା ଲକ୍ଷ ଲକ୍ଷ ନିଗ୍ରୋ ଦାସମାନଙ୍କ ପାଇଁ ବତୀଘର ହୋଇ ଆଶାର ଆଲୋକ
ଦେଖାଇ ଥିଲା । ସେମାନଙ୍କର ବନ୍ଧନର ଲମ୍ବା ରାତିକୁ ଭାଙ୍ଗିବା ପାଇଁ ଏହା ଆନନ୍ଦର ସୂର୍ଯ୍ୟାଲୋକ
ଭଳି ଆସିଥିଲା ।
ମାତ୍ର ଶହେ ବର୍ଷ ପରେ ମଧ୍ୟ ଆଜି ବି ନିଗ୍ରୋ ମୁକ୍ତ ନୁହେଁ । ନିଗ୍ରୋର ଜୀବନ
ଜାତିଗତ ବୈଷମ୍ୟର ବନ୍ଧନରେ । ଏବେ ବି ସେମାନେ ଗୋଡ଼ ହାତ ବାନ୍ଧି ହୋଇ ଦୁଃଖରେ ପଡ଼ି ରହିଛନ୍ତି । ଶହେ
ବର୍ଷ ପରେ ମଧ୍ୟ ଭୌତିକ ପ୍ରାଚୁର୍ଯ୍ୟର ବିରାଟ ମହାସାଗରର ମଝିରେ ନିଗ୍ରୋ ଦାରିଦ୍ର୍ୟର ଏକ ନିସଙ୍ଗ
ଦ୍ୱିପରେ ଜୀବନ କାଟୁଛି । ଶହେ ବର୍ଷ ପରେ ମଧ୍ୟ ଆମେରିକାର ସମାଜର କୌଣସି ଏକ କୋଣରେ ନିଗ୍ରୋ
ଏବେ ବି ଅସହାୟ ହୋଇ ପଡ଼ି ରହିଛି । ନିଜ ମାଟିରେ ସେ ନିଜକୁ ନିର୍ବାସିତ ମନେ କରୁଛି । ସେଥିପାଇଁ
ଆମେ ଏଠାକୁ ଆସିଛୁ – ଏହି ଲଜ୍ୟାଜନକ ପରିସ୍ଥିତିର ପରିବର୍ତ୍ତନ ପାଇଁ
।
ଯେତେବେଳେ ଆମ ପ୍ରଜାତନ୍ତ୍ରର ନିର୍ମାତାମାନେ ସମ୍ବିଧାନ ଓ ସ୍ୱାଧୀନତାର
ଘୋଷଣାପତ୍ରର ମନ୍ତ୍ରମୁଗ୍ଧ ଶବ୍ଦମାନ ଲେଖିଥିଲେ, ସେମାନେ ଏକ
ପ୍ରତିଶୃତି ଦେଇ ଯାଇଥିଲେ, ଯାହାର ଦାୟାଦ ହେଉଛନ୍ତି ପ୍ରତ୍ୟେକ
ଆମେରିକୀୟ । ଏହି ପ୍ରତିଶୃତି ଥିଲା ଯେ, ପ୍ରତ୍ୟେକ ବ୍ୟକ୍ତିଙ୍କର – ହଁ
ଉଭୟ କଳା ଓ ଗୋରା ବ୍ୟକ୍ତିଙ୍କର – ଜୀବନ, ସ୍ୱାଧୀନତା
ଓ ଆନନ୍ଦରେ ବଞ୍ଚିବାର ଅଧିକାରକୁ ସୁରକ୍ଷିତ ରଖାଯିବ ।
ଆଜି ଏହା ସ୍ପଷ୍ଠ ଯେ, ଆମେରିକା ତା’ର ନାଗରିକମାନଙ୍କର
ବର୍ଣ୍ଣକୁ ନେଇ ଏହି ପ୍ରତିଶୃତିକୁ ରକ୍ଷା କରିପାରି ନାହିଁ । ନିଜେ ଦେଇଥିବା ପ୍ରତିଶୃତିକୁ
ରକ୍ଷା କରିବା ବଦଳରେ ଆମେରିକା ନିଗ୍ରୋମାନଙ୍କୁ ଏକ ମିଛ ବ୍ୟାଙ୍କ ଚେକ୍ ଦେଇଛି, ଯାହା ଅର୍ଥାଭାବରୁ ଫେରି ଆସିଛି ।
କିନ୍ତୁ ଆମେ ବିଶ୍ୱାସ କରିବାକୁ ମନା କରିଦେଇଛୁ ଯେ, ନ୍ୟାୟର ବ୍ୟାଙ୍କ ଦେବାଳିଆ
ହୋଇଯାଇଛି । ଆମେ ବିଶ୍ୱାସ କରିବାକୁ ମନା କରିଦେଇଛୁ ଯେ, ଏହି ଜାତିର ସୁଯୋଗର ବିରାଟ ଛାତ ତଳେ
ଅର୍ଥର ଅଭାବ ରହିଛି । ଏବଂ ସେଥି ପାଇଁ ଆମେ ଏହି ଚେକ୍କୁ ଭଙ୍ଗାଇବା ପାଇଂ ଆସିଛୁ । ଏହି ଚେକ୍
ଆମକୁ ମୁକ୍ତିର ପ୍ରାଚୁର୍ଯ୍ୟ ଓ ନ୍ୟାୟର ସୁରକ୍ଷା ଦେବ । ଆଜିର ଚରମ ଆବଶ୍ୟକତାଗୁଡ଼କୁ ଆମେରିକାକୁ
ମନେପକାଇ ଦେବାକୁ ଆମେ ଏହି ପବିତ୍ର ସ୍ଥାନକୁ ଆସିଛୁ ।
ବର୍ତ୍ତମାନ ସମୟ ଆସିଛି, ଗଣତନ୍ତ୍ରର ଶପଥ ନେବା ପାଇଁ । ବର୍ତ୍ତମାନ ସମୟ ଆସିଛି, ଅନ୍ଧାରରୁ
ବାହାରି ଆସିବାର – ଦୁଃସ୍ଥ ବିଭାଜନର ଉପତ୍ୟକାରୁ ଆଲୋକଭରା ଜାତିଗତ
ନ୍ୟାୟର ପଥକୁ ଆସିବାର । ବର୍ତ୍ତମାନ ସମୟ ଆସିଛି, ଜାତିଗତ ଅନ୍ୟାୟର
ଚୋରାବାଲିରୁ ଦେଶକୁ ଉଦ୍ଧାର କରି ଭାତୃତ୍ୱର ଶକ୍ତ ଚଟାଣ ଉପରେ ଠିଆ କରିବାର । ବର୍ତ୍ତମାନ ସମୟ
ଆସିଛି, ଇଶ୍ୱରଙ୍କ ପ୍ରତ୍ୟେକ ସନ୍ତାନଙ୍କୁ ପ୍ରକୃତ ନ୍ୟାୟ ଦେବାର ।
ସ୍ୱାଧୀନତା ଓ ସମାନତାର ଶୀତଳ ବସନ୍ତ ପବନ ନ ବୋହିବା ପର୍ଯ୍ୟନ୍ତ
ନିଗ୍ରୋମାନଙ୍କର ଯଥାର୍ଥ ଅସନ୍ତୋଷର ଝାଳୁଆ ବୈଶାଖୀ ଶେଷ ହେବ ନାହିଁ । ୧୯୬୩ ଶେଷ ନୁହେଁ,
ଆରମ୍ଭ ମାତ୍ର । ନିଗ୍ରୋମାନେ ନାଗରିକତାର ଅଧିକାର ନ ପାଇବା ପର୍ଯ୍ୟନ୍ତ
ଆମେରିକାରେ ଶାନ୍ତି କିମ୍ବା ସ୍ଥିରତା ରହିବ ନାହିଁ । ନ୍ୟାୟର ଉଜ୍ଜଳ ଆଲୋକ ଉଦ୍ଭାସିତ ନ ହେବା
ପର୍ଯ୍ୟନ୍ତ, ବିଦ୍ରୋହର ଘୂର୍ଣ୍ଣିଝଡ଼ରେ ଦେଶର ମୂଳଭିତ୍ତି ଦୋହଲୁଥିବ ।
ମୁଁ କିନ୍ତୁ ମୋ ଲୋକଙ୍କୁ କିଛି କଥା କହିବାକୁ ନିଶ୍ଚୟ ଚାହିଁବି, ଯେଉଁମାନେ ନ୍ୟାୟର ପ୍ରାସାଦର ଦ୍ୱାରଦେଶରେ ଦଣ୍ଡାୟମାନ । ଆମେ ଆମ ନ୍ୟାର୍ଯ୍ୟ ସ୍ଥାନ
ପାଇବା ପାଇଁ ଯେପରି କିଛି ଭୂଲ କରି ନ ବସୁ । ସ୍ୱାଧୀନତାର ତୃଷ୍ଣା ମେଣ୍ଟାଇବା ପାଇଁ ଯେପରି
ଆମେ ଘୃଣାର ନର୍ଦ୍ଦମା ପାଣିକୁ ପିଇ ନଦେଉ । ଆମେ ଯେପରି ସବୁବେଳେ ଆମ ସଙ୍ଗ୍ରାମକୁ ଉଚ୍ଚତର
ଆତ୍ମସମ୍ମାନ ଓ ଶୃଙ୍ଖଳାର ସହ ଚଳାଇ ରଖୁ । ଯେପରି ଆମ ସୃଜନଶୀଳ ପ୍ରତିବାଦ ଶାରୀରିକ ହିଂସାକୁ
ଖସି ନଆସେ । ଶାରୀରିକ ବଳ ସହ ଆତ୍ମିକ ବଳକୁ ମିଶାଇ ଆମେ ଯେପରି ଆମର ଗାରିମାକୁ ଉଚ୍ଚରୁ
ଉଚ୍ଚତରକୁ ନେଇ ଯିବୁ ।
 |
ସ୍ୱାଧୀନତା ଓ କାମ ପାଇଁ ସଙ୍ଗଠିତ ପ୍ରସିଦ୍ଧ ୱାଶିଂଟନ୍ ରାଲି
୧୯୬୩ ମସିହାରେ କିଙ୍ଗ୍ ଙ୍କ ଦ୍ୱାରା ଆୟୋଜିତ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ |
ନିଗ୍ରୋ ସମ୍ପ୍ରଦାୟ ଭିତରେ ଯେଉଁ ଚମତ୍କାର ନୂଆ ବୀରତ୍ୱ ଦେଖାଦେଇଛି,
ତାହା ସମସ୍ତ ଗୋରା ଲୋକଙ୍କ ମଧ୍ୟରେ ଆଶଙ୍କା ସୃଷ୍ଠି ନ କରୁ । ଅନେକ ଗୋରା
ଭାଇମାନେ ବୁଝିଲେଣି ଯେ ସେମାନଙ୍କ ଭବିଷ୍ୟତ ଆମ ଭବିଷ୍ୟତ ସହ ବନ୍ଧା । ସେମାନେ ବୁଝିଲେଣି ଯେ,
ସେମାନଙ୍କର ସ୍ୱାଧୀନତା ଆମ ସ୍ୱାଧୀନତା ସହ ଅଙ୍ଗାଙ୍ଗୀ ଭାବେ ଜଡିତ, ଆମେ ଏକାକୀ ଚାଲି ପାରିବୁ ନାହିଁ ।
ଆମେ ଚାଲିଛୁ, ସେଥିପାଇଁ ସବୁବେଳେ ଆଗକୁ ଚାଲିବା
ପାଇଁ ଆମକୁ ଶପଥ କରିବାକୁ ହେବ । ଆମେ ପଛକୁ ଫେରି ପାରିବୁ ନାହିଁ । ନାଗରିକ ଅଧିକାର ପାଇଁ
ଉତ୍ସଗୀକୃତମାନଙ୍କୁ ସେମାନେ ପ୍ରଶ୍ନ କରୁଛନ୍ତି, “ତୁମେ କେବେ
ସନ୍ତୁଷ୍ଣ ହେବ?” । ଆମେ କେବେ ସନ୍ତୁଷ୍ଟ ହୋଇପାରିବୁ ନାହିଁ,
ଯେ ପର୍ଯ୍ୟନ୍ତ ନିଗ୍ରୋମାନେ ପୋଲିସର ଅକଥନୀୟ ଅତ୍ୟାଚାରର ଶୀକାର ହେଉଥିବେ ।
ଆମେ କେବେ ସନ୍ତୁଷ୍ଟ ହୋଇପାରିବୁ ନାହିଁ, ଯେ ପର୍ଯ୍ୟନ୍ତ ଆମ ଶରୀର
ବୁଲିବୁଲି ରାସ୍ତାକଡ଼ର ପାନ୍ଥଶାଳାରେ ଓ ସହରର ଯାତ୍ରୀଘରେ ରହିବାକୁ ନ ପାଇ କ୍ଲାନ୍ତିରେ ଭାଙ୍ଗି
ପଡୁଥିବ । ଆମେ କେବେ ସନ୍ତୁଷ୍ଟ ହୋଇପାରିବୁ ନାହିଁ, ଯେ ପର୍ଯ୍ୟନ୍ତ
ଆମର ପିଲାମାନଙ୍କୁ “କେବଳ ଗୋରାମାନଙ୍କ ପାଇଁ” କହି ସେମାନଙ୍କର ବ୍ୟକ୍ତିତ୍ୱକୁ ବିବସ୍ତ୍ର କରାଯାଉଥିବ ଏବଂ ଆତ୍ମସମ୍ମାନକୁ ଲୁଣ୍ଠନ
କରାଯାଉଥିବ । ଆମେ କେବେ ସନ୍ତୁଷ୍ଟ ହୋଇପାରିବୁ ନାହିଁ, ଯେ
ପର୍ଯ୍ୟନ୍ତ ମିସିସିପିର ଜଣେ ନିଗ୍ରୋ ଭୋଟ ଦେବାରୁ ବଞ୍ଚିତ ହେଉଥିବ ଏବଂ ନ୍ୟୁୟର୍କର ଜଣେ
ନିଗ୍ରୋ ଭାବୁଥିବ ଯେ ତା’ର ଭୋଟ ଦେବାର କିଛି ଅର୍ଥ ନାହିଁ ।
ନା ନା
ଆମେ ସନ୍ତୁଷ୍ଟ ନୋହୁଁ । ଆମେ ସନ୍ତୁଷ୍ଟ ନୋହୁଁ ଯେ ପର୍ଯ୍ୟନ୍ତ ନ୍ୟାୟ ପାଣି ପରି ବୋହି ନ
ଆସିଛି, ଯେ ପର୍ଯ୍ୟନ୍ତ ଉଚିତ୍ ଅଧିକାର ଖର ସ୍ରୋତ ଭଳି ବୋହି ନ ଆସିଛି
।
ମୁଁ ଭୂଲି ନାହିଁ ଯେ, ଆପଣମାନଙ୍କ ମଧ୍ୟରୁ ଅନେକ ଲମ୍ବା ବିଚାରର ପ୍ରକ୍ରିୟା ପରେ
ଏଠାକୁ ଆସିଛନ୍ତି । ଅନେକ କାରାଗାରର କାଳ କୋଠରୀରୁ ନିକଟରେ ଫେରିଛନ୍ତି । ଅନେକ ଏପରି ଅଞ୍ଚଳରୁ
ଆସିଛନ୍ତି, ଯେଉଁଠି ମୁକ୍ତିର ଅନ୍ୱେଷଣ ପାଇଁ ଆପଣ ପୋଲିସର
ଅତ୍ୟାଚାରରେ ହତବାକ ଓ ନିର୍ଯ୍ୟାତନାର ଝଡରେ କ୍ଷତାକ୍ତ ହୋଇଛନ୍ତି । ନୂତନ ନୂତନ ଅତ୍ୟାଚାର
ଆପଣଙ୍କୁ ମହିମାନ୍ୱିତ କରିଛି । ଅନର୍ଜିତ ଦୁଃଖ-ଦୁର୍ଦଶାରୁ ମୁକ୍ତିର ବିଶ୍ୱାସ ସହ ଆମକୁ
କ୍ରମାଗତ ଭାବେ କାର୍ଯ୍ୟ କରିଯିବାକୁ ହେବ ।
 |
କୃଷ୍ଣକାୟ ଆମେରିକୀୟ ବିପ୍ଳବୀ ମାଲକମ୍ ଏକ୍ସ୍ଙ୍କ ସହ କିଙ୍ଗ (୧୯୬୪ ମସିହା)
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍ |
ଏବେ ଆଉ ନୈରାସ୍ୟର ଉପତ୍ୟାକାରେ ଆମେ ଲୋଟିବାନି । ଆଜି ମୁଁ ଆପଣମାନଙ୍କୁ, ମୋର ବନ୍ଧୁମାନଙ୍କୁ କହିବି – ଯଦିଓ ବର୍ତ୍ତମାନ ଆମେ ବହୁ
ଅସୁବିଧା ଭୋଗୁଛେ, ତଥାପି ମୋର ଏକ ସ୍ୱପ୍ନ ଅଛି । ଏହି ସ୍ୱପ୍ନ
ଆମେରିକୀୟ ସ୍ୱପ୍ନ ସହ ଗଭୀର ଭାବେ ଯୁକ୍ତ ।
ମୋର ଏକ ସ୍ୱପ୍ନ ଅଛି ଯେ ଦିନେ ଏ ଜାତି ଉଠିବ ଏବଂ ତା’ର ବିଶ୍ୱାସର ପ୍ରକୃତ ଅର୍ଥରେ ଜୀଇବ : “ଆମେ ଏହି
ସ୍ୱତଃସିଦ୍ଧ ସତ୍ୟକୁ ତୋଳିଧରୁ ଯେ ସବୁ ମଣିଷ ଜନ୍ମଗତ ଭାବେ ସମାନ”।
ମୋର ଏକ ସ୍ୱପ୍ନ ଅଛି ଯେ, ଦିନେ ଜର୍ଜିଆର ଲାଲ ପାହାଡ଼ ଉପରେ ପୂର୍ବତନ ଦାସଙ୍କର ସନ୍ତାନମାନେ ଓ ପୂର୍ବତନ ଦାସ-ମାଲିକଙ୍କର ସନ୍ତାନମାନେ ଭାତୃତ୍ୱର ମେଜ ଚାରିପାଖେ ଏକାଠି
ବସିବାକୁ ସମର୍ଥ ହେବେ ।
ମୋର ଏକ ସ୍ୱପ୍ନ ଅଛି ଯେ, ଦିନେ ଅନ୍ୟାୟ ଓ ଅତ୍ୟାଚାରର ଉତ୍ତାପରେ ସନ୍ତୁଳିତ
ମିସିସିପି ରାଜ୍ୟ ନ୍ୟାୟ ଓ ମୁକ୍ତିର ମହାସାଗରରେ ପରିଣତ ହେବ ।
ମୋର ଏକ ସ୍ୱପ୍ନ ଅଛି ଯେ, ଦିନେ ମୋର ଚାରିଜଣଯାକ ସନ୍ତାନ ଏପରି ଏକ ଦେଶରେ ବାସ
କରିବେ, ଯେଉଁଠି ସେମାନଙ୍କୁ ନିଜର ବର୍ଣ୍ଣକୁ ନେଇ ନୁହେଁ, ବରଂ ସେମାନଙ୍କର ଚରିତ୍ରକୁ ନେଇ ମୂଲ୍ୟାୟିତ କରାଯିବ ।
ମୋର ଆଜି ଏକ ସ୍ୱପ୍ନ ଅଛି ।
ମୋର ଏକ ସ୍ୱପ୍ନ ଅଛି ଯେ, ଭୟଙ୍କର ବର୍ଣ୍ଣବାଦ ଥିବା ଅଲାବାମାରେ ହିଁ ଦିନେ
ଛୋଟଛୋଟ କଳା ଶିଶୁମାନେ ଗୋରା ଶିଶୁମାନଙ୍କ ସହ ହାତ ଧରାଧରି ହୋଇ ଭାଈ-ଭଉଣୀ ଭାବେ ଖେଳି ପାରିବେ
।
ମୋର ଆଜି ଏକ ସ୍ୱପ୍ନ ଅଛି ।
ମୋର ଏକ ସ୍ୱପ୍ନ ଅଛି ଯେ ଦିନେ ସମସ୍ତ ଉପତ୍ୟାକା ଉପରକୁ ଉଠିବ ଏବଂ ପ୍ରତ୍ୟେକ
ପାହାଡ, ପର୍ବତ ନୀଚ ହେବ, ଉଚ୍ଚା-ନୀଚ୍ଚା
ସ୍ଥାନ ସବୁ ସମାନ ହେବ ଓ ଅଙ୍କାବଙ୍କା ରାସ୍ତା ସବୁ ସିଧା ହେବ ଏବଂ ଇଶ୍ୱରଙ୍କ ଯଶ ପ୍ରଦର୍ଶିତ
ହେବ ଓ ସବୁ ମଣିଷ ଏକାଠି ଏହାକୁ ଦେଖିବେ ।
ଏହା ହେଉଛି ଆମର ଆଶା । ଏହା ବିଶ୍ୱାସ ଯେ, ଏହି ବିଶ୍ୱାସ ନେଇ ମୁଁ ଦକ୍ଷିଣକୁ
ଫେରିଯିବି । ଆମେ ନୈରାଶ୍ୟର ପାହାଡ଼କୁ ଭାଙ୍ଗି ଆଶାର ପଥର ନିର୍ମାଣ କରି ପାରିବୁ । ଏହି ବିଶ୍ୱାସକୁ ନେଇ
ଆମ ଜାତିର କଦାକାର କର୍କଶ ସ୍ୱରକୁ ଭାତୃତ୍ୱର ସୁନ୍ଦର ସଙ୍ଗୀତରେ ପରିଣତ କରି ଦେଇ ପାରିବୁ ।
ଏହି ବିଶ୍ୱାସକୁ ନେଇ ଆମେ ଏକାଠି କାମ କରି ପାରିବୁ, ଏକାଠି ପ୍ରାଥନା
କରି ପାରିବୁ, ଏକାଠି ସଙ୍ଘର୍ଷ କରି ପାରିବୁ, ଏକାଠି
ବନ୍ଦୀଶାଳାକୁ ଯାଇ ପାରିବୁ, ଏକାଠି ମୁକ୍ତି ପାଇଁ ଠିଆ ହୋଇ ପାରିବୁ –
ଏହା ଜାଣି ଯେ ଆମେ ଦିନେ ମୁକ୍ତ ହେବୁ ।
ଦିନ ଆସିବ, ଦିନ ଆସିବ, ଯେତେବେଳେ
ଇଶ୍ୱରଙ୍କ ସମସ୍ତ ସନ୍ତାନମାନେ ନୂଆ ଅର୍ଥ ସହ ଗାଇବାକୁ ସମର୍ଥ ହେବେ:
“ମୁଁ ଗାଏ ମୋର ଏ ଦେଶ, ମୁକ୍ତିର ମଧୁର ମାଟିବାପା ମୋର ମରିଥିଲେ ଯହିଁ, ପବିତ୍ର ସେହି ମାଟିପ୍ରତିଟି ପାହାଡର ଉହାଡରୁ
ଭାସି ଆସୁ ସ୍ୱାଧୀନତାର ଗୀତି । ”
କୋଲୋରାଡୋର ବରଫାବୃତ ପଥରରୁ ଭାସିଆସୁ ସ୍ୱାଧୀନତାର ଗୀତି ।
କାଲିଫର୍ଣ୍ଣିଆର ତରଙ୍ଗମୟ ମାଳ ଅଞ୍ଚଳରୁ ଭାସିଆସୁ ସ୍ୱାଧୀନତାର ଗୀତି ।
କେବଳ ସେତିକି ନୁହେଁ,
ଜର୍ଜିଆର ପର୍ବତରୁ ଭାସିଆସୁ ସ୍ୱାଧୀନତାର ଗୀତି ।
ଟେନ୍ସେସିର ଲୁକ୍ଆଉଟ୍ ପର୍ବତରୁ ଭାସିଆସୁ ସ୍ୱାଧୀନତାର ଗୀତି ।
ଭାସିଆସୁ ସ୍ୱାଧୀନତାର ଗୀତି ।
ଏବଂ ଯେତେବେଳେ ଏହା ଘଟିବ ଓ ଆମେ ଯେତେବେଳେ
ସ୍ୱାଧୀନତାର ଗୀତିକୁ ଭାସିଆସିବାକୁ ଦେବା – ଯେତେବେଳେ ଆମେ ପ୍ରତ୍ୟେକ
ଗାଁ, ପ୍ରତ୍ୟେକ ପଡ଼ା, ପ୍ରତ୍ୟେକ ରାଜ୍ୟ,
ପ୍ରତ୍ୟେକ ସହରରୁ ଏହି ସ୍ୱାଧୀନତାର ଗୀତିକୁ ଭାସିଆସିବାକୁ ଦେବା, ଆମେ ସେହି ଦିନକୁ ତ୍ୱରାନ୍ୱତି କରିବା ଯେଉଁ ଦିନ ଇଶ୍ୱରଙ୍କ ସମସ୍ତ ସନ୍ତାନ – କଳା ଓ ଗୋରା, ଇହୁଦି ଓ ଅଣ-ଇହୁଦି, ପ୍ରୋଟେଷ୍ଟାଣ୍ଟସ୍
ଓ କ୍ୟାଥଲିକ୍ – ହାତରେ ହାତ ମିଳାଇ ପୁରୁଣା ସେହି ନିଗ୍ରୋ ଭାବାବେଗର
ଗୀତ ଗାଇବେ:
“ଶେଷରେ ମୁକ୍ତ ! ଶେଷରେ ମୁକ୍ତ ! ଧନ୍ୟବାଦ ହେ
ସର୍ବଶକ୍ତିମାନ ଭଗବାନ, ଶେଷରେ ଆମେ ମୁକ୍ତ !”
 |
ଆମେରିକାର ଆଟଲାଣ୍ଟା ସ୍ଥିତ ମାର୍ଟିନ ଲୁଥର କିଙ୍ଗ ଙ୍କର ସମାଧି
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ |
ଅନୁବାଦକୀୟ ଟୀକା: ମାର୍ଟିନ ଲୁଥର କିଙ୍ଗ, ଜୁନିଅର୍ ଯୁକ୍ତରାଷ୍ଟ୍ର ଆମେରିକାର ଜଣେ ମହାନ୍ ନାଗରିକ ଅଧିକାର ଯୋଦ୍ଧା । ଆମେରିକାର ବର୍ଣ୍ଣବୈଷମ୍ୟବାଦ ବିରୋଧୀ ସଙ୍ଗ୍ରାମରେ ତାଙ୍କର ଭୂମିକା ଅବିସ୍ମରଣୀୟ । ଅହିଂସା ଓ ମାନବବାଦର ସାଧକ ମାର୍ଟିନ ଲୁଥର ନାଗରିକ ଅଧିକାର, କଳା ଲୋକଙ୍କର ସମାନ ଅଧିକାର, ଭିଏତ୍ନାମ୍ ଯୁଦ୍ଧ ବିରୋଧୀ ଆନ୍ଦୋଳନ ତଥା ଶ୍ରମଜୀବୀ ଦରିଦ୍ର ଲୋକଙ୍କର ସ୍ୱରକୁ ଦୃଢ଼ତାର ସହ ଉତ୍ତୋଳିତ କରିଥିଲେ । ଏପ୍ରିଲ ୪, ୧୯୬୮ରେ ସେ ମାତ୍ର ୩୯ ବର୍ଷ ବୟସରେ ଜଣେ ଅଜଣା ଆତତାୟୀର ଗୁଳିରେ ପ୍ରାଣ ହରାଇଥିଲେ । ମ୍ୟାଟିନ ଲୁଥରଙ୍କ ଉପରୋକ୍ତ ବକ୍ତବ୍ୟ ସେ ଅଗଷ୍ଟ ୨୮, ୧୯୬୩ରେ ୱାସିଙ୍ଗଟନ୍ର ଲିଙ୍କନ ମେମୋରିଆଲ୍ରେ ଅନୁଷ୍ଠିତ ନିଯୁକ୍ତି ଓ ମୁକ୍ତି ସମାବେଶରେ ଏକାଠି ହୋଇଥିବା ଦୁଇ ଲକ୍ଷ ଜନତାଙ୍କୁ ଦେଇଥିଲେ, ଯାହାକୁ ଆଜି ମଧ୍ୟ ବିଶ୍ୱର ଅନ୍ୟତମ ଉତ୍କୃଷ୍ଟ ବକ୍ତବ୍ୟ ଭାବେ ଗ୍ରହଣ କରାଯାଏ । ଏଥିରେ ସେ ଏକ ନ୍ୟାୟ ଓ ସମତାପୂର୍ଣ୍ଣ ଆମେରିକାର ନିର୍ମାଣ ପାଇଁ ଆହ୍ୱାନ ଦେଇଥିଲେ ।