ଶ୍ରୀମଦ୍ ଭଗବଦ୍ ଗୀତାର ପଦ୍ୟାନୁବାଦ
ଚତୁର୍ଥ ଅଧ୍ୟାୟ : ଶ୍ଲୋକ ୧ - ୯
ଅନୁବାଦକ - ଉତ୍କଳବ୍ୟାସ ଶ୍ରୀ ଫକୀରମୋହନ ସେନାପତି
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ |
ଚତୁର୍ଥ ଅଧ୍ୟାୟ : ଶ୍ଲୋକ ୧
ଜ୍ଞାନ ୟୋଗ
ଶ୍ରୀ ଭଗବାନ ଉବାଚ
ଇମଂ ବିବସ୍ୱତେ ୟୋଗଂ ପ୍ରୋକ୍ତବାନହମବ୍ୟୟମ୍ ।
ବିବସ୍ୱାନ୍ ମନବେ ପ୍ରାହ ମନୁରିକ୍ଷ୍ୱାକବେଽବ୍ରବୀତ୍ ।୧।
ପୂର୍ବ କାଳେ ଆମେ ଏହି ଅବ୍ୟୟ ଯୋଗକୁ । ଯତନରେ ଶିକ୍ଷା ଦେଇଥିଲୁଁ ଆଦିତ୍ୟଙ୍କୁ ।।
ମନୁକୁ ଶିଖାଇଥି୍ଲେ ଆଦିତ୍ୟ ଏ ଯୋଗ । ଇକ୍ଷ୍ୱାକୁଙ୍କୁ ଶିଖାଇଲେ ମନୁ ମହାଭାଗ ।୧।
ଏବଂ ପରମ୍ପରାପ୍ରାପ୍ତମିମଂ ରାଜର୍ଷୟୋ ବିଦୁଃ
ସ କାଳେନେହ ମହତା ୟୋଗୋନଷ୍ଟଃ ପରନ୍ତପ ।୨।
ଇକ୍ଷ୍ୟାକୁଠାରୁ ନିମି ଆଦି । ଶିଖିଣ ଥିଲେ ଏ ସମାଧି ।।
ତହିଁ ଉତ୍ତାରୁ ପରନ୍ତପ । କାଳେ ଏ ଯୋଗ ହେଲା ଲୋପ ।୨।
ସ ଏବାୟଂ ମୟା ତେଽଦ୍ୟ ୟୋଗଃ ପ୍ରୋକ୍ତଃ ପୁରାତନଃ ।
ଉକ୍ତୋଽସି ମେ ସଖା ଚେତି ରହସ୍ୟଂ ହ୍ୟେତ ଦୂତ୍ତମମ୍ ।୩।
ତୁମ୍ଭେ ମୋ ସଖା ପୁଣି ଭକ୍ତ । ମୋଠାରେ ପୁଣି ଅନୁରକ୍ତ ।।
ଏଣୁ ଏ ଯୋଗ ପୁରାତନ । ବିଶେଷି କଲୁଁ ଯେ କୀର୍ତ୍ତନ । ୩।
ଅର୍ଜୁନ ଉବାଚ
ଅପରଂ ଭବତୋ ଜନ୍ମ ପରଂ ଜନ୍ମ ବିବସ୍ୱତଃ ।
କଥମେତଦ୍ ବିଜାନୀୟାଂ ତ୍ୱମାଦୌ ପ୍ରୋକ୍ତବାନିତି । ୪।
ସୂର୍ଯ୍ୟ କରିଥିଲେ ଆଗେ ଜନମ ଗ୍ରହଣ । ଅନନ୍ତର ଜନ୍ମଲାଭ କଲେ ଯେ ଆପଣ ।।
ଆପଣଙ୍କଠାରୁ ଶିକ୍ଷା କଲେ ସୂର୍ଯ୍ୟଦେବ । ଏକଥା ବା ହୋଇପାରେ କେମନ୍ତେ ସମ୍ଭବ ।୪।
ଶ୍ରୀ ଭଗବାନ ଉବାଚ
ବହୁନି ମେ ବ୍ୟତୀତାନି ଜନ୍ନାନି ତବ ଚାର୍ଜୁନ ।
ତାନ୍ୟହଂ ବେଦ ସର୍ବାଣି ନ ତ୍ୱଂ ବେତ୍ଥ ପରନ୍ତପ ।୫।
ପୂର୍ବେ ଆମ୍ଭେ ଜନ୍ମ ଲଭିଅଛୁ କେତେଥର । ତୁମ୍ଭେ ମଧ୍ୟ ଜନ୍ମିଥିଲ ଆହେ ବୀରବର ।।
ଅଲୁପ୍ତ ବିଦ୍ୟାର ବଳେ ଅଛୁ ଅବଗତ । ମାତ୍ର ତୁମ୍ଭେ ଭୁଲିଯାଇଅଛ ସେ ସମସ୍ତ ।୫।
ଅଜୋଽପି ସନ୍ନବ୍ୟୟାତ୍ମା ଭୂତାନାମୀଶ୍ୱରୋଽପିସନ୍ ।
ପ୍ରକୃତିଂ ସ୍ୱାମଧିଷ୍ଠାୟ ସମ୍ଭବାମ୍ୟାତ୍ମମାୟୟା ।୬।
ପ୍ରକୃତିଂ ସ୍ୱାମଧିଷ୍ଠାୟ ସମ୍ଭବାମ୍ୟାତ୍ମମାୟୟା ।୬।
ଆମ୍ଭର ନାହିଁ ଯେ ଜନ୍ମ ନୋହୁ ବିନିଶ୍ୱର । ପ୍ରାଣୀମାନଙ୍କର ମଧ୍ୟେ ଆମ୍ଭେ ହିଁ ଈଶ୍ୱର ।।
ସ୍ୱକୀୟ ପ୍ରକୃତି ରୂପ ଆଶ୍ରୟକୁ ଘେନି । ପୁନଃ, ପୁନଃ ଜନ୍ମ ଲଭିଥାଉଁ ଫାଲଗୁନି ।୬।
ୟଦା ୟଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ ।
ଅଭ୍ୟୁତ୍ଥାନମଧର୍ମ୍ମସ୍ୟ ତଦାତ୍ମାନଂ ସୃଜାମ୍ୟହମ୍ ।୭।
ଯେତେବେଳେ ହୁଏ ଧର୍ମେ ଗ୍ଲାନି ଉପସ୍ଥିତ । ଅଧର୍ମ ହୁଅଇ ଜଗତରେ ସଞ୍ଚାରିତ ।।
ଆମ୍ଭେ ମାୟାବଳେ ସେହି ସେହି ସମୟରେ । ଜନ୍ମଲାଭ କରୁଁ ପାର୍ଥ ଜଗତ ମଧ୍ୟରେ ।୭।
ପରିତ୍ରାଣାୟ ସାଧୁନାଂ ବିନାଶାୟ ଚ ଦୁଷ୍କୃତାମ୍ ।
ଧର୍ମସଂସ୍ଥାପନାର୍ଥାୟ ସମ୍ଭବାମି ୟୁଗେ ୟୁଗେ । ୮।
ସାଧିୁମାନଙ୍କ ପରିତ୍ରାଣ । ଅସାଧୁମାନଙ୍କ ନିଧନ ।।
ଧର୍ମ ସ୍ଥାପନ ଅନୁରାଗେ । ଜନମି ଥାଉଁ ଯୁଗେ ଯୁଗେ ।୮।
ଜନ୍ମ କର୍ମ ଚ ମେ ଦିବ୍ୟମେବଂ ୟୋ ଚେତ୍ତି ତତ୍ତ୍ୱତଃ ।
ତ୍ୟକ୍ତ୍ୱା ଦେହଂ ପୁନର୍ଜନ୍ମ ନୈତିମାମେତି ସୋଽର୍ଜ୍ଜୁନ । ୯।
ଆମ୍ଭର ସ୍ୱେଚ୍ଛାକୃତ ଜନ୍ମ । ପୁଣି ଯେ ଅଲୌକିକ କର୍ମ ।।
ଯେ ହୁଏ ଏହା ଅବଗତ । ଆମ୍ଭଙ୍କୁ ହୁଏ ସେହୁ ପ୍ରାପ୍ତ ।।
ନ କରେ ଜନମ ଗ୍ରହଣ । ଆମ୍ଭ ଶରୀରେ ହୁଏ ଲୀନ ।୯।
No comments:
Post a Comment