Friday, July 31, 2015

ଓଡିଆ ବାବା 



ପୂଜ୍ୟ ସ୍ୱାମୀଜୀ ଶ୍ରୀ ଓଡିଆ ବାବା (୧୮୭୫ - ୧୯୪୮) ବିଂଶ ଶତାବ୍ଦୀର ସବୁଠାରୁ ମହତ୍ତମ ଅଦ୍ୱେତ ବେଦାନ୍ତର ସନ୍ୟାସୀମାନଙ୍କ ମଧ୍ୟରୁ ଜଣେ ।  ଏଣୁ ନିଜର ଇହଲୀଳା ଦୃଷ୍ଟିରୁ  ସେ ରମଣ ମହର୍ଷିଙ୍କର ସମସାମୟିକ ଥିଲେ । ଜଣେ ବ୍ରହ୍ମନିଷ୍ଠ ପରମହଂସ ଭାବରେ ସେ ଉତ୍ତର ଭାରତରେ ଖ୍ୟାତ ଥିଲେ - ସେ ଥିଲେ ଜ୍ଞାନୀଙ୍କର ଜ୍ଞାନୀ । ହେଲେ ବୋଧେ ହୁଏ ଏହି ବ୍ଲଗର ଅଧିକାଂଶ ପାଠକ ଓ ଅନ୍ୟ ଶିକ୍ଷିତ ଓଡିଆ ମାନେ ଓଡିଆ ବାବା କିଏ ଜାଣି ନ ଥିବେ । ଓଡିଆ ମାନଙ୍କ ପାଇଁ ଗାଁ କନିଆଁ ସିଙ୍ଗାଣାନାକି । 

ଯଦିଓ ସେ ଓଡିଆ ବାବା ଭାବରେ ଖ୍ୟାତ ଥିଲେ, ତାଙ୍କର ସନ୍ୟାସାଶ୍ରମର ନାମ ଥିଲା ଶ୍ରୀ ପୂର୍ଣାନନ୍ଦ ତୀର୍ଥ ମହାରାଜଜୀ । ତାଙ୍କର ପିତୃଦତ୍ତ ନାମ ଥିଲା ଶ୍ରୀ ଆର୍ତ୍ତତ୍ରାଣ ମିଶ୍ର । ତାଙ୍କର ଜନ୍ମ ପୁରୀର ରାଜଗୁରୁ ବଂଶର ଏକ ଓଡିଆ ବ୍ରାହ୍ମଣ ପରିବାରରେ । ସ୍ୱାମୀଜୀଙ୍କର ଜଣେ ପୂର୍ବଜ ଶ୍ରୀକାଶୀ ମିଶ୍ର ଚୈତନ୍ୟ ମହାପ୍ରଭୂଙ୍କର ଅନ୍ତରଙ୍ଗ ଥିଲେ । ସ୍ୱାମୀଜୀଙ୍କର ପିତାଙ୍କର ନାମ ଥିଲା ଶ୍ରୀ ବୈଦନାଥ ମିଶ୍ର, ମାତାଙ୍କର ନାମ ଶ୍ରୀମତି ଲକ୍ଷ୍ମୀଦେବୀ । ତାଙ୍କର ଜନ୍ମ ଜନ୍ମାଷ୍ଟମୀ ଦିନ ।  


ବ୍ରତପୋନୟନ ପରେ ସେ ଘରେ ବିଦ୍ୟାଧ୍ୟୟନ କଲେ । ଏହାପରେ ଶିକ୍ଷାଲାଭ ପାଇଁ ସେ ମୟୁରଭଞ ଯାତ୍ରା କଲେ । ମାତ୍ର ମୟୁରଭଞରେ  ବେଶୀ ଦିନ ନ ରହି ସେ ବାଲ୍ୟାୱେଡାରେ ଅଧ୍ୟୟନ ଆରମ୍ଭ କଲେ । ଅଧ୍ୟୟନ ସମୟରେ ଜଣେ ଘନିଷ୍ଠ ବନ୍ଧୁ ଗଙ୍ଗାଧର ମିଶ୍ରଙ୍କର ଆକସ୍ମିକ ମୃତ୍ୟୁପରେ ତାଙ୍କର ବୈରାଗ୍ୟ ଜାତ ହେଲା । ମାତ୍ର ସେ ନିଜର ଅଧ୍ୟୟନ ଜାରୀ ରଖିଲେ, ଓ କାବ୍ୟତୀର୍ଥ ଉପାଧି ଲାଭ କରି ଘରକୁ ଲେଉଟି ଆସିଲେ । ଏହି ସମୟରେ ଓଡିଶାରେ ପଡିଥିବା ଦୁର୍ଭିକ୍ଷରୁ ଲୋକଙ୍କୁ ରକ୍ଷା କରିବା ପାଇଁ  ଅକ୍ଷୟପାତ୍ର ଲାଭ କରିବା ନିମନ୍ତେ ସେ ଆସାମର କାମାକ୍ଷାଠାରେ ସାଧନାରତ ଥିବା ସମୟରେ ତାଙ୍କର ନିଷ୍କାମଭକ୍ତି ଜାତ ହେଲା । ସେ ଏହା ପରେ ମୟୁରଭଞରେ କିଛିଦିନ ରହି କାଶୀ ଯାତ୍ରା କଲେ । ଏହାପରେ ପୁରୀକୁ ଫେରି ଆସି, ସେ ପୁରୀର ଶଙ୍କାରାଚାର୍ଯ୍ୟ ସ୍ୱାମୀ ମଧୁସୂଦନ ତୀର୍ଥଙ୍କଠାରୁ ନୈଷ୍ଠିକ ବ୍ରହ୍ମଚର୍ଯ୍ୟ ଦିକ୍ଷା ଗ୍ରହଣ କଲେ ଓ ବ୍ରହ୍ମଚାରୀ ବାସୁଦେବ ସ୍ୱରୂପ ନାମ ଗ୍ରହ‌ଣ କଲେ । ଜଣେ ସିଦ୍ଧଗୁରୁଙ୍କୁ ଖୋଜୁଥିବା ସମୟରେ, ଅନେକ ସାଧନା ପରେ, ବତିଶି ବର୍ଷ ବୟସରେ ସ୍ୱାମୀ ମଧୁସୂଦନ ତୀର୍ଥଙ୍କଠାରୁ ହିଁ ସେ ସନ୍ୟାସ ଦିକ୍ଷା ଗ୍ରହଣ କଲେ । 

ସନ୍ୟାସ ଦିକ୍ଷା ଗ୍ରହଣ ପରେ, ସେ ମୂଖ୍ୟତଃ ଉତ୍ତର ଭାରତରେ ଏକ ପରିବ୍ରାଜକ ରୂପେ ଜୀବନ ଅତିବାହିତ କଲେ । ସେ ୧୯୩୮ ମସିହାରେ ବୃନ୍ଦାବନଠାରେ ଶ୍ରୀକୃଷ୍ନ ଆଶ୍ରମର ସ୍ଥାପନା କଲେ ।  ତାଙ୍କର ଶିଷ୍ୟମାନଙ୍କ ମଧ୍ୟରେ  ସ୍ୱାମୀ ଅଖଣ୍ଡାନନ୍ଦ ସରସ୍ୱତୀ ବୋଧେହୁଏ ସର୍ବପ୍ରସିଦ୍ଧ ।  ସେ ୧୯୪୮ ମସିହାରେ ଇହଲୀଳା ସମ୍ବରଣ କଲେ । 

Thursday, July 30, 2015

ଶ୍ରୀ ରମଣ ମହର୍ଷି କୃତ 'ଉପଦେଶ ସାର': ଶ୍ଲୋକ - ୨



ଶ୍ଲୋକ 


କୃତି ମହୋଦଧୌ ପତନ କାରଣମ୍ ।
ଫଳମଶାଶ୍ୱତମ୍ ଗତି ନିରୋଧକମ୍ ।।

ପଦ ଚ୍ଛେଦ


କୃତି - କର୍ମ 
ମହୋଦଧୌ - ମହାସାଗରରେ
ପତନ କାରଣମ୍ - ପତନର କାରଣ
ଫଳମ୍ - ଫଳ 
ଅଶାଶ୍ୱତମ୍ - ଅଶାଶ୍ୱତ 
ଗତି - ଗତି 
ନିରୋଧକମ୍ - ନିରୋଧକ 

ପଦ୍ୟାନୁବାଦ


ସଂସାର ମହାସାଗରରେ ।
କର୍ମର ଯୋଗୁଁ ଜୀବ ପଡେ ।।
କର୍ମର ଫଳ ଅଶାଶ୍ୱତ।
ପ୍ରଗତି କରଇ ବାରିତ ।

Wednesday, July 29, 2015

ଓଡିଆ ଖିରି




ଆଜିକାଲି ସବୁଠି ଖିରି ଖାଇବାକୁ ମିଳୁଛି । କିନ୍ତୁ ପ୍ରାୟତଃ ତାହା କିଛି ଅଧିକ ଖିର ମିଶିଥିବା ଜାଉ ।  ଖିରି ଓ ଜାଉର ପ୍ରଭେଦ ପରେ ଦେଖିବା । ଆସନ୍ତୁ ଦେଖିବା ଅସଲ ଖିରି କରିବା କେମିତି । 

ସାମଗ୍ରୀ 


ଖିର ଏକ ଲିଟର, ଛୋଟ ଦାନା ଅରୁଆ ଚାଉଳ ତିନି ଗ୍ରାମ୍ (ଚାହା ଚାମୁଚର ଅଧା), ଚିନି ଦଶ ଗ୍ରାମ୍, କାଜୁ ୨୫ ଗ୍ରାମ୍, କିସମିସ୍ ୨୫ ଗ୍ରାମ୍, ଗୁଜୁରାତି  ଚାରିଟା (୪ଟା), ଗୁଆ ଘିଅ ଏକ (୧) ଚା ଚାମୁଚ ବା ପାଞ୍ଚ (୫) ଗ୍ରାମ୍, ଲୁଣ ଚିମୁଟାଏ ।

ପ୍ରଣାଳୀ


ଆଲୁମିନିଅମ୍ ବାସନରେ ଖିରକୁ ବିନା ପାଣିରେ ଗ୍ୟାସ୍ ଚୁଲ୍ଲାରେ ଛୋଟ ଆଞ୍ଚରେ ସବୁଠାରୁ ଧିମା ନିଆଁରେ ବସାନ୍ତୁ । ଷ୍ଟିଲ୍ ବାସନରେ ତଳେ ଲାଗିଯିବାର ସବୁବେଳେ ଭୟ ଥାଏ । ମଝିରେ ମଝିରେ ଘାଣ୍ଟୁଥାଅନ୍ତୁ । ଖିର ଘଣ୍ଚାଏ ଫୁଟି ସାରିଲା ପରେ ଅଧ ଚାହା ଚାମୁଚ (ସବୁଠୁ ଛୋଟ ଚାମୁଚ) ଚାଉଳକୁ (୩-ତିନି ଗ୍ରାମ୍) ଧୋଇ ଖିରରେ ପକାନ୍ତୁ । କସ୍ମିନ୍ କାଳେ ଅଧିକ ଚାଉଳ ପକାଇବେ ନାହିଁ ।

ଆହୁରି ଦୁଇ ଘଣ୍ଟା ଖିରକୁ ଫୁଟାନ୍ତୁ । ମଝିରେ ମଝିରେ ଘାଣ୍ଟୁଥିବେ । ନିଆଁ ଉପରେ ଏ ପର୍ଯ୍ୟନ୍ତ ଖିର ତିନି ଘଣ୍ଟା ଫୁଟି ସାରିଥିବ । ଏବେ ୧୦ ଗ୍ରାମ୍ ଚିନି, ଅର୍ଥା୍ତ୍ ଦୁଇ ଚା ଚାମୁଚ ବା ଛୋଟ ଚାମୁଚ ଚିନି, ପକାଇ ଦିଅନ୍ତୁ । ଚିନି ପକାଇ ସାରି, କାଜୁ ଓ କିସମିସକୁ ଗୁଆ ଘିଅରେ ଭାଜି ଖିରରେ ପକାଇ ଦିଅନ୍ତୁ ।  ଏହା ପରେ ଗୁଜୁରାତିକୁ ଛିଣ୍ଡେଇ ଚୋପା ସହିତ ଖିରରେ ପକାନ୍ତୁ । ଆହୁରି ଘଣ୍ଟାଏ ଖିରକୁ ଘାଣ୍ଟିଘାଣ୍ଟି ଫୁଟାନ୍ତୁ । 

ଖିର ଚାରି ଘଣ୍ଟା ଫୁଟି ସାରିଲା ପରେ ଲୁଣ ଚିମୁଟାଏ ଖିରରେ ପକାଇ ଦିଏନ୍ତୁ । ଏତେ ବେଳକୁ ଏକ ଲିଟର ଖିର ଫୁଟି ପାଏ ବା ୨୫୦ ଗ୍ରାମ୍ ହୋଇ ସାରିଥିବ । ଲୁଣ ପକାଇ ସାରିବାର ପାଞ୍ଚ ମିନିଟ୍ ପରେ ଖିରିକୁ ଓହ୍ଲା୍ଇ ଦିଅନ୍ତୁ । 

ବି.ଦ୍ର.:


୧. ଆଲୁମିନିଅମ୍ ବାସନ ବ୍ୟବହାର କରନ୍ତୁ । କସ୍ମିନ୍ କାଳେ ଷ୍ଟିଲ୍ ବାସନ ବ୍ୟବହାର କରିବେ ନାହିଁ ।
୨. କେବେ ବି ଲିଟର୍ ପିଛା ୩ (ତିନି) ଗ୍ରାମରୁ ଅଧିକ ଚାଉଳ ବ୍ୟବହାର କରିବେ ନାହିଁ । 
୩. କେବେ ବି ଲିଟର୍ ପିଛା ୧୦ (ଦଶ) ଗ୍ରାମରୁ ଅଧିକ ଚିନି ବ୍ୟବହାର କରିବେ ନାହିଁ ।
୪. ଖିରକୁ ନିୟମିତ ଘାଣ୍ଟିବେ । 
୫. ସବୁଠାରୁ ଧିମା ଆଞ୍ଚରେ ସବୁବେଳେ ଖିରକୁ ଫୁଟାଇବେ ।
୬. ଲୁଣ ସବା ଶେଷକୁ ହିଁ ପକାଇବେ । ନ ହେଲେ ଖିରି  ପାଣି ଫାଟିଯିବ । 

Tuesday, July 28, 2015

ଗୋଟିଏ ମୃତ ଖଟିର ଚିତ୍ରାବଳୀ

ଲେଖା - ଶୈଲେନ ରାଉତରାୟ । ଫଟୋ - ଜ୍ୟୋତିଶଙ୍କର ସିଂହ

ଫଟୋ କ୍ରେଡିଟ୍ - ଜ୍ୟୋତିଶଙ୍କର ସିଂହ

ଓଡିଶାର ଜନଜୀବନ ବିଭବଶାଳୀ । ମାତ୍ର ଦୀର୍ଘ ଦିନର ରାଜନୈତିର ଓ ସାଂସ୍କୃତିକ ପରାଧିନତା ଯୋଗୁଁ ଆମେ ଆମର ସାମାଜିକତାର ଅନେକ ତାତ୍ପର୍ଯ୍ୟପୂର୍ଣ ବିଭାବଗୁଡ଼ିକର ଅଣଦେଖା କରୁ । ଆତ୍ମସଚେତନତା ଅଭାବରୁ ସେ ଗୁଡ଼ିକ ଆମର ଆଧୁନିକ ଜୀବନଚର୍ଯ୍ୟା ଓ ରାଷ୍ଟ୍ରୀୟ ଜୀବନର ଅଂଶ ବନିପାରନ୍ତି ନାହିଁ । ଏ ପରି ବିଭାବଗୁଡ଼ିକ ମଧ୍ୟରୁ, ଆମ ନାଗରିକ ଜୀବନର, ଏକ ଗୁରୁତ୍ତ୍ୱପୂର୍ଣ ଅଙ୍ଗ ହେଲା ଖଟି । ଏବେ ରାସ୍ତା ଚଉଡ଼ା ଆଳରେ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ ଖଟିଗୁଡ଼ିକ ବିରୁଦ୍ଧରେ ଏକ ଅଘୋଷିତ ଯୁଦ୍ଧ ଚଲାଇଛି । ଏଇ ଯୁଦ୍ଧର ସଦ୍ୟତମ କାଜୁଆଲିଟି ହେଲା ଚନ୍ଦ୍ରଶେଖରପୁର ଅଞ୍ଚଳର ସର୍ଭେ ଅଫ୍ ଇଣ୍ଡିଆ ଖଟି । 

ଫଟୋ କ୍ରେଡିଟ୍ - ଜ୍ୟୋତିଶଙ୍କର ସିଂହ

ସର୍ଭେ ଅଫ୍ ଇଣ୍ଡିଆ ଖଟିଟି ମରିସାରିଛି । ତା'କୁ ସରକାର୍ ସର୍ଭେ ଅଫ୍ ଇଣ୍ଡିଆ ଅଫିସିର କଡ଼ ରାସ୍ତାକୁ ବିମାନ ଓହ୍ଲାଇବା ପାଇଁ ଦରକାର ରନ୍‌ୱେ ଭଳି ଚଉଡ଼ା କରିବା ପାଇଁ ମାରିଦେଲା । ଚଉଡ଼ା ରାସ୍ତା ମହାପାତ୍ର ବାବୁଙ୍କ ଚାହା ଦୋକାନକୁ ଖାଇଲା, ଶନି ମହାରାଜଙ୍କର ମନ୍ଦିରକୁ ହଜମ କରିଦେଲା, ଖରା ବରଷାରେ ଖଟିର ଲୋକଙ୍କୁ ଓ ରାସ୍ତାରେ ଯା' ଆସ୍ କରୁଥିବା ଲୋକଙ୍କୁ ଛାଇ ଦେଉଥିବା ଓ ପରସ୍ପରକୁ ବିଭାହୋଇସାରିଥିବା ବର ଓ ଓସ୍ତ ଗଛକୁ ମଧ୍ୟ ଚାଟି ସଫା କରି ଦେଲା ।  

ଫଟୋ କ୍ରେଡିଟ୍ - ଜ୍ୟୋତିଶଙ୍କର ସିଂହ

ଖଟିଟିକୁ ଅନେକ ପ୍ରକାରର ଲୋକ ଆସୁଥିଲେ । ଅଫିସରମାନଙ୍କୁ ଅପେକ୍ଷା କରୁଥିବା ଡ୍ରାଇଭର୍, ଆକ୍ଟିଭିଷ୍ଟ୍‌ଙ୍କୁ  ଅପେକ୍ଷା କରୁଥିବା ଓଡ଼ିଆ କବି, କବିଙ୍କୁ ଅପେକ୍ଷା କରୁଥିବା ସାହିତ୍ୟର ଛାତ୍ର, ଓ ସାହିତ୍ୟର ଛାତ୍ରଙ୍କୁ ଅନନ୍ତ କାଳରୁ ଅପେକ୍ଷା କରିଥିବା କାର୍ଯ୍ୟରହିତ ବେକାର ସମାଜବିଜ୍ଞାନୀ - ସମସ୍ତେ, ସବୁ ପ୍ରକାରର ଲୋକ ଆସୁଥିଲେ । ମହାପାତ୍ରବାବୁଙ୍କ ଚାହା ଦୋକାନରେ ମିଳୁଥିଲା ସହରର ସବୁଠାରୁ ଭଲ ରାସ୍ତାକଡ଼ିଆ ବ୍ଲାକ୍ କଫି - ମାତ୍ର ପାଞ୍ଚ ଟଙ୍କା ଦାମ୍‌ରେ । ଏବେ ସବୁ ଗପସପ, ସବୁ କୋଳାହଳ, ସବୁ କାହାଣୀ, ରାସ୍ତାର ପେଟରେ । ଖାଲି ବାକି ଅଛି ରାସ୍ତା, ତାହାର ପେଟ ଓ ପେଟର ଅସରନ୍ତି ଭୋକ । 

ଫଟୋ କ୍ରେଡିଟ୍ - ଜ୍ୟୋତିଶଙ୍କର ସିିଂହ

Monday, July 27, 2015

'ରୋର୍ ଅଫ୍ ଦି ଗାଞ୍ଜେସ୍' : ଏକ ସମୀକ୍ଷା


ପରୀକ୍ଷ ଲୋକାନ୍ କର୍ମଚିତାନ୍ ବ୍ରାହ୍ମଣୋ
ନିର୍ବେଦଂ ଆୟାନ୍ ନାସ୍ତ୍ୟକୃତଃ କୃତେନ ।

ମାଣ୍ଡୁକ୍ୟ ଉପନିଷଦ୍ ୨.୧୨



                                                  ରୋର୍ ଅଫ୍ ଦ ଗାଂଜେସ୍ (ପ୍ରଥମ ପ୍ରକାଶନ - ୧୯୯୯)
                                                     ଲେଖକ - ମାର୍କ୍ ବରିଆନ୍ (ସ୍ୱାମୀ ତଦାତ୍ମାନନ୍ଦ ସରସ୍ୱତୀ)
                                                  ପ୍ରକାଶକ - ଇଶ୍ୱର୍ (ବିଜ୍ନେସ୍ ପବ୍ଲିକେଶନ୍ସ୍ ଇଙ୍କ୍), ମୁମ୍ବାଇ

ଏହି ବହିଟିକୁ ପଢିବାର ମୋତେ ସୁଯୋଗ ଦେଇଥିବାରୁ ମୁଁ ପ୍ରଥମେ ମୋର ଡି.ଏମ୍. ସ୍କୁଲର ଶିକ୍ଷାଗୁରୁ ସଞିତା ମ୍ୟାଡମଙ୍କୁ ଧନ୍ୟବାଦ ଦେବାକୁ ଚାହିଁବି । ଏ ବହିଟି ପୂଜ୍ୟ ଗୁରୁଜୀ ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କର ଶିଷ୍ୟ ସ୍ୱାମୀ ତଦାତ୍ମାନନ୍ଦ ସରସ୍ୱତୀଙ୍କର ଏକ ଆଧ୍ୟାତ୍ମିକ ଆତ୍ମଜୀବନୀ । ସ୍ୱାମୀ ତଦାତ୍ମାନନ୍ଦଙ୍କର ପୂର୍ବାଶ୍ରମର ନାମ ମାର୍କ ବରିଆନ୍ । ବହିଟି ସେହି ନାମରେ ଛପାଯାଇଅଛି ।

ଆଧୁନିକ କାଳରେ ଭାରତ ବାହାରେ ଧିରେ ଧିରେ ଭାରତୀୟ ଆଧ୍ୟାତ୍ମିକ ପରମ୍ପରାମାନଙ୍କର ପ୍ରଚାର ଓ ପ୍ରସାର ଘଟିଛି । ମାତ୍ର ପ୍ରାୟତଃ ପ୍ରଚାର ଘଟିଛି ପରମ୍ପରାଗୁଡିକର ନବ୍ୟରୂପଗୁଡିକର । ଇସ୍କନକୁ ଆମେ ବୈଷ୍ନବ ପରମ୍ପରାର ନବ୍ୟ ରୂପ ବୋଲି ଧରିପାରିବା । ଏହି ଅନୁଷ୍ଠାନର ସନ୍ୟାସୀ ରାଧାନାଥ ସ୍ୱାମୀଙ୍କର ଜୀବନୀ ଦ ଜର୍ଣି ହୋମ୍  (ଓଡିଆରେ ତୁଳସୀ ବୁକସ୍ ଦ୍ୱାରା ଘର ବାହୁଡା ଶୀର୍ଷକରେ ପ୍ରକାଶିତ) ରେ ଆମେ ଏପରି ପରମ୍ପରାର ଏକ ହୃଦୟଗ୍ରାହୀ ଚିତ୍ରଣ ଦେଖିବାକୁ ପାଉ ।

ସେହିପରି ଆମେ ବର୍ତ୍ତମାନ ବେଦାନ୍ତର ନବ୍ୟ ରୂପର (ଯାହା ନବ୍ୟବେଦାନ୍ତ ଭାବରେ କଥିତ) ପ୍ରସାର ପାଶ୍ଚାତ୍ୟ ଦେଶ ମାନଙ୍କରେ, ଓ କେତେକାଂଶରେ ଭାରତରେ ମଧ୍ୟ, ଦେଖିବାକୁ ପାଉଛୁ । ନବ୍ୟବେଦାନ୍ତବାଦୀମାନେ ମୋକ୍ଷ ପ୍ରାପ୍ତି ପାଇଁ ଆଧ୍ୟାତ୍ମିକ ଅନୁଭୂତି ଉପରେ ବେଶି ଗୁରୁତ୍ତ୍ୱ ଦିଅନ୍ତି । ମାତ୍ର ଶାସ୍ତ୍ର ମତରେ ଓ ତର୍କ ସଙ୍ଗତି ଅନୁସାରେ, ଆତ୍ମଜ୍ଞାନ ତଥାକଥିତ ଆଧ୍ୟାତ୍ମିକ ଅନୁଭୂତିର ବିଷୟ ନୁହେଁ । ଏହାର ପ୍ରାପ୍ତି ବେଦଜ୍ଞ, ଶାସ୍ତ୍ରଜ୍ଞ, ବ୍ରହ୍ମନିଷ୍ଠ ଗୁରୁଙ୍କଠାରୁ ଶାସ୍ତ୍ର ଶ୍ରବଣ ବିନା ଲାଭ କରାଯାଇ ନ ପାରେ । ବେଦାନ୍ତ ଏହି ଜ୍ଞାନ ପ୍ରାପ୍ତିର ଏକ ମାର୍ଗ ଓ ପ୍ରମାଣର ବିଷୟ । ତଥାକଥିତ ଅନଭୂତି ବା ତତ୍ତ୍ୱର ବିଷୟ ନୁହେଁ ।

ଶ୍ରୀ ଶଙ୍କରାଚାର୍ଯ୍ୟ 

ମାତ୍ର ନବ୍ୟବେଦାନ୍ତୀମାନଙ୍କର ଶାସ୍ତ୍ରନିଷ୍ଠା ନାହିଁ । ହେଲେ ପାଶ୍ଚାତ୍ୟ ଦେଶମାନଙ୍କରେ ଏହି ମାର୍ଗର ହିଁ ବେଶି ପ୍ରସାର ଘଟିଛି । ଏହି ପରିପ୍ରେକ୍ଷୀରେ ଜଣେ ପାରମ୍ପରିକ ବେଦାନ୍ତୀ ସନ୍ୟାସୀ ଭାବରେ ସ୍ୱାମୀ  ତଦାତ୍ମାନନ୍ଦ ସରସ୍ୱତୀଙ୍କର ଜୀବନର ଓ ଜୀବନୀର ଏକ ବିଶେଷ ତାତ୍ପର୍ଯ୍ୟ ରହିଛି ।

ସ୍ୱାମୀଜୀଙ୍କର ଜନ୍ମ ଯୁକ୍ତରାଜ୍ୟ ଆମେରିକାର ୱିସ୍କନସିନ୍ ରାଜ୍ୟର ମିଲାଅକି ସହରରେ । ଏକ ଭକ୍ତ କାଥଲିକ୍ ପରିବାରରେ । ପିଲାବେଳେ ମାର୍କଙ୍କର ଇଶ୍ୱରଭକ୍ତିରେ ଅନେକ ଦାର୍ଢ୍ୟତା ଥିଲା । ମାତ୍ର ସେ ସମୟର ଆନୁଷ୍ଠାନିକ ଧର୍ମାଚାରର ଅନ୍ଧ ଅନୁଶାସନ ଓ ସ୍ଥୁଳ ବିଶ୍ୱାସଭିତ୍ତିକ ଶିକ୍ଷା  ଯୋଗୁଁ ସେ ନିଜର ଭକ୍ତି ଓ ବିଶ୍ୱାସ ହରାଇଲେ । ପରେ ଶିକ୍ଷାଲାଭ ପରେ ସେ ଜଣେ କମ୍ପ୍ୟୁଟର୍ ଇଂଜିନିଅର୍ ଭାବରେ ଆମେରିକାର କାଲିଫର୍ନିଆ ରାଜ୍ୟରେ ଅନେକ ବର୍ଷ ସଫଳତାର ସହିତ କାମ କଲେ । ଏହା ଭିତରେ ତାଙ୍କର ବିବାହ ଓ ବିବାହ ବିଚ୍ଛେଦ ଘଟିଲା । ଭବସାଗରର ଘୂର୍ଣନରେ ଅତିଷ୍ଠ ହୋଇ ସେ ଆଧ୍ୟାତ୍ମିକ ମାର୍ଗରେ ଅଗ୍ରସର ହେଲେ ଓ ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କୁ ଗୁରୁ ଭାବରେ ଲାଭ କଲେ । ଆମେରିକାରେ ନିଜ ଗୁରୁଙ୍କର ଏକ ଆଶ୍ରମ ଅନେକ ବର୍ଷ ପରିଚାଳନା କଲାପରେ ସେ ପରିଶେଷରେ ଗଂଗାତଟରେ ସନ୍ୟାସ ଗ୍ରହଣ କଲେ । ଏବେ ସେ ଆମେରିକାର ନିଉ ଜର୍ସିସ୍ଥ ଆର୍ଶ ବୋଧ କେନ୍ଦ୍ରଠାରେ ଅବସ୍ଥାପିତ ।

ବହିଟିର ପ୍ରତ୍ୟେକ ପୃଷ୍ଠା ଜଣେ ସାଧକର ସଚ୍ଚୋଟ ଜମାନବନ୍ଦୀ । ଗୋଟିଏ ଆଧ୍ୟାତ୍ମିକ ପରମ୍ପରାରେ ବଢି, ଆଉ ଗୋଟିଏ ପରମ୍ପରାକୁ ଆଦରେଇନେଇ, ସ୍ୱାମୀଜୀ ବେଦାନ୍ତରେ ନିଜର ପରାକାଷ୍ଠା ପ୍ରତିପାଦିତ କରିଛନ୍ତି । ବହିଟି ଅତୀତ ଓ ବର୍ତ୍ତମାନର କାଳ ପ୍ରବାହ ମଧ୍ୟରେ ସ୍ୱଚ୍ଛନ୍ଦ ଭାବରେ ଗତି କରି ଅତୀତର ମାର୍କ ବରିଆନ୍ ଓ  ବର୍ତ୍ତମାନର ସ୍ୱାମୀ ତଦାତ୍ମାନନ୍ଦଙ୍କର ମଧ୍ୟରେ ଥିବା ଶୂନ୍ୟକୁ ଆଲୋକିତ କରେ । ଏହି ବହିଟି ଓଡିଆକୁ ଅନୁଦିତ ହେଲେ ଭାଷାରେ ଥିବା ଆଧ୍ୟାତ୍ମିକ ଆତ୍ମଜୀବନୀର ଅଭାବ ଅନେକାଂଶରେ ଦୂର ହୋଇପାରିବ ।

ସ୍ୱାମୀ ତଦାତ୍ମାନନ୍ଦ ସରସ୍ୱତୀ

ନ ତତ୍ର ସୂର୍ଯୋ ଭାତି ନ ଚନ୍ଦ୍ରତାରକଂ
ନେମା ବିଦ୍ୟୁତୋ ଭାନ୍ତି କୁତଃ ଅୟଂ ଅଗ୍ନିଃ ।
ତଂ ଏବ ଭାନ୍ତଂ ଅନୁଭାତି ସର୍ବଂ
ତସ୍ୟ ଭାସା ସର୍ବଂ ଇଦଂ ବିଭାତି ।। 

କଠ ଉପନିଷଦ ୨.୨.୧୫

Sunday, July 26, 2015

ରମାକାନ୍ତ ସାମନ୍ତରାୟଙ୍କର ଦୁଇଟି ବହି କଭର୍ 


କଳାକାର ଓ ଲେଖକ ରମାକାନ୍ତ ସାମନ୍ତରାୟ

ଓଡିଶାରେ ତଥାକଥିତ ବ୍ୟବସାୟିକ କଳାର ଆଲୋଚନ। ପ୍ରାୟ ନାହିଁ କହିଲେ ଚଳେ । ଆଜିକାଲି ଯାହା ପାଖରେ କମ୍ପ୍ୟୁଟର ଖଣ୍ଡିଏ ଅଛି, ସେ ଜଣେ କଭର୍  ଓ ଡିଜାଇନ ଆର୍ଟିଷ୍ଟ୍ । ଏହି କୋଳାହଳରେ ଭଲ କାମ କୁଆଡ଼େ ଯେ ହଜି ଯାାଉଛି ତାହାର ଠିକଣା ନାହିଁ । ଏଣୁ ଏଠାରେ ଆମେ ଆମ ସମକାଳର ଶ୍ରଦ୍ଧେୟ ଓ ସିଦ୍ଧହସ୍ତ ଲେଖକ ଓ କଳାକାର ରମାକାନ୍ତ ସାମନ୍ତରାୟଙ୍କର ଦୁଇଟି ବହି କଭରର ଉଦାହରଣ ମାତ୍ର ଦେଉଛୁ। 

ଡକ୍ଟର ସାମନ୍ତରାୟ ଓଡ଼ିଆ  ଭାଷା ସାହିତ୍ୟରେ ଉପାଦ୍ଧ୍ୟୁତ୍ତର ଶିକ୍ଷା ପରେ ଓଡ଼ିଆ ସାହିତ୍ୟ ଓ କଳା ଜଗତରେ ନିଜର ଏକ ନିଆରା ପରିଚୟ ସୃଷ୍ଟି କରିଅଛନ୍ତି । ତାଙ୍କର ଟିତ୍ରଗୁଡ଼ିକ ଦିଲ୍ଲୀ, ବରୋଦା ଓ ଭୁବନେଶ୍ୱରର ଅନେକ ଗ୍ୟାଲେରୀରେ ପ୍ରଦର୍ଶିତ ହୋଇଅଛି । ସେ ସମସାମୟିକ ଓଡ଼ିଆ ସାହିତ୍ୟ  ପରିପ୍ରେକ୍ଷୀରେ ଜଣେ ଲୋକପ୍ରିୟ ତଥା ଚର୍ଚ୍ଚିତ କଥାକାର ଓ କବି । 


ଉପରେ ଦିଆଯାଇଥିବା କଭର୍‌ଟି ସାମନ୍ତରାୟ, କବି ଭାରତ ମାଝୀଙ୍କର କବିତା ସଙ୍କଳନ ମୂର୍ତ୍ତିକାର  ପାଇଁ କରିଥିଲେ । ବହିଟିର ପ୍ରଥମ ସଂସ୍କରଣ ଭୁବନେଶ୍ୱରର ପ୍ରକାଶନ ସଂସ୍ଥା 'ପେନ୍ ଇନ୍'ଙ୍କ ଦ୍ୱାରା ୨୦୦୭ ମସିହାରେ ପ୍ରକାଶିତ । କଭର୍‌ଟି ଜଣେ ସମସାମୟିକ ପାକିସ୍ଥାନୀ କଳାକାରଙ୍କର ଚିତ୍ର ଉପରେ ଆଧାରିତ ।


ଏହି କଭର୍‌ଟି କବି ଭାରତ ମାଝୀଙ୍କର କବିତା ସଙ୍କଳନ ମାର୍ଫତ୍ ଫୁଟପାଥ୍  ଶୀର୍ଷକ ବହିର ପୁସ୍ତକଟିର ପ୍ରଥମ ସଂସ୍କରଣ ଭୁବନେଶ୍ୱରସ୍ଥ ପ୍ରକାଶକ 'ପକ୍ଷୀଘର ପ୍ରକାଶନୀ'ଙ୍କ ଦ୍ୱାରା ୨୦୧୪ ସାଲରେ ଛପାଯାଇଥିଲା । ଓଡ଼ିଆ ଅକ୍ଷରକୁ ବ୍ୟବହାର କରି ସାମନ୍ତରାୟଙ୍କ ଦ୍ୱାରା ଅଙ୍କିତ ଏକ ଚିତ୍ରମାଳାରୁ ଗୋଟିଏ ଚିତ୍ରକୁ ମୂଖ୍ୟତଃ ନେଇ ପ୍ରଚ୍ଛଦଟିକୁ ପ୍ରସ୍ତୁତ କରାଯାଇଅଛି ।   

Saturday, July 25, 2015

ଭଜନ - 'ରଥ ଯାତରା'

ଭଜନକାର - ସିଲୁ ରାଉତ



ଜଗା ଜଗା ବୋଲି ଯାହାକୁ ଖୋଜୁଚୁ ଦାରୁରେ ମିଳିବେ କାହିଁ ।
ଚେତନ ବସ୍ତୁକୁ ଜଡ଼ରେ ଖୋଜିଲେ ପାଇବୁ କି ମୁଢ଼ ତହିଁ ।୦।

ଦେହ ତୋ'ର ଅଟେ ନନ୍ଦିଘୋଷ ରଥ, ପଞ୍ଚେନ୍ଦ୍ରିୟ ତା'ର ଘୋଡ଼ା ।
ବୁଦ୍ଧି ତୋ' ସାରଥୀ, କଉଶଳ କରି, ମନର ଲଗାମ ଚଢ଼ା ।୧।

ନିଜେ ରଥସ୍ୱାମୀ, ଅସାଧନା ମାର୍ଗ ଅଟଇ ତୋ' ବଡ଼ଦାଣ୍ଡ ।
ନିରତେ ଭଜିଲେ ଦରଶନ ହେବ ପିଣ୍ଡ ଭିତରେ ବ୍ରହ୍ମାଣ୍ଡ ।୨।

ତୁହି ରଥ ତୁହି ପଥ, ତୁହି ନଦୀ ନଉକା ବି ଅଟୁ ତୁହି ।
ଏତିକି ଜାଣିଲେ ସଂସାରୁ ତରିବୁ, ସିଲୁ ରାଉତ ଯେ କହି ।୩।

Friday, July 24, 2015

ଶ୍ରୀ ରମଣ ମହର୍ଷି କୃତ 'ଉପଦେଶ ସାର':  ଶ୍ଲୋକ - ୧ 



ଶ୍ଲୋକ


କର୍ତ୍ତୃରାଜ୍ଞୟା ପ୍ରାପ୍ୟତେ ଫଳମ୍ ।
କର୍ମ କିଂ ପରମ୍ କର୍ମ ତତ୍ ଜଡମ୍ ।୧।

ପଦ୍ୟାନୁବାଦ 


ଇଶ୍ୱରଙ୍କର ଆଜ୍ଞା ବଳେ ।
କର୍ମର ଫଳ ସବୁ ମିଳେ ।।
କର୍ମ କି ଅଟଇ ପରମ ।
ଜଡ ହିଁ ଅଟେ ସେହି କର୍ମ ।।

ପଦ ଚ୍ଛେଦ


କର୍ତ୍ତୃଃ - କର୍ତ୍ତାଙ୍କର (ଅର୍ଥାତ୍ ଇଶ୍ୱରଙ୍କର), 
ଆଜ୍ଞୟା - ଆଜ୍ଞା ଦ୍ୱାରା, 
ପ୍ରାପ୍ୟତେ - ପ୍ରାପ୍ତ ହୁଏ, 
ଫଳମ୍ - ଫଳ,
କର୍ମ - କର୍ମ,
କିଂ - କି,
ପରମ୍ - ପରମ ବା ଶ୍ରେଷ୍ଠ,
କର୍ମ - କର୍ମ,
ତତ୍ - ସେହି,
ଜଡ଼ମ୍ - ଜଡ଼ 

Thursday, July 23, 2015

ତୁମର ପଳାୟନର ଦିନ

ଶୈଲେନ ରାଉତରାୟ


  


ତୁମର ପଳାୟନର ଦିନ ଆକାଶରେ ପଦ୍ମ ଫୁଟେ 
ଓ ମୁଁ ପୁଣି ଆଉଥରେ ଚାଲିପାରେ,  
ମୋ ଦୁଃଖର ପତଳା ପାରଦ  ଉପରେ ।

ତୁମର ପଳାୟନର ଦିନ 
ମୋ ବଗିଚାର ସୂର୍ଯ୍ୟମୁଖୀମାନେ
ଠୋ ଠୋ ହୋଇ ହସନ୍ତି,
ଯେପରି ଦଳେ ବେଶ୍ୟା ନିର୍ଲଜ ନିର୍ମମ ।
ଏବଂ ସେମାନଙ୍କର କଣ୍ଠସ୍ୱର ଶୁଭେ, 
ତୁମ ନିରବତାର ବିଷ୍ଫୋରଣର ପ୍ରତିଧ୍ୱନି  ସମ । 

ତୁମର ପଳାୟନର ଦିନ, 
ତୁମ ସ୍ମୃତିର ବାରୁଦ, ଅଦିନିଆ ବର୍ଷା ପରି
ଝରିପଡ଼େ, ଝରିଝରିପଡ଼େ ।
ଆଉ ମୋ ଦେହର ପ୍ରତିଟି ଲୋମକୂପେ ପଶି,
ନିରବ, ଅସହ୍ୟ ଯେତେ ଅତ୍ୟାଚାର କରେ ।  

ଏହି କବିତାଟି ପ୍ରଥମେ ଓଡ଼ିଆରେ ଲେଖାଯାଇଥିଲା । ମାତ୍ର ଏହା ଆଗେ  ଇଂରାଜୀ ଓ ହିନ୍ଦୀ ଭାଷାରେ ବାହାରୁଥିବା ଦ୍ୱିଭାଷୀ ସାହିତ୍ୟ ପତ୍ରିକା ପ୍ରତିଲିପି ର  ୨୦୧୧ ମସିହାର ନଭେମ୍ବର ଅଙ୍କରେ କବିଙ୍କ ଦ୍ୱାରା ଇଂରାଜୀକୁ ସ୍ୱ-ଅନୁଦିତ ହୋଇ ପ୍ରକାଶ ପାଇଥିଲା ।  

Wednesday, July 22, 2015

ପାଶୋରା ବହି, ବିସ୍ମୃତ ଇତିହାସ 


ଅନ୍ଧ  ଯୁଗର କାହାଣୀ  ବହିଟି ୧୯୭୫ ମସିହାରେ ଜାରି ହୋଇଥିବା ଜରୁରିକାଳୀନ ପରିସ୍ଥିତି ଉପରେ ଲିଖିତ ୧୬ଟି ଗପର ଏକ ସଙ୍କଳନ । ସମ୍ପାଦକ ହେଲେ ହୃଷିକେଶ ମଲ୍ଲିକ ଓ ଶତୃଘ୍ନ ପାଣ୍ଡବ । ବହିର ଦ୍ୱିତୀୟ ସଂସ୍କରଣ ଛପା ଯାଇଥିଲା ୧୯୯୩ ମସିହାରେ । ଏହି ସଂସ୍କରଣଟି ମୋ' ପାଖରେ ଅଛି । ପ୍ରଥମ ସଂସ୍କରଣଟିର ପ୍ରକାଶନର ବର୍ଷର ବହିରେ ଉଲ୍ଲେଖ ନାହିିଁ । ଏଥିରେ ବିଚିତ୍ର ବୋଲି କିଛି ନାହିଁ । ବଡ଼ ବଡ଼ ପ୍ରକାଶକ ମାନେ ଏହା କରନ୍ତି । ତେଣୁ ସମାବେଶର ପ୍ରକାଶକ ଜଗଦୀଶ ବାବୁ ଏପରି କାହିଁକି କଲେ ବୋଲି ଆମେ ତାଙ୍କୁ ହଲାପଟା କରିବାର କିଛି କାରଣ ନାହିଁ । ମୁଖବନ୍ଧ ଲେଖିଥିବା ଗାଳ୍ପିକ ଅଖିଳ ମୋହନ ପଟ୍ଟନାୟକଙ୍କର ହସ୍ତାକ୍ଷରରେ ବି ତାରିଖ ନାହିଁ । ତେଣୁ ପ୍ରକାଶନର ତାରିଖ ବାରିବାର ଉପାୟ କିଛି ନାହିଁ ।

ଇତିହାସ ପ୍ରତି ଏପରି ମନୋଭାବ ନିରୁତା ଓଡ଼ିଆ । ଯେପରି ଦେଖନ୍ତୁ  ୧୯୭୫ର ଜରୁରିକାଳୀନ ପରିସ୍ଥିତିକୁ ନେଇ ଆମର ବର୍ତ୍ତମାନର ଗତିବିଧିଗୁଡ଼ିକ । ଜରୁରିକାଳୀନ ପରିସ୍ଥିତି ଘୋଷଣା ହେବାର ୨୦୧୫ ମସିହାରେ ୪୦ ବର୍ଷ ପୂର୍ତ୍ତି ହେଲା । ଅନେକ ସମୀକ୍ଷକମାନଙ୍କର କହିବାର ହେଲା, ଆମେ ଏବେ ଏକ ଅଘୋଷିତ ଜରୁରି କାଳୀନ ପରିସ୍ଥିତି ମଧ୍ୟରେ ଜୀବନଯାପନ କରୁଛେ । ହେଲେ ଓଡ଼ିଶାରେ ଏ ସବୁ ବିଷୟରେ କିଛି ସୋରଶବଦ ନାହିଁ । ଖବର କାଗଜମାନଙ୍କରେ ଏ ସମ୍ବନ୍ଧରେ ରିପୋର୍ଟ୍ ପ୍ରକାଶିତ ହେଉ ନାହିଁ, କି ବିଶ୍ୱବିଦ୍ୟାଳୟମାନଙ୍କରେ ଏ ବିଷୟରେ ସମ୍ପାନ ବା ଆଲୋଚନାଚକ୍ର ଆୟୋଜିତ ହେଉନାହିଁ । ଏପରି ପରିସ୍ଥିତିରେ ଖାଲି ନିଜକୁ ନିଜର ଅର୍ଧଜାଗ୍ରତ ଅବସ୍ଥା ବିଷୟରେ ଚେତେଇ ଦେବା ପାଇଁ, କିଛି ଦିନ ପରେ ଅନ୍ଧ  ଯୁଗର କାହାଣୀ  ବହିଟିର ଏହି ବ୍ଲଗରେ ଏକ ସମୀକ୍ଷା ପ୍ରକାଶିତ କରିବାର ଚେଷ୍ଟା କରିବୁ, ଯଦି କେହି ସହୃଦୟ ସମୀକ୍ଷକ ମିଳିଲେ ତା'ହେଲେ । ବର୍ତ୍ତମାନ ପାଇଁ ଏଠାରେ ଖାଲି ପୁସ୍ତକଟିର ମଲାଟଟି ଦିଆଗଲା ।


Tuesday, July 21, 2015

ଶ୍ରୀ କୃତାର୍ଥ ଆଚାର୍ଯ୍ୟଙ୍କର ଏକ ଫଟୋ




ସମ୍ବଲପୁରୀ ବସ୍ତ୍ରାଳୟର ପ୍ରତିଷ୍ଠାତା, ପାଷାଣୀ ଅହଲ୍ୟାସମ ପଡ଼ି ରହିଥିବା ଓଡିଆ ହସ୍ତତନ୍ତକୁ ପୁନର୍ଜୀବନ ଦେଇଥିବା, ପୂଜ୍ୟ ଶ୍ରୀ କୃତାର୍ଥ ଆଚାର୍ଯ୍ୟଙ୍କର ଏକ ଆଲୋକଚିତ୍ର ପାଠକ ମାନଙ୍କର ଅବଗତି ନିମନ୍ତେ ଏଠାରେ ଦିଆଗଲା । 

Monday, July 20, 2015

କବି ଗୋରେଖ ଦାସ କୃତ ପ୍ରାଚୀନ ଭଜନ 'ମନ ଭ୍ରମରାରେ' 

ଗାୟକ - ବାଳକୃଷ୍ଣ ଦାସ

ମନ ଭ୍ରମରାରେ ଏ ଫୁଲରେ ନାହିଁ ବାସ ।
କାହିଁ ପାଇଁ ତୁହି ବାଇ ହୋଇ ଅଛୁ, ତହିଁ ପାଇବୁକି ଯଶ ।।

ପର୍ବତ ଶିଖରେ ପଦ୍ମ ଫୁଟିଅଛି, ଲେଉଟି ରହିଛି ପୁଷ୍ପ ।
ଯେବେତୁ ପାଇବୁ ସେ ଠାବକୁ ଯିବୁ ନିଶ୍ଚିନ୍ତେ ହୋଇବୁ ତୋଷ ।।

ସେଠାରୁ ତ୍ରିବେଣୀ ବହୁଛି ଉଜାଣି, ତହିଁରେ ଖେଳୁଛି ହଂସ ।
ଅମୁହାଁ ଦେଉଳେ ଘଣ୍ଟା ବାଜୁଅଛି, ନାହିଁ ରଜନୀ ଦିବସ ।।

ଅଣସୂତ୍ର ମାଳା ବାମ କରେ ଧରି ଭଜୁ ଅଛନ୍ତି ମହେଶ ।
ମାଳା ଛିଡିଗଲେ ଭେଳା ବୁଡିଯିବ, ଭଣଇ ଗୋରେଖ ଦାସ ।।