Wednesday, August 31, 2016

ଏକବିଂଶ ଶତାବ୍ଦୀରେ ଗଣତନ୍ତ୍ରର ଭବିଷ୍ୟତ - ୨ 



ଲେଖକ - ଶ୍ରୀ କିଶନ ପଟ୍ଟନାୟକ



କପିରାଇଟ୍ - ଶ୍ରୀମତି ବାଣୀମଞ୍ଜରି ଦାସ



ସୁହାର୍ତ୍ତୋଙ୍କର ଇସ୍ତଫା
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍


ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଗଣତାନ୍ତ୍ରିକବାଦୀ ଦେଶମାନେ ବିଜୟୀ ହେଲେ । ଇଟାଲୀ ଓ ଜର୍ମାନୀ ଫାସିବାଦର ଅବସାନ ପରେ ଗଣତନ୍ତ୍ରକୁ ଫେରିଆସିଲେ । ପୂର୍ବ ୟୁରୋପ୍ ରେ ଦେଶମାନେ ଷ୍ଟାଲିନ୍ ବାଦୀ ଏକଛତ୍ରବାଦ ବିରୁଦ୍ଧରେ ବିଦ୍ରୋହ କରିବା ଆରମ୍ଭ କରିଦେଲେ । ଏହାର ଶେଷ ପରିଣତି ହେଲା ସୋଭିଏତ୍ ଋଷ୍ ର ପତନ ଓ ବିଖଣ୍ଡନ । ତେଣୁ ଦେଖିବାକୁ ଗଲେ, ଗଣତନ୍ତ୍ରର ଶତ୍ରୁମାନେ ନିଶ୍ଚିହ୍ନ ହୋଇଗଲେ । ଆମେରିକା ସବୁଠାରୁ ବେଶୀ ପରାକ୍ରମୀ ଦେଶ ହେଲା । ଇତିହାସର ବିଡ଼ମ୍ବନା ଏପରି ଯେ ଗଣତନ୍ତ୍ରର ସବୁ ଶତ୍ରୁ ନିହତ ହୋଇଯିବା ପରେ ପଶ୍ଚିମର ଧନୀ ରାଷ୍ଟ୍ରମାନେ ବାକୀ ଦୁନିଆକୁ ଗଣତାନ୍ତ୍ରିକ କରିବାର ଉଦ୍ଦେଶ୍ୟକୁ ନିଜେ କୋହଳ କରିଦେଲେ। ୟୁରୋପ୍ ର ଗଣତାନ୍ତ୍ରିକ ଦେଶମାନେ ଦ୍ୱିତୀୟ ବିଶ୍ୱର ଗଣତନ୍ତ୍ର ବିଷୟରେ ସମ୍ପୂର୍ଣ୍ଣ ଉଦାସୀନ ହେଲେ । ଏପରିକି ପୂର୍ବ ୟୁରୋପୀୟ ଦେଶମାନଙ୍କ ଗଣତନ୍ତ୍ର ବିଷୟରେ ମଧ୍ୟ ସେମାନଙ୍କର କୌଣସି ଚିନ୍ତା ରହିଲା ନାହିଁ । ତୃତୀୟ ବିଶ୍ୱର ଦେଶମାନଙ୍କରେ ସରକାର ଭାଙ୍ଗିବା ଗଢ଼ିବାର କାମ ଆମେରିକା ନିଜ ହାତକୁ ନେଇଛି । ତାହାର ବୋଲକରା ଏକଛତ୍ରବାଦୀ ଶାସକମାନେ ଯେତେବେଳେ ପୁରୁଣା ହୋଇ ଲୋକଙ୍କର ଅପ୍ରିୟ ହୋଇଯାନ୍ତି, ସେତେବେଳେ ସେମାନଙ୍କୁ ହଟାଇବା ପାଇଁ ସେଇ ଦେଶର ଜନତାନ୍ତ୍ରିକ ଆନ୍ଦୋଳନକୁ ଟଙ୍କା ପଇସା ଦେଇ ଆମେରିକା ସାହାଯ୍ୟ କରେ । ତାହାର ନେତାମାନଙ୍କୁ ନିଜ ପଟିଆ କରିନିଏ । ନିକଟରେ ଇଣ୍ଡୋନେସିଆର ସୁହାର୍ତୋ ସରକାରକୁ ଏହିପରି ଭାବରେ ହଟାଇ ଦିଆଗଲା । ଏହି ପ୍ରଣାଳୀରେ ଲାଟିନ୍ ଆମେରିକାର ଅନେକ ଦେଶରେ ଗଣତନ୍ତ୍ରର ପୁନଃ ପ୍ରତିଷ୍ଠା କରାଇଥିବାର ବାହାଦୂରୀ ଆମେରିକା ନେଉଛି । ଏହା ସତ୍ତ୍ୱେ ପୃଥିବୀର ଅଧିକାଂଶ ଭୂଭାଗ ଆଜି ଗଣତନ୍ତ୍ରବିହୀନ । କିମ୍ବା, କୁହାଯାଇପାରେ ଯେ, ଅନେକ ଦେଶ ଅଛନ୍ତି, ଯେଉଁଠି ଗଣତାନ୍ତ୍ରିକ ବ୍ୟବସ୍ଥା ଆସୁଛି, ପୁଣି ଚାଲିଯାଉଛି । ବିକାଶଶୀଳ ଦେଶମାନଙ୍କ ଭିତରେ ଭାରତର ଅବସ୍ଥା ଭିନ୍ନ । ତାହାର ବିଶେଷ କାରଣ ବିଷୟରେ ଏହି ନିବନ୍ଧରେ ଅନ୍ୟତ୍ର ଆଲୋଚନା ହୋଇଛି ।

ଦ୍ୱିତୀୟ ବିଶ୍ୱଯୁଦ୍ଧ ସରିବାର ଦୁଇ-ତିନି ଦଶନ୍ଧି ମଧ୍ୟରେ ଏସିଆ, ଆଫ୍ରିକା ଓ ଲାଟିନ୍ ଆମେରିକାର ଅଧିକାଂଶ ଦେଶ ରାଜନୈତିକ ଭାବରେ ସ୍ୱାଧୀନତା ପାଇଗଲେ । ଏହି ଦେଶମାନଙ୍କର ଶିକ୍ଷିତ ଶ୍ରେଣୀ ପଶ୍ଚିମର ଗଣତନ୍ତ୍ର ଓ ସମୃଦ୍ଧି ପ୍ରତି ଆକୃଷ୍ଟ ହୋଇଥିଲେ । ତେଣୁ ସ୍ୱାଧୀନତା ପାଇବା ପରେ ସେମାନେ ମଧ୍ୟ ନିଜ ନିଜ ଦେଶର ଗଣତାନ୍ତ୍ରିକକରଣ ଓ ସମୃଦ୍ଧିକରଣ ଚାହିଁଲେ । ଏପର୍ଯ୍ୟନ୍ତ ସେମାନଙ୍କର ଏହି ଚେଷ୍ଟା ବ୍ୟର୍ଥ ହୋଇଛି କହିଲେ ଚଳେ । ଆଂଶିକ ଗଣତନ୍ତ୍ର କେତେକ ରାଷ୍ଟ୍ରରେ ସ୍ଥାପିତ ହୋଇଛି । ସମୃଦ୍ଧିର ସ୍ୱପ୍ନ ମଉଳିବାକୁ ବସିଲାଣି । ୟୁରୋପ୍ ଓ ଆମେରିକାକୁ ଯଦି ସମୃଦ୍ଧିର ମାପକାଠି ଧରାଯାଏ ତାହା ହେଲେ ତାହା ହାସଲ କରିବାର ସ୍ୱପ୍ନ ଚୀନ୍ ଓ ଭାରତର ନେତୃତ୍ୱ ମନରେ ଏକଦା ଥିଲା । ଏବେ କୌଣସି ଦାୟିତ୍ୱସମ୍ପନ୍ନ ବ୍ୟକ୍ତି ସେକଥା କହୁନାହାନ୍ତି । ସେମାନେ ଏବେ ଦକ୍ଷିଣକୋରିଆ, ସିଙ୍ଗାପୁର୍ କିମ୍ବା ମାଲୟେସିଆକୁ ଆଦର୍ଶ ବୋଲି ଧରୁଛନ୍ତି । କିନ୍ତୁ କାହିଁକି ? ଆମେ କାହିଁକି ଦକ୍ଷିଣ କୋରିଆର ସମୃଦ୍ଧି ଚାହିଁବା ? ଆମେ କାହିଁକି ଆମେରିକାର ବା ଜର୍ମାନୀର ସମୃଦ୍ଧି ଚାହିଁବା ନାହିଁ ? ଯେଉଁ କାରଣରୁ ଆମେରିକା ବା ଜର୍ମାନୀର ସମୃଦ୍ଧି ଆମକୁ ମିଳିବାର ନାହିଁ, ହୁଏତ ପ୍ରାୟ ସେହିପରି କାରଣରୁ ଦକ୍ଷିଣ କୋରିଆର ସମୃଦ୍ଧି ମଧ୍ୟ ଆମର ହସ୍ତଗତ ହୋଇପାରିବ ନାହିଁ । ଦକ୍ଷିଣ କୋରିଆ ଥିଲା ଏସିଆ ବ୍ୟାଘ୍ରମାନଙ୍କ ମଧ୍ୟରୁ ଜଣେ । ଏସୀୟ ଆର୍ଥିକ ସଙ୍କଟ ପରେ ଏସିଆର ବ୍ୟାଘ୍ରମାନେ ଆଉ ହୁଙ୍କାର ଦେଉନାହାନ୍ତି କାହିଁକି ?

ପଶ୍ଚିମର ସମୃଦ୍ଧି ପାଇଁ ଲାଳାୟିତ ହୋଇ ଆମେ ପଶ୍ଚିମା ବିଚାର ଦର୍ଶନକୁ ମଧ୍ୟ ଗ୍ରହଣ କରୁଛୁ । ଉଦାରବାଦ ଓ ମାର୍କ୍ସ୍-ବାଦ, ଉଭୟ ହେଉଛି ଆଧୁନିକ ପଶ୍ଚିମର ବିଚାର ଦର୍ଶନ । ସେମାନେ ପରସ୍ପର ବିରୋଧୀ ହେଲେ ମଧ୍ୟ, କେତେକ ମୁଖ୍ୟ ବିନ୍ଦୁରେ ସେମାନଙ୍କର ମତୈକ୍ୟ ରହିଛି । ଉଭୟଙ୍କ ମତରେ ମନୁଷ୍ୟ ସମାଜ ପାହାଚ ପାହାଚ ଚଢ଼ି ଚଢ଼ିକା ନିରବଚ୍ଛିନ୍ନ ଭାବରେ ଅଧିକ ସମୃଦ୍ଧି ଓ ଅଧିକ ବିକାଶ ଆଡ଼କୁ ଗତି କରିଚାଲିଛି । ତାହା ଯଦି ସତ ଓ ଗଣତନ୍ତ୍ର ଓ ସମୃଦ୍ଧି ଯଦି ବିକାଶର ଅନିର୍ବାର୍ଯ୍ୟ ଅଙ୍ଗ, ତାହା ହେଲେ ଅଧିକାଂଶ ପୃଥିବୀ କାହିଁକି ଅଗଣତାନ୍ତ୍ରିକ ଓ ଅସମୃଦ୍ଧ ହୋଇରହିଛି ? ପଶ୍ଚିମ ଓ ପୂର୍ବ ତଥା ଉତ୍ତର  ଓ ଦକ୍ଷିଣ ମଧ୍ୟରେ ଆର୍ଥିକ ବୈଷମ୍ୟ ବଢ଼ିଚାଲିଛି । ଅଧା ମନୁଷ୍ୟ ଦରିଦ୍ର, ଅସହାୟ ଓ ଅସୁସ୍ଥ ଅନୁଭବ କରୁଛନ୍ତି । ଏକ ତୃତୀୟାଂଶ ମନୁଷ୍ୟ କାଙ୍ଗାଳ ଅବସ୍ଥାରେ ରହିଛନ୍ତି । ମାନବ ସମାଜର ପ୍ରଗତି ନିଶ୍ଚୟ ହେଉନାହିଁ । କିମ୍ବା ପଶ୍ଚିମ ୟୁରୋପ୍ ଓ ଉତ୍ତର ଆମେରିକାକୁ ହିଁ ମାନବ ସମାଜ ବୋଲି ଧରି ସମାଜ ଓ ଇତିହାସର ନିୟମମାନ ତିଆରି ହୋଇଛି । ବିଶ୍ୱର ସମଗ୍ର ମାନବଜାତିକୁ ଯଦି ମାନବ ସମାଜ ବୋଲି ଧରାଯାଏ ଓ ମାନବକୁ ଏକ ପ୍ରଜାତି ଭାବରେ ନିଆଯାଏ, ତାହା ହେଲେ ପାଶ୍ଚାତ୍ୟ ବିଚାର ଦର୍ଶନର ଏହି ସରଳରୈଖିକ ନିରବଚ୍ଛିନ୍ନ ପ୍ରଗତିର ଅବଧାରଣା ସମ୍ପୂର୍ଣ୍ଣ ଭୁଲ୍ ଅଟେ । ସମୃଦ୍ଧି, ବିକାଶ, ପତନ ଓ ଉତ୍ଥାନର ନୂଆ ସମାଜଶାସ୍ତ୍ରୀୟ ବିଚାର ଓ ଦର୍ଶନ ଦରକାର ହେଉଛି । ତାହା ବିନା ଆମେ ପୃଥିବୀର ବର୍ତ୍ତମାନ ତଥା ଭବିଷ୍ୟତକୁ ବୁଝିପାରିବା ନାହିଁ ।

ଏହାକୁ ଅସ୍ୱୀକାର କରିହେବ ନାହିଁ ଯେ ଆଧୁନିକ ଗଣତନ୍ତ୍ରର ଆରମ୍ଭ ୟୁରୋପ୍ର ବ୍ରିଟେନ୍ ରେ ହୋଇଥିଲା । ସେମାନେ ପ୍ରାଚୀନ ଗ୍ରୀକ୍ ସଭ୍ୟତାରୁ ଏହାର ପ୍ରେରଣା ପାଇଥିଲେ । ପ୍ରାଚୀନ ଭାରତରେ ରାଜତନ୍ତ୍ରକୁ ମର୍ଯ୍ୟାଦିତ ବା ଅନୁଶାସିତ କରିବା ପାଇଁ ସମୟ ସମୟରେ ଚେଷ୍ଟା ହେଉଥିଲା । ଧର୍ମ-ଅନୁମୋଦିତ ସାମାଜିକ ସଙ୍ଘମାନଙ୍କର ନିଜସ୍ୱ ଅଧିକାର ଥିଲା । ଗଣରାଜ୍ୟମାନଙ୍କରେ କୌଣସି ରାଜବଂଶର ରାଜତ୍ୱ ଚଳୁନଥିଲା । କେତେକ ପ୍ରକାରର ନିର୍ବାଚନ ମଧ୍ୟ ପ୍ରଚଳିତ ଥିଲା । କିନ୍ତୁ ସବୁ ସାବାଳକ ନାଗରିକମାନଙ୍କର ମତଦାନର ଅଧିକାର, ବ୍ୟକ୍ତି ସ୍ୱାତନ୍ତ୍ର୍ୟର ଅଧିକାର ଓ ଶାସକମାନଙ୍କର କାର୍ଯ୍ୟକଳାପକୁ ନିୟନ୍ତ୍ରିତ କରିବା ପାଇଁ ସଂସଦ ଓ ନ୍ୟାୟପାଳିକାର ଅଧିକାରଗୁଡ଼ିକ କୌଣସି ପ୍ରାଚୀନ ସଭ୍ୟତାରେ ପ୍ରଚଳିତ ଥିଲା ବୋଲି ଜଣାପଡ଼େ ନାହିଁ। ଏହି ଅର୍ଥରେ ଗଣତନ୍ତ୍ର ହେଉଛି ଆଧୁନିକ ୟୁରୋପୀୟ ସଭ୍ୟତାର ଏକ ଅବଦାନ ।

ଏକବିଂଶ ଶତାବ୍ଦୀରେ ଗଣତନ୍ତ୍ରର ଭବିଷ୍ୟତ -୧ 


ଲେଖକ - ଶ୍ରୀ କିଶନ ପଟ୍ଟନାୟକ



କପିରାଇଟ୍ - ଶ୍ରୀମତି ବାଣୀମଞ୍ଜରି ଦାସ



ସୋସାଲିଷ୍ଟ୍ ଇଣ୍ଟର୍ନ୍ୟାସନାଲ୍ ର ଚିହ୍ନ
ଫୋଟ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍


ବିଂଶ ଶତାବ୍ଦୀର ଅନ୍ତିମ ଓ ଏକବିଂଶ ଶତାବ୍ଦୀର ପ୍ରାରମ୍ଭିକ କାଳ ଗଣତନ୍ତ୍ରର ବିଚାର ଓ ଗଣତାନ୍ତ୍ରିକ ବ୍ୟବସ୍ଥା ପାଇଁ ଏକ ଅବକ୍ଷୟର ସମୟ । ବିଗତ ତିରିଶ ଓ ଚାଳିଶ ଦଶନ୍ଧିରେ ୟୁରୋପୀୟ ଗଣତନ୍ତ୍ରର ଯେଉଁ କ୍ଷୟ ଘଟିଥିଲା ତାହାଠାରୁ ଏହା ଭିନ୍ନ । ଉଭୟଙ୍କ ମଧ୍ୟରେ ଗୁଣାତ୍ମକ ଫରକ ରହିଛି । ସେତେବେଳେ ୟୁରୋପ୍ ର ଉଦାରବାଦୀ ଓ ପ୍ରଗତିଶୀଳ ମସ୍ତିଷ୍କକୁ ଫାସିବାଦର ଆକ୍ରମଣ ଯୋଗୁଁ ଗୋଟିଏ ବଡ଼ ଆଘାତ ଲାଗିଥିଲା । କିନ୍ତୁ ସେଥିରେ ୟୁରୋପୀୟ ମାନସ ଭୟଭୀତ କିମ୍ବା ନିଶ୍ଚଳ ହୋଇଯାଇ ନଥିଲା । ବରଂ, ଗଣତନ୍ତ୍ରକୁ ଯୁଦ୍ଧରେ ବିଜୟୀ କରିବା ପାଇଁ ଓ ଯୁଦ୍ଧ ପରେ ସାରା ବିଶ୍ୱରେ ପ୍ରସାରିତ କରିବା ପାଇଁ ଇଚ୍ଛା ଶକ୍ତି ଜାଗ୍ରତ ହୋଇଥିଲା । ଫାସିବାଦ ଓ ନାଜିବାଦର ଆକ୍ରମଣ କେବଳ କ୍ଷମତା ରାଜନୀତିର ସ୍ତରରେ ହୋଇ ନଥିଲା । ଗଣତନ୍ତ୍ରର ବିଚାର ଓ ଦର୍ଶନ ଉପରେ ଏହା ଏକ ବୌଦ୍ଧିକ ଆକ୍ରମଣ ମଧ୍ୟ ଥିଲା । ସାମ୍ୟବାଦ (କମ୍ୟୁନିଜିମ୍) ଗଣତନ୍ତ୍ରର ପ୍ରତ୍ୟକ୍ଷ ବିରୋଧ କରୁନଥିଲା । ବରଂ, କମ୍ୟୁନିଷ୍ଟ୍ ମାନେ କହୁଥିଲେ ଯେ ସାମ୍ୟବାଦୀ ସମାଜରେ ହିଁ ପ୍ରକୃତ ଗଣତନ୍ତ୍ର ମିଳିପାରିବ । ଅଥଚ ଷ୍ଟାଲିନ୍-ବାଦର ଏକଛତ୍ରବାଦୀ ରୂପ କାହାରିକୁ ଅଜଣା ନଥିଲା । ଏହି ପରିସ୍ଥିତିରେ ୟୁରୋପୀୟ ଗଣତନ୍ତ୍ରକୁ ଫାସିବାଦ ଓ ଷ୍ଟାଲିନ୍-ବାଦ, ଉଭୟର ପ୍ରତ୍ୟୁତ୍ତର ଦେବାକୁ ପଡ଼ିଥିଲା । ୟୁରୋପ୍ ଓ ଆମେରିକାର ବାହାରେ ଥିବା ଦେଶମାନେ ଦ୍ୱିତୀୟ ବିଶ୍ୱଯୁଦ୍ଧକୁ ଗଣତନ୍ତ୍ର ଓ ଏକଛତ୍ରବାଦର ଲଢ଼େଇ ଭାବରେ ଦେଖୁ ନଥିଲେ । କିନ୍ତୁ ତୃତୀୟ ବିଶ୍ୱର ଦେଶମାନଙ୍କରେ ଯେଉଁ ଜାତୀୟ ଆନେ୍ଦାଳନ ମାନ ଚାଲୁଥିଲା, ସେମାନଙ୍କ ଉପରେ ଗଣତନ୍ତ୍ର ଓ ସାମ୍ୟବାଦର ବୈଚାରିକ ପ୍ରଭାବ ପଡ଼ୁଥିଲା । ଫାସିବାଦର ବୈଚାରିକ ପ୍ରଭାବ ନଥିଲା । ନେତାଜୀ ସୁବାସ ଚନ୍ଦ୍ର ବୋଷ୍ ଶତ୍ରୁର ଶତ୍ରୁକୁ ବନ୍ଧୁ କରିବାର ରଣକୌଶଳ ଗ୍ରହଣ କରିଥିଲେ । କିନ୍ତୁ, ତାଙ୍କର ସାମାଜିକ ରାଜନୈତିକ ବିଚାର ଫାସିବାଦୀ ନଥିଲା।

ଫାସିବାଦ ଓ ଷ୍ଟାଲିନ୍-ବାଦ, ଉଭୟଙ୍କର ଆହ୍ୱାନର ସମ୍ମୁଖୀନ ହୋଇ ୟୁରୋପୀୟ ଗଣତନ୍ତ୍ରକୁ ନିଜର ଉକ୍ରୃଷ୍ଟତା ପ୍ରମାଣ କରିବାର ଥିଲା। ଏହି ସମୟରେ (ଅର୍ଥାତ୍, ୧୯୪୦ ମସିହାରୁ ୧୯୬୦ ମସିହା ମଧ୍ୟରେ) ୟୁରୋପ୍ ରେ ଗଣତାନ୍ତ୍ରିକ ବିଚାରଧାରା ଅଧିକ ମାର୍ଜିତ ହେଲା । ତାହାର ସଂସ୍ଥାଗତ ରୂପ ମଧ୍ୟ ସୁଦୃଢ଼ ହେଲା । ଘମାଘୋଟ ଯୁଦ୍ଧ ଚାଲିଥିବା ସମୟରେ ଯେତେବେଳେ ବ୍ରିଟେନ୍ ର ଆକାଶ ଧ୍ୱଂସ ଓ ପରାଜୟର ଆଶଙ୍କାରେ ମେଘାଛନ୍ନ ଥିଲା, ସେତେବେଳେ ମଧ୍ୟ ତାହାର ପାର୍ଲିଆମେଣ୍ଟ୍ ଅବିରତ ଚାଲିଥିଲା । ଯୁଦ୍ଧର ପରବର୍ତ୍ତୀ ଅବସ୍ଥାରେ ବ୍ରିଟେନ୍ ସମେତ ଅନେକ ୟୁରୋପୀୟ ଦେଶରେ ଗଣତନ୍ତ୍ରର ଏକ ଜନକଲ୍ୟାଣକାରୀ ରୂପ ବିକଶିତ ହେଲା । ଗଣତନ୍ତ୍ର କହିଲେ କେବଳ ନାଗରିକମାନଙ୍କର ଆଇନଗତ ଅଧିକାରକୁ ବୁଝାଇଲା ନାହିଁ । ନାଗରିକମାନଙ୍କ ମଧ୍ୟରେ ସାମାଜିକ ସମାନତା ଆଣିବା ପାଇଁ ଲୋକ-କଲ୍ୟାଣକାରୀ ରାଜ୍ୟ (ୱେଲ୍ଫେୟାର୍ ଷ୍ଟେଟ୍)ର ଅବଧାରଣା ସୃଷ୍ଟି ହେଲା । 

ୟୁରୋପ୍ ରେ ଯେଉଁମାନେ ନିଜକୁ ଗଣତାନ୍ତ୍ରିକ - ସମାଜବାଦୀ କିମ୍ବା ସାମାଜିକ-ଗଣତନ୍ତ୍ରବାଦୀ (ସୋସାଲ୍-ଡେମୋକ୍ରେଟ୍) ବୋଲି ଅଭିହିତ କରୁଥିଲେ ସେମାନେ ଲୋକ-କଲ୍ୟାଣକାରୀ କାର୍ଯ୍ୟକ୍ରମର ମୁଖ୍ୟ ପୁରୋଧା ଥିଲେ । ଏହି ଦଳମାନଙ୍କର ବାରମ୍ବାର ଶାସନ ଫଳରେ ୟୁରୋପର କେତେକ ରାଷ୍ଟ୍ରରେ, ବିଶେଷକରି ସ୍କାଣ୍ଡିନେଭିଏନ୍ ଦେଶ, ଅର୍ଥାତ୍ ଫିନ୍ଲ୍ୟାଣ୍ଡ୍, ନର୍ୱେ, ସୁଇଡେନ୍ ଆଦି ଦେଶମାନଙ୍କରେ ଲୋକ କଲ୍ୟାଣକାରୀ ବ୍ୟବସ୍ଥାର ଚେର ଏତେ ମାଡ଼ିଯାଇଛି ଯେ ପୃଥିବୀର ସବୁଠାରୁ ବେଶୀ ସାମାଜିକ ସମାନତା ସେହିଠାରେ ଦେଖାଯାଏ । ୟୁରୋପ୍ ରେ ଏହି ସୋସାଲ୍-ଡେମୋକ୍ରେଟିକ୍ ଦଳମାନଙ୍କର ନେତୃତ୍ୱରେ ‘ସୋସାଲିଷ୍ଟ୍  ଇଷ୍ଟର୍ନ୍ୟାସନାଲ୍’ ନାମକ ଏକ ଆନ୍ତର୍ଜାତିକ ସଙ୍ଗଠନ ଗଢ଼ା ହୋଇଥିଲା । ଭାରତରେ ଜୟପ୍ରକାଶ୍ ନାରାୟଣ୍ ଓ ରାମ୍ ମନୋହର୍ ଲୋହିଆଙ୍କ ନେତୃତ୍ୱରେ ପରିଚାଳିତ ସେତେବେଳର ସମାଜବାଦୀ ଦଳ ୟୁରୋପ୍ ର ଗଣତାନ୍ତ୍ରିକ ସମାଜବାଦ ଦ୍ୱାରା ଅତ୍ୟଧିକ ପ୍ରଭାବିତ ହୋଇଥିଲା ଓ ସୋସାଲିଷ୍ଟ ଇରନ୍ୟାସ୍ନାଲ୍ ସଭ୍ୟ ମଧ୍ୟ ହୋଇଥିଲା ।

ଭାରତର ସମାଜବାଦୀମାନେ ବହୁଦିନ ପର୍ଯ୍ୟନ୍ତ ନର୍ୱେ, ସ୍ୱିଡ଼େନ୍ ଆଦି ଦେଶ ଲୋକ କଲ୍ୟାଣକାରୀ ବ୍ୟବସ୍ଥାକୁ ନିଜର ଆଦର୍ଶ ରୂପେ ଗ୍ରହଣ କରିଥିଲେ । ୧୯୭୦ ଦଶକରୁ ଭାରତରେ ସମାଜବାଦୀମାନେ ପୁଞ୍ଜିବାଦର ବିରୋଧ କରିବା ଛାଡ଼ିଦେଲେ । ସେତେବେଳର ନେତା ଥିଲେ ମଧୁ ଦଣ୍ଡବତେ ଓ ଜର୍ଜ ଫର୍ଣ୍ଣାଣ୍ଡେଜ୍ । ବୈଚାରିକ ଦୃଷ୍ଟିରୁ ସେମାନେ ପରାବଲମ୍ବୀ ଥିଲେ । ୟୁରୋପ୍ ଗଣତାନ୍ତ୍ରିକ- ସମାଜବାଦୀମାନେ ପୁଞ୍ଜିବାଦକୁ ହଟେଇବାର ଲକ୍ଷ୍ୟ ଛାଡ଼ିଦେବାରୁ ଭାରତର ସମାଜବାଦୀମାନେ ମଧ୍ୟ ସେମାନଙ୍କର ଅନୁସରଣ କଲେ । ୧୯୭୨ ମସିହାରେ ସୋସାଲିଷ୍ଟ୍ ପାର୍ଟିକୁ ଭାଙ୍ଗିଦେଇ ସେମାନେ ମୋରାର୍ଜୀ ଦେଶାଇଙ୍କ ନେତୃତ୍ୱରେ ଚାଲିଥିବା ଜନତା ପାର୍ଟିର ସରକାରରେ ଯୋଗଦେଲେ । ୟୁରୋପ୍ ର ସମାଜବାଦୀମାନେ ଓ ସାମାଜିକ ଗଣତନ୍ତ୍ରବାଦୀମାନେ କାହିଁକି ପୁଞ୍ଜିବାଦର ବିରୋଧ ଛାଡ଼ିଦେଲେ, ତାହାର କାରଣ ଏମାନେ ବୁଝିବାକୁ ଚାହିଁଲେ ନାହିଁ। ବୁଝିବା କଥା ହେଉଛି ଯେ, ସାମ୍ରାଜ୍ୟବାଦୀ ନୀତି ସାହାଯ୍ୟରେ ପୁଞ୍ଜିବାଦ ୟୁରୋପ୍ ଓ ଆମେରିକାକୁ ସମୃଦ୍ଧ କରିଛି। ଏତେ ବେଶୀ ସମୃଦ୍ଧ କରିଛି ଯେ ଦରିଦ୍ର ଶ୍ରେଣୀକୁ ମଧ୍ୟ ସମୃଦ୍ଧିର ଭାଗ ମିଳିଛି । ବିକାଶଶୀଳ ଦେଶମାନଙ୍କୁ ପୁଞ୍ଜିବାଦ ଦେଇଛି କେବଳ ଔପନିବେଶିକ ଦାରିଦ୍ର୍ୟ ଏବଂ ପଛୁଆପଣ ।

Tuesday, August 30, 2016

ପିଲାଙ୍କ ଗୀତ - 'ଚୁଟିଆ ମୂଷା'


ପଲ୍ଲିକବି ନନ୍ଦକିଶୋର ବଳ


ଲରା ନ୍ୟୁମେରଫ୍ ଙ୍କର ବହି, 'ଇଫ୍ ୟୁ ଗିଭ୍ ଏ ମାଉସ୍ ଏ କୁକି'ରେ,
 ଫେଲିସିଆ ବଣ୍ଡ୍ ଆଙ୍କିଥିବା ଚିତ୍ର
  ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍ 


ଚୁଟିଆ ମୂଷାରେ ଚୁଟେଇ ମୂଷି,
ଧାନ ଅମାରକ ଖାଉଥା ବସି ।

କରୁଥା ଯାହା ତୋ ମନର ଖୁସି,
ଘର ଛାଡ଼ି ମୁହିଁ ଯାଉଛି ରୁଷି ।

ଟିକି ଟିକି ଧାନ ଶଏ ଭରଣ,
ସାତଟା ଅମାର କଲୁଣି ଶୂନ୍ୟ ।

ଗଣେଷବାହନ ଅଟୁରେ ମୂଷା,
ତୋତେ ମାରିବାକୁ ନାହିଁ ଭରସା ।

ପାଠ ନ ଆସିବ ମାରିଲେ ତୋତେ,
ଅବଧାନ ବେତ ମାରିବେ ମୋତେ ।

ଟୁଉକୁ ମୂଷାରେ ଟୁକେଇ ମୂଷି, 
ଖାଇବୁ ଯେତେକ ଖା'ରେ ଖୁସି ।

ଅମାରେ ଯେତେକ ଧାନ ତୁ ଖାଉ,
ଚାଉଳ ହାଣ୍ଡିରୁ ଚାଉଳ ନେଉ ।

ବିହନ ଓଳିଆ କାଟୁ କିପାଇଁ,
ଏତେ ଖାଇ ପେଟ ପୂରଇ ନାହିଁ ?

ରାତିରେ ବାହାରି ରୁଉଟୁ ରୁଟୁ,
କଖାରୁ ଗଛଟି ମୂଳରୁ କାଟୁ ।

ଝାଉଁଳି ପଡ଼ଇ ପିଢ଼ା କଖାରୁ,
କେତେ କଷିଫୁଲ ଅଯଥା ମାରୁ !

ଖରା ଗଡ଼ିଯାଏ ବୁଡ଼ଇ ବେଳ,
ସାହି ପିଲାମାନେ ହୋଇଣ ମେଳ ।

ଗୀତ ଗାଇ ଗାଇ ବୁଲନ୍ତି ଗାଆଁ,
"ଜହ୍ନିଫୁଲ ଫୁଟେ ଠୋ-ଠା ।

ଚୁଟିଆ ମୂଷା କହି ଯାଇଛି
ଚାଉଳ ମୁଠିଏ ଦେଇ ଯା ।"

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ଦ୍ୱିତୀୟ ଅଧ୍ୟାୟ 


ପ୍ରଥମ ବଲ୍ଲୀ : ଶ୍ଲୋକ ୫


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍

ଜୀବାତ୍ମା ସକଳ ଘଟେ ଛନ୍ତି ବିଦ୍ୟମାନ
ଭୂତ ଭବ୍ୟ ବର୍ତ୍ତମାନ ତ୍ରିକାଳ ଈଶାନ ।

ଭୋଗନ୍ତି ସେ ସୁଖ ଦୁଃଖ କର୍ମଫଳ ନିତି
ଜାଣି ଏହା ଦେଖେ ଯେହୁ ହୃଦେ ତାଙ୍କ ସ୍ଥିତି ।

ବ୍ରହ୍ମଜ୍ଞାନେ ଫଳେ ତା'ର ତୁଟେ ସର୍ବ ଭୟ
ବିଶ୍ୱେ ସର୍ବଭୂତ ସେହୁ ଦେଖେ ବ୍ରହ୍ମମୟ ।

ଦ୍ୱୈତଜ୍ଞାନେ ଭୟ ପାଏ ଏକ ତହୁଁ ଆନ
ଭାଙ୍ଗେ ଭୟ ଉପୁଜିଲେ ବ୍ରହ୍ମାତ୍ମୈକ୍ୟ ଜ୍ଞାନ । (ନ.ଉ. ୨।୧।୨୫)

Monday, August 29, 2016

ପିଲାଙ୍କ ଗୀତ - 'ଅଦିନ ମେଘ'


ପଲ୍ଲିକବି ନନ୍ଦକିଶୋର ବଳ


କଲମ୍ବିଆର ରାଜଧାନୀ ବୋଗୋଟାରେ ଅଦିନିଆ ବର୍ଷା
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ଖରା କରୁଅଛି ମେଘ ବରଷୁଛି
ବିଲୁଆ ପୁଅର ବିଭା,
ଗାତରୁ ବାହାରି ହିଡ଼ରେ କଙ୍କଡ଼ା 
ଖରା ପୋଉଁଛନ୍ତି କିବା ।

ଘୋର ଘଡ଼ଘଡ଼ି ଘଡ଼ଘଡ଼ ରଡ଼ି
କମ୍ପେ ପ୍ରାଣ ତାହା ଶୁଣି,
"ଗରଜିଲା ମେଘ ନ ବରଷେ ପାଣି"
କିଏ କହୁଥାଏ ପୁଣି । 

ଜକ ଜକ ମେଘ ଦିଶଇ ବିଜୁଳି
ତାଳଗଛ ଯାଏ ଜଳି,
ପିଲାଏ ଶୁଣିଣ ମେଘ ଗରଜନ 
ଛାଡ଼ନ୍ତି ଉଝଟ ଅଳି ।

ବିଜୁଳି ଚମକେ ଦୂର ଆକାଶରେ 
ଦିଶେ ସୁନାଲଟା ପରି ,
ଶବଦ ମାତର ଘଡ଼ଘଡ଼ି ସିନା
ତାହାକୁ କିପାଇଁ ଡରି ।

ପାଣି ସାଙ୍ଗେ ପଡ଼େ ସରଗ ପଥର
ତାହା ଦେଖି ପିଲାମାନେ,
ସାଉଁଟି ଖାଇଣ ଗୀତ ଗାଉଥାନ୍ତି 
ନାଚି କୁଦି ତାନମାନେ । 

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ଦ୍ୱିତୀୟ ଅଧ୍ୟାୟ 



ପ୍ରଥମ ବଲ୍ଲୀ : ଶ୍ଲୋକ ୪



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍

ହୁଏ ଯେତେ ଅନୁଭୂତି ସ୍ୱପ୍ନ ଜାଗରଣେ
ଜାଣେ ସେ ସମସ୍ତ ଲୋକ ଆତ୍ମାର ପ୍ରରଣେ ।

ମହତ ମହେଶ ଆତ୍ମା ସର୍ବ ମୂଳାଧାର
ଜାଣି ଏହା ତରେ ଧୀର ଶୋକପାରାବାର । (ନ.ଉ. ୨।୧।୨୫)

Sunday, August 28, 2016

ପିଲାଙ୍କ ଗୀତ ବେଙ୍ଗୁଲି ରାଣୀ


ପଲ୍ଲିକବି ନନ୍ଦକିଶୋର ବଳ


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍

ବେଙ୍ଗୁଲୀ ବେଙ୍ଗୁଲୀ ପାଣି ଦେ,
ନଈ ସମୁଦର ଭସେଇ ଦେ ।

ଇନ୍ଦ୍ର ରାଜାଙ୍କର ବେଙ୍ଗୁଲୀ ରାଣୀ,
ବୋବେଇ ଦେଲେ ସେ ବରଷେ ପାଣି ।

ବେଙ୍ଗୁଲୀ ବସଇ ସାରୁ ମୂଳରେ,
ଛତ୍ରି ଧରିଅଛି ସାରୁ ପତରେ ।

ବେଙ୍ଗୁଲୀ ବୋବାଏ କେଁ କଟର,
ପାଣିରେ ଭାସଇ ଦୁଆର ଘର ।

ପାଣି ପଶିଗଲା ସାପ-ଗାତର,
ସାପମାନେ ହେଲେ ଛିନିଛତର ।

ଖରାଦିନେ ସାପ ବେଙ୍ଗ ଖାଇଲା,
ବରଷା ଦିନରେ ଫଳ ପାଇଲା ।

ଇନ୍ଦ୍ରଦେବତାଙ୍କ ବେଙ୍ଗୁଲୀ ରାଣୀ,
ସାପ କାମୁଡ଼ିଲା ତାଙ୍କ ଘରଣୀ ।

ଇନ୍ଦ୍ର ରଜା ପାଣି ବରଷି ଦେଲେ,
ନଈ ସମୁଦର ଭସାଇ ଦେଲେ ।

ସାପଘରେ ପଶିଗଲା ରେ ପାଣି,
ହୁଳୁହୁଳି ଦେଲା ବେଙ୍ଗୁଲୀ ରାଣୀ ।

ପାଟି ପାକୁ ପାକୁ କରି ବେଙ୍ଗୁଲୀ,
ଫକର ଫକର ଯାଉଛି ବୁଲି ।

 ପାଲି ଧମ୍ମପଦର ଓଡ଼ିଆ  ପଦ୍ୟାନୁବାଦ - ୯, ୧୦ ଓ ୧୧ ଚିତ୍ତବଗ୍ଗୋ 



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍

୯ ଚିତ୍ତବଗ୍ଗୋ 


ଅଚିରଂ ବତ'ୟଂ କାୟୋ ପଠବିଂ ଅଧିସେସ୍ସତି ।
ଛୁଦ୍ଧୋ ଅପେତବିଞ୍ଣାଣୋ ନିରତ୍ଥଂ ବ କଳିଙ୍ଗରଂ ।୯।

ଚେତାଶୂନ୍ୟ, କ୍ଷୁବ୍ଧ ହୋଇ ଧରାରେ ଏ ପିଣ୍ଡ 
ପଡ଼ିବ ଯେହ୍ନେ ନିରର୍ଥକ ସେ କାଷ୍ଟଖଣ୍ଡ   ।୯।


୧୦ ଚିତ୍ତବଗ୍ଗୋ 


ଦିସୋ ଦିସଂ ଯଂ ତଂ କୟିରା ବେରୀ ବା ପନ ବେରିନଂ ।
ମିଚ୍ଛାପଣିହିତଂ ଚିତ୍ତଂ ପାପିୟୋ ନଂ ତତୋ କରେ ।୧୦।

ବଇରୀ ଶତୃର କରେ ଅନିଷ୍ଟ ଯେପରି
ମିଥ୍ୟା ପ୍ରଣିହିତ ଚିତ୍ତ ପିଡ଼ଇ ସେପରି
ମନୁଷ୍ୟକୁ ତତ୍ତୋଧିକ ପାପୀୟାନ କରି ।୧୦। 

୧୧ ଚିତ୍ତବଗ୍ଗୋ 


ନ ତଂ ମାତା ପିତା କାୟିରୋ ଅଞ୍ଣେ ବାପି ଚ ଜ୍ଞାତକା ।
ସମ୍ମାପଣିହିତଂ ଚିତ୍ତଂ ସେୟ୍ୟସୋ'ନଂ ତତୋ କରେ ।୧୧।

ମାତା ପିତା ତଥା ଛନ୍ତି ଆଉ ଯେତେ ଜ୍ଞାତି ।
ଯେତେ ଭାବେ ସେମାନେ ମଙ୍ଗଳ ନ କରନ୍ତି ।। 

ସମ୍ୟକ ପ୍ରଣିହିତ ଅଟଇ ଯେହୁ ଚିତ୍ତ ।
ତାହା ଦ୍ୱାରା ହୁଏ ବେଶି ମଙ୍ଗଳ ସାଧିତ ।୧୧।

Saturday, August 27, 2016

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ଦ୍ୱିତୀୟ ଅଧ୍ୟାୟ 



ପ୍ରଥମ ବଲ୍ଲୀ : ଶ୍ଲୋକ ୩



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍ 


ମୈଥୁନ ସମ୍ଭୁତ ଅଙ୍ଗ ପୁଲକ ପରଶ
ଜିହ୍ୱା ଅନୁଭୂତ ସ୍ନିଗ୍ଧ ସୁମଧୁର ରସ ।

ଚାରୁ ପ୍ରିୟ ରୂପରାଶି ନୟନମୋହନ
ସୂକ୍ଷ୍ମ ସୁଲଳିତ ଶବ୍ଦ କର୍ଣ୍ଣ ରସାୟନ ।

ସୁରଭି ନାସିକା ମୋଦ ସୁଗନ୍ଧ ସମ୍ଭାର
ଇନ୍ଦ୍ରିୟ ବିଷୟ ଏଯେ ବିବିଧ ପ୍ରକାର ।

ଆତ୍ମାର ପ୍ରଭାବେ ଲୋକ ହୁଏ ଅବଗତ 
ଆତ୍ମଜ୍ଞାନ ପ୍ରକାଶେ ଏ ନିଖିଳ ଜଗତ ।

ଆତ୍ମା ଅଧିଗମେ ମୋକ୍ଷ ଲଭିଲେ ମାନବ
ସକଳ ଜ୍ଞାତବ୍ୟ ତା'ର ହୁଏ ଅନୁଭବ ।

ଏହି ସେ ସର୍ବଜ୍ଞ ଆତ୍ମା ପରମ ଆଶ୍ରୟ 
ଜାଣି ନଚିକେତ ମନୁଁ ତୁଟାଅ ସଂଶୟ । (.ନ.ଉ. ୨।୧।୨୪)

ପିଲାଙ୍କ ଗୀତ - 'ଘରଚଟିଆ'


ପଲ୍ଲିକବି ନନ୍ଦକିଶୋର ବଳ



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍


ଘରଚଟିଆରେ ଘରଚଟିଆ,
ଅଟୁ ପରା ତୁ ଟିକି ଚଢ଼େଇ 
ତୋତେ ଦେଖିଲେରେ ପୁରୁଣା ବନ୍ଧୁଟି
ପିଲାଦିନ କଥା ଭାବେଟି ମୁହିଁ ।

ଖପ ଖପ କରି ଡେଇଁ ଡେଇଁ ଯାଉ
ଉଡ଼ିଯାଇ ପିଢ଼ା ବାଡ଼ରେ ବସୁ,
ଯେତେ ଯତ୍ନ କରେ ତୋତେ ଧରିବାକୁ 
ଚାହୁଁ ଚାହୁଁ ତୁହି ପାଖରୁ ଖସୁ ।

ଏଡ଼େ ଟିକି ପକ୍ଷୀ କେତେ ତୋର ବଳ 
ଦେଇଛନ୍ତି ତୋତେ ପରମେଶ୍ୱର;
ଯେତେ ବୁଦ୍ଧିବଳ ଥାଉ ମନୁଷ୍ୟର
ଉଡ଼ିବା ଶକତି ନାହିଁ ତାହାର ।

ହାତୀ ଘୋଡ଼ା ବାଘ ଯେତେ ବଡ଼ ହେଉ
ତୋପରି କ୍ଷମତା ନାହିଁ ତାଙ୍କର;
ପାଖେ ବସିଯାଉ ଧାନ ଖୁଣ୍ଟି ଖାଉ
ଉଡ଼ି ବସୁ ପିଢ଼ା ବାଡ଼ ଉପର ।

ଧନ୍ୟ ସେ ଇଶ୍ୱର ବଳ ଦୁର୍ବଳର
ଯାହାର ଯା ଲୋଡ଼ା ଦିଅନ୍ତି ତାହା;
ହାତଯୋଡ଼ି ତାଙ୍କୁ ଜଣାଉଛି ମୁହିଁ
ଜ୍ଞାନବଳେ ମୋର ହୁଅନ୍ତି ସାହା ।

ତୁହିରେ ଯେପରି ଉଡ଼ି ଯାଇକରି
ନିରାପଦେ ରହୁ ଗଛ ଉପରେ;
ମୁହିଁ ସେହିପରି ଜ୍ଞାନଲାଭ କରି
ପ୍ରବଳ ହାତରୁ ତରିବି ଥରେ ।

Friday, August 26, 2016

 ପିଲାଙ୍କ ଗୀତ - 'ବାୟା ଚଢ଼େଇ'


ନନ୍ଦକିଶୋର ବଳ 



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍

ବାୟା ଚଢ଼େଇରେ ବାୟା ଚଢେଇ ତୁ
ଆମ ଦୁଆରକୁ ଆ
ଆମ ସହିତରେ ଖେଳି ବୁଲି ସାରି
ଦୁଧ ପିଇଦେଇ ଯାଆ ।

ତୋ ବସା ବାଇଆ ଉଚ୍ଚ ତାଳଗଛ 
ବାଆ କଲେ ଦୋହଲଇ,
 ଘୋର ବରଷାରେ  ତୋ ବସା ଭିତରେ
ପାଣି ପଶି ନ ପାରଇ ।

ନଈ  ବଢ଼ି ଘୋର ଗରଜନ କଲେ 
ତୋତେ ନ ମାଡ଼ଇ ଡର,
ଏତେ ବିପଦରୁ ତୋତେ ଯେ ରଖନ୍ତି 
ଧନ୍ୟ ଧନ୍ୟ ସେ ଇଶ୍ୱର ।

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ଦ୍ୱିତୀୟ ଅଧ୍ୟାୟ 


ପ୍ରଥମ ବଲ୍ଲୀ : ଶ୍ଲୋକ ୨



ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍

ଚପଳ ବାଳକମତି ଅବିବେକୀ ନରେ 
ଅନୁରାଗ ପ୍ରକାଶନ୍ତି ବାହ୍ୟ ପ୍ରକାଶରେ ।

ସୁଖଶଯ୍ୟା ଧନ ମାନ ବନିତା ବିଳାସ
ଏ ଆଦି ଅନିତ୍ୟ କାମେ କରନ୍ତି ପ୍ରୟାସ ।

ସୁବିସ୍ତୀର୍ଣ୍ଣ ମୃତ୍ୟୁପାଶେ ହୁଅନ୍ତି ସେ ବନ୍ଦୀ 
ଅବିଦ୍ୟା ଅନ୍ଧାରେ ବୃଥା କାମ କର୍ମେ ଛନ୍ଦି ।

ଜନ୍ମ ମୃତ୍ୟୁ ଜରା ବ୍ୟାଧି ଯନ୍ତ୍ରଣା ଅପାର 
ଲଭନ୍ତି ଏ ମର୍ତ୍ତ୍ୟଧାମେ ଆସି ବାରମ୍ବାର ।

ବିବେକୀ ପୁରୁଷ ତେଣୁ ତେଜି ଭୋଗରାଶି 
ଅମୃତତ୍ୱ ଲାଗି ହୁଏ ଏକାନ୍ତ ପ୍ରୟାସୀ ।

ଜାଣନ୍ତି ସେ ସ୍ୱର୍ଗେ ନାହିଁ ପ୍ରକୃତ ଅମୃତ 
ପୂଣ୍ୟକ୍ଷୟେ ସ୍ୱର୍ଗୁ ଜୀବ ହୁଏ ପ୍ରତ୍ୟାବୃତ୍ତ ।

ଆତ୍ମଲାଭେ ମିଳେ ଏକା ଚିର ଅମୃତତ୍ତ୍ୱ
ବୁଝି ଜ୍ଞାନୀ ଜନ ଏହି ସତ୍ୟ ସାରତତ୍ତ୍ୱ ।

ଆତ୍ମା ଧୃବ ଅନ୍ୟ ସବୁ ଅଧୃବ ଜଗତେ 
ନିର୍ଦ୍ଧାର୍ଯ୍ୟ ଜାଣି ଏ ତଥ୍ୟ ନିଜ ହୃଦଗତେ,
ଅନିତ୍ୟ ବିଷୟେ କେବେ ନ କରେ କାମନା 
ଲୋଡ଼େ ନାହିଁ ପୁତ୍ର ବିତ୍ତ ଲୋକ ସମ୍ବାବନା ।

ବିଜ୍ଞାନ ସ୍ୱରୂପ ଆତ୍ମା, ଆତ୍ମାର ପ୍ରେରଣେ
ଜାଣନ୍ତି ବିଷୟରାଶି ଅନୁଭବେ ଜନେ । (ନ.ଉ. ୨।୧। ୨୩)

Thursday, August 25, 2016

ଗୋପବନ୍ଧୁ ଦାଶ କୃତ କଠୋପନିଷଦ୍ ର ଓଡ଼ିଆ ପଦ୍ୟାନୁବାଦ 


ଦ୍ୱିତୀୟ ଅଧ୍ୟାୟ 


ପ୍ରଥମ ବଲ୍ଲୀ : ଶ୍ଲୋକ ୧


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍

ସ୍ୱୟମ୍ଭୁ ଯେ କାଳେ କଲେ ଜଗତ କଳ୍ପନା
ବାହ୍ୟ ଅଭିମୁଖେ କଲେ ଇନ୍ଦ୍ରିୟ ରଚନା !

ହୋଇଛି ଇନ୍ଦ୍ରିୟଗଣ ପ୍ରଥମୁ ଆହତ
ତେଣୁ ବାହ୍ୟ ବସ୍ତୁ ମୁଖେ ଧାଏଁ ଅବିରତ ।

ବାହ୍ୟ ବିଷୟକୁ ଜୀବ ଦେଖେ ଅନୁକ୍ଷଣ
ନ ଦେଖଇ ଅନ୍ତରାତ୍ମା ଫିଟାଇ ନୟନ ।

ଅମୃତତ୍ତ୍ୱ ଅଭିଳାଷୀ କେହି ଅବା ଧୀର
ବିଷୟୁଁ ଫେରାଇ ନେତ୍ର କରି ମନ ସ୍ଥିର ।

ନିରୋଧି ଇନ୍ଦ୍ରିୟଗଣେ ହୋଇ ଏକ ଲୟ
ଦେଖନ୍ତି ଅନ୍ତରେ ଆତ୍ମା ଚିଦାନନ୍ଦମୟ । (ନ.ଉ. ୨।୧। ୨୩)

କୁଷ୍ଟଁବାବୁଙ୍କ ଆଠମଲ୍ଲିକ ଯାତ୍ରା


ଆଠମଲ୍ଲିକ ରାଜ୍ୟର ଅବସ୍ଥିତି
 ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍

ପ୍ରଥିତଯଶା କବି ଶ୍ରୀ କୃଷ୍ଣଚନ୍ଦ୍ର ତ୍ରିପାଠୀ ସେତେବେଳେ କଟକ ଟ୍ରେନିଙ୍ଗ୍ ଇସ୍କୁଲୁରୁ ଶିକ୍ଷା ସମାପ୍ତ କରି କଟକରେ ହିଁ ଅବସ୍ଥାନ କରୁଥାଆନ୍ତି ବସା ଥାଏ ବରୁଣେଇ ମେସ୍ ରେ ଦୁଇଟି ଇସ୍କୁଲୁ ପଢ଼ୁଆ ଝିଅବେଣୁ ବୀଣା - ଙ୍କୁ ଟିଉସନ କରି ଗୁଜୁରାଣ ନିର୍ବାହ କରୁଥାଆନ୍ତି ସେ ପର୍ଯ୍ୟନ୍ତ ଚାକିରିବାକିରି କିଛି ହୋଇ ଥାଏ ସନ୍ଧ୍ୟାବେଳେ ଘଣ୍ଟାଏ ଲେଖାଏ ପଢ଼ାନ୍ତି ମାସକୁ ସାତ ଟଙ୍କା ମିଳେ ସେଇ କେତୋଟି ମାସ ଭିତରେ ପିଲାଏ ଇଂରାଜୀ ଲେଖିବା କହିବା ଟିକକ ଶିଖିଗଲେ ମାତ୍ର କୁଷ୍ଟଁ ବାବୁ ସେତକ ଟଙ୍କାରେ ଦୁଃଖସୁଖରେ, ବଡ଼ ଅଭାବରେ ଚଳୁଥାଆନ୍ତି ଏପରି ତିନିମାସ ଟାଣିନେଲା ପରେ ଆଠମଲ୍ଲିକ ଇସ୍କୁଲୁରେ ସେକେଣ୍ଡେ ମାଷ୍ଟର ଭାବରେ ଖଣ୍ଡିଏ ଚାକିରୀ ମିଳେ ତ୍ରିପାଠୀ ଆଜ୍ଞାଙ୍କୁ

ଆଠମଲ୍ଲିକ ଇସ୍କୁଲୁର ନାଁ ସେତେବେଳେ ଭିକ୍ଟୋରିଆ ମାଇନର ସ୍କୁଲ୍ କେଉଁ ଦୂର ଗଡ଼ଜାତରେ ସେତେବେଳେ ମାଷ୍ଟର ଟ୍ରେନିଙ୍ଗି ପାଇଥିବା ଲୋକଙ୍କ ସଙ୍ଖ୍ୟା କମ ହେଲେ ଇସ୍କୁଲୁ ସଙ୍ଖ୍ୟା ତହୁଁ କମ ତେଣୁ ତ୍ରିପାଠୀ ଆଜ୍ଞା ମନ ସ୍ଥିର କଲେ ଗଡ଼ଜାତରେ ଯାଇଁ ମାଷ୍ଟ୍ର ପାଇଟି କରିବା ପାଇଁ ଆଠମଲ୍ଲିକ ଇସ୍କୁଲୁର ପ୍ରଧାନ ଶିକ୍ଷକ ସେତେବେଳେ ଥିଲେ ଶ୍ରୀଯୁକ୍ତ ହର୍ଯ୍ୟଷ କୁମାର ଦାସ ଓଳସିଂହ ଉଚ୍ଚ ବିଦ୍ୟାଳୟରେ କୃଷ୍ଣଚନ୍ଦ୍ର ବାବୁ ପାଠ ପଢ଼ୁଥିବା ବେଳେ ଦାସେ ଆଜ୍ଞା ତାଙ୍କର ଶିକ୍ଷକ ଥିଲେ ଉତ୍ତମ ଅଧ୍ୟାପକ ସାହେବୀ ଆଦବକାଇଦା ଆଠମଲ୍ଲିକ ମାଇନର ସ୍କୁଲ୍ ରେ ୧୯୩୩ ମସିହା ଅକ୍ଟୋବର ସାତ ତାରିଖରେ ଯୋଗ ଦେବା ପାଇଁ ଡାକରା ଆସିଥିଲା

ତ୍ରିପାଠୀ ଆଜ୍ଞା ପ୍ରଥମେ ଗାଁରୁ ଆସିଲେ କଟକ କଟକରେ ଦରକାରୀ ଲୁଗାପଟା, ଟ୍ରଙ୍କ ଅନ୍ୟାନ୍ୟ ଆସବାସ ପତ୍ର ଇତ୍ୟାଦି କିଣାଗଲା ତାହା ପରେ ତାଆରଦିନ ତାଳଚେର ପାଇଁ ଉଦ୍ଦିଷ୍ଟ ରେଳଗାଡ଼ିରେ ବସି ମେରାମଣ୍ଡଳି ଇଷ୍ଟେସନ ମେରାମଣ୍ଡଳିରେ ପହଞ୍ଚିଲେ ଦିନ ଦଶଟାରେ ମେରାମଣ୍ଡଳିରୁ ସମ୍ବଲପୁର ପର୍ଯ୍ୟନ୍ତ ସେତେବେଳେ ମିଶ୍ର କୁମ୍ପାନିର ବସ ଖଣ୍ଡିଏ ଚାଲୁଥିଲା ସେଥିରେ ଯାତ୍ରା ହେଲା ଅନୁଗୁଳୁ ପରିଯନ୍ତେ ସେଠାରେ ଗୋଟିଏ ହୋଟେଲରେ ଜଳପାନ କିଛି ହେଲା ତାହା ପରେ ସମ୍ବଲପୁର ଯାଉଥିବା ଆଉ ଗୋଟିଅ ମଟରରେ ବସି ବାବୁ ପହଞ୍ଚିଲେ ଆଠମଲ୍ଲିକ ରାଜ୍ୟର ହଣ୍ଡପା ବୋଲି ଗୋଟିଏ ଜେଗାରେ ଜେଗା ବୋଇଲେ ନିରୁତା ଗାଁ ଖଣ୍ଡିଏ ଲୋକଙ୍କର ଘରଗୁଡ଼ିକ ପ୍ରାୟ ନୁଆଁଣିଆ ଚାଳଘର ହେଲେ ସବୁ ଭାରୀ ସଫାସୁତୁରା ଗୋବରରେ ଲିପା ପୋଛା ହୋଇ ନିର୍ମଳ ହଣ୍ଡପା ରାସ୍ତାରେ ଚାରି ଆଡ଼େ ଅଗନାଅଗନି ବନସ୍ତ ଗୁଣ୍ଠୁଣି ହାତୀ ଭଳିଆ କାଉନ୍ଦିଆ ପାହାଡ଼ ମାଳକୁମାଳ

ହଣ୍ଡପାରେ ଥାଏ ଡାକ୍ତରଖାନା ଗୋଟିଏ ହର୍ଯ୍ୟଷ ବାବୁଙ୍କର ନିର୍ଦ୍ଦେଷ ଅନୁସାରେ ତ୍ରିପାଠୀଏ ପହଞ୍ଚିଲେ ହଣ୍ଡପା ଡାକ୍ତରଖାନାର ଡାକ୍ତରଙ୍କ ପାଖରେ ସେଠି ଅବସ୍ଥାପିତ ବୁଢ଼ା ଡାକ୍ତର ଜଣକ କୁଷ୍ଟଁ ବାବୁଙ୍କୁ ଭାରୀ ଆରେଇଲେ ରହିବାକୁ ଶୋଇବାକୁ ଡାକ୍ତରଖାନାରେ ଜେଗା ଦେଲେ ତାହା ସହ ରାତିକୁ ଖାଇବାକୁ ପରସିଲେ ସରୁ ଚାଉଳର ଭାତ, ଖଟାମିଠା ଦେଇ ରନ୍ଧା ହୋଇଥିବା ଦେଶୀ ହରଡ଼ଡ଼ାଲି ମୁସୁମୁସୁ ଚିଙ୍ଗୁଡ଼ି ଭଜା ତାହା ପର ଦିନ ସକାଳ ହେଲା ହଣ୍ଡପାର କିଛି ପିଲା ଆଠମଲ୍ଲିକର ଇସ୍କୁଲୁରେ ପାଠ ପଢ଼ନ୍ତି ତ୍ରିପାଠୀ ବାବୁ ଯେ ସେକେଣ୍ଡେ ମାଷ୍ଟର ହେଇ ସେଠାକୁ ଯାଉଛନ୍ତି ସେ ଖବର ପାଇ କିଛି ପିଲାଙ୍କର ବାପାମାନେ ମାଷ୍ଟ୍ରଙ୍କୁ ଦେଖା କରିବାକୁ ଆସିଲେ ସେମାନେ ଶିକ୍ଷକଙ୍କ ପାଇଁ ଭାରୁଆ ଗୋଟିଏ ଠିକି କଲେ ଗନ୍ତବ୍ୟ ସ୍ଥାନଠାକୁରଗଡ଼ ବୋଲି ଗୋଟିଏ ଜାଗା

ରାସ୍ତାଟି ଗୋହିରିଆ ନିରୁତା ଜଙ୍ଗଲିଆ ନୁହେଁ ଠାଆକୁ ଠାଆ ସୋରିଷର ବିଲ ତାହାପରେ କିଛି ନିଘଞ୍ଚ ଜଙ୍ଗଲ ପୁଣି କିଛି ମେଲା ପୁଣି ସୋରିଷର ବିଲ ହାତଗଣତି କେଇଟି ଘରକୁ ମିଶେଇ ସାହିଟିଏ ବାଟରେ ଅଁଳା ଗଛରେ କୋଳି ନାଛି ହୋଇଥାଏ ଅଶିଣମାସର ଆକାଶରେ ତରା ପରି ଭାରୁଆ ଜଣଙ୍କ ଚୁପଚାପ ଲୋକ ପଚାରିଲେ କିଛି କଥାବାର୍ତ୍ତା ନାହିଁ ଅନ୍ଧାର ମାଡ଼ି ଆସୁଥାଏ ଠାକୁରଗଡ଼ ଥାଏ କିଛି ଦୂରରେ ଜଙ୍ଗଲିଆ ରାସ୍ତାରେ ସନ୍ଧ୍ୟା ପରେ ଯିବା ପାଇଁ ତ୍ରିପାଠୀ ବାବୁଙ୍କର ମନ ଡାକିଲା ନାହିଁ ଭାରୁଆଙ୍କୁ ବିଦାକରି ବିଲେଇନାଳି ବୋଲି ଗୋଟିଏ ଗାଁରେ ରାତ୍ରିଯାପନ କରିବା ପାଇଁ ନିଷ୍ପତ୍ତି ନେଲେ

ବିଲେଇନାଳିର ପ୍ରଧାନ ଆଜ୍ଞାଙ୍କର ପରିଚୟ ପାଇ ଆଦରରେ ନିଜ ଘରକୁ ଡାକିନେଲେ ମାଷ୍ଟ୍ର ଆଜ୍ଞା, ପୁଣି ଅତିଥି ବ୍ରାହ୍ମଣ ଗାଁରେ ବିଜେ କରିଛନ୍ତି ଶୁଣି ଝାଞ୍ଜ ଖୋଳ ଇତ୍ୟାଦି ବଜାଇ ଅଭ୍ୟାଗତଙ୍କ ପାଇଁ ସଙ୍କୀର୍ତ୍ତନ ମଧ୍ୟ ପରିବେଷଣ କରାଗଲା ଗୋଟିଏ ମଧ୍ୟବୟସ୍କା ଭଦ୍ରମହିଳା ଆଣି ଚାଉଳ, ଡାଲି, କାଠ, ଆଚାର ଇତ୍ୟାଦି ଆଜ୍ଞାଙ୍କ ରହିବା ଘରେ ଯୋଗାଇଦେଲେ ବ୍ରାହ୍ମଣ ଗୋସେଇଁ ଆଉ ଅଜାତି ହାତ ରନ୍ଧା ଖାଇବେ ନାହିଁ କିନ୍ତୁ ବ୍ରାହ୍ମଣଙ୍କ ହାତରେ ଯେ ଆକ୍ଷରିକ ଭାବରେ ଖଡ଼ା ସିଝେ ନାହିଁ, ମହିଳାଜଣଙ୍କ ବା କାହୁଁ ଜାଣିବେ ସେ ଅନୁରୋଧ ରକ୍ଷା କରି ଆଟିକାଟି ବସେଇ ଦେଲେ ପରିବା ମଧ୍ୟ କାଟିଦେଲେ ମାତ୍ର ତାହାପରେ ଏହି ସାମାନ୍ୟ ରୋଷେଇ ଟିକକ କରିବା ପାଇଁ ତ୍ରିପାଠୀଙ୍କୁ ଲାଗିଗଲା ଘଣ୍ଟାକରୁ ଉପରେ ଶେଷକୁ ରାନ୍ଧିଲେ ଚାଉଳିଆ ଭାତ ଦରଶିଝା ଡାଲି ଦରଖିଆ ହୋଇ ବ୍ରାହ୍ମଣ ଗୋସେଇଁ ଉଠିଲେ ଅର୍ଦ୍ଧଭୁକ୍ତ ହୋଇ ମହିଳା ଜଣଙ୍କଠାରୁ ନିଜର ରନ୍ଧନ ଅପଟୁତା ପାଇଁ କିଛି ମଧୁର ଗଞ୍ଜଣା ମଧ୍ୟ ଶୁଣିଲେ

ଅକ୍ଟୋବର ମାସ ଆରମ୍ଭରେ ମଧ୍ୟ ସେତେବେଳେ ସେଠାରେ ବହୁତ ଶୀତ କୁଂକୁରିକାଂକୁରି ହୋଇ ଶୋଇବାକୁ ଚେଷ୍ଟାକରି ବିଫଳ ହୋଇ ଶେଷକୁ ପଦାକୁ ଆସି ଦେଖିଲେ ଲୋକେ ନିଆଁ ପୋଉଁଛନ୍ତି ଘଡ଼ିକକାଳ ନିଆଁ ପୋଇଁ ଟିକିଏ ଶାଷ୍ଟାମ ହୋଇ ଶେଷକୁ ଶୋଇବାକୁ ଗଲେ ସକାଳୁ ଉଠି ବିଲୁଆନାଳିର ଜଣେ ଭାରୁଆ ସହ ଗସ୍ତ ଆରମ୍ଭ ହେଲା ଠାକୁରଗଡ଼କୁ ବାଟରେ କେତେ ଯେ ବିଲମାଳ, କେତେ ଯେ ଜଙ୍ଗଲ, ତାର ଇୟତ୍ତା ନାହିଁ ଅନେକ ବାଟ ଏପରି ଚାଲିଲା ପରେ ପଡ଼ିଲା ଗୋଟିଏ ନାଲିମାଟିର ସଡ଼କଯାହା ପଡ଼ିଥିଲା ଠାକୁରଗଡ଼କୁ ସେହି ରାସ୍ତାର ଦର୍ଶନ ଅପୂର୍ବ ହର୍ଷ ଆଣିଦେଲା କୁଷ୍ଟଁ ବାବୁଙ୍କ ମନରେ - ଗନ୍ତବ୍ୟସ୍ଥଳ ନିକଟ ହୋଇ ଆସିଲାଣି ବୋଲି ରାସ୍ତା ଦୁଇ କଡ଼ରେ ଆକାଶକୁ ଖେଞ୍ଚୁଥି୍ବା ଡେଙ୍ଗା ପଞ୍ଚାଧାର ପରବତ ପଞ୍ଚାଧାରକୁ ଲାଗି କରି ତାହାରି ତଳେ, ରାସ୍ତା ପାଖରେ ଠାକୁରଗଡ଼଼ ଗାଁ ସେଠି ଠିଆହୋଇଥାଏ ରଜାଘର ହାତୀ, ରଜାଘର କର୍ମଚାରୀ ତ୍ରିପାଠି ବାବୁଙ୍କର ଅପେକ୍ଷାରେ କାଲିଠୁଁ

ଠାକୁରଗଡ଼ ଥାନାଠାରେ କିଛି ପୋଲିସି କର୍ମଚାରୀ ଅପେକ୍ଷା କରିଥାଆନ୍ତି ତାଙ୍କୁ ସେମାନେ ପରିଚୟ ପାଇ ଗାଧୋଇବାର ବ୍ୟବସ୍ଥା କରିଦେଲେ ଚାହା ଜଳଖିଆର ବ୍ୟବସ୍ଥା ମଧ୍ୟ ହୋଇଥିଲା ତ୍ରିପାଠିବାବୁ ସେତେବେଳେ ଚାହା ଖାଉନଥାନ୍ତି କିଛି ସାମାନ୍ୟ ଜଳଖିଆ ପରେ ଆଠମଲ୍ଲିକ ଉଦ୍ଦେଶ୍ୟରେ ହାତୀ ପିଠିରେ ବସି ଯାତ୍ରା ଦିନ ଦୁଇଟା ବେଳେ ଆରମ୍ଭ ହେଲା ସେଠୁ ଆଠମଲ୍ଲିକକୁ ବାଟ ପାଖାପାଖି ଚଉଦ ମାଇଲି ମଝିରେ ପଞ୍ଚାଧାର ପାହାଡ଼ ଚାରିପଟେ ଜଙ୍ଗଲ କେଉଁଠି କେଉଁଠି ଗଭୀର ଖାଇ ରାସ୍ତା ଚାରିପାଖେ ପ୍ରକୃତିର ଲୀଳାକ୍ଷେତ୍ରବିଲ, ଜଙ୍ଗଲି ଝରଣା, ଉନବିଂଶ ଶତାବ୍ଦୀର ଇଉରୋପୀୟ ଲ୍ୟାଣ୍ଡସ୍କେପ୍ କଳାକାର ଆଙ୍କି ଦେଇଥିବା ଭଳି ଛୋଟ ଛୋଟ ପଲ୍ଲୀଗାଁ କେତେବେଳେ ଆଠମଲ୍ଲିକରେ ହାତୀ ପହଞ୍ଚିଗଲାଣି ବୋଲି କବିଙ୍କୁ ଆଉ ଜଣା ନାହିଁ ପ୍ରକୃତିରାଣୀର ମାୟାରେ ସେ ସମ୍ପୂର୍ଣ୍ଣ ଭାବରେ ଆତ୍ମବିସ୍ମୃତ ହାତୀଆଳ ହେଇ ଗଡ଼ ଦିଶିଲାଣି ବୋଲି ଡାକ ଦେବାରୁ ସ୍ୱପ୍ନ ଭାଙ୍ଗିଗଲା କବିଙ୍କର ଠିକ୍ ପାଞ୍ଚଟା ବେଳେ ଯାଇ ହାତୀ ପହଞ୍ଚିଲା ହର୍ଯ୍ୟଷ ବାବୁଙ୍କ ଦୁଆର ଆଗରେ ଆଠମଲ୍ଲିକ ଗଡ଼ରେ