ଏକବିଂଶ ଶତାବ୍ଦୀରେ ଗଣତନ୍ତ୍ରର ଭବିଷ୍ୟତ - ୨
ଲେଖକ - ଶ୍ରୀ କିଶନ ପଟ୍ଟନାୟକ
କପିରାଇଟ୍ - ଶ୍ରୀମତି ବାଣୀମଞ୍ଜରି ଦାସ
ଦ୍ୱିତୀୟ
ବିଶ୍ୱଯୁଦ୍ଧରେ ଗଣତାନ୍ତ୍ରିକବାଦୀ
ଦେଶମାନେ ବିଜୟୀ ହେଲେ । ଇଟାଲୀ ଓ ଜର୍ମାନୀ ଫାସିବାଦର ଅବସାନ
ପରେ ଗଣତନ୍ତ୍ରକୁ ଫେରିଆସିଲେ ।
ପୂର୍ବ ୟୁରୋପ୍ ରେ ଦେଶମାନେ
ଷ୍ଟାଲିନ୍ ବାଦୀ ଏକଛତ୍ରବାଦ
ବିରୁଦ୍ଧରେ ବିଦ୍ରୋହ କରିବା
ଆରମ୍ଭ କରିଦେଲେ । ଏହାର ଶେଷ
ପରିଣତି ହେଲା ସୋଭିଏତ୍ ଋଷ୍ ର ପତନ ଓ ବିଖଣ୍ଡନ । ତେଣୁ ଦେଖିବାକୁ
ଗଲେ, ଗଣତନ୍ତ୍ରର ଶତ୍ରୁମାନେ
ନିଶ୍ଚିହ୍ନ ହୋଇଗଲେ । ଆମେରିକା
ସବୁଠାରୁ ବେଶୀ ପରାକ୍ରମୀ ଦେଶ
ହେଲା । ଇତିହାସର ବିଡ଼ମ୍ବନା ଏପରି
ଯେ ଗଣତନ୍ତ୍ରର ସବୁ ଶତ୍ରୁ ନିହତ
ହୋଇଯିବା ପରେ ପଶ୍ଚିମର ଧନୀ
ରାଷ୍ଟ୍ରମାନେ ବାକୀ ଦୁନିଆକୁ
ଗଣତାନ୍ତ୍ରିକ କରିବାର ଉଦ୍ଦେଶ୍ୟକୁ
ନିଜେ କୋହଳ କରିଦେଲେ। ୟୁରୋପ୍ ର ଗଣତାନ୍ତ୍ରିକ ଦେଶମାନେ ଦ୍ୱିତୀୟ
ବିଶ୍ୱର ଗଣତନ୍ତ୍ର ବିଷୟରେ
ସମ୍ପୂର୍ଣ୍ଣ ଉଦାସୀନ ହେଲେ । ଏପରିକି
ପୂର୍ବ ୟୁରୋପୀୟ ଦେଶମାନଙ୍କ
ଗଣତନ୍ତ୍ର ବିଷୟରେ ମଧ୍ୟ ସେମାନଙ୍କର
କୌଣସି ଚିନ୍ତା ରହିଲା ନାହିଁ ।
ତୃତୀୟ ବିଶ୍ୱର ଦେଶମାନଙ୍କରେ
ସରକାର ଭାଙ୍ଗିବା ଗଢ଼ିବାର କାମ
ଆମେରିକା ନିଜ ହାତକୁ ନେଇଛି ।
ତାହାର ବୋଲକରା ଏକଛତ୍ରବାଦୀ
ଶାସକମାନେ ଯେତେବେଳେ ପୁରୁଣା
ହୋଇ ଲୋକଙ୍କର ଅପ୍ରିୟ ହୋଇଯାନ୍ତି,
ସେତେବେଳେ
ସେମାନଙ୍କୁ ହଟାଇବା ପାଇଁ ସେଇ
ଦେଶର ଜନତାନ୍ତ୍ରିକ ଆନ୍ଦୋଳନକୁ
ଟଙ୍କା ପଇସା ଦେଇ ଆମେରିକା ସାହାଯ୍ୟ
କରେ । ତାହାର ନେତାମାନଙ୍କୁ
ନିଜ ପଟିଆ କରିନିଏ । ନିକଟରେ
ଇଣ୍ଡୋନେସିଆର ସୁହାର୍ତୋ ସରକାରକୁ
ଏହିପରି ଭାବରେ ହଟାଇ ଦିଆଗଲା ।
ଏହି ପ୍ରଣାଳୀରେ ଲାଟିନ୍ ଆମେରିକାର
ଅନେକ ଦେଶରେ ଗଣତନ୍ତ୍ରର ପୁନଃ
ପ୍ରତିଷ୍ଠା କରାଇଥିବାର ବାହାଦୂରୀ
ଆମେରିକା ନେଉଛି । ଏହା ସତ୍ତ୍ୱେ ପୃଥିବୀର ଅଧିକାଂଶ ଭୂଭାଗ ଆଜି
ଗଣତନ୍ତ୍ରବିହୀନ । କିମ୍ବା, କୁହାଯାଇପାରେ ଯେ, ଅନେକ ଦେଶ
ଅଛନ୍ତି, ଯେଉଁଠି ଗଣତାନ୍ତ୍ରିକ
ବ୍ୟବସ୍ଥା ଆସୁଛି,
ପୁଣି
ଚାଲିଯାଉଛି । ବିକାଶଶୀଳ ଦେଶମାନଙ୍କ
ଭିତରେ ଭାରତର ଅବସ୍ଥା ଭିନ୍ନ ।
ତାହାର ବିଶେଷ କାରଣ ବିଷୟରେ ଏହି
ନିବନ୍ଧରେ ଅନ୍ୟତ୍ର ଆଲୋଚନା
ହୋଇଛି ।
ଦ୍ୱିତୀୟ
ବିଶ୍ୱଯୁଦ୍ଧ ସରିବାର ଦୁଇ-ତିନି
ଦଶନ୍ଧି ମଧ୍ୟରେ ଏସିଆ,
ଆଫ୍ରିକା
ଓ ଲାଟିନ୍ ଆମେରିକାର ଅଧିକାଂଶ
ଦେଶ ରାଜନୈତିକ ଭାବରେ ସ୍ୱାଧୀନତା
ପାଇଗଲେ । ଏହି ଦେଶମାନଙ୍କର
ଶିକ୍ଷିତ ଶ୍ରେଣୀ ପଶ୍ଚିମର
ଗଣତନ୍ତ୍ର ଓ ସମୃଦ୍ଧି ପ୍ରତି
ଆକୃଷ୍ଟ ହୋଇଥିଲେ । ତେଣୁ ସ୍ୱାଧୀନତା
ପାଇବା ପରେ ସେମାନେ ମଧ୍ୟ ନିଜ
ନିଜ ଦେଶର ଗଣତାନ୍ତ୍ରିକକରଣ ଓ
ସମୃଦ୍ଧିକରଣ ଚାହିଁଲେ । ଏପର୍ଯ୍ୟନ୍ତ
ସେମାନଙ୍କର ଏହି ଚେଷ୍ଟା ବ୍ୟର୍ଥ
ହୋଇଛି କହିଲେ ଚଳେ । ଆଂଶିକ ଗଣତନ୍ତ୍ର
କେତେକ ରାଷ୍ଟ୍ରରେ ସ୍ଥାପିତ
ହୋଇଛି । ସମୃଦ୍ଧିର
ସ୍ୱପ୍ନ ମଉଳିବାକୁ ବସିଲାଣି ।
ୟୁରୋପ୍ ଓ ଆମେରିକାକୁ ଯଦି
ସମୃଦ୍ଧିର ମାପକାଠି ଧରାଯାଏ
ତାହା ହେଲେ ତାହା ହାସଲ କରିବାର
ସ୍ୱପ୍ନ ଚୀନ୍ ଓ ଭାରତର ନେତୃତ୍ୱ
ମନରେ ଏକଦା ଥିଲା । ଏବେ କୌଣସି
ଦାୟିତ୍ୱସମ୍ପନ୍ନ ବ୍ୟକ୍ତି
ସେକଥା କହୁନାହାନ୍ତି । ସେମାନେ
ଏବେ ଦକ୍ଷିଣକୋରିଆ,
ସିଙ୍ଗାପୁର୍
କିମ୍ବା ମାଲୟେସିଆକୁ ଆଦର୍ଶ
ବୋଲି ଧରୁଛନ୍ତି । କିନ୍ତୁ କାହିଁକି ?
ଆମେ
କାହିଁକି ଦକ୍ଷିଣ କୋରିଆର ସମୃଦ୍ଧି
ଚାହିଁବା ? ଆମେ
କାହିଁକି ଆମେରିକାର ବା ଜର୍ମାନୀର
ସମୃଦ୍ଧି ଚାହିଁବା ନାହିଁ ?
ଯେଉଁ
କାରଣରୁ ଆମେରିକା ବା ଜର୍ମାନୀର
ସମୃଦ୍ଧି ଆମକୁ ମିଳିବାର ନାହିଁ,
ହୁଏତ
ପ୍ରାୟ ସେହିପରି କାରଣରୁ ଦକ୍ଷିଣ
କୋରିଆର ସମୃଦ୍ଧି ମଧ୍ୟ ଆମର
ହସ୍ତଗତ ହୋଇପାରିବ ନାହିଁ । ଦକ୍ଷିଣ
କୋରିଆ ଥିଲା ଏସିଆ ବ୍ୟାଘ୍ରମାନଙ୍କ
ମଧ୍ୟରୁ ଜଣେ । ଏସୀୟ ଆର୍ଥିକ ସଙ୍କଟ
ପରେ ଏସିଆର ବ୍ୟାଘ୍ରମାନେ ଆଉ
ହୁଙ୍କାର ଦେଉନାହାନ୍ତି କାହିଁକି ?
ପଶ୍ଚିମର
ସମୃଦ୍ଧି ପାଇଁ ଲାଳାୟିତ ହୋଇ
ଆମେ ପଶ୍ଚିମା ବିଚାର ଦର୍ଶନକୁ
ମଧ୍ୟ ଗ୍ରହଣ କରୁଛୁ । ଉଦାରବାଦ
ଓ ମାର୍କ୍ସ୍-ବାଦ, ଉଭୟ ହେଉଛି
ଆଧୁନିକ ପଶ୍ଚିମର ବିଚାର ଦର୍ଶନ ।
ସେମାନେ ପରସ୍ପର ବିରୋଧୀ ହେଲେ
ମଧ୍ୟ, କେତେକ ମୁଖ୍ୟ ବିନ୍ଦୁରେ
ସେମାନଙ୍କର ମତୈକ୍ୟ ରହିଛି ।
ଉଭୟଙ୍କ ମତରେ ମନୁଷ୍ୟ ସମାଜ ପାହାଚ
ପାହାଚ ଚଢ଼ି ଚଢ଼ିକା ନିରବଚ୍ଛିନ୍ନ
ଭାବରେ ଅଧିକ ସମୃଦ୍ଧି ଓ ଅଧିକ
ବିକାଶ ଆଡ଼କୁ ଗତି କରିଚାଲିଛି ।
ତାହା ଯଦି ସତ ଓ ଗଣତନ୍ତ୍ର ଓ
ସମୃଦ୍ଧି ଯଦି ବିକାଶର ଅନିର୍ବାର୍ଯ୍ୟ
ଅଙ୍ଗ,
ତାହା ହେଲେ
ଅଧିକାଂଶ ପୃଥିବୀ କାହିଁକି
ଅଗଣତାନ୍ତ୍ରିକ ଓ ଅସମୃଦ୍ଧ
ହୋଇରହିଛି ?
ପଶ୍ଚିମ
ଓ ପୂର୍ବ ତଥା ଉତ୍ତର ଓ ଦକ୍ଷିଣ ମଧ୍ୟରେ
ଆର୍ଥିକ ବୈଷମ୍ୟ ବଢ଼ିଚାଲିଛି ।
ଅଧା ମନୁଷ୍ୟ ଦରିଦ୍ର,
ଅସହାୟ
ଓ ଅସୁସ୍ଥ ଅନୁଭବ କରୁଛନ୍ତି । ଏକ
ତୃତୀୟାଂଶ ମନୁଷ୍ୟ କାଙ୍ଗାଳ
ଅବସ୍ଥାରେ ରହିଛନ୍ତି । ମାନବ
ସମାଜର ପ୍ରଗତି ନିଶ୍ଚୟ ହେଉନାହିଁ ।
କିମ୍ବା ପଶ୍ଚିମ ୟୁରୋପ୍ ଓ ଉତ୍ତର
ଆମେରିକାକୁ ହିଁ ମାନବ ସମାଜ ବୋଲି
ଧରି ସମାଜ ଓ ଇତିହାସର ନିୟମମାନ
ତିଆରି ହୋଇଛି । ବିଶ୍ୱର ସମଗ୍ର
ମାନବଜାତିକୁ ଯଦି ମାନବ ସମାଜ
ବୋଲି ଧରାଯାଏ ଓ ମାନବକୁ ଏକ
ପ୍ରଜାତି ଭାବରେ
ନିଆଯାଏ,
ତାହା ହେଲେ ପାଶ୍ଚାତ୍ୟ ବିଚାର ଦର୍ଶନର
ଏହି ସରଳରୈଖିକ ନିରବଚ୍ଛିନ୍ନ
ପ୍ରଗତିର ଅବଧାରଣା ସମ୍ପୂର୍ଣ୍ଣ
ଭୁଲ୍ ଅଟେ । ସମୃଦ୍ଧି,
ବିକାଶ,
ପତନ
ଓ ଉତ୍ଥାନର ନୂଆ ସମାଜଶାସ୍ତ୍ରୀୟ
ବିଚାର ଓ ଦର୍ଶନ ଦରକାର ହେଉଛି ।
ତାହା ବିନା ଆମେ ପୃଥିବୀର ବର୍ତ୍ତମାନ
ତଥା ଭବିଷ୍ୟତକୁ ବୁଝିପାରିବା
ନାହିଁ ।
ଏହାକୁ
ଅସ୍ୱୀକାର କରିହେବ ନାହିଁ ଯେ
ଆଧୁନିକ ଗଣତନ୍ତ୍ରର ଆରମ୍ଭ
ୟୁରୋପ୍ର ବ୍ରିଟେନ୍ ରେ ହୋଇଥିଲା ।
ସେମାନେ ପ୍ରାଚୀନ ଗ୍ରୀକ୍ ସଭ୍ୟତାରୁ
ଏହାର ପ୍ରେରଣା ପାଇଥିଲେ । ପ୍ରାଚୀନ
ଭାରତରେ ରାଜତନ୍ତ୍ରକୁ ମର୍ଯ୍ୟାଦିତ
ବା ଅନୁଶାସିତ କରିବା ପାଇଁ ସମୟ
ସମୟରେ ଚେଷ୍ଟା ହେଉଥିଲା । ଧର୍ମ-ଅନୁମୋଦିତ
ସାମାଜିକ ସଙ୍ଘମାନଙ୍କର ନିଜସ୍ୱ
ଅଧିକାର ଥିଲା । ଗଣରାଜ୍ୟମାନଙ୍କରେ
କୌଣସି ରାଜବଂଶର ରାଜତ୍ୱ ଚଳୁନଥିଲା ।
କେତେକ ପ୍ରକାରର ନିର୍ବାଚନ ମଧ୍ୟ
ପ୍ରଚଳିତ ଥିଲା । କିନ୍ତୁ ସବୁ
ସାବାଳକ ନାଗରିକମାନଙ୍କର ମତଦାନର
ଅଧିକାର, ବ୍ୟକ୍ତି
ସ୍ୱାତନ୍ତ୍ର୍ୟର ଅଧିକାର ଓ ଶାସକମାନଙ୍କର କାର୍ଯ୍ୟକଳାପକୁ
ନିୟନ୍ତ୍ରିତ କରିବା ପାଇଁ ସଂସଦ
ଓ ନ୍ୟାୟପାଳିକାର ଅଧିକାରଗୁଡ଼ିକ
କୌଣସି ପ୍ରାଚୀନ ସଭ୍ୟତାରେ
ପ୍ରଚଳିତ ଥିଲା ବୋଲି ଜଣାପଡ଼େ
ନାହିଁ। ଏହି ଅର୍ଥରେ ଗଣତନ୍ତ୍ର
ହେଉଛି ଆଧୁନିକ ୟୁରୋପୀୟ ସଭ୍ୟତାର
ଏକ ଅବଦାନ ।
No comments:
Post a Comment