ପଲ୍ କାରୁସ୍ଙ୍କର 'ବୁଦ୍ଧ ଗାଥା' ୪୪ - ଗୋପନୀୟତା ଓ ପ୍ରକଟ
ଅନୁବାଦକ - ସୁଜାତା ମିଶ୍ର
![]() |
ମଥୁରା ଶୈଳୀରେ ନିର୍ମିତ ବୁଦ୍ଧ ପ୍ରତିମା |
ବୁଦ୍ଧ କହିଲେ: ''ହେ ଶିଷ୍ୟଗଣ! ତିନୋଟି ପଦାର୍ଥ ଗୋପନୀୟତା ଆବଶ୍ୟକ କରେ । ସେଗୁଡ଼ିକ ହେଲା ପ୍ରେମ ପ୍ରସଙ୍ଗ, ସାଧୁଙ୍କ ବିବେକ ଓ ସତ୍ୟପଥର ସମସ୍ତ ବିକାର ।''
''ହେ ଶିଷ୍ୟଗଣ ! ପ୍ରେମରତ ସ୍ତ୍ରୀମାନେ ଗୋପନୀୟତା ଚାହାନ୍ତି । ହେ ଶିଷ୍ୟଗଣ ! ଯେଉଁ ସାଧୁମାନେ ଜାଣନ୍ତି ଯେ, ସେମାନେ ବିଶେଷ ବିଭୂତିର ଅଧିକାରୀ, ସେମାନେ ମଧ୍ୟ ସେ ସବୁର ଗୋପନୀୟତା ଚାହାନ୍ତି ଓ ପ୍ରଚାରଠାରୁ ଦୂରେଇ ରହିଥା'ନ୍ତି । ହେ ଶିଷ୍ୟଗଣ ! ଯେଉଁ ମନୁଷ୍ୟମାନେ ସତ୍ୟପଥରେ ଚାଲୁ ଚାଲୁ ଭ୍ରଷ୍ଟ ହୁଅନ୍ତି ଅବା ବିକାରଗ୍ରସ୍ତ ହୋଇଥା'ନ୍ତି, ସେମାନେ ମଧ୍ୟ ଗୋପନୀୟତା ଚାହାନ୍ତି ଏବଂ ପ୍ରଚାରଠାରୁ ଦୂରେଇ ରହନ୍ତି ।
''ହେ ଶିଷ୍ୟଗଣ ! ତିନୋଟି ବସ୍ତୁ ସଂସାରରେ ପ୍ରକାଶମୟ ଅଟନ୍ତି ଯାହାଙ୍କୁ ଗୁପ୍ତ ରଖାଯାଇପାରେନା । ସେହି ତିନୋଟି ବସ୍ତୁ କ'ଣ ?
''ହେ ଶିଷ୍ୟଗଣ ! ଚନ୍ଦ୍ର ସାରା ସଂସାରକୁ ଆଲୋକିତ କରେ, ଏଣୁ ଏହାକୁ ଗୁପ୍ତ ରଖାଯାଇ ପାରେନା । ସେହିପରି ସୂର୍ଯ୍ୟ ଏବଂ ତଥାଗତଙ୍କ ନିବେଦିତ ସତ୍ୟ ଯାହା ସାରା ସଂସାରକୁ ଆଲୋକିତ କରୁଛି ତାହାକୁ ମଧ୍ୟ ଘୋଡ଼ାଇ ରଖାଯାଇ ପାରେନା । ଏହି ତିନୋଟି ବସ୍ତୁ ସଂସାରକୁ ଆଲୋକିତ କରୁଥିବାରୁ ହେ ଶିଷ୍ୟଗଣ ଏମାନଙ୍କୁ ଘୋଡ଼ାଇ ରଖାଯାଇ ପାରେନା । ଏମାନଙ୍କର କୌଣସି ଗୋପନୀୟତା ହିଁ ନଥାଏ ।''
ବି.ଦ୍ର - ପଲ୍ କାରୁସ୍ କୃତ "ଗସ୍ପେଲ୍ ଅଫ୍ ବୁଦ୍ଧ"ର "ବୁଦ୍ଧ ଗାଥା" ଶୀର୍ଷକର ଓଡ଼ିଆ ଅନୁବାଦରୁ ଆନିତ । ଅନୁବାଦକ - ସୁଜାତା ମିଶ୍ର । ଭାରତ ସରକାରଙ୍କର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ପ୍ରକାଶନ ବିଭାଗ ଦ୍ୱାରା ୨୦୦୮ ମସିହାରେ ପ୍ରକାଶିତ । ମୂଳ ବହିଟି ୧୮୯୪ ମସିହାରେ ପ୍ରକାଶିତ ହୋଇଥିଲା ।