ପିଲାଙ୍କ ଗୀତ - 'ଚାନ୍ଦମଣିର ଅଙ୍ଗା'
କବି - ଫକୀରମୋହନ ସେନାପତି (୧୮୪୩-୧୯୧୮)
ଚାନ୍ଦମଣି ଦିନେ ଅଙ୍ଗାଟିଏ ପାଇଁ
ମାତା ପାଶେ କଲେ ଅଳି
ଶୁଣିଶୁଣି ମାତା ବୋଇଲେ ପୁତ୍ରକୁ
ବହୁତ ହୋଇ ସେ ଚଳି ।
"ଆରେ ଦୁଷ୍ଟ ପିଲା, ତୋ ଦେହ ମାପରେ
ଅଙ୍ଗା ଆଣିବି କିପରି
ନିତି ନିତି ତୁହି ପଦାକୁ ବାହାରୁ
ନାନାବିଧ ରୂପ ଧରି ।
ଦ୍ୱିତୀୟା ଦିନର ତୋହର ଆକାର
ନଥାଏ ତୃତୀୟା ଦିନେ
ଚତୁର୍ଥୀ ପଞ୍ଚମୀ ଷଷ୍ଠୀରେ ତୋ ରୂପ
ହୋଇଯାଏ ଭିନେ ଭିନେ ।
ଉଆଁସ ଦିନରେ ଏକା ବେଳକେ ତୁ
ପଦାକୁ ବାହାରୁ ନାହିଁ
ତୁଚ୍ଛାରେ ପଇସା ଖରଚ କରି ମୁଁ
ଅଙ୍ଗା କିଣିବି କି ପାଇଁ ?"
ଶରୀର ସମାନେ ଆହେ ପିଲାମାନେ
ନଥିଲେ ମନ-ସ୍ଥିରତା
ତୁମ୍ଭ ପାଇଁ ଦ୍ରବ୍ୟ କିଣିବା ବେଳକୁ
ହେବ ଚାନ୍ଦମଣି କଥା । (ଅବସର ବାସରେ)
ଶ୍ରୀ ମହେଶ୍ୱର ମହାନ୍ତି ସମ୍ପାଦିତ (୨୦୧୫), 'ଓଡ଼ଆ ଶିଶୁ-କିଶୋର କବିତା' (ସାହିତ୍ୟ ଏକାଡ଼େମୀ : ନୂଆଦିଲ୍ଲୀ) ରୁ ସଙ୍ଗୃହିତ ।
ତୁଚ୍ଛାରେ ପଇସା ଖରଚ କରି ମୁଁ
No comments:
Post a Comment