Sunday, November 25, 2018

ବ୍ୟଙ୍ଗ-ମୁକ୍ତ ଦିବସ

ଜ୍ୟୋତି ନନ୍ଦ


ଏଦୁଆର୍ଦୋ ଗାଲେନୋ (୧୯୪୦-୨୦୧୫)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ସେପ୍ଟେମ୍ବର ୨୨ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଦିବସ । ସେଇ ଦିନ ଅନ୍ତତଃ ସମସ୍ତ ପର୍ଯ୍ୟାବରଣବିତ୍ ଓ କିଛି ଦାୟିତ୍ୱହୀନ ଲୋକ ଚାହାଁନ୍ତି ଯେ, ଏହି ପୃଥିବୀରୁ ସମସ୍ତ ମହାଯାନ, ମାନେ ଚାରିଚକିଆ ଯାନ ମାନେ କାର୍ ଅପହୃତ ହୋଇ ଯାଉ ।

ଏହି କଥାଟିକୁ ବିଶିଷ୍ଟ ଐତିହାସିକ ତଥା କଥାକାର ଏଦୁଆର୍ଦୋ ଗାଲିଆନୋ ଅତ୍ୟନ୍ତ ଚମତ୍କାର ଓ ପ୍ରଭାବଶାଳୀ ଢଙ୍ଗରେ କହିଛନ୍ତି । ତାଙ୍କ ମତ ଅନୁସାରେ, କାରବିହୀନ ଗୋଟିଏ ଦିନ ? ଯଦି ଏହିଦିନଟି ସଙ୍କ୍ରାମକ ହୋଇ ଯାଏ ଆଉ ସବୁ ଦିନ ଯଦି ଏହି ଭଳି ଦିନଟିଏ ହୋଇ ଯାଏ, ତେବେ ନିମ୍ନଲିଖିତ ଘଟଣାଗୁଡ଼ିକ ଘଟି ଯିବ । ଏଥିରେ ଗାଲିଆନୋଙ୍କ ସହ ଗୋଟିଏ ଅପଦାର୍ଥ ବି ରହିଛି ।
ଏହାକୁ ଅବଧାନ କରନ୍ତୁ ।

୧) ଭଗବାନଙ୍କର କାର୍ ଲୋଡ଼ା ନ ଥାଏ, ଆଉ ସମାନଭାବରେ ସଇତାନ୍ ବି କାର୍ ଲୋଡ଼େ ନାହିଁ । ତେଣୁ ସେମାନଙ୍କର କିଛି ବି ଅସୁବିଧା ହେବ ନାହିଁ ।
୨) କାର୍ ନ ଥିଲେ ଡାକ୍ତରଖାନା ଆଉ ଶ୍ମଶାନ ମାନେ ସେମାନଙ୍କର ଅନେକ ଖରିଦଦାର୍ ହରାଇବେ ନିଶ୍ଚୟ ।
୩) ରାସ୍ତାଘାଟରେ ଅପଦାର୍ଥ ସାଇକେଲ୍ ଚାଳକ ଓ ପଥଚାରୀ ମାନଙ୍କର ଚପଲ୍ ର ଫଟଫଟ ଶବ୍ଦ ଶୁଭୁ ଥିବ । ଆଉ ସେମାନଙ୍କ ଝାଳଗନ୍ଧ ତ ଦୁଃସହ ।
୪) ଆମର ଫୁସଫୁସ୍‌ମାନେ ଆଉ ଆଗ ଭଳି ସ୍ୱାଦଯୁକ୍ତ ବିଷ ଭକ୍ଷଣରୁ ବଞ୍ଚିତ ରହିବେ । 

୫) ପାଦଗୁଡ଼ିକ ଯେଉଁମାନେ ଚାଲିବା ଭୁଲି ଯାଇ ଥିଲେ, ରାସ୍ତାରେ ଖାଲି ଝୁଣ୍ଟିବେ । ତେଣୁ, "ମୁଁ ଦୁଃଖିତ" ଶବ୍ଦର ବେଶି ପ୍ରୟୋଗ ହେଉ ଥିବ ।

୬) ନୀରବତା ସମସ୍ତଙ୍କ କାନ ବଧିରା କରି ଦେବ ।
୭) ଜାତୀୟ ରାଜପଥ ଗୁଡ଼ିକ ମରୁଭୂମି ହୋଇ ଯିବ ।
୮) ରାଜପଥ କଡ଼ରେ ଥିବା ପଂକଚର୍ ମରାମତି ଆଉ ପବନ ଭର୍ତି ବାଲା ମାନେ ସବୁ ବେଲୁନ୍ ବିକାଳି ହୋଇ ଯିବେ । ଓ "ମୁଁ ଆପଣଙ୍କୁ କେମିତି ସାହାଯ୍ୟ କରି ପାରେ" ବୋର୍ଡ ସହିତ ଯୌନଶକ୍ତି ବର୍ଦ୍ଧକ ତାବିଜ ବିକ୍ରି କରୁ ଥିବେ ।

୯) ଟେଲିଭିଜନ, ଖବରକାଗଜ ଓ ପତ୍ରିକା ମାନେ ଆଉ ସେମିତି ସୁନ୍ଦର ସୁନ୍ଦର ବିଜ୍ଞାପନ ନ ଦେଉ ଥିବାରୁ ସ୍ତ୍ରୀଲୋକଙ୍କ ପିନ୍ଧା କପଡ଼ାର ବିକ୍ରି ବଢ଼ିବ ।
୧୦) ତେଲବିକ୍ରୀ ରାଷ୍ଟ୍ରମାନେ ନାଇଜେରିଆ କି ସୋମାଲିଆ ଭଳି ଦରିଦ୍ର ହୋଇ ଯିବେ ।
୧୧) ଆମର ତେଲମନ୍ତ୍ରୀ କଥାକଥାକେ ହଳନ୍ତର ପ୍ରୟୋଗ ବନ୍ଦ କରି ନୂତନ କରି ଗଢ଼ା ଯାଇ ଥିବା ଧର୍ମଶାସ୍ତ୍ର ପ୍ରବଚନ ମନ୍ତ୍ରଣାଳୟର ଦାୟିତ୍ୱରେ ରହି ବେଦପାଠ କରିବେ ।
୧୨) ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ ଯଥାବିଧି ଅପରିବର୍ତ୍ତିତ ରହିବ । କାରଣ ପଡ଼ୋଶୀଙ୍କ ଅମୁକ କାର୍ ଆମର ଅମୁକ ଅଛି ବୋଲି ଯେଉଁ ଦାମ୍ପତ୍ୟ କଳହଟି ଥାଏ, ତାହା ବନ୍ଦ ହୋଇ ଗଲେ ମଧ୍ୟ, କାର ଚଳାଇବାରେ ଅନଭିଜ୍ଞା ପତ୍ନୀଙ୍କର ସଚରାଚର କାର୍ ଚଳାଇବା ସମ୍ପର୍କରେ ଯେଉଁ ଉପଦେଶାବଳୀ, ତାହା ଅନ୍ୟତ୍ର ପ୍ରୟୋଗ ହେବ । ତେଣୁ ନବବିବାହିତ ପତିମାନେ ସତର୍କତା ଅବଲମ୍ବନ କରିବା ବାଞ୍ଛନୀୟ ।
୧୩) ଆମ ରାଜନେତାମାନେ ସାଇକଲ୍ କି ଘୋଡ଼ା ଆଦି ଭଳିକି ଭଳି କଳ୍ପନାର ସଦୁପଯୋଗ କରି ଯେଉଁ ସଚିବାଳୟକୁ ଯାଉ ଥିଲେ, ତାହା ଆଉ ଦେଖିବାକୁ ମିଳିବ ନାହିଁ । ଆଉ ସବୁଠୁ ବଡ଼ କଥା, ଅଳ୍ପ କେତେ ଫୁଟ୍ ଉପରୁ ବ୍ୟୋମଜାନରେ ମରାଳମାଳନୀ ଚିଲିକାକୁ ଦେଖାଇ ନିଜର ବନ୍ଧୁବତ୍ସଳତା ପ୍ରମାଣିତ କରିବାର ସୁଯୋଗ ମିଳିବ ନାହିଁ କାହାକୁ । ଆଉ କୌଣସି ବ୍ୟଙ୍ଗ ହେବ ନାହିଁ ।

ଆହା !
ବ୍ୟଙ୍ଗ ନାହିଁ ମାନେ, ଈଶ୍ୱର କି ସଇତାନ ରହି ପାରିବେ ପୃଥିବୀରେ ?

Monday, November 19, 2018


ପ୍ରେମଲତାଙ୍କ ଆଖିରେ ଭାରତଛାଡ଼ ଆନ୍ଦୋଳନ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ପ୍ରେମଲତା ଜେନାଙ୍କ ଜନ୍ମ ୧୯୨୯ ମସିହାର ଫେବୃଆରି ମାସର ଦୁଇ ତାରିଖରେ - ଏବର ଯ।ଜପୁର ଜିଲ୍ଲାର ବରି ଗାଁରେ । ବାପାଙ୍କ ନାମ ଆର୍ତ୍ତବନ୍ଧୁ ମହାନ୍ତି । ମାଆଙ୍କ ନାଁ ମଣିପ୍ରିୟା ଦେବୀ । ପ୍ରେମ ବାପା ମାଆ ଙ୍କର ପୋରୁହାଁ ପିଲା । ପ୍ରେମଲତାଙ୍କର ଜନ୍ମର କିଛି ବରଷ ପରେ ଓଡ଼ିଶାର ଅଗ୍ରଗଣ୍ୟ ସ୍ୱାଧୀନତା କର୍ମୀ ଓ ରଚନାତ୍ମକ କର୍ମୀଯୁଗଳ, ରମା ଦେବୀ ଓ ଗୋପବନ୍ଧୁ ଚୌଧୁରୀ ବରିରେ ଗାନ୍ଧୀବିଚାରକୁ ନେଇ ନାନାଦି ପ୍ରୟୋଗ କରିବା ଆରମ୍ଭ କଲେ । ଆଶ୍ରମଟିର ନାମ ଥିଲା ‘ସେବାଘର’ । ନାମକରଣ କରିଥିଲେ ନିଜେ ସ୍ୱୟଂ ମହାତ୍ମାଗାନ୍ଧୀ । ସ୍ୱାଧୀନଚେତା ଯୁବକ ଆର୍ତ୍ତ ବରିରେ ଏଇ ନୂଆ ଉଦ୍‌ବେଳନରେ ପ୍ରଭାବିତ ହୋଇ ଦେଶକାମରେ ଯୋଗ ଦେଲେ ।

ପ୍ରେମଲତାଙ୍କୁ ପାଞ୍ଚ ଛଅ ବରଷ ହେଲା ବେଳକୁ ତାଙ୍କ ବାପା ସ୍ୱାଧୀନତା ଆନ୍ଦୋଳନରେ ଝାସ ଦେଇ ସାରିଥିଲେ । ତାହା ସହିତ ସେ ସ୍ୱଦେଶୀ ଆନ୍ଦୋଳନ, ଖଦିର ପ୍ରସାର, ସୂତା କାଟିବା, ଅସ୍ପୃଶ୍ୟତା ନିବାରଣ, ନିଶାବନ୍ଦି, ଆଦି କାମରେ ସମ୍ପୃକ୍ତ ଥାଆନ୍ତି । ଅସ୍ପୃଶ୍ୟତା ନିବାରଣ କାମରେ ୧୯୩୪ ମସିହାର ସିନାନ ପୁନେଇଁ ଦିନ ଅନୁଷ୍ଠିତ ଏକ ମନ୍ଦିର ପ୍ରବେଶ କାର୍ଯ୍ୟକ୍ରମ ଓ ତହିଁ ପରର ପଂକ୍ତି ଭୋଜନରେ ଯୋଗ ଦେଇ ଆର୍ତ୍ତ ବାବୁ ଓ ତାଙ୍କ ପରିବାର ସାମାଜିକ ବାସନ୍ଦର ସମ୍ମୁଖୀନ ହେଲେ । ପରିବାରଟିକୁ ନିଆଁପାଣି ବାସନ୍ଦ କରାଗଲା । ଗାଁର ଧୋବା, ବାରିକ ମନା ହେଲେ । ସାହିର କେହି ପରିବାରର ଲୋକଙ୍କ ସହ କଥା ହୁଅନ୍ତି ନାହିଁ ।

ଏମିତି ସବୁ କଟକଣା ଭିତରେ ଥାଇ ମଧ୍ୟ ପରିବାରର ସଭିଏଁ ଖୁସି ଥାଆନ୍ତି । ପ୍ରଥମେ ଦେଶକାମ କରୁଥିବାର ସନ୍ତୋଷ । ତାହା ସହ ରମାଦେବୀ ଓ ଗୋପବାବୁ ଚଳାଉଥିବା ସେବାଘର, ପ୍ରକୃତ ଅର୍ଥରେ ପିଲାଙ୍କ ପାଇଁ ଏକ ‘ଆଶ୍ରମ’ର କାମ କରୁଥାଏ । ନିହାତି ପିଲାବେଳୁ ପ୍ରେମଲତା ସେଠି ସୂତାକଟା ଶିଖନ୍ତି । ଆଶ୍ରମରେ ନିୟମ ଅନୁସାରେ ସବୁ କାମ ହୁଏ । ସମୟାନୁବର୍ତ୍ତିତା ଥାଏ ଆଶ୍ରମର କାମକରିବାର ଢାଞ୍ଚାର ଏକ ବଡ଼ ବିଭାବ । ଖରାବେଳେ ଗାନ୍ଧିଙ୍କର ‘ହରିଜନ’ ପତ୍ରିକାଟିର ସାମୂହିକ ପାଠ ହୁଏ । ଅସ୍ପୃଶ୍ୟତା ନିବାରଣ ସମ୍ପର୍କିତ ଲେଖା ସବୁ ପଢ଼ିଶୁଣି ପିଲାମନରେ ପ୍ରତ୍ୟୟ ଜନ୍ମେ ଯେ, ଅସ୍ପୃଶ୍ୟତା ହଟିବା ଚାହି - ସେଥି ପାଇଁ ଲଢ଼ି ଦୁଃଖ ସହିଲେ ମଧ୍ୟ ତହିଁରେ ମର୍ଯ୍ୟାଦା ଅଛି ।

ଏହି ପରି ସାମାଜିକ କାମ ଚାଲୁ ରହିଥିବା ସମୟରେ ଗାନ୍ଧିଜୀ ୧୯୪୨ ମସିହାର ଅଗଷ୍ଟ ମାସରେ ଭାରତଛାଡ଼ର ଡାକରା ଦିଅନ୍ତି । ଦେଶର ସମସ୍ତ ବଡ଼ ବଡ଼ ନେତାଙ୍କୁ ପୋଲିସ ଅଗଷ୍ଟ ନଅ ତାରିଖ ବେଳକୁ ଗିରଫ କରି ନେଇ ଥାଏ । ବରିର ସେବାଘର ଆଶ୍ରମକୁ ପୋଲିସ ଭାଙ୍ଗି ଦେଇ ଥାଏ । ବିଞ୍ଝାରପୁର ପୋଲିସ ଅଗଷ୍ଟ ନଅ ତାରିଖ ଉପର ଓଳି ହିଁ ଆସି ଗୁଣନିଧି ମହାନ୍ତି ଓ ମଙ୍ଗଳ ସେନଗୁପ୍ତା ଆଦି ନେତାଙ୍କୁ ଗିରଫ କରି ଜେଲରେ ଭରିଦିଏ । ଆନ୍ଦୋଳନର ଭାର ପଡ଼େ ଏକ ନୂଆ ପ୍ରଜନ୍ମର କର୍ମୀମାନଙ୍କ ଉପରେ । କେତେକ ନେତା ଆତ୍ମଗୋପନ କରି ଥାଆନ୍ତି । ସେମାନଙ୍କ ମଧ୍ୟରେ ଥାଆନ୍ତି ଆର୍ତ୍ତବନ୍ଧୁ ମହାନ୍ତି । ଅଗଷ୍ଟ ୧୬ ତାରିଖରେ ସବୁ ବେସରକାରୀ ମୌଳିକ ବିଦ୍ୟାଳୟର ଶିକ୍ଷକମାନେ ସ୍କୁଲଗୁଡ଼ିକୁ ବନ୍ଦ କରି ଭାରତଛାଡ଼ ଆନ୍ଦୋଳନରେ ଯୋଗ ଦେବାର ସ୍ଥିର କରନ୍ତି ।


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଆନ୍ଦୋଳନ ବ୍ୟାପିବା ସହିତ ଗଞ୍ଜେଇ ଓ ଅଫିମ ଦୋକାନଗୁଡ଼ିକ ବନ୍ଦ କରିବାର ଉପକ୍ରମ ହେଲା । ପ୍ରତି ଗାଁରେ ପଞ୍ଚାୟତ ଗଢ଼ି ସ୍ଥାନୀୟ କଳିକଜିଆଗୁଡ଼ିକୁ ଗ୍ରାମ୍ୟସ୍ତରରେ ହିଁ ମେଣ୍ଟାଇବାର ଚେଷ୍ଟା ଆରମ୍ଭ ହେଲା । ଗାଁଗାଁରେ ସଭା କରି ଜାତୀୟ ସଙ୍ଗୀତ ଗାନ କରାଗଲା । ଲୋକେ ଅନେକ ଜାଗାରେ ଚୌକିଦାର ଓ ଦଫାଦାରଙ୍କ ହୋଦା ବାହାର କରି ପୋଡ଼ି ନଷ୍ଟ କଲେ । ହେଲେ ଆନ୍ଦୋଳନ ଚଳାଇବା ପାଇଁ ଗାନ୍ଧିଜୀ ମନ୍ତ୍ର ଦେଇ ଥାଆନ୍ତି ଯେ, ସମସ୍ତେ ନିଜେ ନେତା - ସତ୍ୟ ଓ ଅହିଂସାକୁ ମନ୍ତ୍ର ରୂପେ ଧରି କର୍ମୀମାନେ ନିଜେ ନିଜର କାର୍ଯ୍ୟପନ୍ଥା ସ୍ଥିର କରି ନେବା ଉଚିତ । ଅନେକ ବିପ୍ଳବୀ ବ୍ରିଟିଶ ଶାସନର ପ୍ରତୀକ, ଯଥା ରେଳସେବା, ଡାକସେବା ଓ ଥାନା ଇତ୍ୟାଦିକୁ ଆକ୍ରମଣ କରି ନଷ୍ଟ କରିବା କଥା ଭାବୁ ଥାଆନ୍ତି । ଏପରି ପରିବେଶରେ ଆର୍ତ୍ତ ବାବୁ ଏବଂ ତାଙ୍କର ସହକର୍ମୀ ଛୁକୁ ମିଆଁ ଡାକପିଅନଙ୍କୁ ଧରି ପକାଇ ସମନ୍‌ଗୁଡ଼ିକ ଆଣି ପୋଡ଼ି ପକାଇଲେ ଓ ଗ୍ରାମତ୍ୟାଗ କରି ନିରୁଦ୍ଦିଷ୍ଟ ହୋଇଗଲେ । ସେତେବେଳକୁ ପ୍ରେମଙ୍କୁ ବୟସ ତେର ଖଣ୍ଡେ ହେବ ।

ସେତେବେଳେ ପ୍ରେମଲତାଙ୍କ ବାପା ଥିଲେ ପରିବାରର ଏକମାତ୍ର ରୋଜଗାରିଆ । ଚାଷ ଜମି ପ୍ରାୟ ନ ଥିଲା - ଯାହା ବାଡ଼ିଗୋବରେ ଗୋବେ ଖଣ୍ଡେ ଥିଲା, ସେଥିରେ ତିନିପୁରୁଷର ପେଟ ପୁରିବା ଥିଲା ବହୁତ କଷ୍ଟିଆ । ପ୍ରେମଙ୍କ ଜେଜେବାବା ଥିଲେ ଜଣେ ଅବସରପ୍ରାପ୍ତ ବିଦ୍ୟାଳୟ ଶିକ୍ଷକ – ହେଲେ ପେନସନ ନ ଥିଲା । ଜେଜେବାପା ଜଣଙ୍କ ପ୍ରକୃତିରେ ନିର୍ଘାତ ଛେରୁକୁରା । ଘରକୁ ପୋଲିସ ଆସିବ ଯଦି ଠିଆଠିଆ ମୁତି ପକାଇବେ । ହେଲେ ତାଙ୍କ ସ୍ତ୍ରୀ, ପ୍ରେମଙ୍କ ଶ୍ରୀଅକ୍ଷର ବିବର୍ଜିତା ଜେଜେମାଆ, ଥିଲେ ଭାରି ସାହସୀ, ଆଧୁନିକା ଓ ରାଜନୀତିମନସ୍କା ।

ଡାକପିଅନ ଉପରେ ଆକ୍ରମଣ ଘଟଣାର କିଛି ଦିନ ପରେ ଆର୍ତ୍ତବନ୍ଧୁ ଏକ ଅନ୍ଧାର ରାତିରେ ଘରକୁ ଆସିଲେ । ଦୁଇ ପଦ କଥା ହୋଇ ପୁଣି ଚାଲିଗଲେ - ରାମଚନ୍ଦ୍ରପୁର ବାଟ ଦେଇ ସେଠୁ କଟକ ଓ ତହିଁରୁ ଭଦ୍ରକ । ସେଠାରେ ସେ ‘ଅନାମ ଦାସ, ପିତା ଗୋଲକ ଦାସ’ ବନି ଆତ୍ମଗୋପନ କଲେ । ସେଇ ଦିନ ସକାଳେ ତାଙ୍କ ଜଣେ ସହକର୍ମୀ ଅକ୍ରୁରଙ୍କୁ ପୋଲିସ ଧରି ନେଲା ଓ ମାଡ଼ ମାରିମାରି ଅଚେତ କରିଦେଲା । ଆର୍ତ୍ତବାବୁ ଥିଲେ ତାଙ୍କର ମଧ୍ୟ ସେଇ ଅବସ୍ଥା ହୋଇ ଥାଆନ୍ତା ।

ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଏହି ଘଟଣାର ମାସକ ପରେ ‘ଅନାମ ଦାସ ପିତା ଗୋଲକ ଦାସ’ ବରିର ଘରକୁ ପୁଣି ଆଉ ଥରେ ଅଧରାତିରେ ଆସି, ସିନ୍ଦୁରା ଫାଟିବାର ଯଥେଷ୍ଟ ଆଗରୁ ଅଦୃଶ୍ୟ ହୋଇଗଲେ । ହେଲେ ଭଗାରୀ ତ ପରିବାର ପଟରେ ନ ଥାଆନ୍ତି । ସେମାନେ ପୋଲିସକୁ ଭାଷା ଦେଲେ ଯେ, ଫେରାର ଆର୍ତ୍ତବାବୁ ଗାଁରେ ଅଛନ୍ତି । ସକାଳୁ ସକାଳୁ ସେତେବେଳର କୁଖ୍ୟାତ ଦାରୋଗା ନବାବ ଖାଁ ତିନି ଜଣ କନେଷ୍ଟବଳଙ୍କ ସହ ଆସି ଆର୍ତ୍ତବାବୁଙ୍କ ଦୁଆରେ ହାଜର । ପୋଲିସକୁ ଦେଖି ପରିବାରଟିକୁ ବାସନ୍ଦ କରିଥିବା ଶହଶହ ଲୋକଙ୍କ ସୁଅ ଛୁଟିଲା ପୋଲିସ ଜୁଲୁମର ମଜା ଦେଖିବା ପାଇଁ ।

ପ୍ରେମଙ୍କ ଜେଜେବାପା ତ ମହାଛାନିଆ ଲୋକ । ପୋଲିସକୁ ଦେଖି ତାଙ୍କ ପାଟି ଖନି ମାରିଗଲା । ସେ ଦୁଲ କିନା ତଳ ଖଞ୍ଜାରେ ବସି ପଡ଼ିଲେ - ଝାଡ଼ା ପରିସ୍ରା କରି ତାଙ୍କ ଅବସ୍ଥା ବାରଣ୍ଡା ଦି’କଡ଼ା । ଏ ଅବସ୍ଥାରେ ତାଙ୍କ ସ୍ତ୍ରୀ - ପ୍ରେମଙ୍କ ଜେଜେମା - ନାତୁଣିକୁ ଧରି କବାଟ ଖୋଲି ପୋଲିସର ସମ୍ମୁଖୀନ ହେଲେ । ପଚାରିଲେ, ‘କାହିଁକି ତୁମେ ମାନେ ଆସିଛ ?’ ଏଥିକୁ ନବାବ ଖାଁ ଜବାବ ଦେଲା କି ସେ ତାଙ୍କ ପୁଅକୁ ଗିରଫ କରିବାକୁ ଆସିଛି । ପ୍ରେମ ଜେଜେମାଙ୍କ ପଛରେ ଥାଇ ଡରରେ କମ୍ପୁ ଥାଆନ୍ତି ।

ବୁଢ଼ୀ ଯେବେ କଥା ଫେରାଇଲେ ଯେ, ତାଙ୍କ ପୁଅ ଘରେ ନାହିଁ, ଦାରୋଗା ଘର ତଲାସି କଥା କହିଲା । ସେଥିକୁ ବୁଢ଼ୀ ବୋହୁ ତଳ ଖଞ୍ଜାକୁ ଗଲା ପରେ ଯାଇ, ମାତ୍ର ଦୁଇ ଜଣ ଲୋକ ଘର ତଲାସି କରି ପାରିବେ ବୋଲି ପୋଲିସକୁ କହିଲେ । ଦାରୋଗା ଜଣେ କନେଷ୍ଟବଳକୁ ଧରି ଘର ସାରା ତନ୍ନତନ୍ନ କରି ଖୋଜିଲା । ହେଲେ କାହାକୁ ପାଇଲା ନାହିଁ । ଏହାର କିଛି ଦିନ ପରେ ଆର୍ତ୍ତବାବୁ ଧରା ପଡ଼ି, ବ୍ରହ୍ମପୁର ଜେଲରେ ବରଷକ କାଳ ଜେଲ ଦଣ୍ଡ ଭୋଗିଲେ । ୧୯୪୩ ମସିହାର ଅଗଷ୍ଟ ମାସରେ ଯାଇ ଛାଡ଼ ପାଇ ଖଲାସ ହେଲେ ।

ବି. ଦ୍ର.: ଏହି ଲେଖାଟିର ଉପାଦାନଗୁଡ଼ିକ ‘ସ୍ମୃତିର ପାଖୁଡ଼ା: ପ୍ରେମଲତା ଦେବୀଙ୍କ ଆତ୍ମଜୀବନୀ’ରୁ ନିଆ ଯାଇଛି । ବହିଟିର ସମ୍ପାଦନା ପ୍ରିୟଲତା ଜେନା କରିଛନ୍ତି । ଗ୍ରନ୍ଥଟି ଭୁବନେଶ୍ୱରସ୍ଥ ସଂସ୍ଥା ଶିକ୍ଷାସନ୍ଧାନ ୨୦୧୫ ମସିହାରେ ପ୍ରକାଶିତ କରିଛନ୍ତି । ଏହିୁ ପ୍ରବନ୍ଧଟି ପ୍ରଥମେ ସମ୍ଭାବନା ପତ୍ରିକାର ୨୦୧୮ ମସିହାର ଏକ ବିଶେଷ ସଙ୍ଖ୍ୟାରେ ଛପା ହୋଇ ଥିଲା ।

Friday, November 16, 2018

ବିଶ୍ୱନାଥ କରଙ୍କ ସଙ୍କଳିତ ବ୍ରହ୍ମ ସଙ୍ଗୀତ - 'ପାହିଲାଣି ରାତି ପ୍ରେମାନନ୍ଦେ ମାତି'

(ଲଳିତ ବିଭାସ - ଏକତାଳି)


ଚିତ୍ର - 'ମର୍ଣ୍ଣିଙ୍ଗ୍' (୧୯୦୦ ମସିହାରେ ଅଙ୍କିତ)
ଚିତ୍ରକର - ଆମାଲ୍‌ଦସ୍ ନିଏଲ୍‌ସନ୍ (ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍)

ପାହିଲାଣି ରାତି ପ୍ରେମାନନ୍ଦେ ମାତି
ଗାଅ ରେ ପ୍ରଭାତୀ ସୁମଙ୍ଗଳ ଗୀତ,
ଉଠ ନର ନାରୀ ସ୍ମରି ହିତକାରୀ
ପାପତାପହରୀ ପ୍ରାଣେଶ ଚରିତ ।

ଧୀରେ ଧୀରେ ଜ୍ୟୋତି ଲଭି ବସୁମତୀ
ପୂଜେ ବିଶ୍ୱପତି ପ୍ରେମ-ଭକ୍ତିଭରେ,
ସୁରଭି ସମୀରେ ଢାଳି ଧୀରେ ଧୀରେ
ବିମଳ ଶିଶିରେ ବନ୍ଦେ ଶ୍ରୀପୟରେ ।

ନାନାବିଧ ଛନ୍ଦେ ଧରଣୀ ଆନନ୍ଦେ
ଭକ୍ତିଭରେ ବନ୍ଦେ ବିହଙ୍ଗ-କଣ୍ଠରେ,
ଏ ପବିତ୍ର କାଳେ ନବ ପୁଷ୍ପମାଳେ
ଆନନ୍ଦରେ ଢାଳେ ବିଭୁ ଚରଣରେ ।

ନବୀନ ଆଶାରେ ସରବେ ସଂସାରେ
ବିଭୁ ପ୍ରଶଂସାରେ ରସ ନର ନାରୀ,
ଏ ଶୁଭ ପ୍ରଭାତେ ଯୋଡ଼ି ବେନି ହାତେ
ଡାକି ପ୍ରାଣନାଥେ ଲଭ ଶାନ୍ତି-କାରି ।

Wednesday, November 14, 2018

ଗୌରୀପୁତ୍ରର ସାଂସ୍କୃତିକ ବ୍ରତକଥା

ଜ୍ୟୋତି ନନ୍ଦ


ବ୍ରୁକ୍ଲିନ୍ ସଙ୍ଗ୍ରହଳାୟସ୍ଥ ଗଣେଶଙ୍କର ଏକ ଚିତ୍ର (୧୭୯୦ରୁ ୧୮୨୫ ମସିହା ମଧ୍ୟରେ ଅଙ୍କିତ)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ସାର୍ କିଛି ଦିନ ତଳେ ଥିଲା ଆପଣଙ୍କ ଜନ୍ମଦିନ । ଆପଣ ତ ଭାରି ବ୍ୟସ୍ତ ଥିଲେ । ତେଣୁ ଆଜି ଶୁଭେଚ୍ଛା ଜଣାଉଛି । ଆଉ ଅଧିକ କ'ଣ କହି ପାରିବାର ସାମର୍ଥ୍ୟ ଅଛି ? ଖାଲି କହି ପାରିବି, ବିଲେଟେଡ୍ ହାପି ବାର୍ଥ ଡେ ଟୁ ୟୁ । (ବିଶ୍ୱାସର ଜନ୍ମବ୍ରତ କଥା ଭିନ୍ନ । କାହାର ବିଶ୍ୱାସକୁ ଆହତ କରିବାର ସାମାନ୍ୟତମ ଅଭିପ୍ରାୟ ନାହିଁ ଉପସ୍ଥିତ ଲେଖକର ।ଏହା ମୂଳତଃ ଏକ ବିବର୍ତ୍ତନ ମୂଳକ ସାଂସ୍କୃତିକ ବ୍ରତକଥା । ଦୟା କରି ଆମର ଏହି ପ୍ରିୟତମ ଦେବତାର ବିବର୍ତ୍ତନକୁ ସହ୍ୟ କରି ନେବେ ବୋଲି ଆଶା।)

ସାର୍ ଆପଣମାନଙ୍କ ଭଳି ଇଲିଟ୍‌ମାନେ କାଳର ଗଣନା ବୋଲି ଯାହା କରା ଯାଏ, ସେମିତି ଗଣନାର ବାହାରେ ରହୁ ଥିବାରୁ ଜିଓ ହଜାର ସାଲ୍ ବୋଲି କହିଲେ ଆପଣମାନେ ମୁଁହ ଚୁହାଁଚୁହିଁ ହୋଇ ଖାଲି ହସିବେ । ଆପଣମାନଙ୍କଠୁ ପରା ଆମେ ଜନ୍ମଦିନ ପାଳନ ଶିଖିଲୁ । ଜନ୍ମରେ ସଭିଏଁ ସାଧାରଣ । ଜନ୍ମଦିନ ପାଳିବା ଭଳି ଗୋଟିଏ ବିଶେଷ ଯୋଗ୍ୟତା ଆମ ମଣିଷଙ୍କର ଜନ୍ମଦିନରେ ଆଦୌ ନ ଥାଏ । ଗୋଟିଏ ବିଶେଷ ମଣିଷପଣର ଯୋଗ୍ୟତା ମଣିଷ କ୍ରମଶଃ ଅର୍ଜନ କରି ଥାଏ, ଆଉ କହିବାକୁ ଗଲେ ମଣିଷର ମରଣରେ ହିଁ ତାହାର ବିଶେଷ ମଣିଷପଣର ଯୋଗ୍ୟତାକୁ ଆମେ ପରିଷ୍କାର ଦେଖୁ ଆଉ ଝୁରି ହେଉ । ସେଇଥି ପାଇଁ ଜଣେ ମଣିଷ ସମସ୍ତ ମଣିଷସୁଲଭ ପାକେଜିଂ ମରଣରେ ଥାଏ ବୋଲି ଆମେ ମରଣଦିବସକୁ ହିଁ ପାଳୁଥିଲୁ ପ୍ରଥମେ । 

ଆପଣମାନଙ୍କର ତ ମରଣ ନାହିଁ । ଆମର ପାର୍ଥୀବ ଜୀବନର ଖରାବର୍ଷାକୁ ଆଢ଼ୁଆଳ କରି ରଖିବା ପାଇଁ ଗିରିଗୋବର୍ଦ୍ଧନ ଭଳି ଛତାର ଛତାଧାରୀ ହିସାବରେ ଆପଣମାନଙ୍କୁ ଆମର ବିଶ୍ୱାସରେ ଢେର୍ ପ୍ରୟୋଜନ ରହିଛି । ଆମେ ତେଣୁ ଆପଣମାନଙ୍କୁ ଆବାହନ କଲୁ ।ଆପଣମାନଙ୍କ ପାଇଁ ତିଥିବାରନକ୍ଷତ୍ରର ଶୁଭମୁହୂର୍ତ୍ତଟିଏ ଗଢ଼ି ଆପଣମାନଙ୍କ ମାନବିକ ଜନ୍ମକାହାଣୀ ଲେଖିବାରେ ଆମର ଭାରି ଶ୍ରଦ୍ଧା ।ସେହି ଶ୍ରଦ୍ଧା ଆମ ଭିତରେ ପ୍ରତ୍ୟୟ ଦିଏ ଯେ, ଆମେ ଦେଖି ପାରୁନୁ ସିନା, ଆପଣମାନେ ଏଇ ଆଖପାଖରେ କେଉଁଠି ବରାଭୟ ମୁଦ୍ରାରେ ବିରାଜମାନ ହୋଇ ରହିଛନ୍ତି । ସେଇଥି ପାଇଁ ସେହି ଶ୍ରଦ୍ଧାର ଆବାହନ କାହାଣୀକୁ ଆପଣମାନଙ୍କ ଜନ୍ମଦିନରେ ବ୍ରତକଥା ଭଳି ଶୁଦ୍ଧପୂତ ହୋଇ ଆମେ ଗାଉ । 

ଆପଣମାନଙ୍କୁ ସବୁବେଳେ ଆମମାନଙ୍କ ଭିତରୁ ସବୁଠୁ ବେଶି ଯଦି କିଏ ଅନୁକରଣ କରୁଥାଏ, ତେବେ ସେ ତ ଆମର ରଜା । ରଜା ଆପଣମାନଙ୍କୁ ଦେଖି ନିଜର ଜନ୍ମଦିନ ପାଳିଲା, ଆଉ ତାହା ପରେ ସେଇ କ୍ଷମତାଧର ରଜାଟିର ତ ଆମେ ଉପସ୍ଥିତ ଏକମାତ୍ର ଅନୁଗତ ଅନୁସରଣକାରୀ; ତେଣୁ ଆମେ ରଜାକୁ ଅନୁକରଣ କରି ନିଜ ନିଜର ଜନ୍ମଦିନ ପାଳି ଆସିଲୁ । ଆଉ ଆଗ ଭଳି ମଣିଷର ଯେଉଁ ସାମଗ୍ରିକ ମାନବିକ କୃତିତ୍ତ୍ୱର ପାଳନ ହେଉ ଥିଲା, ତାହାର ଜନ୍ମଦିନରେ ତାହା ସହିତ ଏବେ ଯେଉଁ ଜନ୍ମଦିନର ପାଳନ ହେଲା, ତାହା ଆବାହନର । କେବଳ ଶ୍ରଦ୍ଧାର ସହ ଆବାହନର ।

ଆପଣଙ୍କ ଜନ୍ମଦିନ ବଡ ବିଚିତ୍ର । ଭାରି ଘଟଣାବହୁଳ ।
ଭାରତତତ୍ତ୍ୱର ପ୍ରଖ୍ୟାତ ବିଦୂଷୀ ପ୍ରଫେସର୍ ସୁକୁମାରୀ ଭଟ୍ଟାଚାର୍ଯ୍ୟ (ଯାହାଙ୍କର ମହାପ୍ରୟାଣରେ ଏକ ଶୋକସନ୍ଦେଶ ପଢ଼ି ଉପସ୍ଥିତ ଲେଖକ ଜାଣିଲା ଯେ, ପ୍ରଫେସର୍ ଭଟ୍ଟାଚାର୍ଯ୍ୟ ଜଣେ ଖ୍ରୀଷ୍ଟାନ୍ ଧର୍ମାବଲମ୍ବୀ)ଙ୍କ ଗୁରୁତ୍ୱପୂର୍ଣ୍ଣ ପୁସ୍ତକ "ଭାରତୀୟ ଦେବତତ୍ତ୍ୱ" ଅନୁସାରେ ଆମଗ୍ର ସମଗ୍ର ଭାରତୀୟ ଦେବଦେବୀ ହୁଏତ ବିଷ୍ଣୁଅଂଶୀ ବା ରୁଦ୍ରଅଂଶୀ । ଆପଣଙ୍କ ଜନ୍ମଜାତକରେ ବିଷ୍ଣୁଭାଗ ଓ ରୁଦ୍ରଭାଗ ସମନ୍ୱିତ ।ବ୍ରହ୍ମବୈବର୍ତ୍ତ ପୁରାଣରେ ଆପଣଙ୍କ ଜନ୍ମର ବାରମ୍ବାର ମୋଡ଼ ବଦଳୁ ଥିବା କାହାଣୀର କଥା ସମସ୍ତେ ଜାଣନ୍ତି । 

ଗୌରୀ ଏକ ପୁତ୍ରର କାମନାରେ ଯଜ୍ଞାନୁଷ୍ଠାନ କଲେ । ସେଇ ଯଜ୍ଞଟିର ନାଁ ପୁଣ୍ୟକ ଆଉ ତାହାର ଆରାଧ୍ୟ ହେଉଛନ୍ତି ବିଷ୍ଣୁ । ବିଷ୍ଣୁଙ୍କ ଭଳି ସୁନ୍ଦର ଓ ପରାକ୍ରମଶାଳୀ ସନ୍ତାନରେ ମତି ଗୌରୀଙ୍କର । ଗୌରୀଙ୍କ ଏହି ଯଜ୍ଞାନୁଷ୍ଠାନରେ ପୁରୋହିତ କାର୍ଯ୍ୟ ସମ୍ପାଦନ କରି ଥିଲେ ସନତକୁମାର । ବିଷ୍ଣୁ ପ୍ରସନ୍ନ ହୋଇ ଗୌରୀଙ୍କୁ ତାଙ୍କ ଭଳି ଏକ ସନ୍ତାନର ବର ପ୍ରଦାନ କରିବା ସହିତ ସନତକୁମାର ଏହି ପୁଣ୍ୟକ ଯଜ୍ଞରେ ପୁରୋହିତର ଦକ୍ଷିଣା ସ୍ୱରୂପ ସ୍ୱୟଂ ଶିବଙ୍କୁ ପ୍ରାପ୍ୟ ଆକାର ଦାବୀ କରିବା କାରଣରୁ ଯେଉଁ ଅସୁବିଧା ହେଲା, ତାହାର ସମାଧାନ ବି କରି ଥିଲେ ।
ତେଣୁ ଆପଣ ଜନ୍ମ ନେଲେ ବିଷ୍ଣୁଙ୍କ ଅନିନ୍ଦ୍ୟ ରୂପକାନ୍ତି ସହ । ମାତ୍ର ଆପଣ ଜଣେ ଅଯୋନୀସମ୍ଭୂତ, ମାନସପୁତ୍ର ଓ ଗୌରୀପୁତ୍ର ।ଆପଣଙ୍କ ଜନ୍ମକାହାଣୀକୁ ପରେ ପ୍ରବେଶ କଲେ ଗ୍ରହରାଜ ଶନି, ଘଟିଗଲା ଇନ୍ଦ୍ରଙ୍କ ଐରାବତର ମସ୍ତକ ଛେଦନ, ଆପଣ ଗଜମସ୍ତକ ଧାରୀ ହେଲେ, ବିଘ୍ନବିନାଶକ ଭାବରେ ଅଗ୍ରପୂଜ୍ୟ ହେଲେ । ଏହି ସମସ୍ତ ଚମତ୍କାର ପୁରାଣକାହାଣୀର ପ୍ରଚୁର ପାଠକୀୟତାର ବାଙ୍କ ବୁଲାଣିରେ ଆପଣଙ୍କ ଜନ୍ମ ରହସ୍ୟର ଅସଲ ମଞ୍ଜୁଷାଟି ରହିଛି ।

ଆରମ୍ଭରୁ କେତୋଟି ସଙ୍କେତକୁ ବିଚାରକୁ ନିଆ ଯାଉ । ଆପଣ ଅଯୋନୀସମ୍ଭୂତ ଗୌରୀପୁତ୍ର, ଯେଉଁ କାହାଣୀରୁ ପ୍ରାଥମିକ ଭାବରେ ଶିବ ଭଳି ପିତାକୁ ଦୂରେଇ ରଖା ଯାଇଛି । ସାର୍ ଆପଣ ଜାଣନ୍ତି, ପୁରାଣ କାହାଣୀମାନଙ୍କରେ ବରଦାନ ଆଉ ଅଭିଶାପକୁ ସୁସମାହିତ କରି ପୁରାଣକାହାଣୀକାରମାନେ କାହାଣୀକୁ ଗତିଶୀଳ କରି ଥାଆନ୍ତି । ତେଣୁ, ଅଭିଶାପ ଆଉ ବରଦାନ ଏହି କାହାଣୀଗୁଡିକରେ ପ୍ରକୃତ, ଯାହାକୁ ଆମର ଗଳ୍ପକର୍ମରେ କହନ୍ତି, ଷ୍ଟୋରିପଏଣ୍ଟ୍ ବା କାହାଣୀର ଦିଗବାରେଣୀ । 

ସେହି ଦୃଷ୍ଟିରୁ ଏକରେ ଆପଣ ଅଯୋନୀସମ୍ଭୂତ ଗୌରୀପୁତ୍ର ହୋଇଥିବା କାରଣରୁ ମାତୃକୈନ୍ଦ୍ରିକ ବ୍ୟବସ୍ଥାପନାର ପୂର୍ଣ୍ଣତଃ ଉପଜ । ଆଉ ଏହା ସହିତ ସାମାଜିକ ଉଦ୍ଭବର ଇତିହାସରେ ମାତୃକୈନ୍ଦ୍ରିକତାକୁ ପ୍ରାଚୀନତା ବା ପ୍ରିମିଟିଭିଟି ସହ ଯୋଡ଼ା ଯାଇଥିବା କାରଣରୁ, ଆପଣ ପ୍ରାଚୀନତାର ଏକ ସ୍ୱୟମ୍ଭୂ ପ୍ରତୀକ । ଦୁଇରେ ଆପଣଙ୍କୁ ବିଘ୍ନରାଜ ବା ବିଘ୍ନ ବିନାଶନକାରୀ ବୋଲି ପ୍ରାଥମିକ ସମ୍ବୋଧନ କରିବା କାରଣରୁ ଅର୍ଥାତ୍ ଗୋଟିଏ ସ୍ୱୟମ୍ଭୂ ପ୍ରତୀକକୁ ସାର୍ବଜନୀନ ଭାବରେ ନିର୍ମାଣ କରି କୌଣସି ବିଘ୍ନକୁ ବିନାଶନ ପାଇଁ ଶକ୍ତିମନ୍ତ କରିବା ପଛରେ ସାଧାରଣତଃ କାହାର ବ୍ୟକ୍ତିପରକ ବିଘ୍ନର ବିନାଶନ ଅପେକ୍ଷା ସମଷ୍ଟିଗତ ବିଘ୍ନର ଦୂରୀକରଣର ପ୍ରାଥମିକ ଅପରିହାର୍ଯ୍ୟ କାରଣ ରହି ଥିବା ଅଧିକ ପ୍ରାସଙ୍ଗିକ । ତିନିରେ, ଆପଣଙ୍କ ନାଆଁ ଗଣନାଥ ବା ଗଣେଶ, ଯାହାର ସହଜ ଅର୍ଥ ହେଉଛି ଗଣର ନାଥ ବା ଗଣର ଇଶ, ଅର୍ଥାତ୍ ଗଣର ଦେବତା । ସମାଜତତ୍ତ୍ୱରେ 'ଗଣ'ର ଗୋଟିଏ ବିଶେଷ ଲୌକିକ ପରିଭାଷା ରହିଛି । ଏଇ ତିନୋଟି ଆଦ୍ୟ ସଙ୍କେତରୁ ଆପଣଙ୍କ ଜନ୍ମବ୍ରତକଥା ଆରମ୍ଭ ହେଉ ।

ସାର୍, ତାହା ପୂର୍ବରୁ ଏକଥା କହି ଦେଲେ ସ୍ପଷ୍ଟ ହେବ ଯେ, ବିଷ୍ଣୁଙ୍କ ନରସିଂହ ଅବତାରକୁ ବାଦ ଦେଲେ ଆପଣ ହେଉଛନ୍ତି ଏକମାତ୍ର ଆଗଧାଡ଼ିର ଦେବତା, ଯିଏ ଦେବାଙ୍ଗରେ ପଶୁ ଓ ମଣିଷର ସମନ୍ୱୟ ।

ଆପଣ ସାମାଜିକ ସମନ୍ୱୟର ଏକ ଐତିହାସିକ ପ୍ରତୀକ ବିଶେଷ । ଏହି ମୂଖ୍ୟ ବିଭାବ ଉପରେ ଆପଣଙ୍କ ଜନ୍ମର ବ୍ରତକଥାଟି ଆଧାରିତ । ପ୍ରଖ୍ୟାତ ଐତିହାସିକ ରୋମିଲା ଥାପର୍‌ଙ୍କ ମତରେ, ଭାରତର ଆଦ୍ୟ ସାମାଜିକ ସଂରଚନାରେ ବ୍ରାହ୍ମଣତାନ୍ତ୍ରିକ ରାଷ୍ଟ୍ରବ୍ୟବସ୍ଥାରେ ସମତଳ ଅଞ୍ଚଳରେ ରାଜତନ୍ତ୍ର ରହି ଥିଲା, ତଥା ଏହି ରାଜତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ଯେଉଁମାନେ ସନ୍ତୁଷ୍ଟ ନ ଥିଲେ, ସମ୍ପତ୍ତିର ଅଧିକାରଗତ କି ନ୍ୟାୟ ବିଚାର କି ପ୍ରଥାଗତ କି ବିବାହଗତ କାରଣରୁ, ସେମାନେ ବନାଞ୍ଚଳରେ ସଂକ୍ଷିପ୍ତ ଗଣତନ୍ତ୍ର ପ୍ରଚଳିତ ରାଜ୍ୟମାନ ଗଠନ କରିଥିଲେ । ବନାଞ୍ଚଳର ଏହି ରାଜ୍ୟ ଗୁଡିକ ବ୍ରାହ୍ମଣତାନ୍ତ୍ରିକ ରାଜତନ୍ତ୍ରର ପ୍ରତିକ୍ରିୟା ଓ ପ୍ରତିବାଦ ଥିଲା । ଏହାକୁ ପ୍ରଫେସର୍ ଥାପର୍ 'ବୈଦିକ ଋଢ଼ିବାଦର ବିଚ୍ୟୁତାତ୍ମକ ସମ୍ପୃକ୍ତି' ବା 'ପାର୍ଟିଙ୍ଗ୍ କମ୍ପାନୀ ଅଫ୍ ବେଦିକ୍ ଅର୍ଥୋଡକ୍ସି' ବୋଲି କହିଛନ୍ତି।  ତାହାର ଅର୍ଥ ହେଲା, ଏହି ଗଣରାଜ୍ୟଗୁଡ଼ିକ ନିଜ ସହ କିଛି ବୈଦିକ ଋଢ଼ିବାଦକୁ ଧରି ଚାଲି ଥିଲେ ଏବଂ ପରେ ଏହି ଋଢ଼ିବାଦ ଯୋଗୁ ଗଣରାଜ୍ୟମାନେ କ୍ରମଶଃ ସମତଳ ଅଞ୍ଚଳର ରାଜତନ୍ତ୍ର ସହ ପରେ ଏକୀଭୂତ ହୋଇ ଗଲେ ।
ଆପଣ ପ୍ରାଥମିକ ଭାବରେ ସେହି ଭଳି ଏକ ସଂକ୍ଷିପ୍ତ ଗଣତନ୍ତ୍ର ପ୍ରଚଳିତ ବନାଞ୍ଚଳ ପରିବେଷ୍ଟିତ କୌଣସି ଗଣରାଜ୍ୟର ଉପାସ୍ୟ ଦେବତା ଥିଲେ, ଯାହାର ମୂଖ୍ୟ ଟୋଟେମ୍ ବା ପବିତ୍ର ବସ୍ତୁ ଥିଲା ହାତୀ । ସେହି ଗଣରାଜ୍ୟମାନଙ୍କରେ ସମତଳ ଅଞ୍ଚଳର ରାଜତନ୍ତ୍ରରେ ପୂଜିତ ସୃଷ୍ଟିକର୍ତ୍ତା ଅର୍ଥାତ୍ ପ୍ରଜାପତି, ପାଳନକର୍ତ୍ତା ଅର୍ଥାତ ବିଷ୍ଣୁ ଏବଂ ସଂହାରକର୍ତ୍ତା ଅର୍ଥାତ୍ ରୁଦ୍ରଙ୍କ ବିକଳ୍ପ ଦେବତାମାନଙ୍କୁ ଟୋଟେମ୍ ବା ପବିତ୍ର ବସ୍ତୁରେ ସନ୍ଧାନ କରା ଗଲା । ତେଣୁ ଗଣରାଜ୍ୟମାନଙ୍କରେ ଯେଉଁ ଦେବତା ମାନେ ପୂଜା ପାଇଲେ, ସେମାନେ ପଶୁ, ବୃକ୍ଷ, ପାହାଡ଼ ଓ ପର୍ବତ ଭଳି ଅଣମାନବ ପଦାର୍ଥରେ ନିର୍ମିତ ହେଲେ । ସେହି ଗଣ ରାଜ୍ୟମାନ ଯାହା ସବୁ ବେଳେ ଆକାରରେ ଛୋଟ, ତାହାକୁ ବାହାର ଆକ୍ରମଣରୁ ରକ୍ଷା କରିବା, ଏଇ ଟୋଟେମ୍ ଦେବତାମାନଙ୍କର ଏକମାତ୍ର କାର୍ଯ୍ୟ ଥିଲା ।

ସାର୍ ସେହି ଭଳି କୌଣସି ଗଣ ବା ଗୋଷ୍ଠୀ ବା ଟ୍ରାଇବ୍ ର ଉପାସ୍ୟ ଦେବତା ହେତୁ ଆପଣ ଗଣପତି । ଏବଂ ଆପଣ ସେତେ ବେଳେ ସେହି ଭଳି ବିଭିନ୍ନ ଛୋଟ ଛୋଟ ରାଜ୍ୟରେ ପୂଜିତ ହେଉ ଥିବା କାରଣରୁ, ଆପଣଙ୍କର ଭିନ୍ନ ଭିନ୍ନ ରୂପରେ ସଂରଚନା କରା ଯାଇ ଥିଲା । ଆପଣଙ୍କ ଭଳି ଏତେ ବେଶଧାରୀ ଦେବତାର ପାଖାପାଖି କେବଳ ଜଣେ ଦେବତା (ହୁଏତ ଜଣେ କହିବା ଠିକ୍ ହେବ ନାହିଁ । ସେମାନେ ତିନି ଜଣ )ହେବେ, ସେ ଆମର ଜଗନ୍ନାଥ । ଆପଣ ସେହି ଗୋଷ୍ଠୀମାନଙ୍କର ବିଘ୍ନ ବିନାଶକ ହୋଇଥିବାରୁ ଆପଣ ବିଘ୍ନେଶ । ବ୍ରାହ୍ମଣ ସଂସ୍କୃତି ବହିର୍ଭୂତ ଏହା ଆପଣଙ୍କ ଆଦ୍ୟକାଳ ।

ତାହା ପରେ ଛୋଟ ଛୋଟ ଗଣରାଜ୍ୟଗୁଡ଼ିକ ନିଜର ସୁରକ୍ଷା ଓ ଆଧୁନିକ ହେବାର ରାଷ୍ଟ୍ରାୟତ୍ତ ଲୋଭରେ ଯେତେ ବେଳେ ସମତଳ, ରାଜତନ୍ତ୍ର ଓ ବ୍ରାହ୍ମଣତନ୍ତ୍ରରେ ନିଜର ବିଲୟ ଘଟିବା ଅପରିହାର୍ଯ୍ୟ ବୋଲି ଦେଖିଲେ, ସେତେ ବେଳେ ସେମାନେ ନିଜର ଏହି ଟୋଟେମ୍‌ମାନଙ୍କୁ ବ୍ରାହ୍ମଣତନ୍ତ୍ରରେ ସୁବିନ୍ୟସ୍ତ କରି ନିଜର ଏକଦା ଅତୀତକୁ ଭୋଗିବାର ସୁଖଟିକୁ କାମନା କରୁ ଥିଲେ । ଅନ୍ୟ ପକ୍ଷରେ ବ୍ରାହ୍ମଣତନ୍ତ୍ର ସେଇ ଟୋଟେମ୍‌ମାନଙ୍କୁ ନିଜର ଧାର୍ମିକ ବ୍ୟବସ୍ଥାର ଅନୁସଙ୍ଗ କରି ପ୍ରାଚୀନତା ବା ପ୍ରିମିଟିଭିଟି ସହ ଏକ ପ୍ରକାର ସାଂସ୍କୃତିକ ସାଲିସ୍ କରିବା ରାଷ୍ଟ୍ର ପକ୍ଷରେ ମଙ୍ଗଳକର ବୋଲି ନୀତିଗତ ନିର୍ଣ୍ଣୟ କଲେ । ଏଇ ସମନ୍ୱୟର ବ୍ୟବସ୍ଥା ସ୍ୱରୂପ ଆପଣ ଅଯୋନୀସମ୍ଭୂତ ଗୌରୀପୁତ୍ର ପିତାର ସାନ୍ନିଧ୍ୟ ପାଇଲେ ଏବଂ ଶିବ ଭଳି ପିତାର ପ୍ରିୟତମ ପୁତ୍ର ପାଲଟି ଗଲେ । 

ଆଉ ଆପଣଙ୍କ ପିତା ଶିବ ହେଉଛନ୍ତି ହରପ୍ପା ସିଲମୋହରର ସେହି ପଶୁବେଷ୍ଟିତ ପଶୁପତି, ଅନାର୍ଯ୍ୟ ଅବସ୍ଥାରୁ ଉନ୍ନିତ ଏକ ଆର୍ଯ୍ୟ ଦେବ । ତେଣୁ ତାଙ୍କର ପ୍ରିୟତମ ପୁତ୍ର ହିସାବରେ ଆପଣଙ୍କୁ ଯୋଡ଼ିବା ପାଇଁ ଆମର ପୁରାଣକାରମାନଙ୍କୁ ଅଳ୍ପ ପରିଶ୍ରମ କରିବାକୁ ପଡ଼ିଛି । ପୁରାଣ କାହାଣୀରେ ଗ୍ରହରାଜ ଶନି ବା ସ୍ୱୟଂ ଶିବଙ୍କ ମାର୍ଫତ୍‌ରେ ଆପଣଙ୍କର ସୁନ୍ଦର ମଣିଷ ମୁଣ୍ଡଟି ସ୍ଥାନରେ ଗଜରାଜର ମୁଣ୍ଡଟିକୁ ରୋପଣ କରିବାକୁ ପଡ଼ିଛି । ଠିକ୍ ଯେମିତି ବଣମୂଲକର କନ୍ୟା ଶକୁନ୍ତଳାର ଗର୍ଭସ୍ଥ ସନ୍ତାନ ଭରତକୁ ସମତଳ ଅଞ୍ଚଳର ସ୍ୱୀକୃତି ମିଳିବା ପାଇଁ ଏକ ଅପହୃତ ମୁଦିର କାହାଣୀ ନିର୍ମାଣ କରିବାକୁ ପଡ଼ିଛି ଆମ ପୁରାଣକାରମାନଙ୍କୁ ।

ପ୍ରାଚୀନତା ତଥା ପ୍ରିମିଟିଭିଟି ଆମ ବ୍ୟବସ୍ଥା ଆଦ୍ୟଭାଗ ହୋଇଥିବା କାରଣରୁ ଆପଣଙ୍କୁ ଅଗ୍ରପୂଜ୍ୟ କରି ରଖା ଗଲା ଆମର ପରିବର୍ତ୍ତିତ ବ୍ରାହ୍ଣଣତାନ୍ତ୍ରିକ ସମାଜ ବ୍ୟବସ୍ଥାରେ । ଆମେ କୌଣସି ସମୟରେ ଯେତେ ଆଧୁନିକ ହେଲେ ବି, ଆମର ପ୍ରାଚୀନତମ ଉତ୍ସକୁ ଅସ୍ୱୀକାର କରି ପାରିବୁ ନାହିଁ । ଠିକ୍ ସେହି କାରଣରୁ ଆପଣ ଉତ୍ସର ଦେବତା । ଏବଂ ଆମର ଉତ୍ସ ଅନୁରାଗ କାରଣରୁ ଆପଣ ଆମର ପ୍ରିୟତମ ଦେବତା । ଆପଣ ଆଗରୁ କ୍ଷୁଦ୍ର ଗଣରାଜ୍ୟଗୁଡ଼ିକର ବିଘ୍ନ ବିନାଶକ ଥିଲେ ଏବେ ଆପଣ ଏକ ବ୍ୟାପକ କ୍ଷେତ୍ରରେ ବିଘ୍ନରାଜ ହେବା ସହ ଆମର ମଙ୍ଗଳବିଧାନ ନିମନ୍ତେ ମଙ୍ଗଳମୂର୍ତ୍ତି ହୋଇ ବିରାଜିତ ହେଲେ । 

ସିଦ୍ଧମ୍ ଶବ୍ଦର ପ୍ରାଚୀନତମ ଅର୍ଥ ହେଉଛି ଅକ୍ଷର । ତେଣୁ ନିଜର କଥିତ ଭାଷାକୁ ସଂରକ୍ଷିତ କରିବା ପାଇଁ ଲିପିର ପ୍ରୟୋଜନ ହେବା କାରଣରୁ ଆପଣଙ୍କୁ ତାହାର ଆରାଧ୍ୟ ଦେବତା କରା ଗଲା । ଆପଣଙ୍କ ସହିତ ଦୁଇଟି ନାରୀ ଚରିତ୍ର ଜଡ଼ିତ ହୋଇ ପଡ଼ିଲେ, ସେମାନେ ହେଲେ ସିଦ୍ଧି ଆଉ ବୁଦ୍ଧି ।

ଏସବୁ କେବଳ ଆପଣଙ୍କ ଜନ୍ମର ଆଦ୍ୟକ୍ରମଟିକୁ ବୁଝିବାର ପ୍ରୟାସ । ଆପଣ ଆମର ମୂଳାନୁଗ ଦେବ ।

କୋଲକାତାର ଦକ୍ଷିଣ ଚବିଶ ପ୍ରଗଣା ଇଲାକାରେ ଲୋକ ପୁରାଣରେ ଆପଣଙ୍କ ଅପହୃତ ମଣିଷ ମୁଣ୍ଡର ପ୍ରସଙ୍ଗ ରହିଛି । ଆପଣଙ୍କର ସେହି ମଣିଷମୁଣ୍ଡକୁ ସେହି ଅଞ୍ଚଳରେ ବାରାଠାକୁର୍ ବା ବଡ଼ଠାକୁର ବୋଲି ଅତ୍ୟନ୍ତ ଶ୍ରଦ୍ଧାର ସହ ଉପାସନା କରିଥାନ୍ତି ।
ଏଇ ସମସ୍ତ କଥା ଆପଣଙ୍କୁ ଆର୍ଯ୍ୟ ଓ ଅନାର୍ଯ୍ୟର ଏକ ଦୈବିକ ମିଳନବିନ୍ଦୁରେ ଏକାଠି କରିବାର ପ୍ରଚେଷ୍ଠା ।
ଆପଣଙ୍କ ଜନ୍ମରହସ୍ୟ ଉପରେ ସବୁଠାରୁ ଚମତ୍କାର କାହାଣୀଟିଏ ପାଇଲି ଦୁର୍ଗାଷଷ୍ଠୀବ୍ରତ କଥାରୁ । ଥରେ କୁଆଡ଼େ ପ୍ରଭୂ ନାରାୟଣଙ୍କର ମା' ଦୁର୍ଗାଙ୍କର ସ୍ତନ୍ୟପାନ କରିବାର ଇଚ୍ଛା ହେଲା । ତେଣୁ ପ୍ରଭୂ ନାରାୟଣ ପ୍ରବେଶ କଲେ ମାଆ ଦୁର୍ଗାଙ୍କ ପ୍ରତିମା ଭିତରକୁ । ଆଉ ସଂସାରରେ ତାହା ପରେ ଏକ ଅଲୌଲିକ ଘଟଣା ଘଟି ଗଲା, ସେହି ଦୁର୍ଗା ପ୍ରତିମା ଓ ନାରାୟଣଙ୍କ ଜୀବନ୍ତ ସତ୍ତା ମିଶି ରୂପବନ୍ତ ହୋଇ ଗଲା ।

ସେହି ରୂପବନ୍ତ ଆପଣ । ସାର୍ ଆପଣ ।
ଏଇ ମାତୃକାହାଣୀର ଦ୍ୟୋତକ ଆପଣଙ୍କୁ ପ୍ରଣାମ । ଏଇ ଅକିଞ୍ଚନକୁ ଆପଣଙ୍କ ଜନ୍ମବୃତ୍ତାନ୍ତ ବଖାଣ କରିବାକୁ ଅନୁମତି ସହ ସର୍ବଦା ନିୟନ୍ତ୍ରିତ କରୁଥିବାରୁ ଧନ୍ୟବାଦ ।

Sunday, November 11, 2018

ଛଚିନ୍ଦା ସିଝା

ସରୋଜିନୀ ଚୌଧୁରୀ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ପ୍ରଣାଳୀ - ଛଚିନ୍ଦା ମରମ ଦେଖି ଆଣ ଏବଂ ଧିରେ ଧିରେ ଚାଞ୍ଛି ସାରିଲା ପରେ ସରୁ ସରୁ ଚେକି କରି କାଟ । ତତ୍‌ପରେ ଗୋଟିଏ କନାରେ ବାନ୍ଧି ଭାତରେ ପକାଅ ଅଥବା କିଛି କମ୍ ଚାଖଣ୍ଡେ ଚାଖଣ୍ଡେ କାଟି ମୋଟା ଭାତ ବା ଡାଲିରେ ପକାଇ ସିଝାଅ ।

ସିଝି ଗଲେ ତେଲ, ଲୁଣ ଓ ପିଆଜକଟା ଦେଇ ଖାଇବାକୁ ଦିଅ । ତେଲ ବଦଳରେ ଘିଅ ଏବଂ ଗୋଲମରିଚ ଗୁଣ୍ଡି ଦେଇ ପାର ।

ଗୁଣାଗୁଣ - ଛଚିନ୍ଦା ରୁଚିକର, ବଳକାରକ, ବାତପିତ୍ତନାଶକ ଏବଂ ଶୋଷ ରୋଗରେ ପଥ୍ୟ ।

ବି.ଦ୍ର. - ଛଚିନ୍ଦା ସିଧା ତିଆରିବାର ଏହି ପ୍ରଣାଳୀଟି ସରୋଜିନୀ ଚୌଧୁରୀ (୧୮୮୩-୧୯୫୭)ଙ୍କ ବହି 'ଗୃହିଣୀ ସର୍ବସ୍ୱ'ର ଲାର୍କ ବୁକ୍ସ୍ (ଭୁବନେଶ୍ୱର) ୨୦୦୯ ମସିହାରେ ଛାପିଥିବା ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି ।  ଏଠାରେ ଦିଆ ଯାଇ ଥିବା ପ୍ରଣାଳୀରେ ସରୋଜିନୀ ଚୌଧୁରୀ ଇଙ୍ଗିତ କରିଥିବା ଚିନିର ପରିମାଣଠାରୁ କମ୍ ବ୍ୟବହାର କରାଯାଇଛି । ବହିଟିର ପ୍ରଥମ ସଂସ୍କରଣ ୧୯୨୮ ମସିହାରେ ଛପାଯାଇଥିଲା । ସରୋଜିନୀ ଦେବୀ ଜଣେ ସ୍ୱାଧୀନତା ସଙ୍ଗ୍ରାମୀ ଭାବରେ ଜଣାଶୁଣା । ସେ ଫକୀରମୋହନ ସେନାପତିଙ୍କର ସର୍ବକନିଷ୍ଠ କନ୍ୟା ତଥା ଶିଳ୍ପୀ ବିପିନବିହାରୀ ଚୌଧୁରୀଙ୍କର ମାତା । 

Friday, November 09, 2018

ଖଲିଲ୍ ଜିବ୍ରାନଙ୍କ କବିତା  - 'ପାଗଳ'

ଅନୁବାଦକ - ଜ୍ୟୋତି ନନ୍ଦ


ଖଲିଲ ଜିବ୍ରାନଙ୍କର ପନ୍ଦର ବର୍ଷ ବୟସର ଆଲୋକଚିତ୍ର (୧୮୯୮ ମସିହା)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

କ'ଣ କହିଲେ, କେମିତି ପାଗଳ ହେଲି ?
କହୁଚି, ଶୁଣିବା ହେଉ ।
ଦେବତାମାନଙ୍କ ଜନ୍ମର ଢେର୍ ଆଗେ,
ଦିନକର କଥା ।
ନିଦ ଭାଙ୍ଗିଗଲା, 
ଦେଖିଲି, 
ଚୋରି ହୋଇ ଯାଇଛି
ସବୁତକ ସଙ୍ଗୃହିତ ମୁଖା ।
ମୁଁ ଏବେ କରିବି କ'ଣ ?

ମୁଖାହୀନ ହୋଇ ପ୍ରକାଶ୍ୟ ରାସ୍ତାରେ ମୁଁ,
ଭାରି ଭୀଡ଼ଭାଡ଼;
ଚିତ୍କାର କଲି, ଚୋର ଚୋର ।

ଅବଧାନେ,
ମୋର ସର୍ବସ୍ୱ ଚୋରି ହୋଇ ଯାଇଛି
ଗଲା ରାତିରେ, 
ଗାଢ଼ ନିଦରେ ଶୋଇବା କ'ଣ ଭୁଲ ?
ବିଚାର କରନ୍ତୁ ।

କ'ଣ କହିବି ଆଉ, 
ତାହା ପରେ ରାସ୍ତା ସାରା ଲୋକଙ୍କର
ସେ ଯେଉଁ ହସ !
କିଏ କିଏ ଚୋରି ଭୟରେ ଘରେ ପଶି କିଳି ଦେଲେ
ନିଜନିଜର କବାଟ ।

ଠିକ୍ ଦେଖିଛି, ଛାତ ଉପରୁ ପିଲାଟିଏ, ହଁ,
କହିଲା, ଏ ଲୋକଟା ପାଗଳ ।
ମୁଁ ଉପରକୁ ଚାହିଁ ଦେଖି ଥିଲି ପ୍ରକୃତରେ
କ'ଣ ହୋଇ ପାରେ କଥାଟି ?
ସେଇ ପ୍ରଥମ, ହଁ ସୂର୍ଯ୍ୟ, ମୋ ମୁହଁରେ
ଦେଲା ଚୁମାଟିଏ ।

ମୋର ମନ ଉଚ୍ଚାଟ
ସୂର୍ଯ୍ୟ ହିଁ ମୋର ପ୍ରେମ
ଆଉ କାହିଁକି ଲୋଡ଼ି ବସିବି ଅପହୃତ ମୁଖା ?
ମୁଁ ବସିଗଲି ସ୍ୱପ୍ନ ଦେଖିବାକୁ ।

ମୋର ଶରୀରସାରା ବେପଥୁ, ଆଚ୍ଛନ୍ନ ମୁଁ;
କହି ଥିଲି, ଭଲ ଥାଅ,ବେଶ୍ ଭଲ ଥାଅ
ଯିଏ ଯେଉଁଠି ଅଛ
ମୋର ପ୍ରିୟ ଚୋରମାନେ !
ଏଇମିତି ହୋଇ ଗଲି ପାଗଳ, ଆଉ କ'ଣ ?

ଗୋଟିଏ ହାତରେ ଛୁଇଁଲି ମୁକ୍ତିର ଏକାକୀତ୍ୱ,
ଆଉ ଆର ହାତରେ ଟିକିଏ ଆଗରୁ ମୁକ୍ତ ଚେତନାର
ତଣ୍ଟି ଚିପି ମାରି ସାରିବା ପରେ ଲାଶ୍‌କୁ
ଠିକଣା ଲଗାଇ ଦେଇଛି ବଜାରରେ, ବିକ୍ରି କରିଛି ମୁଁ
ଚକା ପାରି ବସି ସାମ୍ନାରେ ତାହାକୁ ସଜାଡି ଶାଳ ଦନାରେ,
ବଦଳ କରି ଅନେକ କ୍ରେତାଙ୍କ
ଅଳିକ ଖରାର ନିରାପତ୍ତା ସହ,
ଯାହା ମୋତେ କ୍ରୀତଦାସ କରି ରଖି ଥିଲା ଏ ଯାଏଁ ।

ଜେଲ୍ ଭାଙ୍ଗି ଆସିବା ପରେ
ମୁଁ ଆଉ ନିରାପଦରେ ନାହିଁ, 
ମୁଁ ଜାଣେ ।
ଯେତିକି ଜାଣିଛି, 
ଜେଲଖାନାରେ ରହିଛନ୍ତି ଯେତେ ସବୁ ଚୋର,
ଭାରି ନିରାପଦରେ ଅଛନ୍ତି
ଅନ୍ୟ ଚୋରମାନଙ୍କଠାରୁ,
ଅବଧାନେ !

ଲେବାନନର ବେଶାରେ ସହରସ୍ଥ ଜିବ୍ରାନ ପରିବାରର ଘର (ୱିକିମିଡିଆ କମନ୍ସ୍)
(ଆତ୍ମ ପକ୍ଷ: ଯଦି ଜଣେ କେବଳ ଖଲିଲ୍ ଜିବ୍ରାନଙ୍କୁ ପଢ଼ିବାରେ ଆଉ ଅନୁସୃଜନ କରିବାରେ ନିଜ ଜୀବନକୁ ବିତାଇ ଦିଏ, ତେବେ ସେଇ ଜୀବନଟିକୁ ସେ ଖୁବ୍ ଭଲ ଭାବରେ ଆନନ୍ଦରେ ବଞ୍ଚି ପାରିଛି ବୋଲି ଉପସ୍ଥିତ ଲେଖକର ମନ୍ତବ୍ୟ । କିନ୍ତୁ ଛୋଟ ଛୋଟ ସିଡ଼ି, ଛୋଟ ଛୋଟ ଅହଙ୍କାର ଆଉ କାଳକୁ କବଳିତ କରିବାର ଦୁରାଶା ଯୋଗୁଁ ଆମେ ଲେଖୁ । ଆମର ନିଜର ଲେଖନ ପଛରେ ଏକମାତ୍ର ସଦର୍ଥକ ବଳିଷ୍ଟ ଯୁକ୍ତି ହେଉଛି, ଗୋଟିଏ ପିମ୍ପୁଡିଧାରରେ ଗୋଟିଏ ପିମ୍ପୁଡି ଆଉ ଗୋଟିଏ ପିମ୍ପୁଡିକୁ ନିଜ ଶୁଣ୍ଢରେ କୌଣସି ସନ୍ଦେଶ ଦେଲା ପରେ ଉଭୟେ ଏକାଠି କୌଣସି ଲକ୍ଷ୍ୟରେ ଆଗେଇ ଚାଲିବା ଭଳି ଶ୍ରମ କଥା । ଆମର ମହାନ ସାରସ୍ୱତ ସାଧକମାନଙ୍କୁ ପିମ୍ପୁଡି ସହ ତୁଳନା କରୁଛି ବୋଲି ଦୋଷ ଘେନିବେ ନାହିଁ । କେବଳ ଆମମାନଙ୍କ ଭଳି ଯେତେ ସାଧାରଣ ଲେଖକ ଅଛନ୍ତି, ସେମାନଙ୍କ ଉଦ୍ଦେଶ୍ୟରେ ଏଇ କଥା । ପୃଥିବୀରେ ପିମ୍ପୁଡ଼ିମାନେ ଯେମିତି ଅଛନ୍ତି, ସେମିତି ରହିଛନ୍ତି ମହାକାଳର ଆମର ସାମୂହିକ ଆର୍ତ୍ତିର ନଳିନୀବନକୁ ଦଳନ କରି ଚାଲିଥିବା ମହାନ ଗଜରାଜମାନେ । ସେମାନେ ଆମର ହରିତାଳିକାରେ ଅବଧାନେ । କାଳକାଳର ଅବଧାନ । ସେମାନେ ଆମ ଜୀବନର ସିଲଟ ଉପରେ ଯେଉଁ ଶ୍ରୀ ବୋଲି ଅକ୍ଷରଟିମାନ ଲେଖି ଯାଇଛନ୍ତି ଆମେ ତାହାକୁ କେବଳ ମୁଣ୍ଡଳି ବୁଲାଉଛୁ । ମୁଣ୍ଡଳି ବୁଲାଇବାଠୁ ବଡ ଆନନ୍ଦର କାମ ଆଉ କିଛି ନାହିଁ । ତମେ ମୁଣ୍ଡଳୀ ବୁଲଉଛ, ତାହା ସହିତ ଏଣେ ତମେ ଅନ୍ୟ ଯାହା କିଛି କରିବା ପାଇଁ ସ୍ୱତନ୍ତ୍ର ରହିଛ, ଅବଶ୍ୟ କିଛି ଶାରୀରିକ ନିତ୍ୟକର୍ମକୁ ବାଦ ଦେଇ । ଏଇମିତି ସ୍ୱାଧୀନତା ଆଉ କେଉଁଠୁ ପାଇବ ଜଣେ ? ତାହା ଛଡ଼ା ଅନ୍ୟ କୌଣସି କାରଣ ପାଇଁ ମହାପ୍ରଳୟ ଆସି ପାରେ । ମାତ୍ର, କାଳିକଲମର ରସଘନ ମୁହୂର୍ତ୍ତ ଯୋଗୁ ପୃଥିବୀରେ କେବଳ ଆନନ୍ଦ ହିଁ ଆନନ୍ଦ । ଏ ପ୍ରସଙ୍ଗରେ ଗୋଟିଏ ବିଷାଦର କଥା । ଆମର ପଢ଼ିବା ପାଇଁ ଖଲିଲ୍ ଜିବ୍ରାନ ଅଛନ୍ତି । ହେଲେ ବିଚରା ଖଲିଲ ଜିବ୍ରାନ ? ତାହାର ପଢ଼ିବା ପାଇଁ ତ ଖଲିଲ୍ ଜିବ୍ରାନ୍‌ଟିଏ ନ ଥିଲା । ବିଚରା !)

Wednesday, November 07, 2018

ସିଲଭିଆ ପ୍ଲାଥ୍‌ଙ୍କର କବିତା - 'ବାବା'

ଅନୁବାଦକ - ଜ୍ୟୋତି ନନ୍ଦ


ସିଲଭିଆ ପ୍ଲାଥ (୧୯୩୨ - ୧୯୬୩)

ତୁମେ ଆଉ, ତୁମେ ଜମା ତ ପିନ୍ଧୁ ନାହିଁ,
ଏବେ, କଳା ଜୋତା ହଳକ,
ମୁଁ ସେଥିରେ ଘର କରି ରହିଛି ଜାଣ
ଗଲା ତିରିଶ ବର୍ଷ ଧରି, ରିକ୍ତ ଆଉ ମ୍ଲାନ
ନାଆଁକୁ ମାତ୍ର ଶ୍ୱାସପ୍ରଶ୍ୱାସ ନିଏ, ଛିଙ୍କ ମାଡିଲେ ଡର ।

ବାବା, ମୋତେ ତମକୁ ମାରିବାକୁ ହେଲା ।
ସମୟ ଆଗରୁ ନିଜ ଚାଲି ଗଲ ତୁମେ
ସଫେଦ ମାର୍ବଲଠୁ ଓଜନ, ବସ୍ତାଟିଏ ଭରା ଈଶ୍ୱରରେ,
ଭୟାନକ ମୂର୍ତ୍ତି, ଯାହାର ଗୋଟିଏ ପାଦର ଆଙ୍ଗୁଠି
ଫ୍ରିସ୍କୋର ସିଲ୍ ମାଛ ପରି ଖୁବ୍ ବଡ଼ ।

ଆଉ ମସ୍ତକଟି ରହିଛି ଖିଆଲି ଆଟଲାଣ୍ଟିକରେ,
ଯେଉଁଠି ମୂଷଳାଧାରରେ ବର୍ଷା ହୁଏ
ସବୁଜ ବିନ୍‌ର ରଙ୍ଗ ସବୁ ନିଳୀମାରେ
ସୁନ୍ଦର ନସେଟ୍ ବୋଲି ସୈକତ ଜଳରେ ।

ମୁଁ ପ୍ରାର୍ଥନା କରେ ତୁମର ଉଦ୍ଧାର ପାଇଁ,
ଆହା, ତୁମେ ।

ଜର୍ମାନ୍ ଭାଷାରେ ,ସେହି ପୋଲିଶ ସହର ଯାହାକୁ
ରୋଲର୍ ଚଳାଇ ସମତଳ କରା ଯାଇ ଅଛି
କାରଣ ତ ଗୋଟିଏ, ଯୁଦ୍ଧ, ଯୁଦ୍ଧ ଆଉ ଯୁଦ୍ଧ ।
ସେହି ସହର ନାଆଁ ଖୁବ ଜଣାଶୁଣା, ସାଧାରଣ ଗାଆଁ,
ମୋର ସେ ପୋଲିଶ୍ ବନ୍ଧୁ କହେ,
ଏଇମିତି କେତେ ଡଜନ ଗାଆଁ ଅଛି ।

ତେଣୁ କହିପାରିବିନି ସଠିକ କେବେ,
କେଉଁଠି ଥାପିଥିଲ ପାଦ, ପୋତିଥିଲ ଚେର,
ମୁଁ ତମ ସହ କଥା କହି ପାରି ନାହିଁ ।
ଜିଭ ଅଟକିଯାଏ ତାଳୁରେ
ଅଟକି ରହିଛି କଣ୍ଟା ତା'ର ଫାନ୍ଦରେ ।
ମୁଁ ମୁଁ ମୁଁ ମୁଁ
କଥା କହି ପାରେ ନାହିଁ ।

ମୋର ମନେ ହୋଇଛି ପ୍ରତିଟି ଜର୍ମାନ ତମେ
ଏବଂ ତମର ଭାଷା ଅଶ୍ରାବ୍ୟ,
ଗୋଟିଏ ଇଞ୍ଜିନ, ଯେମିତି ଗୋଟିଏ ଇଞ୍ଜିନ
ମୋତେ ବିରକ୍ତ କରୁଛି ଇହୁଦି ଭଳି,
ଇହୁଦିଟି ଯେମିତି ଦାଖାଉ, ଆଉସଭିତଜ୍, ବେଲସେନ୍;
ମୋର ମନେହୁଏ ମୁଁ ହୁଏତ ଇହୁଦୀ ।

ଟିରଲ୍ ଅଞ୍ଚଳର ବରଫପାତ କିମ୍ବା ଭିଏନାର ସ୍ୱଚ୍ଛ ବିଅର୍
ସତ ନୁହେଁ, ଖାଣ୍ଟି ନୁହଁ, କୁଳୀନ ନୁହଁ, ତୁମ ସାମ୍ନାରେ
ମୋର ଯାଯାବର ପୂର୍ବପୁରୁଷ ଏବଂ ମୋର ଅଦ୍ଭୁତ ଭାଗ୍ୟ
ଏବଂ ମୋର ମିଛ ବ୍ୟାଗ, ମୋର ସାଧାରଣ ସତ ବ୍ୟାଗ
ମୁଁ ହୁଏତ ଈହୁଦୀ କିଞ୍ଚିତ ପରିମାଣରେ ।

ମୁଁ ତୁମକୁ ସବୁ ବେଳେ ଭୟ ପାଏ
ତୁମର ଯୁଦ୍ଧବିମାନ, ତୁମର ପ୍ରଚାର ମୁହଁ ଗୋବେଲ୍‌ର;
ତୁମର ପରିପାଟି ନିଶ,
ତୁମର ନୀଳ ଉଜ୍ଜଳ ଆର୍ଯ୍ୟ ଆଖି,
ପାଞ୍ଜାରମ୍ୟାନ୍ ପାଞ୍ଜାରମ୍ୟାନ୍, ତୁମେ ହିଁ।

ଈଶ୍ୱର ନୁହଁ, ଗୋଟିଏ ସ୍ୱସ୍ତିକ ଚିହ୍ନ
ଚିକ୍କଣ କଳା, କୌଣସି ଆଲୋକ ତାହାକୁ
ଭେଦ କରିପାରିବାକୁ ଅସମର୍ଥ ।

ପ୍ରତିଟି ନାରୀ ହିଁ ଜଣେ ଫାଶିବାଦୀକୁ ପୂଜା କରେ,
ମୁହଁରେ ଜୋତା ପଡ଼େ, ସେମିତି ନିଷ୍ଠୁର ଜଣକୁ,
ନିଷ୍ଠୁର ହୃଦୟ ଥିବା ତୁମ ଭଳି ପଶୁଟିକୁ ।

ବ୍ଲାକବୋର୍ଡ଼ ପାଖରେ ତମେ ଠିଆ ହୋଇଛ ବାବା,
ମୋ ପାଖରେ ଅଛି ସେ ଛବିଟି ।
ପାଦ ନୁହଁ ତମ ଓଠରେ ଗ୍ରହଣଖଣ୍ଡିଆ,
ସଇତାନଟି ସେଥିରେ କମ୍ ଦିଶେ ନାହିଁ;
ନା, ସେ କୃଷ୍ଣାଙ୍ଗଠୁ ଜମା କମ୍ ନୁହଁ,
ଯିଏ ମୋ ସୁନ୍ଦର ହୃଦୟକୁ ଦୁଇ ଟୁକୁରା
କରି ଦେଇ ଥିଲା ।

ମୋ ବୟସ ସେତେବେଳେ ଦଶ,
ସେମାନେ ତମକୁ କବର ଦେଲେ ।
କୋଡ଼ିଏ ବର୍ଷରେ ମୁଁ ମରଣ ଚାହିଁଲି
ଏବଂ ଫେରିବାକୁ ଚାହୁଁ ଥିଲି ତୁମରି ପାଖକୁ ।
ମନେ ହେଉଥିଲା ତୁମ ହାଡ଼ କେଇ ଖଣ୍ଡ
ହେଲେ ଚଳି ଯିବ ।

କିନ୍ତୁ ସେମାନେ ଥଳିରୁ ବାହାର କରି
ଅଠା ଦେଇ ଯୋଡ଼ି ଦେଲେ ମୋତେ ।
ସେତେବେଳେ ମୁଁ ଜାଣି ଗଲି ମୋତେ
କ'ଣ କରିବାକୁ ହେବ ।

ମୁଁ ତୁମର ଏକ ପିତୁଳା ଗଢ଼ିଲି
କଳାକନାର ପୁରୁଷ ଏକ, ଯାହାର ଆଖିରେ ଥିଲା
ମେଇନକାମ୍ଫର ଚମକ,
ଦୁଃଖି ପ୍ରତି ପ୍ରେମ ଆଉ ଏକ ପାଳଭୂତ ।
ଏବଂ ମୁଁ କହିଛି, ମୁଁ ରାଜି, ମୁଁ ରାଜି ଅଛି ।
ତେଣୁ ବାବା, ପୁଣି ଅବଶେଷରେ ମୁକ୍ତି ହୋଇଛି
ଟେଲିଫୋନର କଳା ତା'ର ଛିଣ୍ଡା
ସେହି କଣ୍ଠ ଆଉ ମୋତେ ବିରକ୍ତ କରିବ ନାହିଁ ।
ମୁଁ ଯଦି ଜଣକୁ ଖୁନ୍ କରିଥାଏ
ତାହା ହେଲେ ଶେଷ କରିଛି ଦି'ଜଣକୁ ।
ସେଇ ରକ୍ତପାନକାରୀ ଯିଏ କହେ ତମ ନାଆଁ,
ମୋ ରକ୍ତ ଶୋଷିବାକୁ ଲାଗେ ବର୍ଷଟିଏ,
ତମେ ଯଦି ଜାଣିବାକୁ ଚାହଁ, ତେବେ ତାହା ସାତ ବର୍ଷ ।
ବାବା, ଏଥର ତମେ ଶୋଇବାକୁ ଯାଇ ପାର ।

ତୁମର କଳା ହୃଦୟରେ ଏବେ ଗୋଟିଏ ବେଶ୍ ଲମ୍ବା କଣ୍ଟା ।
ଗାଆଁର ଲୋକେ ତମକୁ ପସନ୍ଦ କରନ୍ତି ନାହିଁ;
ସେମାନେ ଏବେ ଖୁସିରେ ନାଚୁଛନ୍ତି 
ଏବଂ ତମକୁ ପଦାଘାତ କରୁଛନ୍ତି ।

ସେମାନେ ସବୁକଥା ଜାଣନ୍ତି, 
କିଏ ତମେ ପ୍ରକୃତରେ କ'ଣ
ବାବା ବାବା ହାରାମୀ ବାବା, ମୁଁ
ତମଠୁ ମୁକ୍ତି ପାଇଗଲି ।

•୧୨ ଅକ୍ଟୋବର ୧୯୬୨

Monday, November 05, 2018

କଙ୍କଡ଼ ପୋଡ଼ା

ସରୋଜିନୀ ଚୌଧୁରୀ


ଅଷ୍ଟାଦଶ ଶତାବ୍ଦୀର ଏକ ଚୈନୀକ ଚିତ୍ର
ଚିତ୍ରକର - ଗାଓ କିପେଇ (୧୬୬୦ - ୧୭୩୪)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ 

ପ୍ରଣାଳୀ - କଙ୍କଡ଼ାକୁ ମଲା ନିଆଁରେ ପୋଡ଼ି ଆଣି ପରିଷ୍କାର କର । ତାହାର ପରେ ଶସ ବାହାର କରି ଛେଚି ଲୁଣ ଓ ଗୋଲମରିଚଗୁଣ୍ଡି ମିଶାଇ ଖାଇବାକୁ ଦିଅ ।

ବି.ଦ୍ର. - କଙ୍କଡ଼ା ପୋଡ଼ା ତିଆରିବାର ଏହି ପ୍ରଣାଳୀଟି ସରୋଜିନୀ ଚୌଧୁରୀ (୧୮୮୩-୧୯୫୭)ଙ୍କ ବହି 'ଗୃହିଣୀ ସର୍ବସ୍ୱ'ର ଲାର୍କ ବୁକ୍ସ୍ (ଭୁବନେଶ୍ୱର) ୨୦୦୯ ମସିହାରେ ଛାପିଥିବା ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି ।  ଏଠାରେ ଦିଆଯାଇଥିବା ପ୍ରଣାଳୀରେ ସରୋଜିନୀ ଚୌଧୁରୀ ଇଙ୍ଗିତ କରିଥିବା ଚିନିର ପରିମାଣଠାରୁ କମ୍ ବ୍ୟବହାର କରାଯାଇଛି । ବହିଟିର ପ୍ରଥମ ସଂସ୍କରଣ ୧୯୨୮ ମସିହାରେ ଛପାଯାଇଥିଲା । ସରୋଜିନୀ ଦେବୀ ଜଣେ ସ୍ୱାଧୀନତା ସଙ୍ଗ୍ରାମୀ ଭାବରେ ଜଣାଶୁଣା । ସେ ଫକୀରମୋହନ ସେନାପତିଙ୍କର ସର୍ବକନିଷ୍ଠ କନ୍ୟା ତଥା ଶିଳ୍ପୀ ବିପିନବିହାରୀ ଚୌଧୁରୀଙ୍କର ମାତା । 

Saturday, November 03, 2018

ହାଫିଜଙ୍କ ଏକ କବିତା

ଅନୁବାଦକ - ଜ୍ୟୋତି ନନ୍ଦ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଲୋକଟି ଖୁବ ସରଳ
ଦେଖିବାକୁ ଟିକିଏ ବାଙ୍ଗରା ।
ସେମିତି କିଛି କାମ କରେନି ।

ଭାରି ଅଳସୁଆ ସେ;
କାମ କହିଲେ ତାହାର ଏତିକି,
ଯେଉଁ ଲୋକକୁ ସିଏ ଜାଣିଛି,
ଖାସ୍ ତାହାରି ପାଇଁସେ ତିଆରି କରୁଥାଏ
ଗୋଟିଏ ଗୋଟିଏ ପଞ୍ଜୁରୀ ।

ଅବଶ୍ୟ ସେ ଲୋକଟା ଭାରି ମନୁଆ
ସବୁ ବେଳେ କ'ଣ ପଞ୍ଜୁରୀ ତିଆରି କରୁଥାଏ କି ?
ଜମା ନୁହଁ, ଜମା ନୁହଁ।
ସେ ଦେଖେ ଆଉ ବାଛେ ସେଇ ଘଡ଼ିକୁ,
ଯେତେବେଳେ ସାଧୁ ଜଣକ
ନିଜ ମୁଣ୍ଡକୁ କରୁଥାନ୍ତି ତଳକୁ
ବାଜିଯିବ କାଳେ ହୁଏତ ତାହା,
ନୁଆଁଣିଆ ଜହ୍ନର ମଥାନରେ ।

ସାରା ରାତି ଅନିଦ୍ରା ରହି ସେହି ସାଧୁବର
ବୁଲିବୁଲି ରାସ୍ତାଘାଟ ନଗର କାନ୍ଦାର,
ହାତରେ ଥିବା ବଡ଼ ଏକ ଚାବିଗୋଚ୍ଛାରୁ
ଗୋଟିକ ପରେ ଗୋଟିଏ ଚାବି ଖୋଲି
ଫୋପାଡ଼ୁ ଥାଆନ୍ତି, ଏଣେ ତେଣେ,
ଦେବତାର ପୁଷ୍ପବୃଷ୍ଟି ପରି ।

ଆପଣ ଜାଣନ୍ତି, ଦେଖିଛନ୍ତି,
ସେଇ ଚାବି ପଡ଼ିଛି,
ବାଟରେ ଘାଟରେ ସାରା ସଂସାର
ଆମ ପାଇଁ, ଆମେ ଯେତେ ଦେଖିବାକୁ ସୁନ୍ଦର
ଆଉ ଏମିତିରେ କହିଲେ ଟିକିଏ ବେଶି ଚଗଲା
ଆମେ ଯେତେ ବନ୍ଦୀଗଣ,
ସେମାନଙ୍କ ପାଇଁ ଖାସ୍ ।
( ହାଫିଜ୍ ପାରସ୍ୟର ଚତୁର୍ଦ୍ଦଶ ଶତାବ୍ଦୀର ଜଣେ ପ୍ରସିଦ୍ଧ ସୁଫି କବି । ଏଇ କବିତାଟି ତାଙ୍କର ଏକ କବିତାର ଅନୁସୃଜନ । )

Thursday, November 01, 2018

ଜୀବନାନନ୍ଦ ଦାସଙ୍କ କବିତା 'ପୁଣି ମୁଁ ଆସିବି ଫେରି'

ଅନୁବାଦକ - ଜ୍ୟୋତି ନନ୍ଦ


ମହାକବି - ଜୀବନାନନ୍ଦ ଦାସ (୧୮୯୯-୧୯୫୪)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ପୁଣି ମୁଁ ଆସିବି ଫେରି ଧାନସିଡ଼ି ନଈ ତୀରେ,ଏଇ ବାଙ୍ଗଲାକୁ
ହୁଏତ ମଣିଷ ନୁହଁ, ହୁଏତ ବା ଶଙ୍ଖଚିଲ, ବଣିର ବେଶରେ:
ହୁଏତ ଭୋରର କାକ ହୋଇ ଏଇ କାର୍ତ୍ତିକର ନବାନ୍ନର ଦେଶେ
କୁହୁଡ଼ି ଛାତିରେ ଭାସି ଦିନେ ଆସିବି ମୁଁ ଏ ପଣଷ ଛାଇକୁ;
ହୁଏତ ବା ହଂସ ହେବି, କିଶୋରୀର, ଘୁଙ୍ଘୁରୁ ଥିବ ଲାଲ୍ ପାଦରେ
ସାରା ଦିନ ବିତି ଯିବ କଳମିର ଗନ୍ଧ ଭରା ଜଳେ ଭାସି ଭାସି;
ପୁଣି ଆସିବି ମୁଁ ଫେରି ନଈ, ନାଳ, ଧାନକ୍ଷେତ ଭଲ ପାଏ ଯେଣୁ
ଜଳାଙ୍ଗିର ଢେଉ ଭିଜା ବାଙ୍ଗଲାର ଏ ସବୁଜ କରୁଣ ଡଙ୍ଗାରେ;
ହୁଏତ ଦେଖିବି ଚାହିଁ ସୁଦର୍ଶନ ଉଡୁଅଛି ସନ୍ଧ୍ୟାର ବତାସେ,
ହୁଏତ ଶୁଣିବି ଏକ ଲକ୍ଷ୍ମୀପେଚା ଡାକ ଛାଡେ ଶିମୂଳୀ ଡାଳରେ;
ହୁଏତ ଖଇଧାନ ବିଞ୍ଚୁ ଅଛି ଶିଶୁ ଏକ ଅଗଣାର ଘାସ ସାରା;
ରୂପସାର ଗୋଳିପାଣି, ହୁଏତ କିଶୋରଟିଏ ସାଦା ଛିଣ୍ଡା ପାଲ,
ଡଙ୍ଗା ବାହେ, ମେଘଖଣ୍ଡେ ଅନ୍ଧାରରେ ପହଁରି ଆସିଛି ନୀଡ଼େ,
ଦେଖିବ ମାଳମାଳ ବଗ, ମୁଁ ଥିବି ଚିହ୍ନି ନେବ ସେଇଠି ଭିଡ଼ରେ ।