ଦେଶରକ୍ଷା ଏବଂ ଭାରତୀୟ ମସ୍ତିଷ୍କ - ୫
ଲେଖକ - ଶ୍ରୀ କିଶନ ପଟ୍ଟନାୟକ
କପିରାଇଟ୍ - ଶ୍ରୀମତି ବାଣୀମଞ୍ଜରି ଦାସ
କୁଟନୀତିର
ବ୍ୟାପକ ଆଧାର ନଥିଲେ ସେନା ବା
ହତିଆର କୌଣସି କାମରେ ଆସିବ ନାହିଁ ।
ଅର୍ଥନୀତି ପ୍ରତିରକ୍ଷାର ଅଙ୍ଗ
ନୁହେଁ । କିନ୍ତୁ ଏକ ସବଳ ଅର୍ଥନୀତି
ହେଉଛି ଉମ କୂଟନୀତିର ଭିିତ୍ତି । ଯେଉଁ
ଦେଶ ନିଜର ଅର୍ଥନୀତିକୁ ସବଳ ଓ
ଗତିଶୀଳ କରିପାରି ନାହିଁ,
ଲୋକଙ୍କୁ
ଖାଇବାକୁ ଦେଇପାରୁ ନାହିଁ କି
ପିଲାଙ୍କୁ ପ୍ରାଥମିକ ଶିକ୍ଷା
ଦେଇପାରୁ ନାହିଁ,
ତାହା
ସଙ୍ଗେ ସମ୍ପର୍କ ରଖିବାକୁ ଅନ୍ୟ
ଦେଶମାନଙ୍କର ଉତ୍ସାହ ହେବନାହିଁ
କି ସମ୍ମାନ ଜାତ ହେବନାହିଁ । ବାହ୍ୟ
ଦେଶମାନଙ୍କୁ ସେ ଗୋଟିଏ ‘ଶକ୍ତି’
ଭାବରେ ଦେଖାଯିବ ନାହିଁ । ଚୀନ୍ ର ଆର୍ଥିକ ବିକାଶ ବିଷୟରେ ଯେତିକି
ଚର୍ଚ୍ଚା ବଢ଼ୁଛି,
ଏକ
ଶକ୍ତି ବା ସମ୍ଭାବିତ ମହାଶକ୍ତି
ଭାବରେ ତାହାର ଛବି ବ୍ୟାପୁଛି ।
ଭାରତର
ଶିକ୍ଷିତ ଶ୍ରେଣୀ କୂଟନୀତି କହିଲେ
କୁଟିଳ ନୀତି ବୋଲି ବୁଝିଥାନ୍ତି ।
କୁଟିଳତା ସାଙ୍ଗରେ ଏହାର ବିଶେଷ
ସମ୍ପର୍କ ନାହିଁ । ଆପଣା ଦେଶର
ଦୀର୍ଘକାଳୀନ ସ୍ୱାର୍ଥକୁ କେନ୍ଦ୍ରରେ
ରଖି ବିଶ୍ୱର ବିଭିନ୍ନ ଦେଶ ସାଙ୍ଗରେ
ବିବିଧ ସ୍ତରର ସମ୍ପର୍କ ରକ୍ଷା
କରି ବୁଦ୍ଧିମାର ସହ ଆନ୍ତର୍ଜାତିକ
ଘଟଣାମାନଙ୍କରେ ହସ୍ତକ୍ଷେପ
କରିବା ହେଉଛି କୂଟନୀତି ଓ ବିଦେଶ
ନୀତିର ସାରକଥା । ବ୍ରିଟେନ୍ ର କୂଟନୀତି ଇଂରେଜୀ ଭାଷା ଓ
ସେକ୍ସପିୟର୍ ଙ୍କୁ ମାଧ୍ୟମ କରିଥାଏ ।
ଯେଉଁଠି ସେକ୍ସପିୟର୍ ଆଦୃତ
ହେଉଛନ୍ତି ଓ ଇଂରାଜୀ ଭାଷାର
ପ୍ରଚଳନ ଅଛି, ସେଇଠି ବ୍ରିଟେନ
ତାହାର ପ୍ରଭାବ ବିସ୍ତାର କରିବାକୁ
ଯୋଜନା କରେ । ଭାରତରେ ଇଂରାଜୀ
ଭାଷାକୁ ବ୍ୟାପକ ଓ ଦୃଢ଼ କରିବା
ଭାରତରେ ବ୍ରିଟିଶ୍ ନୀତିର ଏକ
ଅପରିହାର୍ଯ୍ୟ ଅଙ୍ଗ । ଏହିପରି
ଯେଉଁଠି ପେପ୍ସି କୋଲା ଓ ଜିନ୍ପ୍ ର ଆଦର ଅଛି,
ସେଇଠି
ଆମେରିକା ତାହାର ପ୍ରଭାବ ବିସ୍ତାର
କରିପାରିବ ବୋଲି ସ୍ଥିର କରେ ।
ଯେଉଁଠି ମଙ୍ଗୋଲୀୟ ଚେହେରା
ଦେଖାଦିଏ, ସେଇଠି ଚୀନ୍ ତାହାର
ଆଧିପତ୍ୟ ଅଞ୍ଚଳ ସୃଷ୍ଟି କରିବ ବୋଲି
ବିଚାର କରେ ।
ଭାରତର
ଶାସକମାନେ ସାଂସ୍କୃତିକ,
ଭୌଗୋଳିକ
ଓ ବ୍ୟାପାରିକ ସାମଞ୍ଜସ୍ୟ ଗୁଡ଼ିକରେ
କୂଟନୀତିର ବ୍ୟବହାର କରିବାକୁ
କେବେ ଚେଷ୍ଟା ମଧ୍ୟ କରିନାହାନ୍ତି ।
ପାକିସ୍ତାନ୍,
ବଙ୍ଗଳାଦେଶ,
ନେପାଳ
ଆଦି ରାଷ୍ଟ୍ରମାନଙ୍କର ଭାଷା ଓ
ଭାରତୀୟ ଭାଷାର ଏତେ ସମାନତା ଥାଇ
ସୁଦ୍ଧା, ଆମେ ଏହି ସବୁ ଦେଶ ସାଙ୍ଗରେ
ଊର୍ଦ୍ଦୁ,
ବଙ୍ଗଳା
ଓ ନେପାଳୀ ପ୍ରଭୃତି ଭାଷାକୁ
ବ୍ୟବହାର ନକରି ଗୋଟିଏ ୟୁରୋପୀୟ
ଭାଷା ମାଧ୍ୟମରେ ଉକ୍ତ ଦେଶମାନଙ୍କ
ସଙ୍ଗେ ପତ୍ର ବିନିମୟ କରୁ । ସେମାନଙ୍କ
ସହ ଚର୍ଚ୍ଚା ଆଲୋଚନା ମଧ୍ୟ ଇଂରାଜୀ
ଭାଷାରେ କରିଥାଉ । ଏସବୁ ଦେଶର
ଜନସାଧାରଣ ସଙ୍ଗେ ଭାରତୀୟ
ଜନସାଧାରଣଙ୍କର ବନ୍ଧୁତା ବଢ଼ାଇବା
ପାଇଁ ଯେଉଁ ସ୍ୱାଭାବିକ ଓ ସାଂସ୍କୃତିକ
ବାଟଗୁଡ଼ିକ ଅଛି, ସେଗୁଡ଼ିକୁ ରୁଦ୍ଧ
କରି ଆମେ ବିଶ୍ୱରେ ଏକ ଶକ୍ତି
ହେବାକୁ ଚେଷ୍ଟା କରୁ ।
ଭାରତର
ମୁସଲମାନ୍ ଧର୍ମ ଆନ୍ତର୍ଜାତିକ
ସମ୍ପର୍କ ପାଇଁ ଆଉ ଏକ ଆଧାର। ମଧ୍ୟ-ଏସିଆ,
ଦକ୍ଷିଣ-ଏସିଆ ଓ ପଶ୍ଚିମ-ଏସିଆର ମୁସଲମାନ୍ ନେତାମାନଙ୍କ ସହ ସାଂସ୍କୃତିକ
ବନ୍ଧୁତା ରକ୍ଷା କରିବାର ଏହା ଏକ
ମାଧ୍ୟମ । ଅତୀତର ଏକ ସମୟରେ ଏହି
ଧର୍ମ ଭାରତ ପାଇଁ ଆକ୍ରମଣକାରୀ
ଥିଲା । କିନ୍ତୁ ଅତୀତର କୋଇଲା ଗର୍ତ୍ତ, ଭବିଷ୍ୟତର ହୀରାଖଣି ମଧ୍ୟ
ହୋଇପାରେ । ଭାରତର ଶିକ୍ଷିତମାନେ
ଏପର୍ଯ୍ୟନ୍ତ ଏକ ସମ୍ୟକ୍ ଧର୍ମନୀତି
ଗ୍ରହଣ କରିପାରି ନାହାନ୍ତି ।
ଏପରିକି ବୌଦ୍ଧଧର୍ମକୁ ମଧ୍ୟ ଆମେ
ଏକ ସାଂସ୍କୃତିକ ସମ୍ପର୍କର ବାହକ
କରି ଜାଣିନାହୁଁ । ଯୋଗ ଆଉ ତନ୍ତ୍ରର
ବ୍ୟବହାର କରିଛୁ । କିନ୍ତୁ ଏସିଆ
ବା ଆଫ୍ରିକା ସଙ୍ଗେ ସାଂସ୍କୃତିକ
ପରିଚୟ ପାଇଁ ନୁହେଁ । ଗୋରା ଦେଶର
ଧନୀମାନଙ୍କର ମନୋରଞ୍ଜନ ଓ
ସ୍ୱାସ୍ଥ୍ୟବର୍ଦ୍ଧନ ଉଦ୍ଦେଶ୍ୟରେ ।
ଧର୍ମର ସୃଜନାତ୍ମକ ଓ ବିସ୍ଫୋଟକ ଦିଗ, ଉଭୟ ତ ଅଛି । କାଶ୍ମୀର୍ ସୀମାର
ଏପଟେ ଓ ସେପଟେ ଗୋଟିଏ ଧର୍ମର
ଅନୁଗାମୀମାନେ ରହନ୍ତି । ସେହି
ଧର୍ମ ପ୍ରତି ବିଦ୍ୱେଷ ଭାବନା
ପୋଷଣ କରୁଥିବା କୌଣସି ଭାରତୀୟ
ଶାସକ କାଶ୍ମୀର୍ ସମସ୍ୟାର ସ୍ଥାୟୀ
ସମାଧାନ କରିପାରିବ ନାହିଁ ।
No comments:
Post a Comment