ବାଣପୁରରେ
ପିଲାଦିନ
ଓ
ପାଠପଢ଼ା
 |
ବାଣପୁରର ଦକ୍ଷ ପ୍ରଜାପତି ମନ୍ଦିର (ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍) |
ଅଠର
ବର୍ଷ ବୟସରେ ଗୋଦାବରୀଶ ମିଶ୍ର ନିଜର
ଜାତକକୁ ଚିରି ଫୋପାଡ଼ି ଦେଇ ଥିଲେ
। ଏଣୁ ତାଙ୍କୁ କେବେବି ନିଜର
ପ୍ରକୃତ ବୟସ ଜଣା ନ ଥିଲା । ହେଲେ
ଆନୁମାନିକ ହିସାବରେ ତାଙ୍କର
ଜନ୍ମ ୧୮୮୬ ମସିହାରେ,
ସେବେର
ଓଡ଼ିଶା ଡିଭିଜନର ସୀମାନ୍ତ ବାଣପୁର
ଅଞ୍ଚଳରେ । ଯେପରି ଜନ୍ମର ସମୟ
ବିଷୟରେ ଧାରଣାର ସ୍ଥିରତା ନ ଥିଲା,
ସେହିପରି
ନାମର ଭିତ୍ତିଟି ମଧ୍ୟ ଥିଲା
ଦୋଦୁଲ୍ୟମାନ । ୧୮୮୪ କି ୧୮୮୫
ସାଲରେ ଗୋଟିଏ ଗୋଦାବରୀ ସ୍ନାନ
ଯୋଗ ପଡ଼ିଥିଲା । ତାହାରି ଅନୁସାରେ
ବାପାମା ତାଙ୍କ ନାମ ରଖିଥିଲେ
ଗୋଦାବରୀ । ଏଇଟି ଯେ ଗୋଟିଏ ନଦୀର
ନାମ ନଦର ନୁହେଁ,
ତାହା
ତାଙ୍କୁ ଜଣା ନ ଥିଲା ବୋଧହୁଏ ।
ପରେ ସ୍କୁଲରେ ପଢ଼ିଲା ବେଳେ
ପରିଦର୍ଶନ ପାଇଁ ଗୋଦାବରୀଙ୍କ
ବିଦ୍ୟାଳୟକୁ ଥରେ ଆସିଥାଆନ୍ତି
ମଧୁସୂଦନ ରାଓ । ସେ ହିଁ ଗୋଦାବରୀ
ନାମଟିକୁ ବଦଳାଇ ଗୋଦାବରୀଶ କଲେ
।
ବ୍ରାହ୍ମଣ
ହେଲେ ହେଁ ଗୋଦାବରୀଶଙ୍କ ବାପା
ବଡ଼ ପଣ୍ଡିତ ନ ଥିଲେ । ହେଲେ ଜଣେ
ୠଷିପ୍ରତିମ ଲୋକ ଭାବରେ ସେ
ଖଣ୍ଡମଣ୍ଡଳରେ ଜଣାଶୁଣା ଥିଲେ
। ଶାସ୍ତ୍ରରେ ବର୍ଣ୍ଣିତ ଅପରିଗ୍ରହର
ଆଦର୍ଶକୁ ଗ୍ରହଣ କରି,
ସେ
ଆଜିର କମେଇକୁ କାଲିକୁ ରଖୁ ନ ଥିଲେ
। ନୁଖୁରା ମୁଣ୍ଡରେ ଜଟା,
ଦିହରେ
ମୁଣ୍ଡରେ ତେଲ ବାଜେନା । ଜାମାଯୋଡ଼
ବୋଇଲେ ଧୋଇଶୁଖେଇ ପିନ୍ଧୁଥିବା
ଖଣ୍ଡେ ଗେରୁଆ ଲୁଗା । ସେ ବଗଳାମୁଖୀ
ମନ୍ତ୍ରରେ ଲୋକଙ୍କୁ ଝାଡ଼ି ତାଙ୍କର
ଜର ଓ ବସନ୍ତ ଆଦି ବ୍ୟାଧି ଭଲ
କରୁଥିଲେ ।
ଗୋଦାବରୀଶଙ୍କ ପରିବାରରେ ବାପାଙ୍କ
ଛଡ଼ା ଥିଲେ ମା ଓ ଅନ୍ଧୁଣୀ ଜେଜିମା
। ଯେତେବେଳେ ଗୋଦାବରୀଶଙ୍କୁ ଦଶ
ବରଷ ବୟସ,
ଆଉ
ଗୋଟିଏ ଛୋଟ ଝିଅଟିଏ ଯୋଡ଼ି ହେଲେ
ପରିବାରରେ ।
ଘରେ
ଏଣେ ସମ୍ପତ୍ତିବାଡ଼ି ବୋଇଲେ
ଅଢ଼େଇ ଏକର ଚାଷ ଜମି । ଏଣେ ସବୁବେଳେ
ଟାଣଟୁଣ ଅବସ୍ଥା । ଅନେକ ଦିନ ଚୁଲି
ଜଳେନା । ତାହାରି ଭିତରେ ଦିନେଦିନେ
ହଠାତ ବାପା କୌଣସି ଗ୍ରାମାଗତ
ଅଭାବୀ ଦୂରଦେଶୀଙ୍କୁ ଘରକୁ ଖାଇବା
ପାଇଁ ଡାକି ଆଣନ୍ତି । ସେଦିନ ଚୁଲି
ଜଳିଥିଲେ ସୁଦ୍ଧା ଘରଲୋକଙ୍କୁ
ଅର୍ଦ୍ଧାହାର ବା ଅନାହାର ରେ
ରହିବାକୁ ହୁଏ । ଗାଈ
ଖିର ଦେଉଥିଲେ,
ଦୁହାଁ
ହୋଇସାରିଲା ପରେ ଖିରଟିକକ ଗୋଦାବରୀ
ପିଅନ୍ତି । ଭାତ ରନ୍ଧା ହେଲେ ତାହା
ଉପରେ ପ୍ରାୟତଃ ବାପ ପୁଅ ଙ୍କର
ନାଁ ଲେଖାଥାଏ । ଗୋଦାବରୀଙ୍କ
ବୋଉ ଓ ଜେଜିମାଆ ପ୍ରାୟତଃ ଭାତର
ପେଜ ଓ ମାଣ୍ଡିଆ ଜାଉ ଖାଆନ୍ତି ।
ଘରର ମହିଳାମାନଙ୍କ ଭାଗ୍ୟରେ
ଅନ୍ନଭୋଜନ କରିବାର ଭାଗ୍ୟ କେବଳ
ଉତ୍ସବଅନୁଷ୍ଠାନର ଦିନମାନଙ୍କରେ
ଘଟେ ।
ତାଙ୍କ
ନିଜ କହିବା ଅନୁସାରେ ଗୋଦାବରୀଶ
ପିଲାବେଳେ ଭଲ ପଢ଼ାପଢ଼ି କରୁ ନ
ଥିଲେ । ଏଣୁ ଶିକ୍ଷକଙ୍କ ଠାରୁ
ଅନେକ ମାଡ଼ ମଧ୍ୟ ଖାଉଥିଲେ ।
ଅବଧାନଙ୍କ ପାଖରେ ବସିଲା ବେଳେ
ଗୋଦାବରୀଶ ବହି ଧରି ବେଶି ସମୟ
ଧ୍ୟାନ ଦେଇ ପାରନ୍ତି ନାହିଁ ।
ଶିକ୍ଷକଙ୍କ ମୁହଁରୁ ଯାହା ଶୁଣନ୍ତି,
ସେଇତକ
ହିଁ କେବଳ ଯାହା ମନେ ରହେ । ପିଲାଦିନର
ଅବଧାନ ଥିଲେ ଗିରିଧାରୀ ମହାନ୍ତି
। କଡ଼ା ମାଷ୍ଟର । ବେତ ବ୍ୟବହାର
କରିବାରେ କୋତେଇ ନାଇଁ । ହେଲେ
ଏଣେ ନଦୀରେ ପାଣି ବେଶି ଥିଲେ
କାନ୍ଧରେ ବସେଇ ପାର କରାଇ ଦିଅନ୍ତି
। ଖରାଦିନେ ବାଟର ବାଲି ଅଧିକ ତାତି
ଗଲେ ଗୋଦାବରୀଙ୍କୁ ପିଠିରେ ଲାଉ
କରି ନିଅନ୍ତି ।
ସ୍କୁଲଶିକ୍ଷା
ସରିବା ପର୍ଯ୍ୟନ୍ତ ବି ତିନୋଟି
‘ସ’ ଓ
ଦୁଇଟି ‘ଇ’ ବିଷୟରେ ଗୋଦାବରୀଶଙ୍କ
ଜ୍ଞାନ ଥିଲା ଶଙ୍କାକୁଳ । ହେଲେ
ତଥାପି ସେ ଉଚ୍ଚ ପ୍ରାଥମିକ
ପରୀକ୍ଷାରେ ପୁରୀ ଜିଲ୍ଲାରେ
ପ୍ରଥମ ସ୍ଥାନ ପାଇଥିଲେ । ଯଦିଓ
ଏଇ ପରୀକ୍ଷାରେ ସେ ‘କେଉଟ’ର
ସ୍ତ୍ରୀଲିଙ୍ଗ ‘କେଉଟୀ’ ବୋଲି
ଲେଖିଥିଲେ । ସେ ପାଠ ପଢ଼ିଲା
ବେଳେ,
ନିମ୍ନପ୍ରାଥମିକ
ପରୀକ୍ଷା ସମ୍ପୂର୍ଣ୍ଣ ଭାବରେ
ତଥା ଉଚ୍ଚପ୍ରାଥମିକ ପରୀକ୍ଷା
କିଛି ଅଂଶରେ ମୌଖିକ ଭାବରେ ଅନୁଷ୍ଠିତ
ହେଉଥିଲା । ସେତେବେଳେ ମଧ୍ୟ-ଓଡ଼ିଆ
ଓ ମଧ୍ୟ-ଇଂରାଜୀ,
ଏହିପରି
ଦୁଇଟି ପ୍ରକାରର ମାଧ୍ୟମିକ
ବିଦ୍ୟାଳୟ ଚାଲୁଥିଲା । ମଧ୍ୟ-ଓଡ଼ିଆ
ପରୀକ୍ଷା ବେଳକୁ ପ୍ରଶ୍ନ ଓ ଉତ୍ତର
ଯୋଡ଼ିକ ଯାକ ହୋଇଯାଇଥିଲା ଲିଖିତ
। ମଧ୍ୟ-ଓଡ଼ିଆ
ପରୀକ୍ଷାରେ କିନ୍ତୁ ଗୋଦାବରୀ
ଦ୍ୱିତୀୟ ଶ୍ରେଣୀ ପାଇଲେ ।
ଯେଉଁ
ବର୍ଷ ଗୋଦାବରୀ ମଧ୍ୟ-ଓଡ଼ିଆ
ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ,
ସେବେଠୁଁ
ହିଁ ବାଣପୁର ମଧ୍ୟ-ଓଡ଼ିଆ
ବିଦ୍ୟାଳୟରେ ଇଂରେଜୀ ପଢ଼ା ଆରମ୍ଭ
ହେଲା । ବାପାଙ୍କର ଇଚ୍ଛା ଥିଲା
ଗୋଦାବରୀ ଇଂରେଜୀ ପାଠ ପଢ଼ି ଓକିଲ
ହେବେ ଓ ପୁରୀ ସହରରେ ଓକିଲାତି
କରିବେ । ସେ ସମୟରେ ଅବଶ୍ୟ ବାଣପୁରରେ
ଇଂରାଜୀ ପାଠୁଆଙ୍କ ସଙ୍ଖ୍ୟା
ବେଶି ନ ଥିଲା । ପୁରୀରେ ହରିହର
ମିଶ୍ରେ ଥିଲେ ଏକମାତ୍ର ଓଡ଼ିଆ
ଓକିଲ । ଆଉ ସେ ପର୍ଯ୍ୟନ୍ତ ପୂରା
ବାଣପୁରରେ କେବଳ ଜଣେ ଲୋକ ଏଣ୍ଟ୍ରାନ୍ସ୍
(ଏବର
ମାଟ୍ରିକ)
ପରୀକ୍ଷାରେ
ଉତ୍ତୀର୍ଣ୍ଣ ହୋଇ ଖୋରଧା କଚେରିରେ
କିରାଣୀ କାମ କରୁଥାଆନ୍ତି ;
ତ
ତାଙ୍କର ଖାତିର କାହିଁରେ କଅଣ ।
ହେଲେ ଦରିଦ୍ର ବାମୁଣ ପୁଅଟି ପାଇଁ
ସେତେବେଳେ ଏଣ୍ଟ୍ରାନ୍ସ ପାଇଁ
ପଢ଼ା ଥିଲା,
ଆକାଶ
କଇଁଚ ଚିଲିକା ମାଛ ।
ବି.ଦ୍ର.
- ଏହି
ଲେଖାଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ଛପାଯାଇଥିଲା । ଏଥି ନିମନ୍ତେ ଉପାଦାନ ଗୋଦାବରୀଶ
ମିଶ୍ରଙ୍କର ଆତ୍ମଜୀବନୀ
‘ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ
ତହିଁରେ ମୋ ସ୍ଥାନ’ର କଟକସ୍ଥ
ପ୍ରକାଶକ ଗ୍ରନ୍ଥମନ୍ଦିର ୨୦୧୪
ମସିହାରେ ଛାପିଥିବା ପୁନଃମୁଦ୍ରଣରୁ
(୨୦୦୧
ସାଲରେ ପ୍ରକାଶିତ ପରିମାର୍ଜିତ
ଦଶମ ସଂସ୍କରଣର ପ୍ରତି)
ସଙ୍ଗୃହିତ
।