ଭାରତୀୟ ବୁଦ୍ଧିଜୀବୀର ସଙ୍ଗଟ - ୪
ଲେଖକ - କିଶନ ପଟ୍ଟନାୟକ
କପିରାଇଟ୍ - ବାଣୀମଞ୍ଜରୀ ଦାସ
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ |
ସାଧାରଣ
ଲୋକ ଯାହା ହେଲେ ବି ଅତି କମ୍ ରେ
ମଣିଷ । ତାହାର
ସମ୍ପର୍କ,
ତାକୁ
ଗଭୀର ଭାବରେ ଛୁଇଁଲା ପରି କଳା
ଦ୍ୱାରା,
ସାହିତ୍ୟ
ଦ୍ୱାରା,
ବିଜ୍ଞାନ
ଦ୍ୱାରା,
ଅର୍ଥନୀତି
ଓ ରାଜନୀତି ଦ୍ୱାରା,
ସେ
ଅବଶ୍ୟ ପ୍ରଭାବିତ ହେବ । ପ୍ରତ୍ୟେକ
ଲୋକ ଯେ ସବୁ ରକମର ଶ୍ରେଷ୍ଠକଳା
ଓ ଥିଓରୀକୁ ବୁଝିବ ତାହା ନୁହେଁ
। କିନ୍ତୁ ଜୀବନ ସଙ୍ଗରେ
ଗଭୀର ଓ ନିବିଡ଼ ଅନୁଭୂତିର ସମ୍ପର୍କ
ରଖି ଯେଉଁ ମନନ,
କଳ୍ପନା
ବା କାର୍ଯ୍ୟକ୍ରମ ହେବ ତାହାର
ବୋଧଗମ୍ୟତା ଅବଶ୍ୟ କିଛି ସମୟ
ପରେ ସାଧାରଣ ମନକୁ ବିଭିନ୍ନ ବାଟରେ
ଭେଦିଯାଏ । ଏପରି ଅଧିକାଂଶ
କାର୍ଯ୍ୟରେ ଏଭଳି ଏକ ମାନସିକ
ଆକର୍ଷଣ ଥାଏ ଯେ ସାଧାରଣ ବୁଦ୍ଧି
ତାକୁ ବ୍ୟାଖ୍ୟା ନକରି ପାରି
ସୁଦ୍ଧା ତାହା ଦ୍ୱାରା
ପ୍ରଭାବିତ ହୋଇପଡ଼େ । ଭାରତୀୟ
ବୁଦ୍ଧିଜୀବୀର କାର୍ଯ୍ୟ,
ସୃଷ୍ଟି
ବା ପରିଶ୍ରମ ଯଦି ସାଧାରଣ ଲୋକଙ୍କ
ଦ୍ୱାରା ଆଦୃତ ନୁହେଁ,
ତାହାର
ଏକ ମୁଖ୍ୟ କାରଣ ସେ ମଣିଷ ଜୀବନ
ସାଙ୍ଗରେ ସ୍ୱାଭାବିକ ଓ ଗଭୀର
ସମ୍ପର୍କ ରଖିପାରି ନାହିଁ ।
ଅର୍ଥନୀତି,
ସାମାଜନୀତି,
ଇତିହାସ,
ବିଜ୍ଞାନ,
ଦର୍ଶନ,
ସାହିତ୍ୟ
ଓ କଳା - ଯେ
କୌଣସି କ୍ଷେତ୍ରରେ ଭାରତୀୟ
ବୁଦ୍ଧିଜୀବୀ ଚର୍ବିତଚର୍ବଣ ଛଡ଼ା
ଆଉ କିଛି କରୁନାହିଁ । ଆଉ ଗୋଟିଏ
ହାସ୍ୟାସ୍ପଦ କଥା ଯେ ଭାରତୀୟ
ବୁଦ୍ଧିଜୀବୀ ଏସବୁ କାର୍ଯ୍ୟ ଏକ
ବିଦେଶୀ ଭାଷାରେ କରିବାକୁ ଚାହେଁ
ଯାହାକୁ ଏ ଦେଶରେ ଶତକଡ଼ା ଏକ ଭାଗ
ଲୋକ ବି ବୁଝନ୍ତି ନାହିଁ । ଯେକୌଣସି
ଦେଶ ଓ ସମୟରେ,
ଯେତିକି
ଲୋକଙ୍କ ପାଖରେ ବୁଦ୍ଧିଜୀବୀର
କାର୍ଯ୍ୟ ପହଞ୍ଚିପାରେ
ତାହାର
ଏକ ଅତି କ୍ଷୁଦ୍ରଅଂଶ ତାକୁ ଗ୍ରହଣ
କରି ପ୍ରସାର କରିବାରେ ସାହାଯ୍ୟ
କରେ । କିନ୍ତୁ ଏଇଠି ତ ମୂଳରୁ ଏକ
ନିହାତି ନଗଣ୍ୟ ସଂଖ୍ୟା ପାଖରେ
ପହଞ୍ଚିବା ଭଳି ଉପାୟ
ଆମ ବୁଦ୍ଧିଜୀବୀମାନେ ବାଛିଛନ୍ତି
। ଅତି ଉନ୍ନତ ଓ ଶିକ୍ଷିତ ଦେଶମାନଙ୍କରେ
ମଧ୍ୟ ସବୁଲୋକ ବୁଝୁଥିବା ଓ କହୁଥିବା
ଭାଷାରେ ବୁଦ୍ଧିଜୀବୀ ଯାହା ଚିନ୍ତା
କରେ ଓ କଳ୍ପନା କରେ ତାହାର ସହଜରେ
ଗ୍ରହଣୀୟ ହୋଇ ନଥାଏ
। ଏହି ଅବସ୍ଥାରେ ଯଦି ଭାରତୀୟ
ବୁଦ୍ଧିଜୀବୀ ସବୁ କାମ ଇଂରାଜୀରେ
କରିଚାଲେ ଓ ତଥାପି ଆଶା କରେ ଯେ
ତା’ର ପ୍ରଭାବ ପଡ଼ୁ ଓ ଲୋକେ ତାକୁ
ଗ୍ରହଣ କରି ସମ୍ମାନ ଦିଅନ୍ତୁ,
ୟା
ଠାରୁ ବଳି ଅସ୍ୱାଭାବିକ କ’ଣ
ହୋଇପାରେ ?
ଆମର
ଅର୍ଥନୀତିଜ୍ଞ,
ବୈଜ୍ଞାନିକ,
ଐତିହାସିକ,
ସମାଜବିଜ୍ଞାନୀ,
ସମାଲୋଚକ
- ଏମାନଙ୍କୁ
କିଏ, କାହିଁକି,
କିପରି
ଏ ଦେଶରେ ଗ୍ରହଣ କରିବ?
ଭାରତ
ଇତିହାସର ଏହା ଏକ ନିରବଚ୍ଛିନ
ଦୁର୍ଭାଗ୍ୟ । ବୁଦ୍ଧ,
କବୀରଙ୍କ
ପରି କେତେକ ବ୍ୟତିକ୍ରମକୁ ଛାଡ଼ି
ଭାରତୀୟ ବୁଦ୍ଧିଜୀବୀ କେବଳ ସମାଜର
ଗୋଟିଏ କ୍ଷୁଦ୍ର ଅଂଶକୁ ହିଁ ପାଠକ,
ଶ୍ରୋତା
ଓ ସମାଲୋଚକ ହିସାବରେ ରଖି ତା’ର
କାର୍ଯ୍ୟ କରିଛି । ଇଂରାଜୀ ଆଜି
ସଂସ୍କୃତ,
ଆରବୀ
ଓ ଫାର୍ଶୀର ଉରାଧିକାରୀ ହୋଇଛି
। ଇଂରାଜୀର ଦୋଷ ସଂସ୍କୃତ ଓ
ଫାର୍ଶୀଠାରୁ ବେଶୀ,
କାରଣ
ସାମାଜିକ ଏକତା ଆଜି ଭଳି ପୂର୍ବକାଳରେ
ଏକ ଆବଶ୍ୟକୀୟ ଅଙ୍ଗ ନଥିଲା ।
ଭାରତୀୟ
ବୁଦ୍ଧିଜୀବୀ ଏହି ସ୍ୱାଭାବିକ
ସାମାଜିକ ଏକତା ପ୍ରତି ଦୃଷ୍ଟି
ନଦେଇ ହଠାତ୍ ଏକ କୃତ୍ରିମ ବିଶ୍ୱ-ଏକତା
ଆଡ଼କୁ ଗତି କରିଛି । ତାହାର ଏହି
ବିଶ୍ୱ ଏକତା ପଛରେ ଚିନ୍ତାର
ଉଦାରତା ବା ଅନୁଭୂତିର ଅନୁକମ୍ପା
ନାହିଁ । ବରଂ,
ଅଛି
ଏକ ଆତ୍ମନ୍ୟୁନତା,
ପଛରେ
ପଡ଼ିଯିବାର ଭୟ ଓ ଶୀଘ୍ର ବିଶ୍ୱବିଶ୍ମୃତ
ହେବାପାଇଁ ଏକ ବିକଳ ଭାବ । ଭାରତୀୟ
ବୁଦ୍ଧିଜୀବୀର ଐତିହାସିକ ଦୃଷ୍ଟି
ନାହିଁ । ସେ ଭାବୁଛି ଯେ ବର୍ତ୍ତମାନ
ଯେଉଁ ସଭ୍ୟତା ଚାଲିଛି,
ତାହା
ଉପରକୁ ଆଉ କିଛି ଇତିହାସ ଗର୍ଭରେ
ନାହିଁ - ସାରା
ପୃଥିବୀ ଏଇ ସଭ୍ୟତା ଦ୍ୱାରା ଏକ
ହୋଇଛି । ଏକ ପୃଥିବୀ,
ପୁଣି
ଏକ ସଭ୍ୟତା -
ତାହା
ପାଶ୍ଚାତ୍ୟ ସଭ୍ୟତା,
ଏଇ
ସଭ୍ୟତାର ପୁଣି ଏକ ସଂସ୍କୃତି -
ତାହା
ୟୁରୋପୀୟ ସଂସ୍କୃତି । କେତେ ପୁଣି
ଏହା କହିବାକୁ ପଛାନ୍ତି
ନାହିଁ ଯେ ଏହାର ଅଛି ଏକ ଭାଷା -
ତାହା
ଇଂରାଜୀ ଭାଷା !
ଏପରି
ସ୍ଥୁଳ
ଦୃଷ୍ଟିର ପରିଣାମ ସ୍ପଷ୍ଟ ।
ପୃଥିବୀର ଯଦି ଏକ ସଭ୍ୟତା,
ଏକ
ସଂସ୍କୃତି (ଓ
ଏକ ଭାଷା)
ହୋଇଗଲାଣି,
ଭାରତ
ପରି ପଛୁଆ ଦେଶ ବି ଆଗକୁ ବଢ଼ି ଶେଷରେ
ସେଇଠି ପହଞ୍ଚିବ ।
ଦେଶର ଅର୍ଥନୀତି ବଢ଼ି ବଢ଼ି ରୁଷିଆ
କି ଆମେରିକା ହେବ ।
ଦେଶର ସାହିତ୍ୟ ବଢ଼ି ବଢ଼ି ଇଂରାଜୀ
ବା ଫରାସୀ ସାହିତ୍ୟ ହେବ । ଅତଏବ
ଉତ୍କୃଷ୍ଟ ସାହିତ୍ୟ,
କଳା
ବା ଦର୍ଶନର ଉପଲବ୍ଧି
ନିମନ୍ତେ ସେମାନଙ୍କର
ରୁଚି, ପ୍ରଣାଳୀ,
ଆଦର୍ଶ
ଓ ମାପଦଣ୍ଡ ହିଁ ଉପଯୁକ୍ତ କଷଟି
। ଦେଶୀ ଲୋକ ଏତେ ପଛରେ ଅଛନ୍ତି
ଯେ, ତାଙ୍କର
ଆବଶ୍ୟକତା ଓ ବୋଧଶକ୍ତିକୁ ଜଗି
ବସିଲେ ଆମେ ପୃଥିବୀର ଉତ୍ତମ
ସାହିତ୍ୟିକ ବା
ବୁଦ୍ଧିଜୀବୀ ଭିତରେ ଗଣ୍ୟ ହୋଇପାରିବୁ
ନାହିଁ, ତେଣୁ
ଏ ବିକଳ ଭାବ । ୟୁରୋପ୍,
ଆମେରିକାରେ
ଯେଉଁ ସମସ୍ୟାଗୁଡ଼ିକର ଓ ଯେପରି
ଭାବରେ ଆଲୋଚନା ହେଉଛି ସେଗୁଡ଼ିକର
ସେପରି ଢଙ୍ଗରେ ଏଠାରେ ମଧ୍ୟ
ଆଲୋଚନା କରିବା ଉଚିତ । ସେଠି
ଅସ୍ତିତ୍ୱବାଦ,
ସର୍ରିଅଲିଜିମ
ଓ କ୍ୟୁବିଜିମ୍ ଚାଲିଲାଣି
ତ ଏଠି ମଧ୍ୟ ତାହା
ନହେଲେ ଆମେ ବିଶ୍ୱ ସଂସ୍କୃତିରେ
ଭାଗ ନେଇପାରିବା ନାହିଁ । ତାଙ୍କ
ସମାଜ ଓ ସାହିତ୍ୟରେ ‘ରାଗୀ ଯୁବକ’
(ଏଙ୍ଗ୍ରୀ
ୟଙ୍ଗ ମ୍ୟାନ୍)
ଓ ‘ବିଟ୍
ପୁରୁଷ’ (ବିଟ୍
ଜେନେରେସନ୍)ଙ୍କର
ସମସ୍ୟା ଦେଖାଦେଲାଣି ତ ଆମ ସମାଜରେ
ବି ଏଗୁଡ଼ିକର ଆବିର୍ଭାବ ହେବା
ଦରକାର । ତାଙ୍କ କବିତାରେ
ଯୁଦ୍ଧବିଧ୍ୱସ୍ତ ସମାଜ ଓ ବିଘଟିତ
ବ୍ୟକ୍ତିତ୍ୱର ଅସ୍ପୁଟ ପୀଡ଼ା
କୁହରି ଉଠୁଛି,
ତେଣୁ
ତତ୍ସମ୍ବନ୍ଧରେ କଳ୍ପନା ଓ ଇମେଜ୍
ଆମ କବିତାରେ ନରହିଲେ ଆମର କବିତା
ଯୁଗଧର୍ମୀ ହୋଇପାରିବ ନାହିଁ ।
ତେଣୁ ଆମେ ବି ସେଇ ଢଙ୍ଗରେ,
ସେସବୁ
ପ୍ରସଙ୍ଗରେ ଓ ସେଭଳି
ଇମେଜ୍ ଓ କଳ୍ପନା ନେଇ କବିତା ଲେଖି
ବିଶ୍ୱ ସାହିତ୍ୟରେ ଆଦର ପାଇବା
।
ଏହା
ପଛକୁ ଆଉ ଏକ କଥା ଆସିଯାଉଛି ।
ଉତ୍କର୍ଷର ମାନଦଣ୍ଡ
ଯଦି ସେଠି ରହିଲା ତାହାହେଲେ
ଯାହା କିଛି ସେସବୁ ଦେଶର ସମାଲୋଚକଙ୍କ
ଦ୍ୱାରା ଆଦୃତ ହୋଇପାରିନାହିଁ,
ନିଜ
ଦେଶରେ ତାହାର
ଯେତେ ସମାଦର ହେଲେ ସୁଦ୍ଧା ଲେଖକ
ଓ ଚିନ୍ତକର ସନ୍ତୋଷ ହେବନାହିଁ
। ପୁନଶ୍ଚ,
ଓଲଟା
ଭାବରେ,
ସେମାନଙ୍କ
ଦ୍ୱାରା ଆଦୃତ ହେବାକୁ ଚାହିଁଲେ
ସେମାନେ ବୁଝିଲାଭଳି ଶବ୍ଦ ଯୋଜନା,
ପ୍ରାସଙ୍ଗିକତା,
ବିଷୟବସ୍ତୁ
ଓ ସନ୍ଦର୍ଭର ଆଶ୍ରୟ ନେବାକୁ ପଡ଼ିବ
। ଏହା ଏକ ଦୂଷିତ ଆବର୍ତ୍ତ
। ଭାରତୀୟ ସାହିତ୍ୟିକ
ଓ ଚିନ୍ତକ ପାଶ୍ଚାତ୍ୟ ପାଠକ ଓ
ସମାଲୋଚକଙ୍କ ପାଖରେ ପହଞ୍ଚିବା
ପାଇଁ ଏତେ ବିକଳ ଯେ ନିଜ ଦେଶର
ପାଠକ ଓ ସମାଲୋଚକ ତାହାର
ଗୌଣ ଉଦ୍ଦେଶ୍ୟ ।
ଇଂରାଜୀରେ ଲେଖିବା ତାହାର
ପ୍ରଥମ ଲକ୍ଷ୍ୟ । ଦେଶୀ ଭାଷାରେ
ଲେଖିଲେ ମଧ୍ୟ ଆରମ୍ଭରୁ ତା’ର
ଚିନ୍ତା, ଯେ
ପାଶ୍ଚାତ୍ୟ ଭାଷାରେ ଅନୁବାଦ ହେବ
କି ନାହିଁ ?
ହେଲେ
ବି, ଇଂରାଜୀ
ବା ରୁଷୀୟ ବହି ଭଳିଆ ଲାଗିବ କି
ନାହିଁ?
ବୋଦଲେୟାର୍,
କାମ୍ୟୁ
ଓ ରସେଲ୍ ସାଙ୍ଗରେ ଏହାର ତୁଳନା
ହେବ କି ନାହିଁ ?
ବିଦେଶୀ
ଲୋକର କି ଗରଜ ପଡ଼ିଛି ଭାରତୀୟ
ବୁଦ୍ଧିଜୀବୀଙ୍କ ବିଷୟରେ ଏତେ
ମୁଣ୍ଡ ଖେଳାଇବାକୁ ?
ସେ ଯଦି
ଏଲିୟଟ୍,
ବୋଦଲେୟାର୍,
କ୍ୟାମୁ
ବା ରସେଲ୍ ଙ୍କର ଚିନ୍ତା
ଓ କଳା ଜାଣିବାକୁ ଚାହେଁ,
ଭାରତୀୟ
ବୁଦ୍ଧିଜୀବୀ ପରି ସେକେଣ୍ଡ୍-ହ୍ୟାଣ୍ଡ୍
ମୁଣ୍ଡରୁ ସେ କାହିଁକି ଏସବୁ
ଜାଣିବାକୁ ଚେଷ୍ଟା କରିବ ?
ଭାରତୀୟ
ପୁସ୍ତକ ସେ ପଢ଼ିପାରେ କେବଳ ଭାରତୀୟ
ମୌଳିକତା,
ଭାରତୀୟ
ପ୍ରସଙ୍ଗ ଓ ବିଚିତ୍ରତାର ସନ୍ଧାନ
ପାଇବାକୁ । ଗୋଟିଏ ଦେଶର ଲୋକ ଅନ୍ୟ
ଦେଶର କିଭଳି ସାହିତ୍ୟ ଓ ଚିନ୍ତା
ପ୍ରତି କୌତୁହଳୀ ହୁଅନ୍ତି ?
ଗୋଟିଏ
ସଭ୍ୟତା ଭିତରେ ଥାଇ ସୁଦ୍ଧା
ଇଂଲଣ୍ଡର ପାଠକ ଓ ସମାଲୋଚକ ଏକ
ଭାଷାଭାଷୀ ଆମେରିକା ବା ଅତି ପଡ଼ୋଶୀ
ଫ୍ରାନ୍ସର ସାହିତ୍ୟ ବା ବୌଦ୍ଧିକ
କ୍ଷେତ୍ରରୁ କେବଳ ସେଇମାନଙ୍କର
କଥା ବୁଝିବାକୁ ଚେଷ୍ଟା କରନ୍ତି
ଯେଉଁମାନଙ୍କୁ ତାଙ୍କର ସ୍ୱଦେଶୀୟ
ପାଠକ ଓ ସମାଲୋଚକ ପ୍ରତିଷ୍ଠା
ଦିଅନ୍ତି । ଭାରତୀୟ ବୁଦ୍ଧିଜୀବୀ
ଯେପରି ଦ୍ୱିତୀୟ,
ତୃତୀୟ
ଶ୍ରେଣୀୟ ଇଂରାଜୀ ଲେଖକଙ୍କ ପଛରେ
ସମୟ ବିତାଇ ସେମାନଙ୍କୁ ବିଶ୍ୱ
ବୁଦ୍ଧିଜୀବୀ ମନେ କରି ଶକ୍ତି
ନଷ୍ଟ କରେ;
ଇଂଲଣ୍ଡ୍
ବା ଫ୍ରାନ୍ସ୍ ର
ବୁଦ୍ଧିଜୀବୀ ତା’ ନକରି ଅନ୍ୟ
ଦେଶର କେବଳ ପ୍ରମାଣିତ ଓ ପ୍ରତିଷ୍ଠିତ
ବ୍ୟକ୍ତି ବା କୃତି ବିଷୟରେ ଚର୍ଚ୍ଚା
କରେ ।
ଏହା
ପଛରେ ଇତିହାସ ଓ ମାନବସମାଜ ବିଷୟକ
ଏକ ଗଭୀର ଓ ମହତ୍ତ୍ୱପୂର୍ଣ୍ଣ
ସତ୍ୟ ଅଛି,
ଯେଉଁଥିରୁ
ଭାରତୀୟ ବୁଦ୍ଧିଜୀବୀଙ୍କୁ ଅପାର
ଆଶା ଓ ପ୍ରେରଣା ମିଳିବା କଥା ।
ତାହା ଏହି ଯେ ବିଶ୍ୱ ଏକତା ପରି
ଅବଧାରଣା ବାସ୍ତବ ଅନୁଭୂତିରୁ
ଆସିନାହିଁ । ଏ ପର୍ଯ୍ୟନ୍ତ କୌଣସି
ବିଶ୍ୱ ସଭ୍ୟତା,
ବିଶ୍ୱ
ସଂସ୍କୃତି ବା ବିଶ୍ୱ ଭାଷାର ଜନ୍ମ
ହୋଇନାହିଁ । ଅନେକ ଭୂଖଣ୍ଡରେ ଏ
ପର୍ଯ୍ୟନ୍ତ ସାମାଜିକ ଏକତା ମଧ୍ୟ
ଆସିପାରି ନାହିଁ । ଭାଷା,
ସାହିତ୍ୟ
ବା ସଂସ୍କୃତିର ସୃଷ୍ଟି ହୁଏ ମଣିଷ
ଓ ସମାଜର ଦୈନନ୍ଦିନ ଅଭାବ,
ଇଚ୍ଛା,
ସମସ୍ୟା
ଓ ଅନୁଭୂତିକୁ କେନ୍ଦ୍ର କରି ।
ବିଶ୍ୱସାରା ଏଗୁଡ଼ିକର ସାମ୍ୟ ନ
ଆସିବା ପର୍ଯ୍ୟନ୍ତ ଏକ ସଂସ୍କୃତି,
ଏକ
ସାହିତ୍ୟ,
ଏକ
ଭାଷା ହୋଇପାରିବ ନାହିଁ । ଏହି
ଆଦର୍ଶରୁ ଆଜି ଆମେ ବହୁତ ଦୂରରେ
। ଏବେ ତ ଚମଡ଼ାର ରଙ୍ଗ
ମଣିଷ ମଣିଷ ଭିତରେ ପାଚେରୀ ହୋଇ
ଠିଆ ହୋଇଛି । ଅତୀତରେ ଭାରତୀୟ,
ମିଶରୀୟ,
ଗ୍ରୀକ୍,
ରୋମାନ୍
ପ୍ରଭୃତି ସଭ୍ୟତା ଯେପରି ସ୍ୱଳ୍ପକାଳରେ
ପୃଥିବୀର ସର୍ବୋଚ୍ଚ ସଭ୍ୟତା
ରୂପେ ଅନ୍ୟମାନଙ୍କର ଅନୁକରଣୀୟ
ହୋଇଥିଲେ,
ବର୍ତ୍ତମାନ
ଯୁଗରେ ୟୁରୋପୀୟ ସଭ୍ୟତା ସେହିପରି
ହୋଇଚି । କିଛିଦିନ
ପରେ ତାହାର ଅବସାନ ଘଟି ନୂଆ ଅଞ୍ଚଳରୁ
ନୂଆ ସଭ୍ୟତାର ଉଦ୍ଭବ
ଘଟିବ । ଏହିପରି
ଗୋଟିଏ ପରେ ଗୋଟିଏ
ନୂଆ ଅଭିଜ୍ଞତା ଓ ଦୃଷ୍ଟି ନେଇ
ଯେତେ ଆଞ୍ଚଳିକ ସଭ୍ୟତା
ଗଢ଼ି ଉଠିବ ତାହାରି
ଭିତରୁ ସବୁ ମଣିଷଙ୍କୁ
ସାମାଜିକ,
ଆର୍ଥିକ
ଓ ଆଧ୍ୟାତ୍ମିକ କ୍ଷେତ୍ରରେ ଏକତ୍ର
କଲାଭଳି କୌଣସି ଏକ ସଂସ୍କୃତି
ଜରିଆରେ ଏକ ବିଶ୍ୱ ସଂସ୍କୃତିର
ଗଠନ ହୋଇପାରେ । ଯେ ପର୍ଯ୍ୟନ୍ତ
ତାହା ହୋଇନାହିଁ,
ଅବିକଶିତ
ସମାଜ, ଅବିକଶିତ
ସଂସ୍କୃତି ଓ ଅବିକଶିତ ଭାଷାର ଏକ
ଐତିହାସିକ ବିଶେଷତ୍ୱ ରହିଛି ।
ବିକଶିତ
ଜୀବନପ୍ରଣାଳୀ,
ବିକଶିତ
ଭାଷା, ବିକଶିତ
ସଂସ୍କୃତି ଏକ ନିର୍ଦ୍ଦିଷ୍ଟ
ସଭ୍ୟତା-ଧାରାର
ସାର୍ଥକ ଉପଲବ୍ଧି
ହୋଇପାରନ୍ତି । କିନ୍ତୁ
ଏମାନଙ୍କ ଜରିଆରେ ପୁଣି ଏକ ନୂଆ
ଐତିହାସିକ ପ୍ରୟୋଗ ସମ୍ଭବପର
ନୁହେଁ । ସଭ୍ୟତାର ନୂତନ ସ୍ୱର୍ଣ୍ଣ
ଫସଲ ନିମନ୍ତେ ନୂତନ କୁମାରୀ ଭୂଇଁର
ନୂଆ ଅଞ୍ଚଳ,
ନୂଆ
ମଣିଷ ଓ ନୂଆ ଭାଷାର ଆବଶ୍ୟକତା
ହୁଏ । ଯେଉଁମାନେ କୁହନ୍ତି ଆମ
ଦେଶୀଭାଷା ପ୍ରଚଳିତ ସଭ୍ୟତା ଓ
ସଂସ୍କୃତିର ଉପଯୁକ୍ତ ମାଧ୍ୟମ
ହେବାକୁ ଅକ୍ଷମ,
ସେମାନେ
ଅନ୍ତତଃ ଆଂଶିକ ସତକଥା କହୁଛନ୍ତି
। କିନ୍ତୁ ସେମାନେ
ଭୁଲି ଯାଉଛନ୍ତି ଯେ ଆମ ଭାଷା
ଜରିଆରେ ଓ ଆମର ମଣିଷ,
ହାୱା
ଓ ଅନୁଭୂତି ଜରିଆରେ ନୂଆ ସଭ୍ୟତାର
ଦିଗ ଫିଟିପାରେ,
ଯାହା
ଇଂରାଜୀ ବା ଅନ୍ୟାନ୍ୟ ବିକଶିତ
ଭାଷା ଜରିଆରେ ସମ୍ଭବ ନୁହେଁ ।
ପାଶ୍ଚାତ୍ୟ ସଭ୍ୟତାର ଅବସାନ
ଆରମ୍ଭ ହୋଇଗଲାଣି ବୋଲି ପଶ୍ଚିମୀ
କହିଲେଣି । କିନ୍ତୁ
ଭାରତର ପ୍ରଧାନମନ୍ତ୍ରୀଙ୍କଠାରୁ
ଆରମ୍ଭ କରି ଭାରତର ସାହିତ୍ୟିକ,
କଳାକାର
ଓ ଗାଁ ଟାଉଟର କହୁଛନ୍ତି ଯେ
ପାଶ୍ଚାତ୍ୟ ସଭ୍ୟତା ଆମକୁ ହାସଲ
କରିବାକୁ ହେବ । ତେଣୁ
ଆମେ ଇଂରାଜୀ କିପରି ଛାଡ଼ିବା?
ଏହା
ସାଙ୍ଗକୁ ଆଉ ଏକ ସତ୍ୟ ମନେ ରଖିବାକୁ
ହେବ । ମହାନ ଦର୍ଶନ,
ସାହିତ୍ୟ
କିମ୍ବା କଳା କେବଳ ନିବିଡ଼ ଅନୁଭୂତିରୁ
ଜନ୍ମ । ଯେତେଦିନ ପର୍ଯ୍ୟନ୍ତ
ଆତ୍ମା,
ମସ୍ତିଷ୍କ
ଓ ହୃଦୟର ଲୀଳାସ୍ଥଳ ରକ୍ତମାଂସ
ଅସ୍ଥିର କଳେବର ହୋଇଥିବ,
ସେ
ପର୍ଯ୍ୟନ୍ତ ମଣିଷର ନିବିଡ଼ ଅନୁଭୂତି
କେବଳ ନିଜର ସୀମିତ ପରିବେଶରେ
ଥିବା ଛୋଟ ଛୋଟ ମଣିଷ,
ଜନ୍ତୁ,
କୀଟ,
ଗଛଲତା,
ଅଭାବ,
ଇଚ୍ଛା,
ପାପ-ପୁଣ୍ୟ,
ପାଣି,
ପବନରୁ
ହିଁ ଆସିବ । କୌଣସି ଆରୋପିତ ଅନୁଭୂତି
ଦ୍ୱାରା ମଣିଷର ମନ ବହୁତ ଉଚ୍ଚକୁ
ବା ଗଭୀରତାକୁ ସ୍ପର୍ଶ କରିପାରେ
ନାହିଁ । ବଡ଼ ବଡ଼ କଳା ଓ ସାହିତ୍ୟର
ସୃଷ୍ଟି କେବଳ ଗଭୀର ସ୍ଥାନୀୟ
ଅନୁଭୂତିରୁ ହିଁ ହୁଏ । ଦାର୍ଶନିକ,
ବୈଜ୍ଞାନିକ,
କବି
ଓ କଳାକାର ଉପରେ ପାରିପାର୍ଶିକ
ପାଣିପବନ,
ଗଛଲତା,
ପଶୁ
ଓ ମଣିଷର ପ୍ରଭାବ
ଦୀର୍ଘସ୍ଥାୟୀ ହୁଏ ।
ସେହି ଅନୁଭୂତିର ଗଭୀରତା ବଳରେ
ସେମାନେ ବିଶ୍ୱକଳା ଓ ବିଶ୍ୱ
ସାହିତ୍ୟ ସୃଷ୍ଟି କରିପାରନ୍ତି
। ଅନ୍ୟ ପକ୍ଷରେ,
କୃତ୍ରିମ
ଭାବରେ ଆରୋପିତ ବିଶ୍ୱ-ଅନୁଭୂତିର
ଫଳ ଅତି ସ୍ଥୁଳ ଓ ଖର୍ବ ହୋଇଥାଏ
। ସେଥିପାଇଁ ଲାକ୍ସନେସ୍ଙ୍କର
ଆଇସ୍ଲାଣ୍ଡୀୟ ଅନୁନ୍ନତ ଲୋକଙ୍କ
ବିଷୟରେ ଗଳ୍ପ,
ପାର୍ଲ୍
ବକ୍ଙ୍କର ‘ସୁନ୍ଦର ପୃଥିବୀ’ ଓ
ଗୋପୀନାଥ ମହାନ୍ତିଙ୍କ ‘ପରଜା’ର
ବିଷୟବସ୍ତୁ ଅତି ସ୍ଥାନୀୟ ଓ
ସଂକୀର୍ଣ୍ଣ ହୋଇ ସୁଦ୍ଧା ବିଶ୍ୱ
ଅନୁଭୂତିର ବାହକ ହୋଇପାରିଛି ।
କେବଳ ସ୍ଥାନୀୟ ଅନୁଭୂତି ବିଶ୍ୱ
ଅନୁଭୂତିର ବାହକ ହୋଇପାରେ । ଏହା
ସହିତ ସ୍ଥାନୀୟ ଭାଷାର ଏକ ବିଚିତ୍ର
ଓ ରହସ୍ୟମୟ ସମ୍ପର୍କ ରହିଛି ।
ଉପରୋକ୍ତ
କେତେକ ସମାଲୋଚନାରୁ କେହି ଭୁଲ
ନବୁଝିବା ଉଚିତ ଯେ ଅନୁଭୂତି ବା
ବୁଦ୍ଧିକୁ ନିଜର ରାଷ୍ଟ୍ର ବା
ସମାଜ ଭିତରେ ଯୁଗର ସାଧାରଣ
ଅନୁଭୂତିଠାରୁ ଅଲଗା ଓ ସଙ୍କୁଚିତ
କରି ରଖିବା ଆମର ଧ୍ୟେୟ । ସମାଜ
ଓ ପରିବେଶ ଭିନ୍ନ ହେଲେ ସୁଦ୍ଧା
କଳାର ଏକ ସ୍ନାୟୁ ପରିଧି ରହିଛି
ଓ ସମୟର ଏକତ୍ୱ ଏଗୁଡ଼ିକୁ ଏକାଠି
ବାନ୍ଧି ରଖେ । ବିଶେଷକରି ଉଡ଼ାଜାହାଜ
ଓ ରକେଟ୍ ର ଯୁଗରେ
ବିଭିନ୍ନ ସମାଜ ସମୟର ଏକତ୍ୱ
ଦ୍ୱାରା ବାନ୍ଧି ହେବା ସ୍ୱାଭାବିକ
। ବୁଦ୍ଧିଜୀବୀଙ୍କର ଚେତନଶୀଳତା,
ଓ ଯୁଗ
ଓ ସମାଜ, ଉଭୟର
ପରିଧି ଦୁଇ ଭିନ୍ନ କେନ୍ଦ୍ରରୁ
ସ୍ୱତଃ ବୃତ୍ତ କାଟନ୍ତି
। ଉଭୟ ପରିଧିର ସାଧାରଣ
ବୃତ୍ତାଂଶ ଭିନ୍ନ
ଭିନ୍ନ ସମାଜର ବୃତ୍ତାଂଶ
ପାଇଁ ପୃଥକ୍ ହେବ । ଏହି ସାଧାରଣ
ଅଂଶ ହିଁ ବୁଦ୍ଧିଜୀବୀର
ଉପଯୁକ୍ତ ଅନୁଭୂତି-ଭୂମି
। ଏହିଠାରେ ଯୁଗ-ଅନୁଭୂତି
ସାମାଜିକ ଅନୁଭୂତି ସାଙ୍ଗରେ
ସଂଶ୍ଳିଷ୍ଟ । ଏହିଠାରେ
ହିଁ ଯୁଗ-ଅନୁଭୂତି
ପରିବେଶର ଅନୁଭୂତି ଜରିଆରେ
ପ୍ରାଣବନ୍ତ ହୁଏ ଓ
ସାମାଜିକ ଅନୁଭୂତି ଯୁଗ-ଅନୁଭୂତି
ଦ୍ୱାରା ମାର୍ଜିତ ହୁଏ ।
ଉଦାହରଣସ୍ୱରୂପ,
ଭାରତୀୟ
ବୁଦ୍ଧିଜୀବୀକୁ କୁହାଯାଉ ନାହିଁ
ଯେ ସେ କେବଳ ଭାରତୀୟ ସମାଜ ଓ
ପରିବେଶର ବିଶେଷ ଅନୁଭୂତିଗୁଡ଼ିକୁ
ନେଉ ଓ ରକେଟ୍,
ଆଣବିକ
ବୋମା ବା ଶୀତଳଯୁଦ୍ଧ ପରି ଏ ଯୁଗର
ସାଧାରଣ ଅନୁଭୂତିଗୁଡ଼ିକୁ ଛାଡ଼ି
ଦେଉ । ଏହା କଲେ କାଳକୁ ଛାଡ଼ି ସ୍ଥାନ
ସଙ୍କୁଚିତ ହୋଇଯିବ । ତା'
ଭିତରେ
ଯୁଗ ଚେତନା ରହିବ ନାହିଁ । ସାମାଜିକ
ଚେତନା ଓ ଯୁଗ ଚେତନାର ସଂଶ୍ଳେଷଣ
ପ୍ରକୃତ କଳାକାରର ଆଦର୍ଶ ହେବା
ଉଚିତ । ସ୍ଥାନକୁ ଛାଡ଼ିଲେ ସେପରି
କାଳର ଅନୁଭୂତି ଫମ୍ପା ଓ ଅବାସ୍ତବ
ହୋଇଯିବା ନିଶ୍ଚିତ
। ତେଣୁ ଭାରତୀୟ ବୁଦ୍ଧିଜୀବୀ
ଯେତେବେଳେ ଏଠାକାର ଜାତିଭେଦ
ବିଷୟରେ ନୀରବ ରହି ଶ୍ରେଣୀଭେଦ
ଓ ଶ୍ରେଣୀ ସଂଘର୍ଷର କଥା କହେ,
ଚୁଲିର
ଧୂଆଁ ଓ ଗୃହିଣୀର
ଚକ୍ଷୁଦାହକୁ ମନେ ନ ପକାଇ ରକେଟ୍
ଓ ବିଜୁଳି ଛାଞ୍ଚୁଣୀର
କବିତା ଲେଖେ,
ବା
ଦେଶର ଦାରିଦ୍ର୍ୟ ଓ ବ୍ୟାଧିର
ସମସ୍ୟା ବିଷୟରେ କେବେ ନ ଭାବି
ଆଣବିକ ଯୁଦ୍ଧରୁ ପୃଥିବୀକୁ ରକ୍ଷା
କରିବା ପାଇଁ ସମାଧାନ ଖୋଜିବାକୁ
ସିଗାରେଟ୍ ଓ ମଦ୍ୟ ଦ୍ୱାରା
ମସ୍ତିଷ୍କକୁ ଉଜେିତ କରେ,
ତାହାର
ଅନୁଭୂତିକୁ ସ୍ୱାଭାବିକ ଓ ସୁସ୍ଥ
ବିଶ୍ୱଚେତନା ନକହି ଅନୁକରଣଗ୍ରସ୍ତ
ଆରୋପିତ ଅନୁଭୂତି କହିବା ହିଁ
ଠିକ୍ ମନେହୁଏ ।
No comments:
Post a Comment