Thursday, June 30, 2016

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ପ୍ରଥମ ଅଧ୍ୟାୟ 

ପ୍ରଥମ ବଲ୍ଲୀ : ଶ୍ଲୋକ ୨୭ - ୨୮





ଶ୍ଲୋକ ୨୭ 



ବିପୁଳ ବିଭବେ ନର ନ ପାଏ ତୃପତି 
ବିଶେଷେ ସାକ୍ଷାତ ତବ ଯେବେ ଜନ୍ତୁପତି !

ଘଟିଛି ମୋ ଭାଗ୍ୟେ, ବିତ୍ତ ମିଳିବ ନିଶ୍ଚୟ
ତବ ଯମପଣେ ମୋର ନାହିଁ ମୃତ୍ୟୁଭୟ ।

ତେଣୁ ମୋର ଅନ୍ୟ ବାଞ୍ଛା ନାହିଁ ଯମରାଜ !
ଦିଅ ଆଦ୍ୟେ ବର କହ ମୃତ୍ୟୁତତ୍ତ୍ୱ ଆଜ ।। (ନ.ଉ. ୧।୧।୮)

ଶ୍ଲୋକ ୨୮


ଅଜର ଅମରଗଣ ସନ୍ନିଧାନେ ଆସି
ଜରାମୃତ୍ୟୁଗ୍ରସ୍ତ କିଏ ଧରାତଳ ବାସୀ ?

ଜାଣି କ୍ଷଣସ୍ଥାୟୀ ସୁଖ ସୌଭାଗ୍ୟ ସମ୍ପତ୍ତି
ଧନଜନ ରୂପରାଜ୍ୟ ବାରାଙ୍ଗନା ରତି ।

ବିବେକୀ ଲୋଡ଼ିବ କିମ୍ପା ସୁଦୀର୍ଘ ଜୀବନ
ବୁଝି ନିଜ ଲଭ୍ୟ ମହାମୁଖ୍ୟ ପ୍ରୟୋଜନ ? (ନ.ଉ. ୧।୧।୮)

Tuesday, June 21, 2016

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ପ୍ରଥମ ଅଧ୍ୟାୟ 

ପ୍ରଥମ ବଲ୍ଲୀ : ଶ୍ଲୋକ ୨୬



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

କହେ ନଚିକେତା, " ଯେ ଯେ ସମ୍ପଦ ସମ୍ଭୋଗ 
କହିଲ ଅନ୍ତକ ନୁହେଁ ମୋର ଉପଯୋଗ ।

ମାନବ ଇନ୍ଦ୍ରିୟ ତେଜ, ଇନ୍ଦ୍ରିୟ ବିଳାସ
ବିଳାସ-ସାମଗ୍ରୀ, ସବୁ ଯାଏ କ୍ଷଣେ ନାଶ ।

ସଂସାର-ସମ୍ପଦରାଶି କ୍ଷଣକାଳସ୍ଥାୟୀ
ଆଜି ଅଛି ଯାହା ପୁଣି କାଲିକି ତା' ନାହିଁ ।

ଯାଚୁଛ ପରମ ଆୟୁ ଆପଣ ଯେ ମତେ
କେତେ କାଳ ସ୍ଥାୟୀ ତାହା କହ ହେ ଜଗତେ ?

ବ୍ରହ୍ମମ୍ଭୁଷ ହେଲେ ସୁଦ୍ଧା ପାଏ ଦିନେ କ୍ଷୟ 
ନାହିଁ ମୋର ଲୋଡ଼ା ଆୟୁ ରଥ ହସ୍ତୀ ହୟ ।

ବାହନ ବନିତା ନୃତ୍ୟ ଗୀତେ ପ୍ରୟୋଜନ
ନାହିଁ, ସେ ସକଳ ଥାଉ ତୁମ୍ଭର ଶମନ !(ନ.ଉ. ୧।୧।୭)

Sunday, June 19, 2016

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ପ୍ରଥମ ଅଧ୍ୟାୟ 

ପ୍ରଥମ ବଲ୍ଲୀ : ଶ୍ଲୋକ ୨୫



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ଯେ ସୁଖ  ସୌଭାଗ୍ୟ ନିତି ଲୋଡ଼ଇ ମାନବ 
ମର୍ତ୍ତ୍ୟବାସୀ ନରେ ଯାହା ଅତ୍ୟନ୍ତ ଦୁର୍ଲଭ ।

ସ୍ୱଚ୍ଛନ୍ଦେ ମାଗ ସେ ସର୍ବ କର ଯେ କାମନା 
ଦେଖୁଅଛ ଏଥି ଯେତେ ଅମର-ଅଙ୍ଗନା ।

ଚାରୁରତ୍ନ ସୁଖଚିତ ସୁନ୍ଦର ସ୍ୟନ୍ଦନ 
ଶୁଣୁଛ ଯେ ତୁରୀ ଭେରୀ ବାଦିତ୍ର ନିଃସ୍ୱନ ।

ମାନୁଷ ଦୁର୍ଲଭ ଏହୁ ଅଶେଷ ସମ୍ପଦ 
ଖଟନ୍ତୁ ଏ ସର୍ବ ବିପ୍ର ସଦା ତୁମ୍ଭ ପଦ ।

କିନ୍ତୁ ନଚିକେତା, ଘେନ ମୋର ନିବେଦନ 
ନ ପଚାର ମୃତ୍ୟୁତତ୍ତ୍ୱ କଦାପି ଆପଣ । (ନ.ଉ. ୧।୧।୭)

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ପ୍ରଥମ ଅଧ୍ୟାୟ 


ପ୍ରଥମ ବଲ୍ଲୀ : ଶ୍ଲୋକ ୨୩ -୨୪



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ଶ୍ଲୋକ ୨୩


ବିଡ଼ିବାକୁ ନଚିକେତା ହୃଦୟ-ଦୃଢ଼ତା 
କହିଲେ ଦେଖାଇ ଲୋଭ ସେ ଯମ ଦେବତା -

"ଶତ ବର୍ଷ ଦୀର୍ଘଜୀବୀ ପୁତ୍ରପୌତ୍ରଚୟ
ମାଗ ଅଗଣିତ ଧେନୁ ସ୍ୱର୍ଣ୍ଣ ହସ୍ତୀ ହୟ ।

ମାଗ ହେ ଧରଣୀ ତଳେ ମହା ଆୟତନ 
ଯେତେ କାଳ ଇଚ୍ଛା ରହ ଧରିଣ ଜୀବନ । (ନ.ଉ. ୧।୧।୭)


ଶ୍ଲୋକ ୨୪


ଅବା ଏହିପରି ଅନ୍ୟ ଯାହା ବାଞ୍ଛା ତବ 
 ମାଗ ଚିରାୟୁଷ, ମାଗ ଅତୁଳ ବିଭବ ।

ବିଶାଳ ମଣ୍ଡଳ ତଳେ ତୁମ୍ଭେ ହୁଅ ଅଧୀଶ୍ୱର 
ପୂର୍ଣ୍ଣ କରିବି ମୁଁ ଯେତେ କାମନା ତୁମ୍ଭର । (ନ.ଉ. ୧।୧।୭)

Thursday, June 16, 2016

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ପ୍ରଥମ ଅଧ୍ୟାୟ 


ପ୍ରଥମ ବଲ୍ଲୀ : ଶ୍ଲୋକ ୨୧ -୨୨


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ଶ୍ଲୋକ ୨୧



କହେ ଯମ, "ପଚାରିଲେ ଯେ ତତ୍ତ୍ୱ ଆପଣ 
ସଂଶୟ-ଜଡ଼ିତ ତହିଁ ପୂର୍ବେ ଦେବଗଣ ।

ଆତ୍ମଧର୍ମ ତତ୍ତ୍ୱ ଏହୁ ସୂକ୍ଷ୍ମ ସୁଗହନ
ବୁଝିବେ ସହଜେ କାହିଁ ଜନସାଧାରଣ ?

ଏ ବର ନିମନ୍ତେ ଆଉ କଟାଳ ନ କର 
ଛାଡ଼ ଏହା ନଚିକେତା, ମାଗ ଅନ୍ୟ ବର ।"  (ନ.ଉ. ୧।୧।୬)

ଶ୍ଲୋକ ୨୨

ବୋଲେ ନଚିକେତା ଯାହା କହିଲ ଆପଣ 
ଏ ତତ୍ତ୍ୱେ ସଂଶୟ ପୂର୍ବେ କଲେ ଦେବଗଣ ।

ଇତର ଜନର ଏହା ନୁହଇ ସୁଗମ 
ସତ୍ୟ, ମାତ୍ର ତୁମ୍ଭ ପରି କାହିଁ ଅନ୍ୟତମ ।

ଏ ତତ୍ତ୍ୱର ଉପଯୁକ୍ତ ବକ୍ତା ଦଣ୍ଡଧର 
ଏହା ବିନୁ ନାହିଁ ମୋର ଲୋଡ଼ା ଅନ୍ୟ ବର ।" (ନ.ଉ. ୧।୧।୬)

Wednesday, June 15, 2016

ବାମଣ୍ଡାର ଦୋଳି ଗୀତ


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ଦୁଲି ତଲେ ଗଲା ଜନ୍ଦା 
ଖେଚେଡ଼ି ଭାତକୁ ବଡ଼ ଶରଧା
ନାକଚଣା ଦେଲି ବନ୍ଧା, ମୋ ଦୁଲି ଲୋ ।

ଦୁଲିତଲେ ଗଲା ଭାଲୁ
ବାଟିଲା ହଲଦୀ କାହାକୁ ଦେଲୁ
ଦୁଲି, ପୁଅକୁ ନୁଖୁରା କଲୁ , ମୋ ଦୁଲି ଲୋ ।

ଦୁଲି ତଲେ ଗଲା ହଂସ
ପାନି ଡ଼ବ ଡ଼ବ ବୈଶାଖ ମାସ
ଚମକା ଘୋଡ଼ାରେ ଆସ, ମୋ ଦୁଲି ଲୋ ।

ନଈରେ ଗାଡ଼ଇ ଦୁଲି 
ନଈର ଦେବତା ଝୁଲିବେ ବୋଲି ରେ
ବେଙ୍ଗ ଦେଲେ ହୁଲହୁଲି, ମୋ ଦୁଲି ରେ ।

ଧାନ ମଧ୍ୟେ ଲଙ୍କେଶ୍ୱରୀ
ଟୁକୁଲି ମଧ୍ୟରେ ସୀତା ସୁନ୍ଦରୀ
ରାବଣ କରିଛି ଚୋରୀ, ମୋ ଦୁଲି ରେ ।

ଶିଲର କଞ୍ଚା ପିଠଉ 
ମୋ ଭାଇ ମାଡ଼ିଛି ରତ୍ନ କଠାଉ ରେ 
ଚାଲିଗଲେ ବାଜୁଥାଉ, ମୋ ଦୁଲି ରେ ।

ମୟା ପତ୍ର ଖାନ୍ଦି ଖାନ୍ଦି 
ଭେନାଇ ଆସିଛନ୍ ମୁକୁଟ ବାନ୍ଧି 
ନାନୀ ଯିବେ କାନ୍ଦି କାନ୍ଦି, ମୋ ଦୁଲି ରେ ।

ଦୁଲି ତଲେ ଦୁବଘାସ
ପିଲାଙ୍କ ମୁଣ୍ଡରେ ଚଟିଆ ବାସ
ଧନୁକାଣ୍ଡ ଧରି ଆସ, ମୋ ଦୁଲି ରେ ।

ଡ଼ାଲପତ୍ର ଖରଖର
ଆଗ ଲମ୍ବାଇବ ଚଉଠି ଭାର 
ନାନୀ ଯିବ ଶାଶୁଘର, ମୋ ଦୁଲି ରେ ।

ଉତ୍ସ - ସାହିତ୍ୟ ଅକାଦେମି ଦ୍ୱାରା ପ୍ରକାଶିତ ବହି, 'ଓଡ଼ିଆ ଲୋକଗୀତ' । ସଙ୍କଳୟିତା - ପ୍ରସନ୍ନ କୁମାର ମିଶ୍ର ।

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ପ୍ରଥମ ଅଧ୍ୟାୟ 


ପ୍ରଥମ ବଲ୍ଲୀ : ଶ୍ଲୋକ ୧୯ -୨୦


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ଶ୍ଲୋକ ୧୯


କହିଲି ଏ ନଚିକେତା ଅଗ୍ନି ବିବରଣ
ଲୋଡ଼ିଲ ଦ୍ୱିତୀୟବରେ ଯେ ତତ୍ତ୍ୱ ଆପଣ ।

ତବ ନାମେ ହେବେ ଏହୁ ଅଗ୍ନି ଲୋକେ ଖ୍ୟାତ 
     କି ତୃତୀୟ ବର ମାଗ କହ ଏବେ ତାତ ।(ନ.ଉ. ୧।୧।୬)

ଶ୍ଲୋକ ୨୦


କହେ ନଚିକେତା, "ମନେ ଲାଗେ ମୋ ସନ୍ଦେହ
କି ହୁଏ ମାନବ ? ଯେବେ ତେଜେ ମରଦେହ ।

କହନ୍ତି କେତେକ ଆତ୍ମା ଯାଏ ପରଲୋକେ
ବିଶ୍ୱାସ କରନ୍ତି ନାହିଁ ପରଲୋକେ ଥୋକେ ।

ଚିରକାଳ ରହିଛି ଏ ସଂଶୟ ଜଗତେ
ଦିଅ ଉପଦେଶ ଯେହ୍ନେ ଯିବି ମୁଁ ପରତେ ।

ପରଲୋକ ତତ୍ତ୍ୱ ପ୍ରଭୁ ହେଉ ମୋ ଗୋଚର 
ଦୟା କରି ଦିଅ ମୋତେ ଏ ତୃତୀୟ ବର । (ନ.ଉ. ୧।୧।୬)

Tuesday, June 14, 2016

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ପ୍ରଥମ ଅଧ୍ୟାୟ 


ପ୍ରଥମ ବଲ୍ଲୀ : ଶ୍ଲୋକ ୧୮


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 


ବିହିତ ଇଷ୍ଟକେ ବେଦୀ କରି ଯେ ରଚନା
ସାଧେ ନଚିକେତା ଅଗ୍ନି ତ୍ରିବାର ଅର୍ଚ୍ଚନା ।

ଆତ୍ମଭାବେ ଧ୍ୟାୟେ ଚିତ୍ତ କରି ଏକ ଲୟ
ମୃତ୍ୟୁ-ପାଶ କାଟେ ସେହୁ ନୋହେ ତନୁ କ୍ଷୟ ;

ରାଗଦ୍ୱେଷ ଆଦି ଯେତେ ଦୁଃଖର ନିଦାନ
ମାନବ ଜନମେ ତା'ର ପାଏ ଅବସାନ ।

ଶୋକେ ଦୁଃଖେ କେବେ ସେହୁ ନ ହୁଏ ବିହ୍ୱଳ
ଭୁଞ୍ଜେ ମର୍ତ୍ତ୍ୟେ ମହାମୋଦ ସ୍ୱର୍ଗଲୋକ ଫଳ । 

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ପ୍ରଥମ ଅଧ୍ୟାୟ 


ପ୍ରଥମ ବଲ୍ଲୀ : ଶ୍ଲୋକ ୧୭



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ପିତାମାତା ଗୁରୁଜନ ଆଜ୍ଞାଘେନି ଶିରେ 
ପୂଜେ ଯେ ତ୍ରିସନ୍ଧ୍ୟା ଅଗ୍ନି ନିୟତ ବିଧିରେ ।

ଯଜ୍ଞଦାନ ଅଧ୍ୟୟନେ ରତ ଅନୁକ୍ଷଣ 
ତରଇ ସେ ଜନ୍ମ-ମୃତ୍ୟୁ ଦୁସ୍ତର ବନ୍ଧନ ।

ହିରଣ୍ୟଗରଭୁଁ ଜାତ ବିଶ୍ୱପ୍ରକାଶକ 
ବିଶ୍ୱବନ୍ଦ୍ୟ ସର୍ବଜ୍ଞାତା ସେ ଦେବ ପାବକ ।

ଆତ୍ମାରୂପେ ପ୍ରାଣୀ ହୃଦେ ରାଜନ୍ତି ସତତ
ବୁଝି ଯେହୁ ଅନୁଭବେ ଆଣଇ ଏ ତତ୍ତ୍ୱ ।

ଲଭଇ ସେ ଅନୁପମ ଅଖଣ୍ଡ ସନ୍ତୋଷ
ଚିରଦିନ ଲାଗି ତୁଟେ ଭବଭ୍ରାନ୍ତି ଦୋଷ । (ନ.ଉ. ୧।୧।୫)

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ପ୍ରଥମ ଅଧ୍ୟାୟ 


ପ୍ରଥମ ବଲ୍ଲୀ : ଶ୍ଲୋକ ୧୫ - ୧୬



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 


ଶ୍ଲୋକ ୧୫


ସର୍ବଲୋକ ଆଦି ହେତୁ ଅନଳ ବିଜ୍ଞାନ 
ଯଜ୍ଞ ଇଷ୍ଟକର ସଂଖ୍ୟା ପ୍ରକାର ପ୍ରମାଣ ।

ଯଜ୍ଞ ଆମନ୍ତ୍ରିତ ଅଗ୍ନି ଅର୍ଚ୍ଚନ ବିଧାନ
ଯମ ମୁଖୁଁ ଶୁଣି ସବୁ ଗୂଢ଼ ତତ୍ତ୍ୱ ଜ୍ଞାନ ।

ସ୍ଥିର ଚିତ୍ତେ ନଚିକେତା କରନ୍ତି ଆବୃତ୍ତି 
                        ତୁଷ୍ଟ ହେଲେ ଯମରାଜା ଦେଖି ତାଙ୍କ କୃତି । (ନ.ଭ. ୧।୧।୫)

ଶ୍ଲୋକ ୧୬


ଯୋଗ୍ୟଶିଷ୍ୟ ନଚିକେତା ବୁଝିଲେ ଅନ୍ତରେ 
କହିଲେ ମହାତ୍ମା ତାଙ୍କୁ ଅତି ପ୍ରୀତିଭରେ ।

ତୁମ୍ଭଙ୍କୁ ଦେବି ମୁଁ ଆଜି ଅନ୍ୟ ଏକ ବର 
ତବ ନାମ ବୋଲାଇବେ ସ୍ୱର୍ଗ-ବୈଶ୍ୱାନର ।

ନଚିକେତା ଅଗ୍ନି ବୋଲି ହେବ ସେ ବିଦିତ ।
ଲଭ କର୍ମମୟ ସ୍ୱର୍ଗ ଅତି ଆନନ୍ଦିତ । (ନ.ଭ. ୧।୧।୫)

Monday, June 13, 2016

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ପ୍ରଥମ ଅଧ୍ୟାୟ 


ପ୍ରଥମ ବଲ୍ଲୀ


ତିବ୍ବତୀୟ ଯମ
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ଶ୍ଲୋକ ୧୩


ଯେ ଅଗ୍ନି ପ୍ରସାଦେ ଲଭି ଅକ୍ଷୟ ଅମୃତ
ସ୍ୱର୍ଗଲୋକ ନିରନ୍ତର ହୁଏ କୃତ୍ୟ କୃତ୍ୟ ।

ସେ ଅଗ୍ନି ଗଭୀର ତତ୍ତ୍ୱ ତୁମ୍ଭର ଗୋଚର
କହ ଏ ବିଶ୍ୱାସୀ ଜନେ - ଏ ଦ୍ୱିତୀୟ ବର ।"  (ନ.ଭ. ୧।୧।୪)

ଶ୍ଲୋକ ୧୪


"ସ୍ୱର୍ଗ-ସିଦ୍ଧି ଦାତା ଅଗ୍ନି ନିଗୁଢ଼ ବୃତ୍ତାନ୍ତ 
ଜାଣଇ ମୁଁ ନଚିକେତା" କହନ୍ତି କୃତ୍ତାନ୍ତ ।

"ଲଭଇ ଅନନ୍ତ ସୁଖ ସ୍ୱର୍ଗଧାମେ ନର 
ପ୍ରସନ୍ନ ହେଲେ ସେ ଦିବ୍ୟ ଅଗ୍ନି ବୈଶ୍ୱାନର ।

ସର୍ବଲୋକ ସ୍ଥିତି ହେତୁ ସେ ପୁଣ୍ୟ ପାବକ
ସର୍ବ ଅନ୍ତର୍ଯ୍ୟାମୀ ସର୍ବ ବୁଦ୍ଧି-ନିୟାମକ ।

କହୁଛି ଏହି ଯେ ତତ୍ତ୍ୱ ହେତୁ କରି ଜାଣ"
ଆବର ବୁଝାନ୍ତି ବିପ୍ରେ ଦେବ ଜନ୍ତୁରାଣ ।  (ନ.ଭ. ୧।୧।୪-୫)

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ପ୍ରଥମ ଅଧ୍ୟାୟ 


ପ୍ରଥମ ବଲ୍ଲୀ


ଯମ
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ଶ୍ଲୋକ ୧୧


କହେ ଯମ, "ନଚିକେତା ଦେଲି ମୁଁ ଏ ବର  
ତବ ବିରହରେ ପିତା ନ ହେବେ କାତର ।

ସୁଖେ ପୁହାଇବେ ନିଶି ନିଶ୍ଚିନ୍ତ ଶୟନେ
ତୁମ୍ଭ ପ୍ରତି ପୂର୍ବ ପ୍ରୀତି ରଖିଥିବେ ମନେ ।

ମୃତ୍ୟୁମୁଖୁଁ ଲେଉଟିବା ଦେଖି ନିଜ ଘରେ 
                     ନକରି ସେ କୋପ, ନେବେ ତୁମ୍ଭଙ୍କୁ ସାଦରେ ।"(ନ.ଭ. ୧।୧।୪)

ଶ୍ଲୋକ ୧୨


କହେ ପୁଣି ନଚିକେତା, "ସ୍ୱର୍ଗେ ନାହିଁ କ୍ଷୟ,
ନାହିଁ ମୃତ୍ୟୁ, ନାହିଁ ଜରା ନାହିଁ  କିଛି ଭୟ ।

ନ ଜାଣନ୍ତି ସ୍ୱର୍ଗଲୋକେ କ୍ଷୁଧା ତୃଷ୍ଣା ପ୍ରାସ
ଅତିକ୍ରମି ଶୋକ ସଦା କରନ୍ତି ଉଲ୍ଲାସ । (ନ.ଭ. ୧।୧।୪)

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ପ୍ରଥମ ଅଧ୍ୟାୟ 


ପ୍ରଥମ ବଲ୍ଲୀ


ଶ୍ଲୋକ ୧୦




ଯମ ବାକ୍ୟେ ନଚିକେତା ଭାଷନ୍ତି ଏସନ, 
"ମୋ ଠାରେ ଆପଣ ଯେବେ ହେଲେ ସୁପ୍ରସନ୍ନ ।

ପିତା ମୋର ବ୍ରାଜଶ୍ରବା ଗୌତମ ତାପସ
ମୋ ବିରହ-ଭାବନାରେ ନୁହନ୍ତୁ ଅବଶ ।

ନ ଜନମୁ ତାଙ୍କ ହୃଦେ କୋପ ମୋହ ପ୍ରତି 
ରହନ୍ତୁ ସଦା ସେ ଶାନ୍ତ ସୁୁପ୍ରସନ୍ନମତି ।

ତବ ପୁରୁ ଫେରିଗଲେ ଦେଖି ମୋ ବଦନ
ଚିହ୍ନନ୍ତୁ କରନ୍ତୁ ପୁଣି ପ୍ରିୟ ସମ୍ଭାଷଣ ।

ମୋ ପ୍ରତି ସୁଦୟା ଯେବେ ତବ ଦଣ୍ଡଧର
ହେଉ ଆଜ୍ଞା ଦିଅ ମୋତେ ଏ ପ୍ରଥମ ବର । (ନ.ଭ. ୧।୧।୩-୪)

Thursday, June 09, 2016

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ପ୍ରଥମ ଅଧ୍ୟାୟ 


ପ୍ରଥମ ବଲ୍ଲୀ



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ଶ୍ଲୋକ ୯


କହନ୍ତି କାତର ଚିତ୍ତେ ବିନୟ ବଚନ,
"ତିନି ଦିନ ନିରାହାର ମୋ ଗୃହ ଆପଣ । 

ଆପଣ ଅତିଥି ପୁଣି ବିଶେଷେ ବ୍ରାହ୍ମଣ  
ତେଣୁ ମୋର ନିତ୍ୟ ପୂଜା ଅର୍ଚ୍ଚନା ଭାଜନ ।

କ୍ଷମ ଅପରାଧ ବିପ୍ର, ନମେ ତବ ପଦ 
ହେଉ ମୋର ସର୍ବ ଶୁଭ ନଘଟୁ ବିପଦ ।

ତିନିରାତ୍ର ଲାଗି ଯାହା ଇଚ୍ଛା ତିନି ବାର
        ମାଗ ହେ ଅତିଥି ଦେବି ସତ୍ୟ ଏ ମୋହର ।   (ନ.ଭ. ୧।୧।୩)

Wednesday, June 08, 2016

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ପ୍ରଥମ ଅଧ୍ୟାୟ 


ପ୍ରଥମ ବଲ୍ଲୀ



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ମନ୍ତ୍ର ୭


ଅଗ୍ନିସମ ପ୍ରଭାଦୀପ୍ତି ରୂପ କାନ୍ତିମନ୍ତ 
ବ୍ରାହ୍ମଣ ଅତିଥି ତବ ଗୃହେ ଉପଗତ ।

ତିନିଦିନ ହେଲା ବିପ୍ର ଛନ୍ତି ନିରାଧାରେ ।
                       ପୂଜ ତାଙ୍କୁ ଜନ୍ତୁରାଣ ଉଚିତ ବେଭାରେ ।  (ନ.ଭ. ୧।୧।୩)


ମନ୍ତ୍ର ୮


ବ୍ରାହ୍ମଣ ଅତିଥି ଗୃହେ ହେଲେ ଅନାଦୃତ 
ନାଶନ୍ତି ଅନଳ ପ୍ରାୟେ ସକଳ ସୁକୃତ ।

ଗୃହସ୍ଥର ଗୃହେ ଯେବେ ଅତିଥି ବ୍ରାହ୍ମଣ 
ରହନ୍ତି ନ ଯାଇ ଯଥାବିହିତ ଭୋଜନ ।

ସେ ମନ୍ଦମତିର ଯାଏ ସର୍ବ ଧର୍ମ ନାଶ
ନ ରହେ ତାହାର କେବେ ପଶୁ ପୁତ୍ର ଆଶ ।

ବାଞ୍ଛାସିଦ୍ଧି ନୁହେ, ଆଶା ନ ହୁଏ ପୂରଣ  
ପ୍ରିୟସତ୍ୟ ସମ୍ଭାଷଣ ତା'ର ଅକାରଣ ।

ଯଜ୍ଞ କଲେ ଯଜ୍ଞଫଳ ନ ହୁଏ ପ୍ରାପତ
ତଡ଼ାଗ ଉଦ୍ୟାନ ଦାନେ ନୁହେ ପୁଣ୍ୟବନ୍ତ ।

ନ ଲଭେ ଜୀବନେ କେବେ ସାଧୁସଙ୍ଗ ଫଳ
ବିଫଳ ହୁଅଇ ତା'ର ସୁକୃତ ସକଳ ।"

ବିଷମ ବାରତା ଶୁଣି ଭୃତ୍ୟଗଣ ମୁଖେ 
                       ନଚିକେତା ସନ୍ନିଧାନେ ଯମରାଜା ଦୁଃଖେ । (ନ.ଭ. ୧।୧।୩)

Monday, June 06, 2016

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ପ୍ରଥମ ଅଧ୍ୟାୟ 


ପ୍ରଥମ ବଲ୍ଲୀ: ମନ୍ତ୍ର ୬



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ଯାହା ହେଉ କ୍ରୋଧେ ପିତା କହିଲେ ଯେ କଥା ।
ପାଳିବି ତା, ନ କରିବି କେବେ ହେଁ ଅନ୍ୟଥା ।"
କ୍ଷଣେ ଅନ୍ତେ ପିତାଙ୍କର କ୍ରୋଧ ଉପସମେ ।
'କି କହିଲି' ବୋଲି ବ୍ୟଥା ପାଇଲେ ମରମେ ।।

ତହୁଁ ନଚିକେତା ସ୍ନିଗ୍ଧ କୋମଳ ବଚନେ ।
କହନ୍ତି, "ହେ ପିତା, କିଁପା ଦୁଃଖ କର ମନେ ?  
ଆମ୍ଭ ପିତୃ ପିତାମହ ପୂର୍ବ ଆଚରଣ 
ଯେ ବିଧାନେ ଚଳୁଛନ୍ତି ଏବେ ସାଧୁଗଣ ।।

ଶୁଦ୍ଧ ବୁଦ୍ଧ ଚିତ୍ତେ ତାହା କର ହେ ବିଚାର ।
କରନାହିଁ କେବେ ନିଜ ଉକ୍ତି ପ୍ରତ୍ୟାହାର ।
ବ୍ରୀହି ଯବ ଶସ୍ୟ ସମ ମରଇ ମାନବ ।
ଶସ୍ୟ ସମ ହୁଏ ପୁଣି ତାହାର ଉଦ୍ଭବ ।।
ଜମନ-ମରଣ-ବଶ ଅନୁକ୍ଷଣ ଲୋକ
ପେଷ ମୋତେ ଯମପୁରେ କରନାହିଁ ଶୋକ ।।"

ପିତୃସତ୍ୟ ରକ୍ଷା ଲାଗି ସେ ଯୋଗ୍ୟ ତନୟ 
ଆଜ୍ଞାଶିରେ ବହି ବେଗେ ଗଲେ ଯମାଳୟ ।
ନଚିକେତା ପ୍ରବେଶିଲେ ଯେବେ ଯମପୁରେ 
ଥିଲେ ଯମ ପରବାଶେ କାହିଁ ବହୁ ଦୂରେ ।
ବାହୁଡ଼ନ୍ତେ ତିନିଦିନ ଅନ୍ତେ ନିଜ ବାସେ 
                       ଭୃତ୍ୟଗଣ  ଜଣାଇଲେ ଶମନ ସକାଶେ ।। (ନ.ଭ. ୧।୧।୨)

Saturday, June 04, 2016

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ପ୍ରଥମ ଅଧ୍ୟାୟ 


ପ୍ରଥମ ବଲ୍ଲୀ: ମନ୍ତ୍ର ୪-୫ 



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ମନ୍ତ୍ର ୪


ପିତାଙ୍କୁ ସେ ନଚିକେତା ପୁଚ୍ଛନ୍ତି ବଚନ 
"କାହା ଦାନ ଲାଗି ମୋତେ କଳ୍ପିଛ ଆପଣ" 
ବାରମ୍ବାର ପଚାରନ୍ତେ ପିତା ବିରକତେ 
କହିଲେ "ଯମକୁ ଦେବି ଏହି ଲାଗେ ତତେ" । (ନ.ଭ. ୧।୧-୨)

ମନ୍ତ୍ର ୫


ଶୁଣି ଏ ବଚନ ପୁତ୍ର ଭାବନ୍ତି ହୃଦୟେ,
"କିମ୍ପାଇଁ ପେଷିବେ ପିତା ମୋତେ ଯମାଳୟେ?
ଛନ୍ତି ପିତାଙ୍କର ପୁତ୍ର ଶିଷ୍ୟ ଯେତେ ଜଣ 
ସେବାଧର୍ମେ ମୁଁ ତ ନୁହେଁ ଅତି ଅକିଞ୍ଚନ ।
ନ ହେବି ଉତ୍ତମ ମଧ୍ୟେ ଯେବେ ଶ୍ରେଷ୍ଠତମ 
ମଧ୍ୟମ କୋଟିରେ କେବେ ନୁହେଁ ମୁଁ ଅଧମ ।  (ନ.ଭ. ୧।୧।୨)

Friday, June 03, 2016

ପାଲି ଧମ୍ମପଦର ଓଡ଼ିଆ  ପଦ୍ୟାନୁବାଦ - ୭ ଯମକ ବଗ୍ଗ 



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ସୁଭାନୁପସ୍ସିଂ ବିହରନ୍ତଂ‌ ଇନ୍ଦ୍ରିୟେସୁ ଅସଂବୁତଂ ।
ଭୋଜନମ୍ହି ଅମତ୍ତଞ୍ଜୁଂ କୁସୀତଂ ହୀନବୀରିୟଂ ।
ତଂ ବେ ପସହତି ମାରୋ ବାତୋ ରୁକ୍ଖଂ'ବ ଦୁବ୍ବଳଂ ।୭।

 କାମଗୁଣ  ଶୁଭରୂପେ ଦେଖି ଯେ ବିହରେ ।
ଅସଞ୍ଜତ ଅଟଇ ସେ ନିଜ ଇନ୍ଦ୍ରିୟରେ ।।

ଭୋଜନରେ ମାତ୍ରାଜ୍ଞାନ ତାହାର ଯେ ନାହିଁ ।
ଅଳସ ଓ ହୀନବୀର୍ଯ୍ୟ ନିଶ୍ଚେ ସେ ଅଟଇ ।।

ମାର ବଳାତ୍କାରେ ତାର ଉନ୍ମୁଳନ କରେ ।
ଯେପରି ମାରୁତ ଦୁର୍ବଳ ପାଦପ ସଂହରେ ।୭।

ପାଲି ଧମ୍ମପଦର ଓଡ଼ିଆ  ପଦ୍ୟାନୁବାଦ - ୬ ଯମକ ବଗ୍ଗ 


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ପରେ ଚ ନ ବିଜାନନ୍ତି ମୟମେତ୍ଥ ୟମାମସେ ।
ୟେ ଚ ତତ୍ଥ ବିଜାନନ୍ତି ତତୋ ସମ୍ମନ୍ତି ମେଧଗା ।୬। 

ଆମ୍ଭେମାନେ ସର୍ବେ ସଦା ମୃତ୍ୟୁ  ଅନୁଚର ।
ନ ଜାଣନ୍ତି ଅପଣ୍ଡିତ ମାନେ ଏ ବ୍ୟାପାର ।।

ଯେହୁ ଜନ ଜାଣେ ଏହି ପରମ ଯେ ଜ୍ଞାନ ।
ସମସ୍ତ କଳହର ତା' ଘଟେ  ଅବସାନ ।୬।

Wednesday, June 01, 2016

ପାଲି ଧମ୍ମପଦର ଓଡ଼ିଆ  ପଦ୍ୟାନୁବାଦ - ୫ ଯମକ ବଗ୍ଗ 



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ନହି ବେରେନ ବେରାନି ସମ୍ମନ୍ତୀଧ କୁଦାଚନଂ ।
ଅବେରେନ ଚ ସମ୍ମନ୍ତି ଏସ ଧମ୍ମୋ ସନନ୍ତନୋ ।୫।

ଇହଲୋକେ ବୈର ଦ୍ୱାରା ବୈରର ଶମନ ।
କଦାଚିତ ହୁଏ ନାହିଁ ବୋଲି ଏହା ଜାଣ ।।

ଅବୈର ଦ୍ୱାରା ହିଁ ଶାନ୍ତ ହୁଅଇ ଯେ ବୈର ।
ନିୟମ ଅଟଇ ଏ ସନାତନ ଧର୍ମର ।୫। 

ପାଲି ଧମ୍ମପଦର ଓଡ଼ିଆ  ପଦ୍ୟାନୁବାଦ - ୪ ଯମକ ବଗ୍ଗ 



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ଅକ୍କୋଛ୍ଛି ମଂ ଅବଧି ମଂ ଅଜିନି ମଂ ଅହାସି ମେ ।
ୟେ ତଂ ନଉପନୟ୍ହନ୍ତି ବେରଂ ତେଷୂପଶାମ୍ୟତି ।୪।

ଆକ୍ରୋଶ କରିଲା ମୋତେ ପ୍ରହାର କରିଲା ।
ପରାଜୟ କଲା ମୋର ହରି ସେ ଯେ ନେଲା ।

ଏମନ୍ତ ବିଚାର ଯିଏ ପରିତ୍ୟାଗ କରେ ।
ବୈର ଭାବ ତାର ଶାନ୍ତ ନିଶ୍ଚିତ ଭାବରେ ।୪।