ଶ୍ରୀମନ୍ଦିରର ଖାଦ୍ୟ ସଂସ୍କୃତି : ଏକ ଅଭିଧାନ - ୧୪
ଉତ୍ସ - ଶ୍ରୀ ସୁରେନ୍ଦ୍ର ନାଥ ଦାସ କୃତ 'ଶ୍ରୀମନ୍ଦିର ଶବ୍ଦକୋଶ'
ପୁରୀର ଶ୍ରୀମନ୍ଦିର : ଫଟୋ କ୍ରେଡ଼ିଟ - ୱିକିମିଡ଼ିଆ କମନ୍ସ୍ |
ଖଜା - ମଇଦା, ଚିନି ଓ ଘିଅରେ ତିଆରି ହୋଇଥିବା ପିଠା । ମକର ସଙ୍କ୍ରାନ୍ତିରେ ଦେବତାଙ୍କୁ ଖଜା ବା ତିଲୁଆ ଭୋଗ ହୁଏ । ଏହାକୁ ଫେଣି ବୋଲି କୁହାଯାଏ ।
ଖଟଣି - ବରାଦିଆ ମହାପ୍ରସାଦ । ଦେବତାଙ୍କ ନିକଟରେ ଖଞ୍ଜାଥିବା ଦୈନିକ ଭୋଗ । ରାଜା ଓ ଦେବତାଙ୍କ ସେବାରେ ନିୟୋଜିତ ଭୃତ୍ୟ ଦଳଙ୍କୁ ଖଟଣିଆ କହନ୍ତି । ଶ୍ରୀମନ୍ଦିରର ଶ୍ରୀଜୀଉଙ୍କ ସେବାକାରୀଙ୍କୁ କାବ୍ୟସାହିତ୍ୟରେ ଖଟଣି ସାମନ୍ତ ବୋଲି କୁହାଯାଏ ।
ଖଟୁଆନିତିଆନି - ଆଶ୍ୱିନ ଷୋଳପୂଜା ମଧ୍ୟରେ ଶୁକ୍ଳ ସପ୍ତମୀ, ଅଷ୍ଟମୀ ଓ ନବମୀ ତିନିଦିନ ଶ୍ରୀମନ୍ଦିରରୁ ବିମଳାଙ୍କ ପାଖେ ସଙ୍ଖୁଡ଼ି ଭୋଗ ପାଇଁ ବ୍ୟବହୃତ ହେଉଥିବା ମାଛ । ମାଛ ଶବ୍ଦ ଶ୍ରୀମନ୍ଦିର ମଧ୍ୟରେ ପ୍ରୟୋଗରେ ବାରଣ ଥିବାରୁ ଏହା ଖଟୁଆନିତିଆନି ନାମରେ ଶ୍ରୀମନ୍ଦିର ଭାଷାରେ ପ୍ରଚଳିତ ।
ଖଡ଼କା - ଖଡ଼କା ସେବକ ଠାକୁରଙ୍କ ଭୋଗ ଛେକ ସ୍ନାନ ମଣ୍ଡପକୁ ଆସିବାବେଳେ ଆଗେ ଆଗେ ରାସ୍ତାରେ ଚୂନପାଣି ପକାନ୍ତି ଓ ରାସ୍ତା ପରିଷ୍କାର ରଖନ୍ତି । ଠାକୁର ବିଜେ ପୂର୍ବରୁ ରାସ୍ତା ପରିଷ୍କାର କରିବା ଏମାନଙ୍କ କାର୍ଯ୍ୟ ।
ଖଣ୍ଡମଣ୍ଡା - ଶ୍ରୀଜୀଉଙ୍କ ଭୋଗରେ ଲାଗି ହେଉଥିବା ଏକ ପ୍ରକାର ପିଷ୍ଟକ ବିଶେଷ । ମଇଦା, ଚାଉଳ ଚୂନା ମିଶି ଏହି ପିଠା ପ୍ରସ୍ତୁତ ହୁଏ । ମକର ସଙ୍କ୍ରାନ୍ତିରେ ଲାଗିହୁଏ ।
ଖଣ୍ଡଶାକର ଯୋଗାଣିଆ - ଶ୍ରୀମନ୍ଦିରରେ ଖଇ, କୋରା, ଶାକର, ଫେଣି ଆଦି ଯୋଗାଉଥିବା ଗୁଡ଼ିଆ ସେବକ ।
ଖିରା - କ୍ଷୀର, ଛେନା, କଦଳୀ ଓ ଚିନି ସହିତ ଗୋଲମରିଚ, ଅଦା, ଅଳେଇଚଗୁଣ୍ଡ ମିଶ୍ରଣରେ ଏହା ପ୍ରସ୍ତୁତ ।ଏହା ଠାକୁରଙ୍କ ଜେଓଡ଼ ଭୋଗରେ ଲାଗି କରାଯାଏ । ଖୁବ୍ ଘନ ହୋଇ ଆଉଟା ହୋଇ ଖିରି ପରି ଗାଢ଼ ହୋଇଥିବା ଦୁଧ, ରାବିଡ଼ି ।
No comments:
Post a Comment